অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳାମାନେ କେତେକ ଆଇନ୍ ବିଷୟରେ ଜାଣିବା ଉଚିତ୍

ଉପକ୍ରମ

ଆମ ଦେଶର ମହିଳା ମାନଙ୍କର ସାମାଜିକ ସ୍ଥିତିକୁ ନେଇ ସେମାନଙ୍କ ହିତ ପାଇଁ କେତେକ ଆଇନ୍ ଗତ ସୁବିଧା ଦିଆଯାଇଛି । ସେ ସମସ୍ତ ଆଇନ୍ ର ବ୍ୟାଖ୍ୟା ଏଠାରେ ପୁସ୍ତକଟିର  କଳେବର ବୃଦ୍ଧି ଦୃଷ୍ଟିରୁ ଆଲୋଚନା କରାଯାଇ ନାହିଁ ମାତ୍ର ଯେଉଁ କେତେକ ଅତ୍ୟାବଶ୍ୟକ ଆଇନ୍ ସେମାନଙ୍କ ଦୈନନ୍ଦିନ ଜୀବନରେ ଘଟିବାର ସମ୍ଭାବନା ଅଛି ତାହା ନିମ୍ନରେ ବର୍ଣ୍ଣିତ ହେଲା

  • ମହିଲାମାନଙ୍କର ଥିବା କେତେକ ସ୍ଵତନ୍ତ୍ର ଅଧିକାର ବିଷୟରେ  କ୍ରିମିନାଲ ଆଇନ୍ ର ୫ମ ପରିଛେଦର (ଖ) ଓ (ଗ) ବିଭାଗରେ ତଥା ଅନ୍ୟ ବିଭାଗ ମାନଙ୍କରେ ବର୍ଣ୍ଣନା କରାଯାଇଛି । ସେ ଗୁଡିକ ଜାଣିବା ସଙ୍ଗେ ସଙ୍ଗେ ନିମ୍ନଲିଖିତ ବିଷୟମାନ ଜାଣିବା ଆବଶ୍ୟକ ।
  • ସିଭିଲ ମୋକଦ୍ଦମାରେ ଅନ୍ୟଜଣଙ୍କର ସମନକୁ ପରିବାର ପ୍ରାପ୍ତ  ବୟସ୍କ ମହିଳାଙ୍କ ଉପରେ ଜାରୀ କରାଯାଇ ପାରିବ । ସେ ଏହା ନେବାକୁ ମନା କରିପାରିବେ   ନାହିଁ  ।
  • ମନିଡ଼ିଗ୍ରିରେ ମହିଳାଙ୍କ ଠାରୁ ଟଙ୍କା ଅନାଦାୟ ହେଲେ ସେଥିପାଇଁ  ତାଙ୍କୁ ସିଭିଲ୍ ପ୍ରିଜନରେ ବନ୍ଦୀ କରି ରଖାଯାଇ ପାରିବ ନାହିଁ। (ଧାରା ୫୬ ସିଭିଲ୍ ପ୍ରୋସିଡ଼ିଓର କୋର୍ଡ)
  • ମହିଳା ଜଣେ କରିଥିବା ଋଣକୁ ଯଦି ତାଙ୍କ ସ୍ଵାମୀ ଆଇନ୍ ଗତ ଭାବେ ଶୁଝିବାକୁ ଦାୟୀ  ଥାଆନ୍ତି  ତେବେ ମହିଳାଙ୍କ ବିରୁଦ୍ଧରେ  ହୋଇଥିବା ଋଣଜନିତ ଡ଼ିଗ୍ରିକୁ କୋର୍ଟଙ୍କ ଅନୁମତି ନେଇ ମହିଳା ଜଣଙ୍କର ସ୍ଵାମୀଙ୍କ ଠାରୁ ଆଦାୟ କରାଯାଇ ପାରିବ ।(ଆଦେଶ ୨୦, ଧାରା ୭(୨) ସିଭିଲ୍ ପ୍ରୋସିଡ଼ିଓର କୋର୍ଡ଼)।
  • ଯଦି ମହିଳା ଜଣଙ୍କ ପ୍ରଥା ଅନୁଯାୟୀ ସର୍ବସାଧାରଣ ଜାଗାକୁ ଯାଉ ନଥାଆନ୍ତି ତେବେ ତାଙ୍କୁ ସିଭିଲ କେଶ୍ ରେ କୋର୍ଟରେ ହାଜର ହୋଇ ସାକ୍ଷୀ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ । (ଧାରା ୧୩୨ ସିଭିଲ୍ ପ୍ରୋସିଡ଼ିଓର କୋର୍ଡ଼) ଏଭଳି କ୍ଷେତ୍ରରେ ମହିଳା ଜଣକୁ ତାଙ୍କ ଘରକୁ କମିଶନ୍ ପଠାଇ ସାକ୍ଷୀ ନିଆଯିବ ।
  • କୌଣସି ଅଚଳନ୍ତି ସମ୍ପତ୍ତିକୁ ଜଣେ ମହିଳା ଭରଣ-ପୋଷଣ ପାଇବାର ହକ୍ ଦାର  ଥିଲେ କିମ୍ବା ସେଥିରୁ ତାଙ୍କ ବିବାହ ଉଦ୍ଦେଶ୍ୟରେ ଖର୍ଚ୍ଚ  ହେବାର ଥିଲେ, ସେଭଳି ସମ୍ପତ୍ତିକୁ ଉପରୋକ୍ତ ପ୍ରତିବନ୍ଧକ ଗୁଡିକ ଜାଣିଶୁଣି କେହି ଖର୍ଦ୍ଦି କରିଥିଲେ ଅଥବା  ଦାନ ସୂତ୍ରରେ ଗ୍ରହଣ କରିଥିଲେ ମଧ୍ୟ ସେହି ଜମିରୁ ପ୍ରାପ୍ତ  ଲାଭକୁ (usufruct) ଉପରୋକ୍ତ  ମହିଳାଙ୍କୁ ଦେବାକୁ ଆଇନତଃ ବାଧ୍ୟ ହେବେ । (ଧାରା ୩୯ T.P.Act)

ଭରଣ ପୋଷଣ

ଜଣେ ମହିଳାଙ୍କର ନିଜର ଭରଣ ପୋଷଣ କରିବାରେ କ୍ଷମତା ନଥିଲେ ସେ –

  • ସ୍ତ୍ରୀ ହିସାବରେ ସ୍ଵାମୀଙ୍କ ଠାରୁ
  • ମାଆ ହିସାବରେ ପୁତ୍ର –କନ୍ୟାଙ୍କ ଠାରୁ
  • ଅବିବାହିତ ଝିଅ ହିସାବରେ, ପିତା-ମାତାଙ୍କ ଠାରୁ
  • ମସ୍ତିସ୍କ ବିକୃତ ଥିଲେ, ଉପରୋକ୍ତ ଲୋକମାନଙ୍କ ଠାରୁ
  • ବିଧବା ହୋଇ ତାଙ୍କ ସ୍ଵାମୀଙ୍କର ସମ୍ପତ୍ତିକୁ ଚଳିବାର ଅର୍ଥ  ନପାଇଲେ, ପିତା ମାତା ଚଳାଇ ନପାରିଲେ, ପୁଅ ଝିଅମାନେ ଚଳାଇ ନପାରିଲେ, ସେ କ୍ଷେତ୍ରରେ ନିଜର ଶ୍ଵଶୁରଙ୍କଠାରୁ ।
  • ଜଣେ ମୃତାଫା କିଛି ସମ୍ପତ୍ତି ଛାଡି ଯାଇଥିଲେ ଓ ସେ ସମ୍ପତ୍ତିରେ ମହିଳାଙ୍କର ଅଧିକାର ଥିଲେ, ସେ ସମ୍ପତ୍ତିକୁ ମହିଳାଙ୍କୁ ନଦେଇ ଯେଉଁମାନେ ଉପଭୋଗ କରୁଥିବେ, ସେମାନେ ସମ୍ପତ୍ତିର  ପ୍ରାପ୍ତ ପରିମାଣ ଭରଣ ପୋଷଣ ପାଇଁ ମହିଳା ଜଣକୁ  ଦେଉଥିବେ (ଏଭଳି କ୍ଷେତ୍ରରେ ଭଉଣୀ, ଛୋଟ ଭାଇ, ବିଧବା ଭାଉଜ ଆଦି ଅନ୍ତର୍ଭୁକ୍ତ)

ବୈବାହିକ  ଜୀବନରେ  ଗଣ୍ଡଗୋଳ

ବୈବାହିକ  ଜୀବନରେ  ଗଣ୍ଡଗୋଳ ହେଉଥିଲେ ସମାଧାନ ହୋଇଯିବାର ସମ୍ଭାବନା ଥିଲେ ସେ କ୍ଷେତ୍ରରେ ହଠାତ୍ ଥାନା ବା କୋର୍ଟ କଚେରୀକୁ ଚାଲିଯାଇ ନାଲିସ୍ ନକରି ସମାଧାନ ନିମିତ୍ତ –

ଆଇନ୍ ସହାୟତା  ଶିବିରକୁ ସମାଧାନ ପାଇଁ ଲେଖିବା ଉଚିତ୍ ଧାରା ୧୦୭ Cr.P.C. ଅନୁଯାୟୀ ସ୍ଵାମୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ତାଙ୍କ  ଠାରୁ ବଣ୍ଡ କରାଇ ନେବା ଉଚିତ୍ । ମହିଳା କମିଶନ୍ ଙ୍କୁ ଦରଖାସ୍ତ କରି ପାରନ୍ତି ।

ଆପଣ ଯଦି କୌଣସି ମାଲିମକଦ୍ଦମା କରିବାକୁ ଚାହାନ୍ତି ସେଥିପାଇଁ ସମସ୍ତ ମୋକଦ୍ଦମା ଖର୍ଚ୍ଚ ଓ ଓକିଲ ଖର୍ଚ୍ଚ  ସ୍ଥାନୀୟ ଆଇନ୍ ସହାୟତା ଶିବିରକୁ ପାଇ ପାରିବେ । ସେହିପରି ଆପଣଙ୍କୁ କେହି କେଶରେ ପକ୍ଷଭୁକ୍ତ କଲେ ମଧ୍ୟ ଆପଣ  ଖର୍ଚ୍ଚାନ୍ତ ଉପରୋକ୍ତ ସଂସ୍ଥାରୁ  ପାଇଁ ପାରିବେ । ଏହି ସୁଯୋଗ ପାଇବା ପାଇଁ ଆପଣଙ୍କର ପଦବୀ ବା ରୋଜଗାର  ପ୍ରତିବନ୍ଧକ ହେବ ନାହିଁ । ଏହି ଆଇନ୍ ସହାୟତା ଶିବିର ଗୁଡିକ, ସବ୍ଡିଭିଜନ୍, ଜିଲ୍ଲା  ଓ ହାଇକୋର୍ଟରେ ଅଛି ।

ସନ୍ତାନ

ବର୍ତ୍ତମାନ  ଅବିବାହିତ ମହିଳାମାନେ ବା ବିଧବା ମହିଳାମାନେ ତାଙ୍କର ସନ୍ତାନ ସନ୍ତତି ନଥିଲେ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ । କୌଣସି  ମହିଳାଙ୍କର  ସ୍ଵାମୀ ଥିଲେ ମହିଳା ଜଣକ ପୋଷ୍ୟ ସନ୍ତାନ ଗ୍ରହଣ କିମ୍ବା  ଦାନ କରି ପାରିବେ ନାହିଁ । ସ୍ଵାମୀ ପାଗଳ, ଧର୍ମତ୍ୟାଗୀ ଅଥବା ସଂସାର  ତ୍ୟାଗୀ ହୋଇଥିଲେ ହିଁ କେବଳ କରିପାରିବେ ।

କୌଣସି  ମହିଳାଙ୍କର ସ୍ଵାମୀ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିଲେ କିମ୍ବା ସନ୍ତାନକୁ ପୋଷ୍ୟ ସନ୍ତାନ ରୂପେ ପ୍ରଦାନ କରୁଥିଲେ ମହିଳାଙ୍କର ମତାମତ ନ ନେଇ (free consent) କରାଯାଇ ପାଇବ ନାହିଁ । ମହିଳା ଜଣକ ପାଗଳ, ଧର୍ମ  ତ୍ୟାଗୀ, କିମ୍ବା ସଂସାର ତ୍ୟାଗୀ ହୋଇଥିଲେ ତାଙ୍କ ମତାମତକୁ ଉପେକ୍ଷା କରାଯାଇପାରିବ କିମ୍ବା ମତ ନେବାର ଆବଶ୍ୟକ ନାହିଁ ।

ମହିଳାମାନେ ନିଜର ରାଜ୍ୟ ସନ୍ତାନ ସନ୍ତତି ମାନଙ୍କର ଅଭିଭାବକ  ହୋଇପାରିବେ । କୌଣସି ପ୍ରାପ୍ତ ବୟସ୍କ ବାଳିକାକୁ ତାଙ୍କ ପିତା, ମାତା ବା ଅଭିଭାବକ ମାନେ ତାର ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ ବାହା କରାଇ ଦେଇପାରିବେ ନାହିଁ ।

ମହିଳାମାନେ ସ୍ଵାମୀଙ୍କଠାରୁ ସ୍ଵାମୀଙ୍କ ଜୀବିତାବସ୍ଥାରେ, କନ୍ୟାମାନେ  ପିତାମାତାଙ୍କଠାରୁ ସେମାନଙ୍କର ଜୀବିତାବସ୍ଥାରେ ସମ୍ପତ୍ତିରୁ ଭାଗ ଦାବି କରିପାରିବେ ନାହିଁ ।

ବିବାହ

କୌଣସି ମହିଳା ତାଙ୍କ ସ୍ଵାମୀଙ୍କ ଜୀବିତ ଥିବା ଅବସ୍ଥାରେ ଦ୍ଵିତୀୟ ବିବାହ କରିପାରିବେ ନାହିଁ । ଆଜିକାଲି ଦେଖା ଯାଉଛି ଯେ, ଅନେକ କିଶୋରୀ ମହିଳାଙ୍କୁ ବିବାହର ପ୍ରଲୋଭନ  ଦେଖାଇ, ଫୁସୁଲା ଫୁସୁଲି କରି କୌଣସି ମନ୍ଦିରରେ ଅଥବା କୌଣସି ସଂସ୍ଥାରେ ସେମାନଙ୍କର ରେକର୍ଡରେ ରେକର୍ଡ ଭୁକ୍ତ କରାଇ (ଏହାକୁ ରେଜେଷ୍ଟ୍ରି ହୋଇଗଲା  ବୋଲି କହି) କେତେକ ବ୍ୟକ୍ତି ବିବାହ କରୁଛନ୍ତି । ପରେ ମୂହୁର୍ତ୍ତରେ ଉକ୍ତ ବିବାହ  ଆଇନ୍ ଗତ ବିବାହ ନ ହୋଇଥିବାରୁ କୋର୍ଟରେ କାଟ୍ ଖାଇ ଯାଉଛି । ଏଣୁ  ଯେଉଁମାନେ ପ୍ରକୃତରେ ରେଜେଷ୍ଟ୍ରି ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ଚୋରା ଲୁଚାରେ ଉପରୋକ୍ତ ମତେ  ବିବାହ ନ କରି ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ, ୧୯୫୪ ର  ଅଧିକାରୀଙ୍କ, (ମ୍ୟାରେଜ ଅଫିସର) ନିକଟରେ ଯଥାରୀତି ରେଜେଷ୍ଟ୍ରି କରାଇ  ନେବା ଉଚିତ୍ । ଏହି ଆଇନ୍ ଦ୍ଵାରା ଯେ କୌଣସି ଜାତି ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର  ଭାରତୀୟ ପ୍ରାପ୍ତ ବୟସ୍କ ବାଳକ ଓ ବାଳିକା ମାନେ ଆଇନ୍ ସିଦ୍ଧ ରେଜେଷ୍ଟ୍ରି ମ୍ୟାରେଜ କରିପାରିବେ ।

ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିଲେ କିମ୍ବା ଯୌତୁକ ନଦେଇପାରିବାରୁ  ବାହାଘର ଭାଙ୍ଗିଗଲେ  ସେଥିପାଇଁ ମହିଳା ମାନେ ଥାନାରେ ଏତଲା ଦେଇ ଅଥବା କୋର୍ଟରେ ସିଧା ସଳଖ କେଶ୍ କରି ପାରିବେ ।

ନାବାଳକ  ବିବାହ ନିଷେଧ ଆଇନ୍ ( ଚାଇଲ୍ଡ୍ ମ୍ୟାରେଜ ରେଷ୍ଟ୍ରେଣ୍ଟ ଆକ୍ଟ) ଅନୁସାରେ ଜଣେ ଝିଅକୁ ୧୮ ବର୍ଷ ଓ ପୁଅକୁ ୨୧ ବର୍ଷରୁ କମ୍ ହେଲେ ବିବାହ ଉଦ୍ଦେଶ୍ୟରେ ସେମାନଙ୍କୁ  ନାବାଳକ ରୂପେ ଧରାଯିବ । ଉପରୋକ୍ତ ବୟସରୁ କମ୍ ଥାଇ ସେମାନେ ନିଜେ ନିଜେ ବିବାହ କଲେ ଅଥବା ସେମାନଙ୍କୁ କେହି ବିବାହ କରାଇଦେଲେ ଉପରୋକ୍ତ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

ସତୀ

କୌଣସି ବିଧବା ମହିଳା ବା ମହିଳାଙ୍କୁ ଜୀବନ୍ତ  ଅଗ୍ନିରେ ଦଗ୍ଧ ହୋଇ ଅଥବା ପୋତି  ହୋଇ ସତୀ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ  ଅଥବା ମହିଳା ଜଣକ ସ୍ୱଇଚ୍ଛାରେ ସତୀ ହେଉଛନ୍ତି ବୋଲି କହି ତାଙ୍କୁ ଏଥି ନିମିତ୍ତ ସାହାଯ୍ୟ ସହଯୋଗ କରାଯାଇ ପାରିବ ନାହିଁ । ଏହା କଲେ ଏଥିପାଇଁ କଠୋର ଦଣ୍ଡର ବ୍ୟବସ୍ଥା ଅଛି।

ମହିଳାକୁ ବେଶ୍ୟାବୃତ୍ତିରେ ଲଗାଇଲେ

କୌଣସି ମହିଳା ନିଜେ ବେଶ୍ୟାବୃତ୍ତି କଲେ ଅଥବା ମହିଳାକୁ ବେଶ୍ୟାବୃତ୍ତିରେ ଲଗାଇଲେ ଏଥିପାଇଁ ମୁଦାଲା ଜଣକ Immoral Traffic (Prevention) Act 1956 ଅନୁଯାୟୀ ଦଣ୍ଡିତ ହେବେ ।

କୌଣସି  ମହିଳାଙ୍କ ନଗ୍ନ ଫଟୋ ବା ଅସୌଜନ୍ୟ ରୂପରେ ଖବରକାଗଜ  ପାମ୍ପଲେଟ, ଚିଠି, ପତ୍ର-ପତ୍ରିକା ଆଦିରେ ପ୍ରକାଶ କଲେ ସେଥିପାଇଁ ପ୍ରକାଶକ Indecent Representation of Women (Prohibition) Act, 1986 ରେ ଦଣ୍ଡିତ ହେବେ ।

ମହିଳାଙ୍କୁ କେହି ଅଶ୍ଳିଳ ଇଙ୍ଗିତ ଆଦି ଦେଖାଇଲେ କିମ୍ବା ଅଶ୍ଳିଳ ଭାବେ ଗାଳିଗୁଲଜ  କଲେ ସେ IPC ର ୫୦୯ ଧାରାରେ ଦଣ୍ଡିତ ହେବେ ।

ଗର୍ଭପାତ

ମହିଳାମାନେ ନିଜର ଅବୈଧ ଭୃଣକୁ ଗର୍ଭପାତ କରାଇବାକୁ ଚାହିଁଲେ ଏହା ଲୁଚାଛପାରେ ନକରି ଏଥିପାଇଁ ଆଇନ୍ ଗତ ଭାବେ Medical Termination of Pregnancy Act, 1971 ଅନୁସାରେ କରିପାରିବେ । ଲୁଚାଛପାରେ ଗର୍ଭପାତ କରାଇଲେ ଦଣ୍ଡିତ ହେବେ ।

ଗର୍ଭସ୍ଥ ସନ୍ତାନ ପୁତ୍ର କିମ୍ବା କନ୍ୟା ହେବ ଏହା ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କଲେ  ଦଣ୍ଡିତ ହେବେ ।  ଏଥିପାଇଁ Pre-conception and Pre-natal and Diagnostic Techniques (Prohibition of Sex Selection) Act, 1994 ଅଛି ।

ଘରୋଇ ହିଂସା ଆଇନ୍

ଆମ ଦେଶରେ ଘରୋଇ ହିଂସା ଆଇନ୍, ୨୦୦୫ (Protection of women from Domestic Violence Act, 2005) ତା. ୨୨.୧୦.୨୦୦୬ରୁ କାର୍ଯ୍ୟକାରୀ ହେଉଅଛି ।

ଆଇନ୍ ଅନୁସାରେ ନିର୍ଯ୍ୟାତନା ଓ ନିର୍ଯ୍ୟାତନା ପାଇଁ  ଧମକ ଯାହାକି ଶାରୀରିକ, ଯୌନ ନିର୍ଯ୍ୟାତନା, ମାନସିକ କିମ୍ବା ଆର୍ଥିକ  ନିର୍ଯ୍ୟାତନା ଆଦି ବିଷୟକୁ ଏହାର ପରିସରଭୁକ୍ତକରାଯାଇଅଛି । ଏହି ଆଇନ୍ ଅନୁଯାୟୀ ଘରେ ମହିଳାଙ୍କୁ ନିର୍ଯ୍ୟାତନା ଦେଲେ  ସଂପୃକ୍ତ ମହିଳା Court ବା  Protection Officer ଙ୍କ ପାଖକୁ  ଯାଇ ପାରିବେ।

କୋର୍ଟ ମହିଳାଙ୍କୁ ସୁରକ୍ଷା  ଦେବା ପାଇଁ ଅବହେଳାକାରୀ ବ୍ୟକ୍ତିଙ୍କୁ ଉଚିତ୍ ଆଦେଶ ପ୍ରଦାନ କରିବେ ।  ଅବହେଳାକାରୀ ବ୍ୟକ୍ତି କୋର୍ଟଙ୍କର ଏହି ଆଦେଶକୁ ଅବମାନନା କଲେ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଟ. ୨୦,୦୦୦/-(କୋଡିଏ ହଜାର ଟଙ୍କା) ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରାଯିବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ମହିଳାମାନେ ଏହି ଆଇନ୍ ର ସୁବିଧା ନେଇପାରିବେ ।

ମହିଳା କମିଶନ ଆଇନ୍

ମହିଳାଙ୍କ ଲଜ୍ଜାଶୀଳତା ଭଙ୍ଗ (outraging her modesty) ଉଦ୍ଦେଶ୍ୟରେ ତାଙ୍କୁ ସ୍ପର୍ଶ, ଆକ୍ରମଣ କିମ୍ବା ତାଙ୍କ  ପ୍ରତି ଆପରାଧିକ  ବଳ (criminal force) ପ୍ରୟୋଗ କଲେ IPCର ଧାରା ୩୪୫ ଅନୁସାରେ ଦଣ୍ଡ ମିଳିବ ।

ମହିଳାମାନଙ୍କ କଥା ବୁଝିବା ପାଇଁ ଜାତୀୟ ମହିଳା କମିଶନ ଆଇନ୍, ୧୯୯୦ ଦ୍ଵାରା ଆମ ଦେଶକରେ ଜାତୀୟ ମହିଳା କମିଶନ ଓ ରାଜ୍ୟରେ ରାଜ୍ୟ ମହିଳା କମିଶନ କାର୍ଯ୍ୟ କରୁଅଛି । କୌଣସି  ମହିଳା ପ୍ରପୀଡ଼ିତ ହେଲେ  ଏହି କମିଶନ ମାନଙ୍କର ସାହାଯ୍ୟ ନେଇ ପାରିବେ । ଏଠାକୁ ଅଭିଯୋଗ ପତ୍ର ଡାକ ଜାରିଆରେ ପଠାଯାଇ ପାରିବ ।

କାର୍ଯ୍ୟକାରୀ ମହିଳାମାନେ ନିର୍ଯ୍ୟାତନାରୁ  ରକ୍ଷା ପାଇବା

ଏଥିପାଇଁ ଆମ ଦେଶରେ  ପ୍ରଣୀତ ଆଇନ୍ ନାହିଁ । ମାନ୍ୟବର ସୁପ୍ରିମ କୋର୍ଟ ବିଶାଖା-ବନାମ-ରାଜସ୍ଥାନ ଷ୍ଟେଟ୍ AIR 1997 SC 3011 କେଶ୍ ରେ କେତେକ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶମାନ ଦେଇ ତାଗିଦ୍ କରିଦେଇଛନ୍ତି ଯେ, ସରକାରୀ ଆଇନ୍ ପ୍ରଣୟନ ନହେଲା ପର୍ଯ୍ୟନ୍ତ କୋର୍ଟ ଦେଇଥିବା ନିର୍ଦ୍ଦେଶମାନ କାର୍ଯ୍ୟକାରୀ ହେବ । କେହି ଏହି ନିର୍ଦ୍ଦେଶାବଳୀକୁ ଭଙ୍ଗ କଲେ ଦଣ୍ଡିତ ହେବେ । ଉକ୍ତ ନିର୍ଦ୍ଦେଶ ଗୁଡିକ ହେଲା :

  • କୌଣସି କର୍ମଚାରୀ ମହିଳାଙ୍କୁ ଅଯଥା ସ୍ପର୍ଶ କରିପାରିବେ ନାହିଁ  କିମ୍ବା ଯୌନ କ୍ରିୟା ପାଇଁ ଅନୁରୋଧ/ନିବେଦନ କରିପାରିବେ ନାହିଁ । ମହିଳାଙ୍କୁ କୌଣସି ଅଶ୍ଳିକ ମନ୍ତବ୍ୟ ଦେଇ ପାରିବେ ନାହିଁ କିମ୍ବା କୌଣସି ଅସଭ୍ୟ ଆଚରଣ କରିପାରିବେ ନାହିଁ । ଅଶ୍ଲିଳ ଇଙ୍ଗିତ ଦେବେ ନାହିଁ
  • ଉପରୋକ୍ତ  ନିର୍ଦ୍ଦେଶାବଳୀ ସରକାରୀ କାର୍ଯ୍ୟାଳୟ, ସରକାରୀ ସାହାଯ୍ୟ ପ୍ରାପ୍ତ  କାର୍ଯ୍ୟାଳୟ ଓ Public Sector କାର୍ଯ୍ୟାଳୟ ମାନଙ୍କର  କର୍ମଚାରୀମାନଙ୍କୁ ଅବଗତ କରାଯିବ ।
  • ଉପରୋକ୍ତ ନିୟମକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ଚାକିରୀରୁ ବହିଷ୍କାର କରାଯିବ ।

The Maternity Benefit Act, 1961 – ଏହି ଆଇନ୍ ଦ୍ଵାରା ଅଫିସ୍ ରେ କାର୍ଯ୍ୟରତ ଥିବା ମହିଳାମାନେ ଗର୍ଭବତୀ ହେଲେ ତାଙ୍କୁ ପୁରା ଦରମାରେ ଛୁଟି ମିଳେ । ବିଭିନ୍ନ ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ ସମୟସୀମା ସ୍ଥିର କରିଛନ୍ତି । ଓଡିଶା ସରକାର ଏଥିପାଇଁ ୯୦ ଦିନ ପୁରା ଦରମାରେ ଛୁଟି ବ୍ୟବସ୍ଥା କରିଛନ୍ତି ।

Appeal Export Promotion Council v.A.K.Chopra (AIR 1999 SC 625) କେଶ୍ ରେ ମାନ୍ୟବର ସୁପ୍ରିମ କୋର୍ଟ  A.K.Chopra ନାମକ ଅଫିସର ତାଙ୍କର ଜନୈକ ଅଧସ୍ତନ କର୍ମଚାରୀଙ୍କୁ  ଯୌନ ନିର୍ଯ୍ୟାତନା  ଦେଇଥିବାରୁ ତାଙ୍କୁ ଚାକିରୀରୁ ବହିଷ୍କୃତ ନିଷ୍ପତ୍ତିକୁ ଠିକ୍ ବୋଲି ରାୟ ଦେଇଛନ୍ତି ।

ନିମ୍ନଲିଖିତ କେତେକ ବିଷୟ ଜାଣିବା ଉଚିତ୍

  1. ବିବାହ (Marriage)
    • ଯେ କୌଣସି ଜାତି ଓ ଧର୍ମର ଜଣେ ଭାରତୀୟ ପୁରୁଷ, ଯେ କୌଣସି ଜାତି ବା ଧର୍ମର ଜଣେ ଭାରତୀୟ ମହିଳାଙ୍କୁ ସ୍ପେଶାଲ ମ୍ୟାରେଜ ଆକ୍ଟ, ୧୯୫୪ ଅନୁସାରେ ବିବାହ କରି ପାରିବେ । ଏହା  କଲାବେଳେ ଉଭୟଙ୍କ ବୟସ ସୀମା ଓ ଉଭୟଙ୍କର ରକ୍ତଗତ ଓ ପାରିବାରିକ ସମ୍ପର୍କ ଆଦିରେ ଥିବା ନିଷେଧ ଗୁଡିକ ଧ୍ୟାନ ରଖି କରିବାକୁ ହେବ ।
    • ଦୁଇଜଣ ହିନ୍ଦୁ, ହିନ୍ଦୁ ମ୍ୟାରେଜ୍ ଆଇନ୍, ୧୯୫୫ ଅନୁସାରେ ବୟସଗତ ଅସୁବିଧା ଓ ଅନ୍ୟାନ୍ୟ ନିଷେଧ ଆଦି ନଥିଲେ ପରଷ୍ପରକୁ  ବିବାହ କରି ପାରିବେ,ମାତ୍ର ଏହି ହିନ୍ଦୁ ମ୍ୟାରେଜ୍ ଆଇନ୍ ଆଦିବାସୀ (S.T.) ମାନଙ୍କ ପାଇଁ ପ୍ରଜୁଯ୍ୟ ହେବ ନାହିଁ । କେନ୍ଦ୍ର ସରକାର ଏହି ଆଇନ୍ ଆଦିବାସୀ ମାନଙ୍କୁ ଲାଗୁହେବା ପାଇଁ ଅଫିସିଆଲ୍ ଗେଜେଟ୍ରେ  ନୋଟିଫିକେସନ୍ କଲେ ଆଦିବାସୀ ମାନଙ୍କୁ ପ୍ରଜୁଯ୍ୟ ହେବ ।
    • ମୁସଲମାନମାନେ ତାଙ୍କର ବ୍ୟକ୍ତିଗତ ଆଇନ୍ ରେ ଅଥବା ପ୍ରଥା ଅନୁଯାୟୀ ବିବାହ କରନ୍ତି ।
    • ଭାରତୀୟ ଖ୍ରୀଷ୍ଟିଆନ ମାନେ ଖ୍ରୀଷ୍ଟିଆନ୍ ମ୍ୟାରେଜ ଆଇନ୍ ଅନୁସାରେ ବିବାହ କରନ୍ତି ।
    • ପାର୍ସିମାନେ ପାର୍ସି  ବିବାହ ଆଇନ୍ ଅନୁସାରେ ବିବାହ କରନ୍ତି । ଭାରତୀୟ ମାନେ ଉପରୋକ୍ତ ଯେ କୌଣସି ଆଇନ୍ ଅନୁସାରେ ବିବାହ କରନ୍ତୁ ନା କାହିଁକି, ଚାଇଲ୍ଡ୍ ମ୍ୟାରେଜ ରେଷ୍ଟ୍ରେଣ୍ଟ ଆଇନ୍ ରେ ଥିବା ବୟସ ସୀମାକୁ ମାନିବାକୁ ହେବ । ଅର୍ଥାତ୍ ପୁଅର ବୟସ ୨୧ରୁ କମ୍ ଓ ଝିଅର ବୟସ ୧୮ ବର୍ଷରୁ କମ୍ ହୋଇନଥିବ । ଏହା ଭଙ୍ଗ ହେଲେ ଦଣ୍ଡ ମିଳିବ ।
    • ମୁସଲମାନ  ପୁରୁଷମାନେ ଚାରୋଟି  ସ୍ତ୍ରୀ ଏକ ସଙ୍ଗେ ରଖିପାରିବେ । ମୁସଲମାନ ମହିଳା କିମ୍ବା ଅନ୍ୟ ଯେକୌଣସି ଧର୍ମର ପୁରୁଷ ବା ସ୍ତ୍ରୀ ଦ୍ଵିତୀୟ ବିବାହ (Bigamy) କଲେ ଇଣ୍ଡିଆନ୍ ପେନାଲ୍ କୋର୍ଡ ଧାରା ୪୯୪ ଅନୁସାରେ ଦଣ୍ଡିତ ହେବେ ।
    • ଅନେକ ସମୟରେ ପୁଅ ଝିଅମାନେ ନିଜର ବିବାହ ସମ୍ପାଦନ ପାଇଁ ଆଫିଡାଭିଟ୍ ଅଥବା ମନ୍ଦିରମାନଙ୍କରେ ଥିବା ରେକର୍ଡରେ ରେଜିଷ୍ଟ୍ରି କରାଇ ନେଇ ବିବାହ ରେଜିଷ୍ଟ୍ରି  ହୋଇଗଲା ବୋଲି ଭାବିଥାଆନ୍ତି । ଏହା କିନ୍ତୁ ଆଇନ୍ ତଃ ଭୁଲ୍ ଅଟେ । ପ୍ରକୃତରେ ରେଜିଷ୍ଟ୍ରି  କରିବାକୁ ଚାହୁଁଥିଲେ ସ୍ପେଶାଲ୍ ମ୍ୟାରେଜ୍ ଆଇନ୍ ଅନୁଯାୟୀ ମ୍ୟାରେଜ୍ ଅଫିସର୍ ଙ୍କ ନିକଟରେ ବିବାହକୁ ରେଜିଷ୍ଟ୍ରି କରାନ୍ତୁ। ଏହା ଆଇନ୍ ସିଦ୍ଧ ଅଟେ ।
    • ଆମ ଦେଶର ଆଇନ୍ ଅନୁଯାୟୀ ପ୍ରାପ୍ତ ବୟସ୍କ ପୁଅ ଝିଅମାନେ ପରସ୍ପରର ରାଜିରେ ବିବାହ କରିପାରିବେ । ମାତ୍ର ଜାତି, ଧର୍ମ, ଷ୍ଟାଟସ୍ ଆଦିକୁ ନେଇ  ଏଭଳି ବିବାହକୁ ପରିବାରର ଲୋକମାନେ ପ୍ରତିବାଦ କରିଥାଆନ୍ତି । ଏଥିରେ  ଅତିଷ୍ଠ ହୋଇ ବେଳେ ବେଳେ ଅନ୍ୟ ଉପାୟ ନ ପାଇ ପୁଅ, ଝିଅ ସ୍ଵଇଚ୍ଛାରେ  ମିଳିତ ହୋଇ ଘର ଛାଡି ପଳାଇଥାଆନ୍ତି । ଏଭଳି କ୍ଷେତ୍ରରେ କନ୍ୟା ପିତାମାନେ ତାଙ୍କର କନ୍ୟାକୁ ପୁତ୍ର ଜଣକ କିଡ୍ନାପ୍ କରିନେଲା ବୋଲି କହି ଥାନାରେ ମୋକଦ୍ଦମା କରିଥାଆନ୍ତି । ପୁଲିସ୍ ଏଭଳି ଯୁବକ ଯୁବତୀଙ୍କୁ ବହୁ ହଇରାଣ ହରକତ କରିଥାଆନ୍ତି ଓ ସାଧାରଣତଃ ପୁଅ ଜଣଙ୍କୁ ଜେଲ୍ ଯିବାକୁ ପଡିଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ପୁଅ ଝିଅମାନେ ମିଳିତ ହୋଇ ବିବାହ ଉଦ୍ଦେଶ୍ୟରେ ପ୍ରକୃତରେ  ସ୍ଵଇଚ୍ଛାରେ ଯାଉଥିଲେ ଏହି ମର୍ମରେ ଏକ  ଆଫଡ଼ାଭିଟ୍ କରାଇ ନେବା ଉଚିତ୍ । ଏପରି ଆଫିଡ଼ାଭିଟ୍ ବଳରେ ପୋଲିସ୍ ଠାରୁ ରକ୍ଷା ମିଳିବ ।
  2. ଡାଇଭର୍ସ (Divoce)
  3. ହିନ୍ଦୁ  ଆଇନ୍ ଅନୁସାରେ ହୋଇଥିବା ବିବାହ କୋର୍ଟଙ୍କ ଡିଗ୍ରି ଦ୍ଵାରା ଅଥବା ପକ୍ଷମାନଙ୍କ ସମାଜରେ ପ୍ରଚଳିତ ଅନୁମୋଦିତ ପ୍ରଥା ଦ୍ଵାରା ଭଙ୍ଗ ହୋଇଥାଏ । ଅନ୍ୟ କୌଣସି ଉପାୟରେ ବିବାହ ଭଙ୍ଗ ହୋଇପାରିବ ନାହିଁ । ଅନ୍ୟ  ଆଇନ୍ ରେ ହୋଇଥିବା ବିବାହ  ଗୁଡିକର ସେହି ଆଇନ୍ ରେ ଥିବା ଧାରା (ବ୍ୟବସ୍ଥା) ଅନୁଯାୟୀ ଡାଇଭର୍ସ ହୋଇଥାଏ । ଅନ୍ୟ ଉପାୟରେ ଡାଇଭର୍ସ  ହୁଏ ନାହିଁ । ମୁସଲମାନ ସ୍ତ୍ରୀମାନେ ଡାଇଭର୍ସ ଚାହିଁଲେ ସ୍ଵାମୀଙ୍କଠାରୁ ସେମାନେ ଡାଇଭର୍ସ କେଶ୍ (The Dissolution of Muslim Marriage Act 1939) ଦ୍ଵାରା କରିପାରିବେ ।

    • ସ୍ଵାମୀ ସ୍ତ୍ରୀ ଦୀର୍ଘ  ଦିନ ଧରି ଅଲଗା ଅଲଗା  ରହିଗଲେ କିମ୍ବା  ଆଫିଡାଭିଟ୍ ଦ୍ଵାରା ଡାଇଭର୍ସ କରିନେଲେ କିମ୍ବା ଡାଇଭର୍ସ ଦଲିଲ୍ କରିନେଲେ କିମ୍ବା କେହି ଧର୍ମ ତ୍ୟାଗୀ ହୋଇଗଲେ, କିମ୍ବା ପାଗଳ ହୋଇଗଲେ କିମ୍ବା ରୋଗାକ୍ରାନ୍ତ ହୋଇଗଲେ  ବିବାହ ଆପେ ଆପେ ଭଙ୍ଗ ହୋଇଯାଏ ନାହିଁ  ବା ଡାଇଭର୍ସ ହୋଇଯାଏ ନାହିଁ । ବିବାହକୁ ଡାଇଭର୍ସ ଦ୍ଵାରା ଭଙ୍ଗ କରିବା ପାଇଁ ଉପରେ ବର୍ଣ୍ଣିତ ନିୟମ ଅନୁଯାୟୀ କରିବାକୁ ହେବ ।
  4. ବେନାମୀ ଖର୍ଦ୍ଦି ସମ୍ପର୍କରେ
  5. ପୂର୍ବେ ଲୋକମାନେ ଜମିଜମା ବେନାମି (ଅନ୍ୟ ଜଣଙ୍କ ନାମରେ ) ଖର୍ଦ୍ଦି କରୁଥିଲେ । ଏପରି ଖର୍ଦ୍ଦି ବେନାମି ନିଷିଦ୍ଦ ଆଇନ୍ ୧୯୮୮ଦ୍ଵାରା ଅସିଦ୍ଧ ଘୋଷଣା କରାଯାଉଛି । ଏଣୁ ସମ୍ପତ୍ତି ବେନାମି ଖର୍ଦ୍ଦି କରନ୍ତୁ ନାହିଁ । ମାତ୍ର ହିନ୍ଦୁ ସଂଯୁକ୍ତ ପରିବାରରେ ଜଣେ ସଦସ୍ୟଙ୍କ ନାମରେ ଜମି  ଖର୍ଦ୍ଦି କଲେ ତାହା ବେନାମି ଖର୍ଦ୍ଦି ନୁହେଁ ।

  6. ଜମି ବିକ୍ର ଖର୍ଦ୍ଦି
  7. ଜମି ବିକ୍ରି ଖର୍ଦ୍ଦି ରେଜିଷ୍ଟ୍ରି କବଲା ଦ୍ଵାରା ହୋଇଥାଏ । ଅନ୍ୟ ଉପାୟରେ ହୋଇପାରିବ ନାହିଁ । ଜମି ହସ୍ତାନ୍ତର ଆଇନ୍ (Transfer of Property Act, 1882) ଅନୁଯାୟୀ ଟ ୧୦୦ ରୁ କମ୍ ସମ୍ପତ୍ତିକୁ  ବିନା ରେଜିଷ୍ଟ୍ରିରେ ବିକ୍ରି କରିହେବ । ମାତ୍ର OLR Act ଅନୁଯାୟୀ ଯେ କୌଣସି ମୂଲ୍ୟର ଜମିକୁ ଖର୍ଦ୍ଦି ରେଜେଷ୍ଟ୍ରି କରାଇବାକୁ ହେବ । ଏଣୁ ଜମି ବିକ୍ରି ଖର୍ଦ୍ଦି ରେଜିଷ୍ଟ୍ରି କବଲା ଦ୍ଵାରା କରାନ୍ତୁ ।

  8. ଦାନ (Gift)
  9. ଜଣେ ସାବାଳକ ବ୍ୟକ୍ତି ତାଙ୍କର ସ୍ଥାବର (immovable) ସମ୍ପତ୍ତିକୁ ରେଜିଷ୍ଟ୍ରି କବଲା ଦ୍ଵାରା ଅନ୍ୟ ଜଣକୁ ଦାନ କରିପାରିବେ । ଏହି ଦାନ ପାଇଁ ଦାତା ଗ୍ରହୀତାଙ୍କ ଠାରୁ  କୌଣସି ମୂଲ୍ୟ ଗ୍ରହଣ କରନ୍ତି ନାହିଁ । ଦାତାଙ୍କ ଜୀବିତ ଅବସ୍ଥାରେ ଗ୍ରହିତା ଦାନ ଗ୍ରହଣ କରିବେ, ନଚେତ୍ ଦାନ କାର୍ଯ୍ୟକାରୀ ହୋଇପାରିବେ ନାହିଁ । ଗ୍ରହିତା ଜଣକ ଦାନ ଗ୍ରହଣ କରିବା ପୂର୍ବରୁ ମରିଗଲେ ଦାନ ଅସିଦ୍ଧ ହୋଇଯାଏ । ଅସ୍ଥାବର (Movable) ସମ୍ପତ୍ତିକୁ ରେଜେଷ୍ଟ୍ରି କବଲା ଦ୍ଵାରା ଅଥବା ଜିନିଷଟି ଗ୍ରହିତାଙ୍କୁ ଦେଇ କରି (By delivery) ଦାନ ସମ୍ପାଦିତ ହୁଏ  ।

  10. ଉଇଲ୍ ବା ଇଚ୍ଛାପତ୍ର (Will)
  11. ଜଣେ ବ୍ୟକ୍ତି ତାଙ୍କର  ସ୍ଵଉପାର୍ଜିତ ସମ୍ପତ୍ତି ବା ପୈତୃକ ସମ୍ପତ୍ତିକୁ ପ୍ରାପ୍ତ ଅଂଶକୁ ଉଇଲ୍ ବା ଇଚ୍ଛାପତ୍ର ଦ୍ଵାରା ଅନ୍ୟକୁ ଦେଇପାରନ୍ତି । ଏଭଳି  ଉଇଲ୍ ଲିଖିତ ହେବା ଦରକାର ମାତ୍ର ରେଜେଷ୍ଟ୍ରି କରିବା ପାଇଁ ବାଧ୍ୟ ବାଧ୍ୟକତା ନୁହେଁ ।

    • ଉଇଲ୍  ଡକ୍ୟୁମେଣ୍ଟ୍ ରେ ଅତି କମ୍ ରେ ଦୁଇ ଜଣ ସାକ୍ଷୀ ରହିବା ଦରକାର ।
    • ଜଣେ ଲୋକ କୌଣସି ସମ୍ପତ୍ତିକୁ ନେଇ ଏକାଧିକ ଉଇଲ୍ କଲେ ଶେଷ ଉଇଲ୍ଟି କାର୍ଯ୍ୟକାରୀ ହେବ ।
    • ଉଇଲ୍ ଟି ଉଇଲ୍ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ପରେ କାର୍ଯ୍ୟକାରୀ ହୁଏ । ଉଇଲ୍ କୁ ଉଇଲ୍ କାରୀ  ବ୍ୟକ୍ତିଙ୍କ ମୃତ୍ୟୁ ଅନ୍ତେ କୋର୍ଟରେ ପ୍ରୋବେଟ୍ କରାଇନେବା ଉଚିତ୍ ।
    • ଯୁଦ୍ଧରେ ଥିବା  ସମୟରେ ସୈନିକ, ବ୍ୟୋମଜାନ ଚାଳନାରତ କର୍ମି ଓ ଜାହାଜରେ କାମ କରୁଥିବା ବ୍ୟକ୍ତିମାନେ ଉପରୋକ୍ତ ମତେ ଉଇଲ୍ ସମ୍ପାଦନ କରିପାରନ୍ତି । ଏହାଛଡା ସେମାନେ ମୌଖିକ ଉଇଲ୍ ମଧ୍ୟ କରିପାରନ୍ତି ।
  12. ସମ୍ପତ୍ତି ଉପରେ ଚାର୍ଜ
  13. ସମ୍ପତ୍ତି ଉପରେ କୋର୍ଟରୁ ଚାର୍ଜ (ପ୍ରତିବନ୍ଧକ) ଲଗା ଯାଇଥିଲେ, ତାହା ଖର୍ଦ୍ଦି କଲେ ହଇରାଣ  ହେବାକୁ ପଡ଼େ । କାରଣ ଚାର୍ଜର ସର୍ତ୍ତ ପ୍ରଥମ ପୂରଣ ହେବ ଓ ପରେ ଅନ୍ୟକଥା କାର୍ଯ୍ୟକାରୀ ହେବ ।

  14. ଜମି ବିକ୍ରି ପାଇଁ ଚୁକ୍ତି
  15. ଧାରା ୫୪ ଜମି ହସ୍ତାନ୍ତର ଆଇନ୍ : ସ୍ଥାବର ସମ୍ପତ୍ତି ବିକ୍ରି ପାଇଁ ଏକ ଚୁକ୍ତି ହୋଇଥିଲେ ହୁଏ ନାହିଁ  କିମ୍ବା ଯାହାଙ୍କ ସପକ୍ଷରେ ଚୁକ୍ତି ହୋଇଥାଏ, ଏହି ଚୁକ୍ତି ବଳରେ ତାଙ୍କର କୌଣସି ସ୍ଵାର୍ଥ ସୃଷ୍ଟି ହୁଏ ନାହିଁ ।

  16. ଜମିକୁ ନେଇ ମୋକଦ୍ଦମା ଥିଲା ବେଳେ ଜମି ହସ୍ତାନ୍ତର ଫଳ (ଧାରା 52 T.P. Act) : କୌଣସି ଜମିକୁ ନେଇ ମାଲି ମୋକଦ୍ଦମା ଚାଲିଥିଲା ବେଳେ ଯଦି କେହି ସେହି ଜମିକୁ ଖର୍ଦ୍ଦି କରି ଥାଆନ୍ତି ତେବେ ତାଙ୍କର ଅଧିକାର କୋର୍ଟଙ୍କ ରାୟ ଅନୁସାରେ ହେବ । ଜମି ଖର୍ଦ୍ଦି ଅନୁସାରେ ନୁହେଁ ।
  17. ସଂଯୁକ୍ତ ବାସଗୃହକୁ  ଜଣେ ବ୍ୟକ୍ତି (One co-owner) ନିଜର ଅଂଶ ବିକ୍ରି କଲେ କଣ ହେବ ?
  18. ଉତ୍ତର – ଏଭଳି ବ୍ୟକ୍ତି ଧାରା ୪୪ (T.P. Act) ଅନୁଯାୟୀ  ଖର୍ଦ୍ଦିଦାରଙ୍କୁ ସମ୍ପୃକ୍ତ ସଂଯୁକ୍ତ ଗୃହରେ ପ୍ରବେଶ  ଅଧିକାର ଦେଇନଥାଏ । ଏଣୁ ସଂଯୁକ୍ତ ଗୃହରୁ ଅଂଶ କିଣିଲା ବେଳେ ଉପରୋକ୍ତ କଥା ଜାଣି କିଣିବା ଉଚିତ୍ ।

    • ହିନ୍ଦୁ ପିତୃ ପୌତ୍ରିକ ସଂଯୁକ୍ତ ସମ୍ପତ୍ତିରୁ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଅଂଶ କିଣିଲେ କଣ ହେବ ?
    • ଉତ୍ତର – ଆମ  ଓଡିଶାରେ ବନାରସ  ସ୍କୁଲ ଦ୍ଵାରା ଅନୁମୋଦିତ  ହିନ୍ଦୁ ବ୍ୟକ୍ତିଗତ ଆଇନ୍ ପ୍ରଚଳିତ । ଏହି ଆଇନ୍ ଅନୁଯାୟୀ ପିତୃପୈତୃକ ସଂଯୁକ୍ତ ସମ୍ପତ୍ତି (COPARCENERY PROPERTY) ରୁ ଜଣେ ବ୍ୟକ୍ତି ଅନ୍ୟ ଅଂଶୀଦାରମାନଙ୍କର ମତ ନ ନେଇ ନିଜ ଅଂଶ ବିକ୍ରି କରିପାରିବେ ନାହିଁ । ଯଦି କରନ୍ତି ଏହା ଆଇନ୍ ଅସିଦ୍ଧ ଅଟେ । ଏହୁ ଏପରି ସମ୍ପତ୍ତି ଖର୍ଦ୍ଦି କଲେ ହଇରାଣ ହେବାର ସମ୍ଭାବନା ଅଛି ।

    • ଧାରା 39 T.P. Act ଜମି ହସ୍ତାନ୍ତର ଆଇନ୍ : କୌଣସି  ଜମିର ଉତ୍ପାଦନ ବା ଜମିରୁ ଭରଣପୋଷଣ ପାଇବାକୁ ଥିଲେ, ଋଣ ପରିଶୋଧର ବ୍ୟବସ୍ଥାଥିଲେ ଅଥବା ବିବାହ ପାଇଁ ବ୍ୟବସ୍ଥା ଥିଲେ ସେ ଜମିକୁ ଯଦି ପ୍ରାପ୍ତକାରୀ ବ୍ୟକ୍ତି (କ) ଉପରୋକ୍ତ  ଘଟଣାମାନ ଜାଣିଶୁଣି କିଣିଥାନ୍ତି କିମ୍ବା (ଖ) ଦାନ ଦ୍ଵାରା ପାଇଥାଆନ୍ତି ବା ଉଇଲ୍ ଦ୍ଵାରା ପାଇଥାଆନ୍ତି, ତେବେ ଜମି ପ୍ରାପ୍ତକାରୀ ବ୍ୟକ୍ତି (transferee) ଜଣକ ଉପରୋକ୍ତ ସର୍ତ୍ତମାନ ପୂରଣ କରିବାକୁ ବାଧ୍ୟ ଅଟନ୍ତି ।
    • (କ) ଜମିକୁ ଏକାଧିକ ଥର ବନ୍ଧକ କଲେ କଣ ହେବ ?
    • ଉତ୍ତର – ଗୋଟିଏ ଜମିକୁ ଏକାଧିକ ଥର ବନ୍ଧକ କରିବାରେ ମନା ନାହିଁ ।  ମାତ୍ର ଏହି ଜମିଟି  ବନ୍ଧକରୁ  ଦାୟସକ୍ତ ପ୍ରଥମ ବନ୍ଧକୁ କ୍ରମାନ୍ଵୟରେ ହେବ । ଅର୍ଥାତ୍ ପ୍ରଥମ ବନ୍ଧକ ସମ୍ପୂର୍ଣ୍ଣ ଶୁଝାଯିବ ଓ ବଳକାରୁ ୨ୟ ବନ୍ଧକ ଶୁଝାଯିବ ଓ ଏହିପରି କ୍ରମାନ୍ଵୟରେ ହେବ । ପଇସା ନିଅଣ୍ଟ ହେଲେ  ପଛକୁ  ଥିବା ବନ୍ଧକ ଗ୍ରହିତାମାନେ କ୍ଷତି ସହିବେ ।

    • ଝିଅମାନେ ବାପାମାନଙ୍କ ସମ୍ପତ୍ତିରୁ ପୁଅମାନଙ୍କ ସହ ସମାନ ଭାଗ ପାଆନ୍ତି କି ?
    • ଉତ୍ତର – ହଁ, ହିନ୍ଦୁ ଝିଅମାନେ ପାଆନ୍ତି । ମୁସଲମାନ ଝିଅମାନେ ଜଣେ ଭାଇ ଯାହା ପାଆନ୍ତି, ତାର  ଅଧା ପାଆନ୍ତି । ଖ୍ରୀଷ୍ଟିଆନ୍ ଝିଅମାନେ ସମାନ ଭାଗ ପାଆନ୍ତି ।

    • ଆଇନ୍ ଦୃଷ୍ଟିରେ ସ୍ତ୍ରୀ, ପୁରୁଷ ସମାନ କି ?
    • ଉତ୍ତର – ହଁ ଆଇନ୍ ଦୃଷ୍ଟିରେ ସ୍ତ୍ରୀ ଓ ପୁରୁଷ ସମାନ ଅଟନ୍ତି । ମାତ୍ର ଆଇନ୍ ରେ ଦୁର୍ବଳ ଶ୍ରେଣୀ ଲୋକ (S.C./S.T.) ମାନଙ୍କୁ ଯେପରି କିଛିଟା ସ୍ଵତନ୍ତ୍ର ସୁବିଧା ଦିଆଯାଇଅଛି ।  ଏହି ସ୍ଵତନ୍ତ୍ର ସୁବିଧା ଉପଭୋଗ କରିବା ଦ୍ଵାରା ସ୍ତ୍ରୀ ଓ ପୁରୁଷ ଆଇନ୍ ଆଗରେ ଅସମାନ ହୁଅନ୍ତି ନାହିଁ ।

    • ଜଣେ ଲୋକକୁ ହତ୍ୟା କଲେ ତାର ଉତ୍ତରାଧିକାରୀମାନେ ସିଭିଲ୍ କେଶ୍ କରି ଡାମେଜ୍ ମାଗି  ପାରିବେ କି ?
    • ଉତ୍ତର – ହଁ  କରିପାରିବେ, ଏଭଳି କେଶ୍ ମାନ ନିହାତି କରିବା ଉଚିତ୍ । ଏପରି କଲେ ହତ୍ୟାକାରୀ ସାବଧାନ ହୁଅନ୍ତେ ।

    • ଜଣଙ୍କ ଅସାବଧାନତା ହେତୁ ଆଉ ଜଣଙ୍କର ମୃତ୍ୟୁ ଘଟିଲେ ସିଭିଲ୍ ମୋକଦ୍ଦମା କରି କ୍ଷତିପୂରଣ ମାଗିହେବ କି ?
    • ଉତ୍ତର- ହଁ ମାଗିହେବ । ଏଠାରେ ମନେ ରଖିବାକୁ ହେବ ଯେ, ଏଭଳି ମୃତ୍ୟୁ ଘଟିଲେ କେତେକ କେଶ୍ ରେ ସ୍ଵତନ୍ତ୍ର  ଆଇନ୍ ମାନ ଅଛି । ଯେପରିକି ମୋଟରଯାନ ଦୁର୍ଘଟଣାରେ ମୃତ୍ୟୁ  ପାଇଁ କ୍ଷତିପୂରଣ ସକାଶେ ମୋଟର ଆକ୍ସିଡେଣ୍ଟ କେଶ୍ ମୋଟର  ଆକ୍ସିଡେଣ୍ଟ୍ ଟ୍ରିବ୍ୟୁନାଲ୍ ରେ ହୁଏ ।  ଇଲେକ୍ଟ୍ରି ତାର ଛିଣ୍ଡି କେହି ମୃତ୍ୟୁବରଣ କଲେ ସେଥିପାଇଁ ତାଙ୍କର ଉତ୍ତରାଧିକାରୀମାନେ ସିଭିଲ୍ କେଶ୍ କରି କ୍ଷତିପୂରଣ ମାଗିପାରିବେ Fatal Accident Act ଆଇନ୍ ଯୋଗୁଁ ଅନେକ ପ୍ରକାର ମୃତ୍ୟୁ ଯୋଗୁଁ  ମୃତାଫାଙ୍କ ଉତ୍ତରାଧିକାରୀମାନେ ସିଭିଲ୍ କେଶ୍ କରିପାରିବେ ।

    • କାହାକୁ  ଘର ଭଡ଼ା ଦେଲେ ଲେଖା ରଖି ଘର ଭଡ଼ା ଦେଲେ ଭଲ । ଏହା ଦ୍ଵାରା  ଗଣ୍ଡଗୋଳ ବା ଭୁଲ୍ ବୁଝାମଣାକୁ ରକ୍ଷା ମିଳେ ।
    • ଆପଣ ଯଦି କାହାକୁ ଟଙ୍କା ପଇସା ମାମଲାରେ ନୋମିନି (Nominee) କରିଦେଇଛନ୍ତି, ତେବେ ଆପଣଙ୍କ ମୃତ୍ୟୁ ଅନ୍ତେ, ସେ ଟଙ୍କା  ଉଠାଇ ଆପଣଙ୍କ ଉତ୍ତରାଧିକାରୀମାନଙ୍କୁ ଦେବା ହେଉଛି ନିୟମ । ମାତ୍ର ନୋମିନି  ମାନେ ଟଙ୍କା ଉଠାଇ ଆତ୍ମସାତ୍ କରିବାର ବହୁତ  ଘଟଣାମାନ ଅଛି । ଏଣୁ  ସମୟ ସୁବିଧାଦେଖି ନୋମିନି ପରିବର୍ତ୍ତନ କରୁଥିବା ଉଚିତ୍ ।
    • ଆପଣ କୌଣସି କାରଣବଶତଃ ମୃତ୍ୟୁବରଣ କରିବାର ସମ୍ଭାବନା ଦେଖି ପିଲାମାନଙ୍କ ପାଇଁ ଗାର୍ଡିଆନ୍ ନିଯୁକ୍ତି କରିବାକୁ ଚାହୁଁଛନ୍ତି । ଏହା କରିପାରିବେ କି ?
    • ଉତ୍ତର – ହଁ, ଆପଣ ଏକ ଉଇଲ୍ କରି ଗାର୍ଡିଆନ୍ ନିଯୁକ୍ତ କରିପାରନ୍ତି ।

    • ଆପଣ ଉଇଲ୍ ଟିଏ କରିଦେଲେ ଆପଣଙ୍କୁ ଉଇଲ୍ ଦ୍ଵାରା ଲାଭବାନ ହେବା ବ୍ୟକ୍ତିମାନେ  ଜୀବନରେ ମାରିଦେବାର ସମ୍ଭାବନା ଅଛି । ଏପରି ସ୍ଥଳେ ଆପଣ  କଣ କରିବେ ?
    • ଉତ୍ତର – ଆପଣ ଏହି ଉଇଲ୍ ରେ ସ୍ପଷ୍ଟ ସର୍ତ୍ତ ରଖିଥିବେ ଯେ ଆପଣଙ୍କ ମୃତ୍ୟୁ ଅନ୍ତେ dead body (ଶବକୁ)ଡାକ୍ତର ମାଇନା କରାଯିବା ଉଚିତ୍ ଓ ଥାନାରେ ଜଣାଇବା ଉଚିତ୍। ଏହା  ନକଲେ ଅଥବା ଅପମୃତ୍ୟୁ ଘଟିଲେ ଉଇଲ୍ ଟି କାର୍ଯ୍ୟକାରୀ ହେବ ନାହିଁ । ଏପରି ସର୍ତ୍ତମାନ ରଖିଲେ ଉଇଲ୍ ଦ୍ଵାରା ଲାଭବାନ ହେବାକୁ ଥିବା ବ୍ୟକ୍ତିମାନେ ଆପଣଙ୍କୁ ହତ୍ୟା କରିବାକୁ ନିବୃତ୍ତ ହେବେ ।

    • ମୋଟରଯାନ ଚଳାଇବା ସମ୍ପର୍କରେ ଆପଣ କଣ ସାବଧାନତା ଅବଲମ୍ବନ  କରିବେ  ?
    • ଉତ୍ତର – ଆପଣ  ଡ୍ରାଇଭିଂ ଲାଇସେନ୍ସ ରଖି ଗାଡି ଚଳାନ୍ତୁ । ଗାଡିର ରୋଡ୍ ଟ୍ୟାକ୍ସ ଦିଅନ୍ତୁ । ଗାଡିକୁ ଇନସୁରେନ୍ସ (Insurance) କରାନ୍ତୁ । ଇନସୁରାନ୍ସ କରିବା ନିହାତି ଜରୁରୀ । କାରଣ ଆପଣଙ୍କ ଗାଡିର ଧକ୍କା ହୋଇ କାହାର ମୃତ୍ୟୁ ଘଟିଲେ ଅଥବା ଶରୀରର କୌଣସି କ୍ଷତି ହେଲେ ଆପଣଙ୍କୁ କ୍ଷତିପୂରଣ ଦେବାକୁ ହେବ ।  ଆପଣଙ୍କ ପାଖରେ ଧନ ନଥିଲେ ଏହା ଆପଣ  ଦେଇପାରିବେ ନାହିଁ । ମାତ୍ର ଯଦି ଆପଣ  Insurance କରିଥାଆନ୍ତି, ତେବେ ଏହି  କ୍ଷତିପୂରଣ  Insurance Company ଦେବେ। ଏଣୁ ଅନ୍ତତଃ ପକ୍ଷେ ଆପଣଙ୍କର ଗାଡି ଧକ୍କା ଯୋଗୁଁ କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ ପାଇଯିବେ । ଏହି  କଥାକୁ ଧ୍ୟାନ ରଖି ବିନା ଇନ୍ସୁରାନ୍ସରେ ମୋଟରଯାନ ଚଳାନ୍ତୁ ନାହିଁ ।

    • Power of Attornery ବା  କ୍ଷମତାପତ୍ର କଣ ?
    • ଉତ୍ତର – ଆପଣ ଯଦି ନିଜର ସମ୍ପତ୍ତି ରକ୍ଷଣାବେକ୍ଷଣ, ବିକ୍ରିବଟା, ମାଲିମୋକଦ୍ଦମା ଆଦି  କରିବାକୁ ବା ବୁଝିବାକୁ ଅକ୍ଷମ ଥାଆନ୍ତି, ତେବେ ଆପଣ ବିଶ୍ଵାସୀ ଲୋକକୁ ଏକ କ୍ଷମତାପତ୍ର ପ୍ରଦାନ କଲେ ସେ ଉପରୋକ୍ତ କାମମାନ  ଆପଣଙ୍କ ତରଫରୁ କରିପାରିବେ । ଆପଣ ଚାହିଁଲେ ଏହି କ୍ଷମତା ପତ୍ରକୁ ମଧ୍ୟ ପ୍ରତ୍ୟାହାର କରିନେଇପାରିବେ ।

    • ଆପଣ କାହାକୁ ହାତ ଉଧାରୀ ଦେଇଛନ୍ତି କି ?
    • ଉତ୍ତର-ଯଦି ସେ ଆପଣଙ୍କୁ  ୩ ବର୍ଷ ଯାଏ ଟଙ୍କା ନ ଦିଅନ୍ତି, ତେବେ ଆପଣ ସେହି ଟଙ୍କା ଆଉ ଆଦାୟ କରିପାରିବେ ନାହିଁ । ଏହି ତମାଦି ଦୋଷରେ ବାରିତ (Time barred) ହୋଇଯାଏ । ଏଣୁ ଏଭଳି ଟଙ୍କା ପାଇବାକୁ ହେଲେ ନିହାତି ୩ ବର୍ଷ  ମଧ୍ୟରେ ଋଣ ଦାୟର କରନ୍ତୁ ।

    • ହିନ୍ଦୁ ଉତ୍ତରାଧିକାରୀ ସଂଶୋଧନ ଆଇନ୍ ୨୦୦୫ରେ (ଯାହାକି ୯.୯.୨୦୦୫ରୁ  କାର୍ଯ୍ୟକାରୀ ହେଲା ) ହିନ୍ଦୁ ଝିଅ ଓ  ପୁଅମାନଙ୍କୁ ପିତା, ମାତାଙ୍କ  ସମ୍ପତ୍ତି  ତଥା ପିତୃ  ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ଦିଆଗଲା ।  ଝିଅମାନେ ପୁଅମାନଙ୍କ ପରି  Coparcener ବା ଅଂଶୀଦାରୀ ଘୋଷିତ  ହେଲେ । ଏଣୁ ଏଣିକି ହିନ୍ଦୁ ଝିଅମାନେ  ତାଙ୍କ ଭାଇମାନଙ୍କ ସହ ସମାନ ଅଧିକାର ସମ୍ପତ୍ତି  ଉପରେ ପାଇବେ । ଏଠାରେ ମନେ ରଖିବାକୁ ହେବ ଯେ ପିତାମାତା ଜୀବିତ ଥିଲାବେଳେ ତାଙ୍କ ସମ୍ପତ୍ତିରୁ  ପୁଅ  କିମ୍ବା ଝିଅ କେହି ଅଂଶ ଦାବି କରିପାରିବେ ନାହିଁ । ତାଙ୍କ ଅନ୍ତେ ଯାହା ଦାବି କରାଯାଇପାରିବ ।

ଆଧାର – ଓଡିଶା ଆଇନ ସମୀକ୍ଷା

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate