ସେଆର କରନ୍ତୁ

ଦଣ୍ଡ ନାଟ

ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ ଦଣ୍ଡ ନାଟ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ପ୍ରାଚୀନ ଓ ପାରମ୍ପରିକ ନାଚ

ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ଵର ବିଶ୍ଵାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ବୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ବ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ବସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ବାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ,୨-ଧର୍ମ ଟିନ୍ତନ,୩-କୃଷି ସଭ୍ୟତା,୪-ସାମରିକ ପରମ୍ପରା,୫- କାରୁକଳା,୬-ଆଦିବାସୀ ଓ ଓଡଶୀ ନୃତ୍ୟ । ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରାଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ବ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ବରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍,ଆମେରିକା,ଲୋହିତ ଭାରତୀୟ ,ଆଫ୍ରିକାର ଆଦିବାସୀ,ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।

ଉତ୍ପତ୍ତି

  • ପୌରାଣିକ ଉପାଖ୍ୟାନ ୧
  • ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦର କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ଦେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

  • ପୌରାଣିକ ଉପାଖ୍ୟାନ ୨
  • ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ। ଏଥକୁ ମୁକ୍ତି ପାଇବାକୁ ସେମାନେ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ। ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ। ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

  • ପୌରାଣିକ ଉପାଖ୍ୟାନ ୩
  • ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ। ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲା ଓ ତେରଭାଇ ଶାପମୁକ୍ତ ହେଲେ। ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି।

  • ପୌରାଣିକ ଉପାଖ୍ୟାନ ୪
  • ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କଲେ। ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ। ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଅଛି।

ବିଶେଷତ୍ୱ

ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ଵୟଂ ଶିବ ବିରାଜମାନ କରିଥାନ୍ତି ବୋଲି ବିଶ୍ଵାସ କରାଯାଏ । ଏହି ପର୍ବ ପ୍ରାଚୀନ ଇତିହାସରୁ ଓଡ଼ିଶାରେ ଚଳି ଆସୁଛି ଏବଂ ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୁଏ । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ।  ଓ ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ ।  ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ ।

ପ୍ରକାର ଭେଦ

  • କଟକ ଜିଲ୍ଲା
  • କଟକ ଜିଲ୍ଲାରେ ଦଣ୍ଡନାଚ ପାଟୁଆ ନାମରେ ଜଣା । ଏହା ମଧ୍ୟ ବିଭିନ୍ନ ନାମରେ ଯଥା ଅଗ୍ନି ପାଟୁଆ, କଣ୍ଟାପାଟୁଆ, ଖଣ୍ଡା ପାଟୁଆ, ଝୁଲା ପାଟୁଆ ଓ ଫୋଡ଼ ପାଟୁଆ ଆଦି ନାମରେ ଜଣା ।

  • ଢେଙ୍କାନାଳ ଜିଲ୍ଲା
  • ଢେଙ୍କାନାଳର ଦଣ୍ଡନାଚର ପାଳନରେ ଭିନ୍ନ‌ତା ପରିଲକ୍ଷିତ ହୋଇଥାଏ । ଶୈବ ଧର୍ମରୁ ଏହାର ଉତ୍ପ‌ତ୍ତି । ରଣ ଶିବ ସକଳ ନାଟ୍ୟପ୍ରକଟ ଶାସ୍ତ୍ର ମୂଳ ଦେବତା । କୋଠର ନିୟମରେ ରହି ଶିବ ପାର୍ବତୀଙ୍କ କଥା ପ୍ରଚାର କରିବା ଦଣ୍ଡ ନାଟର ଲକ୍ଷ୍ୟ । ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ।ଏହାର ସୃଷ୍ଟି ସମ୍ପର୍କରେ ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି। ଚୈତ୍ର ବୈଶାଖ ମାସ ଶିବଶକ୍ତି ଉପାସନା ପାଇଁ ଉପଯୁକ୍ତ୍ୟ ସମୟ।ଏହି ଦଣ୍ଡ ବ୍ରତ ୧୩ କିମ୍ବା୨୧ ଦିନ ଧରି ଆରମ୍ଭ ହୋଇ ପଣା ସଂକ୍ରାନ୍ତି ଦିନ ସରେ। ଦଣ୍ଡନୃତ୍ୟ ୩ ଭାଗରେ ବିଭକ୍ତ କରାଯାଇଥାଏ।

    1. ଧୁଳି ଦଣ୍ଡ
    2. ପାଣି ଦଣ୍ଡ
    3. ଅଗ୍ନି ଦଣ୍ଡ ବା ରାତ୍ର ଦଣ୍ଡ।
  • ଗଞ୍ଜାମ ଜିଲ୍ଲା
  • ରୋଗବଇରାଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା' ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମାପରଠାରୁ ଭକ୍ତମାନେ ରହିଥାନ୍ତି। ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଣ୍ଡ ଦଳ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଘୁମୁସର ଅଞ୍ଚଳର କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତି ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ବିଶେଷ କରି ଶକ୍ତିପୀଠଗୁଡ଼ିକୁ ବ୍ୟାପିଥିବାର ଜଣାପଡ଼େ।
    "ହେ ଋଷିପୁତ୍ରେ!
    ଅଇଲେ ହର, ଦେଇଗଲେ ବର
    ଅନ୍ୟ ସେବା ଛାଡ଼ି ଏ ସେବା କର
    ଏ ସେବା କଲେ କି ଫଳ ପାଏ
    ଉଷୁନାଧାନ ଗଜା ହୁଏ
    ଶୁଖିଲା କାଠ କଞ୍ଚା ହୁଏ
    ଭଜାମୁଗ ଗଜା ହୁଏ
    ଅପୁତ୍ରିକ ପୁତ୍ରଦାନ ପାଏ
    ଅନ୍ଧ ଚକ୍ଷୁଦାନ ପାଏ
    ଜରାରୋଗ ଭଲ ହୁଏ" ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାଏ।

ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି। କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ। ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରୁହେ। କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ। ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ,କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ।
ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

  1. ଧୂଳିଦଣ୍ଡ
  2. ଦିନ ଦିପହରରେ ଧୂଳିଦଣ୍ଡ ପରିବେଷଣରେ କ୍ଷେତ୍ର ପ୍ରସ୍ତୁତି, ହଳ ଚାଳନା, ଧାନ ରୋପଣ, ବଛାବଛି, ଅମଳ, ଭୂମି ପୂଜା, ମନ୍ଦିର ନିର୍ମାଣ, ଲୁଗା ବୁଣା, ହଳଦୀ ବଟା, କୂଅ ଖୋଳା ଆଦି ପ୍ରଦର୍ଶିତ ହୁଏ। ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସମଜାରେ ପ୍ରଚଣ୍ଡ ଖରାତାତିରେ ପ୍ରଦର୍ଶନ କରାଯାଏ।

  3. ପାଣିଦଣ୍ଡ
  4. ଧୂଳି ଦଣ୍ଡ ପରେ ଆରମ୍ଭ ହୁଏ ପୋଖରୀ କିମ୍ବା ନଦୀରେ ପାଣି ଦଣ୍ଡ। ଛଅ ଆଙ୍ଗୁଳି ଲମ୍ବର ଆମ୍ବ ଡାଳରେ ଦାନ୍ତ ଘସି ସ୍ନାନ କରିବା ପରେ ତେରଥର ବୁଡ଼ି ତେର ଆଞ୍ଜୁଳା ପାଣି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ ସ୍ଥାପନା କରନ୍ତି। ତା ପରେ ବିଭିନ୍ନ ଉପଚାରରେ ପୂଜାର୍ଚନା ହୁଏ। ପଣା ଏବଂ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି।
    ସନ୍ଧ୍ୟାରେ ଆଳତୀ ହୁଏ। ସନ୍ଧ୍ୟା ଆଳତୀରେ ଯୋଗଦେଇ ଲୋକେ ନିଜର ଅପରାଧ କ୍ଷମାପାଇଁ ପ୍ରାର୍ଥନା କରିଥାନ୍ତି। ଦଣ୍ଡୁଆଙ୍କ ଦେହରେ ମା କାଳୀ ବିରାଜନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ଅରୁଆ ଚାଉଳ, ମୁଗ ଡାଲି ଓ ପରିବାକୁ ମିଶାଇ ଅକଟା ଅଫୁଟା ହବିଷ୍ୟାନ୍ନ ପ୍ରସ୍ତୁତ କରାଯାଏ ଯାହା କାଳୀଙ୍କ ପାଖରେ ଭୋଗ ଲଗାଯିବା ପରେ ମଧ୍ୟରାତ୍ରରେ ଦଣ୍ଡୁଆମାନେ ଢୋଲ, ଝାଞ୍ଜରର ତାଳେ ତାଳେ ଭୋଜନ କରନ୍ତି।

  5. ଅଗ୍ନିଦଣ୍ଡ
  6. ଏହା ପରେ ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି। ସ୍ୱପ୍ନାଦେଶ ପାଇଥିବା ଦଣ୍ଡୁଆମାନେ କଳା ପୋଷାକ ପିନ୍ଧିଥାନ୍ତି, ମୁଣ୍ଡରେ କଳା କନା ବାନ୍ଧିଥାନ୍ତି ଓ ରକ୍ତ ସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରିଥାନ୍ତି। ଢୋଲ ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ କାଳିକା ପ୍ରସନ୍ତ ହୁଅନ୍ତି। ଏହି ଅଗ୍ନିଦଣ୍ଡ ଫଳରେ ସେ ଚେତାଶୂନ୍ୟ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା ପରେ ଚେତା ଫେରିଲା ପରେ ଆରମ୍ଭ ହୁଏ ଦଣ୍ଡସୁଆଙ୍ଗ।

  7. ଦଣ୍ଡସୁଆଙ୍ଗ
  8. ଦଣ୍ଡସୁଆଙ୍ଗକୁ ଦଣ୍ଡ ଚଢ଼େୟା ନାଚ ବୋଲି ମଧ୍ୟ କୁହାଯାଏ। ଏଥିରେ ଚଢ଼େୟା, ଚଢ଼େୟାଣୀ, ଦକ୍ଷିଣକାଳୀ, ଡୁବଡୁବା, ଗଉଡ଼, ଗଉଡ଼ୁଣୀ, ସାପୁଆ, ଚହଟା ଦିଅର, ସିପାହୀ, ଢୋଲିଆ, ଉଲ, ବୀଣାକାର, ଜଗାଳି, ରାଜଗୁଣିଙ୍କ ଚରିତ୍ର ମାଧ୍ୟମରେ ହାସ୍ୟରସ ପ୍ରକାଶ ସହିତ ବହୁ ଉପଦେଶ ଜନ ସମୁଦାୟକୁ ପରିବେଷଣ କରା ଯାଇଥାଏ। କେତେଜଣ ପ୍ରମୁଖ ଦଣ୍ଡସୁଆଙ୍ଗ ଲେଖକଙ୍କ ଭିତରେ ରଙ୍ଗୁଣି ବନ୍ଧ ସାହିର ସନ୍ନ୍ୟାସୀ ନାୟକ, ମୁଣ୍ଡମରେଇର ଦଣ୍ଡପାଣି ଜେନା ଓ ବାସୁଦେବପୁରର ଅନ୍ତର୍ଯ୍ୟାମୀ ଦାସ ଅନ୍ୟତମ।

ଏହିପରି ୧୩, ୧୮, ୨୧ ଦିନ ବୁଲିବାପରେ ଦଣ୍ଡଦଳ ବିଷୁବ ସଂକ୍ରାନ୍ତି ଦିନ କାମନା ମନ୍ଦିର ପାଖରେ ରୁଣ୍ଡ ହୁଅନ୍ତି। ସେଠାରେ ମେରୁଯାତ୍ରା ଅନୁଷ୍ଠିତ ହୁଏ। ମେରୁକୁଣ୍ଡର ଦୁଇପାଖରେ ବେଲକାଠଦ୍ୱାରା ଦୁଇଟି ଖୁଣ୍ଟ ପୋତାଯାଏ। ସେ ଦୁଇଟିକୁ ଗୋଟିଏ କାଠଦ୍ୱାରା ସଂଯୁକ୍ତ କରାଯାଏ। ମୁଖ୍ୟ ଦଣ୍ଡୁଆ ସ୍ନାନସାରି ଓଦାବସ୍ତ୍ରରେ ପ୍ରଭୁଙ୍କୁ ଦର୍ଶନ କରନ୍ତି, ତାଙ୍କ ଦେହରେ କାଳୀ ଲାଗିଲା ପରେ କେତକ ଲୋକ ମିଶି ତାଙ୍କୁ ନିୟନ୍ତ୍ରଣ କରନ୍ତି ଏହା ପରେ ତାଙ୍କୁ ସେହି କାଠରେ ଓଲଟା ଲଟକାଇ ଦିଆଯାଏ। ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାକରୁ ତିନିଟୋପା ରକ୍ତ ପଡ଼ିବାପରେ ସେ ଅଚେତ ଅବସ୍ଥାରେ ସେଥିରେ ଝୁଲି ରୁହନ୍ତି। ତାଙ୍କୁ ନିକଟସ୍ଥ ଜଳାଶୟକୁ ନେଇ ତାଙ୍କ ଚେତା ଫେରାଇ ଆଣିବାପରେ ସମାପନ ହୁଏ ଦଣ୍ଡନାଚ।

ପାଳନ

ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବା ଦ୍ଵାରା ମା'କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ଵାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି, ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।

ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ଵଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ଵନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି ।

ଆଧାର -

"orissadiary.com"

2.88461538462
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top