ସେଆର କରନ୍ତୁ

କଟକ ଜିଲ୍ଲା

କଟକ ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ରୂପରେଖା

କଟକ ଜିଲ୍ଲା ଓଡିଶାର ପୁରାତନ ଜିଲ୍ଲାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ଏକ ଗୁରୁତ୍ଵପୂର୍ଣ୍ଣ ସହର ଏବଂ କଟକ ସହର ଜିଲ୍ଲାର ସଦର ମହକୁମା ହୋଇଥିବା ହେତୁ ଏହାର ନାମକୁ ଆଧାର କରି ଜିଲ୍ଲାର ନାମ କଟକ ହୋଇଛି । କଟକ ସହରକୁ ଓଡିଶାର ବ୍ୟବସାୟିକ ରାଜଧାନୀ ରୂପେ ବିବେଚନା କରାଯାଏ ।

‘କଟକ’ଶଦ୍ଦ ସଂସ୍କୃତ ଶଦ୍ଦ ‘କଟକ’ରୁ ଉଭବ ହୋଇଅଛି, ଯାହାର କି ୨ଟି ଅର୍ଥ ରହିଛି- ଏହାର ଗୋଟିଏ ଅର୍ଥ ହେଲା “ସେନା ଶିବିର” ଓ ଅନ୍ୟଟି ସରକାରଙ୍କ ଆସ୍ଥାନ, ଯାହାକି ସୈନ୍ୟମାନଙ୍କ ଦ୍ଵାରା ସୁରକ୍ଷିତ । ବାସ୍ତବ ପକ୍ଷେ କହିବାକୁ ଗଲେ ଏହା ଦୁର୍ଗ ବ ପ୍ରାଚୀନ “ବାରବାଟୀ ଦୁର୍ଗ”କୁ ସୂଚୀତ କରିଥାଏ, ଯାହାକୁ ପର୍ଯ୍ୟବେସିତ କରି କଟକ ସହର ଗଢିଉଠିଛି ।

ଓଡିଶାର ନୂତନ ରାଜଧାନୀ କଟକରୁ ଭୁବନେଶ୍ଵରକୁ ୧୯୪୮ ମସିହାରେ ସ୍ଥାନାନ୍ତରଣ ହେବା ପୂର୍ବରୁ କଟକ ଏହାର ରାଜଧାନୀ ଥିଲା ,ଯେଉଁଥି ପାଇଁ ଏହି ସହର ଗୁରୁତ୍ଵ ବହନ କରେ।

ଭୌଗୋଳିକ ସ୍ଥିତି

ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ଜିଲ୍ଲା ମାନଚିତ୍ରର ଉତର ୨୦.୩ ଡିଗ୍ରୀରୁ ୨୦.୪ ଡିଗ୍ରୀ ଅକ୍ଷାଂଶ ଏବଂ ପୂର୍ବ ୮୪.୫୮ ଡିଗ୍ରୀରୁ ୮୪.୨୦ ଡିଗ୍ରୀ ଦ୍ରାଘିମା ମଧ୍ୟରେ ଅବସ୍ଥିତ । କଟକ ସହରକୁ ଉତ୍ତରରେ ମହାନଦୀ ଏବଂ ଦକ୍ଷିଣରେ କାଠଯୋଡି ନଦୀ ଘେରି ରହିଛି । ୩୯୩୨ କିଲୋମିଟର ପରିମିତ ଏହି ଜିଲ୍ଲା ଜନସଂଖ୍ୟା ବହୁଳ । ଏହି ଜିଲ୍ଲାରେ ଗ୍ରୀଷ୍ମ ଦିନେ ଗରମ ଏବଂ ଶୀତଦିନେ ଶୀତ ସ୍ୱରୂପ ଗ୍ରୀଷ୍ମ ମଣ୍ଡଳୀୟ ଜଳବାଯୁ ଅନୁଭୂତ ହୋଇଥାଏ । ଗ୍ରୀଷ୍ମ ଦିନେ ଏହି ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଶୀତଦିନେ ସର୍ବନିମ୍ନ ତାପମାତ୍ରା ବେଳେ ବେଳେ ୧୦ ଡିଗ୍ରୀରୁ କମ ହୋଇଥାଏ । ଗ୍ରୀଷ୍ମଦିନ ସାଧାରଣତ ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଏବଂ ଶୀତ ଦିନ ଅକ୍ଟୋବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ମୌସୁମୀ ପ୍ରବାହ ସମୟରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ, ଯାହାକି ଜୁଲାଇ ଏବଂ ଅଗଷ୍ଟ ମାସରେ ବେଶୀ ସଂଗଠିତ ହୋଇଥାଏ । ବର୍ଷରେ ହାରାହାରି ୧୮୯୨.୫୫ ମି.ମି. ବର୍ଷା ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେବା ଜିଲ୍ଲାରେ ବର୍ଷା ହେବାର ପ୍ରମୁଖ କାରଣ। ସେପ୍ଟେମ୍ବର ମାସରୁ ଅକ୍ଟୋବର ଅଧା ପର୍ଯ୍ୟନ୍ତ ମୌସୁମୀ ବର୍ଷା ପ୍ରାୟତଃ ହୋଇଥାଏ। ଶୀତ ଋତୁ ନଭେମ୍ବର ରୁ ଜାନୁୟାରୀ ମାସର ଆରମ୍ଭ ପର୍ଯ୍ୟନ୍ତ ଅତ୍ୟନ୍ତ ଥଣ୍ଡା ପବନ ଉତ୍ତର ଦିଗରୁ ପ୍ରବାହିତ ହୋଇଥାଏ ଏବଂ ରାତି ଦୀର୍ଘ ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ପ୍ରାୟ ଅପରାହ୍ନ ୫.୩୦ ବେଳକୁ ଅସ୍ତ ହୋଇଥାନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ପଶମୀ (ଊଲ ତିଆରି) ଗରମ ପୋଷାକ ବ୍ୟବହାର କରନ୍ତି । ଜାନୁୟାରୀ ମାସ ମଧ୍ୟ ଭାଗରୁ ମାର୍ଚ୍ଚ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ସର୍ବନିମ୍ନ ୨୨.୨ ଡିଗ୍ରୀ ଏବଂ ସର୍ବୋଚ୍ଚ ୩୩.୪ ଡିଗ୍ରୀ ରହୁଥିବା ଯୋଗୁଁ ଜିଲ୍ଲାର ଜଳବାଯୁ ସୁଖପ୍ରଦ ହୋଇଥାଏ। ଏହି ସମୟରେ କଟକ ସହରକୁ ପରିଭ୍ରମଣ କରିବାକୁ ଆସିବା ସୁବିଧାଜନକ ହୋଇଥାଏ ।

ପ୍ରଶାସନିକ ବ୍ୟବସ୍ଥା

କଟକ ଜିଲ୍ଲା ୩ ଗୋଟି ଉପଖଣ୍ଡକୁ ନେଇ ଗଠିତ । କଟକ ସଦର,ଆଠଗଡ ଓ ବାଙ୍କୀ । ଏହାର ୧୫ ଟି ତହସିଲ,୧୪ ଟି ବ୍ଲକ,ଗୋଟିଏ ମହାନଗର ନିଗମ,୩୭୩ଟି ଗ୍ରାମ ପଞ୍ଚାୟତ ଓ ୧୯୪୦ ଟି ଗ୍ରାମ ରହିଛି। ୧୮୭୬ ମସିହାରୁ ପୌର ପରିଷଦ ଭାବରେ ସ୍ଥାପିତ ହୋଇଥିବା କଟକ ସହର ୧୯୯୪ ମସିହାରୁ କଟକ ମହାନଗର ନିଗମରେ ପରିଣତ ହୋଇଛି। ଜିଲ୍ଲାରେ ୨ ଗୋଟି ବିଜ୍ଞାପିତ ଅଂଚଳ ପରିଷଦ ଯଥା ଆଠଗଡ,ବାଙ୍କୀ ଏବଂ ଗୋଟିଏ ପୌର ପାଳିକା ଚୌଦ୍ଵାର ରହିଅଛି । କଟକ ଜିଲ୍ଲା ୯ ଗୋଟି ବିଧାନସଭା ମଣ୍ଡଳୀର ଅନ୍ତର୍ଭୁକ୍ତ ଯଥା-୮୭-ବଡମ୍ବା,୮୮-ବାଙ୍କୀ ,୮୯-ଆଠଗଡ,୯୦- ବାରବାଟୀ-କଟକ,୯୧-ଚୌଦ୍ଵାର-କଟକ,୯୨-ନିଆଳି,୯୩ -କଟକ ସଦର,୯୪- ସାଲେପୁର,୯୫- ମାହାଙ୍ଗା ।

ଜନ ସଂଖ୍ୟା

୨୦୧୧ ଜନ ଗଣନା ଅନୁଯାୟୀ ଜିଲ୍ଲାର ମୋଟ ଜନ ସଂଖ୍ୟା ୨୬ ଲକ୍ଷ, ୨୪ ହଜାର ୪୭୦ ହୋଇଥିବା ସ୍ଥଳେ ତନ୍ମଧ୍ୟରେ ୧୩ ଲକ୍ଷ ୫୨ ହଜାର ୭୬୦ ଜଣ ପୁରୁଷ, ୧୨ ଲକ୍ଷ ୭୧ ହଜାର ୭୧୦ ଜଣ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ଜିଲ୍ଲାର ଜନସଂଖ୍ୟା ଘନତ୍ଵ ପ୍ରତି ବର୍ଗ କିଲୋମିଟରରେ ୬୬୭ ହୋଇଥିବା ସ୍ଥଳେ ଜିଲ୍ଲାରେ ମୋଟ ସାକ୍ଷରତା ହାର ୮୫.୫ ପ୍ରତିଶତ । ଜିଲ୍ଲାରେ ପୁରୁଷ ଏବଂ ମହିଳା ହାର ପ୍ରତି ହଜାରରେ ୯୪୦ ରହିଛି ।

କଟକ ସହର ସଂପର୍କରେ

ହଜାରେ ବର୍ଷରୁ ଉର୍ଦ୍ଧ୍ଵ ଏହି ସହର ଭାରତର ସବୁଠାରୁ ପୁରାତନ ସହରଗୁଡିକ ମଧ୍ୟରେ ଅନ୍ୟତମ । ଏହି ସହର ଅନଙ୍ଗଭୀମଦେବ-୩ୟଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଏବଂ ଓଡିଶାର ପୂର୍ବତନ ରାଜଧାନୀ ଥିଲା । ସହରକୁ ଘେରି ରହିଥିବା ଉତ୍ତର ଓ ପୁର୍ବରେ ମହାନଦୀ ଏବଂ କାଠଯୋଡି ନଦୀ ପୂର୍ବକାଳରେ ରାଜାମାନଙ୍କ ପାଇଁ ସୁରକ୍ଷା କବଚ ସଦୃଶ ହୋଇଥିଲା । ଏକାଦଶ ଶତାଦ୍ଦୀରେ ନିର୍ମିତ କାଠଯୋଡି ପଥର ବନ୍ଧ, ବାରବାଟୀ ଦୁର୍ଗର ଧ୍ଵଂସାବଶେଷ, ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ, କଦମ-ଇ-ରସୁଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ, ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଏବଂ କେତେକ ପୁରାତନ ଗୀର୍ଜା ସହରର ପ୍ରମୁଖ ଆକର୍ଷଣ । କଟକର ସୂକ୍ଷ୍ମ ତାରକାସୀ କରୁକାର୍ଯ୍ୟ ଦେଶରେ ଶ୍ରେଷ୍ଠ ବିବେଚିତ ପାଇଁ ଏହି ସହର ରୌପ୍ୟ ନଗରୀ ଭାବେ ପରିଚିତ । ଭୁବନେଶ୍ବରରୁ ଜାତୀୟ ରାଜପଥ-୧୬ରେ କଟକର ଦୂରତା ୨୫ କି.ମି. । କଟକ ସହର ଜିଲ୍ଲା ତଥା ରାଜ୍ୟର ଅନ୍ୟ ସମସ୍ତ ଛୋଟ ବଡ ସହରକୁ ବସ ଓ ରେଳପଥ ଯୋଗେ ସଂଯୋଗ କରୁଛି । ରେଳପଥ କଟକରୁ କୋଲକତା-ଦିଲ୍ଲୀ-ଗୌହାଟୀ, ଚେନ୍ନାଇ-ହାଇଦରାବାଦ-ମୁର-ବେଙ୍ଗାଲୁରୁ, କାଜିଖୋଡ଼ ଆଦିକୁ ସଂଯୁକ୍ତ । ନବ ନିର୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ (୨.୮୮ କି.ମି. ଦୀର୍ଘ) କଟକର ବେଲିଭ୍ୟୁ ସ୍ଥଳ (ଜୁଡିସିଆଲ ଏକାଡେମୀ), ସିଡିଏ ଠାରୁ ତ୍ରିଶୂଳିଆକୁ ସଂଯୋଗ କରିବା ଫଳରେ କଟକ ଓ ଭୁବନେଶ୍ବରର ଦୂରତା ସଡକ ପଥରେ ୧୨ କି.ମି. କମିଛି । ଏହା ଓଡିଶାର ଉନ୍ନତିର ବିକାଶ ପଥରେ ଏହା ନୂତନ ମାଇଲ ଖୁଣ୍ଟ ହୋଇଛି ।

ଜିଲ୍ଲାର ମୁଖ୍ୟ ଜୀବିକା ଏବଂ ଲୋକମାନଙ୍କର ଜୀବିକାର୍ଯ୍ୟର ମାଧ୍ୟମ

ଜିଲ୍ଲାରେ ସୀମିତ ଶିଳ୍ପାୟନ ହେତୁ ଏହି ଜିଲ୍ଲାବାସୀ କୃଷିକୁ ସେମାନଙ୍କର ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥାନ୍ତି ଏବଂ ପ୍ରାୟ ୭୬ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରୁଛନ୍ତି । ଜିଲ୍ଲା ଦେଇ ଅନେକ ନଦୀ ଓ କେନାଲ ପ୍ରବାହିତ ହେବା ଯୋଗୁ ଜିଲ୍ଲାରେ କୃଷିକାର୍ଯ୍ୟ ଅବିରତ ଭାବରେ କରାଯାଇପାରୁଛି । ଧାନ, ଡାଲି, ତୈଳବୀଜ, ଝୋଟ, ଆଖୁ , ନଡିଆ ଏବଂ ହଳଦୀ ଆଦି ପ୍ରଧାନ ଶସ୍ୟ ଏହି ଜିଲ୍ଲାରେ ଚାଷ କରାଯାଏ । ଏହି ଜିଲ୍ଲା ପ୍ରମୁଖ ଅର୍ଥକାରୀ ଫସଲର ରପ୍ତାନୀରେ ସହାୟକ ହେବା ସହିତ ଜିଲ୍ଲାର ଆର୍ଥିକ ଅବିବୃଦ୍ଧିରେ ପ୍ରଭୂତ ସହାୟକ ହୋଇପାରିଛି । ଇତି ମଧ୍ୟରେ ଜିଲ୍ଲାରେ କୃଷିର ବିକାଶ ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ପରିବର୍ତ୍ତନ ମୂଳକ ପଦକ୍ଷେପ ନିଆଯାଇ ସେସବୁର ସଫଳ ରୂପାୟନ କରାଯାଇଛି । କୃଷି ଓ କୃଷି ଭିତ୍ତିକ କ୍ଷେତ୍ରକୁ ଉଦାହରଣ ଭାବେ ନିଆଯାଇ କୃଷକ ଓ କୃଷି ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କୁ ଗୋଟିଏ ଛାତତଳେ କୃଷକ ସଂଗଠନ ଏବଂ ଏହାଦ୍ଵାରା ଉପକୃତ ହେଉଥିବା କୃଷକମାନଙ୍କ ପାଇଁ ଯୋଜନା ପ୍ରଣୟନ, ସେମାନଙ୍କୁ ସଶକ୍ତିକରଣ ପାଇଁ ଉପଲବ୍ଧ ଆର୍ଥିକ ସମ୍ବଳ ପ୍ରଦାନ କରାଯାଉଛି । କଟକ-ପାରାଦୀପ ରାସ୍ତା ବିଦ୍ୟାଧରପୁରଠାରେ ଥିବା ଜାତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ଏନ.ଆର.ଆର.ଆଇ) ଏକ ପ୍ରମୁଖ ଜାତୀୟ ସ୍ତରୀୟ ଗବେଷଣା ପ୍ରତିଷ୍ଠାନ ।

ଅନ୍ୟ ଶିଳ୍ପ ମଧ୍ୟରେ ଏହି ଜିଲ୍ଲା ହସ୍ତତନ୍ତ ଏବଂ କୁଟୀର ଶିଳ୍ପ ପରମ୍ପରାରେ ଉନ୍ନତ । ଏହି ଜିଲ୍ଲା ରୂପା ତାରକସୀ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ । ଶିଙ୍ଗ କାମ, ପଟ୍ଟ ଚିତ୍ର, ଡୋକ୍ରା କାଷ୍ଟିଂ, ଟେରାକୋଟା, କାଠ ଖୋଦେଇ କାମ, ଚମଡା ପ୍ରସ୍ତୁତ ଶିଳ୍ପ କଳା,ପିତଳ /କଂସା ଧାତବ ପ୍ରସ୍ତୁତ କାର୍ଯ୍ୟ ମଧ୍ୟ ଏହି ଜିଲ୍ଲାରେ ବହୁ ମାତ୍ରାରେ ଦେଖିବାକୁ ମିଳେ । ଏହି ହସ୍ତଶିଳ୍ପ ପ୍ରସ୍ତୁତି ଉତ୍ପାଦକୁ ଜିଲ୍ଲା ରପ୍ତାନୀ କରି ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହୋଇପାରିଛି । ଜିଲ୍ଲାରେ ଏଥି ନିମନ୍ତେ ବହୁ ହସ୍ତଶିଳ୍ପ ସମବାୟ ସମିତି ଏବଂ ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକରୁଛି ଯାହାକି, ଏହି ସବୁ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇଛି ।

ଏହି ଜିଲ୍ଲା ରୂପା ତାରକସୀ କାରୁକାର୍ଯ୍ୟ ସ୍ଥାନୀୟ ଓ ବିଦେଶୀ ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ । ଅନ୍ୟ କାରୁକାର୍ଯ୍ୟ ମଧ୍ୟରେ କାଠ ଖୋଦେଇ କାର୍ଯ୍ୟ ପ୍ରାୟତଃ କଟକ ସହରରେ ଏବଂ ସାଲେପୁର ବ୍ଲକରେ ଦେଖିବାକୁ ମିଳେ । ବାଙ୍କୀ-ଡମପଡା, ନରସିଂହପୁରର ଜିଲିଣ୍ଡା ବେତ ଓ ବାଉଁଶ ପ୍ରସ୍ତୁତ କାର୍ଯ୍ୟ ପାଇଁ ପ୍ରସିଦ୍ଧ । ବାଙ୍କୀର ଟେରାକୋଟା କାରୁକାର୍ଯ୍ୟ, ନିଶ୍ଚିନ୍ତକୋଇଲି ଓ ସାଲେପୁରର ଝୋଟ ପ୍ରସ୍ତୁତି କାର୍ଯ୍ୟ ପ୍ରସିଦ୍ଧ । ବଡମ୍ବା ନରସିଂହପୁରର ଡୋକ୍ରା କାମ, ଟାଙ୍ଗୀ-ଚୌଦ୍ଵାରର ଭଟ୍ଟିମୁଣ୍ଡା , ପିତଳ ଓ କଂସା ବାସନ ପାଇଁ ଖ୍ୟାତ ରହିଥିବା ବେଳେ ମାହାଙ୍ଗା ପଥର ଖୋଦେଇ କାର୍ଯ୍ୟ ପାଇଁ ପ୍ରସିଦ୍ଧ । ବାଙ୍କୀ ଓ କଟକ ସହର ଚାନ୍ଦୁଆ ଶିଳ୍ପ ପାଇଁ ପ୍ରସିଦ୍ଧ । ବାରଙ୍ଗର ଚମଡା ଶିଳ୍ପ, ଆଠଗଡର ପଟ୍ଟଚିତ୍ର, କଟକ ସଦର ବ୍ଲକରେ ତାଳ ପତ୍ର ପ୍ରସ୍ତୁତ ଉତ୍ପାଦ ପ୍ରସିଦ୍ଧ । କଟକ ସହରରେ କାରୀଗରମାନେ ମଧ୍ୟ ଜରିମାଳ କାମ ଓ ଶିଙ୍ଗ କାମ କରିଥାନ୍ତି ।

ଏତଦ ବ୍ୟତୀତ ଜିଲ୍ଲାରେ କେତେକ ସଂଖ୍ୟକ ବୃହତ ଏବଂ ମଧ୍ୟମ ଶିଳ୍ପ ମଧ୍ୟ କାର୍ଯ୍ୟ କରୁଛିନ୍ତି । ତନ୍ମଧ୍ୟରୁ କେତେକ ହେଲେ ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ (ଇମ୍ଫା), ପାରାଦୀପ ଅକ୍ସିଜେନ ଏବଂ ଓଡିଶା ମ୍ୟାଗ୍ନେଟିକ୍ସ ଇତ୍ୟାଦି । ତତ ସହିତ ଜିଲ୍ଲାରେ କେତେକ କ୍ଷୁଦ୍ର ଏବଂ ଅଣୁ ଶିଳ୍ପ କାରଖାନା କାର୍ଯ୍ୟକରୁଛି, ଯେଉଁଗୁଡିକ କି ରାସାୟନିକ, ବୟନ ଶିଳ୍ପ ଚମଡା ଶିଳ୍ପ କିମ୍ବା ସେହିଭଳି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପାଞ୍ଚଳ ଗୁଡିକ ଶିଳ୍ପର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଜିଲ୍ଲାରେ ପାଇପ ପ୍ରସ୍ତୁତକାରୀ କେତେକ ସଂସ୍ଥା ରହିଛନ୍ତି, ତନ୍ମଧ୍ୟରେ ଓଡିଆ ସିମେଣ୍ଟ ଲିମିଟେଡ଼, ଟାଟା ପାୱାର, ଭିସା ପାୱାର, ନୀଳାଚଳ ପାୱାର, ଆରତୀ ଷ୍ଟିଲ ଇତ୍ୟାଦି ପ୍ରମୁଖ ଅଟନ୍ତି ।

ଶିକ୍ଷା

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ, ରେଭେନ୍ସା ବିଶ୍ଵ ବିଦ୍ୟାଳୟ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ ଆଦି ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ । ଜିଲ୍ଲାରେ ବହୁ ବୈଷୟିକ ବିଜ୍ଞାନ ସଂସ୍ଥା ରହିଛି ଯଥା ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ (ବୋସ), ଇପସାର ଇନଷ୍ଟିଚ୍ୟୁଟ ଅଫ ଟେକ୍ସଟାଇଲ ଟେକ୍ନୋଲୋଜି, ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟ (ଏନ.ଏଲ.ୟୁ) ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ.ଆର.ଆର.ଆଇ ), ସ୍ଵାମୀ ବିବେକାନନ୍ଦ ରାଷ୍ଟୀୟ ପୁନର୍ବାସ, ପ୍ରଶିକ୍ଷଣ ଏବଂ ଅନୁ ସନ୍ଧାନ ସଂସ୍ଥା(ନିରତାର), ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର (ଆର.ଏସ. ଆଇ.ସି) ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର (ଏ.ଏଚ.ଆର.ସି.ସି.) ଆଦି କଟକ ଜିଲ୍ଲାର ପ୍ରମୁଖ ସଂସ୍ଥା ଭାବେ ପରିଚିତ ଲାଭ କରିଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୂସୂଦନ ଦାସ, କର୍ମବୀର ଗୌରୀ ଶଙ୍କର ରାୟ, ଡଃ. ରାଧାନାଥ ରଥ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ପ୍ୟାରୀମୋହନ ଆଚାର୍ଯ୍ୟ ପ୍ରମୁଖ ବ୍ୟକ୍ତିତ୍ବ ଭାବେ ଜିଲ୍ଲାର ଟେକ ରଖିଛନ୍ତି ।

ରୌପ୍ୟ ତାରକସୀ କାର୍ଯ୍ୟ – କଟକ ସହରର ଅନନ୍ୟ

କଟକ ରୂପା ତାରକସୀ କାରୁକାର୍ଯ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ସମାପ୍ତି ପଦ୍ଧତି,ସୂକ୍ଷ୍ମ ରୌପ୍ୟ ପାତ ବ୍ୟବହୃତ ଗଠନ ଶୈଳୀ ଏବଂ ବରଫ ପରି ଚିକ ଚିକ କରୁଥିବା ଏହି ପ୍ରସ୍ତୁତି ଅନ୍ୟ ଅଳଙ୍କ।ରମାନଙ୍କ ଠାରୁ ସ୍ଵତନ୍ତ୍ର । ଏଥିପାଇଁ ରାଜ୍ୟକୁ ପରିଦର୍ଶନ ପାଇଁ ଆସୁଥିବା ଜାତୀୟ ଓ ଆନ୍ତଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରୌପ୍ୟ ତାରକସୀ କାରୁକାର୍ଯ୍ୟର ପ୍ରସ୍ତୁତ ବସ୍ତୁ ଉପହାର ଭାବରେ ପ୍ରଦାନ କରାଯାଇଥାଏ । ଭଗବାନ କୃଷ୍ତଙ୍କର ରଥ, କୋଣାର୍କ ଚକ୍ର ,ଆକର୍ଷଣୀୟ ରୌପ୍ୟ ଅଳଙ୍କ।ରମାନ ଆଧୁନିକ ଫେଶନକୁ ଭଲ ଭଲପାଉଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଆଗ୍ରହପ୍ରଦ ବିଷୟ ହୋଇଥାଏ । ଖୁବ ଶିଘ୍ର ସରକାରଙ୍କ ପ୍ରୋସାହନରେ କଟକ “ବିଶ୍ଵ ତାରକସୀ କେନ୍ଦ୍ର” ହେବାକୁ ଯାଉଛି ।

ହସ୍ତଶିଳ୍ପ

ଚିତ୍ର କଳା ,ପିତଳ ଓ କଂସା ଧାତବ ଶିଳ୍ପ,ରୂପା ତରକସୀ କାରୁକାର୍ଯ୍ୟ ଶିଳ୍ପ,ଓଡିଶା ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ୍ର ଶିଳ୍ପ ,କଟକ ଦ୍ଵାରା ଅନୁମୋଦିତ । ଚିତ୍ରକଳାଗୁଡିକ ଅତ୍ୟନ୍ତ ସୁସ୍ପଷ୍ଟ ଓ ଅସାଧାରଣ ଶୈଳୀ ଲକ୍ଷଣଯୁକ୍ତ, ସୁନ୍ଦର ରଙ୍ଗମିଶ୍ରିତ,ତନ୍ତୁ ବିନ୍ୟାସ ଥାଇ ଶୋଭା ବର୍ଦ୍ଧକ ଏବଂ ଏଗୁଡିକ ନିଜସ୍ୱ ସ୍ଵତନ୍ତ୍ରତା ବହନ କରେ । କଟକର ବୁଣାକାରମାନେ ହସ୍ତତନ୍ତ ବ୍ୟବହାର କରି ଶାଢୀ ଏବଂ ଅନ୍ୟ ବୁଣାଲୁଗାରେ ସୁନ୍ଦର ସୁନ୍ଦର ରୂପାଙ୍କନ କରିଥାନ୍ତି । ଓଡିଶାର ବୟନ ଶିଳ୍ପର ବିଶେଷତ୍ଵ ହେଉଛି ଯେ ଏସବୁ ‘ଇକତ’ ଡିଜାଇନ ବିଶିଷ୍ଟ । ଦକ୍ଷିଣ-ପୂର୍ବ ଏସିଆ ସହିତ ପ୍ରାଚୀନ ନୌବାଣିଜ୍ୟ କାର୍ଯ୍ୟକଳାପକୁ ସଂଯୋଗୀକୃତ କରି ଜଟିଳ ଆକର୍ଷଣୀୟ ରଙ୍ଗ ଓ ବାନ୍ଧ କଳା ପଦ୍ଧତିକୁ ନେଇ ବସ୍ତ୍ର ପ୍ରସ୍ତୁତିର ପରିକଳ୍ପନାର ସ୍ଵତନ୍ତ୍ରତା ରହିଛି ।

କଂସା ଧାତବ ପ୍ରସ୍ତୁତ ଉତ୍ପାଦ ଓଡିଶା ଇତିହାସରେ ପ୍ରମୁଖ ସ୍ଥାନ ଅଧିକାର କରିଛି । କଂସା ଓ ପିତଳ ବାସନ କାରିଗରୀମାନଙ୍କୁ ପାରମ୍ପରିକ ଭାଷାରେ କଂସାରୀ କୁହାଯାଏ । ସେମାନେ ପ୍ରାଚୀନ ଓ ଆଧୁନିକ ପଦ୍ଧତିରେ ଆକର୍ଷଣୀୟ ବାସନକୁସନ ପ୍ରସ୍ତୁତିର ପ୍ରଚାର ପ୍ରସାର କରିଥାନ୍ତି,ଯାହାକି ଦେଖିବାକୁ ପାରମ୍ପରିକ ଆକୃତିର । ଏହି କଂସା ବାସନ ଉତ୍ପାଦଗୁଡିକ ମନ୍ଦିର ଓ ଘରେ ଧାର୍ମିକ ଓ ଅନ୍ୟ ଉଦେଶ୍ୟରେ ବ୍ୟବହୃତ ହୁଏ । ପ୍ରତ୍ୟେକ କଂସା ଓ ପିତଳ ବାସନ କୁସନ ଏହାର ଆକାର ଓ ଧାତବ ମିଶ୍ରଣ ଦୃଷ୍ଟିରୁ ସ୍ଵତନ୍ତ୍ରତା ରହିଥିବା ସହିତ ଏଥିରେ ରନ୍ଧନ, ଔଷଧୀୟ ଗୁଣ ବହନ କରେ ବୋଲି ଜଣାଯାଏ ।

ଏତଦ ବ୍ୟତୀତ ଜିଲ୍ଲାରେ କାରୀଗରମାନଙ୍କ ଦ୍ଵାରା ପ୍ରାଣୀମାନଙ୍କର ଶିଙ୍ଗରୁ ପ୍ରଚଳିତ ନିର୍ଦ୍ଧିଷ୍ଟ ଆକୃତିର ଏବଂ ଲୋକପ୍ରିୟ ଢାଂଚାରେ ଉଚ୍ଚକୋଟୀର ସୂକ୍ଷ୍ହ କାରୁକାର୍ଯ୍ୟ ସମ୍ପନ୍ନ ହସ୍ତଶିଳ୍ପ ଉତ୍ପାଦ ପ୍ରସ୍ତତି ମଧ୍ୟ ଅତ୍ୟନ୍ତ ରହସ୍ୟଜନକ ଓ ପ୍ରେରଣାଦାୟକ ହୋଇଛି । ମୁଖ୍ୟତଃ ମଇଁଷି ଏବଂ ଗାଈର ଶିଙ୍ଗରୁ ପ୍ରସ୍ତୁତ ଏହି ଉତ୍ପାଦସବୁ ଉଚ୍ଚକୋଟୀର ଦକ୍ଷତା ଓ କଳ୍ପନାର ପ୍ରୟୋଗ ନିର୍ଭର କରେ ।

କଳାରେ ପାରଦର୍ଶିତା ଲାଭ କରିଥିବା କାରୀଗରମାନେ ବିଭିନ୍ନ ପଦାର୍ଥରୁ ଉଚ୍ଚକୋଟୀର ତାରଲ୍ୟ (ତରଳାଇବା ପଦ୍ଧତି) ଉପଯୋଗ କରି ସ୍ଵତନ୍ତ୍ର ଧରଣର ସୂକ୍ଷ୍ମ ଗଠନ ଶୈଳୀରେ ସମସ୍ତ ପ୍ରକାର ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ କରିପାରନ୍ତି। କଟକର କାରୀଗରମାନେ ଦକ୍ଷତାର ସହ ଶିଙ୍ଗରୁ ପଞ୍ଜୁରୀ ଭିତରେ ପକ୍ଷୀ,ଶିକାର ଅନ୍ଵେଷଣରେ ଥିବା ପଶୁ,ବଳଦ ଲଢେଇ,ମାଛ ଲୋଭୀ ବଗ ,ହରିଣ- ଛୁଆମାନଙ୍କ ଦେହରେ ନାକ ଘଷୁଥିବା ,ହାତୀ କାଠ ଗଣ୍ଡି ଗଡାଉଥିବା, ପାନିଆ ,ପେନ ଷ୍ଟାଣ୍ଡ, ପାଇପ, ବତୀ ଷ୍ଟାଣ୍ଡ ଇତ୍ୟାଦି ସମେତ କେତେକ ଛୋଟ ଛୋଟ ଜିନିଷ ପ୍ରସ୍ତୁତ କରିଥାନ୍ତି ।

ଜିଲ୍ଲାର ତାରକସୀ କାମ ଅନନ୍ୟ କାରିଗରୀ । ଏହାର ନିଜସ୍ୱ ଓ ଅସାଧାରଣ ରୂପାଙ୍କନ ଓ ହସ୍ତଶିଳ୍ପ ରହିଛି । କଟକ ଜିଲ୍ଲାରେ ଉନ୍ନତ ରୁଚି ସଂପନ୍ନ ରୌପ୍ୟ ତାରକସୀ କାରୁକାର୍ଯ୍ୟ ଶିଳ୍ପକଳାର ସୁଦୀର୍ଘ ପରମ୍ପରା ରହିଛି । ସ୍ଥାନୀୟ ଭାଷାରେ କୁହାଯାଉଥିବା ”ତାରକସୀ” କାମରେ ନିର୍ଭୁଲ ଓ ସୂକ୍ଷ୍ମ କାରିଗରୀର ବ୍ୟବହାରିକ କୌଶଳ ଦେଖିବାକୁ ମିଳେ । ଏହି କଳା ଅତି ପ୍ରାଚୀନ,ଯାହାର କି ସୃଷ୍ଟି ପାରସ୍ୟ ଦେଶମାନଙ୍କରେ ପଂଚଦଶ ଶତାଦ୍ଦୀରେ ହୋଇଥିବା ଜଣାଯାଏ । ଏହି କଳାକୁ ମୋଗଲ ଶାସନ ସମୟରେ ଯଥେଷ୍ଟ ପ୍ରୋତ୍ସାହନ ମିଲଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆଗ୍ରହ ଏବଂ ବଜାର ସୁବିଧାର ଅଭାବ ଯୋଗୁଁ ଏହି ଶିଳ୍ପ ପ୍ରଭାବିତ ହୋଇଥିଲା । ଏହି ଶିଳ୍ପକୁ ଆଦରି ନେଇଥିବା ଅଧିକାଂଶ କାରିଗର ସେମାନଙ୍କର ଜୀବିକା ପାଇଁ ଅନ୍ୟବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରୀଗରମାନଙ୍କର ସ୍ଥିତିକୁ ପରିବର୍ତ୍ତନ କରିବାକୁ ଦୃଢ ପଦକ୍ଷେପ ସ୍ୱରୂପ ୧୯୫୨ ମସିହାରୁ ରାଜ୍ୟ ସରକାର ସେମାନଙ୍କୁ ସମବାୟ ବ୍ୟବସ୍ଥାରେ ଯୋଡିବାକୁ ଦୃଢ ପଦକ୍ଷେପ ନେଇଛନ୍ତି ।

ତାରକସୀ ଶିଳ୍ପକଳା ୩ ପ୍ରକାରର-ଯେପରିକି, ଗୋଲାପ ବା ରୋଜ ୱାର୍କ, ସିକୋ ୱାର୍କ ଏବଂ ଜରି ପକା କାମ ତାରକସୀ ଜିନିଷ ପ୍ରସ୍ତୁତିରେ ବ୍ୟବହାର କରାଯାଏ । କଟକର ରୂପା ତାରକସୀ କାରୁକାର୍ଯ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ସମାପ୍ତି ପଦ୍ଧତି, ସୂକ୍ଷ୍ମ ରୌପ୍ୟ ପାତ ବ୍ୟବହୃତ ଗଠନ ଶୈଳୀ ଏବଂ ବରଫ ପରି ଚିକ ଚିକ କରୁଥିବା ଏହି ପ୍ରସ୍ତୁତି ଅନ୍ୟ ଅଳଙ୍କାରମାନଙ୍କ ଠାରୁ ସ୍ଵତନ୍ତ୍ର । ଏଥିପାଇଁ ରାଜ୍ୟକୁ ପରିଦର୍ଶନ ପାଇଁ ଆସୁଥିବା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରୌପ୍ୟ ତାରକସୀ କାରୁକାର୍ଯ୍ୟର ପ୍ରସ୍ତୁତ ବସ୍ତୁ ଉପହାର ଭାବରେ ପ୍ରଦାନ କରାଯାଇଥାଏ । ଭଗବାନ କୃଷ୍ଣଙ୍କର ରଥ,କୋଣାର୍କ ଚକ୍ର, ଆକର୍ଷଣୀୟ ରୌପ୍ୟ ଅଳଙ୍କାରମାନ ଆଧୁନିକ ଫେଶନକୁ ଭଲ ପାଉଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଆଗ୍ରହପ୍ରଦ ବିଷୟ ହୋଇଥାଏ।

ପର୍ଯ୍ୟଟନ ଓ ସଂସ୍କୃତି

କଟକ ଜିଲ୍ଲାର ପର୍ଯ୍ୟଟନ ଓଡିଶା ରାଜ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ବାରବାଟୀ ଦୁର୍ଗର ଧ୍ଵଂସାବଶେଷ , ଏହାର ଗଡଖାଇ,ଊତଖନନ କରାଯାଇଥିବା ଗଙ୍ଗ ବଂଶ ଶାସନ ସମୟର ନବତଳ ପ୍ରାସାଦ ବିଶିଷ୍ଟ ରାଜପ୍ରାସାଦ, ମହାନଦୀର ତଟଦେଶରେ ଥାଇ ଓଡିଶା ଇତିହାସର ଉତଥାନ ପତନର ମୂକସାକ୍ଷୀ ସଦୃଶ ହୋଇଛି । ଅନ୍ୟ ଏକ ଆକର୍ଷଣ ହେଉଛି ଦୁର୍ଗର ପାର୍ଶ୍ଵରେ ଥିବା ବାରବାଟୀ ଷ୍ଟାଡିୟମ । ଏହାର ପ୍ରଭାବଶାଳୀ ଗଠନ ଶୈଳୀ ୨୫ ଏକର ଜାଗା ପରିମିତ ଏହାର ଅବସ୍ଥିତି ଏବଂ ପ୍ରାୟ ୪୫ ହଜାର ଦର୍ଶକ ବସିବା ପାଇଁ ଏଠାରେ ଏହାର ଦକ୍ଷତା ରହିଛି । ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାର କ୍ରୀଡା କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଏହି ଷ୍ଟାଡିୟମ ଭିତରୁ ଅନେକ ସମୟରେ ଧୀର ଗୁଣୁ ଗୁଣୁ ସ୍ଵରର ରୁଚିକର ଶଦ୍ଦ ଶୁଣିବାକୁ ମିଳିଥାଏ । ଫ୍ଲଡ ଲାଇଟ (ଉଜ୍ଜ୍ଵଳ ଆଲୋକ) ବ୍ୟବସ୍ଥା ବାରବାଟୀ ଷ୍ଟାଡିୟମର ଅନ୍ୟତମ ଆକର୍ଷଣ ହୋଇଛି । ଏହାର ନିକଟରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରହିଛି , ଯେଉଁଥିରେ ଶୀତତାପ ନିୟନ୍ତ୍ରକ ବ୍ୟବସ୍ଥା ରହିଛି । ଏଥିରେ ୬୦୦୦ ଦର୍ଶକଙ୍କର ବସିବାର କ୍ଷମତା ରହିଛି ।

ଦେବୀ କଟକ ଚଣ୍ଡୀ,ଗଡ ଚଣ୍ଡୀ ହେଉଛନ୍ତି କଟକ ସହରର ଅଧିଷ୍ଟାତ୍ରୀ ଦେବୀ । ଏତଦ ବ୍ୟତୀତ ସହରରେ ଅନେକ ଗୁଡିଏ ହିନ୍ଦୁ ମନ୍ଦିର ,ମହଜିଦ, ଚର୍ଚ୍ଚ,ଜୈନ ମନ୍ଦିର ଗୁରୁଦ୍ଵାର ଆଦି ରହିଛି। ପବିତ୍ର ମହାନଦୀ ଓ କାଠଯୋଡି ଦ୍ଵାରା ଘେରି ରହିଥିବା ଏହି ସହରର ଯୋବ୍ରାଠାରେ ଜଳରାଶି ସୁଦୃଶ୍ୟ , ମହାନଦୀ ଓ ନରାଜ ସେତୁ ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ । ଜିଲ୍ଲାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ପ୍ରସିଦ୍ଧ ଅଂଶୁପା ହ୍ରଦ,ଯାହାକି ବାଙ୍କୀରୁ ମହାନଦୀର ଅପର ପାର୍ଶ୍ଵରେ ରହିଛି, ପର୍ଯ୍ୟଟନମାନଙ୍କର ଆକର୍ଷଣର ଉତ୍ସ । ଅପେକ୍ଷାକୃତ ସାନ ହେଲେ ମଧ୍ୟ ଏହାର ପ୍ରାକୃତିକ ଶୋଭା ,ମଧୁର ଜଳ ରାଶି ବିଦେଶାଗତ ପକ୍ଷୀମାନଙ୍କ ପାଇଁ ସ୍ଵର୍ଗ ସଦୃଶ ହୋଇଥାଏ । ଏହାର ବିସ୍ତୃତ ଜଳରାଶି ମତ୍ସ୍ୟ ଚାଷ ଓ ନୌକା ବିହାର ପାଇଁ ଆଦର୍ଶ । ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଅଂଶୁପାରେ ଇକୋ-ଟୁରିଜିମର ବ୍ୟବସ୍ଥା କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି । ଅଂଶୁପା ଓ ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ କିଛି ବର୍ଷ ହେଲା ଏଠାରେ ଅଂଶୁପା ମହୋଶ୍ଚବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇ ଆସୁଛି । କଟକରୁ ୫୨ କି.ମି. ଏବଂ ନିକଟସ୍ଥ ବିମାନ ବନ୍ଦର ଭୁବନେଶ୍ଵର ଠାରୁ ୮୨ କି.ମି. ଦୂରତାରେ ଥିବା ବାଙ୍କୀ ପ୍ରଶିଦ୍ଧ ଶକ୍ତି ପୀଠ ମା ଚର୍ଚ୍ଚିକାଙ୍କ ପାଇଁ ପ୍ରସିଦ୍ଧ । ବାଙ୍କୀ ଉପଖଣ୍ଡ ସଦର ମହକୁମାଠାରୁ ୧୮ କି.ମି. ଦୂରରେ ବୈଦେଶ୍ଵରଠାରେ ଥିବା ବିଖ୍ୟାତ ରାମନାଥ ଦେବ ଏବଂ ସଂଲଗ୍ନ ମହାନଦୀ ପାର୍ଶ୍ଵରେ ସିଂହନାଥ ଦେବ ମନ୍ଦିର ରହିଛି ।

ପ୍ରାକୃତିକ ଶୋଭାରେ ବିମଣ୍ଡିତ ମହାନଦୀର ଏକ ଦୀପରେ ଅବସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର (ଶିବ) ଙ୍କର ପୀଠସ୍ଥଳୀ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । କୁଳୁକୁଳୁ ଶଦ୍ଦ କରି ବହିଯାଉଥିବା ମହାନଦୀ ଠାରେ ନୌକା ବିହାର ପାଇଁ ପ୍ରମୁଖ ସୁଯୋଗ ଆଣିଦେଇଥାଏ ।

ଧବଳେଶ୍ଵର ପୀଠର ଉତ୍ତରରୁ ମଞ୍ଚେଶ୍ଵରକୁ ଏକ ଝୁଲା ପୋଲ ସଂଯୋଗ କରୁଛି । ଧବଳେଶ୍ଵର ଯିବାକୁ ହେଲେ ଜଣଙ୍କୁ ଚୌଦ୍ଵାର ଦେଇ ମଞ୍ଚେଶ୍ଵରକୁ ୩୦କି.ମି. ଟ୍ୟାକ୍ସି ବା ଅଟୋ ଯୋଗେ ଯିବାକୁ ହୋଇଥାଏ । କଟକର ଉତ୍ତର ପଟୁ ନୌକାରେ ମଧ୍ୟ ସିଧାସଳଖ ଧବଳେଶ୍ଵର ପୀଠକୁ ଯାଇହୁଏ । ବଡମ୍ବାର ପ୍ରସିଦ୍ଧ ଦେବୀ ମା ଭଟ୍ଟାରିକାଙ୍କ ଶକ୍ତି ପୀଠ, ଶ୍ରୀ ଶ୍ରୀ ସିଂହନାଥ ଦେବ ପୀଠ (ଉଭୟ ବାଙ୍କୀର ବୈଦେଶ୍ଵର ଓ ବଡମ୍ବା ନିକଟସ୍ଥ), ଶ୍ରୀ ଶ୍ରୀ ଚମ୍ପାନାଥ ମନ୍ଦିର ଚମ୍ପେଶ୍ଵର, ନରସିଂହପୁର ଖାରଡ଼ ସ୍ଥିତ ମା ମହାକାଳୀ ମନ୍ଦିର, ମା ପ୍ରଗଳା ପୀଠ, ଆଠଗଡର ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ କେନ୍ଦ୍ରବିନ୍ଦୁ ।

ସଦର ଉପଖଣ୍ଡ ନିଆଳି ମାଧବ ମନ୍ଦିର, ଶୋଭନେଶ୍ଵର ମହାଦେବ ମନ୍ଦିର, ନିଶ୍ଚିନ୍ତକୋଇଲିର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ପୀଠ, ସାଲେପୁର ଧର୍ମାଗତପୁରର ଗଙ୍ଗେଶ୍ଵର ମହାଦେବ ମନ୍ଦିର, ନିଶ୍ଚିନ୍ତକୋଇଲିର ଶ୍ରୀ ଶ୍ରୀ ହରଚଣ୍ଡୀ ମନ୍ଦିର ପ୍ରସିଦ୍ଧ । ମାହାଙ୍ଗା ବ୍ଲକ ଉମର ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ଓ ହନୁମାନ ମନ୍ଦିର, ପ୍ରତାପ ନଗରୀର ଧାକୁଲେଇ ପୀଠ, କଟକ ସଦର ବ୍ଲକର ପରମହଂସ ଦେବ ମନ୍ଦିର କଟକ ଜିଲ୍ଲାର ଅନ୍ୟ କେତେକ ପର୍ଯ୍ୟଟନ ଓ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ମହାନଦୀରୁ ସୃଷ୍ଟି କାଠଯୋଡିର ଉତ୍ପତ୍ତି ସ୍ଥଳ ନରାଜ ନିକଟରେ ସୁବିସ୍ତୃତ ମହାନଦୀର ଜଳରାଶି ଆକର୍ଷଣୀୟ ଶୋଭା ବର୍ଦ୍ଧକ ଦେଖାଯାଏ । ଏହିଠାରେ ଅନେକଗୁଡିଏ ବୌଦ୍ଧ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥାଏ । ଏହି ସ୍ଥାନରେ ଥିବା ପ୍ରଭୁ ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିରକୁ ପୂଜା କରିବାପାଇଁ ଭକ୍ତ ମାନେ ଆସିଥାନ୍ତି । ଏହା ମଧ୍ୟ ବଣ ଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ । ଯୋବ୍ରା ସ୍ଥିତ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଅଧୂନା ପର୍ଯ୍ୟଟକମନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି,ଯେଉଁଠାରେ କି ଓଡିଶାର ଗୌରବମୟ ପ୍ରାଚୀନ ନୌବାଣିଜ୍ୟ ପରଂପରାର ସ୍ମୃତି ୧୦ ଟି ଗ୍ୟାଲେରୀ ଆକାରରେ ସାଇତା ହୋଇ ରହିଛି । ଏଠାରେ ମଧ୍ୟ ଆକ୍ଵାରିୟମ ରହିଛି , ଯେଉଁଠାରେ କି ୬୦ ପ୍ରକାର ପ୍ରଜାତିର ମାଛ ଓ ଜଳଚର ପ୍ରାଣୀ ରହିଛନ୍ତି । ଏଥି ସହିତ ଏକ ୪-ଡାଇମେନ୍ସାଲ ଏସ.ଏଫ.ଏକ୍ସ. ହଲ ରହିଛି, ଯେଉଁଥିରେ କି ୪୮ ଜଣ ଲୋକଙ୍କ ପାଇଁ ବସି ପ୍ରାମାଣିକ ଚଳଚ୍ଚିତ୍ର ଆଦି ଦେଖିବାର ସୁଯୋଗ ରହିଛି ।

କଟକର ବକ୍ସି ବଜାରଠାରେ ଥିବା ପାନ୍ଥ ନିବାସ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ସହଜସାଧ୍ୟ କରାଇପାରିଛି । ଏଠାରେ ୨୦ ଟି ପ୍ରକୋଷ୍ଠ ରହିଛି ଯେଉଁଥିରେ କି ପ୍ରାୟ ୬୦ ଜଣଙ୍କର ରହଣି ସୁବିଧା ଅଛି । ଏତଦ ବ୍ୟତୀତ ଏଠାରେ ଗୋଟିଏ ବଡ ସମ୍ମିଳନୀ କକ୍ଷ, ବୈଠକ ଆଦି ଅନୁଷ୍ଠିତ ହେବା ପାଇଁ ରହିଛି । ଏଠାରୁ ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯଥା କପିଳାସ ଶୈବ ପୀଠ, ମା ବିରାଜ ପୀଠ, ଚଣ୍ଡୀଖୋଲ, ପାରାଦ୍ଵୀପ ଇତ୍ୟାଦି ସ୍ଥାନକୁ ବସ ଯୋଗେ ଯାତ୍ରା କରାଯାଇଥାଏ ।

ମେଳା ଓ ପର୍ବ ପର୍ବାଣି

ଅନେକ ସାମାଜିକ ଓ ଧାର୍ମିକ ସାଂସ୍କୃତିକ ପର୍ବ ପର୍ବାଣିର ପାଳନ କଟକ ସହର ଓ ଜିଲ୍ଲାର ସାଧାରଣ ବିଶେଷତ୍ଵ । ସେସବୁ ମଧ୍ୟରେ–

ଅକ୍ଷୟ ତୃତୀୟା : ଏହା ଏକ ଗୁରୁତ୍ଵପୂର୍ଣ୍ଣ କୃଷି ଭିତ୍ତିକ ପର୍ବ, ଯାହାକି ବୈଶାଖମାସରେ କୃଷି କ୍ଷେତ୍ରରେ ପ୍ରାଥମିକ ଧାନବୁଣା ସମୟରେ ଅନୁଷ୍ଠିତ ହୋଇଥାଏ । ଏହାକୁ ଅଖିମୁଠି ଅନୁକୂଳ କୁହାଯାଏ । ଏହି ଦିନ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ପ୍ରସିଦ୍ଧ ଚନ୍ଦନଯାତ୍ରା ଏହି ଦିନହିଁ ଅନୁଷ୍ଠିତ ହୁଏ । ଗ୍ରାମୀଣ ଲୋକେ ଅକ୍ଷୟ ତୃତୀୟାକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ।

ରଥଯାତ୍ରା : ଏହା ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୁଏ । କଟକ ସହରରେ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟ ଜଗନ୍ନାଥ ମନ୍ଦିର ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନ ଯଥା- ଡମପଡା ଜଗନ୍ନାଥ ମନ୍ଦିର, ଆଠଗଡ ଜଗନ୍ନାଥ ମନ୍ଦିର ଆଦି ବହୁ ସ୍ଥାନରେ ରଥଯାତ୍ରା ଜନ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

ଗଣେଶପୂଜା :କଟକ ସହରରେ ପାର୍ବଣ ଋତୁ ଗଣେଶ ପୂଜାଠାରୁ ଆରମ୍ଭ କରି ବାଲିଯାତ୍ରା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ପ୍ରଭୁ ବିନାୟକ ପ୍ରତ୍ୟେକ ଘରେ ଘରେ ଜ୍ଞାନ ଓ ସମୃଦ୍ଧିର ଦେବତା । ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳିତ ହୁଏ । ଗଣେଶ ପୂଜାର ଭସାଣି ଉତ୍ସବ କଟକ ସହରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଥାଏ । ସେହିପରି ସରସ୍ଵତୀ ପୂଜା, ଖୁଦୁରୁକୁଣୀ ଓଷା, ଶିବରାତ୍ରି , ମାଘ ସପ୍ତମୀ ଓ ମଙ୍ଗଳବାର ଓଷା ଜିଲ୍ଲାର ସବୁ ଅଂଚଳରେ ଲୋକମାନେ ପାଳନ କରିଥାନ୍ତି ।

ଦୁର୍ଗାପୂଜା :କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିର କଟକ ସହରର ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାରେ ଶକ୍ତି ଉପାସନା ପ୍ରାକ-ଗୁପ୍ତ ସାମ୍ରାଜ୍ୟ ସମୟରୁ ହୋଇଆସୁଛି ।

କଥିତ ଅଛି ଯେ, ପଂଚଦଶ ଶତାଦ୍ଦୀରେ ଶ୍ରୀ ଚୈତନ୍ୟ ଦେବଙ୍କ ଓଡିଶା ଆଗମନ ସମୟରେ କଟକରେ ପ୍ରଥମେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ଦୁର୍ଗାପୂଜା ସମୟରେ ମା ଦୂର୍ଗାଙ୍କ ସମେତ ଶିବ, ପାର୍ବତୀ, ଶକ୍ତିଙ୍କ ପ୍ରତିମୂର୍ତ୍ତି କାରୀଗରମାନଙ୍କ ଦ୍ଵାରା ନିର୍ମାଣ କରାଯାଇ ପୂଜା କରାଯାଇଥାଏ ।

କଟକ ଦୁର୍ଗାପୂଜା ଭସାଣି ଅତ୍ୟନ୍ତ ଆକର୍ଷଣୀୟ, ଲୋକପ୍ରିୟ ଓ ଆନନ୍ଦଦାୟକ । ଏହି ପୂଜା ଓଡିଶାର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ପରଂପରା ସହିତ ଜଡିତ । କଟକ ସହରରେ ସମୟାନୁକ୍ରମେ ପୂଜା ମଣ୍ଡପ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨ ବର୍ଷ ହେଲା ଦୁର୍ଗ।, ଭଗବାନ ଶିବ ଓ ସେହିଭଳି ଅନ୍ୟାନ୍ୟ ପ୍ରତିମୁତ୍ତି ୧୫୭ ଗୋଟି ପୂଜା ମଣ୍ଡପରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଆସୁଛି । ଭସାଣି ଉତ୍ସବର ସବୁଠୁ ବଡ ବିଶେଷତ୍ଵ ହେଲା, ସମସ୍ତ ଦେବାଦେବୀମାନଙ୍କର ମେଢଗୁଡିକ ଅତ୍ୟନ୍ତ ଶୁଙ୍ଖଳିତ ଭାବରେ ପାରସ୍ପରିକ ଭାତୃଭାବର ଭାବନା ମଧ୍ୟରେ ଯାହାକୁ କି କଟକର “ଭାଇଚାରା” ବୋଲି କୁହାଯାଏ, ସେହି ସଂପର୍କର ରଜ୍ଜୁରେ ସେମାନେ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ବିସର୍ଜନ କାର୍ଯ୍ୟ ସମାପନ କରିଥାନ୍ତି ।

କୁମାର ପୂର୍ଣ୍ଣିମା : ପ୍ରତି ବର୍ଷ ଆଶ୍ଵିନ ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ । କଟକକୁ ଛାଡି ଦେଲେ ଚୌଦ୍ଵାର ଓ ବାଙ୍କୀ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ବାଙ୍କୀରେ ୨୦୦୦ ମସିହାଠାରୁ ପ୍ରତି ବର୍ଷ ୫ ଦିନ ବ୍ୟାପୀ ଆନନ୍ଦ ଉଲ୍ଲାସର ସହ ବାଙ୍କୀ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଗତ ବର୍ଷ (୨୦୧୭ ମସିହା) ବାଙ୍କୀ ମହୋତ୍ସବ ଅକ୍ଟୋବର ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

କାଳୀପୂଜା : କଟକ ସହରରେ କାଳୀପୂଜା ଓ ଭସାଣି ଉତ୍ସବ ଅତ୍ୟନ୍ତ ଆନନ୍ଦ ଉତ୍ସବର ସହ ପାଳିତ ହୋଇଥାଏ । ଗତ ବର୍ଷ (୨୦୧୭ ମସିହା) କାଳୀପୂଜା ଓ ଦୀପାବଳି ଉତ୍ସବ ଅକ୍ଟୋବର ୧୯ ତାରିଖରେ ଅନୁଷ୍ଠିତ ହୋଇ ଅକ୍ଟୋବର ୨୨ ତାରିଖରେ ଭସାଣି ଉତ୍ସବ ସଂପନ୍ନ କରଯାଇଥିଲା । କଟକ ସହର ଓ ଏହାର ଆଖପାଖ ବିଭିନ୍ନ ପୂଜା ମଣ୍ଡପରେ ମା କାଳୀଙ୍କ ପ୍ରତିମୂର୍ତ୍ତି ପୂଜା କରଯାଇଥିଲା ।

ମା ଶୋଳପୁରୀ ପୂଜା :- ଷୋଳ ପୂଅ ମା’ଠାକୁରାଣୀ ପୂଜା ନାମରେ ଜ୍ଞାତ । ଏହା କଟକ ସହରରେ ରହୁଥିବା ତେଲେଗୁ ସଂପ୍ରଦାୟର ଲୋକମାନେ ପାଳନ କରିଥାନ୍ତି । ଏହି ପର୍ବ କଟକ ସହରରେ ମା ଦୂର୍ଗାଙ୍କର ପୂଜା ଅନୁଷ୍ଠିତ ହେଉଥିବା ସମୟରେ ପାଳିତ ହୋଇ ଆସୁଥିବାର ପରମ୍ପରା ରହିଆସିଛି ।

ଛଟ ପୂଜା : ଅକ୍ଟୋବର ମାସରେ କଟକ ସହରର ବିହାରୀ ସଂପ୍ରଦାୟର ଲୋକମାନେ ଛଟ ପୂଜା କରିଥାନ୍ତି । ସେମାନେ ନଦୀ ଶଯ୍ୟାକୁ ଯାଇ ସୂର୍ଯ୍ୟ ଦେବକୁ ପୂଜା କରିଥାନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା/ରାସ ପୂର୍ଣ୍ଣିମା ଏବଂ ବାଲିଯାତ୍ରା :- ବର୍ଷକର ଓଡିଆ ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ ଭାବେ ବିବେଚନା କରାଯାଏ । ପ୍ରାଚୀନ କାଳରୁ କାର୍ତ୍ତିକ ପୂର୍ଣ୍ଣିମାକୁ ବୋଇତା ବନ୍ଦାଣ ଦିବସ ଭାବେ ପାଳିତ ହୋଇ ଆସୁଛି । ଓଡିଶା ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଏହି କାର୍ତ୍ତିକ ପୂର୍ଣ୍ଣିମା ସହିତ ସଂପୃକ୍ତ । ପ୍ରାଚୀନ କଳିଙ୍ଗ ଉପକୂଳରୁ ସାଧବ ପୁଅମାନେ ନୌଯାତ୍ରା କରି ପୂର୍ବ ଏସୀୟ ଦେଶ ଯଥା ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ସିଂହଳ ଆଦି ଦ୍ଵୀପକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ । ସେହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ଆଜି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃ ସମୟରେ ଓଡିଶାର ଲୋକମାନେ କଦଳୀ ପଟୁକାରେ ଡଙ୍ଗା ପ୍ରସ୍ତୁତ କରି ସେଥିରେ ପାନ, ଗୁଆ, ଦୀପ ଥୋଇ ନଦୀ ବା ପୋଖରୀରେ ଭସାଇଥାନ୍ତି ।

କଟକର ପ୍ରସିଦ୍ଧ ବାଲିଯାତ୍ରା ଏହି ଦିନଠାରୁ ଆରମ୍ଭ ହୋଇଥାଏ । ଏବେ ଏହା କଟକର ବାରବାଟୀ ଦୁର୍ଗ କିଲ୍ଲା ପଡିଆରୁ ମହାନଦୀ ବାଲୁକା ଶଯ୍ୟା ବା ତଳପଡିଆକୁ ପ୍ରସାରିତ ହୋଇଛି । ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଉତ୍ପାଦକୁ ପ୍ରଦର୍ଶିତ କରି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ । ଗତ ବର୍ଷ (୨୦୧୭ ମସିହା) ରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ଗାନ୍ଧି ଶିଳ୍ପ ବଜାର ସହିତ ବାଲିଯାତ୍ରା କଟକ ଉତ୍ସବ ନଭେମ୍ବର ୪ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ବାଲିଯାତ୍ରା ଏବେ ରାଜସ୍ଥାନର ପୁଷ୍କର ମେଳା ଭଳି ବୃହତ ବାଣିଜ୍ୟିକ ମେଳାରେ ପରିଣତ ହୋଇଛି । ଗତ ବର୍ଷ ବାଲିଯାତ୍ରା ପଡିଆର ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଂଚରେ ଏହି ୮ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲ୍ଲାର ସ୍ଥାନୀୟ କଳାକାର ଏବଂ ଜିଲ୍ଲା କଳା ସଂସ୍କୃତି ସଂଘରେ ଅନୁବନ୍ଧିତ ଲୋକକଳାକାରମାନଙ୍କ ବ୍ୟତୀତ ଓଡିଶା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାର ଯଥା ଆସାମ, ବଙ୍ଗଳାଦେଶ ଆଦି ସୁଦୂରରୁ କଳାକାରମାନେ ଏହି ବାଲିଯାତ୍ରା ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଉପଖଣ୍ଡ ଏବଂ ମଣ୍ଡଳ

ଉପଖଣ୍ଡ ଏବଂ ମଣ୍ଡଳର ତାଲିକା

  • ଆଠଗଡ଼
    1. ଆଠଗଡ଼
    2. ବଡ଼ମ୍ବା
    3. ନରସିଂହପୁର
    4. ତିଗିରିଆ
  • ବାଙ୍କୀ
    1. ବାଙ୍କୀ
    2. ବାଙ୍କୀ-ଡମପଡ଼ା
  • କଟକ ସଦର
    1. ବାରଙ୍ଗ
    2. କଟକ ସଦର
    3. କଣ୍ଟାପଡ଼ା
    4. ମାହାଙ୍ଗା
    5. ନିଆଳୀ
    6. ନିଶ୍ଚିନ୍ତକୋଇଲି
    7. ସାଲେପୁର
    8. ଟାଙ୍ଗିଚୌଦ୍ଵାର

ଥାନା

  • ଆଠଗଡ଼
  • ବାଦାମବାଡ଼ି
  • ବୈଦେଶ୍ଵର
  • ବାଙ୍କୀ

ଇତ୍ୟାଦି ଥାନା ରହିଛି ।

ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ


  1. ଅଂଶୁପା ଜେଆର. କଲେଜ ଅଫ ଏଜୁକେଶନ; ଟେକନୋଲୋଜି
  2. ଅନନ୍ତ ବଳିଆ ଜୁନିୟର କଲେଜ
  3. ଆଇନ୍ସଟାଇନ ସାଇନ୍ସି କଲେଜ
  4. ଆକାଡେମିଆ ଇଣ୍ଟେରନେସନାଲ କଲେଜ ଅଫ ସାଇନ୍ସି
  5. ଆଞ୍ଚଳିକ (ଜେଆର)କଲେଜ ଅଫ ଆର୍ଟସ; ଟେକନୋଲଜି
  6. ଆଞ୍ଚଳିକ ଜେଆର. କଲେଜ,ରେବା

ଇତ୍ୟାଦି ବିଭିନ୍ନ ମହାବିଦ୍ୟାଳୟ/ ବିଶ୍ଵବିଦ୍ୟାଳୟ ରହିଛି ।

ବିଦ୍ୟାଳୟ

  1. ରେଭେନ୍ସା କଲେଜିଏଟ ବିଦ୍ୟାଳୟ, କଟକ
  2. ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ
  3. ରେଭେନ୍ସା ଗାର୍ଲ ହାଇସ୍କୁଲ  ଇତ୍ୟାଦି ବିଦ୍ୟାଳୟ ରହିଛି ।

ପସନ୍ଦ ସ୍ଥାନ

କଟକ ସହରରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ଭାରତୀୟମାନଙ୍କୁ ଗର୍ବିତ କରିବା ସଙ୍ଗେ ସଙ୍ଗେ ଦେଶପ୍ରେମର ଆବେଗରେ ଉତଫୁଲ୍ଲିତ କରିଥାଏ । ପ୍ରତ୍ୟେକ ଜାଣନ୍ତି ଯେ, ସେ ଜଣେ ମହାନ ନେତା ଥିଲେ, ଯିଏ କି ଭାରତର ଇତିହାସର ଗତିପଥକୁ ବଦଳାଇ ଦେଇଥିଲେ । ଭାରତର ସ୍ଵାଧୀନତା ସଂଗ୍ରାମରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ତାଙ୍କର ସଂଗ୍ରାମର ଅବଦାନ ଅସାଧାରଣ ଥିଲା । ଦେଶର ସ୍ଵାଧୀନତା ପାଇଁ ସେ ସବୁକିଛି ତ୍ୟାଗ କରିଥିଲେ ଏବଂ ଆଜି ମଧ୍ୟ ଭାରତୀୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ।

ଜାନକୀନାଥ ଭବନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପୈତୃକ ଘର, ଓଡିଶାର କଟକ ସହର ସ୍ଥିତ ଓଡିଆ ବଜାରଠାରେ ରହିଛି । ସୁଭାଷ ବୋଷ ଏହି ଘରେ ୨୩.୧.୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ବାଲ୍ୟ ଜୀବନ ସେ କଟକରେ ହିଁ ଅତିବାହିତ କରିଥିଲେ । ତାଙ୍କର ୮ ଜଣ ଭାଇ ଓ ୬ ଜଣ ଭଉଣୀଙ୍କୁ ନେଇ ବଡ ପରିବାର ବିଶିଷ୍ଟ ଏହି ଘରେ ହିଁ ସେ ରହୁଥିଲେ । ତାଙ୍କର ପିତା ଜାନକୀନାଥ ପେଶାରେ ଜଣେ ଓକିଲ ଥିଲେ ଏବଂ ସେ ସମୟରେ ତାଙ୍କର ବହୁ ସୁନାମ ରହିଥିଲା । ୧୯୧୩ ମସିହାରେ ସୁଭାଷ ବୋଷ ରେଭେନ୍ସା କଲିଜିଏଟ ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହାପରେ ସେ ଉଚ୍ଚତର ଶିକ୍ଷା ପାଇଁ କଲିକତା ଯାଇଥିଲେ ।

ଆଗ୍ରହଜନକ ସଂଗ୍ରହ ଯାହାକି ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି, ତନ୍ମଧ୍ୟରେ ରହିଛି ନେତାଜୀଙ୍କ ସ୍ଵହସ୍ତ ଲିଖିତ ୨୨ଟି ମୂଳ ଚିଠି, ଯେଉଁସବୁକୁ ସେ ଜେନେଭା, ଇଟାଲୀର ମିଲନ, ମଣ୍ଡଳାୟ କାରାଗାର, ମିଆଁମାର ରେଙ୍ଗୁନ ଜେଲ, ପ୍ରେସିଡେନ୍ସି ଜେଲ, ଆଲିପୁର, ନ୍ୟୁ ସେଣ୍ଟ୍ରାଲ ଜେଲ, କଲିକତା ଏବଂ ବର୍ଲିନରେ ଥିବା ତାଙ୍କର ପିତାମାତା ଓ ପରିବାରର ସଦସ୍ୟମାନଙ୍କ ପାଖକୁ ଲେଖିଥିଲେ ।

ମଧୁସ୍ମୃତି

ମଧୁସ୍ମୃତି, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ବା କର୍ମଭୂମି ଭାବେ ପରିଚିତ । ଏହା କଟକରେ ରହିଛି । ମଧୁସୂଦନ ଦାସ ୧୮୯୨ ରୁ ୧୯୩୪ ମସିହା, ତାଙ୍କର ଦେହାନ୍ତ ପର୍ଯ୍ୟନ୍ତ ଏହିଠାରେ ରହୁଥିଲେ । ଅଧୁନା ଏହି କୋଠାଘର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ।ଳୟ ଭାବେ ବ୍ୟବହୃତ ହେଉଛି । ମଧୁସୂଦନ ଦାସ ୧୮୪୮ ମସିହାରେ କଟକ ଜିଲ୍ଲା ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ସେ ତାଙ୍କର ପ୍ରାଥମିକ ଶିକ୍ଷା ଗାଁ ଚାଟଶାଳୀରୁ ଆରମ୍ଭ କରି ପରେ କଟକ ଜିଲ୍ଲାସ୍କୁଲ ଓ ତତ୍ପରେ କଲିକତା ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ୧୮୭୦ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓଡିଶାର ପ୍ରଥମ ସ୍ନାତକ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଇଂରାଜୀରେ ଏମ.ଏ. (ସ୍ନାତକୋତ୍ତର) ଏବଂ ଆଇନରେ ସ୍ନାତକ ପାସ କରି ପାଟଣା ଉଚ୍ଚ ନ୍ୟାୟାଳୟରେ ଜଣେ ଖାତନାମା ଆଇନଜ୍ଞ ଭାବେ ସୁନାମ ଅର୍ଜ୍ଜନ କରିଥିଲେ ।
ସ୍ଵର୍ଗତ ମଧୁସୂଦନ ଦାସଙ୍କ ବିଷୟରେ ଏହା କୁହାଯାଇପାରେ ଯେ ସେ ଜଣେ ମନୁଷ୍ୟ ଭାବରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ମୃତ୍ୟୁବେଳକୁ ସେ ଜଣେ ଅନୁଷ୍ଟାନ ଭାବେ ପରିଚିତ ହୋଇପାରିଥିଲେ ।

ନୌବାଣିଜ୍ୟ ସଂଗ୍ରହାଳୟ

୧୦ ଟି ଗ୍ୟାଲେରୀ ଲକ୍ଷଣଯୁକ୍ତ ବିଭିନ୍ନ ସ୍ମୃତିକୁ ସ୍ଥାନିତ କରି ରହିଥିବା ଏହି ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ପୁରାତନ ଓ ନୂତନର ଅବିଶ୍ଵସନୀୟ ସମିଶ୍ରଣ । ଏହି ଆଧୁନିକ ସଂଗ୍ରହାଳୟର ଗ୍ୟାଲେରୀ ଗୁଡ଼ିକରେ ରହିଥିବା ସୁନ୍ଦର ତଥା ଅତି ପ୍ରାଚୀନ କୀର୍ତ୍ତିରାଜି ଯଥା ଓଡିଶା ନୌବାଣିଜ୍ୟର ଇତିହାସ,ନୌକା ଏବଂ ଜାହାଜ ତିଆରି କାରଖାନା,ଓଡିଶା ଉପକୂଳର ବିଭିନ୍ନ ସ୍ମୃତିଚିହ୍ନ,ଯୋବ୍ରା ୱାର୍କସପ, ଓଡିଶାର କର୍ମକର୍ମାଣି, ନୌଯାତ୍ରାର ସ୍ମାରକୀ ରହିଥିବା ସ୍ପଷ୍ଟ ଜଣାପଡ଼େ ।

ତତ ସହିତ ଏଠାରେ ମଧ୍ୟ ଏକ ସ୍ଵତନ୍ତ୍ର ଧରଣର ପ୍ରଦର୍ଶନୀ ଯଥା ପ୍ରାଚୀନ କରତକଳ, ନୌକା କ୍ରୟ ବିକ୍ରୟ କେନ୍ଦ୍ର, ନୌକା ମରାମତି, ପୋତ, ପିଲାମାନଙ୍କ ବ୍ୟବହାର ପାଇଁ ସଜ୍ଜିତ ପ୍ରକୋଷ୍ଠ ସମେତ ଗ୍ରନ୍ଥାଗର ଏବଂ ଗବେଷଣାକେନ୍ଦ୍ର ମଧ୍ୟ ରହିଛି।

ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ପୈତୃକ ଗୃହ କଟକ ତୁଳସୀପୁର ସ୍ଥିତ ଆନନ୍ଦ ଭବନ ଏକ ସଂଗ୍ରହାଳୟ ଓ ଅଧ୍ୟୟନକେନ୍ଦ୍ର ଭାବେ ରାଜ୍ୟବାସୀଙ୍କୁ ଲୋକାର୍ପିତ କରାଯାଇଛି । ବିଜୁବାବୁଙ୍କ ସହିତ ସମ୍ପୃକ୍ତ କେତେକ ପୁରାତନ ଆସବାବ ପତ୍ର ସମେତ ବହୁ ସଂଖ୍ୟକ ଫଟୋଚିତ୍ର ଏହି ସଂଗ୍ରହାଳୟର ଅଂଶ ବିଶେଷ ହୋଇଛି।

ସ୍ଵରାଜ ଆଶ୍ରମ

କାଠଯୋଡି ନଦୀ ଶଯ୍ୟା ସମ୍ମୁଖରେ କଟକ ସହରରେ ସ୍ଵରାଜ ଆଶ୍ରମ ଅବସ୍ଥିତ । ଓଡିଶାରେ ସ୍ଵାଧୀନତା ଆନ୍ଦୋଳନ, ଜାତୀୟ କଂଗ୍ରେସ ଏବଂ ଓଡିଶାରୁ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିବା ଜଣାଶୁଣା ନେତୃବର୍ଗଙ୍କ ସହିତ ଏହି ପୁରାତନ କୋଠାଘର-ସ୍ଵରାଜ ଆଶ୍ରମ ବହୁ ଭାବେ ଜଡ଼ିତ । ସ୍ଵରାଜ ଆଶ୍ରମର ମୂଳକୋଠା କେନ୍ଦ୍ରସ୍ଥଳରେ ଅବସ୍ଥିତ ଯାହାକି ୨ ମହଲା ବିଶିଷ୍ଟ ଏବଂ ବ୍ରିଟିଶ ଔପନିବେଶିକ ସମୟରେ ନିର୍ମିତ ହୋଇଥିଲା । ଏହି କୋଠାଘର ପଛପଟେ ଅନ୍ୟ ଏକ ୨ ମହଲା ବିଶିଷ୍ଟ କୋଠାଘର ମଧ୍ୟ ରହିଛି । ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଏହା ସଂରକ୍ଷିତ କୀର୍ତ୍ତି ଭାବେ ପରିଗଣିତ ହୋଇଛି ।

ବାରବାଟୀ ଦୁର୍ଗ

ବାରବାଟୀ ଦୁର୍ଗର ଧ୍ଵଂସାବଶେଷ, ଏହାର ଗଡଖାଇ, ଦୁର୍ଗର ଫାଟକ, ଉତଖନନ କରାଯାଇଥିବା ରାଜପ୍ରାସାଦ ପରିସର ଏବଂ ଏଠାରେ ଥିବା ଗଙ୍ଗ ବଂଶୀୟ ସମୟ ମନ୍ଦିରର ପାଦଦେଶ ମହାନନ୍ଦୀ ତଟରେ ଅବସ୍ଥିତ ଏବଂ ଓଡିଶା ଇତିହାସର ଉତଥାନ ପତନର ମୂକସାକ୍ଷୀ ଅଟେ ।

ଏହି ଐତିହାସିକ ଦୁର୍ଗ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଓଡିଶାର ପ୍ରସିଦ୍ଧ ରାଜା ଅନଙ୍ଗଭୀମ ଦେବ ୩ୟ , ନରସିଂହ ୧ ,କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କ ରାଜଧାନୀ ଥିଲା ଏବଂ ସେମାନେ ଏହି ସ୍ଥାନରୁ ସେମାନଙ୍କର ବୃହତ ସାମ୍ରାଜ୍ୟକୁ ଶାସନ କରୁଥିଲେ । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଏହା ସୁରକ୍ଷିତ କୀର୍ତ୍ତି ଭାବେ ରହିଛି ।

ବାରବାଟୀ ଷ୍ଟାଡିୟମ

ଏକ ଅନନ୍ୟ ସ୍ମୃର୍ତିଚିହ୍ନ ଭାବେ ପରିଚିତ ଓଡିଶାର କଟକ ସହରରେ ଅବସ୍ଥିତ ବାରବାଟୀ ଷ୍ଟାଡିୟମ ଏକ ପ୍ରମୁଖ ଭାରତୀୟ ଖେଳ ପଡିଆ । ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଏହା ଏକ ନିୟମିତ ଖେଳ ପଡିଆ ଏବଂ ଓଡିଶା କ୍ରିକେଟ ଆସୋସିଏସନର ଘରୋଇ ଖେଳ ପଡିଆ ।

ଏହି ଷ୍ଟାଡିୟମ ଓଡିଶା ଅଲିମ୍ପିକ ସଂଘର ସଂପତ୍ତି ଓ ସଂଘ ଦ୍ଵାରା ପରିଚାଳିତ। ୪୫ ହଜାର ଦର୍ଶକମାନଙ୍କର ବସିବା ପାଇଁ ସାମର୍ଥ୍ୟ ଥିବା ଏହି ଷ୍ଟାଡିୟମରେ ଆଧୁନିକ ଭିତ୍ତିଭୂମି ଯଥା ଦର୍ଶକମାନଙ୍କ ଷ୍ଟାଣ୍ଡ ବ୍ୟବସ୍ଥା,ଦିବାରାତ୍ର ମ୍ୟାଚ ପାଇଁ ଉଜ୍ଜ୍ଵଳ ଆଲୋକ (ଫ୍ଳଡ ଲାଇଟ) ବ୍ୟବସ୍ଥା ଧାରା ବିବରଣୀ ପ୍ରଦାନକାରୀଙ୍କ ପାଇଁ କୋଠରୀ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। କ୍ରିକେଟ ମ୍ୟାଚ ବ୍ୟତୀତ ଏହି ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୁଏ । ଏହି ଷ୍ଟାଡିୟମରେ ପ୍ରଥମ ଶ୍ରେଣୀୟ ଫୁଟବଲ ଲିଗ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୁଏ ।

କଟକ ଚଣ୍ଡୀ ମନ୍ଦିର

ଏହି ପ୍ରାଚୀନ ମନ୍ଦିର ଅଧିଷ୍ଟାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ପାଇଁ ଉତ୍ସର୍ଗୀକୃତ ।

ମହାନଦୀ କୂଳରେ ଅବସ୍ଥିତ ଥିଲେ ହେଁ ଏହା ସହରର ମଧ୍ୟ ଭାଗରେ ଅବସ୍ଥିତ । ବାର୍ଷିକ ଦୁର୍ଗାପୂଜା ଓ କାଳୀପୂଜା ଉତ୍ସବ ପାଇଁ ଏହି ମନ୍ଦିର ପ୍ରସିଦ୍ଧ । କଟକ ଚଣ୍ଡୀ ମନ୍ଦିରରେ ଦୁର୍ଗାପୂଜା ପର୍ବ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇ ୧୬ ଦିନ ଧରି ଆଶ୍ଵିନ ଶୁକ୍ଳ ପକ୍ଷ ନବମୀ ଓ ବିଜୟା ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ।

ଜୈନ ମନ୍ଦିର

ଚୌଧୁରୀ ବଜାର କଟକଠାରେ ପ୍ରସିଦ୍ଧ ଜୈନ ମନ୍ଦିର ରହିଛି ।

କଦମ-ଇ-ରସୁଲ

କଟକ ସହର ଦୀର୍ଘ ଦିନ ଧରି ସମ୍ମାନର ସହ ମୁସଲମାନମାନଙ୍କ ରାଜନୈତିକ ଶାସନ ଗାଦୀ ଭାବେ ରହି ଆସିଥିଲା ।

ସେହି ସମୟରୁ କଟକରେ ବହୁ ମୁସଲିମ କୀର୍ତ୍ତିରାଜି ଗଢି ଉଠିଥିଲା । ତନ୍ମଧ୍ୟରୁ ଏକ ସୁନ୍ଦର କୀର୍ତ୍ତି କଦମ-ଇ-ରସୁଲ ସୁଜାଉଢିନ ଖାଁଙ୍କ ଦ୍ଵାରା ନିର୍ମିତ ହୋଇଥିଲା।

ଏହାର ପରିସର ୪ କୋଣରେ ଛୋଟ ଛୋଟ ଅଥଚ ଶକ୍ତିଶାଳୀ ଗମ୍ବୁଜମାନ ନିହାଣ ମୁନରେ ଗଢାଯାଇଛି । ଏହାର କେନ୍ଦ୍ରସ୍ଥଳରେ ଆକର୍ଷଣୀୟ ଗମ୍ବୁଜ ଥାଇ ଅନ୍ୟ ୪ ଗୋଟି ଚେପଟାକୃତି ଗମ୍ବୁଜ ଏବଂ ପକ୍କା ଚଟାଣ ଏହାକୁ ସବୁ ଦିଗରୁ ମଣ୍ଡନ କରୁଛି ଏବଂ କବରଖାନାରୁ ମୁଖ୍ୟ ଅଷ୍ଟକୋଣୀ କୋଠାକୁ ସଂଯୋଗ କରୁଛି । ଏଠାରେ ଧର୍ମ ପ୍ରବର୍ତ୍ତକ ମହମ୍ମଦଙ୍କର ବୃତ୍ତାକାର ପ୍ରସ୍ତର ଖୋଦେଇ ପାଦଚିହ୍ନ ରହିଛି,  ଗମ୍ବୁକ ବାହାରେ ସ୍ଵର୍ଣ୍ଣ ନୌକା ସଦୃଶ ମଣ୍ଡନ କରୁଛି ।

ରେଭେନ୍ସା ବିଶ୍ଵ ବିଦ୍ୟାଳୟ

ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟ ନାମରେ ପରିଚିତ ଥିବା ଆଜିର ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ, ଯାହାକି ୧୮୬୮ ମସିହାରେ ତତ୍କାଳୀନ ଓଡିଶାର କମିଶନର ମିଷ୍ଟର ଟି. ଇ.ରେଭେନ୍ସାଙ୍କ ଆନ୍ତରିକ ପ୍ରଚେଷ୍ଟାରେ ସ୍ଥାପିତ ହୋଇ ତାଙ୍କରି ଉଦ୍ୟମରେ ହିଁ ଏହା ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ ହୋଇଥିଲା ।

ରେଭେନ୍ସା ମହାବିଦ୍ୟାଳୟର କୋଠା ଦେଖିବାକୁ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଏହାର ସ୍ଥାପତ୍ୟରେ ଔପନିବେଶିକ ପ୍ରଭାବ ପରିଲକ୍ଷିତ ହୋଇଛି ।

ଆଧାର –

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top