ସେଆର କରନ୍ତୁ

ହନୁମାନ

ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ହନୁମାନଙ୍କ ପୌରାଣିକ କଥା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ପୌରାଣିକ

ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା ।

ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।

ଜନ୍ମ ବୃତ୍ତାନ୍ତ

ପୌରାଣିକ ମତେ ସତ୍ୟଯୁଗରେ ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ଗର୍ଭରୁ ଅମୃତ ବାହାରିଥିଲା । ସେହି ସମୟରେ ଭଗବାନ ଶିବ ବିଷ୍ଣୁଙ୍କର ମାୟାମୋହିନୀ ରୂପରେ ବଶୀଭୂତ ହୋଇଥିଲେ । ଦିନେ ଶିବ ଓ ବିଷ୍ଣୁ ଏକ ସ୍ଵର୍ଗର ପୁଷ୍ପ ଉଦ୍ୟାନରେ ଭ୍ରମଣ କରୁଥିଲେ । ହଠାତ୍‌ ଶିବ ଶଙ୍କରଙ୍କ ସେହି ମାୟାମୋହିନୀ ରୂପକଥା ମନେ ପଡ଼ିଲା, ସେ ବିଷ୍ଣୁଙ୍କୁ କହିଲେ, ତୁମର ମନେଥିବ ସତ୍ୟଯୁଗରେ ତୁମେ ମାୟାମୋହିନୀ ରୂପରେ ଅମୃତ ବଣ୍ଟନ କରୁଥିଲ । ତୁମେ ପୁନର୍ବାର ସେହିରୂପ ଧାରଣ କର ଓ ମୋ ମନସ୍କାମନା ପୂରଣ କର । ସ୍ଵୟଂ ବିଷ୍ଣୁ କହୁଛନ୍ତି ନାରାୟଣ କହୁଛନ୍ତି- ଏହିକଥା । ହେଉ ତାହେଲେ ତୁମର ମନସ୍କାମନା ପୂରଣ ହେଉ କହି ମାୟାମୋହିନୀ ରୂପ ଧାରଣ କଲେ । ଭଗବାନ ଶିବଶଙ୍କର ମାୟାମୋହିନୀଙ୍କ ରୂପରେ ବିଭୋର ହୋଇ ରାସକ୍ରୀଡ଼ା ଆରମ୍ଭ କରିଦେଲେ । ଏହିପରି କିଛିସମୟ ବିତିଗଲା ପରେ ହଠାତ୍‌ ଶିବଶଙ୍କରଙ୍କ ଅଙ୍ଗରୁ ବ୍ରହ୍ମଜ୍ୟୋତି ଖସିଲା । ସେହି ଜ୍ୟୋତିକୁ ପବନ ଦେବତା ଉଡ଼ାଇ ନେଇ ମୁନିଶ୍ରେଷ୍ଠ ଯମଦଗ୍ନିଙ୍କ ହୋମକୁଣ୍ଡ ମଧ୍ୟରେ ଗୋପନରେ ରଖିଲେ । ସତ୍ୟଯୁଗ ପରେ ତ୍ରେତୟା ଯୁଗରେ ଦିନେ ଅଞ୍ଜନା ଭଗବାନ ଶିବଶଙ୍କରଙ୍କୁ ପୁତ୍ର ରୂପରେ ପାଇବା ପାଇଁ ମହାଦେବଙ୍କୁ ଘୋର ତପସ୍ୟା କଲେ । ଅଞ୍ଜନାଙ୍କ ତପତ୍ୟାରେ ପ୍ରସନ୍ନ ହୋଇ କହିଲେ, ଦେବୀ ମୋର ଅଂଶରୂପୀ ଏକ ବାଳକ ଜନ୍ମ ଗ୍ରହଣ କରିବ । ଏହା କହି ମହାଦେବ କୈଳାସ ପର୍ବତକୁ ପ୍ରତ୍ୟାବର୍ତ୍ତନ କଲେ । ଏହି ସମୟରେ ନାରଦ ମୁନି ଆସି କୈଳାସ ପର୍ବତରେ ପହଞ୍ଚି କହିଲେ, ସତ୍ୟଯୁଗ ସମୟରେ ଆପଣ ଭଗବାନ୍‌ ବିଷ୍ଣୁଙ୍କର ମାୟାମୋହିନୀ ରୂପରେ ବିଭୋର ହୋଇ ରାସକ୍ରୀଡ଼ା କରୁଥିବା ସମୟରେ ଆପଣଙ୍କ ଅଙ୍ଗରୁ ଏକ ଜ୍ୟୋତି ନିର୍ଗତ ହୋଇଥିଲା । ସେହି ଜ୍ୟୋତିକୁ ପବନ ଦେବତା ଉଡ଼ାଇ ନେଇ ଯଗଦମ୍ନିଙ୍କ ହୋମକୁଣ୍ଡରେ ଲୁଚାଇ ରଖିଛନ୍ତି । ସେହି ଜ୍ୟୋତିକୁ ଅଞ୍ଜନାଙ୍କ ଅଜାଣତରେ ତାଙ୍କ ଗର୍ଭରେ ଛାଡ଼ି ପାରିବ ତା’ହେଲେ ଆପଣଙ୍କ ଅଂଶରୂପୀ ଏକ ବାଳକ ଜନ୍ମନେବ । ଏହିକଥା ଶୁଣି ମହାଦେବ ପବନ ଦେବତାଙ୍କୁ ସ୍ମରଣ କରି ଆଦେଶ ଦେଲେ ଯଗଦମ୍ନିଙ୍କ ହୋମକୁଣ୍ଡରେ ଲୁଚାଇ ରଖିଥିବା ଜ୍ୟୋତିକୁ ଆଣି ଗୋପନରେ ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କରିବାକୁ । ଅଞ୍ଜନା ଶୟନ କରିଥିବା ସମୟରେ ପବନ ଦେବତା ସେହି ଦିବ୍ୟଜ୍ୟୋତିକୁ ତାଙ୍କ ଗର୍ଭରେ ସ୍ଥାପନ କଲେ । କିଛିଦିନ ପରେ, ଅଞ୍ଜନାଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା । ତାଙ୍କର ନାମକରଣ ହେଲା ହନୁମାନ । ଦିନେ ଅଞ୍ଜନା କାର୍ଯ୍ୟବ୍ୟସ୍ତ ଥିବା ସମୟରେ ହନୁମାନ ଆସି ଭୋକଲାଗିଲାଣି ବୋଲି କହିଲେ । ହନୁମାନ ଏହିକଥା ଦୁଇଥର କହିଲେ, ଯେତେବେଳେ ତୃତୀୟଥର ଏହିକଥା କହିଲେ ଅଞ୍ଜନା ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇଗଲେ । ସେହି ସମୟରେ ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହେଉଥିଲେ । ମା କ୍ରୋଧିତ ହୋଇ କହିଲେ, ପୂର୍ବଦିଗରେ ଯେଉଁ ଲାଲ୍‌ଫଳ ଦେଖାଯାଉଛି ତାକୁ ଖାଅ । ହନୁମାନ କାଳ ବିଳମ୍ବ ନକରି ସୂର୍ଯ୍ୟଙ୍କୁ ଗିଳିବାକୁ ଉଦ୍ୟତ ହୁଅନ୍ତେ ସୂର୍ଯ୍ୟ ତାଙ୍କର ତାପ ଓ କଳେବର ବୃଦ୍ଧି କଲେ । କିନ୍ତୁ ହନୁମାନ ଏହାକୁ ଭୃକ୍ଷେପ ନକରି ନିଜର କାୟା ବିସ୍ତାର କରି ସୂର୍ଯ୍ୟଙ୍କୁ ଗିଳିଦେଲେ । କିନ୍ତୁ ସୂର୍ଯ୍ୟ ହନୁମାନଙ୍କ ଗଳାରେ ରହିଗଲେ। ଇନ୍ଦ୍ର ଏସବୁ ଦେଖି ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇ ବଜ୍ର ପ୍ରହାର କଲେ । ସେହି ସମୟରେ ସୂର୍ଯ୍ୟ ହନୁମାନଙ୍କ ପାଟିରୁ ବାହାରି ଆସିଲେ ଓ ହନୁମାନ ଅଚେତ ହୋଇ ପଡ଼ିଗଲେ । ପବନ ଦେବତା ହନୁମାନଙ୍କୁ ନେଇ ଏକ ଗୁମ୍ଫାକୁ ଚାଲିଯିବା ସହିତ ତ୍ରିଭୂବନକୁ ପବନଶୂନ୍ୟ କରିଦେଲେ । ବାୟୁଶୂନ୍ୟ ହେବାମାତ୍ରେ ତିନିପୁରରେ ହାହାକାର ପଡ଼ିଗଲା । ସବୁ ଦେବାଦେବୀ ଆସି ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ସଙ୍ଗେ ସଙ୍ଗେ ବିଷ୍ଣୁ ପବନ ଦେବତାଙ୍କୁ ଡକାଇ, ତିନିପୁର ବାୟୁଶୂନ୍ୟ କାହିଁକି କରିଛ ବୋଲି ପଚାରିଲେ ? ପବନଦେବ କହିଲେ, ହେ ପ୍ରଭୁ ମୋପୁତ୍ର ହନୁମାନର ଜୀବନ ଏବେ ସଂକଟରେ । ଯଦି ମୋପୁତ୍ର ପ୍ରାଣତ୍ୟାଗ କରେ, ମୁଁ ତ୍ରିପୁର ପବନଶୂନ୍ୟ କରିଦେବି । ଭଗବାନ ବିଷ୍ଣୁ ହନୁମାନ ଦେହରେ ପ୍ରାଣ ସଂଚାର ସହିତ ସମସ୍ତ ଦେବତାଙ୍କୁ ବରପ୍ରଦାନ କରିବାକୁ କହିଲେ । ସମସ୍ତ ଦେବତା ହନୁମାନଙ୍କୁ ବର ପ୍ରଦାନକଲେ । ଇନ୍ଦ୍ର ବରଦାନ ଦେଲେ ତୁମଦେହ ବଜ୍ର ହୋଇଯାଉ ଏବଂ କୌଣସି ଅସ୍ତ୍ରଶସ୍ତ୍ର ତୁମଦେହକୁ ସ୍ପର୍ଶ ନକରୁ । ଆଜିଠାରୁ ତୁମନାମ ବଜରଙ୍ଗବାଲି ନାମରେ ଖ୍ୟାତ ହେବ ।

ହନୁମାନ ବାନର କୁଳରେ ଜନ୍ମଗ୍ରହଣ କରିଥିଲେ । ମାତା ଅଞ୍ଜନା ଏକ ଅପ୍‌ସରୀ, ଅଭିଶାପ ପାଇ ପୃଥିବୀପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ । ସେ ହନୁମାନଙ୍କୁ ଜନ୍ମଦେବା ପରେ ଦେହତ୍ୟାଗ କରି ଅଭିଶାପରୁ ମୁକ୍ତ ହୋଇଥିଲେ । ବାଲ୍ମୀକି ରାମାୟଣ ମତେ କେଶରୀ ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ପୁତ୍ର ଆଉ ଶ୍ରୀରାମ ଓ ରାବଣଙ୍କ ଯୁଦ୍ଧରେ ଶ୍ରୀରାମ ପକ୍ଷରେ ଯୁଦ୍ଧ କରିଥିଲେ । ଅଞ୍ଜନା ଓ କେଶରୀଙ୍କର ବହୁଦିନ ପର୍ଯ୍ୟନ୍ତ ସନ୍ତାନସନ୍ତତି ନହେବାରୁ ଦୁହେଁ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ୍‌ ଶିବଙ୍କୁ କଠୋର ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ବର ପ୍ରଦାନ କଲେ ଯେ, ତୁମ ପୁତ୍ର ମୋ ଅଂଶରେ ଜନ୍ମ ଗ୍ରହଣ କରିବ । ତେଣୁ ହନୁମାନଙ୍କୁ ଶିବଙ୍କର ଅନ୍ୟ ଏକ ଅବତାର ରୂପେ ଗ୍ରହଣ କରାଯାଏ।ହନୁମାନଙ୍କର ଜନ୍ମରେ ପବନଦେବଙ୍କ ଅନେକ ଭୂମିକା ଥିବାରୁ ହନୁମାନଙ୍କୁ ଅନେକ ସମୟରେ ବାୟୁଦେବତାଙ୍କ ପୁତ୍ର ବୋଲି କହାଯାଏ । ଏକନାଥଙ୍କ ଭାବାର୍ଥ ରାମାୟଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଯେତେ ବେଳେ ଅଞ୍ଜନା ଭଗବାନ ଶିବଙ୍କୁ ପୂଜା କରୁଥିଲେ, ଅଯୋଧ୍ୟାର ସେତେବେଳେ ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମ ଯଜ୍ଞ କରୁଥିଲେ । ଯଜ୍ଞ ସମ୍ପାଦନ ପରେ ପୁରୋହିତ ଚରୁଅନ୍ନ ରାଜାଙ୍କୁ ପ୍ରଦାନ କରି ତିନିରାଣୀଙ୍କୁ ସେବନ କରିବାକୁ କହିଲେ, ଫଳ ସ୍ଵରୂପ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହେଲେ । ଦୈବ ଇଙ୍ଗିତରେ ଏକ କାଉ ଚରୁଅନ୍ନରୁ କିଛି ଝାମ୍ପିନେଇଗଲା, ଉଡୁଥିବା ସମୟରେ ଅଞ୍ଜନା ଯେଉଁ ଜଙ୍ଗଲରେ ଶିବଙ୍କୁ ପ୍ରାର୍ଥନାରେ ନିମଗ୍ନଥିଲେ ସେଠାରେ ପକାଇ ଦେଲା । ପବନ ଦେବତା ସେହି ଚରୁଅନ୍ନକୁ ଅଞ୍ଜନାଙ୍କ ଆଞ୍ଜୁଳିରେ ପକାଇ ଦେଲେ, ତାକୁ ଅଞ୍ଜନା ଖାଇଦେଲେ । ଫଳରେ ହନୁମାନ ତାଙ୍କଠାରୁ ଜନ୍ମହେଲେ ।

  • ସପ୍ତମୁଖୀ ହନୁମାନ: ପୌରାଣୀକ ମତେ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ । ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା ।
  • ପଞ୍ଚମୁଖୀ ହନୁମାନ: ପୌରାଣୀକ ମତେ ପାତଳରେ ବାସ କରୁଥିବା ମହୀରାବଣକୁ ବଧ କଲାବେଳେ ପଞ୍ଚମୁଖ ଓ ଦଶହାତ ବିଶିଷ୍ଟ ରୁଦ୍ରାବତାର ରୂପ ଧାରଣ କରିଥିଲେ । ଲକ୍ଷ୍ମଣ ଇନ୍ଦ୍ରଜିତକୁ ମାରିବା ପରେ ମହିରାବଣ, ରାମ ଲକ୍ଷ୍ମଣଙ୍କୁ ଚୋରାଇ ନେଇ ପାତାଳରେ ରଖିଥିଲା । ପରେ ହନୁମାନ ପାତାଳକୁ ଯାଇ ପାଞ୍ଚ ଦିଗରେ ଜଳୁଥିବା ପାଞ୍ଚଟି ଦୀପକୁ ଲିଭାଇବା ପାଇଁ ପଞ୍ଚମୁଖୀ ରୂପ ଧାରଣ କରିଥିଲେ । ଉତ୍ତରରେ ବରାହ, ଦକ୍ଷିଣରେ ନରସିଂହ, ପଶ୍ଚିମରେ ଗରୁଡ଼, ପୂର୍ବରେ ବାନର ଓ ଆକାଶ ଆଡ଼କୁ ହୟଗ୍ରୀବ ମୁଖ ଧାରଣ କରି ସମସ୍ତ ଦୀପକୁ ଏକାସମୟରେ ଲିଭାଇବା ଫଳରେ ମହିରାବଣର ମୃତ୍ୟୁ ହେଇଥିଲା । ମହିରାବଣର ମୃତ୍ୟୁପରେ ସେ ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ ।

ଆଧାର -

"hanumagiri.com"

3.03846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top