ହୋମ / ସମାଜ କଲ୍ୟାଣ / ଦର୍ଶନୀୟ ସ୍ଥାନ / ଦର୍ଶନୀୟ ଓ ଆକର୍ଷଣୀୟ ସ୍ଥାନ
ସେଆର କରନ୍ତୁ

ଦର୍ଶନୀୟ ଓ ଆକର୍ଷଣୀୟ ସ୍ଥାନ

ଦର୍ଶନୀୟ ଓ ଆକର୍ଷଣୀୟ ସ୍ଥାନ ସମ୍ବନ୍ଧରେ ସୂଚନା ।

ବିଦ୍ୟାଧର ପୋଖରୀ

ବାଲେଶ୍ଵର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତରେ ଥିବା ପ୍ରସିଦ୍ଧ ଐତିହାସିକ ବିଦ୍ୟାଧର ପୋଖରୀ ନିକଟରେ ପୋଖରୀ ପାର୍ଟିର ଭିଡ ଜମୁଛି । ଏହି ପୋଖରୀର ପୂର୍ବ-ଦକ୍ଷିଣ କୋଣରେ ରହିଛି ବାବା ହାତିମଶାହଙ୍କ ପୀରସ୍ଥାନ । ପୋଖରୀଠାରୁ ପ୍ରାୟ ଅଧ କି.ମି. ଦୂରରେ ବାଳକେଶ୍ଵର ନାଥ ପାତାଳି ମହାଦେବଙ୍କ ଶୈବପୀଠ । ପୋଖରୀକୁ ଲାଗି ମା' ସାତଭଉଣୀଙ୍କ ପୀଠ ଓ  ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ରହିଛି । ପୋଖରୀ ଆଡ଼ିରେ ଶ୍ରୀଚୈତନ୍ୟ ଦେବଙ୍କ ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ମିଳେ । ଏଠାରେ ବଣଭୋଜି ସାଙ୍ଗକୁ ଏସବୁ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର ମଜା ନିଆରା । କେବଳ ସେତିକି ନୁହେଁ, ଦିଗନ୍ତ ବିସ୍ତାରି ଶସ୍ୟକ୍ଷେତ୍ର, ନଦୀ, ଜଙ୍ଗଲପେରା ଅଞ୍ଚଳର ଦୃଶ୍ୟ ବେଶ ମନୋରମ । କଥିତ ଅଛି ଯେ, ପୁରୀ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ସମୟରେ ୨୭ ଏକର ପରିମିତ ପୋଖରୀ ଖୋଳା ହୋଇଥିବାରୁ ଏହାର ନାମ ବିଦ୍ୟାଧର ପୋଖରୀ ରଖାଯାଇଛି । ଏହାର ଆଡିବନ୍ଧର ଲମ୍ବ ପ୍ରାୟ ଅଢ଼େଇ କି.ମି. ହେବ । ଏହା ଚାରିପଟକୁ ଘେରି ରହିଛି। ଆକାଶି, ପଟାସ, ଶାଗୁଆ ନ ଜଙ୍ଗଲ ସାଙ୍ଗକୁ ଅସଂଖ୍ୟା ନଡ଼ିଆ ଗଛ । ପାତାଳି ମହାଦେବ, ଲକ୍ଷ୍ମୀନାରାୟଣ ମନ୍ଦିର ଓ ପୀରଙ୍କ ପୀଠକୁ ଆସୁଥିବା ଭକ୍ତ, ପର୍ଯ୍ୟଟକମାନେ ଅନ୍ୟ ଦିନମାନଙ୍କରେ ମଧ୍ୟ ପୋଖରୀ କୂଳରେ ଭୋଜିଭାତର ଆସର ଜମାଇଥାନ୍ତି । ପୋଖରୀରେ ଅବା ବଡ଼ ବଡ଼ ମାଛ ଦେଖି ବିସ୍ଥିତ ହୁଅନ୍ତି ।

କେମିତି ଯିବେ

ଭୁବନେଶ୍ଵରରୁ ରେଳପଥରେ ରୂପ୍ସା ଷ୍ଟେଶନ ଆସି ହେବ । ଷ୍ଟେଶନ ଠାରୁ ଉତ୍ତରକୁ ଗଡ଼ପଦା ରାସ୍ତାରେ ୪ କି.ମି. ଗଲେ ରାଉତପଡ଼ାଠାରେ ବିଦ୍ୟାଧର ପୋଖରୀ ପଡ଼ିବ । ବସ୍ ଯୋଗେ ରୂପ୍ସା ବାସଷ୍ଟାଣ୍ଡକୁ ଆସି ସେଠାରେ ରୂପ୍ସା ବଜାର ଦେଇ ଗଡ଼ପଦା ରାସ୍ତାରେ ଉକ୍ତ ସ୍ଥାନକୁ ଯାଇହେବ। ରୂପ୍ସା ରେଳଷ୍ଟେଶନ ବା ବାସଷ୍ଟାଣ୍ଡରୁ ଏହି ସ୍ଥାନକୁ ଯିବା ପାଇଁ ଅକ୍ଟୋ, ରିକ୍ସା ସୁବିଧା ରହିଛି।

ବେଲଖଣ୍ଡି

ଶକ୍ତି  ଓ ଶାକ୍ତର ମିଳନ ସ୍ଥଳ ବେଲଖଣ୍ଡି । ଅଷ୍ଟମ ଶତାବ୍ଦୀରେ କଳାହାଣ୍ଡି ଜିଲାର ତତ୍କାଳୀନ ଶୈରବାର ଖଣ୍ଡି (ବେଲଖଣ୍ଡି) ମୂଲ୍ୟବାନ ରତ୍ନ ପଥର ଓ ଅନେକ ପ୍ରକାର ଧାତୁରେ ବିମଣ୍ଡିତ ଅଲା । ତେଲ ଓ ଉତେଇ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ସପ୍ତମାତୃକା ପୀଠ। ଯାଜପୁରର ଦଶାଶ୍ଵମେଧ ଯଜ୍ଞପୀଠ ସହିତ ସାମଞ୍ଜସ୍ୟ ରହିଛି। ସୋମବଂଶୀୟ ରାଜାଙ୍କ ରାଜତ୍ବ କାଳରେ ଏଠାରେ ସପ୍ତମାତୃକା ପୁଜା ସହିତ ତନ୍ତୁ ସାଧନାର ପ୍ରଚଳନ ଥିଲା । କଳାହାଣ୍ଡିରେ ଶାକ୍ତ ପରମ୍ପରା ବହୁ ପୂର୍ବରୁ ପ୍ରଚଳିତ ଅଛି। ଏହି ଗୌରବାର ଖଣ୍ଡି ବା ଅଧୁନା ବେଲଖଣ୍ଡି ଶକ୍ତି ଓ ଶାକ୍ତ ପରମ୍ପରାର ଐତିହ୍ୟ ବହନ କରୁଛି। ଏଠାରେ ବର୍ଷତମାମ ଭକ୍ତଙ୍କ ସମାଗମ ଲାଗି ରହେ । ପ୍ରତ୍ୟେକ ବର୍ଷ ନଭେମ୍ବର ଆରମ୍ଭରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ବେଲଖଣ୍ଡି ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ ହୋଇଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହୋଇ ଆସିଥାନ୍ତି ।

କେମିତି ଯିବେ

ଭୁବନେଶ୍ଵରଠାରୁ ଭବାନୀପାଟଣାକୁ ସରକାରୀ ଓ ବେସରକାରୀ ବସର ସୁବିଧା ରହିଛି । ଟ୍ରେନ୍‌ର ମଧ୍ୟ ସୁବିଧା ରହିଛି । ସେହିପରି କଳାହାଣ୍ଡି ଜିଲା ସଦର ମହକୁମା। ଭବାନୀପାଟଣାରୁ ବସ୍ ଯୋଗେ ୩୫ କିମି ଦୂର କେସିଙ୍ଗାରେ ପହଞ୍ଚୁବେ । ସେଠାରୁ ୧୫ କିମି ଅମାଟ ଗଡ ଏବଂ ସେଠାରୁ ଜାତୀୟ ରାଜପଥ ୫୯ରେ ୧୪ କିମି ରାସ୍ତା ଅତିକ୍ରମ କଲେ ବେଲଖଣ୍ଡିସ୍ଥିତ ଧବଳେଶ୍ଵର ମନ୍ଦିର ଦୃଶ୍ୟମାନ ହୁଏ ।

କୋରଡ଼କୋଟ ଜଳପ୍ରପାତ

ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଦେବଗଡ଼ ଜିଲାର 'ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ହୋଇପାରିଛି। ଏହାର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବର୍ଷଯାକ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ତେବେ ଦୀପ ତଳ ଅନ୍ଧାରରେ ରହିଥିବା ଏସିଆ ମହାଦେଶର ଦ୍ଵିତୀୟ ତଥା ଓଡିଶାର ପ୍ରଥମ ଜଳବିଦ୍ୟୁତ ପ୍ରକଳ୍ପର ମାନ୍ୟତା ପାଇଥିବା 'କୋରଡ଼କୋଟ ଜଳପ୍ରପାତର ପ୍ରାକୃତିକ ଶୋଭାରାଜି ମଧ୍ୟ ବେଶ୍ ଉପଭୋଗ୍ୟ ଓ ମନୋମୁଗ୍ଧକର । ବାମଣ୍ଡା ରାଜ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଶାସନକାଳ ସମୟରେ ୧୯୦୫ ମସିହାରେ ଏହି କୋରଡ଼କୋଟ  ଜଳପ୍ରପାତରୁ (ହାଇଡ୍ରୋ ଇଲେକ୍ଟ୍ରିସିଟି) ମାଧ୍ୟମରେ ବିଦ୍ୟୁତ ଆହରଣ କରାଯାଇ ସମଗ୍ର ଦେବଗଡ ସହରକୁ ଆଲୋକିତ କରାଯାଉଥିଲା । ପ୍ରକୃତିର ଶୋଭା ବିମଣ୍ଡିତ ଘଞ୍ଚଜଙ୍ଗଲ ପରିବେଷ୍ଠିତ କୋରଡ଼କୋଟର ପାଦଦେଶକୁ ପର୍ଯ୍ୟଟକମାନଙ୍କ ନିୟମିତ ଯିବାଆସିବା ଲାଗି ରାଜା ଦେବଗଡରୁ ଜଳପ୍ରପାତର ନିମ୍ନଭାଗ ପର୍ଯ୍ୟନ୍ତ ବଣବୁଦା କାଟି ଏକ ପାଦଚଲା ରାସ୍ତା ନିର୍ମାଣ କରାଇଥିଲେ । ଜଙ୍ଗଲୀ ଫୁଲ, ଫଳ ଭରା ସବୁଜିମାର ଚିତ୍ରପଟ, ପାହାଡ ଘେରା ମଧ୍ୟରେ କୋରଡ (ଗୁମ୍ଫା) ସମେତ ବିଭିନ୍ନ ଜାତିର ପଶୁପକ୍ଷୀଙ୍କ କାକଳୀ ଏବେ ବି ମନରେ ଉନ୍ମାଦନା ଭରିଦିଏ । ଏହି ଅନନ୍ୟ ଐତିହ୍ୟର ବୈଭବ କୋରଡ଼କୋଟ ଜଳବିଦ୍ୟୁତ କେନ୍ଦ୍ରର ପାଦଦେଶକୁ ଜିଲାର ଅନ୍ୟତମ ଆକର୍ଷଣୀୟ ପୋଖରୀ ସ୍ପଟ୍ର ଶେଷ ସ୍ପର୍ଶ ଦେବା ପାଇଁ ବର୍ତମାନ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

କେମିତି ଯିବେ

ଭୁବନେଶ୍ଵରରୁ ବସ୍ ବା କାର ଯୋଗେ ଦେବଗଡ ସହରକୁ ଯିବା ସୁବିଧା ରହିଛି। ସେଠାରୁ ଅନତି ଦୂରରେ ଥିବା ହାତୀଶାଳ ଛକ ଦେଇ ୪ କିମି ଗଲା ପରେ କୋରଡକୋଟ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।

ପ୍ରମୋଦ ଉଦ୍ୟାନ

ଟାଙ୍ଗୀ-ଚୌଦ୍ଵାର ବ୍ଳକ ଅନ୍ତର୍ଗତ ବିଶ୍ଵନାହାକାଣୀ (ଆଞ୍ଜୁଆ) ମୃତ୍ତିକା ସଂରକ୍ଷଣ ଓ ପ୍ରଦର୍ଶନ କେନ୍ଦ ବା ପ୍ରମୋଦ ଉଦ୍ୟାନ ପରିସର ଏବେ ବଣଭୋଜି ପାଇଁ ପ୍ରମୁଖ ସ୍ଥଳ ପାଲଟିଛି । ସ୍ଵାଧୀନତାପରେ ଓଡିଶା ସରକାର କିଛି ଚିଡିଆଖାନାର ପରିକଚ୍ଛନା କରିଥଲେ । ଏଥିପାଇଁ କେତେକ ସ୍ଥାନ via ସହିତ ଏହି ସ୍ଥାନକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଏଥିପାଇଁ ଏହି ସ୍ଥାନର ନକ୍କା ଓ ରୂପରେଖ ପ୍ରସ୍ତୁତ ହୋଇଥିଲା । ୧୯୬୮ ମସିହାରେ ଏହି ସ୍ଥାନର ଉନ୍ନତିକରଣ ହୋଇଥିଲା । ପ୍ରଥମେ କାଜୁ ବଗିଚାରୁ ଆରମ୍ଭ   ହୋଇଥିବା ଏହି ସ୍ଥାନ ୧୯୭୨ ମସିହାରେ ମୃତ୍ତିକା ସଂରକ୍ଷଣ ଓ ପ୍ରଦର୍ଶନ କେନ୍ଦ୍ର ଭାବେ ମାନ୍ୟତା ପାଇଥିଲା । ପରେ ଏଠାରେ ବ୍ୟାପକ ଫଳ ଗଛ, ପନିପରିବା ଚାଷ ଓ ବିଭିନ୍ନ ଜାତିଜାତିକା ଫଳ ଓ ଫୁଲ ଉତ୍ପାଦନ ହେବାରେ ଲାଗିଲା । ଏଥିପାଇଁ ଏହାର ନାମ ପ୍ରମୋଦ ଉଦ୍ୟାନ ରଖାଯାଇଥିଲା । ପରବର୍ତୀ ସମୟରେ ଏହାର କଳେବର ବୃଦ୍ଧି ପାଇଥିଲା ।

ବର୍ତ୍ତମାନ ଏହା କେତେ ପରିମିତ ଜମିରେ କାର୍ଯ୍ୟ କରୁଛି ତାହା ଏଯାବତ୍ ନିରୂପଣ ହୋଇ ପାରିନାହିଁ । ମୃତ୍ତିକା ସଂରକ୍ଷଣ ବିଭାଗର ୧୧:୪୩ ଏକର, ରାଜ୍ୟ ଜଙ୍ଗଲ ବିଭାଗ ଓ ରାଜସ୍ଵ ବିଭାଗର ଶତାଧିକ ଏକରର ଜମିକୁ ନେଇ ଏହି ଉଦ୍ୟାନ ଗଢି ଉଠିଛି । ଏହା ମଧ୍ୟରେ ପ୍ରାକୃତିକ ଓ କୃତ୍ରିମ ଆଠଟି ଝର ସମେତ ପାହାଡ ଓ  ଘଞ୍ଚ ଜଙ୍ଗଲ ଅଛି । ଏହି ଉଦ୍ୟାନ ପରିସରରେ ୨୪ଟି ହାତୀ, ହରିଣ, କୁଟୁରା, ବାରହା, ଝିଙ୍କ, ଠେକୁଆ, ମୟୂର ଆଦି ବିଭିନ୍ନ ପ୍ରଜାତିର ପଶୁ-ପକ୍ଷୀ ଅଛନ୍ତି । ବଣ ଭୋଜି ପାଇଁ ସ୍ଥାନଟି ବେଶ୍ ଉପଯୁକ୍ତ ସ୍ଥାନ । ଶୁଷ୍କ ଓ ଗଛ ଛାଇରେ ଯେଉଁଠି ରହିବେ, ସେଠି ଖୋଲା ଆକାଶ ତଳେ ଆପଣ ବଣଭୋଜି ମଜା ନେଇପାରିବେ।

ଯାତାୟାତ :

୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ କପିଳାସ ରାସ୍ତାର ୯ କିଲୋମିଟର ଦୂର ଓ ଅନ୍ୟପଟେ ମଙ୍ଗଳି ଠାରୁ ନୁନ୍ଟିକିରି ବରପଦା ରାସ୍ତାରୁ ଆସିଲେ ୧୨ କିଲୋମିଟର ଦୂରରେ ପ୍ରମୋଦ ଉଦ୍ୟାନ ଅବସ୍ଥିତ ।

ସୁବିଧା :

ସମସ୍ତ ସରଞ୍ଜାମ ଆପଣ ଆଣିପାରିବେ କିମ୍ବା ଟାଙ୍ଗୀ, ଭଗତପୁର, ବରପଦା, ନଖରା, ବିଶ୍ଵନାହାକାଣୀ ଆଦି ବଜାରରୁ ଭଡ଼ାରେ ଆଣିପାରିବେ । ତତ୍ ସହିତ ଭିତରେ ଏକ ଅତିଥ୍ ଶାଳା ଅଛି । ବୁକିଂ କରିବାକୁ ହେଲେ କଟକସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରୁ ଅନୁମତି ଆଣିବା ଆବଶ୍ୟକ ।

ସତର୍କତା :

ସକାଳ ୮ଟାରୁ ପ୍ରବେଶ ଓ ସନ୍ଧ୍ୟା ୫ ଟା ମଧ୍ୟରେ ସ୍ଥାନ ପରିତ୍ୟାଗ କରିବାକୁ ପଡିବ । କାରଣ ହାତୀ ଓ ଅନ୍ୟାନ୍ୟ ବଣ୍ୟ ଜୀବଜନ୍ତୁ ସାଧାରଣତଃ ସନ୍ଧ୍ୟା ୫ଟା ପରେ ଏଠାରେ ଅବା ଜଳାଶୟକୁ ଆସିଥା'ନ୍ତି । ଡାକ ବାଜି ଯନ୍ତ୍ର ବ୍ୟବହାର ଓ ନିଶା ସେବନ ନିଷେଧ ।

ପ୍ରବଶେ ଶୁଳ୍କ :

ସରକାରୀ ନିୟମ ମୁତାବକ ଭିତରକୁ ପ୍ରବେଶ ପାଇଁ ଜଣପିଛା ୫ଟଙ୍କା ଓ ଗାଡ଼ି ପାଇଁ ୧୦ ଟଙ୍କା, ଶୁକ୍ଳ ଧାର୍ଯ୍ୟ କରାଯାଇଛି ।

ବଣଭୋଜି ସମୟ :

ବର୍ଷ ତମାମ୍ ଆପଣ ଏଠାକୁ ବୁଲିବା ପାଇଁ ଆସି ପାରିବେ । ବିଷେଶକରି ନଭେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ରବିବାର, ବୁଧବାର, ଶୁକ୍ରବାର ଆଦି ଦିନଗୁଡ଼ିକରେ ବେଶ୍ ଭିଡ଼ ହୋଇଥାଏ ।

ସଂଗୃହିତ  -

  • ଫିରୋଜ କୁମାର ଦାଶ, ତୁଣ୍ଡଲା
  • ଶଶାଙ୍କ ଶେଖର ଝାଙ୍କର, ଦେବଗଡ଼
3.04
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top