ସେଆର କରନ୍ତୁ

ଦୂତୀବାହନ ଓଷା

ଦୂତୀ ବାହନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା ଓଡ଼ିଶାରେ ପାଳିତ ଏକ ଓଷା ।

ଦୂତୀବାହନ ଓଷା

ଦୂତୀ ବାହନ ଓଷା ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତ ହୋଇଥାଏ । ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।

କାରଣ

ସାମାଜିକ

ପିତା ମାତାଙ୍କ ମୃତ୍ୟୁ ପରେ ପୁଅ ପିଣ୍ଡଦାନ କରିବାର ସାମାଜିକ ଚଳଣି ଓଡ଼ିଶାରେ ପ୍ରଚଳିତ । ପୁତ୍ରଲାଭ କରିବା ଓ ତା'ର ମଙ୍ଗଳ କାମନା କରିବା ନିମନ୍ତେ ଏହି ଓଷା ପାଳନ କରାଯାଇଥାଏ ।

ବୈଜ୍ଞାନିକ

ଆୟୁର୍ବେଦ ଅନୁସାରେ ଯୁଇର ବନ୍ଧ୍ୟା ନିରାକରଣ ଶକ୍ତି ଥିବାରୁ ଏହାର ବ୍ୟବହାର କରାଯାଏ । ଅପାମାର୍ଗ ବାତନାଶକ ହୋଇଥିବାରୁ ଏହାର ବ୍ୟବହାର ନାରୀମାନଙ୍କ ସନ୍ତାନଲାଭ ପାଇଁ ହିତକର ହୋଇଥାଏ । ଗଜାମୁଗ ଓ ଚଣାରେ ପୁଷ୍ଟିସାର ତାହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ।

ପାଳନ ବିଧି

ଏହି ବ୍ରତର ଉପାସ୍ୟ ଦେବତା ଜିମୂତ ବାହନ । ଓଡ଼ିଆ କବି ପୁରୁଷୋତ୍ତମ ଦାସଙ୍କ ରଚିତ "ଦୂତୀଆ ଓଷା କଥା"ରେ ଜିମୂତବାହନ ସୂର୍ଯ୍ୟଙ୍କ ପୁଅ ବୋଲି ଅଭିହିତ କରାଯାଇଛି । କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ । ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ଵୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା'ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ ।

ଖୋଳାଯାଇ ଏକ ବିଲ ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ । ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା'ନ୍ତି ।ଯଦି କେହି ଅପୁତ୍ରିକ ଥାଆନ୍ତି ତା'ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା'ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା "ଜିଉଁତିଆ"କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି।

ସନ୍ତାନବତୀ ମା' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ଓଡ଼ିଆ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା'ନ୍ତି, 'ସତରେ ମା' ତୋର ଦୂତୀଆ ପୂଜିଥିଲା । ତେଣୁ ରକ୍ଷା ପାଇଗଲୁ ।'

ପୁତ୍ରବତୀ ମା' ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଦୂତୀଆ ଓଷା କରିଥାନ୍ତି । ତେଣୁ ଜନ୍ମ ସମୟରେ ଚନ୍ଦ୍ରର ପ୍ରଭାବକୁ ଲାଘବ କରିବା ପାଇଁ ଦ୍ଵୀତୀୟା ଚାନ୍ଦ ପୂଜା କରିବା ଯେପରି ଦରକାର ପଡ଼େ ସେହିପରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଏ ପ୍ରକାର ବିଧି ବିଧାନର ଆୟୋଜନ କରାଯାଇଛି ।

“ପୁଅ ଜିଉଁତିଆ ଓଷା ମଣିଷର ଧର୍ମୀୟ ଅନୁଚିନ୍ତାକୁ ସୁଦୃଢ଼ କରିବା ସହିତ ମାତାପୁତ୍ରର ଅନାବିଳ ସ୍ନେହ ମମତାକୁ ଋଦ୍ଧିମନ୍ତ କରିଥାଏ । ଏହି ଓଷା ପଶ୍ଚିମ ଓଡ଼ିଶାରେ ସର୍ବତ୍ର ପାଳିତ ହୋଇଥାଏ ଏବଂ ଏହି ଦିନଠାରୁ ପାର୍ବଣ ଋତୁର ଶୁଭାରମ୍ଭ ହୋଇଥାଏ । ଚିରଶୁଦ୍ଧି, ଧର୍ମୋପାସନା ଓ ଭାଗବତପ୍ରାପ୍ତି ଦିଗରେ ଏହି ପୁଅ ଜିଉଁତିଆ ଓଷାର ଉପାଦେୟତା ଅପରିହାର୍ଯ୍ୟ ।

କିମ୍ବଦନ୍ତୀ

ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୂତିଆ ଓଷା ପାଳିତ ହୁଏ । ଦୂତିବାହାନ ଏହି ଓଷାର ଦେବତା । ପ୍ରଚଳିତ ଓଷା କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀ ଗର୍ଭରୁ ଜନ୍ମ ହୋଇଥିଲେ । ଏହି ପ୍ରସଙ୍ଗରେ ଦୁଇଟି କଥା ରହିଛି ।

ପ୍ରଥମ

ଗରିବ ବ୍ରାହ୍ମଣୀଟିଏ ଥାଏ ବାଳୁତ କାଳରୁ ବିଧବା । ସାହା ଭରସା ହେବାକୁ ଦାସୀଟିଏ ରଖିଥାଏ। ସେମାନେ ଧାନକୁଟିଚଳନ୍ତି। ଆଶ୍ୱିନ ମାସ ପିତୃପକ୍ଷ ପଡ଼ିଲା । ରାଜା କୁଟୂତୁଣିମାନଙ୍କୁ ଡକାଇ ଧାନ ଦେଲେ ଏବଂ କୋଠ ଖନ୍ଦା କରି ଚାରିଦିନରେ ଚାଉଳ ଦେବାକୁ ବରାଦ ଦେଲେ । ମେଘ ଉଠାଇଲା । ଧାନ ଶୁଖାଇ ଚାଉଳ କରିଦେବା କଷ୍ଟ। ବ୍ରାହ୍ମଣୀଟି ସୂର୍ଯ୍ୟଦେବତାଙ୍କ ପାଖେ ଖରାକଲେ ଅଙ୍ଗଦାନ କରିବାକୁ ମାନସିକ କଲା। ସୂର୍ଯ୍ୟଦେବତା ତା’ଦାଣ୍ଡରେ ଖରାକଲେ । ନିର୍ଦ୍ଦିଷ୍ଟ ସମୟରେ ସେ ରାଜାଘରେ ଚାଉଳ ଦେଲା । କିନ୍ତୁ ସୂର୍ଯ୍ୟ ଦେବତା ନିର୍ଦ୍ଧାରିତ ରାତ୍ରିରେ ଅଙ୍ଗସଙ୍ଗ ପାଇଲେ ନାହିଁ । ବ୍ରାହ୍ମଣୀଟି ତା’ଦାସୀକୁ ତା’ସ୍ଥାନରେ ଶୁଆଇ ଦେଇ ଆତ୍ମଗୋପନ କଲା । ଦେବତା ଦାସୀ ଅଙ୍ଗ ସ୍ପର୍ଶ ନ କରି ନିରାଶ ହୋଇ ବାହୁଡିବା ବେଳେ ଲେଉଟିଆ ପଟାଳିରେ ପରିଶ୍ରା କରି ଦେଇଗଲେ । ସେ ସେତେବେଳେ କାମାର୍ତ୍ତ ଅବସ୍ଥାରେ ଥିଲେ । ସେଠି ଇଚ୍ଛାଶାଗ ଉଠିଲା ମନକୁ ମନ, ଗହଳିଆ ହୋଇ ଉଠିଥିବା ଲେଉଟିଆ ଶାଗ ଖାଇ ବ୍ରାହ୍ମଣୀ ଗର୍ଭବତୀ ହେଲା । ବିଧବାର ଗର୍ଭବାସ ଏକ ଗର୍ହିତ ଅପରାଧ । ସେ ସେଥିପାଇଁ ରାଜରୋଷ ଏବଂ ସାମାଜିକ ବାସନ୍ଦର ସମ୍ମୁଖୀନ ହେଲା । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ତା’ର ପୁଅଟିଏ ହେଲା । ମିଥୁନ ଲଗ୍ନରେ ହୋଇଥିଲା । ତା’ର ନାମ ଦୂତିବାହାନ ରଖାଗଲା ‌। ପୁଅ କ୍ରମେ ବଡ ହୋଇ ଚାହାଳୀରେ ପଢିଲା । ଦିନେ ତା’ର ଖଡି ଗୋଟାଳି ଗଡି ଯିବାରୁ ଜଣେ ସାଙ୍ଗକୁ ବଢାଇ ଦେବାକୁ ଅନୁରୋଧ କଲା। ସେ ପିଲାଟି ଦୋସାଧୁର ପୁଅ । ତାକୁ ଖଡି ଗୋଟାଳି ବଢାଇ ଦେବାକୁ କହୁଥିବା ରାଣ୍ଡୀ ବ୍ରାହ୍ମଣୀ ପୁଅକୁ ସେ ଅଣବାପୁଆ ବୋଲି କହି ଅପମାନିତ କଲା । ପୁଅ ଘରକୁ ଫେରି ତା’ର ଜନକ କିଏ ବୋଲି ଜାଣିବାକୁ ମାଆ ପାଖରେ ଦାବୀ କଲା । ମାଆ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ । ରାତି ପାହିଲା । ଅରୁଣ ରଥରେ ବସି ସପ୍ତାଶ୍ୱ ବାହନ ସୂର୍ଯ୍ୟ ଆକାଶରେ ଦେଖାଦେଲେ । ମାଆ ଚିହ୍ନାଇ ଦେଇ କହିଲେ – “ଇଏ ତୋ ବାପା ।” ପୁଅ ଦୂତିବାହାନ ସୂର୍ଯ୍ୟଙ୍କୁ ଦେଖି ନମସ୍କାର କଲା । ସୂର୍ଯ୍ୟ ହାତ ବଢାଇ କୋଳକୁ ଟେକି ନେଲେ । କୋଳରେ ବସାଇ ନାନା ଅଳଙ୍କାର ପିନ୍ଧାଇ ଦେଲେ । ଆକାଶରୁ ନାନା ଅଳଙ୍କାର ପାଟଶାଢୀ ଖସିଲା । ଏହି ବିଚିତ୍ର ଦୃଶ୍ୟଦେଖି ବହୁ ସଂଖ୍ୟାରେ ଲୋକ ଜମିଗଲେ । ଉପସ୍ଥିତ ନରନାରୀ ବିସ୍ମିତ ହେଲେ । ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା-“ବାପା ! ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛନ୍ତି ? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାବୁଆ ବୋଲି ଅପମାନିତ ହେଉଛି” ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- “ତୋ ମାଆ ସତୀ । କିଛିଦିନ ପରେ ତୁ ଓ ତୋ ମାଆ ପୃଥିବୀରେ ପୂଜା ପାଇବ ।”

ଦ୍ଵିତୀୟ

ଗୋଟିଏ ଚିଲ ଏବଂ ଗୋଟିଏ ଶୃଗାଳ ଏହି ଓଷା ପାଳନ କରିଥିଲେ । କେତେକ ସ୍ତ୍ରୀଲୋକ ଓଷାକୋଠି ପାଖରେ ବସି ଓଷା ପୂଜୁଥିବାରୁ ଦେଖି ସେମାନେ ଏଥିପ୍ରତି ମନ ବଳାଇଲେ । ଓଷେଇତି ଓଷା ଶେଷରେ ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଥିଲେ ତାହା ସେମାନେ ସଂଗ୍ରହ କଲେ । ସେମାନେ ଛାଡ଼ି ଯାଇଥିବା ହଳଦୀ ଲଗାଇ ସ୍ନାନ କଲେ । ଚିଲଟି ନିଷ୍ଠାର ସହିତ କାଷ୍ଠାରେ ଓଷା କଲା । କିନ୍ତୁ ଶୃଗାଳଟି ଭୋକ ସମ୍ଭାଳି ପାରିଲାନାହିଁ । ରାତି ଭିତରେ କୋରଡ଼ ଭିତରେ ପଶି ମାଂସ ଖାଇଦେଲା । ଚିଲ କିଛି ଜାଣିନପାରି ଶିଆଳକୁ ପଚାରିଲା- ‘ ଭଉଣୀ ତୁ ଏତେବେଳେ କ’ଣ କଡ଼ମଡ଼ କରି ଚୋବାଉଛୁ? ଶିଆଳ କହିଲା- କ’ଣ ଅଛି ଯେ ଚୋବାଇବି ? ଥଣ୍ଡାରେ ମୋ ଦାନ୍ତ କଡ଼ମଡ଼ ଶବ୍ଦ ହେଉଛି ।’ ପର ଜନ୍ମରେ ଓଷା ପ୍ରଭାବରୁ ଏହି ଚିଲ ଓ ଶୃଗାଳ ମଣିଷ ଜନ୍ମ ପାଇଲେ । ଉତ୍ତମ କୁଳରେ ଦୁଇ ଭଉଣି ହୋଇ ଜନ୍ମ ହେଲେ । ଶିଆଳ ବଡ ଭଉଣୀ ହେଲା, ଚିଲ ସାନ ଭଉଣୀ ଜନ୍ମ ହେଲା । ବଡ ଭଉଣୀ ମନ୍ତ୍ରୀ ଓ ସାନ ଭଉଣୀ ସାଧବକୁ ବିବାହ କଲେ । ପୂର୍ବ ଜନ୍ମରେ ବ୍ରତ ଖଣ୍ଡିତ କରିଥିବାରୁ ମନ୍ତ୍ରୀ ପତ୍ନୀ ପିଲାଛୁଆ ନହେବାରୁ କଷ୍ଟ ଓ ଦୁଃଖ ଅନୁଭବ କଲା । କିନ୍ତୁ ସାଧବାଣୀ ପୁତ୍ରବତୀ ହୋଇ ସୁଖରେ କାଳ କଟାଇଲା । ଫଳରେ ବଡ଼ ଭଉଣୀ ସାନ ଭଉଣୀକୁ ଇର୍ଷା କଲା । ସାନ ଭଉଣୀ (ସାଧବ ପତ୍ନୀ)ର ସନ୍ତାନମାନେ ମାଉସୀ ଘରକୁ ଖେଳିବାକୁ ଯାଆନ୍ତି । ବଡ଼ ଭଉଣୀ ତଥା ମନ୍ତ୍ରୀ ପତ୍ନୀ ଶୀଳାବତୀ ସେମାନଙ୍କୁ ବିଭିନ୍ନ ଭାବରେ ହତ୍ୟା କରି ସାଧବ ସ୍ତ୍ରୀ ପାଖକୁ ହାଣ୍ଡି, ଚାଙ୍ଗୁଡ଼ି ଇତ୍ୟାଦିରେ ପ୍ରତିଥର ମୃତ ପୁତ୍ରଙ୍କର ଶରୀର ପଠାଏ ଏବଂ ଦୂତୀବାହାନଙ୍କ ମହିମାରୁ ପୁଅମାନେ ଭଲରେ ଥାଆନ୍ତି । ପଠା ହୋଇଥିବା ମାୟା ପୁତ୍ରମାନଙ୍କର ଶରୀର ନଡ଼ିଆ, ଆଖୁ, ଅଦା, ଚଣା ଇତ୍ୟାଦି ଖାଦ୍ୟ ପଦାର୍ଥ ପାଲଟନ୍ତି । ସରଳ ସାଧବ ସ୍ତ୍ରୀ ଏକଥା ଜାଣିପାରେ ନାହିଁ । ପୁଅମାନେ ଠିକ୍ ସମୟରେ ବାହୁଡ଼ନ୍ତି ଏବଂ ମାଉସୀ ପଠାଇଥିବା ଖାଦ୍ୟ ଖାଇ ଖୁସି ହୁଅନ୍ତି । ବାରମ୍ବାର ମାରିବା ପରେ ପୁଅମାନେ ନ ମରିବାରୁ ଶୀଳାବତୀ ଆତଙ୍କିତ ହେଲା । ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ଭର୍ତ୍ସନା କଲେ । ଶୀଳାବତୀକୁ ନେଇ ସାଧବାଣୀ ପାଖରେ କ୍ଷମା ମାଗିଲେ । କିନ୍ତୁ ଦୂତିବାହାନ ସାଧବାଣିକୁ ପୂର୍ବରୁ ସ୍ୱପ୍ନରେ ସବୁକଥା କହିଦେଇଥିଲେ । ସେ ଭଉଣୀ ଉପରେ ରାଗିଥିଲେ ମଧ୍ୟ ଦୂତୀବାହାନଙ୍କ ଓଷା କରିଥିବାରୁ ସବୁ ପ୍ରକାରେ ସାହାଯ୍ୟ କଲା । ସେମାନେ ଓଷା ପୂଜିବା ସମୟରେ ଦୂତୀବାହାନ ସାତବର୍ଷର ପିଲା ବେଶରେ ଧନୁରେ ଜୁଈର କାଠିଶର ଜୋଖି ଶୀଳାବତୀକୁ କାଣ୍ଡ ବିନ୍ଧିଲେ ଓ ତା’ର ମଡ଼ିଛି ଦୋଷ ଭଗ୍ନ ହୋଇ ସେ ପୁତ୍ରବତୀ ହେଲା ।

ସଂଗୃହିତ : ଅରବିନ୍ଦ ପଟ୍ଟନାୟକ, ବ୍ରତ ସାହିତ୍ୟ, ପୃଷ୍ଠା-୫୧-୫୩

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top