ସେଆର କରନ୍ତୁ

କଳାହାଣ୍ଡି

କଳାହାଣ୍ଡି ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆ ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା) କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ଵାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା।

କଳାହାଣ୍ଡି ନାମର ଉତ୍ପତ୍ତି :-

ଓଡିଆରେ “କଳାହାଣ୍ଡି” ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାର ମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ ।

କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬) ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । ସେହିପରି କୋଟପାଡ ପାଖର ଗ୍ରାମ ଶସାହାଣ୍ଡି ଓ ପାପଡାହାଣ୍ଡିକୁ ବସ୍ତର ଅଞ୍ଚଳ ଲୋକମାନେ ଶାସଊଣ୍ଡ ଓ ପାପଡାଊଣ୍ଡ କହିଥାନ୍ତି । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପର ଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା ।

ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ର କ୍ଷେତ୍ରଫଳ ହେଲା ପ୍ରାୟ ୭,୯୨୦ ବର୍ଗ କିଲୋମିଟର । ଏହି କ୍ଷେତ୍ରଫଳ ଉତ୍ତର ଅକ୍ଷାଂଶ ୧୯.୧୭୫୪୮୯ଂ ରୁ ୨୦.୪୫୪୫୧୭ଂ ଏବଂ ପୂର୍ବ ଦ୍ରାଘିମା ୮୨.୬୧୭୭୬୭ଂ ରୁ ୮୩.୭୯୪୮୭୪ଂ ମଧ୍ୟ ରେ ଅବସ୍ଥିତ । ଏହି ଜିଲ୍ଲା ଦକ୍ଷିଣ-ପଶ୍ଚିମ ଓଡିଶାରେ ଅବସ୍ଥିତ ଅଟେ । ଏହାର ଉତ୍ତର-ପଶ୍ଚିମ ଦିଗରେ ବଲାଙ୍ଗିର ଜିଲ୍ଲା ଏବଂ ନୂଆପଡା ଜିଲ୍ଲା ତଥା ଦକ୍ଷିଣ ଦିଗରେ ନବରଙ୍ଗପୁର ଜିଲ୍ଲା , କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲା ଅବସ୍ଥିତ । ପଶ୍ଚିମରେ ଛତିଶଗଡ ରାଜ୍ୟ, ଉତ୍ତରରେ ବୌଦ୍ଧ ଏବଂ ଉତ୍ତର-ପୂର୍ବରେ କନ୍ଧମାଳ ଜିଲ୍ଲା ଅଛି ।

କଳାହାଣ୍ଡି ଜିଲ୍ଲା ର ଜଳବାୟୁ ଉଷ୍ମ ଓ ଶୁଷ୍କ ଅଟେ । କେବଳ ବର୍ଷା ଦୁଇ ମାସ ଛାଡିଦେଲେ ଏହାର ପାଣିପାଗ ଶୁଷ୍କ ଅଟେ । ଏଠାରେ ସର୍ବାଧିକ ତାପମାତା ୪୫+ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ମପା ଯାଇଛି । ଜିଲ୍ଲାର ହାରା ହାରି ବୃଷ୍ଟିପାତ ୧୩୭୮.୨୦ ମିଲିମିଟର । ଏଠାରେ ମୌସୁମୀ ଜୁନ ମାସ ଶେଷ ଆଡକୁ ଆରମ୍ଭ ହୁଏ ଓ ସେପ୍ଟେମ୍ବର ପର୍ଯ୍ଯନ୍ତ ଦେଖାଯାଏ ।

ଇତିହାସ

ମୃଗୟା ପାଇଁ ବା ଖାଦ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହୋଇଥିବା ରୂକ୍ଷ ପ୍ରସ୍ତରର ଅସ୍ତ୍ର କଳାହାଣ୍ଡି ଜିଲ୍ଲାରେ ମିଳେ । ସେଥିରୁ ଆଦି ମାନବର ବୃତ୍ତାନ୍ତ ଜଣାଯାଏ । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ, ନଦୀକୂଳରେ, ପର୍ବତ ଖୋଲରେ ଓ ଗୁମ୍ଫାମାନଙ୍କରେ ଏହି ସବୁ ଅସ୍ତ୍ର ବିକ୍ଷିପ୍ତଭାବରେ ଇତସ୍ତତଃ ପଡ଼ିଥିବାର ଦେଖାଯାଏ । ମାନ୍ଦ୍ରାଜର ହସ୍ତକୁଠାର ଶ୍ରେଣୀର ପ୍ରାଚୀନ ପ୍ରସ୍ତର ଯୁଗର ଅସ୍ତ୍ରମାନ ଗୁଡ଼ହାଣ୍ଡି ପର୍ବତମାଳାର ଏବଂ ଜଙ୍କନଦୀର ମାରାଗୁଡ଼ା ଉପତ୍ୟକାର ପାର୍ବତ୍ୟାଞ୍ଚଳର ପର୍ବତ ଖୋଲରୁ ଆବିଷ୍କୃତ ହୋଇଅଛି । ତେଲନଦୀ କୂଳସ୍ଥ ଛିଲପାରେ ଛେଦକ ଅସ୍ତ୍ର ନିର୍ମାଣଶାଳା ଆବିଷ୍କୃତ ହୋଇଅଛି । ଏଥିରୁ ଜିଲ୍ଲାର ପ୍ରସ୍ତର ଯୁଗୀୟ ସଭ୍ୟତାର ସୂଚନା ମିଳେ । ସେହି ନିର୍ମାଣ ଶାଳାରୁ ଚାଞ୍ଛିବା ଅସ୍ତ୍ର, ଅସ୍ୱାଗ୍ର, ବାଟୁଳି ଏବଂ କ୍ଷୁଦ୍ର କ୍ଷୁଦ୍ର ହସ୍ତ କୁଠାର ଆବିଷ୍କୃତ ହୋଇଅଛି । ପ୍ରାୟତଃ କ୍ୱାର୍ଟଜାଇଟ ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ଅସ୍ତ୍ର ତେଲନଦୀ ଏବଂ ତାହାର ଉପନଦୀମାନଙ୍କର ଅବବାହିକାରେ ଦୃଷ୍ଟିଗୋଚର ହୁଏ । ଏହିସବୁ ସାଧାରଣତଃ କ୍ଷୁଦ୍ର ଏବଂ ଧାରୁଆ ଅସ୍ତ୍ର । ମାତ୍ର ତ୍ରିଭୁଜ ଓ ଟ୍ରାପିଜିୟମ ପରି ଜ୍ୟାମିତିକ ଚିତ୍ରର ଅସ୍ତ୍ର ମଧ୍ୟ ସମୟେ ସମୟେ ଦୃଷ୍ଟିଗୋଚର ହୁଏ । ନବୀନ ପ୍ରସ୍ତର ଯୁଗର ଚିକ୍କଣ ଶିଳାର ଅସ୍ତ୍ର ମଧ୍ୟ ପୂର୍ବୋକ୍ତ ସ୍ଥାନମାନଙ୍କରେ ମିଳେ । କୌତୁହଳର ବିଷୟ ଯେ, ଛିଲପା ଠାରେ ଚିକ୍କଣ ଶିଳା ନିର୍ମିତ ଅସ୍ତ୍ର ମଧ୍ୟରେ ଗାତଖୋଳିବା ଏବଂ ରନ୍ଧ୍ରକରିବା ଯନ୍ତ୍ର ମଧ୍ୟ ଦେଖାଯାଏ । ମାରାଗୁଡ଼ା ଉପତ୍ୟକାରେ ଆବିଷ୍କୃତ ନବୀନ ପ୍ରସ୍ତର ଯୁଗରେ ଏକତ୍ର ଯୋଡ଼ା ହୋଇଥିବା ଛଅଗୋଟି ଅସ୍ତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସଂଗ୍ରହାଳୟରେ ରଖାଯାଇଅଛି ।

ଭବାନୀପାଟଣାଠାରୁ 64 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଗୁଡ଼ହାଣ୍ଡିଠାରେ ଓ ଖଡ଼ିଆଳର 10 କିଲୋମିଟର ଦକ୍ଷିଣସ୍ଥ ଯୋଗିମଠ ପାହାଡ଼ରେ କୃଷ୍ଣବର୍ଣ୍ଣ ମିଶ୍ରିତ ରକ୍ଷର୍ଣ୍ଣ ଗେରୁର ପ୍ରାଗୈତିହାସିକ ଚିତ୍ରାବଳୀ ଆବିଷ୍କୃତ ହୋଇଅଛି । ଗୁଡ଼ହାଣ୍ଡିଠାରେ ପ୍ରକୃତିକ ଗିରିବରୀମାନଙ୍କର ଚିତ୍ରାବଳୀ ପରିଶୋଭିତ । ତନ୍ମଧ୍ୟରୁ ଅଧିକାଂଶ ବର୍ଗକ୍ଷେତ୍ର, ସାମାନ୍ତରିକ କ୍ଷେତ୍ର, ବୃତ୍ତ ଓ ଅନ୍ୟାନ୍ୟ ଜ୍ୟାମିତିକ ଚିତ୍ର । ଏହି ଚିତ୍ରାବଳୀ ପ୍ରାୟତଃ ଲୁପ୍ତ ହୋଇଯାଇଅଛି । ଗୋଟିଏ ମୃଗୟାର ଦୃଶ୍ୟ ଏହି ଚିତ୍ରାବଳୀ ମଧ୍ୟରେ ସବୁଠାରୁ ବେଶୀ କୌତୁହଳୋଦ୍ଦୀପକ । ଗୋଟିଏ ଧାବମାନ ଗୟଳକୁ ଲକ୍ଷ୍ୟକରି ଜଣେ ଆଦିମାନବ ଗୋଟିଏ ପ୍ରସ୍ତରର ଅସ୍ତ୍ର ପ୍ରୟୋଗ କରୁଅଛି । ପ୍ରୟୋଗକାରୀର ହସ୍ତ ସାଧାରଣ ଅବସ୍ଥାକୁ ଫେରି ଆସିବା ପୂର୍ବରୁ ଅସ୍ତ୍ର ଲକ୍ଷ୍ୟସ୍ଥଳକୁ ଆଘାତ କରିଅଛି । ଫଳରେ ଆହତ ପ୍ରାଣୀଟି ମୁହଁ ବୁଲାଇ ମନୁଷ୍ୟକୁ ବିକଳ ଭାବରେ ଲକ୍ଷ୍ୟ କରୁଅଛି । ଏହା ଦେଖି ମନୁଷ୍ୟର ମୁଖମଣ୍ଡଳରେ ଆନନ୍ଦର ସଂକେତ ଫୁଟିଅଛି ଏବଂ ମୃଗୟାରେ ସଫଳତା ଜନିତ ଆନନ୍ଦାତିଶଯ୍ୟରେ ତାହାର ବକ୍ରାକୃତ କେଶରାଜି ତରଙ୍ଗାୟିତ ହୋଇ ଉଠିଅଛି  । ଗୁଡ଼ହାଣ୍ଡି ପର୍ବତର ଗୁମ୍ଫାରେ ମୃଗୟାର ଏହି ଜୀବନ୍ତ ଆଲେଖ୍ୟ କୁ ଅନୁମିତ ହୁଏ ଯେ, ଏହି ଗୁମ୍ଫା ସେହି ପ୍ରାଗୈତିହାସିକ ମନୁଷ୍ୟର ଆବାସ ଥିଲା । ବସ୍ତୁତଃ ଗୁଡ଼ହାଣ୍ଡି ଚିତ୍ରାବଳୀ ଆଦିମ କଳାକାରର ବିରାଟ ସଫଳତାର ପରିଚାୟକ ।

ଜନସାଂଖିକ

୨୦୧୧ ଜନଗଣନା ଅନୁସାରେ

ପ୍ରକାର

ମୋଟ

ଅନୁସୂଚିତ ଜାତି

ଅନୁସୂଚିତ ଜନ ଜାତି

ଅନ୍ୟାନ୍ୟ

ଜିଲ୍ଲା ମୋଟ

୧୫୭୬୮୬୯

୨୮୬,୫୮୦

୪୪୯,୪୫୬

୮୪୦୮୩୩

ଗ୍ରାମାଞ୍ଚଳ

୧୪୫୪୮୮୨

୨୬୪୯୭୪

୪୪୦୭୭୫

୭୪୯୧୩୩

ସହରାଞ୍ଚଳ

୧୨୧୯୮୭

୨୧୬୦୬

୮୬୮୧

୯୧୭୦୦

ଲିଙ୍ଗ ଭିତ୍ତିକ ଜନସଂଖ୍ୟା ବିବରଣୀ

ପ୍ରକାର

ସମୁଦାୟ ପୁରୁଷ

ସମୁଦାୟ ମହିଳା

ଅନୁସୂଚିତ ଜାତି ପୁରୁଷ

ଅନୁସୂଚିତ ଜାତି ମହିଳା

ଅନୁସୂଚିତ ଜନ ଜାତି ପୁରୁଷ

ଅନୁସୂଚିତ ଜନ ଜାତି ମହିଳା

ଅନ୍ୟାନ୍ୟ ପୁରୁଷ

ଅନ୍ୟାନ୍ୟ ମହିଳା

ଜିଲ୍ଲା ମୋଟ

୭୮୭୧୦୧

୭୮୯୭୬୮

୧୪୨୧୩୩

୧୪୪୪୪୭

୨୨୧୧୭୧

୨୨୮୨୮୫

୪୨୩୭୯୭

୪୧୭୦୩୬

ଗ୍ରାମାଞ୍ଚଳ

୭୨୪୬୪୬

୭୩୦୧୩୬

୧୩୧୪୭୪

୧୩୩୫୦୦

୨୧୬୮୮୩

୨୨୩୮୯୨

୩୭୬୨୮୯

୩୭୧୮୪୪

ସହରାଞ୍ଚଳ

୬୨୪୫୫

୫୯୫୩୨

୧୦୬୫୯

୧୦୯୪୭

୪୨୮୮

୪୩୯୩

୪୭୫୦୮

୪୪୧୯୨

ସଂସ୍କୃତି ଏବଂ ଐତିହ୍ୟ

ଏହି ଜିଲ୍ଲା ସଂସ୍କୃତି ଏବଂ ଐତିହ୍ୟ ରେ ପରିପୂର୍ଣ । ଉଣେଇଶ ( ୧୯ ) ପ୍ରକାର ର କଳାକୃତି ନିମ୍ନ ରେ ଦିଆଗଲା ।

  1. ଘୁମୁରା :-୧୮/୨୦ କଳାକାର ଘୁମାର ଏବଂ ଘୁମୁରା ବାଦ୍ୟ କୁ ନେଇ ନୃତ୍ୟ ପରିବେଷଣ କରାଯାଇଥାଏ । ନୂଆଖାଇ , ଦଶହରା ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ଏହା ପରିବେଷଣ ହୋଇଥାଏ । ଏହା କେବଳ ପୁରୁଷ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥାଏ । ଏହା ଏକ ରଣ ବାଦ୍ୟ ବା ବୀର ବାଦ୍ୟ ରୂପରେ ପରିଚିତ । ପୁରା କାଳ ରେ ରଜା ଯୁଦ୍ଧ ବା ପାରିଧି କୁ ଯିବା ଆଗରୁ ଏହା ପରିବେଷଣ ହେଉଥିଲା ।
  2. ବଜାଶାଲ :-ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ନାଚି ଥାନ୍ତି । ଏହା ସଧାରଣତଃ ବାହାଘର ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ପରିବେଷଣ କରା ଯାଇଥାଏ । ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ଏଥିରେ ବ୍ଯବହୃତ ହୋଇ ଥାଏ ।  ଭବାନୀପାଟଣା , କେସିଙ୍ଗା , ଜୁନାଗଡ , ଧର୍ମଗଡ  , କୋକସରା  ଇତ୍ୟାଦି ସ୍ଥାନରେ ନୃତ୍ୟ ହୋଇଥାଏ।
  3. ବନାବାଡି :- ବନାବାଡି କୁ ପୂର୍ବ ଓଡିଶା ରେ ଗଉଡ ବାଡି କୁହା ଯାଇଥାଏ । ୧୮/୧୬ କେବଳ ପୁରୁଷ ଲୋକ ଏହି ନାଚ ନାଚିଥାନ୍ତି । ଦୋଳ ପୁର୍ଣିମା ,ଚୈତ୍ର ପୁର୍ଣିମା ରେ ଏହିନାଚ ମୁଖ୍ୟତଃ ଗଉଡ ସଂପ୍ରଦାୟ ରେ ଦେଖିବାକୁ ମିଳେ । ଜୁନାଗଡ, ଭବାନୀପାଟଣା ଇତ୍ୟାଦି ସ୍ଥାନରେ ନୃତ୍ୟ ହୋଇଥାଏ ।
  4. ଶିଙ୍ଘ ବଜା :-୮/୧୦ ତାଲିମ ପ୍ରାପ୍ତ ବା ପ୍ରଶିକ୍ଷିତ ବାଦ୍ୟ କଳାକାର ଏହା ପରିବେଷଣ କରିଥାନ୍ତି । ଏଠାରେ ଶିଙ୍ଘ ନିଶାନ ରେ ଲଗା ଯାଇଥାଏ । ବାହାଘର ସମୟରେ ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ବ୍ଯବହୃତ ହୋଇ ଥାଏ । ଭବାନୀପାଟଣା , ଥୁଆମୂଳ ରାମପୁର , ଲାଞ୍ଜିଗଡ , କୋକସରା  ଇତ୍ୟାଦି ସ୍ଥାନରେ ହୁଏ  ।
  5. ମାଦଲି :-୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା । କୋକସରା , ଜୟପାଟଣା, ଜୁନାଗଡ, ଇତ୍ୟାଦି. ସ୍ଥାନରେ ହୁଏ ।
  6. ମାଦଲି :-୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା ।
  7. ଦଣ୍ଡାରୀ :-୧୦/୧୫ ଜଣ କଳାକାର ହାତ ରେ ଛୋଟ କାଠି ଧରି ଶ୍ରୀ କୃଷ୍ଣ ଲୀଳା ର ବିଭିନ୍ନ କଳା କୁ ପରିବେଷଣ କରିଥାନ୍ତି । ଏହା ଦୋଳ ପୁର୍ଣିମା, ହୋଲି ଓ ଜନ୍ମାଷ୍ଟମୀ ସମୟରେ ବିଶେଷ ଭାବରେ ଦେଖିବାକୁ ମିଳେ ।
  8. ପାଇକ ଆଖଡା:- ୧୦/୧୫ ଜଣ ପାଇକ ଜାତି ର କଳାକାର ଏହି ନାଚ ଦଶହରା ସମୟରେ କରିଥାନ୍ତି । ଏହା ଏକ ରଣ ନୃତ୍ୟ । ଏହା ଛଡା ବିଭିନ୍ନ ସାମାଜିକ ଅନୁଷ୍ଠାନ ସମୟରେ ମଧ୍ୟ ଏହା ପରିବେଷଣ କରାଯାଇଥାଏ ।
  9. ଘୋଡେଲ:-୧୨/୧୫ ଜଣ କେବଳ ପୁରୁଷ କଳାକାର ଏହି ନାଚ କରି ଥାନ୍ତି । ପୂର୍ବ ବା ଉପକୂଳ ଓଡିଶା ର ରଣପା ନାଚ ଭଳି ଦେଖାଯାଏ । ଏହା ମଧ୍ୟ ଦଶହରା ସମୟରେ ନାଚି ଥାନ୍ତି ।
  10. ପୋଢ ମରା :-୧୫/ ୨୦ ଜଣ କନ୍ଧ ଆଦିବାସୀ କଳାକାର ଏହା ଚୌତ୍ର ପୁର୍ଣିମା ସମୟ ରେ ଏହା ପରିବେଷଣ କରି ଥାନ୍ତି । ଢାପ , ପୋଢ ସିଙ୍ଘ, ନିଶାନ,ଟିମିକିଡି ଭଳି ବାଦ୍ୟ ଯନ୍ତ୍ର ଏଥିରେ ବ୍ୟବହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ରେ ଏହା ଏକ ଅନନ୍ୟ ନୃତ୍ୟ ଶୈଳୀ ।
  11. ସଲପ୍ ନିଶାନ :-୧୮ /୨୦ ଜଣ କନ୍ଧ ଆଦିବାସୀ କଳାକାର ଏହି ସଙ୍ଗୀତ ପରିବେଷଣ କରିଥାନ୍ତି ; ବିଶେଷ କରି ପୋଢମରା ପର୍ବ , ଚଇତ ପର୍ବ , ନୂଆଖାଇ ଇତ୍ୟାଦି ପର୍ବ ପର୍ବାଣି ରେ ଏହା ଦେଖିବାକୁ ମିଳେ । କନ୍ଧ ଆଦିବାସୀ ମାନଙ୍କ ର ଏହା ଏକ ବଶେଷ ସଂସ୍କୃତିକ ପରମ୍ପରା ।
  12. ଢାପ୍ :-ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ସମୂହ ନୃତ୍ୟ ନାଚି ଥାନ୍ତି । ଏହା ଏକ ପ୍ରେମ ବିନିମୟ ନୃତ୍ୟ । ସେମାନେ ପରସ୍ପର ମଧ୍ୟରେ ପ୍ରେମ ଆଦାନ ପ୍ରଦାନ କରି ଥାନ୍ତି । ଏହି ନୃତ୍ୟ ମାଧ୍ୟମ ରେ ଢାପ୍ ଏକ ବିଶେଷ ଉପକରଣ ରେ ତିଆରି ହୋଇ ଥାଏ ଯାହାକି ନାଚ ରେ ବ୍ୟଭହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ର ଏହା ଏକ ନିଆରା ନୃତ୍ୟ ।
  13. ସୁଆଙ୍ଗ :-୧୫ /୨୦ ଜଣ କଳାକାର ଏହି ନାଚ କରି ଥାନ୍ତି । ଏହା ଏକ ଲୋକ ନାଟ୍ୟ , ଯାହା ବିଭିନ୍ନ ପୌରଣିକ କଥା ଉପରେ ଆଧାରିତ । ଏହା ଏକ ଗିତୀନାଟ୍ୟ ଆକାର ରେ ବିଶେଷ କରି ସନ୍ଧ୍ୟ ସମୟ ରେ ପରିବେଷଣ ହୋଇଥାଏ । ବିଶେଷ କରି ଦଶହରା, ବିଭାଘର ଏବଂ ଜନ୍ମ ଦିନ ଭଳି ସମୟ ରେଏହି ନୃତ୍ୟ ପରିବେଷଣ ହୋଇଥାଏ । ଏହା ୬/୮ ଘଣ୍ଟା ପର୍ଯ୍ଯନ୍ତ ଚାଲିଥାଏ ।
  14. ବରିଆ :-୧୨/୧୪ ଜଣ ବିଶେଷ କରି ଅବିବାହିତ ଝିଅ ମାନେ ଏହି ଗୀତ ଗାଇଥାନ୍ତି ( ପଦ୍ୟାନ୍ତର ) । ଗୀତ ମଧ୍ୟମ ରେ ପ୍ରଶ୍ନ ଓ ଉତ୍ତର ଦୁଇ ଗୋଷ୍ଟି ମଧ୍ୟରେ ଆଦାନ ପ୍ରଦାନ ହୋଇଥାଏ । ଗାଁ ଅଞ୍ଚଳ ରେ ଏହା ଏକ ମନୋରଞ୍ଜନ ଧର୍ମି ଲୋକ ପରମ୍ପରା ।
  15. ଶଂଙ୍ଖ ବାଦ୍ୟ:-୧୨/୧୪ ଶଂଖୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଶଂଙ୍ଖ ବଜାଇଥାନ୍ତି ।
  16. ଘଣ୍ଟ ବାଦ୍ୟ :- ୧୬/ ୨୦ ଘଣ୍ଟଟୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଘଣ୍ଟ ବଜାଇଥାନ୍ତି ।
  17. ସଂକିର୍ତନ :-୨୦/୩୦ ଜଣ ପୁରୁଷ କଳାକାର ଖୋଳ, ଗିନି, ଘୁଙ୍ଗୁର ଇତ୍ୟାଦି ପରିଥାନ ପୁ୍ର୍ବକ ବିଭିନ୍ନ ଶୁଭ କାର୍ଯ୍ୟ ସମୟରେ ସଂକିର୍ତନ କରିଥାନ୍ତି । ବିଶେଷ କରି ଧାର୍ମିକ ଅନୁଷ୍ଠାନ ଗୁଡିକରେ ନାମ ଯଜ୍ଞ ସମୟରେ ଏହା ପରିବେଷଣ କରାଯାଇଥାଏ ।
  18. ପାଲା:-୪/୬ ଜଣ କଳାକାର ମିଶି କରି ପାଲା ପରିବେଷଣ କରିଥାନ୍ତି । ଏଥିରେ ପାଲା ଗାୟକ , ବୟାକ , ପାଳିଆ ପ୍ରଭୃତି ମୃଦଙ୍ଗ ଗିନି , ଚମର ଓ ଝାଞ୍ଜ ଧରି ବିଭିନ୍ନ ପୌରଣିକ ଓ ଐତିହାସିକ କଥା ବିଷୟ ବସ୍ତୁ ଉପରେ ପରିବେଷଣ କରିଥାନ୍ତି ।
  19. ଦାଶକାଠିଆ :-ଦାଶକାଠିଆ ଦୁଇଜଣ ପୁରୁଷ ବିଭିନ୍ନ ପୌରଣିକ ଓ ଐତିହାସିକ କଥା ଉପରେ ଆଧାରିତ ବିଷୟ ମାନ ପଦ୍ୟ ମାଧ୍ୟମରେ ପରିବେଷଣ କରନ୍ତି । ଏଥିରେ ଦୁଇଟି କାଠି କୁ ବାଦ୍ୟ ଯନ୍ତ୍ର ଭାବେ ବ୍ଯବହୃତ କରାଯାଇଥାଏ ।
  20. ରାହାସ :-ରାସ ପୂର୍ଣମୀ , ଦୋଳ ପୂର୍ଣମୀ, ଜନ୍ମାଷ୍ଟମୀ ରେ ୨୦/୩୦ ଜଣ ପୁରୁଷ ଓ ସ୍ତ୍ରୀ ଶ୍ରୀକୃଷ୍ଣ ଙ୍କର ରସ ଲିଳା ବିଷୟରେ ପରିବେଷଣ କରିଥାନ୍ତି । ସଂକିର୍ତନ ର ଅନ୍ୟ ଶୈଳୀ କହିଲେ ଅଚ୍ୟୁକ୍ତି ହେବ ନାହିଁ ।

ହସ୍ତଶିଳ୍ପ

କାଠ ଶିଳ୍ପ କାମ

କଳାହାଣ୍ଡି ତାର ଅଦ୍ଵିତୀୟ କାଠ ଖୋଦାଇ ମୂର୍ତ୍ତି କାମ ପାଇଁ ପ୍ରାସିଦ୍ଧ । ଏଠାରେ ମୁଖ୍ୟତଃ ସାଗୁଆନ କାଠ ଗଣ୍ଡି ଓ ଚେର ରୁ ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ପ୍ରତିମୂର୍ତ୍ତି ସବୁ ତିଆରି କରାଯାଇଥାଏ ।

ଯଥା ଗଣେଷ , ଲକ୍ଷ୍ମୀ , ଗଣ୍ଡାର ,ହାତୀ , ଷଣ୍ଢ ଇତ୍ୟଦି  ବହୁ ପ୍ରକାର କାଠ ମୂର୍ତ୍ତି । ରାଜ୍ୟ ଓ ରାଜ୍ୟ ବାହାରକୁ ଏହି ସବୁ ମୂର୍ତ୍ତି ର ରପ୍ତାନି ମଧ୍ୟ ହୋଇଥାଏ ।

ଏହି ଖୋଦାଇ କାମ ପ୍ରଶିଖିତ କଳାକାର ଙ୍କ ଦ୍ଵାରା ହୋଇଥାଏ । ମୁଖ୍ୟତଃ ଖାଇରପଦର , ଧର୍ମଗଡ , ରେଙ୍ଗାଲପାଲ୍ଲୀ , ଜୟପାଟଣା ଓ ଭବାନୀପାଟଣା ଭଳି ଜାଗାରେ ଏହି କାମ ଦେଖିବାକୁ ମିଳେ ।

ପୋଡା ମାଟି ମୂର୍ତ୍ତି କାମ

ଟେରାକୋଟା ବା କୁମ୍ଭାର ଙ୍କ ଦ୍ଵାରା ପୋଡା ମାଟି ମୂର୍ତ୍ତି ।

ପାରମ୍ପାରିକ ଅନୁସାରେ ଓଡିଶା ରେ ସାଧାରଣତଃ ଦେବୀ ପୀଠରେ ଟେରାକୋଟା ମୂର୍ତ୍ତି ସବୁ ଦେଖିବାକୁ ମିଳିଥାଏ ।

ପାରମ୍ପରିକ ସହିତ ଆଧୁନିକ ମୂର୍ତ୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।

ପଥର ଖୋଦାଇ କାମ

ପଥର ଖୋଦାଇ କାମ କଳାହାଣ୍ଡି ର ଗୋଟିଏ ମୁଖ୍ୟ ଶିଳ୍ପ ।

କନ୍ଧଗୁଡା ନାମକ ଏକ ସାହି ଯେଉଁଥିରେ ପ୍ରାୟ ୬୦ ପାରିବାରିକ କୌଳିକ ବୃତ୍ତି ଦ୍ଵାରା କିମ୍ବା ତାଲିମ ପ୍ରାପ୍ତ କାରିଗର ଏହି କାମ କରିଥାନ୍ତି ।

ସେମାନେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ମଧ୍ୟ କରିଥାନ୍ତି ।

ପାରମ୍ପରିକ ସହିତ ଆଧୁନିକ ମୂର୍ତ୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।

ବାଉଁଶ ଶିଳ୍ପ କାମ

ବାଉଁଶ କେବଳ ଯେ ମଜୁଭୂତ ଓ ହାଲୁକା ପାଇଁ ପ୍ରସିଦ୍ଧ ନୁହେଁ , ଏହା ପରିବେଶ ମିତ୍ର ମଧ୍ୟ ଅଟେ ।

ନର୍ଲା, କର୍ଲାପାଟ ର ବାଉଁଶ ଶିଳ୍ପୀ ମାନେ ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ବାଉଁଶ ରେ କରିଥାନ୍ତି ।

ଚୂଡ଼ା ପାହାଡ ର ପାଦ ଦେଶରେ ଥିବା ପହରିଆ ପଡା ର ଅଧିବାସୀ ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି କରନ୍ତି । ଏହା ଏହି ଅଧିବାସୀ ମାନଙ୍କ କୌଳିକ ବୃତ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବିଭିନ୍ନ ଶାଖା ଓ ତାର ବିବରଣୀ

ସଂଗଠନର ବିବରଣୀ, କାର୍ଯ୍ୟ ଓ କର୍ତ୍ତବ୍ୟ

ଜିଲ୍ଲାପାଳ ଯେ କୌଣସି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଏଭଳି ଏକ ସଂଗଠନ ଯାହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପ୍ରଶାସନିକ କାର୍ଯ୍ୟାବଳୀ ସମାହିତ କରିବାରେ ଜିଲ୍ଲାପାଳଙ୍କୁ ସହାୟତା କରିବା ସହିତ ପ୍ରଶାସନ ଜନତା ତଥା ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ଅଟେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଳାହାଣ୍ଡିରେ ଅନେକ ସାଂଗଠନିକ ବିଭାଗ ରହିଛି ଯାହା ବହୁବିଧ କାର୍ଯ୍ୟର ବିକୈନ୍ଦ୍ରୀକରଣ ପୂର୍ବକ ଏହାର ସୂଚାରୁ ସଂପାଦନା କରିଥାଏ ।

ସାଧାରଣ ଏବଂ ବିବିଧ ଶାଖା

ଏହି ଶାଖା ସାଧାରଣତଃ ଜନଗଣନା (କୃଷି ତଥା ପଶୁଗଣନା ମଧ୍ୟ), ଜିଲ୍ଲା ତଥା ରାଜ୍ୟ ମୁଖପତ୍ର, ସ୍ଵାଧୀନତା ସଂଗ୍ରାମୀ ସମନ୍ଧୀୟ ଭତ୍ତା, ଜନଅଭିଯୋଗ ପତ୍ର, ସରକାରୀ ତଥା ରାଜସ୍ଵ ଆବାସ ଗୁଡ଼ିକର ଆବଣ୍ଟନ, ସରକାରୀ ଛୁଟି ତଥା ଉତ୍ସବ ପାଳନ, କାର୍ଯ୍ୟଳୟସ୍ଥ ବିଭାଗ ଗୁଡ଼ିକର ଅନୁକ୍ଷଣ ପତ୍ର, ସାଂଗଠନିକ ନିୟମାବଳୀ, କେନ୍ଦ୍ରୀୟ ପତ୍ରସୂଚ଼ନା ତଥା ବିନିମୟ ଏବଂ ସହରାଞ୍ଚଳ ସ୍ଥାନୀୟ ବିକାଶ ସଂସ୍ଥା ସମ୍ବନ୍ଦୀୟ କାର୍ଯ୍ୟାବଳୀର ନିରୀକ୍ଷଣ ତଥା ସଂପାଦନା କରିଥାଏ । ରାଜ୍ୟକୁ ଏକ ସୂବିଧାପ୍ରଦାନକାରୀ ରୂପେ ପରିଗଣିତ କରାଇବା ଏହି ଶାଖାର ମୁଖ୍ୟ ଉଦ୍ଦେଶ୍ୟ ।

ଜଣେ ସରକାରୀ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ଜଣେ ମୁଖ୍ୟ କିରାଣୀ, ଜଣେ ବରିଷ୍ଠ କିରାଣୀ, 4 ଜଣ କନିଷ୍ଠ କିରାଣୀ ଏବଂ ଜଣେ ପିଅନଙ୍କ ଦ୍ଵାରା ଏହି ଶାଖା ପରିଚାଳିତ ହୋଇଆସୁଅଛି ।

ନ୍ୟାୟିକ ଶାଖା

ସାଧାରଣ ତଥା ଫୌଜଦାରୀ ଆଇନ, ତତ୍ ସଂର୍ପକୀୟ ନ୍ୟାୟବସ୍ଥାର ପ୍ରତିପାଳନ, ମହିଳା ତଥା ଶିଶୁ ଏବଂ ସାମାଜିକ ଆନୁନ୍ନତ ବର୍ଗଙ୍କ ସୁରକ୍ଷା ଏବଂ ତତ୍ ସମ୍ବନ୍ଧୀୟ ବିଧିବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଏହାର କାର୍ଯ୍ୟକାରିତା, ଚ଼ଳଚିତ୍ର ପ୍ରସାରଣ ସମ୍ବନ୍ଧୀୟ ନିୟମ, ଶ୍ରମିକ ତଥା କର୍ମଚାରୀଙ୍କର ଅନୁକମ୍ପା ସମ୍ବନ୍ଧୀୟ ନିୟମ, ବିଷ୍ପୋରକ ସଂପର୍କୀୟ ଆଇନ, ଷ୍ଟାମ୍ପ ନିୟମ, ଆଇନ ସହାୟତା ତଥା ହିଂସ୍ର ପଶୁଙ୍କର ସୁରକ୍ଷା ସଂପର୍କିତ ନାନାଦି ନିୟମ କାନୁନ ଏହି ଶାଖାରେ କାର୍ଯ୍ୟକାରୀ କରାଯାଇଥାଏ ।
ଏହି ଶାଖା ମଧ୍ୟ ଜଣେ ସହକାରୀ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ କରିଥାଏ । ଏତତ୍ ଭିନ୍ନ ଏଠାରେ ଜଣେ ବରିଷ୍ଠ କିରାଣୀ 2 ଜଣ କନିଷ୍ଠ କିରାଣି ଏବଂ ଜଣେ ପିଅନ କାର୍ଯ୍ୟରତ ।

ସରକାରୀ ବିଧିବ୍ୟବସ୍ଥାରେ ବିକାଶର ପ୍ରଧାନ୍ୟ ଅଥିକ ଏବଂ ଭୂ- ଅଧିଗ୍ରହଣ ଶାଖା

ଜିଲ୍ଲାରା ଭୂ-ଅଧିଗ୍ରହଣ ସମ୍ବନ୍ଧୀୟ ନାନାଦି କାର୍ଯ୍ୟାବଳୀର ସୂଚାରୁ ସଂପାଦନା କରିଥାଏ । ଜଣେ ବରିଷ୍ଠ କିରାଣୀ, ଦୁଇଜଣ ରାଜସ୍ଵ କ୍ଷେତ୍ର ଅଧିକାରୀ ତଥା ଜଣେ ଅମିନ ବିଭିନ୍ନ ସମୟରେ ସରକାରଙ୍କ ଦ୍ଵାରା ପ୍ରଣୀତ ଭୂ – ଅଧିଗ୍ରହଣ ନିୟମାବଳୀ ଯଥା- ଭୂ – ଅଧିଗ୍ରହଣ ନିୟମ (1894), ଭୂ-ଅଧିଗ୍ରହଣରେ ସ୍ଵଚ୍ଛତା, ଯୁକ୍ତିଯୁକ୍ତ କ୍ଷତିପୂରଣ ତଥା ପୁନଃ ଥଇଥାନର ଅଧିକାର ଆଇନ 2013 ଇତ୍ୟାଦି ।

ଜିଲ୍ଲା ଜରୁରୀ କାଳୀନ ଶାଖା

କାର୍ଯ୍ୟାଳୟର ସାଂଗଠନିକ ଦୃଷ୍ଟିରୁ ଏବଂ ପ୍ରଶାସନିକ କାର୍ଯ୍ୟଧରା ପରିପ୍ରେକ୍ଷୀରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଶାଖା ଅଟେ । ଏହି ଶାଖାର ଜିଲ୍ଲାର ନିତିଦିନିଆ ଅବସ୍ଥା ଯଥା- ବର୍ଷାର ମାତ୍ରା, ପରିମାଣ ଇତ୍ୟାଦିର ହିସାବ ପ୍ରଦାନ କରିଥାଏ । ଏତଦ୍ ଭିନ୍ନ ରେଡକ୍ରସ ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ବିଭିନ୍ନ ପ୍ରକାର ସହାୟତା ମଧ୍ୟ ଏହି ଶାଖାରେ ପ୍ରଦାନ କରାଯାଇଥାଏ । ବିଭିନ୍ନ ପ୍ରକାର ଅନୁକମ୍ପାମୂଳକ ସହାୟତା ଯଥା- ପାଣିରେ ବୁଡ଼ିବା ଜନିତ, ଦୁର୍ଘଟଣା, ସର୍ପାଘାତ ଜନିତ, ବାତ୍ୟା, ବନ୍ୟା ମରୁଡ଼ି, ଭୂ-କମ୍ପ ସୁନାମୀ, ଡ଼ଙ୍ଗାବୁଡି ଅତ୍ୟାଦି ମଧ୍ୟ ଏହି ଶାଖାରେ ସଂପାଦିତ ଏବଂ ପ୍ରଦାନ କରାଯାଇଥାଏ । ରାଜ୍ୟ ସରକାରଙ୍କର ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ର ଜିଲ୍ଲାର ଶାଖା ଏହି ଶାଖାରେ କାର୍ଯ୍ୟ କରିଥାଏ ।
ଏହି ଶାଖା ଜଣେ ସହକାରୀ ଜିଲ୍ଲାପାଳଙ୍କ ଦ୍ଵାରା ପରିଚାଳିତ ହୋଇଥାଏ । ଏତଦ୍ ବ୍ୟତୀତ ଏଠାରେ ଜଣେ ବରିଷ୍ଠ କିରାଣୀ, ଜଣେ ମୁ୍ଖ୍ୟ କିରାଣୀ ଏବଂ ଦୁଇଜଣ କନିଷ୍ଠ କିରାଣୀ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ସଂସ୍ଥା ଶାଖା

ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ସଂସ୍ଥା ଶାଖାର ସ୍ଥାନ ସର୍ବାଗ୍ରେ । ସଂଗଠନର ପ୍ରତ୍ୟକଟି କର୍ମଚାରୀଙ୍କର କାର୍ଯ୍ୟ ଚିଠା ଏହି ଶାଖାରେ ସମାହିତ ହୋଇଥାଏ । ଜିଲ୍ଲା ସ୍ତରୀୟ ଅନ୍ୟାନ କାର୍ଯ୍ୟାଳୟର କାର୍ଯ୍ୟଧାରା ସଂପର୍କିତ ନିୟମ କାନୁନ ତଥା ନିର୍ଦ୍ଦେଶନାମା ଏହି ଶାଖାରୁ ହୋଇଥାଏ । ଏହା ଚ଼ତୁର୍ଥ ଶ୍ରେଣୀଠାରୁ ନେଇ ବିଭିନ୍ନ ବର୍ଗର କିରାଣୀ, ଦ୍ବିତୀୟ ଏବଂ ପ୍ରଥମ ଶ୍ରେଣୀ ପଦାଧିକାରୀ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାକାଳ ସମ୍ବନ୍ଧିତ ନଥିପତ୍ର, କର୍ମଚାରୀଙ୍କ ଦରମା, ଭତ୍ତା, ପେନସନ୍, ବଦଳି ଏବଂ ଚାକିରୀରେ ପ୍ରବେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ପ୍ରକାର ପ୍ରଶାସନିକ ନ୍ୟାୟିକ କେଶ୍ ଇତ୍ୟାଦି କାର୍ଯ୍ୟର ସଂପାଦନ କରିଥାଏ ।

ଜଣେ ସହକାରୀ ଜିଲ୍ଲାପାଳ ଏହି ଶାଖାର କାର୍ଯ୍ୟାଭାରର ଦେଖାରେଖା କରିଥାନ୍ତି । ତାଙ୍କୁ ସାହାଯ୍ୟ କରିବା ନିମିତ୍ତ ଏହି ଶାଖାରେ ଜଣେ ମୁଖ୍ୟ କିରାଣୀ, ତିନି ଜଣ ବରିଷ୍ଠ ଏବଂ ଦୁଇଜଣ କନିଷ୍ଠ କିରାଣୀ ଏଂ ଜଣେ ପିଅନ ଅଛନ୍ତି ।

ବିକାଶ ଶାଖା

ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ଯଥା- ଗୃହ ଏବଂ ରାସ୍ତାନିର୍ମାଣ, କୃଷି ସମବାୟ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଶିଳ୍ପ, ପଶୁ ପାଳନ, ଶିକ୍ଷା, ସ୍ଵାସ୍ଥ୍ୟ, ପଞ୍ଚାୟତ ଇତ୍ୟାଦିର ବିଭିନ୍ନ କାର୍ଯ୍ୟ ତଥା ଯୋଜନାର କାର୍ଯ୍ୟ କାରିତାର ଅନୁକ୍ଷଣ ଏହି ଶାଖା କରିଥାଏ ।

ତୌଜି ଶାଖା

ଜିଲ୍ଲା ଅନ୍ତର୍ଗତ 13 ଟି ତହସିଲର ରାଜସ୍ଵ ଅଦାୟ, ବିଭିନ୍ନ ତହସିଲ ସମ୍ବନ୍ଧୀୟଖାତା ଏବଂ ଚିଠାରେ ରୂପାୟନ ଓଡିଶା ଲଘୁ ଖଣିଜ ଦ୍ରବ୍ୟ ଆଇନ ଏବଂ ତତ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା ଏବଂ କାର୍ଯ୍ୟ ଏହି ଶାଖାରେ ସଂପାଦିକ ହୋଇଥାଏ ।

ଜିଲ୍ଲା ଭୂ- ଅଭିଲେଖାଗାର

ଜିଲ୍ଲାର ସମସ୍ତ ୧୩ ବ୍ଲକ ତହସିଲର ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟର ନଥି ପତ୍ର ତଥା ଅଭଲେକସବୁର ସଂଗ୍ରହ ତଥା ସଂରକ୍ଷଣ ଏହି ଶାଖାରେ ହୋଇଥାଏ। ଜଣେସହକାରୀ ଜିଲ୍ଲାପାଳଙ୍କସହିତ ଜଣେ ମୁଖ୍ୟକିରାଣୀ, ଜଣେ ବରିଷ୍ଟ କିରାଣୀ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ ଏହି ଶାଖାରେ ନିୟୋଜିତ ଅଛନ୍ତି ।

ରାଜସ୍ଵ ଶାଖା

ଜିଲ୍ଲାର ରାଜସ୍ଵ, ଜମି ଜମା ତଥା ତତ୍ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟାବଳୀର ସଂପାଦନା ରାଜସ୍ଵ ଶାଖାରେ ସମ୍ପନ୍ନ ହୋଇଥାଏ । ସରକାରଙ୍କଠାରୁ ବିଭିନ୍ନ ସମୟରେ ଆସୁଥିବା ରାଜସ୍ଵ ନୀତି, ନିୟମ, ବ୍ୟବସ୍ଥା ସମ୍ପର୍କୀୟ ନିୟମାବଳୀର କାର୍ଯ୍ୟାନୁକରଣ, ରାଜସ୍ଵ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକର ସମୀକ୍ଷା, ତଥା ମାସିକ ରାଜସ୍ଵ ଅଧିକାରୀ ବୈଠକର ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ ।

ଏହି ଶାଖାରେ ଜଣେ ସହକାରୀ ଜିଲ୍ଲାପାଳ, ଜଣେ ମୁଖ୍ୟ କିରାଣୀ, ଦୁଇଜଣ ବରିଷ୍ଠ କିରାଣୀ ଏବଂ ଜଣେ କନିଷ୍ଠ କିରାଣୀ ସହ ଜଦଣେ ପିଅନ କାର୍ଯ୍ୟରତ ।

ନିଜାରତ ଶାଖା

ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସମସ୍ତ ଆର୍ଥିକ ଜମା ପୁଞ୍ଜିରହିସାବ ଏହି ଶାଖାରେ ସମାପନ ହୋଇଥାଏ । ରାଜସ୍ଵ ବିଭାଗ ବଙ୍ଗଳା, ପ୍ରଦକ୍ଷଣ ଗୃହ, ବିଶ୍ରାମ ଗୃହ ଗୁଡ଼ିକର ରକ୍ଷଣାବେଷଣର ଭାର ମଧ୍ୟ ଏହି ଶାଖା ଉପରେ ନ୍ୟସ୍ତ । କାର୍ଯ୍ୟଳୟସ୍ଥ ବିଭିନ୍ନ ଶାଖାର ରକ୍ଷଣାବେକ୍ଷଣ ତଥା ଦରକାରୀ ଏଙି ଶାଖାରେ ସମ୍ପନ୍ନ ହୋଇଥାଏ ।

ଜିଲ୍ଲା ନିର୍ବାଚ଼ନ କାର୍ଯ୍ୟାଳୟ-ଶାଖା

ଜିଲ୍ଲା ନିର୍ବାଚ଼ନ କାର୍ଯ୍ୟାଳୟ ସାଧାରଣ ନିର୍ବାଚ଼ନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ, ନୀତିନୟମ ତଥା ବିଧିବ୍ୟବସ୍ଥାର ତଦାରଖ କରିଥାଏ । ରାଜ୍ୟ ତଥା କେନ୍ଦ୍ର ନିର୍ବାଚ଼ନ ଆୟୋଗଙ୍କ ଦ୍ଵାରା ସମୟାନୁଯାୟୀ ପ୍ରଦତ୍ତ ସୂଚ଼ନାର ସଠିକ ରୂପାନ୍ତରଣ ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ । ଜଣେ ସହକାରୀ ଜିଲ୍ଲାପାଳ, ଜଣେ ବରିଷ୍ଠ କିରାଣୀ, ଜଣେ ମୁଖ୍ୟ କିରାଣୀ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ ଏହି ଶାଖାରେ କାର୍ଯ୍ୟରତ ଅଟନ୍ତି ।

ପୋଲିସ୍

ଭାରତ ସ୍ଵାଧୀନ ପରେ , ବର୍ଷ ୧୯୪୯ ରେ କଳାହାଣ୍ଡି ପୁଲିସ ଗଠନ ହୋଇଥିଲା ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ

ନ୍ୟାୟାଳୟ

କଳାହାଣ୍ଡି -ନୂଆପଡା ବିଚାର ମଣ୍ଡଳ-କ୍ଷେତ୍ର ତା ୨୮.୦୨.୧୯୮୨ ରିଖ ରେ ବଲାଙ୍ଗୀର-କଳାହାଣ୍ଡି ବିଚାର ମଣ୍ଡଳ-କ୍ଷେତ୍ର ଠାରୁ ଅଲଗା ହୋଇଥିଲା ଏବଂ ତା ୨୮.୦୨.୧୯୮୨ ରିଖ ଠାରୁ କାର୍ଯ୍ୟ କ୍ରମ ଆରମ୍ଭ କରିଥିଲା । ପରେ ତା ୦୭.୦୭.୨୦୧୨ ରିଖ ରେ ନୂଆପଡା ବିଚାର ମଣ୍ଡଳ-କ୍ଷେତ୍ର କଳାହାଣ୍ଡି ରୁ ପୃଥକ ହୋଇଥିଲା ।  ଅଧିକ ପଢନ୍ତୁ

ନିମ୍ନ ଲିଖିତ ନ୍ୟାୟାଳୟ ଗୁଡିକ କଳାହାଣ୍ଡି ବିଚାର ମଣ୍ଡଳ-କ୍ଷେତ୍ର ମଧ୍ୟ ରେ ଆସୁଛି ।

  1. ଜିଲ୍ଲା ଓ ଦୌରା ନ୍ୟାୟାଧୀଶ. କଳାହାଣ୍ଡି , ଭବାନୀପାଟଣା
  2. ଅତିତିକ୍ତ ଜିଲ୍ଲା ନ୍ୟାୟାଧୀଶ ଓ ବିଶେଷ ନ୍ୟାୟାଧୀଶ ( ଭିଜିଲାନ୍ସ )
  3. ଅତିତିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, କଳାହାଣ୍ଡି , ଭବାନୀପାଟଣା
  4. ନ୍ୟାୟାଧୀଶ, ପାରିବାରିକ ନ୍ୟାୟାଳୟ , କଳାହାଣ୍ଡି , ଭବାନୀପାଟଣା
  5. ଅତିତିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, କଳାହାଣ୍ଡି , ଧର୍ମଗଡ
  6. ମୁଖ୍ୟ ନ୍ୟାୟାଧୀକ ବିଚାରପତି , କଳାହାଣ୍ଡି , ଭବାନୀପାଟଣା
  7. ସହୟାୟକ ଦୌରା ନ୍ୟାୟାଧୀଶ (ଏସ.ଟି.ସି.) ଓ ରେଜିଷ୍ଟାର ନାଗରିକ ନ୍ୟାୟାଳୟ ,କଳାହାଣ୍ଡି , ଭବାନୀପାଟଣା
  8. ନାଗରିକ ନ୍ୟାୟାଧୀଶ ( ବାରିଷ୍ଟ ବିଭାଗ ), କଳାହାଣ୍ଡି , ଭବାନୀପାଟଣା
  9. ନାଗରିକ ନ୍ୟାୟାଧୀଶ ( ବାରିଷ୍ଟ ବିଭାଗ ),କଳାହାଣ୍ଡି , ଧର୍ମଗଡ
  10. ଉପଖଣ୍ଡ ଅଦାଲତ ବିଚାରପତି ,କଳାହାଣ୍ଡି , ଭବାନୀପାଟଣା
  11. ଉପଖଣ୍ଡ ଅଦାଲତ ବିଚାରପତି ,କଳାହାଣ୍ଡି , ଧର୍ମଗଡ
  12. ନାଗରିକ ନ୍ୟାୟାଧୀଶ ( କନିଷ୍ଟ ବିଭାଗ ) ଓ ଜେ.ଏମ.ଏଫ.ସି., କଳାହାଣ୍ଡି , ଭବାନୀପାଟଣା
  13. ଜେ.ଏମ.ଏଫ.ସି., କଳାହାଣ୍ଡି , ଜୟପାଟଣା
  14. ଜେ.ଏମ.ଏଫ.ସି., କଳାହାଣ୍ଡି , ମାଦାନପୁର ରାମପୁର ।
  15. ନ୍ୟାୟାଧୀକାରୀ, ଗ୍ରାମ ନ୍ୟାୟାଳୟ , ଜୁନାଗଡ
  16. ଜେ.ଏମ.ଏଫ.ସି., କଳାହାଣ୍ଡି , କେସିଙ୍ଗା ।

ଆପଦ ପ୍ରବନ୍ଧନ

ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କତୃପକ୍ଷ

ବିପର୍ଯୟ ପ୍ରଶମନ କ୍ଷେତ୍ରରେଏକ ନୂତନ ଦିଗନ୍ତ . . . ନୂତନ ଆଶା ର ସମ୍ଭାର ।

  • ବିପର୍ଯୟ ପରିଚାଳନା କ୍ଷେତ୍ରରେ ଲାଇନ ବିଭାଗ ସହ ସମନ୍ଵୟ ସ୍ଥାପନ ।
  • ଦ୍ଵି-ପାକ୍ଷିକ ଏବଂ ବହୁ- ପାକ୍ଷିକ ବିତ୍ତୀୟ ସଂସ୍ଥା ସହ ଅନୁବନ୍ଧନ
  • U N ଏଜେନ୍ସି, ଅନ୍ତର୍ଜାତିକ, ଜାତୀୟ ଏବଂ ରାଜ୍ୟ ସ୍ତର ର NGOS ମାନଙ୍କ ସହ ଯୋଗସୂତ୍ର ସ୍ଥାପନ।
  • ବିପର୍ଯୟ ପରିଚାଳନା କ୍ଷେତ୍ର ରେ ସମ ସାମୟିକ ଅନୁଷ୍ଠାନ ମାନଙ୍କ ସହ ଅନୁବନ୍ଧନ।
  • ନିୟନ୍ତ୍ରଣ କକ୍ଷ ନମ୍ବର
  • ରାଜ୍ୟ ଜରୁରୀ ଅପାତକାଳୀନ ଇଓସି (ଭୁବନେଶ୍ବର ) ନି ଶୁକ୍ଳ ନମ୍ବର – ୧୦୭୦
  • ଅନ୍ୟ ଫୋନ -୦୬୭୪ – ୨୩୯୫୩୯୮ , ୨୩୯୫୫୩୧
  • ଫକ୍ସ -୨୩୯୧ ୮୭୧
  • ଜିଲ୍ଲା ଜରୁରୀ ଅପାତକାଳୀନ ଇଓସି( ଭୁବନେଶ୍ବର) – ୦୬୬୭୦- ୨୩୦୪୪୫

ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ ନାମ

  • ଆମୋହମାନୀ ମହାବିଦ୍ୟାଳୟ କଲମପୁର
  • କୃଷି ମହାବିଦ୍ୟାଳୟ ଭବାନୀପାଟଣା
  • କେସିଙ୍ଗା ମହାବିଦ୍ୟାଳୟ
  • ଚନ୍ଦ୍ରିକା ଜୈନ ମହାବିଦ୍ୟାଳୟ, ବୋର୍ଡା
  • ଜୟ ପ୍ରକାଶ ସନ୍ଧ୍ୟା ମହାବିଦ୍ୟାଳୟ
  • ପଞ୍ଚାୟତ ମହାବିଦ୍ୟାଳୟ , ଧର୍ମଗଡ
  • ପଞ୍ଚାୟତ ମହାବିଦ୍ୟାଳୟ, ବେଲଖଣ୍ଡି
  • ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସର
  • ପଞ୍ଚାୟତ ସମିତି ମହାବିଦ୍ୟାଳୟ, ନର୍ଲା
  • ପ୍ରିୟଦର୍ଶନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ

ବିଦ୍ୟାଳୟ ନାମ

  • କେନ୍ଦ୍ରୀୟ ବିଦ୍ୟାଳୟ ଧର୍ମଗଡ
  • କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା
  • ଜବାହାର ନଭୋଦୋୟ ବିଦ୍ୟାଳୟ
  • ଟାଉନ ଉଚ୍ଚ ବିଦ୍ୟାଳୟ
  • ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ

ଚିକିତ୍ସାଳୟ

  • ଗୋଷ୍ଠୀ ଚିକିତ୍ସାଳୟ କର୍ଲାମୁଣ୍ଡା
  • ଗୋଷ୍ଠୀ ଚିକିତ୍ସାଳୟ କଲମପୁର
  • ଗୋଷ୍ଠୀ ଚିକିତ୍ସାଳୟ କେସିଙ୍ଗା
  • ଗୋଷ୍ଠୀ ଚିକିତ୍ସାଳୟ କୋକସରା
  • ଗୋଷ୍ଠୀ ଚିକିତ୍ସାଳୟ ଚପୁରିଆ
  • ଗୋଷ୍ଠୀ ଚିକିତ୍ସାଳୟ ଚିଲିଗୁଡା
  • ଗୋଷ୍ଠୀ ଚିକିତ୍ସାଳୟ ଜୁନାଗଡ
  • ଗୋଷ୍ଠୀ ଚିକିତ୍ସାଳୟ ଜୟପଟଣା
  • ଗୋଷ୍ଠୀ ଚିକିତ୍ସାଳୟ ଥୁଆମୂଳ ରାମପୁର
  • ଗୋଷ୍ଠୀ ଚିକିତ୍ସାଳୟ ନର୍ଲା
  • ଗୋଷ୍ଠୀ ଚିକିତ୍ସାଳୟ ପର୍ଲା
  • ଗୋଷ୍ଠୀ ଚିକିତ୍ସାଳୟ ପାସ୍ତିକୁଡି
  • ଗୋଷ୍ଠୀ ଚିକିତ୍ସାଳୟ ବିଶ୍ଵନାଥପୁର
  • ଗୋଷ୍ଠୀ ଚିକିତ୍ସାଳୟ ବୋର୍ଡା
  • ଗୋଷ୍ଠୀ ଚିକିତ୍ସାଳୟ ମଦନପୁର ରାମପୁର
  • ଗୋଷ୍ଠୀ ଚିକିତ୍ସାଳୟ ଲାଞ୍ଜିଗଡ
  • ଜିଲ୍ଲା ଉପ ଚିକିତ୍ସାଳୟ ଧର୍ମଗଡ
  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା
  • ଶରକାରୀ TB ଚିକିତ୍ସାଳୟ ଉଦିତନାରାୟଣପୁର

ନଗର ପାଳିକା

  • ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା
  • ବିଜ୍ଞାପିତ ଅଞ୍ଚଳ ପରିଷଦ ଜୁନାଗଡ
  • ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ
  • ଭବାନୀପାଟଣା ପୌରପାଳିକା

ଆଧାର - "କଳାହାଣ୍ଡି ଡିଷ୍ଟ୍ରିକ ପୋର୍ଟାଲ"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top