ସେଆର କରନ୍ତୁ

ଜଗନ୍ନାଥ ମନ୍ଦିର

ଜଗନ୍ନାଥ ମନ୍ଦିର ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଶ୍ରୀମନ୍ଦିରର ଅବସ୍ଥି

ଜଗନ୍ନାଥ ମନ୍ଦିର(ବଡ଼ଦେଉଳ ବା ବଡମନ୍ଦିର ଓ  ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ଦେଉଳ । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।

ଇତିହାସ

ଜଗନ୍ନାଥ ମନ୍ଦିରଦ୍ଵାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅଙ୍ଗନବର୍ମନ ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତନ ଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଏହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ, ଉଚ୍ଚତା ୨୨ ଫୁଟ ଓ ସ୍ଥାନେ ସ୍ଥାନେ ୨୦ ରୁ ୨୪ ଫୁଟ ଉଚ୍ଚତା ମଧ୍ୟ ରହିଥିବା ଦେଖାଯାଇଛି। ମେଘନାଦ ପାଚେରି ପରେ କୂର୍ମ ବେଢାର ଦୈର୍ଘ୍ୟ ୪୨୦ ଫୁଟ,୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି।

ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି।

ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କ ଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ଵିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଅଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ଵରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଅଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହତି । ମନ୍ଦିରର ତିନି ପାର୍ଶ୍ଵରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତେ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ରହିଛନ୍ତି । ଏଥି ମଧ୍ୟରୁ ପୂର୍ବ ପାର୍ଶ୍ଵଗଢା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଆରାଧିତା ଅଟନ୍ତି । ମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଏବଂ ଉତ୍ତର ଦିଗରେ ସୂର୍ଯ୍ୟ ପୂଜା ମଣ୍ଡପାଦି ଦ୍ୱାରା ପରିବେଷ୍ଟିତ ରହି ଏକ ପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଅଛି ।

କିମ୍ବଦନ୍ତୀ

  • ବାଇଶି ପାହାଚ
  • କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ଵରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତି ରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।

ଦେଉଳ ସ୍ଥାପତ୍ୟ

  • ମୁଖ୍ୟଦେଉଳ
  • ମୁଖ୍ୟ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ । ଦେଉଳ ଚାରିପଟେ "ମେଘନାଦ ପାଚେରୀ" (୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ ରୁ ୨୪ଫୁଟ ଉଚ୍ଚତା) ରହିଅଛି । ମେଘନାଦ ପାଚେରୀ ଭିତର ପଟେ "କୂର୍ମ ପାଚେରୀ" (୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ) ନାମକ ଆଉ ଏକ ପାଚେରୀ ରହିଛି । କୂର୍ମପାଚେରୀ ମଝିରେ ଥିବା "କୂର୍ମବେଢ଼ା" ମଝି ଭାଗରେ ବଡ଼ଦେଉଳ । ଦେଉଳଟି ଚାରି ଭାଗରେ ବିଭକ୍ତ:

    1. ବିମାନ (ମୁଖ୍ୟ ମନ୍ଦିର ବା ଗର୍ଭଗୃହ)
    2. ଜଗମୋହନ ବା ମୁଖଶାଳା
    3. ନାଟମଣ୍ଡପ ଓ
    4. ଭୋଗମଣ୍ଡପ । ଭୋଇବଂଶ ପ୍ରଥମ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମନସିଂହଙ୍କ ପତ୍ନୀ ଗୌରୀ ମହାଦେବୀ ମୁକ୍ତିମଣ୍ଡପର ନିର୍ମାଣ କରାଇଥିଲେ । ୩୮ ଫୁଟ ଦୈର୍ଘ୍ୟ ଓ ୩୮ ଓସାରର ଓ ୧୬ଟି ସ୍ତମ୍ବ ବିଶିଷ୍ଟ ମୁକ୍ତି ମଣ୍ଡପ ନିର୍ମାଣ କରାଯାଇଥିଲା।
  • ନୀଳଚକ୍ର
  • ପୁରୀ ଜଗନ୍ନାଥ ମନ୍ଦିରର ନୀଳଚକ୍ର ଓ ବାନା(ଏହା ୧୨ହାତ କିମ୍ବା ୧୪ଫୁଟ ଲମ୍ବା) ଆଗ୍ର ଭାଗରେ ଅବସ୍ଥିତ.

  • ରତ୍ନସିଂହାସନ
  • ରତ୍ନସିଂହାସନ (ଜଗତି ଓ ରତ୍ନବେଦୀ ନାମରେ ମଧ୍ୟ ଜଣା) ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠିତ ହୋଇଥିବା ଜଗତି/ବେଦୀ । ଏଥିରେ ମୋଟ ୭ ଜଣ ଠାକୁର ବିଜେ କରିଛନ୍ତି:

    1. ଜଗନ୍ନାଥ
    2. ବଳଭଦ୍ର
    3. ସୁଭଦ୍ରା
    4. ମାଧବ ଦାରୁମୂର୍ତ୍ତି (ଦାରୁମୂର୍ତ୍ତି)
    5. ଶ୍ରୀଦେବୀ (ସୁନା ମୂର୍ତ୍ତି)
    6. ଭୂଦେବୀ (ରୂପା ମୂର୍ତ୍ତି)
  • ନୀଳଚକ୍ର
  • ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଅଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ।  କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ଵତୀଙ୍କ ରୂପା ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ । ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।

    • ଦ୍ଵାର
    • ସିଂହଦ୍ଵାର
    • ଅଶ୍ଵଦ୍ଵାର
    • ହାତୀ ଦ୍ଵାର

    ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ମେଘନାଦ ପାଚେରୀରେ ଚାରିଦିଗରେ ଚାରିଗୋଟି ଦ୍ଵାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ଵାରଟି ମୁଖ୍ୟ, ଏହାକୁ ସିଂହଦ୍ଵାର କୁହାଯାଏ ।ଏହାକୁ ଧର୍ମ ବା ମୋକ୍ଷ ଦ୍ଵାର ବୋଲି କୁହାଯାଏ । ହନୁମାନ ଏହାର ଦ୍ଵାରପାଳ ଅଟନ୍ତି । ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ଅଙ୍କରେ ଏହି ସିଂହଦ୍ଵାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ଵରେ ଦୁଇଟି ବୃହତ ସିଂହ ମୂର୍ତ୍ତି ରହିଛି । ଗୋଲାକାର ସ୍ଥମ୍ଭ ସଂଲଗ୍ନିତ ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟି ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ଵାର (ମୂଖ୍ୟଦ୍ଵାର)ରେ ଲାଗି ରହିଛି, ଯାହାର ଉଚ୍ଚତା ଅଢେଇ ଫୁଟ ଓ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି । ଅନ୍ୟ ଦ୍ଵାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ଵାର (ପଶ୍ଚିମ ଦିଗର ଦ୍ଵାର), ହାତୀ ଦ୍ଵାର (ଉତ୍ତର ଦିଗର ଦ୍ଵାର) ଓ ଅଶ୍ଵଦ୍ଵାର (ଦକ୍ଷିଣ ଦିଗର ଦ୍ଵାର) । ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ଵାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ଵାର ହେଲା ‘ଜୟ-ବିଜୟ’ ଦ୍ଵାର । ଏହା ବ୍ୟତିତ ବେହରଣ ଦ୍ଵାର, ସାତପାହାଚ ଦ୍ଵାର, ଧୁକୁଡି ଦ୍ଵାର, ପଣ୍ଡା ଦ୍ଵାର, ମୁଦୁଲି ଦ୍ଵାର ଓ ଘଣ୍ଟାଦ୍ଵାର ଆଦି ଅଛି ।

  • ବେହରଣ ଦ୍ୱାର
  • ସିଂହଦ୍ଵାରରେ ଦୁଇ ସିଂହ ମୂର୍ତ୍ତି ଓ ସମ୍ମୁଖରେ ଅରୁଣ ସ୍ତମ୍ଭ ଆବସ୍ଥିତ(୧୮୭୦ ମସିହାର ଛବି)।

    ବଡ଼ ଦେଉଳ ବେହରଣ ଦ୍ଵାରର ବାମପଟେ ରହିଛି ଦକ୍ଷିଣୀଘର । ଏହି ଦକ୍ଷିଣୀ ଘରକୁ ପୂର୍ବରୁ ବେହରଣ ବୋଲି କୁହାଯାଉଥଲା । ଏହା ଗଜପତି ମହାରାଜାଙ୍କ ଦେଉଳ କଚେରି ଥିଲା। ରାଜା ଦେଉଳ ଚଳାଉଥବା ବେଳେ ଏଠାରେ ଆସି କଚେରି କରୁଥଲେ । ଠାକୁରଙ୍କ ସକାଳ ପହଡ଼ ପର୍ଯ୍ୟନ୍ତ ନୀତି କରଣ ଓ ବ୍ରାହ୍ମଣମାନେ ଦେଖୁଥିଲେ । ଏହି ବ୍ରାହ୍ମଣ ଓ କରଣମାନେ ଆସି ସେହି ଶ୍ରେବହରଣକୋର ଦେଉଳକରଣଙ୍କୁ ଜଣାଉଥଲେ । ଦେଉଳକରଣ ସମସ୍ତ ତଥ୍ୟ ରାଜାଙ୍କ ପାଖେ ବାଢ଼ୁଥିଲେ । ରାଜା ବଡ଼ଦେଉଳକୁ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରୁଥିଲେ । ଦକ୍ଷିଣ ଦ୍ଵାରରେ ପ୍ରବେଶ କରିବା ପରେ ମୁକ୍ତିମଣ୍ଡପ ଦେଇ ଠାକୁରଙ୍କ ଦର୍ଶନ କରିବା ପରେ ବେହରଣରେ ଆସି ବସୁଥିଲେ । ସେଠାରେ ଦେଉଳର ସବୁ ହିସାବନିକାଶ କରାଯାଉଥିଲା । କେଉଁ ସେବକଙ୍କର କି କି ସମସ୍ୟା ରହିଛି, କିଏ କି ଅସୁବିଧାରେ ପଡ଼ିଛି, ଠାକୁରଙ୍କ ରୀତିନୀତିର କିଛି ଅସୁବିଧା ରହିଛି କି, କିଏ କିଛି ଭୁଲ କରିଛି କି, କିଏ ଭଣ୍ଡ କାମ କରିଛି କି ନାଁ ଏସବୁ ଅସୁବିଧାର ସମାଧାନ ସେଠାରେ ହେଉଥିଲା । କେହି କିଛି ଭୁଲ କରିଥିଲେ ଡାକୁଆ ଦ୍ଵାରା ତାଙ୍କୁ ଗଜପତି ଏହି ବେହରଣକୁ ଡକାଉଥିଲେ । ସେଠାରେ ଦଣ୍ଡବିଧାନ ମଧ୍ୟ ହେଉଥିଲା । ଅଧୁନା ଏହି ବେହରଣରେ କଚେରି ବସୁନାହିଁ । ରାଜାଙ୍କ ହାତରୁ ଦେଉଳ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବାପରେ ସେଠାରେରେ ବସି ସେବକମାନଙ୍କ ସମସ୍ୟା ଓ ଦେଉଳ ନୀତି ସମସ୍ୟା ସମ୍ପର୍କରେ ଆଲୋଚନା ହେଉନାହିଁ । ଏହା ଏବେ ବିଜେପ୍ରତିମାଙ୍କ ଆସ୍ଥାନ ଘର ହୋଇ ରହିଛି ।

     

  • ଗରୁଡ଼ ଓ ଅରୁଣ ସ୍ତମ୍ଭ
  • ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩୩ଫୁଟ ୮ଇଞ୍ଚ ଉଚ୍ଚତା (ବେଦୀ: ୬ଫୁଟ, ସ୍ତମ୍ବ: ୨୫ଫୁଟ ୨ଇଞ୍ଚ, ଅରୁଣାସନ: ୨ଫୁଟ ୬ଇଞ୍ଚ) ବିଶିଷ୍ଟ ଅରୁଣସ୍ତମ୍ବ ଅଛି । ଅଷ୍ଟାଦଶ ଶତାବ୍ଦୀରେ ଦ୍ଵିତୀୟ ଦିବ୍ୟସିଂହଙ୍କ ରାଜତ୍ଵ କାଳରେ ଅରୁଣସ୍ତମ୍ବକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।

  • ବାଇଶି ପାହାଚ
  • ସିଂହଦ୍ଵାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି । ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ । ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି । ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ଵାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ଵାସ ରହିଛି ।

ରୋଷ ଘର ଓ ଭୋଗ

ଶ୍ରୀମନ୍ଦିର ରୋଷ ଘରେ ସ୍ଵତଲିପି ମୁତାବକ ୨୪୦ଟି ଚୂଲି ଅଛି ଓ ସେଥିମଧ୍ୟରୁ ଚୂଲି କୋଠ ଭୋଗ ଚୂଲି ରୂପେ ପରିଚିତ। ଶ୍ରୀମନ୍ଦିର ରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ ।

  1. ବଲ୍ଲଭ ଭୋଗ : ଏଇ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପାଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ।
  2. ସକାଳ ଧୂପ : ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ଲାଗିଥାଏ।ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ହାଣ୍ଡିରେ ରନ୍ଧନ କରାଯାଇ ଭୋଗ ବଢାଯାଏ।ପଞ୍ଚୋପଚାର/ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ।ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ର ଏବଂ ଓଁ ନମୋ ଭଗବତେ ବାସୁଦେବାୟ (ଦ୍ଵାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ।
  • ବ୍ୟବହୃତ ପରିବା
  • ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥଆଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ ।

  • ମସଲା
  • ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଶୁଦ୍ଧ ଘିଅ ବ୍ୟବହୃତ ହୁଏ ।

  • ମନ୍ଦିରରେ ନିଷିଦ୍ଧ
    1. ପରିବା : ବିଲାତି ଆଳୁ,ଟମାଟୋ,ସଜନା ଛୁଇଁ,ଅମୃତଭଣ୍ଡା,ଲାଉ,ଭେଣ୍ଡି,ପିଆଜ,ଝୁଡ଼ଙ୍ଗ,କ୍ୟାପସିକମ,ରସୁଣ,କଞ୍ଚାଲଙ୍କା,ଫୁଲ ଓ ପତ୍ର କୋବି,ବିମ୍,କଲରା,ବିଟ୍,ଗାଜର,ମଟର ଛୁଇଁ,ପିଆଜ ଷଣ୍ଢା ଇତ୍ୟାଦି ନିଷିଦ୍ଧ ଅଟେ।
    2. ମସଲା : ଲଙ୍କାଗୁଣ୍ଡ,ଗରମ ମସଲା,କଳାଜିରା,କାଜୁ,ଗୁଜୁରାତି ନିଷିଦ୍ଧ ଅଟେ।

    ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି ।

ରତ୍ନଭଣ୍ଡାର

ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । ପ୍ରତି ବର୍ଷ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଦୋଳପୂର୍ଣ୍ଣିମା,ବିଜୟାଦଶମୀ, ପୌଷ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଭଳି ତିଥିମାନଙ୍କରେ ରତ୍ନସିଂହାସନ ଉପରେ ଜଗନ୍ନାଥଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶ କରାଯାଏ । ସବୁଠାରୁ ଅଧିକ ସୁନାଗହଣା ହରିଶୟନ ଏକାଦଶୀ ତିଥିରେ ବ୍ୟବହାର ବ୍ୟବହାର ହୋଇଥାଏ । ଗଜଉଦ୍ଧାରଣ ବେଶ, ରଘୁନାଥ ବେଶ, ବଣଭୋଜି ବେଶ, କୃଷ୍ଣବଳରାମ ବେଶ, ରାଧା ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡା ବେଶ, ଆଡ଼କିଆ ବେଶ, ଲକ୍ଷ୍ମୀନୃସିଂହ ବେଶ, ବାମନ ବେଶ, ଚାଚେରୀ ବେଶ ଏବଂ ଚନ୍ଦନ ବେଶରେ ଜଗନ୍ନାଥଙ୍କୁ ଅଳଙ୍କାର ଆଭୂଷଣ କରାଯାଇଥାଏ ।

ପାର୍ଶ୍ଵଦେବତା

ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ଵଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି । ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଅଛି । ପ୍ରତ୍ନତତ୍ତ୍ଵବିତ୍‌ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ଵ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି । ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, ଦଶ ଅବତାର ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି ।

ବେଢ଼ା ଦେବଦେବୀ

  • ପତିତପାବନ
  • ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ ଅଟେ । ସିଂହଦ୍ଵାର ଗୁମୁଟ ଭିତରେ ଡାହାଣ ପଟରେ ପୂର୍ବାଭିମୁଖୀ ପତିତପାବନ ମୂର୍ତ୍ତି ବିଦ୍ୟମାନ। ଯେଉଁମାନେ ଧର୍ମାନ୍ତର ହେଉଥିଲେ ସେମାନେ ମନ୍ଦିର ନ ଯାଇପାରି ଅରୁଣ ସ୍ତମ୍ଭରୁ ପତିତପାବନଙ୍କୁ ଦର୍ଶନ କରି ପାରୁଥିଲେ। ପରମ୍ପରା ଅନୁଯାୟୀ ପତିତପାବନଙ୍କର ଅଣସର ବିଧି, ଦୁଆର ଫିଟା, ମଙ୍ଗଳ ଆଳତୀ, ବିଭିନ୍ନ ବେଶ ପ୍ରମୁଖ କରାଯାଏ ।

  • ଫତେ ହନୁମାନ
  • ଗୁମୁଟର ପ୍ରବେଶ ମାର୍ଗରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ ଓ ଦୁର୍ଗାଙ୍କ ଚିତ୍ର ପ୍ରତିମା। ପରମ ଭକ୍ତ ଫତେ ହନୁମାନ ସିଂହଦ୍ଵାର ଗୁମୁଟର କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟରେ ଫତେ ହନୁମାନ ରହିଛନ୍ତି । ସେ ପୂର୍ବ ଦ୍ଵାରର ରକ୍ଷକ ଓ ପଞ୍ଚ ରାମାନନ୍ଦୀ ଖାଲସାଙ୍କ ଆରାଧ୍ୟ ଦେବତା।

  • କାଶୀ ଵିଶ୍ଵନାଥ
  • ଆସି ବାଇଶି ପାହାଚରେ ଚଢି ଯିବା ମାତ୍ରେ ବାମ ପାର୍ଶ୍ଵରେ (ଦକ୍ଷିଣ ଦିଗରେ) କାଶୀ ବିଶ୍ଵନାଥ ପ୍ରାୟ ୧୫ଫୁଟ ଉଚ୍ଚତାର ମନ୍ଦିର ଯାହା ୧୬୧୧ ଖ୍ରୀଷ୍ଟାବ୍ଦରେ ବିଧିବଦ୍ଧ ଭାବେ ପ୍ରତିଷ୍ଟିତ ହୋଇଥିବା ଗବେଷକ ପଣ୍ଡିତ ସଦାଶିବ ରଥଶର୍ମା ମତ ପୋଷଣ କରିଛନ୍ତି। ଯୋଗଶାସ୍ତ୍ର ମତେ ବିଷ୍ଣୁ ଦର୍ଶନ ପୂର୍ବରୁ ଯୋଗେଶ୍ଵରଙ୍କୁ ଦର୍ଶନଙ୍କୁ କରିବାକୁ ପଡ଼ି଼ଥାଏ। ଆଉ ଯୋଗେଶ୍ଵରଙ୍କ ପ୍ରତୀକ ହେଲେ ଶିବ ଓ ବିଷ୍ଣୁ ସ୍ଵୟଂ ଜଗନ୍ନାଥ। କାଶୀ ବିଶ୍ଵନାଥ ଲିଙ୍ଗର ଉଚ୍ଚତା ପ୍ରାୟ ୧୦ଇଞ୍ଚ ଓ ଶକ୍ତି ଉତ୍ତର ଦିଗାଭିମୁଖୀ । ପ୍ରସ୍ତର ନିର୍ମିତ ହର ପାର୍ବତୀ ମୂର୍ତ୍ତି ୧୦ଇଞ୍ଚ ଉଚ୍ଚତା ବିଶିଷ୍ଟ ପୂଜିତ। ପ୍ରବେଶ ଦ୍ଵାରର ଓସାର ମାତ୍ର ଅଢେ଼ଇ ଫୁଟ ଓ ଉଚ୍ଚତାରେ ୪ଫୁଟ ।ଶୀତଳ ଷଷ୍ଠୀ, ଶିବ ବିବାହ ଉତ୍ସବ ଠାକୁରଙ୍କ ଜଳାଶାୟୀ ନୀତି ହୋଇଥାଏ। ପଶ୍ଚିମାଭିମୁଖୀ ଅନନ୍ତ କ୍ଷୁଦ୍ର ମନ୍ଦିରଟି ଭାରତ ବର୍ଷରେ ଖ୍ୟ୍ୟାତି ଓ ପ୍ରସିଦ୍ଧି ରହିଅଛି।

  • ରାମାଭିଷେକ
  • ବାଇଶି ପାହାଚ କାଶୀ ବିଶ୍ଵନାଥଙ୍କ ପାର୍ଶ୍ଵରେ ରାମାଭିଷେକରେ ରାମ ସୀତାଙ୍କ ସିଂହାସନ ଆରୋହଣ ସହ ୪ ଭ୍ରାତା, ସଙ୍କଟ ମୋଚନ ହନୁମାନ, ସୁଗ୍ରୀବ, ଜାମ୍ବବାନ ଓ ସମସ୍ତ ବାନର ଭକ୍ତ ପ୍ରମୁଖ ପ୍ରଭୁଙ୍କୁ ପ୍ରଣିପାତ କରୁଥିବାର ଦେଖାଯାଏ ।

  • ନୃସିଂହନାଥ
  • ପରବର୍ତ୍ତୀ କ୍ଷୁଦ୍ର ମନ୍ଦିରରେ ନୃସିଂହ ନାଥଙ୍କ ଶିଳା ମୂର୍ତ୍ତି ଓ ପାର୍ଶ୍ଵରେ ଗଣନାଥଙ୍କ ମୂର୍ତ୍ତି ଦେଖାଯାଏ ।

  • ଅଗ୍ନିଶ୍ଵର ମନ୍ଦିର
  • କୁର୍ମବେଢ଼ା ବା ଭିତର ବେଢ଼ା ପହଞ୍ଚିବା ଓ ବାମ ପଟେ ଚାଲିଲେ ଅଗ୍ନିଶ୍ଵରଙ୍କ ମନ୍ଦିର ପଡେ । ଏହା କୁର୍ମବେଢ଼ା ଓ ଶ୍ରୀଜଗନ୍ନାଥଙ୍କ ପାକଶାଳକୁ ଯାଇଥିବା ଉଦ୍ଦିଷ୍ଟ ରାସ୍ତାରେ ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ଵରଙ୍କର କ୍ଷୁଦ୍ର ମନ୍ଦିର ରହିଛି। ସେ ହେଉଛନ୍ତି କୁର୍ମବେଢ଼ାର ପ୍ରତିପାଳକ, ରକ୍ଷକ ଓ ରୋଷର ବିଶୋଧକ।

  • ଅନନ୍ତ ଶୟନରେ ନାରାୟଣ
  • ଭୋଗ ମନ୍ଦିରକୁ ଯେଉଁ ରାସ୍ତା ଦେଇ ନିଆଯାଉଛି ଠିକ୍ ଅଗ୍ନିଶ୍ଵର ମନ୍ଦିର ପାର ହୋଇ ମନ୍ଦିର ମଧ୍ୟସ୍ଥ ପାହାଚକୁ ଉଠିବା ପୂର୍ବରୁ ଡାହାଣ କାନ୍ଥରେ ବିଶାଳ ଅନନ୍ତ ଶୟନରେ ନାରାୟଣଙ୍କ ପ୍ରତିମା, ଲକ୍ଷ୍ମୀ-ସରସ୍ଵତୀ, ବ୍ରହ୍ମା, ବିଷ୍ଣୁ ଓ ଦେବଲୋକଙ୍କ ସହ ଅନନ୍ତ ସର୍ପ ଉପରେ ଶୟନ କରିଥିବା ଭକ୍ତମାନେ ଦର୍ଶନ କରିଥାନ୍ତି।

  • ସତ୍ୟ ନାରାୟଣ ମନ୍ଦିର
  • ଶ୍ରୀଅଗ୍ନିଶ୍ଵର ମହାଦେବ ଓ ଭୋଗ ରାସ୍ତା ପାର ହୋଇ କୂର୍ମବେଢା଼ରେ ଦକ୍ଷିଣକୁ ଆଗେଇ ଆସିଲେ ୫ଫୁଟ ୧୦ଇଞ୍ଚ କଳା ମୁଗୁନି ପ୍ରସ୍ତରରେ ନିର୍ମିତି ସତ୍ୟ ନାରାୟଣଙ୍କ ବିଗ୍ରହ ଦେଖାଯାନ୍ତି। ବେଢ଼ାର ପତନଠାରୁ ୨୫ ଫୁଟ ଉଚ୍ଚତା ଓ ପଞ୍ଚ ରଥ ବିଶିଷ୍ଟ ଏହି ମନ୍ଦିରଟି ଦେଖିବାକୁ ମିଳେ। ଦୁଇ ପାର୍ଶ୍ଵରେ ଶ୍ରୀଦେବୀ ଓ ଭୂଦେବୀ ବିଦ୍ୟାମାନ । ପ୍ରତ୍ୟେକ ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ଏହି ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ହୋଇଥାଏ ।

    ବେଢ଼ା ପରିକ୍ରମା ସମୟରେ ଅଗ୍ନିଶ୍ଵର, ଅନନ୍ତ ବାସୁଦେବ ଓ ସତ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଏହି ମନ୍ଦିର ଆଗରେ ଠିଆହୋଇ ଦୁଇ ହାତ ଉପରକୁ ଉଠେଇ ଚକ୍ର ନାରାୟଣ, ନୀଳଚକ୍ର, ଧ୍ଵଜାବୀର, ପତିତପାବନ, କପିଚନ୍ଦ୍ରଙ୍କୁ ଚାହିଁ ନିଜକୁ ସମର୍ପିତ ଭାବେ ଅର୍ପଣ କରିଦେଲେ ସେହି କାଳିଆ ଠାକୁର ପ୍ରାପ୍ତି ହୋଇଥାନ୍ତିର ବିଶ୍ଵାସ ରହିଛି ।

  • ଶ୍ରୀ ବାଳମୁକୁନ୍ଦ ମନ୍ଦିର
  • ବଟ ଜଗନ୍ନାଥଙ୍କ ସମ୍ମୁଖରେ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣରେ ବାଳମୁକୁନ୍ଦ ମନ୍ଦିର ଯେଉଁଥିରେ ଏକ ଫୁଟ ଲମ୍ବ ବିଶିଷ୍ଟ କଳା ଚିକ୍କଣ ମୁଗୁନି ପ୍ରସ୍ତରରେ ନିର୍ମିତ ବାଳମୁକୁନ୍ଦ ବିଗ୍ରହ ଦକ୍ଷିଣା ଆଡ଼କୁ ମସ୍ତକ ରଖି ଚିତି ହୋଇ ପ୍ରସ୍ତରରେ ନିର୍ମିତ ବଟ ପତ୍ରରେ ଶୋଇ ରହିଛନ୍ତି। ପଦର ଅଙ୍ଗୁଠିକୁ ହସ୍ତରେ ଧରି ମୁଖ ପଦ୍ମରେ ପ୍ରବେଶ କରାଇଛନ୍ତି । ଗଜପତି ମହାରାଜ ବୀରକିଶୋର ଦେବଙ୍କ ଜଣେ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ମନ୍ଦିରଟି ଠିଆ କରି ବାଳ ମୁକୁନ୍ଦ ସ୍ଥାପନ କରିଥିଲେ।

  • ବଟକୃଷ୍ଣ
  • ବାଳମୁକୁନ୍ଦ ମନ୍ଦିରର ଏକ କାନ୍ଥ ସଂଲଗ୍ନ ଠଣା ମଧ୍ୟରେ ଦେଢ଼ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ନିର୍ମିତ ବଟକୃଷ୍ଣ ବିଗ୍ରହ ସ୍ଥପିତ ହୋଇଛନ୍ତି। ପୂର୍ବେ ଏଠାରେ ସ୍ଵତନ୍ତ୍ର ମନ୍ଦିର ରହିଥିଲା। ମନ୍ଦିରଟି ଭାଙ୍ଗି ଯିବାରୁ ଅନେକ ବର୍ଷ ଧରି ବାଳମୁକୁନ୍ଦ ଓ ବଟକୃଷ୍ଣ ଗୋଟିଏ ମନ୍ଦିରରେ ପୂଜିତ ହେଉଛନ୍ତି।

    'ଶଙ୍ଖଚକ୍ର ଗଦାପଦ୍ମ ଧାରିଣଂ ବନ୍ମାଳିମ । ବଟ ନାରାୟଣଂ ମମ ପାପକ୍ଷୟଂ କୁରୁ।

  • ମାର୍କଣ୍ଡେୟ ପାଦୁକା
  • ବାଳମୁକୁନ୍ଦ ମନ୍ଦିର ଓ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣର ବାମ ପାର୍ଶ୍ଵରେ ମାର୍କଣ୍ଡେୟ ପାଦୁକାକୁ ଅନେକ ଭକ୍ତ ସ୍ପର୍ଶ ପୂର୍ବକ ପ୍ରଣତି ଜଣାଇଥାନ୍ତି।

  • ବଟ ଗଣେଶ
  • ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି। ସେ କଳ୍ପ ଗଣେଶ, ତାଙ୍କୁ ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ। ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରାଚୀନ। ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ ।

  • ହରି ସହଦେବ
  • ବାଳମୁକୁନ୍ଦ ଓ କଳ୍ପବଟ ସମ୍ମୁଖରେ ହରି ସହଦେବ ମହାଦେବଙ୍କ କ୍ଷୁଦ୍ର ମନ୍ଦିରଟି ରହିଛି। ବେଢା଼ ପରିକ୍ରମା ସମୟରେ ଭକ୍ତମାନଙ୍କର ଅଭିଳାଷକୁ ସାକାର କରି ରିଷ୍ଟ ଖଣ୍ଡନ କରିବାକୁ ଓ ଭବିଷ୍ୟତ ପଥକୁ କୁସୁମିତ କରିବା ଲକ୍ଷ୍ୟରେ ପାଣି ଲାଗି କରିଥାନ୍ତି ।

  • ବଟ ଅବକାଶ
  • ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ଵରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ପ୍ରଭୁ କଳାଠାକୁର ଶୋଭା ପାଉଛନ୍ତି। ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ଵରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ଵାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । ନବକଳେବରରେ ଏଠାକୁ ଦାରୁ ଆସେ । ଜଗନ୍ନାଥ ଦାସ ବଟ ବିହାରୀ ଜଗନ୍ନାଥଙ୍କ ସମ୍ମୁଖରେ କଳ୍ପବଟ ତଳେ ତାଙ୍କର ଭାଗବତ ରଚନା ଓ ଅନ୍ୟାନ୍ୟ ଗ୍ରନ୍ଥ ଲେଖିଥିଲେ । ଏଣୁ ବଟ ବିହାରୀ ଜଗନ୍ନାଥ 'ଭାଗବତ କାଳିଆ ବୋଲି ନାମିତ ହୋଇଛନ୍ତି ।

  • କଳ୍ପବଟ/ବାଞ୍ଛା ବଟ
  • କଳ୍ପବଟ ଓ ବାଞ୍ଛା ବଟ ଦୁଇଟି ପ୍ରାଚୀନ ସର୍ବ ପାବନ ସ୍ଥଳ।ଶ୍ରୀମନ୍ଦିର ମଧ୍ୟରେ ଯାହା ଆଜି ଅବସ୍ଥିତ ତାହା କଳ୍ପ ଆରମ୍ଭ, ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ।ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧବ ରୂପେ ବିଶ୍ୱାବସୁ ଶବର ପୂଜା କରୁଥିବାର କିମ୍ବଦନ୍ତୀ ରହିଛି।କଳ୍ପବଟର ଚତୁଃପାର୍ଶ୍ୱରେ ବଟେଶ୍ଵର, ବଟକୃଷ୍ଣ, ବାଳମୁକୁନ୍ଦ, ବଟ ମଙ୍ଗଳା, ବଟ ନାରାୟଣ, ବଟ ଗଣେଶ, ରାଧାକୃଷ୍ଣ, ପତିତପାବନ/ଶ୍ରୀଜଗନ୍ନାଥଙ୍କ(ବଟ ଅବକାଶ),ପଞ୍ଚୁ ପାଣ୍ଡବ, ମହାଦେବ ପ୍ରମୁଖ ରହିଛନ୍ତି।କଳ୍ପବଟ ଚତୁଃଵର୍ଣ୍ଣ ଫଳପ୍ରଦ ମୁଖ୍ୟ ପାବନକାରୀ ତୀର୍ଥ ଅଟେ।ପ୍ରାୟ ସମସ୍ତ ଆଦି ସନାତନ ଧର୍ମ ପୁରାଣରେ ଏହି କଳ୍ପବଟର ମହାତ୍ମ୍ୟ ବର୍ଣ୍ଣନା ହୋଇଛି।ଯଥା ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ତୀର୍ଥ ଚିନ୍ତାମଣି, ଭାଗବତ ମହାପୁରାଣ, ହରିବଂଶ, ଭବିଷ୍ୟ ପର୍ବ, ପ୍ରେମ ଭକ୍ତି, ବ୍ରହ୍ମ ଗୀତା, ଚନ୍ଦ୍ରକଳା, ରସିକ ହାରାବଳୀ, ସାରଗୁପ୍ତ ଗୀତା, ତୁଳାଭିଣା, ଅଷ୍ଟ ଗୁଜ୍ଜରୀ ପ୍ରଭୃତି ପୁରାଣ, ଶାସ୍ତ୍ର/କାବ୍ୟ ଗ୍ରନ୍ଥ। କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥି ରେ ବଟ ଦେବତାଙ୍କର ଜୟନ୍ତୀ ଉତ୍ସବ ପାଳିତ ହୁଏ।କାର୍ତ୍ତିକର ପଞ୍ଚକ ଅବସରରେ କଳ୍ପବଟର ପୂଜା ଆରଧନା ନିଶ୍ଚିତ ରୂପେ ପରମ ପବିତ୍ର ଓ ତାତ୍ପର୍ଯ୍ୟପୂର୍ଣ୍ଣ।କଳ୍ପବଟ ଦର୍ଶନ କରିବା ମାତ୍ରେ ଏହାର ଛାୟାରେ ବାରମ୍ବାର ପାଦ ପକାଇବ।ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସମୟରେ କଳ୍ପବଟ ତଳେ ବସି ନୀଳଚକ୍ର ପତିତପାବନ, ଧ୍ଵଜାବୀର-କପିଚକ୍ରକୁ ଚାହିଁ ପ୍ରଣିପାତ କରିବା ସହ ରିଷ୍ଟ ଖଣ୍ଡନ ସହ ସିଦ୍ଧି, ମୁକ୍ତି ମିଳିଥାଏ।କଳ୍ପବଟ ଚିନ୍ତନ ସର୍ବ ପାପକୁ ଅନନ୍ତ ଗର୍ଭ ରେ କ୍ଷୟ କରି ପୁଣ୍ୟ କୁ ଅକ୍ଷୟ କରି ତୋଳିବାରେ ସହାୟକ ହୋଇ ଆସିଛି।

  • ଶ୍ରୀ ବଟ ସର୍ବମଙ୍ଗଳା ଦେବୀ
  • ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀ ରତ୍ନ ସିଂହାସନର ସୁରକ୍ଷା ପାଇଁ ପ୍ରତିଷ୍ଠିତ ଥିବା ଅନ୍ୟାନ୍ୟ ଦେବୀ ବିଗ୍ରହ ମଧ୍ୟରୁ ସର୍ଵମଙ୍ଗଳା ଅନ୍ୟତମ।ମନ୍ଦିରଟି ପଶ୍ଚିମ ମୁଖା।ପଞ୍ଚଦଶ ଶତାଦ୍ଦୀ ରେ ନିର୍ମିତ ହୋଇଛି । ଦେବୀ ସର୍ଵମଙ୍ଗଳା ଚତୁର୍ଭୁଜା ଓ ତ୍ରିନେତ୍ରୀ ଅଟନ୍ତି । ମୁଖ୍ୟ ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ଛାୟା ଓ ମାୟା ଦେବୀ ରହିଥିବା ଓ ଏମାନଙ୍କ ଉପରେ ଦୁଇଟି କ୍ଷୁଦ୍ର ହନୁମାନ ମୂର୍ତ୍ତି ରହିଛନ୍ତି।ଦ୍ୱାର ସମ୍ମୁଖରେ ଏକ ସ୍ତମ୍ଭରେ ସିଂହ।

  • ସଙ୍କଟ ତାରିଣୀ
  • ସର୍ବ ମଙ୍ଗଳା ମନ୍ଦିର ବାହାର ପଟ ଉତ୍ତର ପାର୍ଶ୍ଵସ୍ଥ କାନ୍ଥରେ ସଙ୍କଟ ତାରିଣୀଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପୂଜା ପାଉଛନ୍ତି।ମା' ସର୍ଵମଙ୍ଗଳା ଙ୍କ ମନ୍ଦିରରେ ଷୋଳ ପୂଜା,କାଳୀ ପୂଜା,ଓଢ଼ଣ ଷଷ୍ଠୀ, କୁମାର ପୂର୍ଣ୍ଣିମା, ଶିବରାତ୍ରି ଓ ଦୋଳ ପୂର୍ଣ୍ଣିମା ରେ ଏଠାରେ ବିଶେଷ ନୀତି ପାଳିତ ହୋଇଥାଏ।

  • ମହା ବଜ୍ରେଶ୍ଵରୀ/ଇନ୍ଦ୍ରାଣୀ
  • କଳ୍ପବଟ ସମ୍ମୁଖରେ ମନ୍ଦିରଟି ରହିଛି।କ୍ଷେତ୍ରପାଳ ଶିବଙ୍କ ଶକ୍ତି ରୂପେ ମହା ବ୍ରଜେଶ୍ଵରୀଙ୍କୁ ଉପାସନା କରାଯାଏ।ଇନ୍ଦ୍ରାଣୀ ଦେବୀ ରୂପେ ପୂଜିତା।କାମଦେଵ ରାଜାଙ୍କ କୀର୍ତ୍ତି ରୂପେ ଏହା ଖ୍ୟାତ।ଶ୍ରୀମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟକୁ ଲାଗି ମାଜଣା ମଣ୍ଡପ ଆଡ଼କୁ ଯିବାବେଳେ ଡ଼ାହାଣ ପାର୍ଶ୍ଵରେ ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର।ଇନ୍ଦ୍ରାଣୀଙ୍କ ସିଂହାସନରେ ନିମ୍ନ ଭାଗରେ ଶିବଲିଙ୍ଗ ଶ୍ରୀବଟେଶ୍ଵର ରହିଛନ୍ତି।ସମ୍ମୁଖରେ ବୃଷଭ ପାର୍ଶ୍ଵରେ ସିଦ୍ଧି ଗଣେଶ ମୂର୍ତ୍ତି କଳା ଗଣେଶ ପ୍ରସ୍ତରରେ ନିର୍ମିତ୍ତ ହୋଇଛନ୍ତି।ଇନ୍ଦ୍ରାଣୀଙ୍କ ବିଗ୍ରହ ଦ୍ଵିଭୁଜା ଓ ଉପବେଶନ ଭଙ୍ଗୀରେ ବିଦ୍ୟମାନ।ସିଂହାସନ ନିମ୍ନରେ ହସ୍ତୀ ଅଛି। ଶ୍ରୀଜୀଉମାନଙ୍କ ପ୍ରତ୍ୟକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବ ପରେ ସମ୍ପୃକ୍ତ ସୂପକାର ସେବକ ସେହି ରାସ୍ତାରେ ଆନନ୍ଦ ବଜାରକୁ ନେବାବେଳେ "ମା" ଇନ୍ଦ୍ରାଣୀଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି ।

  • ପଞ୍ଚ ମହାଦେବ ମନ୍ଦିର
  • କଳ୍ପବଟ ତଳେ ସର୍ଵମଙ୍ଗଳାଙ୍କ ସମ୍ମୁଖଭାଗରେ ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ଵର, ଶ୍ରୀ ନୀଳକଣ୍ଠଶ୍ଵର, ମହାମୃତ୍ୟୁଞ୍ଜୟ, ଶ୍ରୀ ମାର୍କଣ୍ଡେୟ ଓ ଶ୍ରୀକପାଳ ମୋଚମ ପଞ୍ଚୁ ପାଣ୍ଡବ ମହାଦେବ ମନ୍ଦିର ଅବସ୍ଥିତ।ଏହି ପଞ୍ଚୁ ପାଣ୍ଡବ ମନ୍ଦିର ମଧ୍ୟରେ ଅଧିମାସ ଠାକୁର (ନାରାୟଣ) ଙ୍କର କ୍ଷୁଦ୍ର ମନ୍ଦିରଟିଏ ରହିଛି।

  • ମାର୍କଣ୍ଡେଶ୍ଵର
  • ପଞ୍ଚ ମହାଦେଵଙ୍କର ମନ୍ଦିରର ଉଚ୍ଚତା ସର୍ବାଧିକ ଓ ପଶ୍ଚିମାଭିମୁଖୀ ହୋଇ ଶକ୍ତି ପ୍ରତିଷ୍ଠା ହୋଇଛନ୍ତି।ଶ୍ରୀମନ୍ଦିରର ଭିତର ବେଢ଼ା ଚଟାଣଠାରୁ ୭/୮ ଫୁଟ୍ ତଳେ ମାର୍କଣ୍ଡେୟ ମନ୍ଦିରର ଗର୍ଭ ଗୃହସ୍ଥ ମଧ୍ୟ ଭାଗରେ ମାର୍କଣ୍ଡେଶ୍ଵର ଶିବଲିଙ୍ଗ ବିଦ୍ୟମାନ।ମୃତ୍ୟୁଞ୍ଜୟ ଦେବ ରାଜଗୁରୁ କେଶରୀ ଵଂଶର ରାଜା ଉଦ୍ୟୋତ କେଶରୀଙ୍କ ସମୟରେ ସ୍ଥାପନ ହୋଇଥିବା ଜଣାଯାଏ।ଉତ୍ତରାଭିମୁଖୀ ମାଧବ (ବଟ ନାରାୟଣ) ବିଗ୍ରହ ମାର୍କଣ୍ଡେଶ୍ଵରଙ୍କ ଲିଙ୍ଗ ସମ୍ମୁଖରେ ରହିଛନ୍ତି।ଏଣୁ ଯଥାର୍ଥରେ ଧ୍ୟାନ କରାଯାଏ-

    • "ମାର୍କଣ୍ଡେୟ ! ନମସ୍ତୁଭ୍ୟମଘୋର ପାପହାରକ।
      ପାପମ୍ ମେହର ଭୋ ଶମ୍ଭୋ ନାରାୟଣ ପ୍ରିୟଂ ଭଜେ।"
      ବଟ ନାରାୟଣଙ୍କୁ ଧ୍ୟାନରେ କୁହାଯାଏ-
      "ଶଙ୍ଖ ଚକ୍ର ଗଦା ପଦ୍ମ ଧାରିଣଂ ବନମାଳୀନମ୍।
      ବଟ ନାରାୟଣଂ ବନ୍ଦେ ମମ ପାପ କ୍ଷୟଂ କୁରୁ।"
  • ସୂର୍ଯ୍ୟ ନାରାୟଣ
  • ମୁକ୍ତି ମଣ୍ଡପର ଐଶାନ୍ୟ କୋଣରେ ସୂର୍ଯ୍ୟ ନାରାୟଣଙ୍କ ଯେଉଁ କ୍ଷୁଦ୍ର ମନ୍ଦିରଟିଏ ଅଛି ତାହା ବାସ୍ତବରେ "ସୂର୍ଯ୍ୟ ଯନ୍ତ୍ର" ମନ୍ଦିର ବୋଲି କୁହାଯାଏ।ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ସହିତ ଏହି ମନ୍ଦିରର ସମ୍ପର୍କ।ଗ୍ରହଣ ନୀତିରେ ଏଠାରେ ଅଧିକ ପୂଜା ହୁଏ।ଏହି ମନ୍ଦିରଟି ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ।କପିଳେନ୍ଦ୍ର ଦେବ ଏହାକୁ ପୁନଃ ନିର୍ମାଣ କରିଥିଲେ।ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଶ୍ରୀମନ୍ଦିରରେ ପ୍ରବେଶ କରି ପ୍ରଭୁ ଚକନୟନଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରାପ୍ତି ହୋଇନଥିବା ବିଶ୍ୱାସ ରହିଛି।ଆଦି ବ୍ରହ୍ମ ପୁରାଣ ମତରେ ଏଇଠି ସୂର୍ଯ୍ୟ ଯନ୍ତ୍ର ସ୍ଥାପିତ ହୋଇଛି ଓ ସୂର୍ଯ୍ୟ ପୂଜା ପାଇଁ ଏହା ହିଁ ଉଦ୍ଦିଷ୍ଟ।

  • କୁତ୍ତାମ ଚଣ୍ଡୀ
  • ମୁକ୍ତି ମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତ୍ତା) ଉପରେ ବିରାଜିତ ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ "କୁତ୍ତାମ ଚଣ୍ଡୀ" ରୂପରେ ପୂଜିତା।ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ଵ କାନ୍ଥରେ (ଜଗମୋହନ ଆଡ଼କୁ ମୁହଁ କରି) ଏକ କୁକୁର ମୂର୍ତ୍ତି ପୂଜା ପାଉଛନ୍ତି । ଏହା ଦେବୀଙ୍କର ବାହାନ କୁକୁର ହୋଇ କୁତ୍ତାମ ଚଣ୍ଡୀଙ୍କୁ ପ୍ରଣିପାତ କରି ରହିଛି । ୧୪୯୮ ଖ୍ରୀଷ୍ଟାବ୍ଦରେ ଦେବୀ ପୂଜା ପାଇବା ଉଲ୍ଲେଖ ରହିଛି । ଶ୍ରୀଜୀଉଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେବାରୁ ଉଜ୍ଜୟିନୀରୁ ଆସିଥିବା ତାନ୍ତ୍ରିକ ଦିଗନା ପ୍ରତିକାର ସ୍ୱରୂପ କୁତ୍ତାମ ଚଣ୍ଡୀ ସ୍ଥାପନା ହେବା ପରେ ଶ୍ରୀମନ୍ଦିରକୁ କୁକୁର ଆଉ ପ୍ରବେଶ କଲେ ନାହିଁ।ଦିନେ କୁତ୍ତାମ ଚଣ୍ଡୀ ରତ୍ନ ସିଂହାସନ ଗର୍ଭ ଗୃହରେ ପୂଜା ପାଉଥିଲେ।କିନ୍ତୁ ବାଦ ବିବାଦ ମଧ୍ୟରେ ମରହଟ୍ଟା ଶାସନ,ବୌଦ୍ଧ ଧର୍ମ ପ୍ରଭାବ ଓ ଇଂରାଜୀ ଶାସନ ମଧ୍ୟରେ ଏଠାକୁ ଅନ୍ୟ ଏକ ରୂପାନ୍ତରରେ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି ।

  • ଅନନ୍ତ ବାସୁଦେବ
  • ମୁକ୍ତି ମଣ୍ଡପର ବାମ ପାର୍ଶ୍ଵରେ ଅନନ୍ତ ବାସୁଦେବଙ୍କ ସ୍ୱତନ୍ତ୍ର ଧରଣର ମନ୍ଦିର ଯାହାର ମୁଖଶାଳାଟି ବଡ଼ ଥିବା ବେଳେ ଗର୍ଭ ଗୃହଟି ଛୋଟ।ଅନନ୍ତ କେଶରୀଙ୍କ ପାଟ୍ଟଜେମା ଚନ୍ଦ୍ରିକା ପାଟ୍ଟ ମହାଦେଇଙ୍କ ଦ୍ୱାରା କ୍ଷୁଦ୍ର ବିଷ୍ଣୁ ମୂର୍ତ୍ତି ଅନନ୍ତ ନାଗ ଉପରେ ଶୟନ କରିଥିବା ବିଗ୍ରହକୁ ସ୍ଥାପନା କରିଥିଲେ।ଅନନ୍ତ ବାସୁଦେବଙ୍କ ଏହି ମନ୍ଦିରରେ ଆଦିଶେଷଙ୍କ ବିଗ୍ରହ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ(ଅନନ୍ତ ଚତୁର୍ଦ୍ଦଶୀ) ସନ୍ଧ୍ୟା ଧୂପ ସରିବା ପରେ ଅନନ୍ତଙ୍କ ବ୍ରତ କଥା ପାଠ କଲା ଉତ୍ତାରେ ବନ୍ଦାପନା କରିଥାନ୍ତି।ବାମନ ଜନ୍ମଦିନ ଏଠାରେ ଦେଉଳ ପୁରୋହିତ ହୋମ କରିଥାନ୍ତି।ଅନନ୍ତ ବାସୁଦେଙ୍କ ମନ୍ଦିରର ପଶ୍ଚିମକୁ ଦିଗପାଳ ମନ୍ଦିର, ଯାହା ଦକ୍ଷିଣ ମୁଖୀ।ଏଥିରେ ଦିଗପାଳମାନେ ପୂଜା ପାଉଛନ୍ତି।

  • ଶ୍ରୀ କ୍ଷେତ୍ରପାଳ(ମହାଦେବ) ମନ୍ଦିର
  • ମୁକ୍ତି ମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିରଟିକୁ କ୍ଷେତ୍ରପାଳ ମହାଦେବ କୁହାଯାଏ।ଏହା ଅନନ୍ତ ବାସୁଦେବ ମନ୍ଦିରର ନିକଟରେ ପୂଜା ପାଉଛନ୍ତି।ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ରୂପେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କର ନମସ୍ୟ। ଗଙ୍ଗ ବଂଶୀୟ ନରପତି ଅନଙ୍ଗ ଭୀମଦେବ ଏହାକୁ ନିର୍ମାଣ କରିଥିଲେ । ଅଣଚାଶ ଦେବତାଙ୍କ ଏକ ଗାଁ ବିଶେଷ ଭୈରବ ମହାଦେବ ହିଁ କ୍ଷେତ୍ରପାଳ ଓ ଏହାକୁ ଉପାସନା କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁମତିପ୍ରାପ୍ତ କରିଥାଆନ୍ତି । ଶ୍ରୀକ୍ଷେତ୍ରପାଳ ମହାଦେବଙ୍କ ମନ୍ଦିରରେ ନନ୍ଦୀ, ଭ୍ରୁକୁଟି, ବୃଷଭ, କୀର୍ତ୍ତି ମୁଖ କେହି ନ ଥିଲେ ମଧ୍ୟ ଶ୍ରୀମହାଲକ୍ଷ୍ମୀ ଓ ଜୟ ବିଜୟ ସ୍ଥାପିତ ହୋଇ ପୂଜା ପାଉଛନ୍ତି । ଶଙ୍ଖ କ୍ଷେତ୍ରରେ ନାଭି ମଣ୍ଡଳରେ ଶ୍ରୀମନ୍ଦିର ଓ କ୍ଷେତ୍ରର ଅଧିପତି କ୍ଷେତ୍ରପାଳ । ଶ୍ରୀକ୍ଷେତ୍ରପାଳଙ୍କୁ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ହିଁ ଶ୍ରୀକ୍ଷେତ୍ର ଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ପ୍ରାପ୍ତି ଫଳ ମିଳେ ।

    • ମୁକ୍ତି ମଣ୍ଡପ
      1. ଯଜ୍ଞ ଶ୍ରୀନୃସିଂହ ମନ୍ଦିର
      2. ମନ୍ଦିରର ଅଧିଷ୍ଠାତା ହେଲେ ଯଜ୍ଞ ନୃସିଂହ ବା ମୁକ୍ତ ନୃସିଂହ।ଜଣାଯାଏ  ଚୋଡ଼ଗଙ୍ଗ ଦେବ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରି ତା'ର ପ୍ରତିଷ୍ଠା କରିବାର ପୂର୍ବରୁ ଯଜ୍ଞ ନୃସିଂହ ସ୍ଥାପନା କରିଥିଲେ।ଏ ସମ୍ପର୍କରେ ମନ୍ଦିର ଗାତ୍ରରେ ଶିଳାଲିପି ଖୋଦିତ ହୋଇଥିବା ଦେଖିବାକୁ ମିଳେ, ଯାହାକୁ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପାଠୋଦ୍ଧାର କରି ଲେଖିଛନ୍ତି।୧୧୪୨ ଖ୍ରୀଷ୍ଟାବ୍ଦ ବେଳକୁ ଚୋଡ଼ଗଙ୍ଗ ଦେବ ଓ ତାଙ୍କର ପୁଅ କାମାର୍ଣ୍ଣବଙ୍କର ସମୟରେ ବଳଭଦ୍ର, ପୁରୁଷୋତ୍ତମ ଓ ସୁଭଦ୍ରା ଏହି ନୃସିଂହ ମନ୍ଦିରରେ ପୂଜା ପାଉଥିଲେ।୫୮ ଫୁଟ ଉଚ୍ଚତା ଓ ଏହା ପୂର୍ବାଭିମୁଖୀ।

      3. ରୋହିଣୀ କୁଣ୍ଡ
      4. ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ।ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ହିଁ ଲୀନ ହୋଇଯାଏ।ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା।ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଓ ପରବର୍ତ୍ତୀ ସମୟରେ "ଶ୍ରୀ ଜଗନ୍ନାଥ " ନାମରେ ପ୍ରତିଷ୍ଠିତ ହୋଇଛନ୍ତି।କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟସ୍ଥ ପାର୍ଶ୍ଵରେ ଏହି ଦାରୁବ୍ରହ୍ମ ନୀଳମାଧବ ପୂଜା ପାଉଥିଲେ।ଏହି କୁଣ୍ଡରେ ଏକ ତୃଷାର୍ତ୍ତ କାକ ପାଣିରେ ବୁଡି ପ୍ରାଣ ହାରି ମୋକ୍ଷ ଲାଭ କରିଥିଲା। ରୋହିଣୀ କୁଣ୍ଡରେ ଚତୁର୍ଭୁଜ କାକ ଓ ପାଦ ପଦ୍ମ ରହିଛନ୍ତି।ମା' ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା ମଣ୍ଡପ ପାର୍ଶ୍ଵରେ ଏହା ଅବସ୍ଥିତ। ବର୍ତ୍ତମାନ ୪ଫୁଟ ପ୍ରସ୍ଥ, ୧୦ ଫୁଟ୍ ଲମ୍ବ ଓ ୧ ଫୁଟ ଉଚ୍ଚରେ କୁଣ୍ଡଟିର ଚଟାଣରେ ଦୁଇଟି ଚତୁଷ୍କୋଣ କଳା ମୁଗୁନି ପଥର ଉପରେ ଭୂଷଣ୍ଡ କାକ (ନାରାୟଣ) ଓ ନାଭିଚକ୍ର ରହିଛନ୍ତି, ଯାହା ନୀଳଚକ୍ର ଆକୃତି ସଦୃଶ୍ୟ।

      5. ଜଳକ୍ରୀଡା଼ ମଣ୍ଡପ
      6. ବାହାର ଚନ୍ଦନ ୨୧ଦିନ ନରେନ୍ଦ୍ରରେ ଚାପ, ଭଉଁରୀ ଓ ହଳଦିପାଣିରେ ଶେଷ ହେଲା ପରେ ୨୧ ଦିନ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ମଣ୍ଡପରେ ଜୀଉଙ୍କର ହୋଇଥାଏ।ଏହା ବିମଳା ମନ୍ଦିର ସମ୍ମୁଖ, ରୋହିଣୀ କୁଣ୍ଡ ଦକ୍ଷିଣ ପାର୍ଶ୍ଵ ଓ ଯଜ୍ଞ ଶ୍ରୀନୃସିଂହ ମନ୍ଦିରର ପଶ୍ଚିମ ଭାଗରେ ଅବସ୍ଥିତ।ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ସୁବାସିତ ଚନ୍ଦନ କୁଣ୍ଡରେ ବୁଡି ଜଳକ୍ରୀଡ଼ା କରିଥାନ୍ତି।

  • ନାଟ ଗଣେଶ/ନୃତ୍ୟ ଗଣେଶ
  • କଳା ଚିକ୍କଣ ମୁଗୁନି ପଥରରେ ଅତ୍ୟନ୍ତ କମନୀୟ, ମନୋଲୋଭା ଢ଼ଙ୍ଗରେ ୧ଫୁଟ ଉଚ୍ଚ ବିଶିଷ୍ଟ ସିଂହାସନ ଉପରେ ନୃତ୍ୟରତ ଭଙ୍ଗୀ, ଠାଣୀରେ "ନାଟୁଆ ଗଣେଶ" ୬ ଫୁଟ ଉଚ୍ଚତା ଓ ୩ ଫୁଟ ଓସାରରେ ଅଷ୍ଟଭୁଜ ବିଶିଷ୍ଟ ବିଦ୍ୟମାନ।ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣାଭିମୁଖୀ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି।କାଞ୍ଚି ଅଭିଯାନ ସମୟରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ଏହି ନୃତ୍ୟ ଗଣପତିଙ୍କୁ ଆଣି ସ୍ଥାପନ କରିଛନ୍ତି।ଗଣେଶ ପୂଜା ଅବସରରେ ସନ୍ଧ୍ୟା ଧୂପ ପରେ ଏହି ବିଗ୍ରହଙ୍କୁ ପ୍ରସାଦ ଲାଗି ଭୋଗ ଓ ବନ୍ଦାପନା କରାଯାଏ। ୠକ୍ମିଣୀ ହରଣ ଏକାଦଶୀ ଦିନ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କଲା ପରେ ୠକ୍ମିଣୀ ହରଣ ନିମିତ୍ତ ମଦନମୋହନ ବିଜେ ହୋଇ ନାଟ ଗଣେଶଙ୍କ ସମ୍ମୁଖରେ ଲୁଚି ରହିଥାନ୍ତି। କଥିତ ଅଛି ବେଢ଼ା ପରିକ୍ରମା ସମୟରେ ନାଟୁଆ ଗଣେଶଙ୍କୁ ଦର୍ଶନ କରିବା ନିତାନ୍ତ ଆବଶ୍ୟକ।କାରଣ ସମସ୍ତ ଭକ୍ତଙ୍କ ତାଲିକା ସେ ରଖନ୍ତି ଓ ପ୍ରଭୁ ଶ୍ରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ରାତ୍ର ଦରବାରରେ ଉପସ୍ଥାପନା କରିଥାନ୍ତି।

  • ଶ୍ରୀକ୍ଷେତ୍ରାଧିଶ୍ଵରୀ ରାଜରାଜେଶ୍ଵରୀ ଶ୍ରୀ ବିମଳା ଦେବୀ
  • ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଦେବୀ ନିଜେ ବିମଳା ମହାଭୈରଵୀ ଆଦିଶକ୍ତି ଅଟନ୍ତି।ମା' ବିମଳା ପାଦ ପୀଠେଶ୍ଵରୀ ଓ କେହି କେହି ଏହାକୁ ଜିହ୍ଵା ପୀଠ, ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ, ମସ୍ତକ ପୀଠ ବୋଲି ବର୍ଣ୍ଣନା କରିଛନ୍ତି।ଶ୍ରୀକ୍ଷେତ୍ରେଶ୍ଵରୀ ରାଜରାଜେଶ୍ଵରୀ ବିମଳା ମା' ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି। ଯଥାର୍ଥରେ-

    "ଉତ୍କଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ର ମୁଚ୍ୟତେ।
    ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।"
    "ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।"

    ଶାକ୍ତମାନେ ବିଶ୍ୱାସ କରନ୍ତି ଯେ ବିମଳା ଭୈରଵୀ ହିଁ ଆଦିଶକ୍ତି ଅଟନ୍ତି ଓ ନିଜେ ଜଗନ୍ନାଥ ତାଙ୍କର ଭୈରବ ଅଟନ୍ତି। ଅଷ୍ଟମ/ନବମ ଶତାବ୍ଦୀ ବେଳକୁ କଳା ମୁଗୁନି ପଥରରେ ମା' ବିମଳାଙ୍କ ବିଗ୍ରହ ନିର୍ମିତ ହୋଇଥିଲା।ବିମଳା ମା' ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ।ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ।୪ହସ୍ତ ଓ ତ୍ରିଚକ୍ଷୁ ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ ( ପ୍ରଭା ବା ସିଂହାସନ ସହ ୬ ଫୁଟ୍)ଙ୍କ ଦକ୍ଷିଣ ପାର୍ଶ୍ୱରେ ମାୟା ଓ ବାମ ପାର୍ଶ୍ୱରେ ଛାୟା ଦେବୀ ଅବସ୍ଥିତା।ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଷଷ୍ଠ ଶତାବ୍ଦୀରେ ଦେବୀ ବିଗ୍ରହ ପ୍ରତିଷ୍ଠା ହୋଇଥିବା କୁହାଯାଇଛି।ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି।ଗଞ୍ଜାମର ତରଳାର ରାଜା ଦିବ୍ୟସିଂହ ଦେବ(୧୬୯୩-୧୭୨୦)ଙ୍କ ସମୟରେ ମା ବିମଳାଙ୍କ ଭୋଗ ମଣ୍ଡପ ବା ନାଟ ମଣ୍ଡପ ନିର୍ମାଣ କରିଥିଲେ।ଶାରଦୀୟ ପାର୍ବଣ ନୀତି ଷୋଳ ପୂଜାରେ ବିମଳା ମା'ଙ୍କର ୧୧ ବେଶ ହୋଇଥାଏ ।

  • ଶ୍ରୀ ଗୋପେଶ୍ଵର ମନ୍ଦିର
  • ଗୋପୀ ଓ ଗୋପର ରକ୍ଷକ ରୂପେ ଗୋପେଶ୍ଵର ଉଭା ହୋଇଥିଲେ।ଏହି ମନ୍ଦିରରେ ଶିବ ଓ ଶ୍ରୀକୃଷ୍ଣ ଉଭୟଙ୍କ ପରିବାର ପୂଜିତ ହେଉଛନ୍ତି।ଏହି ସୁଉଚ୍ଚ ପୀଠ ମନ୍ଦିରଟି ଶୈବ ଓ ବୈଷ୍ଣବ ଉଭୟ ସମ୍ପ୍ରଦାୟର ମିଳନ ପୀଠ ରୂପେ ପ୍ରସିଦ୍ଧି ଲାଭ କରିଛି।ଗୋପେଶ୍ଵର ମହାଶିବ ଓ ମହାବିଷ୍ଣୁଙ୍କ ସମାହାର ଅଟନ୍ତି।ରାଜା ଗୋପେଶ୍ଵର ଦେବଙ୍କ ଦ୍ୱାରା ମନ୍ଦିର ନିର୍ମାଣ ସହ ସବୁ ଠାକୁରଙ୍କୁ ଏଠାରେ ସମାନ ଭାବେ ପୂଜା କରାଯାଉଛି।ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ଵ ଭିତର ବେଢାରେ ପୂର୍ବାଭିମୁଖୀ ମନ୍ଦିରଟିରେ ବିଷ୍ଣୁଙ୍କର ବିଭିନ୍ନ ଅବତାର ସ୍ଥାନିତ ହୋଇଛି।

  • ବେଣୁ ମାଧବ ମନ୍ଦିର
  • ରାଧା ଓ କୃଷ୍ଣଙ୍କର ତ୍ରିଭଙ୍ଗୀ ଠାଣି, ବଂଶୀବାଦନଯୁକ୍ତ ଛୋଟ ଛୋଟ ବିଗ୍ରହଟି ମନ୍ଦିରଟିରେ ବିଦ୍ୟମାନ କିନ୍ତୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦାରୁବ୍ରହ୍ମ ଏହି ମନ୍ଦିରରେ ଶୋଭା ପାଉଛି।ପୂର୍ବାଭିମୁଖୀ ମନ୍ଦିରଟି ମା' ବିମଳା ଓ ଗୋପେଶ୍ଵର ମନ୍ଦିରର ମଧ୍ୟଭାଗରେ ଅବସ୍ଥିତ।ଏହାକୁ ପଟିଦିଅଁ ମନ୍ଦିର କୁହାଯାଇଥାଏ।ଠାକୁରଙ୍କ ଅଣସର/ଅନବସର ସମୟରେ ପଟିଦିଅଁମାନେ ଏଠାରୁ ଯାଆନ୍ତି ଓ ପରେ ଆସି ରଖାଯାଆନ୍ତି।

  • ଶ୍ରୀ ସାକ୍ଷୀଗୋପାଳ
  • ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କର ବିଗ୍ରହ ସୁନ୍ଦର ରୂପେ ସ୍ଥାପନା କରାଯାଇ ପୂଜା କରାଯାଉଛି।ଏହି ମନ୍ଦିରଟି ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବ ମୁହାଁ ହୋଇ ସ୍ଥାପନ କରାଯାଇଛି।ପୁରୁଷୋତ୍ତମ ଦେବ ଗଜପତିଙ୍କର କାଞ୍ଚି ଅଭିଯାନରୁ ଅଣାଯାଇଥିବା ସାକ୍ଷୀ ଗୋପୀନାଥଙ୍କ ବିଗ୍ରହ ପ୍ରଥମେ ଏଠାରେ ପୂଜା ପାଇଥିଲେ।କିନ୍ତୁ ଏଠାରୁ ସାକ୍ଷୀଗୋପାଳ ସତ୍ୟବାଦୀକୁ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଇ ସ୍ଥାନାନ୍ତରିତ କରାଯାଇ ଏହି ବିଗ୍ରହକୁ ସ୍ମାରକୀ ଉପାସନା ନିମନ୍ତେ ସ୍ଥାପନା କରାଯାଇଛି। କାର୍ତ୍ତିକ ମାସ ଅଁଳା ନବମୀରେ ଗୋପାଳ ଓ ଶ୍ରୀରାଧା ପାଦ ଦର୍ଶନ କରିବାକୁ ଏଠାରେ ପ୍ରବଳ ଭିଡ଼ ଲାଗି ରହେ।ଗୋଟିଏ କୋଠରୀ ମଧ୍ୟରେ ୪ ଫୁଟର ବିଗ୍ରହ ସାକ୍ଷୀଗୋପାଳ ଓ ରାଧା କଳା ମୁଗୁନି ପଥରରେ ନିର୍ମିତ।

  • ଶ୍ରୀକାଞ୍ଚି ଗଣେଶ/ଭଣ୍ଡ ଗଣେଶ
  • କାଞ୍ଚି ଗଣେଶଙ୍କ ମନ୍ଦିର ଶ୍ରୀମନ୍ଦିର କୁର୍ମ ବେଢାର ପଶ୍ଚିମ ପାର୍ଶ୍ୱରେ ସାକ୍ଷୀଗୋପାଳଙ୍କ ପାର୍ଶ୍ୱରେ ପୂର୍ବାମୁଖୀରେ ଅବସ୍ଥିତ।କାଞ୍ଚି ରାଜା ଶାଲ୍ୱ ନରସିଂହ ଦେବଙ୍କୁ ୧୪୭୪ ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଯୁଦ୍ଧରେ ପରାସ୍ତ କରି କାଞ୍ଚିର ଇଷ୍ଟଦେଵ ଗଣେଶଙ୍କୁ ସାକ୍ଷୀଗୋପାଳଙ୍କ ସହ ନେଇ ଆସିଥିଲେ।ଜଗନ୍ନାଥ-ବଳଭଦ୍ର କଳା-ଧଳା ଘୋଡାରେ କାଞ୍ଚି ଅଭିଯାନରେ ଯାଇ ଜଗନ୍ନାଥ ପ୍ରଥମେ ଏହି ଗଣେଶଙ୍କୁ ପରାସ୍ତ କରିବାରୁ କାଞ୍ଚି ରାଜା ପରାସ୍ତ ହେଲେ।ଏହାକୁ ଭଣ୍ଡ ଗଣେଶ,ଗୌର ଗଣେଶ, କାମଦ ଗଣେଶ, କାଞ୍ଚି ବିଜୟ ଗଣେଶ, ଉଦ୍ଦିଷ୍ଟ ଗଣେଶ ବୋଲି କୁହାଯାଇଥାଏ।ଗଣେଶଙ୍କ ଜାନୁ ଦେଶରେ ଦେବୀ ଦ୍ଵିହସ୍ତା ନାନା ଅଳଙ୍କାର ଭୂଷିତା ସିଦ୍ଧିଦେବୀ/ବିଘ୍ନେଶ୍ଵରୀ ଅଟନ୍ତି। ଏହି ବିଗ୍ରହ ଚତୁର୍ଭୁଜ ବିଶିଷ୍ଟ ଓ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ଏହାର ଗଠନ ଅତ୍ୟନ୍ତ କମନୀୟ ଓ ଆକର୍ଷଣୀୟ ଅଟେ।ଡ଼ାହାଣ ପଟ ଉପର ହସ୍ତରେ ଅର୍ଦ୍ଧ ଭଗ୍ନ ଦାନ୍ତ, ତଳ ହସ୍ତରେ ରୁଦ୍ରାକ୍ଷ ମାଳା, ବାମ ପଟ ଉପର ହସ୍ତରେ ଫାର୍ଶା ଓ ତଳ ହସ୍ତଟି ତଳ ଦେଶରେ।ଗଳାରେ ପରତା ଓ ସର୍ପ ରହିଛି।ମନ୍ଦିରଟି ବେଢ଼ା ପତ୍ତନଠାରୁ ୨୨ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।

  • କ୍ଷୀରଚୋରା ଗୋପୀନାଥ
  • ଶ୍ରୀକାଞ୍ଚି ଗଣେଶ ମନ୍ଦିର ପାର୍ଶ୍ୱରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅବସ୍ଥିତ।ଏହି ମନ୍ଦିରରେ କମନୀୟ ରାଧା କୃଷ୍ଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।ଜୟ ଶ୍ରୀ ରାଧେ ରାଧେ କୃଷ୍ଣ ଗୋପାଳଙ୍କର ଛୋଟ ବିଗ୍ରହ ଏହି ମନ୍ଦିର ନିକଟରେ ଅନ୍ୟ ଏକ ଛୋଟ ମନ୍ଦିର ମଧ୍ୟରେ ଅବସ୍ଥାପିତ ଓ ପୂଜିତ।

  • ଶ୍ରୀ ଭୁବନେଶ୍ଵରୀ ମନ୍ଦିର
  • ଶକ୍ତି ପୂଜା ମତରେ ପାଞ୍ଚଟି ଆଦି ମାତୃକାଙ୍କର ଆରଧନା କରାଯାଇଥାଏ।ଏହି ଆଦି ମାତୃକାମାନେ ହେଲେ:-୧)ଦେବୀ ସରସ୍ୱତୀ,୨)ଦେବୀ ଗାୟତ୍ରୀ,୩) ଦେବୀ ସାବିତ୍ରୀ,୪)ଷଷ୍ଠୀ ଓ ୫)ଭୁବନେଶ୍ଵରୀଦେବୀ।ଏହି ପଞ୍ଚ ମାତୃକା ଆଦି ଲୋକ ମାତୃକା ରୂପେ ବେଶ୍ ପରିଚିତ ଓ ପୂଜିତା। ଭିତର ବଖରାରେ ମା' ଭୁବନେଶ୍ଵରୀ ବିଦ୍ୟମାନ ଓ ତାଙ୍କୁ କମଳା ସତ୍ୟଭାମା ରୂପେ ସମ୍ବୋଧିତ କରାଯାଇଥାଏ।ବାହାର ବଖରାର ବାମ ପଟେ ମା'ସରସ୍ୱତୀ, ନୃସିଂହ ଓ ଡ଼ାହାଣ ପଟେ ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନଷୀ ପୂଜିତ ହେଉଛନ୍ତି। ୧୭୦୦ ଖ୍ରୀଷ୍ଟାବ୍ଦରେ ଏହି ଭୁବନେଶ୍ଵରୀ ମା'ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ଏହି ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିରରେ ମା' ଭୁବନେଶ୍ଵରୀଙ୍କ ବିଗ୍ରହ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ମା'ଭୁବନେଶ୍ଵରୀ ୧୦ ମହାବିଦ୍ୟାରୁ ଅନ୍ୟତମା।ଚତୁର୍ଭୁଜ ବିଶିଷ୍ଟ ପାଶ ଅଙ୍କୁଶ, ଅଭୟ ଓ ବରଦା ମୁଦ୍ରାରେ ସୁଶୋଭିତା।

  • ଶ୍ରୀ ସରସ୍ଵତୀ
  • ମା' ଭୁବନେଶ୍ଵରୀ ଦେବୀଙ୍କ ମନ୍ଦିରର ନାଟ ମଣ୍ଡପରେ ମା ସରସ୍ଵତୀ ଏକ ଛୋଟ ମନ୍ଦିରରେ ହଂସ ବାହନ ଉପରେ ବିରାଜମାନ ହୋଇଛନ୍ତି।ସରସ୍ୱତୀ ଦେବୀଙ୍କ ଉଚ୍ଚତା ୧ ଫୁଟ୍ ଓ ଦେବୀଙ୍କ ଡ଼ାହାଣ ପାର୍ଶ୍ୱରେ ୧ ଫୁଟ୍ ଉଚ୍ଚତାରେ ନୃସିଂହଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି।ଶ୍ରୀ ବସନ୍ତ ପଞ୍ଚମୀ ଦିନ କାକରା ପିଠା ଭୋଗ କରାଯାଏ।ସନ୍ଧ୍ୟା ଧୂପ ପରେ ମା' ସରସ୍ୱତୀଙ୍କ ନିକଟରେ ୨୨ଟି ନଡ଼ିଆ ଭୋଗ କରାଯାଇ ମାଦଳା ପାଞ୍ଜି ପୂଜା କରାଯାଇଥାଏ।

  • ମା ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନସା ଦେବୀ
  • ମା' ଭୁବନେଶ୍ଵରୀଙ୍କ ମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟେ ଏକ କ୍ଷୁଦ୍ର ମନ୍ଦିର ପରି ପ୍ରକୋଷ୍ଠ ରେ ମା' ଷଷ୍ଠୀ, ସାବିତ୍ରୀ, ଓ ଗାୟତ୍ରୀଙ୍କ ବିଗ୍ରହ ପୂଜା କରାଯାଏ।ଷଷ୍ଠୀ ଦେବୀଙ୍କ ପରିବାର ଏଠି ପୂଜିତ ଓ କେତେକ ମନସା ଦେବୀ ଭାବରେ ପୂଜା କରିଥାନ୍ତି। ଜନ୍ମଦିନମାନଙ୍କରେ ମା' ଷଷ୍ଠୀ ଦେବୀଙ୍କଠାରେ ପିଲାମାନଙ୍କ ର ଦୀର୍ଘାୟୁ ଏବଂ ସର୍ବ କୁଶଳ ପାଇଁ କାମନା କରି ପୂଜାର୍ଚ୍ଚନା କରାଯାଇଥାଏ।ମା' ଷଷ୍ଠୀ ଦେବୀ ତ୍ରିଭୂଜା ଅଟନ୍ତି।ତାଙ୍କ ବାମ କୋଳରେ ଦିବ୍ୟ ଶିଶୁ ଆତ୍ମ ସୁଖ ଲାଭ କରୁଛନ୍ତି।

  • ଶ୍ରୀସାବିତ୍ରୀ
  • ସଧବା ସ୍ତ୍ରୀମାନେ ନିଜ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହି ମା' ଙ୍କ ପାଖରେ ସାବିତ୍ରୀ ବ୍ରତ କରିଥାନ୍ତି।

  • ଶ୍ରୀଗାୟତ୍ରୀ
  • ଏଠାରେ ମା'ଗାୟତ୍ରୀ ଦେବୀ ମଧ୍ୟ ପୂଜିତା ଓ ସର୍ବ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।

  • ଶ୍ରୀନୀଳମାଧବ
  • ଶ୍ରୀନୀଳମାଧବ ମନ୍ଦିର ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଅବସ୍ଥିତ।ପ୍ରଥମେ ନୀଳମାଧବ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ ହେଉଥିଲେ।ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଆଗରୁ ଶ୍ରୀକ୍ଷେତ୍ରରେ ଅପ୍ରାକୃତିକ ନୀଳମାଧବ ମୂର୍ତ୍ତି ଗାଲ ମାଧବ ସିଂହାସନ ଉପରେ ପୂଜା କରୁଥିଲେ।ଇନ୍ଦ୍ରଦ୍ୟୁମ୍ନ ତାହାକୁ ଏଠାକୁ ସ୍ଥାନାନ୍ତରିତ କରିଛନ୍ତି।ନୀଳମାଧବ ମନ୍ଦିରର ଉଚ୍ଚତା ୩୪ ଫୁଟ୍।ଗର୍ଭଗୃହ ଓ ଜଗମୋହନ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି।ମନ୍ଦିରର ଉତ୍ତର ପାର୍ଶ୍ୱରେ ୨ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିବିକ୍ରମ ପୃଥ୍ଵୀ ଦେବୀଙ୍କୁ ଏକ ପାଦରେ ଟେକି ଧରିଛନ୍ତି।ନୀଳମାଧବ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି।ଡ଼ାହାଣ ହସ୍ତରେ ଚକ୍ର, ତଳ ହସ୍ତରେ ପଦ୍ମ ଥିବା ବେଳେ ବାମ ଉପର ହସ୍ତରେ ଶଙ୍ଖ ଓ ନିମ୍ନ ହସ୍ତରେ ଗଦା ଧାରଣ କରିଛନ୍ତି।ନୀଳମାଧବ ବିଗ୍ରହଙ୍କର ଉଚ୍ଚତା ୨ ଫୁଟ୍ ବିଶିଷ୍ଟ ଅଟେ।ଅତୀବ ଭାସ୍କର୍ଯ୍ୟ ପୂର୍ଣ୍ଣ ଓ ପ୍ରାଣବନ୍ତ ଶବର ରାଜା ବିଶ୍ୱାବସୁ ଦୁଇ ହସ୍ତରେ ପାଚିଲା ଫଳ ଓ ନୈବେଦ୍ୟ ମାଧବଙ୍କୁ ଦେଉଥିବା ଓ ନିଜ ପଛେ ଶର ତୁଣି ଧରିଥିବା ଦେଖାଯାନ୍ତି।।ବିଶ୍ୱାବସୁଙ୍କ ବିଗ୍ରହ ୬ଇଞ୍ଚ ବିଶିଷ୍ଟ ଅଟେ। ନୀଳମାଧବଙ୍କ ଡ଼ାହାଣରେ କଳା ମୁଗୁନି ପ୍ରସ୍ତରରେ ନିର୍ମିତ ୧ଫୁଟର ବଂଶୀଧାରୀ ଶ୍ରୀକୃଷ୍ଣ ରହିଛନ୍ତି।ବାମ ପଟେ ୨ ଫୁଟ୍ ଉଚ୍ଚତାର ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ପୂଜା ପାଉଛନ୍ତି।ଶ୍ରୀକୃଷ୍ଣ,ନୀଳମାଧବ ଓ ଶ୍ରୀଜଗନ୍ନାଥ ତ୍ରିଦେଵ ହିଁ ନୀଳମାଧବ ନାମରେ ପୂଜା ପାଉଛନ୍ତି।

  • ଶ୍ରୀବେଢାକାଳୀ
  • ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟରେ ଏହି ମା'ଙ୍କ ମନ୍ଦିର ଅବସ୍ଥିତ।ଏହି ମା'ଙ୍କୁ ଭଦ୍ରକାଳୀ ବା ଗୁହ୍ୟ କାଳୀ କୁହାଯାଇଥାଏ।ପୂର୍ବରୁ ଚାରିପାର୍ଶ୍ଵ ଘଞ୍ଚ ବୃକ୍ଷ ରାଶି ଛାୟା ବେଢ଼ି ରହିଥିଲା।ଏଣୁ ବହୁ ଲୋକ ମୃତ୍ୟୁମୁଖରେ ପଡିଛନ୍ତି।ମରହଟ୍ଟା ରାଜତ୍ୱରେ ବାବା ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ବର୍ତ୍ତମାନର ବିଗ୍ରହ ସ୍ଥାପନା କରାଯାଇଥିଲା ଓ ଯନ୍ତ୍ର କାଳୀ ଓ ବେଢ଼ାକାଳୀଙ୍କ ପ୍ରକୋପକୁ ଶାନ୍ତ କରାଯାଇଥିଲା।କୁର୍ମ ବେଢ଼ା, ଶ୍ରୀମନ୍ଦିରର ରକ୍ଷକ ରୂପେ ବେଢ଼ାକାଳୀ ପ୍ରଭୁଙ୍କ ପହୁଡ଼ ପରେ ଜାଗ୍ରତ ହୋଇ ରହିଥାନ୍ତି।ମା'ଭଦ୍ରକାଳୀ ତଥା ବେଢ଼ା କାଳୀ ଗର୍ଭ ଗୃହରେ ପୂଜା ପାଆନ୍ତି।ଭଦ୍ରକାଳୀ ପରମ ବୈଷ୍ଣଵୀ ଅଟନ୍ତି।ଏହି କାଳୀ ମା'ଙ୍କ ମୂର୍ତ୍ତି ଝୁଣା ଓ ତୈଳ ମିଶ୍ରିତ ଉପାଦାନ "ଓଷୁଅ" ରେ ନିର୍ମିତ କିନ୍ତୁ ମୂଳ ପଥର ମୂର୍ତ୍ତି ଏହାଙ୍କ ପଶ୍ଚାତ ଭାଗରେ ଅଧିଷ୍ଠିତା।ବର୍ତ୍ତମାନର ମୂର୍ତ୍ତିର ଡ଼ାହାଣ ପାର୍ଶ୍ୱକୁ ଏକ କଣା ରହିଛି ଯେଉଁ ବାଟେ ହିଁ ପ୍ରତିଦିନ ଫୁଲ ଚନ୍ଦନ ମୂଳ ଦେବୀଙ୍କୁ ଅର୍ପଣ କରାଯାଏ।

  • ଶ୍ରୀ ଲକ୍ଷ୍ମୀନାରାୟଣ
  • ମା' ବେଢ଼ାକାଳୀଙ୍କ ଉତ୍ତର ଦିଗରେ ଶ୍ଵେତ ମାର୍ବଲର ଅତୀବ କମନୀୟ ଲକ୍ଷ୍ମୀ-ନାରାୟଣଙ୍କ ବିଗ୍ରହ ପୂଜା ପାଉଛନ୍ତି।ବିଶ୍ୱାସ ଅଛି ଯେ, ଏଠାରେ ମାନସିକ ରଖି ବିବାହ ପ୍ରସ୍ତାବ ନିମନ୍ତେ ନଡ଼ିଆ, ଦୀପ, ପୁଷ୍ପ, ବସ୍ତ୍ର ଲାଗି କରିଦେଲେ ତୁରନ୍ତ ପୁଅ ଝିଅଙ୍କ ବିବାହ ହୋଇଯାଏ।ମହାଲକ୍ଷ୍ମୀଙ୍କର ମନ୍ଦିରର ପଶ୍ଚାତ ଭାଗରେ ଏହି ମନ୍ଦିରଟି ବିଦ୍ୟମାନ।

  • ଶ୍ରୀମହାଲକ୍ଷ୍ମୀ
  • ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ।ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ।ଯଥା:-୧) ଗର୍ଭ ଗୃହ ବା ବିମାନ, ୨) ଜଗମୋହନ, ୩) ନାଟ ମଣ୍ଡପ, ୪) ଅଚିନ୍ତା ମଣ୍ଡପ।ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ ଉତ୍ତରରେ ବିଦ୍ୟମାନ ହୋଇଛନ୍ତି।ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି।ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି । ଐତିହାସିକମାନେ/ଗବେଷକମାନେ ଭିନ୍ନ ଭିନ୍ନ ମତ ରଖନ୍ତି ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନଙ୍ଗ ଭୀମଦେଵ କିମ୍ବା ଚୋଡ଼ଗଙ୍ଗ ଦେବ କରାଇଛନ୍ତି।ମାଦଳା ପାଞ୍ଜି ଅନୁଯାୟୀ ପ୍ରଥମେ ଏହି ମନ୍ଦିର କାର୍ଯ୍ୟ ଯଯାତି କେଶରୀ ଓ ପରେ ଅନଙ୍ଗ ଭୀମଦେଵ କରାଇଛନ୍ତି।ମନ୍ଦିରର ପୂର୍ବ ଦିଗକୁ ଛାଡ଼ି ତିନି ପଟେ ଗଜଲକ୍ଷ୍ମୀଙ୍କ ବିଗ୍ରହ ବିଦ୍ୟମାନ ହୋଇଛନ୍ତି।ଗର୍ଭ ଗୃହର ଦୁଇ ପାର୍ଶ୍ୱରେ ମା' ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ବିରାଜିତା।

    ଲକ୍ଷ୍ମୀ ମନ୍ଦିରର ବିମାନ ନିର୍ମାଣ କାର୍ଯ୍ୟ ଗଜପତି ବଳଭଦ୍ର ଦେବଙ୍କ ପୁତ୍ର ମୁକୁନ୍ଦ ଦେବଙ୍କ ପୁତ୍ର ପିତାମ୍ବର ବିଦ୍ୟାଧର ମହାପାତ୍ର କରାଇଥିଲେ।କଳା ମୁଗୁନି ପଥରରେ ନିର୍ମିତ ଦେବୀଙ୍କ ବିଗ୍ରହ ସିଂହାସନ ଉପରେ ବିରାଜିତା ହୋଇଛନ୍ତି।ଏହି ମୂର୍ତ୍ତି ପ୍ରଭାସହ ୪ ଫୁଟ୍ ଉଚ୍ଚତା ବିଶିଷ୍ଟ।ଦେବୀ ପଦ୍ମାସନା ଓ ଚତୁର୍ଭୁଜା ହୋଇ ବିରାଜମାନ ହୋଇଛନ୍ତି।ଦୁଇ ପଟେ ଦୁଇ ଯୁଗଳ ହସ୍ତୀ ସ୍ଵର୍ଣ୍ଣ କୁମ୍ଭରୁ ମହାଲକ୍ଷ୍ମୀଙ୍କୁ ଜଳ ଢାଳୁଛନ୍ତି।ଏହି ରୂପ ମହାଲକ୍ଷ୍ମୀଙ୍କର "ଗଜଲକ୍ଷ୍ମୀ" ରୂପେ ପ୍ରଖ୍ୟାତ।ଜଗମୋହନ, ମହାଲକ୍ଷ୍ମୀ ମନ୍ଦିରରେ "ତ୍ରିପଦ ଭକ୍ତି ବୈକୁଣ୍ଠ ମଣି ମଣ୍ଡପ" ନାମରେ ଖ୍ୟାତି ଲାଭ କରିଛନ୍ତି।

  • ନବଗ୍ରହ ମନ୍ଦିର
  • ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପର ଉତ୍ତର ପାର୍ଶ୍ୱରେ ନବ ଗ୍ରହ ମନ୍ଦିରରେ ୪ ଫୁଟ୍ ଉଚ୍ଚ କାନ୍ଥକୁ ଲାଗି ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ବିଗ୍ରହ ବିପରୀତ କ୍ରମାନୁଯାୟୀ ପ୍ରତିଷ୍ଠିତ ହୋଇ ଦକ୍ଷିଣରୁ ବାମକୁ ପୂଜା ହେଉଛନ୍ତି।ଏଥିପାଇଁ ଗ୍ରହମାନଙ୍କ ଅବସ୍ଥିତିରେ ବୈଷମ୍ୟ ଉପଲବ୍ଧ କରାଯାଇଥାଏ।ପଥର ପୂର୍ବାଭିମୁଖୀ ନବଗ୍ରହ ବିଗ୍ରହମାନଙ୍କ ବ୍ୟତୀତ ସମଲେଶ୍ଵରୀ, ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ମଧ୍ୟ ପୂଜିତ ହୋଇଥାଏ।

  • ଶ୍ରୀବଦ୍ରିନାରାୟଣ-ଦ୍ଵାରିକାନାଥ
  • ନବଗ୍ରହ ଓ ସୂର୍ଯ୍ୟନାରାୟଣ ମଧ୍ୟସ୍ଥ ଏବଂ ଲକ୍ଷ୍ମୀ ମନ୍ଦିରର ପୂର୍ବ ଦ୍ଵାରର ପ୍ରାରମ୍ଭ ଉତ୍ତର ପାର୍ଶ୍ୱରେ ଶ୍ରୀବଦ୍ରିନାରାୟଣ ମନ୍ଦିର ଓ ଦ୍ଵାରିକାନାଥ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ପୂଜା ହେଉଛନ୍ତି।

  • ସୂର୍ଯ୍ୟ-ଚନ୍ଦ୍ର ମନ୍ଦିର
  • ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା।ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ।ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା।ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ଵଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ।୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି।ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧) ବିମାନ, ୨) ଜଗମୋହନ, ୩) ନାଟ ମନ୍ଦିର।ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼।ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ।ଜଗମୋହନର ମଧ୍ୟ ଭାଗରେ ଏକ ରଥାକୃତି କାଷ୍ଠ ସିଂହାସନରେ ଧାତୁ ନିର୍ମିତ ସୂର୍ଯ୍ୟ ପ୍ରତିମାଙ୍କ ଚଳନ୍ତି ବିଗ୍ରହ ଓ ବାମ ଭାଗରେ ଛାୟା ବିଗ୍ରହ ବା ଉତ୍ତରାୟଣ ବା ଚନ୍ଦ୍ର ବିଗ୍ରହ ବୋଲି କୁହାଯାଏ।ଏଠାରେ ଥିବା "ଜ୍ଵର ଦେବତା"ଙ୍କ ମଣି ବିଗ୍ରହ ତିନି ମୁଣ୍ଡ, ପାଞ୍ଚ ହାତ ବିଶିଷ୍ଟ ଅଟେ।ରଥ ଉପରେ "ପଦ୍ମ ମାଧବ" ବିଗ୍ରହ ରଥାସୀନ ହୋଇଛନ୍ତି।

  • ଶ୍ରୀଦଧୀବାମନ ଜୀଉ
  • ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପାଖରେ ୩୦ ହାତ ଉଚ୍ଚତା ବିଶିଷ୍ଟ ରଥାକୃତି ମନ୍ଦିର ଓ ଜଗମୋହନ ରହିଛି।ମୁଖ୍ୟ ମନ୍ଦିର ଚୂଡ଼ାରେ ଚକ୍ର ଶୋଭା ପାଉଛନ୍ତି।ମନ୍ଦିରର ଉତ୍ତରରେ ଶ୍ରୀବଳି ବାମନ, ଦକ୍ଷିଣରେ ଶ୍ରୀବରାହ ଓ ପଶ୍ଚିମ ପାର୍ଶ୍ୱରେ ଶ୍ରୀନୃସିଂହ ବିରାଜମାନ ହୋଇଛନ୍ତି।ମୁଖ୍ୟ ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ରହିଛି।ମୁଖ୍ୟ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।ଏକ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ସିଂହାସନ ଉପରେ ଶାଳଗ୍ରାମ ଶିଳାରେ୪ ଫୁଟ୍ ଉଚ୍ଚତା ବିଶିଷ୍ଟ ମୁରଲୀଧାରୀ ହସ୍ତ ଓ ଛନ୍ଦା ପୟରରେ ନୃତ୍ୟରତ ହୋଇଥିବା ଦଧିବାମନ ଠାକୁର ବିରାଜିତ ହୋଇଛନ୍ତି।

  • ଶ୍ରୀଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିର
  • ଶ୍ରୀ ଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିରରେ ରାମାୟଣ ଓ ମହାଭାରତ ଯୁଗର ସହାଵସ୍ଥାନ ଦେଖାଯାଇଥାଏ।ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପୂଜା କରାଯାଇଥାଏ।

  • ବଳୀ ପାତାଳ ମନ୍ଦିର
  • କୁର୍ମ ବେଢାର ଉତ୍ତର ପାର୍ଶ୍ଵ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ପୂର୍ବାଭିମୁଖୀ ହୋଇ ବଳୀ ପାତାଳ ମନ୍ଦିର ରହିଛି।ଏହି ମନ୍ଦିରକୁ ଶ୍ରୀପାତାଳେଶ୍ଵର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ।ଏହା ବେଢାର ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି।ଏହି ମନ୍ଦିରଟି ରାଜା ଅନଙ୍ଗ ଭୀମ ଦେବ ନିର୍ମାଣ କରିଥିଲେ।ଏହି ମନ୍ଦିରଟି କେବଳ ଗର୍ଭ ଗୃହ ବା ବିମାନ ସମ୍ବଳିତ ମନ୍ଦିର ଅଟେ।ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ନିଜ ପାଦରେ ଚାପି ଦେଇଥିବା ବଳୀ ଏଠାରେ ପାତାଳେଶ୍ଵର ନାମରେ ରହିଛନ୍ତି ଓ ନୀଳଚକ୍ର ପତିତପାବନକୁ ଚାହିଁ ଶ୍ରୀବିଷ୍ଣୁଙ୍କ ସାନିଧ୍ୟ ପାଇଛନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ୨୨ ପାହାଚ ତଳକୁ ଗଲେ ୨୦ ଫୁଟ ତଳେ ପାତାଳେଶ୍ଵର ମହାଦେବ ବିଦ୍ୟମାନ ଅଟନ୍ତି।ପୋଖରିଆର ମଧ୍ୟରେ ଅଢ଼େଇ ଫୁଟ୍ ବ୍ୟାସ ବିଶିଷ୍ଟ ଶିବଲିଙ୍ଗ, ଶକ୍ତି ଓ ଶକ୍ତିଙ୍କ ଉପରେ ପାଞ୍ଚଟି ତମ୍ବା ନିର୍ମିତ ସର୍ପ ପୂଜା ପାଉଛନ୍ତି।ଗମ୍ଭୀରାର ପଶ୍ଚିମ କାନ୍ଥକୁ ଲାଗି ୩ ଫୁଟ ଉଚ୍ଚତାର ବଳୀ ମହାରାଜ, ଦେଢ଼ ଫୁଟ୍ ଉଚ୍ଚତାର ଏକ ଭଗ୍ନ ଗଣେଶ ଓ ୨ ଫୁଟ୍ ଉଚ୍ଚତାର କାଳୀୟ ଦଳନ ମୂର୍ତ୍ତି , ଖିଲାଣ ଉପରେ ନବଗ୍ରହ, ରାହୁ ଓ ଶଙ୍କରାଚାର୍ଯ୍ୟ ଆଦିଙ୍କ ମୂର୍ତ୍ତି ଓ ରାମନନ୍ଦୀ ଚିତା ରହିଛି।ଏହାର ବାମରେ କ୍ଷୁଦ୍ର ବୃଷଭ ରହିଛି।ଏହାର ଦୁଇ ପାର୍ଶ୍ୱର କାନ୍ଥରେ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବଙ୍କ ସାତଟି ଶିଳାଲେଖ ଉଦ୍ଧାର ହୋଇଛି। ପାତାଳେଶ୍ଵର ମହାଦେବଙ୍କ ଦର୍ଶନ ସାରି ଉତ୍ତର ଦ୍ୱାର ମାର୍ଗରେ ଭକ୍ତିପୂର୍ବକ ଐଶାନେଶ୍ଵର, ଶୀତଳା, ଉତ୍ତରାୟଣୀ ଲୋକେଶ୍ଵର, ବୈକୁଣ୍ଠେଶ୍ଵର ଓ ତପସ୍ୱୀ ହନୁମାନ ୬ ଜଣ ଦେବତାଙ୍କ ଦର୍ଶନର ବିଧି ରହିଛି।

  • ପାଦପଦ୍ମ
  • କୁର୍ମ ବେଢାର ଉତ୍ତର ପାର୍ଶ୍ୱର ଦ୍ଵାରର ପୂର୍ବ ଦିଗକୁ, ଭକ୍ତ ଶ୍ରୀଚୈତନ୍ୟଙ୍କ ପଦ ଚିହ୍ନ ଯାହା ଗରୁଡ଼ ପଛରେ, ଜଗମୋହନରେ ଥିଲା ତାକୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ।କୀର୍ତ୍ତନ ଚକଡାରେ ଏହା ଥିବାରୁ ସଂକୀର୍ତ୍ତନ କରାଯାଏ । ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କ ବିଗ୍ରହ କ୍ଷୁଦ୍ର ମନ୍ଦିର ମଧ୍ୟରେ ରହିଛନ୍ତି।କଳା ମୁଗୁନି ପ୍ରସ୍ତରରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ମନୋମୁଗ୍ଧକର ବିଗ୍ରହମାନେ ପୂଜା ପାଉଛନ୍ତି ଓ ଏହି ମନ୍ଦିରର ଆଗରେ ଥିବା ମଣ୍ଡପରେ ଫୁଲହାର ପ୍ରଭୁଙ୍କର ଗୁନ୍ଥାଯାଏ।

  • ଶୁଆ-ସାରୀ ମନ୍ଦିର
  • ରାମଚନ୍ଦ୍ର ତଥା ରାଧାକୃଷ୍ଣଙ୍କ ବିଗ୍ରହ ପାଦପଦ୍ମ ନିକଟରେ କ୍ଷୁଦ୍ର ମନ୍ଦିରର ପୂଜା ପାଆନ୍ତି।

  • ଶ୍ରୀ ଐଶାନେଶ୍ଵର ମହାଦେବ
  • ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ବେଢାର ପତନଠାରୁ ୨୫ ଫୁଟ୍ ତଳେ ଈଶାନେଶ୍ଵର ପ୍ରଭୁଙ୍କ ମନ୍ଦିର ରହିଛି।ଭିତର ବେଢାରୁ ଉତ୍ତର ଦ୍ଵାରକୁ ଯିବା ସମୟରେ ପୂର୍ବ ପଟ ସଂଲଗ୍ନ ହୋଇ ଈଶାନେଶ୍ଵର ମହାଦେବ ବିଦ୍ୟମାନ ହୋଇଛନ୍ତି ଓ ଏହାର ପ୍ରବେଶ ଦ୍ୱାରଟି ଉତ୍ତରାଭିମୁଖୀ ହୋଇ ରହିଛି।ମାଦଳା ପାଞ୍ଜିରୁ ଜଣାପଡେ ଯେ ଏହାକୁ ଧ୍ରୁବ କେଶରୀ ନିର୍ମାଣ କରିଛନ୍ତି।ଈଶାନେଶ୍ଵରଙ୍କୁ ଶ୍ରୀଜଗନ୍ନାଥଙ୍କ ଗୁରୁ ବୋଲି ବିବେଚନା କରାଯାଏ ଓ ଶ୍ରୀଜଗନ୍ନାଥ ମନ୍ଦିର ବହୁ ପୂର୍ବରୁ ସେ ଏଠାରେ ରହିଛନ୍ତି।ଗର୍ଭଗୃହରେ ୨ ଫୁଟରେ ୨ ଫୁଟ୍ ଆୟତନର ଉତ୍ତରାଭିମୁଖୀ ଶକ୍ତି ପୂଜା ପାଉଛନ୍ତି।ଏହାର ଲିଙ୍ଗ ୧ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।

ପର୍ବ ପର୍ବାଣୀ

ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥିଲେ ମଧ୍ୟ ସେଥିମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ଭାବେ ପାଳିତ ହୁଏ ସେଗୁଡ଼ିକ ଦ୍ଵାଦଶ ଯାତ୍ରା ନାମରେ ଅଭିହିତ ।

  1. ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
  2. ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ।
  3. ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ ।
  4. କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
  5. ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
  6. ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ।
  7. ପ୍ରାବରଣ ଷଷ୍ଠୀ : ମାର୍ଗଶିର ଶୁକ୍ଳ ଷଷ୍ଠୀ: ଓଢ଼ଣ ଷଷ୍ଠୀ: ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି । ଘୋଡ଼ଲାଗି ବେଶ ଆରମ୍ଭ ହୁଏ ।
  8. ପୁଷ୍ୟାଭିଷେକ: ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା:
  9. ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
  10. ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା
  11. ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
  12. ଚନ୍ଦନ ଯାତ୍ରା : ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା

ଆଧାର -

""Jagannath Puri""

3.14814814815
ବିଭୂତି ଭୂଷଣ ସାହୁ, ବଲଣ୍ଡା, ତାଳଚେର Jun 22, 2017 07:18 PM

ଶ୍ରୀଜଗନ୍ନାଥ ସଂସ୍କୃତି ଓଡ଼ିଶାର ପ୍ରାଣ ବିନ୍ଦୁ । ଆଲେଖ୍ୟ ପାଇଁ ଧନ୍ୟବାଦ

Sagarika Bardhan Sep 14, 2016 12:07 PM

ଓଡ଼ିଶାର ପ୍ରସିଦ୍ଧ ସ୍ଥାନ ହେଉଛି ପୁରୀ । ଆମେ ଜଗନ୍ନାଥ ମନ୍ଦିର ସମ୍ବନ୍ଧରେ ଅନେକ ସୂଚନା ମିଳି ପାରୁଛି ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top