ସେଆର କରନ୍ତୁ

ଖୋର୍ଦ୍ଧା

ଇତିହାସର ସ୍ମୃତିକୁ ଜାବୁଡ଼ି ଧରିଥିବା ବୀର ଲାଲ ମାଟି ଖୋର୍ଦ୍ଧା ସମ୍ବନ୍ଧରେ ସୂଚନା ।

ଲାଲମାଟିର ଗଡ଼ ଖୋର୍ଦ୍ଧା

ଇତିହାସର ସ୍ମୃତିକୁ ଜାବୁଡ଼ି ଧରିଥିବା ବୀର ଲାଲ ମାଟି ଖୋର୍ଦ୍ଧା, ଯାହାର ମାଟିକୁ ଚିପୁଡିଲେ ରକ୍ତ ବାହାରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୧୭ରେ ଏହି ମାଟିରୁ ସଙ୍ଗଠିତ ହୋଇଥିଲା । ପୁଣି  ଏହି ମାଟିର ଇତିହାସ ଗାଏ ବୀରତ୍ଵର ଗାଥା । କହେ ସଂହତି ଓ ସଂଘର୍ଷର କଥା । ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ସଂଗ୍ରାମର ମୂକସାକ୍ଷୀ ହୋଇ ରହିଛି ଅନେକ ସ୍ଥାନ। ଏଠାରେ କ୍ଷରିଛି ସଂଗ୍ରାମୀଙ୍କ ରକ୍ତ । ସେହି ରକ୍ତ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିଛି ଭାରତକୁ ସେପରି କିଛି ବୀରପୁରୁଷଙ୍କ  ପାଇଁ ଖୋର୍ଦ୍ଧାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ବର୍ଷତମାମ ପାଳନ  କରିବା ପାଇଁ ସୁଯୋଗ ମିଳିଛି । ଶେଷ ସ୍ଵାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ଭାବେ ପରିଚିତ ଏ ମାଟି ଶସ୍ୟଶ୍ୟାମଳା । ସମୃଦ୍ଧ ପବିତ୍ର ମାଟିର  ପ୍ରତିଭା, ପାଇକପଟଳ, ସାହିତ୍ୟ, ସଂସ୍କୃତି, ସଂହତି, ଐତିହ୍ୟ, କଳାକାର, ସମରକଳା, ସ୍ଥପତି ଓ ସ୍ଥାପତ୍ୟ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଛନ୍ତି । ନୈସର୍ଗିକ ଶୋଭା ପସରା ବେଷ୍ଟିତ ବରୁଣେଇ ପାହାଡ଼ ପାଦଦେଶରେ ଦୁର୍ଭେଦ୍ୟ ଖୋର୍ଦ୍ଧା ଗଡ଼ ନିର୍ମାଣ କରି ତତ୍କାଳୀନ ଖୋର୍ଦ୍ଧା ରାଜା ଗଜପତି ରାମଚନ୍ଦ୍ର ଦେବଙ୍କ ଅକ୍ଷୟ କୀର୍ତ୍ତି ସ୍ଵର୍ଣ୍ଣାକ୍ଷରରେ ଇତିହାସ ପୃଷ୍ଠା ମଣ୍ଡନ କରିଛି । ଦୁଦ୍ଧର୍ଷ ଯବନ କଳାପାହାଡର ଆକ୍ରମଣ ଯୋଗୁ ଓଡ଼ିଶାର ନୀଳ ଆକାଶରେ ଯେତେବେଳେ ଆତଙ୍କର କଳାବାଦଲ ଘାଟି ଯାଇଥିଲା ସେତେବେଳେ ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପ୍ରଧାନସେବକ ଗଜପତି ଓ ପୂଜକମାନେ ନେଇ ଆଶ୍ରୟ ଦେଇଥିଲେ ଘଞ୍ଚ ଅରଣ୍ୟ ପରିବେଷ୍ଟିତ ବରୁଣେଇ ପାହାଡ ପାଦଦେଶସ୍ଥ ଖୋର୍ଦ୍ଧା ଗଡ଼ରେ । ଶ୍ରୀମନ୍ଦିରରୁ ଦାରୁ ଦେବତାଙ୍କୁ ଅପସାରିତ କରିବା ଅବସରରେ ଶ୍ରୀବିଷ୍ଣୁ ଭକ୍ତ ତଥା ମୃଦଙ୍ଗବାଦକ ବିଶର ମହାନ୍ତି ମୃଦଙ୍ଗ ଗର୍ଭରେ ଶ୍ରୀଜୀଉମାନଙ୍କ ବ୍ରହ୍ମ ନେଇ ରଖିଥିଲେ କୁଜଙ୍ଗ ଜମିଦାରଙ୍କ ଓଳିଆ ଉପରେ । ଖୋର୍ଦ୍ଧାର ଗଜପତି ରାମଚନ୍ଦ୍ର ଦେବ କୁଜଙ୍ଗରୁ ବ୍ରହ୍ମଙ୍କୁ ଅଣାଇ ଖୋର୍ଦ୍ଧାଗଡରେ ବନଯାଗ ପୂର୍ବକ ମୂର୍ତ୍ତି ନିର୍ମାଣ କରାଇ ୧୫୭୫ରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ରତ୍ନ ସିଂହାସନରେ ବିଜେ କରାଇବା ଗୌରବର କଥା । ଜାଗୁଳେଇପାଟଣାରେ ବିଜେ ହାତଗୋଡ ଥିବା ଅନନ୍ତ ପୁରୁଷୋତ୍ତମ ଦେବ ଜଗନ୍ନାଥ) ଗଜପତି ଦିବ୍ୟସିଂହଦେବ ୩ୟଙ୍କୁ ଚତୁର୍ଦ୍ଧାମୂର୍ତ୍ତି ରୂପେ ଦର୍ଶନ ଦେଇଥିବାରୁ ଏଠାକାର । ଦାରୁମୂର୍ତ୍ତି ପୂର୍ଣ୍ଣାବୟବରେ ପୂଜିତ । ବ୍ରହ୍ମାଣ୍ଡ ଠାକୁର କାଳିଆ ସାଆନ୍ତଙ୍କ ନବକଳେବର ପାଇଁ ଉଦ୍ଦିଷ୍ଟ ଦେବଲାଗି ଦାରୁ ଖୋର୍ଦ୍ଧା ନିକଟ  ଚମ୍ପାଝର ଓ ଦମାଛଗାଡିଆ ପରି ପବିତ୍ର ମୃତ୍ତିକାରେ ବର୍ଦ୍ଧିତ ହୋଇ ଶ୍ରୀଜୀଉଙ୍କ ମୂର୍ତ୍ତି ଗଠନରେ ବ୍ୟବହୃତ ହେବା  ଅତୀବ ଗୌରବର ବିଷୟ। ଶ୍ରୀକ୍ଷେତ୍ର ସହିତ ଖୋର୍ଦ୍ଧାର ସମ୍ପର୍କ ବହୁ ପୁରାତନ ଓ ନିବିଡ ।

ଐତିହାସିକ ପୃଷ୍ଠଭୂମି

ଖୋର୍ଦ୍ଧା କହିଲେ ଅତୀତରେ ଖୋର୍ଦ୍ଧା ରାଜ୍ୟକୁ ବୁଝାଉଥିଲା, ଯାହାର କେନ୍ଦ୍ରାଞ୍ଚଳ ରାଜଧାନୀ ଗଡ଼ଖୋର୍ଦ୍ଧା ନାମରେ ପରିଚିତ। ଖୋର୍ଦ୍ଧାଗଡ଼ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଭାବରେ ସର୍ବବିଦିତ । ତେବେ ଗଡ଼ଖୋର୍ଦ୍ଧାକୁ ଛାଡିଦେଲେ ବର୍ତ୍ତମାନର ଖୋର୍ଦ୍ଧା ସହର । ସେତେବେଳେ ବଣଜଙ୍ଗଲରେ ଭରପୂର ଥିଲା । କାଳକ୍ରମେ ବଣଜଙ୍ଗଲକୁ ସଫା କରି ଜନବସତି ଗଢ଼ିଉଠିଥିଲା । ଅନ୍ୟପକ୍ଷେ ଖୋର୍ଦ୍ଧାଗଡ଼ ୧୫୬୮ରେ ରାମଚନ୍ଦ୍ର ଦେବଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା । ପରେ ୨୩୫ ବର୍ଷ ଧରି ୧୮୦୪ ଡିସେମ୍ବର ପର୍ଯ୍ୟନ୍ତ ଗଜପତିମାନେ ଶାସନ କରି ଆସୁଥିଲେ । ୧୮୦୪ ଡିସେମ୍ବର ଶେଷ ସପ୍ତାହରେ ଖୋର୍ଦ୍ଧାଗଡ଼ ବ୍ରିଟିଶମାନଙ୍କ ଦଖଲକୁ ଯାଇଥିଲା । ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଓ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ହୋଇଥିଲା, ଯାହାକି ବ୍ରିଟିଶମାନଙ୍କୁ ଭୟଭୀତ କରାଇଥିଲା । ଜୟୀ ରାଜଗୁରୁଙ୍କୁ ବ୍ରିଟିଶମାନେ ପଶ୍ଚିମବଙ୍ଗର ମେଦିନପୁରଠାରେ ବରଗଛର ଦୁଇ ଡାଳକୁ ଟାଣି ଆଣି ଫାଶୀ ଦେଇଥିଲେ । ସେ ସମୟରେ ଆନ୍ଦୋଳନର ନେତୃତ୍ଵ ନେଉଥିବା । ବୀରମାନଙ୍କୁ ସମ୍ମାନ ଜଣାଇ ଗଡ଼ଖୋର୍ଦ୍ଧା ଛକରେ ୧୬ ନଂ. ଜାତୀୟ ରାଜପଥ କଡରେ ପଞ୍ଚପାଇକ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣୀ, ତାପଙ୍ଗ ଦଳବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି  ।

ଭୌଗୋଳିକ ସ୍ଥିତି

ସମୁଦ୍ର ପତ୍ତନରୁ ସର୍ବନିମ୍ନ ୩୮.୯ ମିଟରରୁ ୪୨.୯ ମିଟର ମଧ୍ୟରେ ସହର ଅବସ୍ଥିତ । ସହରର ଆୟତ୍ତନ ୨୮.୯୦ ବର୍ଗ କିଲୋମିଟର । ମୋଟ ଅଞ୍ଚଳ ୭୨୩୩ ଏକରରୁ ସରକାରୀ ଜାଗା ୩୪୩୪ ଏକର ।

ଓଡିଶାର ଉପକୂଳବର୍ତ୍ତୀ ସମତଳ ଭୂମି, ମଧ୍ୟସ୍ଥ ପାହାଡ଼ିଆ ଭୂମି ଓ ପଶ୍ଚିମସ୍ତ ମାଳଭୂମି ଏପରି ଭାଗରେ ବିଭକ୍ତ ଥିବାବେଳେ ଖୋର୍ଦ୍ଧା ସହର ପାର୍ବତ୍ୟାଞ୍ଚଳ ଏବଂ ଉପକୂଳବର୍ତ୍ତୀ ସମତଳ ଭୂମିର ସନ୍ଧିସ୍ଥଳରେ ବିଦ୍ୟମାନ । ଏଠାକାର ମାଟି ଲାଲ, ଭୂମି ଶୁଷ୍ପ ।

ଏଣୁ ବର୍ଷା ପାଣି ସଙ୍ଗେ ସଙ୍ଗେ ଶୁଖ୍ୟଯାଏ । ସହରର ଉତ୍ତରରେ ଟାଙ୍ଗିଆପଡା, ନୂଆଗାଁ, କୁମାରବସ୍ତ, ପୂର୍ବରେ ପିତାପଲ୍ଲୀ, ଦକ୍ଷିଣରେ ତରାବୋଇ, ପଶ୍ଚିମରେ ପାନବରଜ, ଶରଧାପୁର, ତରତୁଆ ମୌଜା ଅବସ୍ଥିତ ଦକ୍ଷିଣ ସୀମାନ୍ତରେ ଛିଡ଼ା ହୋଇଛି ୧୦୦୭ ଫୁଟର ବରୁଣେଇ ପାହାଡ ।

ଜିଲାର ଚିତ୍ର

ଜିଲାରେ ୧୦ଟି ବ୍ଲକ, ୧୦ଟି ତହସିଲ, ୧୯୦ ପଞ୍ଚାୟତ ସମେତ ୨ଟି ଉପଖଣ୍ଡ ଖୋର୍ଦ୍ଧା ଏବଂ ଭୁବନେଶ୍ୱର, ୨ଟି ପୌର ପରିଷଦ ଖୋର୍ଦ୍ଧା ଏବଂ ଜଟଣୀ, ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲୁଗାଁ ଓ ବାଣପୁର ଏବଂ ଗୋଟିଏ ମହାନଗର ନିଗମ ଭୁବନେଶ୍ଵର ରହିଛି । ଜିଲାରେ ଖୋର୍ଦ୍ଧା ପୋଲିସ ଏବଂ କମିଶନରେଟ ପୋଲିସ ନାମକ ଦୁଇ ପୋଲିସ ଜିଲ୍ଲା କାର୍ଯ୍ୟ କରୁଛି ।

ନାମକରଣରେ ଭିନ୍ନତା

ଖୋର୍ଦ୍ଧାର ନାଁ ଲିଖନରେ ବିବିଧତା ରହିଛି । ବିଭିନ୍ନ ସମୟରେ ସହର ବା ଜିଲ୍ଲାର ନାଁ ଖୁରୁଧା, ଖୁରୁଦା, ଖୋରଧା, ଖୋର୍ଦ୍ଧା, ଖୁଦ୍ଧା ଭାବେ ଉଲ୍ଲେଖ କରାଯାଉଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ସାଧାରଣରେ ଖୋର୍ଦ୍ଧା, ଖୋରଧା ଲେଖାଯାଉଛି । ଇଂଲିଶରେ ଦୁଇ ପ୍ରକାର ବନାନ ଓ ଗୋଟିଏ ଉଚ୍ଚାରଣ ଚାଲିଛି। ଡାକଘର, ଅଦାଲତ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ମୋହର, କାଗଜପତ୍ରରେ Khurda ଲେଖା ରହୁଛି । ବିଭିନ୍ନ କାର୍ଯ୍ୟାଳୟରେ ଗୋଟିଏ ସ୍ଥାନରେ ଦୁଇଟି ଉଚ୍ଚାରଣ ରହିଛି । ଇଂରେଜ ରାଜୁତି ସମୟରେ Khoordha ଏବଂ ଓଡ଼ିଆରେ ଖୁଦ୍ଧି ରାସ୍ତାକଡ଼ରେ ଥିବା ମାଇଲ ଖୁଣ୍ଟରେ ଦର୍ଶାଯାଇଥିଲା । ବ୍ରିଟିଶ ରେକର୍ଡପତ୍ରରେ Khoordha ରହିଛି । ଖୋର୍ଦ୍ଧା ରାଜବଂଶ ରାଜୁତି ସମୟରେ ପ୍ରାୟ ୧୬୦୦ ଶତାବ୍ଦୀରେ ବାଲେଶ୍ଵରର ଶ୍ରୀଜଙ୍ଗ ଶିଳାଲେଖରେ ଖୁରୁଧା ଉଲ୍ଲେଖ ଅଛି, ଯାହାକି ରାଜ୍ୟ ସଂଗ୍ରହାଳୟରେ ସଂଗୃହୀତ ହୋଇ ରହିଛି । ଐତିହାସିକ କେଦାରନାଥ ମହାପାତ୍ର ଖୁରୁଧା ଇତିହାସ ଓ ଦିଗମ୍ବର ଶ୍ରୀଚନ୍ଦନ ଖୁରୁଧା ଦର୍ପଣ ଲେଖିଛନ୍ତି। ଯୁଦ୍ଧ ସମୟରେ ପାଇକମାନେ ଖୁର ପରି ତୀକ୍ଷ୍ମ ଅସ୍ତ୍ର ଓ ଶାନ୍ତି ସମୟରେ ଶସ୍ୟ ଉତ୍ପନ୍ନ ପାଇଁ ଦା’ର ବ୍ୟବହାର କରୁଥିବାରୁ ଖୁର ଯୁକ୍ତ ଦା ସମ୍ମିଶ୍ରଣରେ ଖୁରୁଦା ହୋଇଥିବା ଲୋକକଥା ଓ କେତେକାଂଶରେ ପ୍ରମାଣ ରହିଛି । ଆଉ କିଛି ଲୋକକଥା ଅନୁଯାୟୀ ଖୁର ଧାରରୁ ଖୋର୍ଦ୍ଧା ଶବ୍ଦ ଆସିଥିବା ଅନୁମାନ କରାଯାଏ । ପାର୍ସି ରେକର୍ଡ ଅନୁସାରେ ମୋଗଲ ରାଜୁତି ବେଳେ । ଖୋର୍ଦ୍ଧା ଶବ୍ଦର ଅର୍ଥ ଥିଲା ପାହାଡ଼ିଆ ବା ପଥୁରିଆ ଅଞ୍ଚଳ, ଯାହାକି ପରଙ୍ଗ ଖୁରୁଧା ରୂପେ ପରିଚିତ । ଖୋର୍ଦ୍ଧାର ଅନ୍ୟ ନାଁ ଓଡ଼ିଶା ଥିଲା । ବାକୀ, ନୟାଗଡ  ଓ ଅନ୍ୟାନ୍ୟ ଗଡ଼ଜାତ ଅଞ୍ଚଳର ଲୋକମାନେ ସେ ସମୟରେ ଖୋର୍ଦ୍ଧା ଆସିଲେ ଓଡ଼ିଶା ଯାଉଛନ୍ତି ବୋଲି କହୁଥିଲେ। ଏ ପ୍ରସଙ୍ଗରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଉତ୍କଳ ଇତିହାସ ଗ୍ରନ୍ଥରେ ଉଲ୍ଲେଖ ରହିଛି । ବର୍ତ୍ତମାନ ବୁଦ୍ଧିଜୀବୀମାନେ ଲିଖନ  ଓ ପଠନରେ ଖୋରଧା ଲେଖିକୁ ଆଗ୍ରହ ପ୍ରକାଶ କରିବା ସହ ଦାବି କରୁଛନ୍ତି। ଜିଲା ୱେବସାଇଟ୍, ଜିଲ୍ଲାପାଳ, ମେଡିକାଲ କାର୍ଯ୍ୟାଳୟର କାଗଜପତ୍ରରେ Khordha(ଖୋରଧା) ଲେଖାଯାଉଛି ।

ଗର୍ବ ଓ ଗୌରବ

‘ଛୋଟ ମୋର ଗାଁଟିର କବି ଜ୍ଞାନପୀଠ ବିଜେତା ଗୁରୁଜଙ୍ଗର ପଦ୍ମଶ୍ରୀ ସଚ୍ଚ ରାଉତରାୟ ଆଉ ନାହାନ୍ତି । ହେଲେ ତାଙ୍କ ସ୍ମୃତି ଅଲିଭା ହୋଇରହିଛି। ଖ୍ରୀଷ୍ଟିଆନ ସାହିର ଉତ୍କଳଭାରତୀ ଯଶସ୍ତ୍ରୀ କବି କୁନ୍ତଳାକୁମାରୀ ସାବତ ଓ ଜୟୀ ରାଜଗୁରୁ କବିତାର ସ୍ରଷ୍ଟା । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାମନ୍ତରାପୁରର ରମେଶ ଚନ୍ଦ୍ର ଭଞ୍ଜ ଖୋର୍ଦ୍ଧା ପାଇଁ ଖ୍ୟାତି ଆଣିଥିଲେ। ସେହିଭଳି ପଲଟନ ପଡ଼ିଆର ରାୟ ସାହେବ ବାଙ୍କନିଧୂ ପଟ୍ଟନାୟକ, ଗୋକୁଳ ମଣି ରାୟ ଚୂଡାମଣି, ଅବନୀ କୁମାର ବରାଳ, ପୂର୍ଣ୍ଣଚନ୍ଦ୍ର ମିତ୍ର ଓ ବିଷ୍ଣୁପ୍ରିୟା ରାୟଚୂଡାମଣି, ଶ୍ରୀରାମନଗରର ମୁରଲୀଧର ପ୍ରଧାନ, ରାଧାବଲ୍ଲଭ ସାହିର ବ୍ରଜ କିଶୋର ନାୟକ ଓ ପର୍ଶୁରାମ ପଟ୍ଟନାୟକ, ଗୁରୁଜଙ୍ଗର ହରିକୃଷ୍ଣ ପ୍ରଧାନ ପ୍ରମୁଖ ଦିବଂଗତ କବି, ଲେଖକ, ନାଟ୍ୟକାର, ଶିଶୁ ସାହିତ୍ୟିକ ମାନଙ୍କ ଯୋଗୁ ଖୋର୍ଦ୍ଧା ପ୍ରସିଦ୍ଧି ଲାଭ କରିଛି । ଅନ୍ୟପକ୍ଷେ ଖୋର୍ଦ୍ଧା ସହରରେ ବହୁ କବି, ଲେଖକ, ନାଟ୍ୟକାର, ଶିଶୁ ସାହିତ୍ୟିକ ସେମାନଙ୍କ ଲେଖନୀ ଚାଳନାକୁ ଚାଲୁ ରଖିଛନ୍ତି ।

ଗଜପତି ଓ ଶାସନ ସମୟ

ଖୋର୍ଦ୍ଧା ରାଜ୍ୟରେ ଭୋଇବଂଶର ଶାସନ ଚାଲିଥିଲା । ଏଣୁ ୧୫୬୮ରୁ ୧୮୧୭ ଇତିହାସ ହିଁ ଭୋଇବଂଶର । ଇତିହାସ ପ୍ରଥମ ଗଜପତି ଭାବେ  ରାମଚନ୍ଦ୍ର ଦେବ (୧୫୬୮-୧୬୦୦)  ରାଜ୍ୟ ଶାସନ କରିଥିଲେ। ପରେ ପୁରୁଷୋତ୍ତମଦେବ (୧୬୦୦ରୁ । ୧୬୨୧), ନରସିଂହଦେବ (୧୬୨୧ରୁ ୧୬୪୭), ଗଙ୍ଗାଧର ଦେବ (ସ୍ଵଳ୍ପ ସମୟ ରାଜୁତି), ବଳଭଦ୍ର ଦେବ (୧୬୪୭ରୁ ୧୬୫୬), ପ୍ରଥମ ମୁକୁନ୍ଦଦେବ (୧୬୫୭ ରୁ ୧୬୮୯), ପ୍ରଥମ ଦିବ୍ୟସିଂହଦେବ (୧୬୮୯ ରୁ ୧୭୧୬), ହରେକୃଷ୍ଣ ଦେବ (୧୭୧୬ ରୁ ୧୭୨୦),ଗୋପୀନାଥଦେବ (୧୭୨୦ ରୁ ୧୭୨୭), ୨ୟ ରାମଚନ୍ଦ୍ର । ଦେବ (୧୭୨୭ ରୁ୧୭୩୬), ବୀରକେଶରୀଦେବ (୧୭୩୭ ରୁ ୧୭୯୩), ୨ୟ ଦିବ୍ୟସିଂହଦେବ (୧୭୯୩ ରୁ୧୭୯୮) ପର୍ଯ୍ୟନ୍ତ ରାଜ୍ୟ ଶାସନ କଲେ। ଗଜପତି  ୨ୟ ମୁକୁନ୍ଦଦେବ ଶେଷ ରାଜା, ଯିଏକି (୧୭୯୮ ରୁ ୧୮୧୭) ପର୍ଯ୍ୟନ୍ତ ଶାସନ କରିଥିଲେ ।

ପର୍ବପର୍ବାଣି

ଏଠାରେ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ବାସ କରୁଥିବାରୁ ସବୁ ଧର୍ମର ପର୍ବପର୍ବାଣି ପାଳନ ହୁଏ । ବରୁଣେଇ ପୀଠରେ ସାଂସ୍କୃତିକ ଅନୁଷ୍ଠାନ ଦିଶାନ୍ତ ପକ୍ଷରୁ ରଜ ମହୋତ୍ସବ ଦିନ ଧରି ଚାଲେ । ଦିନବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତାର ମାହୋଲ ପରିବେଶକୁ ଉଷ୍ମ କରି ରଖିଥାଏ । ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । ସେହିଭଳି ଗୁରୁଜଙ୍ଗସ୍ଥିତ ଧବଳେଶ୍ୱରଙ୍କ ବଡ଼ଓଷା ଓ ଜାଗରଯାତ୍ରା ଅନ୍ୟତମ ଆକର୍ଷଣ। ଗୁରୁଜଙ୍ଗ ଯୁବ ପରିଷଦ ପକ୍ଷରୁ ବଡଓଷା ପରବ ନାମରେ ସାଂସ୍କୃତିକ ଆସର ୩ଦିନ ଧରି କରାଯାଏ । ୭ଦିନ ଧରି ଗଜଲକ୍ଷ୍ମୀ ପୂଜା ପାଳନ ହୁଏ । ବ୍ୟବସାୟୀ ମହାସଂଘ, ମିଳିତ ଭସାଣି କମିଟି, ଜିଲା ପ୍ରଶାସନ ଓ ପୌର ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏହି ପର୍ବକୁ ଧୂମଧାମରେ ପାଳନ କରାଯାଏ । ୩୦ରୁ ଉର୍ଦ୍ଧ ମେଢ଼ ମିଳିତ ଭସାଣିରେ ଭାଗ ନିଅନ୍ତି । ପ୍ରତିବର୍ଷ ଦଶହରାରେ ବିଜେବି ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେଉଛି ରାବଣ ପୋଡି ଉତ୍ସବ । ବଡିଜୋନ ଅନୁଷ୍ଠାନ ପକ୍ଷରୁ । ରାବଣ ପୋଡି ଉତ୍ସବ ହୋଇଆସୁଛି । ଦଶହରା ରାତିରେ ଦଶାନନଙ୍କ ଦେହରେ ଅଗ୍ନି ସଂଯୋଗ କରି ଏହି ଉତ୍ସବ ପାଳିତ ହୋଇଥାଏ। ଅନ୍ୟପକ୍ଷେ ପ୍ରାୟ ୩୦୦ ବର୍ଷ ତଳର ପୁରୁଣା ଗୁରୁଜଙ୍ଗର କାଷ୍ଣମୁଖାଧାରୀ ରାମଲୀଳା ପରମ୍ପରା, ଯାହା ରାମଲୀଳାରେ ଆରମ୍ଭ ହୋଇ କଂସବଧରେ ଶେଷ ହୋଇଥାଏ । ରାମାୟଣ । କଥାବସ୍ତୁକୁ ନେଇ ମୁକ୍ତ ରଙ୍ଗମଞ୍ଚରେ କାହିଁ କେଉଁ କାଳରୁ ୧୨ରୁ ୧୫ ଦିନ ଧରି ଅନୁଷ୍ଠିତ ହୋଇ ଆସୁଛି କାଷ୍ଣମୁଖାଧାରୀ ରାମଲୀଳା । ଆଧୁନିକ ଯନ୍ତ୍ରପାତି ବ୍ୟବହୃତ ନ ହୋଇ ଖୋଳ, ତବଲା, ଗିନି ବାଦ୍ୟଯନ୍ତ୍ର ମାଧ୍ୟମରେ ଗୀତ ଓ ନୃତ୍ୟ ଆକାରରେ ଏହା ପରିବେଷଣ ହୋଇଥାଏ । ତାହା ପୁଣି ଆରମ୍ଭ ହୁଏ ଜ୍ୟେଷ୍ଠା ମାସରୁ ଦୁର୍ଗାପୂଜା ମଧ୍ୟ ସହରରେ ହୋଇଥାଏ । ମେରୁଯାତ୍ରା ଅବସରରେ ଦଣ୍ଡୁଆମାନେ କୋଇଲେଖା କଣ୍ଟାରେ ଗଡିବା ସାଙ୍ଗକୁ ନିଆଁରେ ଝୁଲିଥାନ୍ତ, ଯାହାକି । ଖୋର୍ଦ୍ଧା ସହର ଉପରସାହିସ୍ଥିତ କାମନାବରଙ୍କ ମନ୍ଦିର ସମ୍ମୁଖରେ ଦେଖୁବାକୁ ମିଳେ । ଡିସେମ୍ବର ୨୫ରେ ବଡଦିନ ପାଳିତ ହୁଏ ।

ପ୍ରସିଦ୍ଧ

ଖୋର୍ଦ୍ଧାର ଷ୍ଟେପଲ ଲୁଙ୍ଗି, ଜର୍ଦା ଗାମୁଛାର ସ୍ଵତନ୍ତ୍ର ପରିଚୟ ରହିଛି । ମାରୱାଡ଼ି ଲୋକମାନଙ୍କ ଉଦ୍ୟମ କ୍ରମେ ପ୍ରଥମେ ଏହି ନୀଳ ଲୁଙ୍ଗି ଓ ନାଲି ଗାମୁଛା ବୁଣା ଆରମ୍ଭ ହୋଇଥିଲା । ଦୀର୍ଘସ୍ଥାୟୀ ସୂତା ଓ ଭଲ ରଙ୍ଗ ସହ ଉନ୍ନତମାନର ବୁଣା ଲାଗି ଏଠିକାର ଲୁଙ୍ଗି, ଗାମୁଛା ସବୁଠି ଲୋକପ୍ରିୟ ହେବାରେ ଲାଗିଲା । ଏପରିକି ତାମିଲନାଡୁ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ଏହା ବିକ୍ରି ଲାଗି ଯାଉଛି । ଲୁଙ୍ଗି ଓ ଗାମୁଛାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ମର୍ସରାଇଜ୍ ଶାଢ଼ି ବୁଣା ମଧ୍ୟ ଆରମ୍ଭ ହେଲା । ଶାଢ଼ିଗୁଡିକ ଟାଣ ଓ ମୋଟା ସୂତାରେ ତିଆରି ହେଉଥିବା ଯୋଗୁ ଗରିବ ଶ୍ରେଣୀର ଲୋକଙ୍କ ଭିତରେ ଏହାର ଚାହିଦା ମଧ୍ୟ ବଢିଲା । ସମୟ ବଦଳିବା କ୍ରମେ ସୁରଟ ଓ ବମ୍ବେ ଭଳି ସହରରେ ମିଲ୍ ପ୍ରସ୍ତୁତ ଶସ୍ତା ଓ ସୁନ୍ଦର ଶାଢି, ଲୁଙ୍ଗି ଓ ଗାମୁଛା ଆସୁଥିବାରୁ ଖୋର୍ଦ୍ଧାର ପାରମ୍ପରିକ ଲୁଙ୍ଗି, ଗାମୁଛାର ଆଦର ଧୀରେ ଧୀରେ କମିଗଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକାଂଶ କଳନ୍ତ ମ ବନ୍ଦ ହୋଇଗଲା । ଏଗୁଡିକ ବ୍ୟବହାର କଲେ ଚର୍ମରୋଗ ହେଉଥିବାରୁ ଏବେ ୨/୮୦ ମର୍ସରାଇଜ ଗାମୁଛା ଓ ଲୁଙ୍ଗି ତାହାର ସ୍ଥାନ ନେଇଛି । ସେହିଭଳି ରାଧାବଲ୍ଲଭ ସାହିର ରାଧାଗୋବିନ୍ଦ ଶେଫାଳି ସଂଗ୍ରହାଳୟ ସହରର ଗର୍ବ ବଢ଼ାଉଛି । ଏଠାରେ ପ୍ରତ୍ନତତ୍ତ୍ଵ, ନୃତତ୍ତ୍ଵ, ଭୂତତ୍ତ୍ଵ, ହସ୍ତଶିଳ୍ପ, କାରୁକଳା ଆଦି ୧୬ ବିଭାଗରେ ଭାରତର ୩୦ ପ୍ରଦେଶ ଓ ବିଶ୍ଵର ୨୫ ଦେଶର । ବିଭିନ୍ନ ଦୁର୍ଲଭ ଉପକରଣ ଉପଲବ୍ଧ ରହିଛି । ସେହିଭଳି ସିଦ୍ଧେଶ୍ୱର ମାର୍ଗରେ କରୁଣାମୟୀ ସ୍ମାରକୀ ଖବରକାଗଜ ସଂଗ୍ରହାଳୟ ଅନ୍ୟତମ ଆକର୍ଷଣ । ଏଠାରେ ଦେଶ ବିଦେଶର ୨୬୪୮ ସମ୍ବାଦପତ୍ର ରହିଛି । ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନଗୁଡ଼ିକରେ ପାଇକ ଆଖଡ଼ା ଦଳ ସମରକଳା ପ୍ରଦର୍ଶନ କରିଛନ୍ତି ।

ସ୍ୱାସ୍ଥ୍ୟ

ସହରରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ପି.ଏନ କଲେଜ ପରିସରରେ ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଦନ୍ତ, ଅସ୍ଥି ଶଲ୍ୟ, କଣ୍ଠ, ନାସା ଓ ଗଳା ବିଭାଗ, ଭେଷଜ, ମାନସିକ, ଚେଷ୍ଟ ଆଣ୍ଡ ଟିବି, ଶଲ୍ୟ, ସର୍ଜରୀ, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶ୍ନ ବିଭାଗ ରହିଛି। ଏଠାରେ ସମୁଦାୟ ୧୪୦ ଶଯ୍ୟା ଅଛି । ୭୧ ଡାକ୍ତର । ପଦବୀରୁ ୩୬ ପଦବୀ ଖାଲି । ଡାଇବେଟିସ୍, ବ୍ଲଡ ପ୍ରେସର ଓ ବାଦ୍ଧକ୍ୟଜନିତ ରୋଗ ପାଇଁ ଏସିଡି କେୟାର ରହିଛି। ଦିବ୍ୟାଙ୍ଗ ଶିଶୁମାନଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଉପଲବ୍ଧ । ପ୍ରତିଦିନ ଆଉଟଡୋରକୁ ୫୦୦ରୁ ୧୦୦୦ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ଡାକ୍ତର ପଦବୀ ଖାଲିପଡ଼ିବା କାରଣରୁ ସ୍ଵାସ୍ଥ୍ୟସେବା ଠିକରେ ମିଳୁନାହିଁ । ଅନ୍ୟପକ୍ଷେ ଛୋଟ ଛୋଟ ରୋଗ ପାଇଁ ରୋଗୀ ମାନଙ୍କୁ ଭୁବନେଶ୍ଵର ଓ କଟକ ରେଫର କରାଯାଉଥିବା ଅଭିଯୋଗ ରହିଛି । ଓମ  ଶୁଭମ ହସ୍ପିଟାଲ, ତାରେଣୀ ହସ୍ପିଟାଲ, ଖୋର୍ଦ୍ଧା ନସିଂହୋମ, ଆରୋଗ୍ୟ, ଅରୋକେୟାର, ପାର୍କଲାଣ୍ଡ ହସ୍ପିଟାଲ, ସହଯୋଗ, ନନ୍ଦିଘୋଷ ନର୍ସିଂହୋମ, ଜେନାମଣି ହସ୍ପିଟାଲ, ମିଶ୍ର ହସ୍ପିଟାଲ ପରି ୧୦ଟି ଘରୋଇ ଚିକିତ୍ସାଳୟ ରହିଛି ।

ଶିକ୍ଷାନୁଷ୍ଠାନ

ଶିକ୍ଷାକୁ ନେଇ ସମୃଦ୍ଧ ଖୋର୍ଦ୍ଧା ସହର । ଉଚ୍ଚ ଶିକ୍ଷା ପାଇଁ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ଯୁକ୍ତ ୨ ଜୁନିୟର କଲେଜ, ମହିଳା ମହାବିଦ୍ୟାଳୟ ରହିଛି । ଆଇନ ମହାବିଦ୍ୟାଳୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆବାସିକ ମହାବିଦ୍ୟାଳୟ, ବିବେକାନନ୍ଦ ଆବାସିକ ମହାବିଦ୍ୟାଳୟ ମଧ୍ୟ ଅଛି । ବୈଷୟିକ ଶିକ୍ଷା ପାଇଁ ସରକାରୀ ସ୍ତରରେ ଆଇଟିଆଇ ନ ଥିବାବେଳେ ବେସରକାରୀ ଭାବେ ବିଶ୍ୱକର୍ମା ଆଇଟିଆଇ ଶିକ୍ଷାନୁଷ୍ଠାନ ରହିଛି । ବରୁଣେଇରେ ହାଇଟେକ୍, ଅମିତ୍, ଟେଲ ସିଟି ପ୍ରଭୃତି ଟି ଘରୋଇ ଇଞ୍ଜିନିୟରିଂ କଲେଜ ରହିଛି । ଶିକ୍ଷକ ପ୍ରଶିକ୍ଷଣ ପାଇଁ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ସ୍କାଉଟ୍ ଗାଇଡ୍ ଓ ରୋଭର ରେଞ୍ଜରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର, ଡାକ୍ତରୀ ଚିକିସାର ଉନ୍ନତି ପାଇଁ ବେସରକାରୀ ଭାବେ ୩ଟି ନର୍ସିଂ ସ୍କୁଲ ଅଛି । ସେହିଭଳି ଜବାହର ନବୋଦୟ ବିଦ୍ୟାଳୟ, ବିଜେବି ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟୀ ରାଜଗୁରୁ ହାଇସ୍କୁଲ ଜେମାଦେଈ, ଗୁରୁଜଙ୍ଗ ହାଇସ୍କୁଲ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଅଛି । ପବ୍ଲିକ ସ୍କୁଲ ଭିତରେ ଏଡିଏ ହାୟର ସେକେଣ୍ଡାରୀ ସ୍କୁଲ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୀଣାପାଣି ଶିଶୁ ବିଦ୍ୟା ମନ୍ଦିର, ଡିଏଭି ପବ୍ଲିକ ସ୍କୁଲ, କାମୈଲ ସ୍କୁଲ, ପଲ୍ଲହାଟ ସରସ୍ଵତୀ ଶିଶୁ ମନ୍ଦିର, ସିମା ପବ୍ଲିକ ସ୍କୁଲ, ମୋନାଲିସା ଇଂଲିଶ ମାଧ୍ୟମିକ ବିଦ୍ୟାଳୟ, ତଳସାହି ଇଂଲିଶ ମାଧ୍ୟମ ସ୍କୁଲ, ଜଗନ୍ନାଥ ପବ୍ଲିକ ସ୍କୁଲ, ସବିନ୍ ପବ୍ଲିକ ସ୍କୁଲ, ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ, ଇନ୍ଦିରା ପବ୍ଲିକ ସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର ଗୁରୁଜଙ୍ଗ, ପ୍ରାରମ୍ଭ ସ୍କୁଲ, ସଦ୍‌ଭାବନା ଇଂଲିଶ ମାଧ୍ୟମ ସ୍କୁଲ ରହିଛି । ସେହିଭଳି ଜେନାମଣି ପ୍ରାଥମିକ ସ୍କୁଲ, ଗୁରୁଜଙ୍ଗ ପ୍ରାଥମିକ ସ୍କୁଲ, ଧବଳେଶ୍ୱର ପ୍ରାଥମିକ ସ୍କୁଲ, ଟାଉନ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥ ବିଦ୍ୟାପୀଠ, ଖୋର୍ଦ୍ଧା ପ୍ରୋଜେକ୍ଟ ୟୁପି, ପ୍ରାକ୍ଟିସିଂ ୟୁଜିୟୁପି, ସାମନ୍ତରାପୁର ପିୟୁପି, ବଧା ପ୍ରାଥମିକ ସ୍କୁଲ, ମୁକୁନ୍ଦପ୍ରସାଦ ୟୁଜିୟୁପି, ଜେମାଦେଈ ପ୍ରାଥମିକ ସ୍କୁଲ, ଚାରା ପ୍ରାଥମିକ ସ୍କୁଲ, ମୁକୁନ୍ଦପ୍ରସାଦ ଉହୁଁ ପ୍ରାଇମେରୀ ସ୍କୁଲ, କାମନାବର ପ୍ରାଥମିକ ସ୍କୁଲ, ଜେମାଦେଈ ୟୁପି ସ୍କୁଲ, ବ୍ଲକ ଆରିଓ ପିୟୁପି, ଫରେଷ୍ଟ କଲୋନୀ ପିୟୁପି, ବିଦ୍ୟୁତ୍‌ନଗରୀ ପ୍ରାଥମିକ ସ୍କୁଲ, ଭାଲିଆବାଡି ୟୁଜିୟୁପି, ଗଦ୍ଵାର ପ୍ରାଥମିକ ସ୍କୁଲ, ଗଡଖୋର୍ଦ୍ଧା ପିୟୁପି ପ୍ରଭୃତି ରହିଛି ।

ଅନ୍ୟାନ୍ୟ ସୂଚନା

ରାଜଧାନୀ ଠାରୁ ଦୂରତା

ରାଜଧାନୀ ଭୁବନେଶ୍ଵର ଖୋର୍ଦ୍ଧା ଜିଲାର  ଅଂଶବିଶେଷ । ଖୋର୍ଦ୍ଧା ସହର ଠାରୁ ଭୁବନେଶ୍ଵରର ଦୂରତା ୩୦ କି.ମି.। ଏଠାରୁ  ଯାତାୟାତ ପାଇଁ ସଡକପଥରେ ଉତ୍ତମ  ସଂଯୋଗ ରହିଛି । ନିୟମିତ ବ୍ୟବଧାନରେ ସିଟି ବସ୍ ସମେତ ଅନ୍ୟ ବସ୍ ଚଳାଚଳର ବ୍ୟବସ୍ଥା ଅଛି ।

ଜନସଂଖ୍ୟା

ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ୧୯୬୦ ଜୁଲାଇ ୧୨ରେ ଗଠନ ହୋଇଥିଲା । ୨୦୦୦ ମସିହା ଅଗଷ୍ଟ ୩୧ରେ ଏହା ମ୍ୟୁନିସିପାଲିଟି ମାନ୍ୟତା ପାଇଲା । ୨୨ଟି ୱାର୍ଡକୁ ନେଇ ଗଠିତ ଏହି ସହରର ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୪୬,୦୯୫ । ଏଥିରୁ ମହିଳା ୨୨,୧୨୫ ଏବଂ ପୁରୁଷ ୨୩,୯୬୧୮ ।

ଶ୍ମଶାନ, କବରସ୍ତାନ

ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଲାଗି ହିନ୍ଦୁମାନେ ମୃତଦେହ ପୋଡନ୍ତି ଏବଂ ମୁସଲମାନ, ଖ୍ରୀଷ୍ଟିଆନମାନେ ମାଟିରେ ପୋତି କବର ଦିଅନ୍ତି। ସହରରେ ଟିଏଲସି । ରାସ୍ତାକଡ଼ର ଚିଙ୍ଗୁଡିଝର, ବରୁଣେଇ  କଡରେ ହାତଗାଡିଆ, ସୂତାକଳ ପାର୍ଶ୍ଵ, ଗଡଖୋର୍ଦ୍ଧା, ଗୁରୁଜଙ୍ଗ, ଭାଲିଆବାଡ଼ିରେ ଶ୍ମଶାନ ରହିଛି । ତେବେ ଅଧିକାଂଶ ମଶାଣିର ଜମି ଜବରଦଖଲରେ ରହିଛି । ଶ୍ରୀରାମନଗରରେ ଖ୍ରୀଷ୍ଟିଆନଙ୍କ ଭୋଟର ସଂଖ୍ୟା କବର ସୁଳ, ନୟାଗଡ ରାସ୍ତା ଏବଂ ମୁକୁନ୍ଦପ୍ରସାଦରେ ମୁସଲମାନଙ୍କ କବର ସ୍ଥଳ ରହିଛି ।

ରାଜପଥ, ରେଳପଥ

ସହର ଦେଇ ରେଳପଥ ଯାଇନାହିଁ । ତେବେ ସହର ନିକଟବର୍ତ୍ତୀ ର ତୋଟାପଡା ଅଞ୍ଚଳରେ ଖୋର୍ଦ୍ଧା ଟାଉନ ଷ୍ଟେଶନ ରହିଛି । ସହର ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ୪କି.ମି. ଓ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ସାଢ଼େ ୭ କି.ମି. ରହିଛ ।

କଲ୍ୟାଣପଣ୍ଡପ / ସିନେମା ହଲ

ବିବାହ, ବ୍ରତ ଆଦି ସାମାଜିକ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ଲାଗି ମ୍ୟୁନିସିପାଲିଟିର ବିଡ଼ିଏ କଲୋନୀ କଲ୍ୟାଣ ମଣ୍ଡପ ରହିଛି । ଏହାବ୍ୟତୀତ ଭଗବାନ ଭିଲ୍ଲା, ନାରାୟଣ କଲ୍ୟାଣମଣ୍ଡପ, ଅଞ୍ଜୁଶ୍ରୀ କଲ୍ୟାଣ ମଣ୍ଡପ, ମୋନାର୍କ ପ୍ୟାଲେସ, ରୁଦ୍ର ନାରାୟଣ କଲ୍ୟାଣ ମଣ୍ଡପ, ପ୍ରଫୁଲ୍ଲ ପ୍ୟାଲେସ, ପଦ୍ମ ଗାର୍ଡେନ, ପାର୍ବତୀ କଲ୍ୟାଣ ମଣ୍ଡପ, ଶାନ୍ତି କଲ୍ୟାଣ ମଣ୍ଡପ, ପ୍ରଧାନ କଲ୍ୟାଣ ମଣ୍ଡପ ପ୍ରଭୃତି ୧୦ ଘରୋଇ କଲ୍ୟାଣମଣ୍ଡପ ରହିଛି । ସେହିଭଳି ମନୋରଞ୍ଜନ ପାଇଁ ପୁରୁଣା ସହରରେ ପ୍ରିୟା ଫିଲ୍ମ ହଲ ରହିଛି ।

ପର୍ଯ୍ୟଟନସ୍ଥଳ

ସହର ଭିତରେ ସରକାରୀ ସ୍ୱୀକୃତିପ୍ରାପ୍ତ । ପର୍ଯ୍ୟଟନସ୍ଥଳ ବରୁଣେଇ ଅଛି । ଠାକୁରାଣୀ ବରୁଣେଇଙ୍କ ଦର୍ଶନ ସାଙ୍ଗକୁ ପାହାଡ ଶିଖରରେ ଥିବା ଗୁମ୍ଫା ଓ ସୀତାକୁଣ୍ଡ ଦେଖି ପର୍ଯ୍ୟଟକ ମଜା ଉଠାଇଥାନ୍ତି । ବଣଭୋଜିକୁ ନେଇ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ କମେ।

ପାର୍କ

ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ବିଜୁ ପଟ୍ଟନାୟକ ପାର୍କ, ଜୟୀ ରାଜଗୁରୁ ପାର୍କ, ଶହୀଦ ପାର୍କ ଓ ଶିଶୁ ଉଦ୍ୟାନ ରହିଛି । ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜାନକୀ ପଟ୍ଟନାୟକ ପାର୍କ ମଧ୍ୟ ରହିଛି ।

ଥାନା ଓ ଫାଣ୍ଡି

ସହରରେ ଖୋର୍ଦ୍ଧା ଟାଉନ ଓ ସଦର ଥାନା ନାମରେ ଦୁଇଟି ଥାନା ରହିଛି । ଟାଉନ ଥାନା ଅଧୀନରେ ଶିଳ୍ପାଞ୍ଚଳ ରହିଛି । ଫାଣ୍ଡି, ବରୁଣେଇ ଫାଣ୍ଡି, ନୂଆ ବସଷ୍ଟାଣ୍ଡ ନଦୀ ଓ ଜଳାଶୟ  ଫାଣ୍ଡି ରହିଛି । ଟାଉନ ଥାନାରେ ରଣଜିତ ସାହୁ ଓ ସଦର ଥାନାରେ ବିକ୍ରମ ଜେନା । ଆଇଆଇସି ଭାବେ ଦାୟିତ୍ଵ ତୁଲାଉଛନ୍ତି ।

ସଂଗୃହିତ –

  • ଲୋକନାଥ ମିଶ୍ର
  • ଶ୍ଵେତ ପଦ୍ମାସିନୀ ମହାନ୍ତି, ସାହିତ୍ୟକ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top