অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚୁକ୍ତି ବା ଚୁକ୍ତିପତ୍ର

ଚୁକ୍ତି ଅଥବା ଚୁକ୍ତିପତ୍ର ସମ୍ପାଦନ

ଯଦି ଦୁଇ ପକ୍ଷ ମିଶି ଆଇନ୍ ସିଦ୍ଧ ମୌଖିକ ଚୁକ୍ତି ଅଥବା ଚୁକ୍ତିପତ୍ର ସମ୍ପାଦନ କରନ୍ତି, ତେବେ ପକ୍ଷମାନେ ସେଥିରେ ଥିବା ସର୍ତ୍ତଗୁଡିକୁ ଆଇନ୍ ମାନିଲା ଭଳି ମାଣିବାକୁ ପଡ଼ିବ।

ଚୁକ୍ତିର ସର୍ତ୍ତ ଗୁଡିକୁ କୌଣସି ପକ୍ଷ ଖିଲାପ କଲେ ଖିଲାପକାରୀଙ୍କ ଠାରୁ ପ୍ରତିପକ୍ଷ ସିଭିଲ୍ କେଶ୍ କରି ଡାମେଜ୍ (କ୍ଷତିପୂରଣ ) ଦାବିକରିପାରିବେ । ଏ ଦୃଷ୍ଟିରୁ ଚୁକ୍ତି ବା ଚୁକ୍ତିପତ୍ର ସମ୍ପାଦନ କରିବା ପୂର୍ବରୁ ଉଭୟ ପକ୍ଷ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଉଚିତ୍, ନଚେତ୍ ଆଇନ୍ ଜାଲ୍ ରେ ଛନ୍ଦି ହୋଇ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ ଅଟେ ।

ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟ ୧୮୭୨

ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟ ୧୮୭୨(Indian Contract Act, 1872) ହେଉଛି ଚୁକ୍ତି ସମ୍ବନ୍ଧୀୟ ଏକ ବିଶେଷ ଆଇନ୍ । ଏହାଛଡା ଆମ ଦେଶରେ ଚୁକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ଆଇନ୍ ମାନ ମଧ୍ୟ ଅଛି । ମାତ୍ର ଆମେ ଏଠାରେ Indian Contract Act ର କେତେକ ବିଶିଷ୍ଟ ଅଂଶ ଆଲୋଚନା କରୁଅଛୁ, କାରଣ ସେଗୁଡିକ ଆମ୍ଭର ଦୈନନ୍ଦିନ ଜୀବନରେ ଘଟିଥାଏ। “ଯେଉଁ ଏକରାରନାମା (ଏଗ୍ରିମେଣ୍ଟ୍) ଗୁଡିକ ଆଇନ୍ ଦ୍ଵାରା ସାବ୍ୟସ୍ତ କରି ହୁଏ, ତାହାକୁ କଣ୍ଟ୍ରାକ୍ଟ କୁହାଯାଏ । ଏଣୁ ଏଥିରୁ ସ୍ପଷ୍ଟ ଯେ, ସବୁ ଏକରାର ନାମା ଗୁଡିକ କଣ୍ଟ୍ରାକ୍ଟ ନୁହେଁ ।

ଉଦାହରଣ :

  1. ରାମ, ପରୀକ୍ଷାରେ ପାସ୍ କରିବାକୁ ଶ୍ୟାମକୁ ସିନେମା ଦେଖାଇବାକୁ କହିଲେ ଶ୍ୟାମ ତାହା ଗ୍ରହଣ କରି ରାଜି ହେଲେ । ମାତ୍ର ନିର୍ଦ୍ଧାରିତ ମତେ ଶ୍ୟାମ ସିନେମା ହଲ୍ ପାଖରେ ଉପସ୍ଥିତ ହେଲେ ମଧ୍ୟ ରାମ ସେଠାକୁ ଆସିଲେ ନାହିଁ । ଏ କ୍ଷେତ୍ରରେ ଶ୍ୟାମ ରାମଙ୍କ ବିରୁଦ୍ଧରେ ଚୁକ୍ତି ଭଙ୍ଗ କରିଥିବା ଦାବି କରି କୋର୍ଟରେ ଡାମେଜ୍ ସୁଟ୍ କରିପାରିବେ ନାହିଁ, କାରଣ ରାମ, ଶ୍ୟାମ ମଧ୍ୟରେ ଚୁକ୍ତି ସାଧାରଣ ଭାବେ ଏକ ବନ୍ଧୁତ୍ଵ ଚୁକ୍ତି । ଏ ଚୁକ୍ତି ଭଗ୍ନ ହେଲେ କୋର୍ଟରେ କେଶ୍ କରାଯିବ ଏହା କୌଣସି ପକ୍ଷ ଚିନ୍ତା କରିନଥିବେ । ଏଣୁ ଏଥିରୁ ସ୍ପଷ୍ଟ ହୁଏ ଯେ ଯେଉଁ ଚୁକ୍ତିକୁ ଭଙ୍ଗ କଲେ ସେଥିପାଇଁ କୋର୍ଟରେ କ୍ଷତିପୂରଣ ଆଇନ୍ ଗତ ଭାବରେ ମଗାଯାଇ ପାରିବ । ସେଭଳି ଚୁକ୍ତି ଗୁଡିକ contract ଅଟେ ।
  2. ଯଦୁଙ୍କର ଏକ ପୁତ୍ର ଜନ୍ମ ହେବାରୁ ସେ ତାଙ୍କ ବନ୍ଧୁ ମଧୁକୁ ହୋଟେଲ୍ ରେ ଖାଇବାକୁ ଦେବାକୁ କହିଲେ ଓ ମଧୁ ତାହା ଗ୍ରହଣ କଲେ । ମାତ୍ର ପରେ ଯଦି ଯଦୁ ମଧୁକୁ ଖାଇବାକୁ ଦେଲେ ନାହିଁ । ଏଥିପାଇଁ ମଧୁ, ଯଦୁଙ୍କ ନାମରେ ଡାମେଜ୍ ସୁଟ୍ କରିପାରିବେ ନାହିଁ । (ଉଦାହରଣ ୧ର ନିୟମ ଏଥିରେ ପ୍ରଯୁଜ୍ୟ) । ଗୋଟିଏ ଆଇନ୍ ସିଦ୍ଧ ଚୁକ୍ତି ସମ୍ପାଦନ ପାଇଁ ନିମ୍ନଲିଖିତ ବିଷୟମାନ ରହିବା ଆବଶ୍ୟକ ।
    • ପ୍ରଥମେ ଏକ ଏଗ୍ରିମେଣ୍ଟ୍ ଥିବା ଦରକାର ।
    • ଉଭୟ ପକ୍ଷ ବୟସ ଅନୁଯାୟୀ ଉପଯୁକ୍ତ ଥିବା ଦରକାର ଅର୍ଥାତ୍ କେହି ନାବାଳକ ହୋଇନଥିବେ ।
    • Contract ରେ ଏକ ଆଇନ୍ ସିଦ୍ଧ Consideration(ମୂଲ୍ୟ) ଉଭୟ ପକ୍ଷଙ୍କ ପାଇଁ ଥିବା ଦରକାର ।
    • ଉଭୟ ପକ୍ଷ ଫ୍ରି ମତାମତ ଦେଇଥିବେ ।
    • କଣ୍ଟ୍ରାକ୍ଟର ଉଦ୍ଦେଶ୍ୟ ଆଇନ୍ ସିଦ୍ଧ ହେବା ନିହାତି ଆବଶ୍ୟକ (Lawful object )
    • ଯଦି ଆଇନ୍ ଅନୁଯାୟୀ ଆବଶ୍ୟକତା ଥାଏ, ତାହେଲେ କଣ୍ଟ୍ରାକ୍ଟଟି ଲିଖିତ ହେବା ଦରକାର ।
    • ଏଗ୍ରିମେଣ୍ଟ୍ void (ପ୍ରଳମ୍ବ ଅସୁଧ) ହେଉନଥିବା ଦରକାର ।
    • ଏଗ୍ରିମେଣ୍ଟ୍ ଟି ଅସମ୍ଭବ impossible ହେଉନଥିବା ଦରକାର ।

ନିମ୍ନଲିଖିତ କ୍ଷେତ୍ରମାନଙ୍କରେ ଏଗ୍ରିମେଣ୍ଟ୍ void ହୋଇଥାଏ ।

  • କଣ୍ଟ୍ରାକ୍ଟ ପାଇଁ ଯାହା ମୁଖ୍ୟ ସେ ସମ୍ପର୍କରେ ଉଭୟ ପକ୍ଷଙ୍କ ଭୁଲ୍ ଧାରଣା ଥିଲେ (ଧାରା ୨୦, କଣ୍ଟ୍ରାକ୍ଟ ଆକ୍ଟ ) ।
  • ବିବାହ ନ କରିବା ପାଇଁ ଏକ ଚୁକ୍ତି କରିଥିଲେ । (ଧାରା ୨୬, କଣ୍ଟ୍ରାକ୍ଟ ଆକ୍ଟ )
  • କୌଣସି ବ୍ୟବସାୟ ନ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ । (ଧାରା ୨୭) ।
  • କୋର୍ଟରେ ଆଦୌ କେଶ୍ କରିପାରିବ ନାହିଁ ବୋଲି ଚୁକ୍ତି କରିଥିଲେ (ଧାରା ୨୮)।
  • ଯେଉଁ ଏଗ୍ରିମେଣ୍ଟ୍ ଅର୍ଥ ଅନିର୍ଦ୍ଧିଷ୍ଟ uncertain ରହୁଥିବ । (ଧାରା ୨୯)।
  • Wager Agreement (ଧାରା ୩୦) ।
  • ଅସମ୍ଭବ କାର୍ଯ୍ୟ କରିବା ପାଇଁ ଏଗ୍ରିମେଣ୍ଟ୍ (ଧାରା ୫୬) ।

ଆଇନ୍ ସିଦ୍ଧ ମୂଲ୍ୟ ଓ ଆଇନ୍ ସିଦ୍ଧ ଉଦ୍ଦେଶ୍ୟ

  1. ଆଇନ୍ ଦ୍ଵାରା ନିଷିଦ୍ଧ ହୋଇନଥିବ ।
  2. ଚୁକ୍ତିଟି ପାଳନ କଲେ କୌଣସି ଆଇନ୍ ଭଙ୍ଗ ହେଉନଥିବ ।
  3. ଚୁକ୍ତିରେ ଚଞ୍ଚକତା (fraud) ନଥିବ ।
  4. ଚୁକ୍ତି ପାଳନ କଲେ ଅନ୍ୟ କୌଣସି ବ୍ୟକ୍ତିଙ୍କର ଶାରିରୀକ ବା ଆର୍ଥିକ କ୍ଷତି ହେଉନଥିବ ।
  5. ଚୁକ୍ତିର ସର୍ତ୍ତଗୁଡିକ କୋର୍ଟ ଅନୈତିକ କହିବେ ନାହିଁ ।
  6. ଚୁକ୍ତି ସର୍ବସାଧାରଣ ନୀତିକୁ ବିରୋଧ କରୁନଥିବ । (opposed to public policy)

ଚୁକ୍ତି ପାଇଁ ଦୁଇଟି ଉପଯୁକ୍ତ ପକ୍ଷ ନିହାତି ଦରକାର

ନିମ୍ନଲିଖିତ କ୍ଷେତ୍ରରେ ଦୁଇଟି ଉପଯୁକ୍ତ ପକ୍ଷ ନଥାଇ ମଧ୍ୟ ଚୁକ୍ତି ସମ୍ପାଦିତ ହୋଇଥାଏ । ଏହା ମନେ ରଖିବା ଉଚିତ୍ । ଉଦାହରଣ :

  1. (ଧାରା -୬୮) କୌଣସି ନାବାଳକ ବା ପାଗଳକୁ ତାଙ୍କର ବଞ୍ଚିବା ପାଇଁ ଆବଶ୍ୟକ ପଦାର୍ଥ ଯୋଗାଇ ଦେଇଥିଲେ, ଯୋଗାଇଥିବା ବ୍ୟକ୍ତି ସେମାନଙ୍କ ସମ୍ପତ୍ତିରୁ ଦେଇଥିବା ପଦାର୍ଥର ମୂଲ୍ୟ ଆଦାୟ କରିପାରିବେ । ମାତ୍ର ନାବାଳକ ବା ପାଗଳ ବ୍ୟକ୍ତିଗତଭାବେ ଦାୟୀ ରହିବେ ନାହିଁ ।
  2. (ଧାରା – ୬୯) ‘ଖ’ ଆଇନ୍ ଗତ ଭାବରେ କିଛି ଟଙ୍କା ଜଣଙ୍କୁ ବା କୌଣସି ସଂସ୍ଥାକୁ ଦେବାକୁ ଦାୟୀ । ‘କ’ ଏହି ଟଙ୍କା ‘ଖ’ କୁ ମୁଫତରେ ନ ଦେଇ ‘ଖ’ ଙ୍କ ତରଫରୁ ଦେଲେ । ‘କ’ ଏହା ‘ଖ’ ଠାରୁ ଦାବି କରିପାରିବେ ।
  3. (ଧାରା -୭୦) ‘କ’, ‘ଖ’ ଙ୍କୁ ମୁଫତରେ ନ ଦେଇ, ‘ଖ’ ଙ୍କ ଆବଶ୍ୟକ ଅନୁଯାୟୀ କିଛି ଜିନିଷ ଯୋଗାଇ ଦେଇଥିଲେ । ‘ଖ’ ମଧ୍ୟ ଏହା ବ୍ୟବହାର କଲେ । ‘ଖ’ , ‘କ’ ଙ୍କୁ ଏଥି ପାଇଁ ମୂଲ୍ୟ ଦେଲେ ।
  4. (ଧାରା -୭୧) ଅନ୍ୟଜଣକ ସମ୍ପତ୍ତିକୁ ପାଇ ତାହା ନିଜର custody ରେ ରଖିଲେ Bailee ର ଦାୟିତ୍ଵ ବହନ କରିବାକୁ ପଡେ । Bailee ଜଣକ ସମ୍ପତ୍ତି ମାଲିକଙ୍କ ଠାରୁ କ୍ଷତିପୂରଣ ରଖି ସମ୍ପତ୍ତି ଫେରାଇ ଦେବେ ।
  5. (ଧାରା – ୭୨) ଅନ୍ୟ ଜଣଙ୍କର ଟଙ୍କା ବା ଜିନିଷ ଯଦି ଭୁଲବଶତଃ ଗ୍ରହଣ କରିଛି କିମ୍ବା ଡରାଇ ଧମକାଇ ନେଇଛି ତେବେ ତାହା ଫେରାଇବାକୁ ବାଧ୍ୟ ।
  6. ଉପରୋକ୍ତ ୬୮ ଧାରାରୁ ୭୨ ଧାରା ଯାଏ ବର୍ଣ୍ଣିତ ଚୁକ୍ତି ଗୁଡିକୁ Quasi Contract କୁହାଯାଏ । (ତଦୃପ ଚୁକ୍ତି)

ଧାରା ୨୫, ୬୩ ଓ ୧୮୫ କଣ୍ଟ୍ରାକ୍ଟ ଆକ୍ଟ

ଏଗ୍ରିମେଣ୍ଟ୍ ରେ କନ୍ସିଡରେସନ୍ ଥାଇ ତାହା ସ୍ଥଳ ବିଶେଷରେ ଚୁକ୍ତି ବା କଣ୍ଟ୍ରାକ୍ଟ ହୋଇପାରିବ। ଏଭଳି ଉଦାହରଣମାନ ଧାରା ୨୫, ୬୩ ଓ ୧୮୫ କଣ୍ଟ୍ରାକ୍ଟ ଆକ୍ଟରେ ଅଛି ।

  1. ଧାରା -୨୫ (୧) – ଜଣେ ବ୍ୟକ୍ତି ନିକଟ ସମ୍ପର୍କହେତୁ ପ୍ରାକୃତିକ ସ୍ନେହ ଓ ପ୍ରେମ ଦୃଷ୍ଟିର ଜଣକୁ କିଛି ଦେବେ ବୋଲି କହି ଏଥିପାଇଁ ଯଦି ଗୋଟିଏ ରେଜିଷ୍ଟ୍ରି ଲେଖା ସମ୍ପାଦନ କରିଦିଅନ୍ତି । ତେବେ ଏହା ଚୁକ୍ତି ବୋଲି ଧରାଯିବ । ଯଥା ବାପା ଝିଅକୁ କିଛି ଦେବେ ବୋଲି କହିଲେ ।
  2. ଧାରା ୨୫ (୨) – ‘ଖ’ ଆଇନ୍ ଗତ ଭାବେ ଯାହା କରିବା କଥା ‘କ’ ତାହାକୁ ସ୍ଵତଃପ୍ରବୃତ ଭାବେ (Voluntarily) ‘ଖ’ ତରଫର କରି ନେଇଛନ୍ତି । ପରେ ‘ଖ’ ପ୍ରମିଜ୍ କଲେ ଯେ ସେ ‘କ’ କୁ ଏଥିପାଇଁ compensate କରିବେ । ଏପରି କଲେ ଏହା ଏକ ଆଇନ୍ ସିଦ୍ଧ ଚୁକ୍ତି ହୋଇଗଲା ।
  3. ଧାରା ୨୫ (୩) – Time barred (ତମାଦି ଦୋଷେବାରିତ) ଋଣକୁ ଶୁଝି ନେବା ପାଇଁ ରାଜି ହୋଇ ଏକ ଲିଖିତ ଏକରାର ନାମା କରିଦେଲେ ତାହା ଏକ ଆଇନ୍ ସିଦ୍ଧ ଚୁକ୍ତି ହୋଇଯାଏ ।
  4. ଧାରା -୬୩ – ଯଦି କୌଣସି promise, promisor ଙ୍କୁ କିଛି ରିହାତି ଦେବାକୁ ଚାହାଁନ୍ତି, ତେବେ ତାହା ଏକ ଆଇନ୍ ସିଦ୍ଧ ଚୁକ୍ତି । ଉଦାହରଣ : ‘କ’ , ‘ଖ’ କୁ ୫୦୦୦ ଟଙ୍କା ଋଣ ସୁଝିବା କଥା । ମାତ୍ର ‘କ’ ୪୦୦୦ ଟଙ୍କା ପରିଶୋଧ କରି ଆଉ ଦେଇପାରିବେ ନାହିଁ ବୋଲି କହିଲେ । ‘ଖ’ ଏହି ସର୍ତ୍ତ ଗ୍ରହଣ କରି ୪୦୦୦ ଟଙ୍କା ନେଲେ । ତେବେ ‘ଖ’ ଯେଉଁ ୧୦୦୦ ଟଙ୍କା ଛାଡ଼ି ଦେଲେ ତାହା ଆଇନ୍ ସିଦ୍ଧ ଭାବେ ଛାଡ଼ି ଦେଲେ ।
  5. ଧାରା ୧୮୫ – Agent ହେବା ପାଇଁ Consideration ର ଆବଶ୍ୟକତା ନାହିଁ ।

ପ୍ରଶ୍ନ – ଜଣେ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରସ୍ତାବ ବହୁ ଦୂର ଆଗେଇ ଗଲା ପରେ ବାହାଘରଟି ଭାଙ୍ଗି ଦେଲେ । ଏଥିପାଇଁ କଣ କରାଯାଇପାରିବ ?

ଉତ୍ତର – ଜଣଙ୍କୁ ଆଇନ୍ ଗତ ଭାବେ ବାଧ୍ୟ କରାଯାଇପାରିବ ନାହିଁ ଯେ ସେ ଅମୁକଙ୍କୁ ବିବାହ କରନ୍ତୁ, କାରଣ ସେ ସେଥିପାଇଁ ରାଜିଥିଲେ । ମାତ୍ର ବିବାହ କରିବାକୁ ରାଜିଥାଇ ପ୍ରସ୍ତାବ ବହୁତ ବାଟ ଆଗେଇ ଯାଇ ଭାଙ୍ଗିଗଲେ ପ୍ରସ୍ତାବ ଭାଙ୍ଗି ଦେଇଥିବା ବ୍ୟକ୍ତିଙ୍କ ଠାରୁ ଡାମେଜ୍ ଦାବି କରିହେବ ।

ପ୍ରଶ୍ନ – ଜଣେ ନାବାଳକ ଜଣେ ସାବାଳକ ସହ ଜମିବାଡି କିଣାବିକାରେ ଚୁକ୍ତି କଲେ, ଚୁକ୍ତିଟି ସାବାଳକଙ୍କ ଦ୍ଵାରା ଭଙ୍ଗ ହେଲା । ନାବାଳକ ଜଣକ କଣ କରିପାରିବେ ?

ଉତ୍ତର – ନାବାଳକ ସହିତ ଚୁକ୍ତି ସିଦ୍ଧଚୁକ୍ତି ନୁହେଁ । ମାତ୍ର ଯେଉଁ ଚୁକ୍ତିରେ ନାବାଳକଙ୍କର ଲାଭ ହୋଇଥିବ ସେଭଳି ଚୁକ୍ତି ଅସିଦ୍ଧ ହେବ ନାହିଁ । ନାବାଳକ ଜଣକ ମୋକଦ୍ଦମା କରି କ୍ଷତିପୂରଣ ଆଦାୟ କରିପାରିବେ, ମାତ୍ର ଏଠାରେ ମନେ ରଖିବାକୁ ହେବ ଯେ, ଆମ ଦେଶର ଆଇନ୍ ଅନୁଯାୟୀ ନାବାଳକ ଜଣଙ୍କ କୌଣସି ଚୁକ୍ତି ଦ୍ଵାରା liable ବା ଦାୟୀ ରହିବେ ନାହିଁ। ଯେଉଁ ଚୁକ୍ତିରେ ନାବାଳକଙ୍କର ଲାଭ ହେଉଥିବ ସେଭଳି ଚୁକ୍ତି ଅସିଦ୍ଧ ହେବ ନାହିଁ ।

ଆଧାର – ଓଡ଼ିଶା ଲ ରିଭିଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate