অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯାଜପୁର ଜିଲ୍ଲା

ଯାଜପୁର ଜିଲ୍ଲା

ଇତିହାସ

ଐତିହ୍ୟ ଓ ଇତିହାସକୁ ନେଇ ଗର୍ବ କରେ ମାନବ ସଭ୍ୟତା । ସାଂସ୍କୃତିକ ପରିଚୟ ଦିଏ ବିଭିନ୍ନ କୀର୍ତ୍ତି ଓ ସଂସ୍କୃତି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା ବିସ୍ମରଣୀୟ ସଂସ୍କୃତି ଓ ଐତିହ୍ୟ ବିମଣ୍ଡିତ । ପୁଣ୍ୟତୋୟା ବୈତରଣୀ କୂଳରେ ଭାରତ ଭୂଖଣ୍ଡର ଏକ ପ୍ରାଚୀନ ନଗରୀ ଯାଜପୁର ଅବସ୍ଥିତ ।

ପ୍ରାଚୀନ କଳିଙ୍ଗ ଉତ୍କଳର ଭୌମକର ବଂଶୀୟ ରାଜାମାନଙ୍କ ଅଧୀନରେ ଯାଜନଗର(ଆଜିର ଯାଜପୁର) କଳାସ୍ଥାପତ୍ୟ, ଐତିହ୍ୟ ଓ ପୁଣ୍ୟକ୍ଷେତ୍ର ଭାବରେ ସୁପରିଚିତ ଥିଲା ।

ସୋମବଂଶୀ କେଶରୀ ରାଜା ଓ ଗଙ୍ଗବଶୀୟ ରାଜାମାନଙ୍କ ରାଜତ୍ଵ ସମୟରେ ଏହି ପୁରାତନ ପୌରାଣିକ କ୍ଷେତ୍ର ପ୍ରସିଦ୍ଧି ଅର୍ଜନ କରିଥିଲା । ପୁରାତନ ଯାଜପୁରକ୍ଷେତ୍ର ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ବୌଦ୍ଧ, ଜୈନ ଓ ଇସଲାମ ଧର୍ମପୀଠ ଭାବରେ ମଧ୍ୟ ସର୍ବଜନବିଦିତ ।

ପୁରାଣ ପ୍ରସିଦ୍ଧ ଏହି କ୍ଷେତ୍ରର ଅଧିଷ୍ଠାତ୍ରୀ  ଦେବୀ ହେଉଛନ୍ତି ମା' ବିରଜା । ଦେବୀ ବିରଜା ହେଉଛନ୍ତି ବ୍ରହ୍ମାଗ୍ନିଜାତା । ଦେବୀ  ସ୍ୱୟଂ ବ୍ରହ୍ମାଙ୍କ ଦ୍ଵାରା ମଧ୍ୟ ପ୍ରତିଷ୍ଠିତା I

ମା' ବିରଜାଙ୍କ କ୍ଷେତ୍ର ସମ୍ପର୍କରେ ବ୍ୟାସଦେବଙ୍କ ମହାଭାରତ, ବାୟୁପୁରାଣ, ବାମନପୁରାଣ, କପିଳ ସଂହିତା, ବ୍ରହ୍ମ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ତୀର୍ଥ ଚିନ୍ତାମଣି ଆଦି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।

ବିରଜାକ୍ଷେତ୍ର ହେଉଛି ଏକ ପ୍ରାଚୀନତମ ଶକ୍ତିପୀଠ । ଏହି କ୍ଷେତ୍ରରେ ଦେବୀଙ୍କୁ ବୈଦିକ ଓ ତାନ୍ତ୍ରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥାଏ I

ମା' ବିରଜାଙ୍କ ନାମ ଅନୁସାରେ ଏହାର ନାମକରଣ ବିରଜାକ୍ଷେତ୍ର କରାଯାଇଛି । ବିରଜାକ୍ଷେତ୍ରର ପଶ୍ଚିମ ପାର୍ଶ୍ଵରେ ରହିଛି ମହର୍ଷି ବ୍ୟାସଦେବା ମହାମୁନୀଙ୍କ ଐତିହ୍ୟସମ୍ପନ୍ନ ବ୍ୟାସ ସରୋବର ।

ଆଉ ଏହି ନାମରେ ନାମିତ ବ୍ୟାସନଗର ସହର ଏହି ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ।

ଐତିହ୍ୟର ସହର ବ୍ୟାସନଗର

ମହର୍ଷି ବ୍ୟାସଦେବ ମହାମୁନିଙ୍କ ଐତିହ୍ୟପୀଠ ଥିଲା ବ୍ୟାସ ସରୋବର । ମହାମୁନି ବେଦବ୍ୟାସ ଏହି ସ୍ଥାନରେ ବସି  ମହାକାବ୍ୟ  ମହାଭାରତ  ରଚନା  କରିଥିଲେ  ବୋଲି  କିମ୍ବଦନ୍ତୀ ରହିଛି । ସେହି ଦିନ ଠାରୁ ଏହି ସହର କୁବ୍ୟାସନଗର ବୋଲି କୁହାଯାଏ  ।  ଏବେ ଏହା ସରକାରୀ ଭାବେ ଯାଜପୁର-କେନ୍ଦୁଝର ରୋଡ ବୋଲି ଲିପିବଦ୍ଧ  ହୋଇଛି । ଲୋକମୁଖରେ ପ୍ରଚଳିତ ରହିଛି ଯେ, ଅଠର ଦିନର ମହାଭାରତ ଯୁଦ୍ଧର ମୂକସାକ୍ଷୀ ଏହି ବ୍ୟାସ ସରୋବର ଅଞ୍ଚଳରେ ପାଣ୍ଡବଭ୍ରାତା  ଭୀମଙ୍କ  ଗଦାଘାଡ଼ରେ  କୁରୁରା   ଦୁର୍ଯ୍ୟୋଧନଙ୍କ ଜାନୁଭଙ୍ଗ ହୋଇଥିଲା । ବ୍ୟାସ ସରୋବର ସନ୍ନିକଟସ୍ଥ ଏକ ବଉଳ ଗଛତଳେ ପଡ଼ିଥିବା ଏକ ବିଶାଳ ପ୍ରସ୍ତର ଖଣ୍ଡଟି ମହାମାନି ଦୁର୍ଯ୍ୟୋଧନଙ୍କ ଜାନୁଭଗ୍ନର ଶେଷ ସ୍ମାରକୀ ଅଟେ। ଏହାସହ ବ୍ୟାସ ସରୋବର କ୍ଷେତ୍ରରେ ରହିଛି ପ୍ରାଚୀନ ଗୁପ୍ତଗଙ୍ଗା । ଏହି ପବିତ୍ର ପୀଠରେ ନବବିବାହିତଙ୍କ ନୋଳମୁକୁଟଗୁଡିକ ବିସର୍ଜନ କରାଯାଇଥାଏ । ପ୍ରଥମ ମୁଣ୍ଡନ ମଧ୍ୟ ଏଠାରେ ସମାହିତ ହୁଏ । ବ୍ୟାସନଗର ନାମରେ ମହାଭାରତ ଯୁଗର ଏକ ମହନୀୟ ସଂସ୍କୃତି ପୀଠ ପରିଚିତ ହୋଇଛି । ବହୁ ପୁରାତନ କାଳରୁ  ଭୌମୀ ଏକାଦଶୀ ତିଥିରେ ଏହି ପାବନ କ୍ଷେତ୍ରରେ ବ୍ୟାସସରୋବର ମେଳା ଅନୁଷ୍ଠିତ ହୋଇ ଆସୁଛି । ଏହି ମେଳାକୁ ଜିଲ୍ଲା ତଥା ଜିଲା ବାହାରର ବହୁ ଦର୍ଶକ ଆସି ଗୁପ୍ତଗଙ୍ଗାରେ ସ୍ନାନ କରି ପୁଣ୍ୟଲାଭ କରିଥାନ୍ତି ।

ଜନସଂଖ୍ୟା

୨୦୧୧ ମସିହା ଜନଗଣନା ଅନୁଯାୟୀ ବ୍ୟାସନଗର ସହରର ଜନସଂଖ୍ୟା ୪୮,୯୧୧ ।  କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ହୋଇଥିବାରୁ ଏହି ସହରର ଜନସଂଖ୍ୟା ବଢ଼ି ଚାଲିଛି । ୩୪,୭୪୩ ଭୋଟରଙ୍କ ମଧ୍ୟରୁ ୧୮,୩୧୫ ପୁରୁଷ ଓ ୧୬,୪୦୩ ଜଣ ମହିଳା ଅଛନ୍ତି ।

ରାଜଧାନୀ ଠାରୁ ଦୂରତା

ଓଡ଼ିଶାର ରାଜଧାନୀ  ଭୁବନେଶ୍ଵର ଠାରୁ କଲିକତା ୧୬ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଠାରୁ ବାମକୁ କେନ୍ଦୁଝର ରାସ୍ତାରେ ୧୦କି.ମି ଦୂରରେ ଏହି ଐତିହ୍ୟ ସମ୍ପନ୍ନ ବ୍ୟାସନଗର ସହର ଅବସ୍ଥିତ ଭୁବନେଶ୍ଵର ଠାରୁ ସମୁଦାୟ ଏହାର ଦୂରତା ୧୦୫କି.ମି. ହେବ ।

ରେଳଷ୍ଟେଶନ

ପୂର୍ବତଟ ରେଳୱେ ଅଧୀନରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ ପ୍ରମୁଖ ସ୍ଥାନ ଅଧିକାର କରିଛି । ଏହି ଷ୍ଟେଶନକୁ ଏ' ଗ୍ରେଡ଼ ମାନ୍ୟତା ମିଳିଛି । ଏଠାରୁ କଟକ, ଭୁବନେଶ୍ଵର, ଦିଲ୍ଲୀ, ହାୱାଡା, କଲିକତା, ମାଡ୍ରାସ, କୋଚି, ପାଟନା, ଗୁଆହାଟୀ ଆଦି ସ୍ଥାନକୁ ୪୫ ଟି ଟ୍ରେନ ଚଳାଚଳ କରୁଛି ।

ରାସ୍ତା ଓ ରାଜପଥ

ସହର ରାସ୍ତା

ସହର ରାସ୍ତା ୩୫.୫ ବର୍ଗ କିଲୋମିଟର ପରିଧ ଅଞ୍ଚଳରେ ବ୍ୟାସନଗର ସହର ରହିଛି । ସହରବାସୀଙ୍କ ଯାତାୟାତ ପାଇଁ ମୋଟ ୩୪୫ କି.ମି. ରାସ୍ତା ରହିଛି ।

ଜାତୀୟ ରାଜପଥ

ବ୍ୟାସନଗର ସହର ଦେଇ ୨୧୫ ନମ୍ବର ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ଯାଇଛି ।

ଗାଡ଼ିମୋଟର ପଞ୍ଜୀକରଣ

ଯାଜପୁର ଜିଲ୍ଲାରେ ଦୁଇଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି । ଚଣ୍ଡିଖୋଲ ଆଞ୍ଚଳିକ ଓ ଯାଜପୁର ଆଞ୍ଚଳିକ ପରିବହନ  କାର୍ଯ୍ୟାଳୟରେ ମୋଟର ପଞ୍ଜିକୃତ କରାଯାଇଛି ।

ଷ୍ଟାଡିୟମ ଓ ଅଡ଼ିଟୋରିୟମ

ସହରରେ ରାଜୀବ ଗାନ୍ଧୀ ଷ୍ଟାଡିୟମ ରହିଛି । ଏହାସହ ନରସିଂହ ଚୌଧୁରୀ ହାଇସ୍କୁଲ ଖେଳ ପଡିଆ, ଫେରୋକ୍ରୋମ ଖେଳ ପଡ଼ିଆ ରହିଛି । ଏଠାରେ ଆନ୍ତଃରାଜ୍ୟ ଫୁଟବଲ ଓ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ ହୋଇଥାଏ ।

ଅଡ଼ିଟୋରିୟମ

ବ୍ୟାସଦେବ ଟାଉନହଲ ନାମରେ ଏକ ଛୋଟ ଅଡିଟୋରିୟମ କାର୍ଯ୍ୟ କରୁଛି ।  ଏଠାରେ ୩୦୦ ଲୋକଙ୍କ ପାଇଁ ସଭାସମିତିର କ୍ଷମତା ରହିଛି ।

ପାର୍କ ଓ ସିନେମା ହଲ

ସହରରେ ୨ଟି ଶିଶୁ ପାର୍କ ରହିଛି । ସେଗୁଡିକ ହେଲା ତହସିଲ ଅଫିସ ସମ୍ମୁଖ ଶିଶୁ ଉଦ୍ୟାନ ଓ ଟାଉନହଲ ଉଦ୍ୟାନ ।

ସିନେମା ହଲ

ବ୍ୟାସନଗର ସହରରେ ଜଗନ୍ନାଥ ହଲ ଓ ସରସ୍ଵତୀ ଟକିଜ ନାମରେ ଦୁଇଟି ସିନେମା ହଲ ରହିଛି ।

ଶ୍ମଶାନ ଓ ଜଳାଶୟ

ସହରର ଗୋଶାଳା ନିକଟରେ ଏକ ଶ୍ମଶାନ ରହିଛି । ଏହାସହ ଚୋର୍ଦ୍ଦୀ, ନଟପଡା, ଦଳା, ଉମାପଦା, ଝାଟିଆସାହି, ବୀରମଣିପୁର, କୋପଣ୍ଡ ଠାରେ ଶ୍ମଶାନ ରହିଛି ।

ଜଳାଶୟ

ସହରରେ ୫୦ରୁ ଉର୍ଦ୍ଧ ଜଳାଶୟ ରହିଛି । ସେଥିମଧ୍ୟରୁ ଗୋଶାଳା ପୋଖରୀ, ମା' ମଙ୍ଗଳା ପୋଖରୀ ପ୍ରମୁଖ ଅଟେ  । ନଟପଡା, ଡିଗି, ଉମାପଦା, ଦଳା, ଖଣ୍ଡାହତା ଆଦି ସ୍ଥାନରେ ମଧ୍ୟ ଅନେକ ପୋଖରୀ ରହିଛି ।

ଥାନା ଓ ଫାଣ୍ଡି

ବ୍ୟାସନଗର ସହରରେ ଗୋଟିଏ ଥାନା ଓ କୋପଣ୍ଡ ଫାଣ୍ଡି ରହିଛି । ଏହାସହ ଏଡ଼ିପିଓ କାର୍ଯ୍ୟାଳୟ ରହିଛି।

କଳିଙ୍ଗନଗର ଶିଳ୍ପାଞ୍ଚଳ

୧୯୯୦ ଦଶକରେ କଳିଙ୍ଗନଗରର ପରିକଳ୍ପନା କରାଯାଇଥିଲା । ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ଵ ସମୟରେ କଳିଙ୍ଗନଗରରେ ଦୁଇଟି କଦମ୍ବ ଗଛ ଲଗାଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ପ୍ରଥମେ ମୋସ୍କୋ ଷ୍ଟିଲ ୧୯୯୬ରେ ଏଠାରେ କାରଖାନା ସ୍ଥାପନ କରିଥିଲା। ଏହାପରେ ନୀଳାଚଳ ଇସ୍ପାତ, ଟାଟା ଷ୍ଟିଲ, ଭିସା ଷ୍ଟିଲ, ରୋହିତ ଫେରୋଟେକ, ମୌଥାନ ଇସ୍ପାତ, ୟାଜଦାନୀ ଷ୍ଟିଲ, ବିଆର୍‌ପିଏଲ୍, କେଜେ ଇସ୍ପାତ ସ୍ଥାପିତ ହୋଇଛି ।

ବ୍ୟାସନଗର ସହରରେ ଇଡିକଲ ପକ୍ଷରୁ ଫେରୋକ୍ରୋମ କାରଖାନା ଚାଲିଛି । ଏହାସହ ଚଳିତ ବର୍ଷ ଇମାମି, ଜେଏସଡବ୍ଲ୍ୟୁ ସିମେଣ୍ଟର ଗ୍ରାଇଡିଂ ୟୁନିଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ପ୍ରାୟ ୨୪୨୫ ପରିବାର କାରଖାନା ପାଇଁ ବିସ୍ଥାପିତ ହୋଇଛନ୍ତି । ଏଥିପାଇଁ ବ୍ୟାସନଗର ସହରରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଶ୍ରମ ଉପ ଆୟୁକ୍ତ, ଖଣି ଉପନିର୍ଦ୍ଦେଶାଳୟ, ଓଏମ୍‌ସି, ଇଡ୍‌କୋ, ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟ ଆଦି ରହିଛି।

ଶିକ୍ଷାନୁଷ୍ଠାନ

ସହରରେ କେନ୍ଦ୍ରୀୟ  ବିଦ୍ୟାଳୟ(୨୦୧୬) ସମେତ ୨୮ଟି ପ୍ରାଥମିକ ସ୍କୁଲ, ୮ଟି ହାଇସ୍କୁଲ ଓ ୨ଟି ସରକାରୀ କଲେଜ ଯଥା ବ୍ୟାସ ନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ଇନ୍ଦିରା ଗାନ୍ଧୀ ମହିଳା ।ମହାବିଦ୍ୟାଳୟ ରହିଛି । ଏହାସହ ସରକାରୀ ପଲିଟେକନିକ ଓ ବେସରକାରୀ ପଲିଟେକ୍‌ନିକ ଗୋଟିଏ ଲେଖାଏ ରହିଛି । ବ୍ରାହ୍ମଣୀଦେବୀ ନିକଟରେ ଡ଼ିଆଇଟି ଓ ବିଇଡି ଶିକ୍ଷାନୁଷ୍ଠାନ ରହିଛି।

ନାଁ ଥିଲା ଡୋଲିପୁର

ବ୍ୟାସନଗର ସହରର ଇତିହାସ ପୃଷ୍ଠା ଲେଉଟାଇଲେ ଦୃଶ୍ୟପଟକୁ ଆସେ ଡୋଲିପୁର ଚିତ୍ରପଟ ।  ଯାଜପୁର-କେନ୍ଦୁଝର ରୋଡ଼ ରେଳବାଇର ଉଭୟ ପାର୍ଶ୍ଵରେ ବିକାଶ ଲାଭ କରିଥିବା ବ୍ୟାସନଗର ସହର ପୂର୍ବ ଡୋଲିପୁର ନାମରେ ଖ୍ୟାତ ଥିଲା । ଏହା ଏକ କ୍ଷୁଦ୍ର ବାଣିଜ୍ୟର ପେଣ୍ଠସ୍ଥଳୀ । ନିକଟରେ ସ୍ଥାପିତ ଡୋଲିପୁର ପ୍ରାଥମିକ ବିଦ୍ୟାଳୟ ପ୍ରଗତିର ସ୍ଵାକ୍ଷର ବହନ କରେ । ଡୋଲିପୁର ସମବାୟ ସମିତି, କୃଷକଙ୍କ ପାଇଁ ମଧ୍ୟ ସେ ସମୟରେ ଉନ୍ନତିର ବୀଜ ବୁଣିଲା । ପଶୁ ସମ୍ପଦର ସୁରକ୍ଷା ଦିଗରେ ସ୍ଥାପନା ହୋଇଥିଲା ପଶୁ ଚିକିତ୍ସାଳୟ ଓ ଏହାର ସନିକଟରେ ଗଢିଉଠିଥିଲା ବ୍ୟାସସରୋବର ଗୋଶାଳା । କୃଷିଭିତ୍ତିକ  ଡୋଲିପୁର ମୌଜାର ସ୍ଥାନୀୟ ଅଧ୍ୟବାସୀଙ୍କ ବାଣିଜ୍ୟିକ ପେଣ୍ଡକୁ ଦୌଡ଼ି  ଆସିଥିଲେ କିଛି ମାଡ଼ି ଓ ବଙ୍ଗାଳୀ ବ୍ୟବସାୟୀ ଯାଜପୁର କେନ୍ଦୁଝର ରେଳ ଷ୍ଟେଶନରେ ମାଲ ପରିବହନର ପ୍ରଭୃତ ସୁଯୋଗ ହିଁ ବ୍ୟବସାୟ ବାଣିଜ୍ୟର । ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ନେଇଥିଲା। ଫଳତଃ ଏହି କ୍ଷୁଦ୍ର ଡୋଲିପୁରର କାୟା ବିସ୍ତାର ଲାଭ କରି ଯାଜପୁର ରୋଡ ତଥା ବ୍ୟାସନଗର ସହରରେ ବିକାଶ ଲାଭ କରିପାରିଲା। ଚାଷୀମାନେ ଶଗଡ଼ ପରିବହନ ତଥା ଶ୍ରମଜୀବୀ ଭାବେ ଜୀବିକାକୁ ଆପଣାଇଥିଲେ। ଶଗଡ଼ରେ ବିଭିନ୍ନ ଦ୍ରବ୍ୟନେଇ ସୁଦୂର ଯାଜପୁର, ଆନନ୍ଦପୁର, ଢେଙ୍କାନାଳ ପର୍ଯ୍ୟନ୍ତ ମାଲ ପରିବହନ ହେଉଥିଲା ତଥା ରେଳରେ ମାଲପତ୍ରର ଖଲାସ କାର୍ଯ୍ୟାଳୟରେ ଅନେକ କର୍ମସଂସ୍ଥାନ ଲାଭ କରିଥିଲେ ।୧୯୬୬ ମସିହାରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରଚେଷ୍ଟାରେ ବ୍ୟାସନଗର କଲେଜର ସ୍ଥାପନା ଏକ ଶିକ୍ଷିତ ପରିବେଶ ସୃଷ୍ଟିରେ ସହାୟକ ହୋଇଥିଲା। ଏହା ପୂର୍ବରୁ ଉଚ୍ଚତର ଶିକ୍ଷା ପାଇଁ ବାହାରର କଲେଜ ଉପରେ ନିର୍ଭର କରିବାକୁ ପଡୁଥିଲା। ପର୍ଯ୍ୟାୟକ୍ରମେ । ନାରୀଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ଶଶିଭୂଷଣ ବାଳିକା ହାଇସ୍କୁଲ ଓ ଇନ୍ଦିରାଗାନ୍ଧୀ ମହିଳା କଲେଜ ଖୋଲାଯାଇ ଶିକ୍ଷା ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କଲେ । ୧୯୬୦ରେ ଫେରୋକ୍ରୋମ କାରଖାନାର ସ୍ଥାପନା ହେଲା । ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ ଫେରୋକ୍ରୋମ କାରଖାନା ଏକ ଓଡ଼ିଶା ସରକାରଙ୍କ ଉପକ୍ରମ ଓ ଅଦ୍ୟାବଧୁ ଲାଭଜନକ ସଂସ୍ଥା ହୋଇ ରହିଆସିଛି। ଏହି କାରଖାନାର ସ୍ଥାପନା ଫଳରେ ଅନେକ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ଗଢି ଉଠିବାରେ ସାହାଯ୍ୟକାରୀ ଭୂମିକା ନେଇପାରିଛି ଓ ସ୍ଥାନୀୟ କର୍ମସଂସ୍ଥାନରେ ସାହାଯ୍ୟ କରିପାରିଛି। ବ୍ୟବସାୟ ବାଣିଜ୍ୟ ଭିତ୍ତିରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବ୍ୟାସନଗର ପ୍ରମୁଖ ସ୍ଥାନ ନେଇପାରିଛି । ଝାଟିଆସାହି ଗ୍ରାମର ବାଦୀପାଲା ସଂସ୍କୃତି କୋପଣ୍ଡ ଗ୍ରାମର ନାଟକ ପରମ୍ପରା, ଉମାପଦାର ଗଙ୍ଗାଧର ମେହେର ଜୟନ୍ତୀ, ସବୁଜ ସଂଘ ଉପେନ୍ଦ୍ରଭଞ୍ଜ ଜୟନ୍ତୀ ଇତ୍ଯାଦି ସହିତ ସାହିତ୍ୟ ସାମ୍ବାଦିକତା କ୍ଷେତ୍ରରେ ଅନେକ ଅନୁଷ୍ଠାନ ବ୍ୟକ୍ତିବିଶେଷ ଅଗ୍ରଣୀ ଭୂମିକା ନେଇଛନ୍ତି। ସେ ସମୟର ଠିକାଦାର ନନ୍ଦରାମ ହନ୍ତରାମ ବ୍ୟାସନଗରର ଉପକଣ୍ଠରେ ଯାତ୍ରୀମାନଙ୍କ ରହଣି ପଇଁ ଧର୍ମଶାଳା ସ୍ଥାପନା କରିବା ସହ ହିନ୍ଦୀ ବିଦ୍ୟାଳୟଟିଏ ସ୍ଥାପନା କରି ନିଜର ମହନୀୟତା ଦେଖାଇଛନ୍ତି। ସେହିପରି ଚୂନଭାଟି ଠାରେ ଏକ ଆଦିବାସୀ ବସ୍ତି ଏହି ନନ୍ଦରାମ ହନ୍ତରାମ ଭ୍ରାତୃଦୟ ସ୍ଥାପନା କରି ମୟୁରଭଞ୍ଜ ଓ କେନ୍ଦୁଝରରୁ ଆଦିବାସୀ ଜନଜାତିକୁ ଆଣି ଆଶ୍ରୟ ଦେଇ ସେମାନଙ୍କୁ ଠିକା କାର୍ଯ୍ୟରେ ନିୟୋଜିତ କରିଥିଲେ। ଯେଉଁ ଆଦିବାସୀମାନେ କି ଅଦ୍ୟାବଧ ବ୍ୟାସନଗର ଉନ୍ନତିରେ ସକ୍ରିୟ ସହଯୋଗ କରି ଜନଜାତି ସଂସ୍କୃତିର ପ୍ରସାର କରି ଚାଲିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବ୍ୟାସନଗର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ୧୯୫୬ ମସିହାରେ ଆଥଲେଟିକ ଆସୋସିଏଶନ ଗଠିତ ହୋଇ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି । ୧୯୮୪ରେ ବ୍ୟାସଦେବ ଷ୍ଟାଡିୟମ ଶୁଭ ଦିଆଯାଇ ଏକ ବିରାଟ ଷ୍ଟାଡିୟମ ନିର୍ମାଣ କରାଯାଇ କ୍ରୀଡ଼ା ବିକାଶରେ ନିଜର ସ୍ଥିତି ବଜାୟ ରଖୁଛି। ବିଶେଷତଃ ବ୍ୟାସସରୋବରଭିଠାରେ ସ୍ଥାପିତ ରାଘବଜୀଉ ଓ ବ୍ୟାସଦେବଙ୍କ ମନ୍ଦିର ଏହି ସହରର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାୟ ବହୁହଜାର ବର୍ଷ ପୂର୍ବରୁ ଏହି ପୁରାତନ ଗ୍ରାମପୁଞ୍ଜର ଜନବସତି ଏହି ବ୍ୟାସଦେବ ପୀଠ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ।

ପ୍ରସିଦ୍ଧ ଉତ୍ସବ

ବ୍ୟାସ ସରୋବର, ବାଣିଜ୍ୟ ମେଳା, କାଳୀ ପୂଜା ଆଦି ସହରର ପ୍ରସିଦ୍ଧ ଉତ୍ସବ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ପ୍ରଥମକରି କଳିଙ୍ଗନଗର ମହୋତ୍ସବର ଆୟୋଜନ ହୋଇଛି ।

ବିଦ୍ୟୁତ ସେବା

ସହରରେ ନେସ୍କୋ ପକ୍ଷରୁ ବିଦ୍ୟୁତ୍ ଯୋଗାଣ କରାଯାଉଛି । ସହରର ଧବଳଗିରିଠାରେ ନେସ୍କୋର ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି ।

ପୌର ପରିଷଦର ଇତିହାସ

ଡୋଲିପୁର ନାମରେ ପରିଚିତ ଯାଜପୁରରୋଡ଼ ସହରକୁ ରାଜ୍ୟ ସରକାର ୧୯୬୧ ମସିହାରେ ବିଜ୍ଞାପିତ ପରିଷଦ ଅଞ୍ଚଳ ଭାବରେ ଘୋଷଣା କରିଥିଲେ । ସେହି ସମୟରେ ମାତ୍ର ୧୧ଟି ୱାର୍ଡ ଥିଲା।

୧୯୬୩ରେ ସରକାର ଏହି ପରିଷଦର ବିଭାଜନ କରି ୧୧ଟି ୱାର୍ଡକୁ ୧୫ଟି ୱାର୍ଡରେ ପରିଣତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୮୨ରେ ଆଉ ୫ଟି ୱାର୍ଡକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଯାଜପୁରରୋଡ ବିଜ୍ଞାପିତ ଅଞ୍ଚଳପରିଷଦର ଜନସଂଖ୍ୟା ତଥା ପରିସର ବୃଦ୍ଧିକୁ ବିଚାରକରି ୧୯/୫/୧୯୮୪ରେ ଯାଜପୁରରୋଡ ବିଜ୍ଞାପିତ ଅଞ୍ଚଳକୁ ବ୍ୟାସନଗର ପୌର ପରିଷଦ ଭାବେ ସ୍ଵୀକୃତି ମିଳିଥିଲା । ସଂପ୍ରତି ବ୍ୟାସନଗର ପୌର ପରିଷଦରେ ୨୬ଟି ୱାର୍ଡ ରହିଛି ।

ଜିଲାର ଗୁରୁତ୍ଵପୂର୍ଣ୍ଣ ଫୋନ ନମ୍ବର

ଜିଲାପାଳ(କାର୍ଯ୍ୟାଳୟ)

୦୬୭୨୮-୨୨୨୦୦୧

ଜିଲାପାଳ(ଆବାସିକ)

୦୬୭୨୮- ୨୨୨୩୩୦

ଏଡିଏମ୍ ଯାଜପୁର

୦୬୭୨୮-୨୨୨୪୭୯

ଉପଜିଲ୍ଲାପାଳ

୦୬୭୨୮-୨୨୨୩୨୨

ଜିଲା ପରିଷଦ ସଭାପତି

୦୬୭୨୮-୨୨୨୫୮୪

ଡିଆରଡିଏ ପିଡି

୦୬୭୨୮-୨୨୨୦୫୪

ସିଡ଼ିଏମଓ

୦୬୭୨୮-୨୨୨୫୯୭

ଜିଲା ଯୋଗାଣ ଅଧିକାରୀ

୦୬୭୨୮-୨୨୨୦୫୫

ଅଗ୍ନିଶମ ବିଭାଗ, ଯାଜପୁର

୦୬୭୨୮-୨୨୨୨୩୩

ଏସପି ଅଫିସ

୦୬୭୨୬-୨୪୦୧୧୨

ଏସ୍‌ପି ଆବାସିକ

୦୬୭୨୬-୨୪୦୧୦୪

ସଂଗୃହିତ –

  • ହର୍ଷବର୍ଦ୍ଧନ ବେହେରା, ଜିଲା ପ୍ରତିନିଧି, ଯାଜପୁର
  • କାର୍ତ୍ତିକ ସାହୁ, ଆଇନଜୀବୀ, ବ୍ୟାସନଗର, କୋପଣ୍ଡ

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate