ସେଆର କରନ୍ତୁ

ତାରିଣୀ ମନ୍ଦିର

ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର ।

ଠାକୁରାଣୀ ମନ୍ଦିର

ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । କୁହାଯାଏ ସେ ପ୍ରଥମେ ବନବାଈ କନ୍ଧଙ୍କ ଦ୍ଵାରା ପୂଜା ପାଇ ଆସୁଥିଲେ। ପ୍ରକୃତରେ ମାଆ ଦୁର୍ଗା ଦଶଭୁଜା ଏବଂ ମାଆ ତାରିଣୀ ଚତୁର୍ଭୁଜା। ମାଆ ତାରିଣୀଙ୍କର ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି। ବାମ ପାଖ ତଳ ହସ୍ତରେ ତ୍ରିଶୁଳ ରହିଥାଏ।

ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ସେ ଖଡ୍‌ଗ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ। ଏହି ହାତରେ ମାଆ ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତି ବା ଚିତ୍ରରେ ଏହିସବୁ ଅସ୍ତ୍ର ନଥାଏ। ଚିତ୍ରକରମାନେ ନିଜନିଜର ପସନ୍ଦ ଅନୁଯାୟୀ ମାଆଙ୍କୁ ଭିନ୍ନଭିନ୍ନ ଅସ୍ତ୍ରରେ ସଜ୍ଜିତ କରାଇଥାନ୍ତି ।

ପୌରାଣିକ

ମା’ତାରିଣୀଙ୍କର ମୂର୍ତ୍ତିରେ ଆବିର୍ଭାବ ସମ୍ବନ୍ଧରେ ଏକ କିମ୍ବଦନ୍ତୀ ରହିଛି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କର ବନବାସ ସମୟରେ ଦୁଷ୍ଟ ରାକ୍ଷସ ରାବଣ ଦ୍ଵାରା ସୀତାଙ୍କୁ ହରଣ କରି ନେଇଯିବା ପରେ ରାମ, ଲକ୍ଷ୍ମଣ ଶୋକାତୁର ହୋଇ ସର୍ବଶକ୍ତିମୟୀ ମାଆ ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ଶୂନ୍ୟବାଣୀ କରିଥିଲେ- ‘ବତ୍ସ’ । ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ମାତ୍ର ତୁମେ ଯଦି ମୋତେ ଦେଖିବାକୁ ପ୍ରୟାସ କରିବ ତେବେ ମୁଁ ପାଷାଣରେ ପରିଣତ ହେବି। ଦେବୀଙ୍କ ଅଭୟ ବାଣୀ ପାଇ ଶ୍ରୀରାମ ଓ ଲକ୍ଷ୍ମଣ ପୂଜାରେ ଧ୍ୟାନମଗ୍ନ ହେଲେ। ଦେବୀଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା। ଦେବୀଙ୍କୁ ସ୍ଵଚକ୍ଷୁରେ ଦର୍ଶନ କରିଥିଲେ ରାମଚନ୍ଦ୍ର । ଦେବୀ ସ୍ମିତହାସ୍ୟ ପୂର୍ବକ ସମସ୍ତ ସଙ୍କଟ ହରଣ କରିବାର ଅଭୟ ପ୍ରତିଶୃତି ଦେଇ ପୂର୍ବ ସର୍ତ୍ତ ଅନୁସାରେ ପାଷାଣରେ ପରିଣତ ହୋଇଯାଇଥିଲେ । ସେହିଦିନରୁ ମାଆ ଦୁର୍ଗା, ମାଆ ତାରିଣୀ ନାମରେ ସାର୍ବଜନ ବିଦିତା ।

କିମ୍ବଦନ୍ତୀ

ଘଟଗାଁରେ ମାଆଙ୍କର ଆବିର୍ଭାବ ସମ୍ପର୍କରେ ଏକ ବର୍ଣ୍ଣନା ରହିଛି। କେନ୍ଦୁଝର, ପୁରୀଗଜପତି ମହାରାଜାଙ୍କ ଅଧୀନସ୍ଥ ଏକ ବଡ଼ ଗଡ଼ଜାତ ରାଜ୍ୟ ଥିଲା । ଏହାର ଆଦିମ ଅଧିବାସୀ ଥିଲେ କନ୍ଧ, ଭୂୟାଁ, ଜୁଆଙ୍ଗ ଓ ଶବର। କେନ୍ଦୁଝର ଥିଲା ପାହାଡ଼, ପର୍ବତ ଓ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ, ହିଂସ୍ରଜନ୍ତୁଙ୍କ ବିଚରଣ ସ୍ଥଳୀ। ଯାତାୟାତ ପାଇଁ ରାସ୍ତାଘାଟ ମଧ୍ୟ ନଥିଲା। ରାଜା ଓ ରାଜକର୍ମଚାରୀମାନେ ଘୋଡ଼ା ବା ହାତୀରେ ଯାତାୟାତ କରୁଥିଲେ। ହିଂସ୍ରଜନ୍ତୁଙ୍କ ଭୟରେ ସାଧାରଣ ଲୋକଙ୍କୁ ଦଳବାନ୍ଧି ପାହାଡ଼ ଜଙ୍ଗଲ ରାସ୍ତାରେ ଯିବାକୁ ପଡ଼ୁଥିଲା।ପାଞ୍ଚଶହ ବର୍ଷ ପୂର୍ବେ କେନ୍ଦୁଝରରେ ରାଜା ଥିଲେ ତ୍ରିଲୋଚନ ଭଞ୍ଜ। ତାଙ୍କର ପୁତ୍ରଙ୍କ ନାମ ଗୋବିନ୍ଦ ଭଞ୍ଜ। ଗୋବିନ୍ଦ ଭଞ୍ଜ ଯୌବନାବସ୍ଥାରେ ଉପନୀତ ହେବା ପୂର୍ବରୁ ଶରୀର ଚର୍ଚ୍ଚା, ଯୁଦ୍ଧବିଦ୍ୟା ଓ ଅଶ୍ଵଚାଳନାରେ ବିଶେଷ ପାରଦର୍ଶିତା ହାସଲ କରିପାରିଥିଲେ। ପୁରୀରେ ସେତେବେଳେ ଗଜପତି ମହାରାଜା ଥିଲେ ଶ୍ରୀ ପୁରୁଷୋତ୍ତମ ଦେବ। କାଞ୍ଚି ଯୁଦ୍ଧରେ ପ୍ରଥମ ଥର ପରାଜିତ ହେବାପରେ ପରାଜୟର ଗ୍ଳାନିରେ ମର୍ମାହତ ମହାରାଜ ପୁରୁଷୋତ୍ତମ ଦେବ ସବୁଆଡୁ ନିରୁପାୟ ହୋଇ ଜଗତର ନାଥ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିଲେ ।ଜଗନ୍ନାଥ ସେବକର ଦୁଃଖ ସହିପାରିଲେ ନାହିଁ , ସ୍ଵପ୍ନାଦେଶ ହେଲା: ‘ତୁ ଆଉଥରେ କାଞ୍ଚି ଅଭିଯାନର ଆୟୋଜନ କର ।ଏଇ ଯୁଦ୍ଧରେ ଆମେ ଦୁଇଭାଇ ତୋର ସହାୟତା କରିବୁ । କିନ୍ତୁ ମନେରଖ, ଆସନ୍ତାକାଲି ପ୍ରତ୍ୟୁଷରୁ ବଡ଼ଦାଣ୍ଡରେ ଯାହା ଘରର ଚାଳ ଉପରେ ଅମର ଧଣ୍ଡାମାଳ ପଡ଼ିଥିବା ଦେଖିବୁ, ତାକୁ ହିଁ ଏହି ଯୁଦ୍ଧର ସେନାପତି କରିବୁ ।ଏ ଯୁଦ୍ଧରେ ତୋର ବିଜୟ ହେବ, ତୁ ତୋର ମାନସମ୍ମାନ ଫେରିପାଇବୁ ’ । ପ୍ରତ୍ୟୁଷରୁ ପୁରୁଷୋତ୍ତମ ନିଜେ ବାହାରକୁ ଯାଇ ଦେଖିଲେ ବଡ଼ଦାଣ୍ଡରେ ରାଜନଅରର ଅନତି ଦୂରରେ ଜଣଙ୍କର ଚାଳ ଉପରେ ଫୁଲଧଣ୍ଡା ମାଳ ପଡ଼ିଥିଲା। ଏହା ଦେଖି ମହାରାଜ ପ୍ରହରୀକୁ ଡାକି କହିଲେ ଘରର ମାଲିକଙ୍କୁ ସାଙ୍ଗରେ ନେଇ ଆସିବା ପାଇଁ। ପ୍ରହରୀ ଧଣ୍ଡାମାଳ ପଡ଼ିଥିବାର ଘରର କବାଟରେ ଶବ୍ଦ କରିବା ପରେ ଘରୁ ବାହାରି ଆସିଥିଲେ କେନ୍ଦୁଝରର ସୁଯୋଗ୍ୟ ଦାୟଦ ଗୋବିନ୍ଦ ଭଞ୍ଜ, ଯିଏ ପିତାଙ୍କ ସହ ମତାନ୍ତର ହେବାରୁ କେନ୍ଦୁଝର ଛାଡ଼ି ପୁରୀରେ ରହୁଥିଲେ, କିନ୍ତୁ ନିଜକୁ କେବେ ପରିଚିତ କରାଇନଥିଲେ ରାଜପୁତ୍ର ଭାବେ ।ହଠାତ ଦୁଆର ଆଗରେ ରାଜ ପ୍ରହରୀଙ୍କୁ ଦେଖି ସାମାନ୍ୟ ଶଙ୍କିତ ହେଲେ ଯୁବରାଜ ଗୋବିନ୍ଦ। ମହାରାଜ ପୁରୁଷୋତ୍ତମ ଦେବ ସେମାନଙ୍କ ଆସିବାକୁ ଅପେକ୍ଷା କରି ରହିଥିଲେ। ଯୁବରାଜ ଗୋବିନ୍ଦ ମହାରାଜଙ୍କୁ ଅଭିବାଦନ ଜଣାଇଲେ। ସୁନ୍ଦର ଓ ବଳିଷ୍ଠ ଯୁବକ ଗୋବିନ୍ଦ ଭଞ୍ଜଙ୍କ ନିକଟରୁ ତାଙ୍କର ପରିଚୟ ପାଇବା ପରେ ପୁରୁଷୋତ୍ତମ ଦେବଙ୍କର ଆନନ୍ଦର ସୀମା ରହିଲା ନାହିଁ। ଗୋବିନ୍ଦ ଭଞ୍ଜଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ଇଛା କଥା ଜଣାଇ ସେ ତାଙ୍କ ମସ୍ତକରେ, ସ୍ଵହସ୍ତରେ ସେନାପତିର ପାଗ ବାନ୍ଧିଥିଲେ। ସୈନ୍ୟସାମନ୍ତଙ୍କ ଗହଣରେ କାଞ୍ଚି ରାଜ୍ୟର ସୀମାରେ ସେନାପତି ଗୋବିନ୍ଦ ଭଞ୍ଜ ପ୍ରବେଶ କଲେ। ଯାଉଯାଉ ଘୋଡ଼ାଟି ହଠାତ୍ ଠିଆ ହୋଇଗଲା,ଆଗକୁ ଆଦୌ ଗଲାନାହିଁ। ଏଥିରେ ବିଚଳିତ ହୋଇ ଗୋବିନ୍ଦ ଭଞ୍ଜ ଘୋଡାରୁ ଓହ୍ଲାଇ ପଡ଼ିଲେ। ଘୋଡା କାହିଁକି ଅଟକିଗଲା ତାହାର କାରଣ ଚିନ୍ତା କରୁକରୁ ଦୃଷ୍ଟିଗୋଚର ହେଲା ମାଆ ତାରିଣୀଙ୍କର ପୀଠ। ସ୍ଥାନୀୟ ଲୋକଙ୍କ ଠାରୁ ମାଆଙ୍କ ମହିମା ଶୁଣି ପୀଠ ମଧ୍ୟରେ ଦେବୀଭକ୍ତ ଗୋବିନ୍ଦ ଭଞ୍ଜ ପ୍ରବେଶ କଲେ । ବୋଧ ହୁଏ ସେ ପର୍ଯ୍ୟନ୍ତ ଭକ୍ତବତ୍ସଳ ମାଆ ଗୋବିନ୍ଦ ଭଞ୍ଜଙ୍କୁ ଅପେକ୍ଷା କରିଥିଲେ କେନ୍ଦୁଝର ଆସିବା ପାଇଁ। ପୂଜାର୍ଚ୍ଚନାରେ ଲାଗି ଗୋବିନ୍ଦ ପଡ଼ିଥିଲେ । ମାଆ ଯୁଦ୍ଧରେ ବିଜୟୀ ହେବାର ଅଭୟ ବର ପ୍ରଦାନ କଲେ। ଯୁଦ୍ଧରେ ବିଜୟୀ ହୋଇ ସେନାପତି ଗୋବିନ୍ଦ ଭଞ୍ଜ କାଞ୍ଚିର ଇଷ୍ଟଦେବ ଗଣପତିଙ୍କୁ ପୂଜାର୍ଚ୍ଚନା କରିବା ପରେ ମଦନମୋହନ, ରଘୁନାଥ ଜୀଉ ଓ ମାଆ ତାରିଣୀଙ୍କ ସହିତ ପୁରୀକୁ ପ୍ରତ୍ୟାବର୍ତ୍ତନ କଲେ।

୧୪୮୦ରେ କେନ୍ଦୁଝର ରାଜା ତ୍ରିଲୋଚନ ଭଞ୍ଜଙ୍କ ମୃତ୍ୟୁ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝରର ରାଜା ହେଲେ। ରାଜକାର୍ଯ୍ୟରେ ବ୍ୟସ୍ତ ରହି ମାଆ ତାରିଣୀଙ୍କୁ କେନ୍ଦୁଝର ଆଣିପାରିଲେ ନାହିଁ ବୋଲି ଦୁଃଖ ଅନୁଭବ କରୁଥିଲେ। କରୁଣାମୟୀ ସନ୍ତାନବତ୍ସଳ ମାଆ ଭକ୍ତ ଗୋବିନ୍ଦଙ୍କ ମନକଥା ବୁଝିଲେ। ଅଳ୍ପଦିନ ମଧ୍ୟରେ ଗଜପତି ପୁରୁଷୋତ୍ତମ ଦେବ ଡକାଇ ପଠାଇଲେ ଗୋବିନ୍ଦ ଭଞ୍ଜଙ୍କୁ। ପୁରୀ ଯାଇ ଗଜପତିଙ୍କୁ ସାକ୍ଷାତ କଲେ । ଗଜପତି ତାଙ୍କୁ ‘ଜୟ ଗୋବିନ୍ଦ ଭଞ୍ଜ ମହାରାଜ’ ଉପାଧିରେ ଭୂଷିତ କରି ପୁରୀ ଅଧିନରେ ଥିବା ଆଠଗଡ଼ ଅଞ୍ଚଳ (ଅଧୁନା ଆନନ୍ଦପୁର ସବ୍‌ଡିଭିଜନ) ଉପହାର ସ୍ଵରୂପ ପ୍ରଦାନ କରିଥିଲେ। ଏହାକୁ କରଶୂନ୍ୟ ରାଜ୍ୟ ରୂପେ ଭୋଗ ଦଖଲ କରିବାର ଅନୁମତି ଦେଇଥିଲେ। ଗୋବିନ୍ଦ ଭଞ୍ଜ କିନ୍ତୁ ଇଚ୍ଛା ପୋଷଣ କରିଥିଲେ କାଞ୍ଚିରୁ ଆଣିଥିବା ଦେବଦେବୀ ମଦନମୋହନ, ରଘୁନାଥଜୀଉ ଓ ମାଆ ତାରିଣୀଙ୍କୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ତାଙ୍କ ସହିତ କେନ୍ଦୁଝର ନେବାକୁ । ଏହା ଶୁଣି ପୁରୁଷୋତ୍ତମ ଦେବ କହିଲେ: ‘ ସମସ୍ତଙ୍କୁ ତୁମେ ନେଇଯାଇପାର,ମାଆ ତାରିଣୀ ଯେ ପାତାଳୀ ,ତାଙ୍କୁ ତୁମେ ନେବ କିପରି ? ଏଥିରେ ନିରାଶ ନହୋଇ ଗୋବିନ୍ଦ ଭଞ୍ଜ ମାଆଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେହିଦିନ ରାତିରେ, ଗଜପତି ପୁରୁଷୋତ୍ତମ ଦେବଙ୍କୁ ମାଆ ସ୍ଵପ୍ନରେ କହିଲେ, ‘ଗୋବିନ୍ଦ ମୋର ପରମ ଭକ୍ତ । ତା’ସହିତ ମୁଁ କେନ୍ଦୁଝର ଯିବି ,ତାକୁ ଅନୁମତି ଦେ । ’। ପରଦିନ ଗଜପତି ସମସ୍ତ ବୃତ୍ତାନ୍ତ ଶୁଣାଇବା ପରେ ଗୋବିନ୍ଦଙ୍କୁ କହିଲେ, ତୁମେ ଧନ୍ୟ ଗୋବିନ୍ଦ ! ମାଆଙ୍କୁ ନେବାର ବ୍ୟବସ୍ଥା କର। ମାଆଙ୍କୁ କେମିତି ନେବେ ସେହି ଚିନ୍ତାରେ ଗୋବିନ୍ଦ ଧ୍ୟାନମଗ୍ନ ହେଲେ । ମାଆ ସ୍ଵପ୍ନାଦେଶ ଦେଲେ ମୁଁ ଯେପରି ଘୋଡାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି, ଠିକ୍ ସେମିତି ଘୋଡାରେ ଚଢ଼ି ତୋ’ ପଛେ ପଛେ ଯିବି। ଘୋଡା ଚାଲିଲେ ମୋ ପାଦର ନୁପୁର ରୁଣୁଝୁଣୁ ଶବ୍ଦରୁ ତୁ ଜାଣିବୁ ମୁଁ ତୋ ପଛରେ ଯାଉଛି। କିନ୍ତୁ ତୁ ଯଦି ପଛକୁ ଚାହିଁ ମୋତେ ଦେଖିବାକୁ ଚେଷ୍ଟା କରିବୁ, ମୁଁ ପାଷାଣ ହୋଇ ସେହିଠାରେ ରହିବି। ପରଦିନ ଅନ୍ୟ ଦେବଦେବୀଙ୍କ ବିଗ୍ରହ ସହ ଗୋବିନ୍ଦ ଚାଲିଲେ କେନ୍ଦୁଝର ଅଭିମୁଖେ। ପଛେ ପଛେ ଭକ୍ତବତ୍ସଳ ମାଆ ତାରିଣୀ ଘୋଡାରେ ଚଢ଼ି ଯାଉଥାଆନ୍ତି । ନୁପୁର ରୁଣୁଝୁଣୁ ଶବ୍ଦ ଗୋବିନ୍ଦଙ୍କ କାନରେ ବାଜୁଥାଏ। କିନ୍ତୁ ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବିଚିତ୍ର । ଆନନ୍ଦପୁର ସୀମା ପାର ହୋଇ ସେ କେନ୍ଦୁଝର ସୀମାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ଠିକ୍ କେନ୍ଦୁଝରର ମଧ୍ୟସ୍ଥଳରେ ମାୟା ବିସ୍ତାର କଲେ ମାଆ ।ଗୋବିନ୍ଦଙ୍କ ଘୋଡା ଆଗକୁ ଗଲା ନାହିଁ। ପଛରେ ଆସୁଥିବା ମାଆ ତାରିଣୀଙ୍କ ନୁପୁରର ରୁଣୁଝୁଣୁ ଶବ୍ଦ ମଧ୍ୟ ଶୁଣାଗଲା ନାହିଁ। ଗୋବିନ୍ଦ ବିଚଳିତ ହୋଇ ପଛକୁ ଚାହିଁଦେଲେ, ଦେଖିଲେ, ତ୍ରିଜଗଧାତ୍ରୀ, ଜ୍ୟୋତିର୍ମୟୀ ମାଆ ଘୋଡା ଉପରେ ବସିଛନ୍ତି। ସର୍ତ୍ତ ଭଗ୍ନ ହୋଇଥିବାରୁ ମାଆ ହେଲେ ପାଷାଣ। ଶୂନ୍ୟବାଣୀ ହେଲା, ମୁଁ ଏହିଠାରେ ରହିବି । ଏହା ଶୁଣି ଗୋବିନ୍ଦ ମର୍ମାହତ ହେଲେ । ମାଆଙ୍କୁ ବିନମ୍ର ପ୍ରଣତି ଜଣାଇ ସେଠାରେ ଦେହୁରୀମାନଙ୍କୁ ରହିବା ବ୍ୟବସ୍ଥା କଲେ ।ସେହିଦିନଠାରୁ ମାଆ ଭଗବତୀ ତାରିଣୀ ଶାଳବଣ ଘେରା ପୀଠରେ ପୂଜା ପାଇ ଆସୁଛନ୍ତି। କେନ୍ଦୁଝରରେ ରହି ମଧ୍ୟ ପ୍ରତ୍ୟହ ରାଜା ଗୋବିନ୍ଦ ଭଞ୍ଜ ଘୋଡା ଚଢ଼ି ମାଆ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ। ।

ଘଟଗାଁ ନାମକରଣ

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଘୋର ଜଙ୍ଗଲ ମଧ୍ୟରେ ରହି ମାଆଙ୍କର ଯଥାବିଧି ପୂଜାର୍ଚ୍ଚନା କରୁଥିଲେ ଦେହୁରୀମାନେ। ମାତ୍ର ସମୟ ସମୟରେ ପୂଜକ ପରିବାରରେ କେହି ଜନ୍ମ ହେଲେ ବା ମୃତ୍ୟୁ ମୁଖରେ ପଡ଼ିଲେ ମାଆଙ୍କର ପୂଜାର୍ଚ୍ଚନା ବାଧାପ୍ରାପ୍ତ ହେଉଥିଲା। ଦୁର୍ଗମ ଜଙ୍ଗଲରେ ବ୍ରାହ୍ମଣ ନମିଳିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତିତ ରହୁଥିଲେ। ଭକ୍ତର କଷ୍ଟ ମାଆ ବୁଝିପାରି ସ୍ଵପ୍ନାଦେଶରେ କହିଲେ, ଗୋଟେ ମାଟିଘଟରେ ଗୋ-ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷ ଡାଳରେ ବାନ୍ଧିଦେବୁ। ଦେହୁରୀ ପୂଜା ଶେଷରେ ସେହି ପୂଜା ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିବ । ସେ ଅଶୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ବାରା ସେ ଅଶୌଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବ। ସେହିଦିନଠାରୁ ଘିଅ ଘଟ ବନ୍ଧା ହେବା କାରଣରୁ ମାଆଙ୍କ ପୀଠର ନାମ ହେଲା ଘଟଗାଁ । ଦୀର୍ଘକାଳ ରାଜ୍ୟ ଶାସନ କରି ମାଆ ତାରିଣୀଙ୍କ କୃପାରୁ ବହୁ ଯଶ ଖ୍ୟାତି ଲାଭ କରି ଭକ୍ତ ଗୋବିନ୍ଦ ଭଞ୍ଜ ୮୪ବର୍ଷ ବୟସରେ ୧୫୩୪ ମସିହାରେ ଇହଧାମ ତ୍ୟାଗ କଲେ । ହେଲେ ଯୁଗଯୁଗକୁ କଥା ରହିଗଲା ଯେ, ଭକ୍ତବତ୍ସଳା ମାଆ ତାରିଣୀ ଭକ୍ତର ମନବାଞ୍ଛା ପୂର୍ଣ୍ଣ କରି ଘଟଗାଁ ବାସିନୀ ହେଲେ। ପୂର୍ବଭଳି ଆଜି ମଧ୍ୟ ଫଳ ଓ ଅନ୍ନ ପ୍ରସାଦ ମାଆଙ୍କ ନିକଟରେ ଭୋଗ ଲାଗୁଛି। ମାଆଙ୍କର ପ୍ରିୟ ଫଳ ଭାବେ ନଡ଼ିଆ ଦିନକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛି ରାଜ୍ୟ ତଥା ରାଜ୍ୟ ବାହାରୁ। ସେ ପାଞ୍ଚଶହ ବର୍ଷ ତଳର ଦୁର୍ଗମ ଜଙ୍ଗଲ ନାହିଁ। କିନ୍ତୁ ମାଆଙ୍କ ପୀଠ ସେହି ସ୍ଥାନରେ ରହିଛି। ଆନନ୍ଦପୁର -କେନ୍ଦୁଝର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଘଟଗାଁ ପୀଠର ମାଆ ତାରିଣୀଙ୍କର ନୂଆ ମନୋରମ ମନ୍ଦିର ଦୃଶ୍ୟମାନ ହେଉଛି। ମାଆ ତାରିଣୀଙ୍କର ଆଷାଢ଼ୀ ପର୍ବ ମଧ୍ୟ ଏକ ବଡ଼ ପର୍ବ ଭାବେ ପାଳିତ ହୋଇଥାଏ। ଆଷାଢ଼ ମାସର ଶେଷ ଗୁରୁବାର ଦିନ ଏହି ପର୍ବ ପଡ଼େ। ୨୮ଟି ଗ୍ରାମରେ ମୁଖିଆଙ୍କୁ ନିମନ୍ତ୍ରଣ କରାଯାଏ ଓ ସେମାନେ ଆସି ରାତିରେ ମାଆଙ୍କ ପୂଜାର୍ଚ୍ଚନା କରିବା ପରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଏ । ।

ଚଇତି ପର୍ବ

ଚଇତି ପର୍ବ ଘଟଗାଁ ତାରିଣୀ ବେଢ଼ାରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହି ସମୟରେ ମାଜଣା, ଷୋଡ଼ଷ ଉପଚାର, ମଙ୍ଗଳ ଆଳତି ଓ ବଡ଼ସଂହାର ପରେ ତାରିଣୀଙ୍କ ସୁନାବେଶ ହୋଇଥାଏ । ଭୋର ୫ ରୁ ୬ ଘଟିକା ଯାଏ ଚଇତି ପହଡ଼ ଖୋଲିଥାଏ । ପହଡ଼ ଖୋଲିଲେ ଭକ୍ତମାନେ ଧାଡ଼ି କରି ଦର୍ଶନ ପାଇଁ ଯାଇଥାନ୍ତି । ୨୦୧୬ ମସିହାରେ ଏପ୍ରିଲ ୯ ତାରିଖରେ ଏହି ପର୍ବ ପାଳନ ବେଳେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏଥି ପୂର୍ବରୁ ଚଇତିପର୍ବ ପଣା ସଂକ୍ରାନ୍ତି ଦିନ କେବଳ ଗୋଟିଏ ଦିନ ପାଇଁ ପାଳିତ ହୋଇ ଆସୁଥିବା ବେଳେ ୧୯୩୭ ମସିହାରୁ ଏହା ୭ଦିନ ଧରି ପାଳନ କରାଯାଉଛି । ଚଇତିପର୍ବରେ ପ୍ରତିଦିନ ମା'ଙ୍କ ସୁନାବେଶ ହେବା ସହ ସକାଳ ଓ ସନ୍ଧ୍ୟା ସମୟରେ ସ୍ଵତନ୍ତ୍ର ଭାବେ ମଙ୍ଗଳଆଳତୀ, ଭାଗବତ ପାଠ, ଚଣ୍ଡିପାଠ, ହୋମଯଜ୍ଞ ଓ ସତ୍ୟନାରାୟଣଙ୍କ ଆସ୍ଥାନ ପୂଜା ବିଧି ମତେ କରାଯାଇଥାଏ ।

ଆଷାଢି ପର୍ବ

ପ୍ରତ୍ୟେକ ବର୍ଷ ଏହି ଗୋଟିଏ ଦିନ ମା ତାରିଣି ଭକ୍ତଙ୍କ ମଙ୍ଗଳ କାମନା କରି ଉପବାସ ରହିଥାନ୍ତି । ଦିନ ସାରା ମନ୍ଦିର ବନ୍ଦ ରହୁଥିବା ବେଳେ ସନ୍ଧ୍ୟାରେ ମାଙ୍କର ସୁନାବେଶ କରାଯାଇଥାଏ ।

ଆଧାର -"ମା' ତାରେଣୀ"

3.09677419355
Sagarika Bardhan Sep 26, 2016 11:31 AM

ଘଟଗାଁର ତାରେଣୀ ମନ୍ଦିର ଖୁବ ପ୍ରସିଦ୍ଧ ମନ୍ଦିର । ଏହି ସୂଚନା ମାଧ୍ୟମରେ ମନ୍ଦିରର ଇତିହାସ ଓ କିମ୍ବଦନ୍ତୀ ସମ୍ବନ୍ଧରେ ଜାଣିପାରୁଛୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top