ସେଆର କରନ୍ତୁ

ନବରାତ୍ର

ନବରାତ୍ର ପୂଜାର ମହତ୍ତ୍ଵ ଓ ପୂଜାର ବିଧି ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ପୂଜାର ମହତ୍ତ୍ଵ

ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି ।

ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର (ପୌଷ, ମାଘ, ଚୈତ୍ର, ଆଷାଢ଼ ଓ ଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତ ଋତୁରେ ପାଳିତ ହେଉଥିବା (ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।

  • ପୌଷ ନବରାତ୍ର: ପୌଷ ଶୁକ୍ଳ ଅଷ୍ଟମୀ ତିଥିରୁ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନ'ହୋଇ ଅଷ୍ଟମୀରୁ ହୋଇଥାଏ ଓ ସାଧାରଣତଃ ୯ ଦିନ ପରିବର୍ତ୍ତେ ୮ ଦିନ ପାଳନ କରାଯାଇଥାଏ ।
  • ମାଘ ନବରାତ୍ର: ମାଘ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
  • ବସନ୍ତ ନବରାତ୍ର: ଚୈତ୍ର ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
  • ଗୁପ୍ତ ନବରାତ୍ର: ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
  • ଶରତ ନବରାତ୍ର: ଆଶ୍ଵିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ

ଦୁର୍ଗା ମା'

ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀକରି ନିଜ ଦୁର୍ଗର କାଳକୋଠରୀରେ ବନ୍ଦକରି ନିତ୍ୟ ନିର୍ଯ୍ୟାତନା ଦେବାରେ ଲାଗିଲା । ସବୁ ଦେବତା ଭୀତତ୍ରସ୍ତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ । ଦୟାରେ ବିଗଳିତ ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କଲେ । ଯେତେବେଳେ ଦୁର୍ଗ ମା’ଙ୍କୁ ଆକ୍ରମଣ କରିବାକୁ ଆସିଲା ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହିଦିନଠାରୁ ସେ ଦୁର୍ଗ ନାଶକାରି ଦୁର୍ଗା ଭାବେ ପୂଜିତ ହେଲେ । ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ । କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି ।

ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।

ନବଦୁର୍ଗା

ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ଵାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।

ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ଵରୂପରେ ନବରାତ୍ରର ଦ୍ଵିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।

ଚିତ୍ରଘଣ୍ଟା: ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ।

କୁଷ୍ମାଣ୍ଡା: ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।

ସ୍କନ୍ଦମାତା: ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ।

କାତ୍ୟାୟନୀ: ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା

କାଳରାତ୍ରୀ: ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ଵରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି ।

ମହାଗୌରୀ: ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।

ସିଦ୍ଧିଦାତ୍ରୀ: ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ଵରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। (କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହ ଭାବେ ଦର୍ଶାଯାଇଥିବା ବେଳେ ସେ ପଦ୍ମ ଉପରେ ଉପବେଶନ କରିଥାନ୍ତି।) ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ ।

ପୂଜାବିଧି

ନବରାତ୍ର ପୂଜା ନିମନ୍ତେ ପ୍ରଥମେ ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ । ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ଵସ୍ତିକ ଚିହ୍ନ ଅଙ୍କନ କରାଯାଏ । ନଅ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଉଣା ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଗୋଟି ମୂର୍ତ୍ତି, ଯଥା: କୁମାରୀ (କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣି), ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ (ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ।

ଆଧାର - "Banada Ashtami and Shakambari Navaratri"

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top