ହୋମ / ସମାଜ କଲ୍ୟାଣ / ଦର୍ଶନୀୟ ସ୍ଥାନ / ଭଟ୍ଟାରିକା ମନ୍ଦିର
ସେଆର କରନ୍ତୁ

ଭଟ୍ଟାରିକା ମନ୍ଦିର

ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକରେ 'ମା ଭଟ୍ଟାରିକା'ଙ୍କର ମନ୍ଦିର । ମନ୍ଦିର ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।

ମନ୍ଦିରର ଅବସ୍ଥିତି

ଭଟ୍ଟାରିକା ମନ୍ଦିର ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକର ଶଶାଙ୍ଗ ଗ୍ରାମରେ ରହିଛି ହିନ୍ଦୁ ଦେବୀ 'ମା ଭଟ୍ଟାରିକା'ଙ୍କର ମନ୍ଦିର । ଏହା ମହାନଦୀ କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି ।

ପୁରାଣ ଓ କିମ୍ବଦନ୍ତୀ

ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ । କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି । ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ । କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ ।

ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ । ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ । ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଅଛି ।

ଦେବୀ ଭଟ୍ଟାରିକା

ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ଵରୂପିଣୀ ମହାମାୟା ମା'ଭଟ୍ଟାରିକାଙ୍କ ମୂର୍ତ୍ତି ଗଢି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା'ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା'ନ୍ତି । କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ପୁରାଣ ଅନୁସାରେ ପର୍ଶୁରାମ ସହସ୍ରାର୍ଜୁନଙ୍କ ଠାରୁ ପରାଜିତ ହେଲାପରେ ମା ଦୁର୍ଗାଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।

ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ ।

ଶାରଦୀୟ ପୂଜା ରୀତିନୀତି

ଶାରଦୀୟ ପୂଜାସମୟରେ ଷୋହଳଦିନବ୍ୟାପୀ ଦେବୀଙ୍କର ଷୋଡଶୋପଚାର ପୂଜା ସହିତ ବିଶେଷ ସନ୍ଧିପୂଜା ଅନୁଷ୍ଠିତ ହୁଏ । ଦଶହରା ପର୍ବର ମହାଷ୍ଟମୀ ତିଥିରେ ଏଠାରେ ବାର୍ଷିକଯାତ୍ରା ଅନୁଷ୍ଠିତ ହୋଇଥାଏ । ସମ୍ଭବତଃ ୧୭୦୦ମସିହାରୁ ବଡ଼ମ୍ବାଗଡ଼ର ତତ୍କାଳୀନ ରାଜା ଫକିରଚନ୍ଦ୍ର ଦେବଙ୍କ ସମୟରୁ ଭଟ୍ଟାରିକା ପୀଠରେ ମହାଷ୍ଟମୀ ଯାତ୍ରା ଆରମ୍ଭ ହୋଇଥିବା 'ବେଙ୍ଗଲ ଗେଜେଟ୍'ରୁ ଜଣାଯାଏ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହିଯାତ୍ରାରେ ପୂର୍ବରୁ ମାନସିକଧାରୀ ଭକ୍ତମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବହୁ ଛାଗବଳି ପକାଉଥିଲେ । ୧୯୭୫ମସିହାରୁ ମଇଁଷି ବଳି ଏବଂ ୨୦୦୦ମସିହାରୁ ଛାଗବଳି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଦେବୀ ଭଟ୍ଟାରିକା ଶ୍ରୀଯନ୍ତ୍ର ଆସୀନା । ସେଥିପାଇଁ ତାଙ୍କୁ କେତେକ ଭକ୍ତ ପରମବୈଷ୍ଣବୀ ତ୍ରିପୁରାସୁନ୍ଦରୀରୂପେ ବିବେଚନା କରନ୍ତି । ଅନ୍ୟପକ୍ଷରେ ମା' ଆଦ୍ୟାଶକ୍ତି ସିଂହବାହିନୀ ହୋଇଥିବାରୁ ଶ୍ରୀଦୁର୍ଗାରୂପେ ପୂଜାକରାଯାଏ । ମା'ଙ୍କର ଦୈନିକ ରୀତିନୀତିଠାରୁ ଶାରଦୀୟ ପୂଜା ସମୟର ନୀତିକାନ୍ତି ଭିନ୍ନ । ଆଶ୍ଵିନ କୃଷ୍ଣପକ୍ଷ ଦ୍ଵିତୀୟା ଅର୍ଥାତ୍ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଷୋଳଦିନାତ୍ମକ ପାର୍ବଣ ପର୍ବ ଅନୁଷ୍ଠିତ ହୁଏ । ଦେବୀଙ୍କର ପ୍ରତ୍ୟହ ସ୍ଵତନ୍ତ୍ର ପୂଜର୍ଚ୍ଚନା ସହିତ ସେବାସୀମାନେ ଏହି ଷୋଳଦିନ ବ୍ରତରଖି ନିଷ୍ଠାର ସହିତ ଶାରଦୀୟ ପୂଜା ପାଳିଥାନ୍ତି । ସେହିଭଳି ପରମ୍ପରାନୁଯାୟୀ ଏହି ଷୋଳଦିନ ତ୍ରିପୁରା ସୁନ୍ଦରୀ ମା'ଭଟ୍ଟାରିକାଙ୍କଠାରେ ସ୍ଵତନ୍ତ୍ର ସୁନାବେଶଲାଗି କରାଯାଏ ଏବଂ ଏହି ଆକର୍ଷଣୀୟ ସୁନାବେଶ ବର୍ଷର ଅନ୍ୟ କୌଣସି ସମୟରେ ଦେଖିବାକୁ ମିଳେନାହିଁ । ପବିତ୍ର ମହାଳୟା ଅମାବାସ୍ୟାଠାରୁ କାମ୍ପିଲ୍ୟବାସିନୀ ମା'ଭଟ୍ଟାରିକାଙ୍କର ପାର୍ବଣପୂଜାର ଦ୍ଵିତୀୟପର୍ବ ନବରାତ୍ର ପୂଜା ଆରମ୍ଭ ହୁଏ । ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଏବଂ ଦଶମୀତିଥି ଅର୍ଥାତ୍ ପବିତ୍ର ଦଶହରା ପୂଜାସହିତ ଏହି ପାର୍ବଣ ସମ୍ପନ୍ନ ହୁଏ । ଦେବୀପକ୍ଷର ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଭକ୍ତମାନେ ଆସିଥାନ୍ତି । ସ୍ଥାନୀୟ ଅଧିବାସୀମାନେ ମା'ଭଟ୍ଟାରିକାଙ୍କ ପାଇଁ ମହାଷ୍ଟମୀବ୍ରତ ରଖି ନିଷ୍ଠାର ସହିତ ଉପବାସ କରିଥାନ୍ତି ଓ ଦଶହରାରେ ଶୁଭାନୁକୂଳ ନିମନ୍ତେ ମନ୍ଦିରଯାଇ ମା'ଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଶାରଦୀୟ ପୂଜା ସମୟରେ ରାଜ୍ୟର ଅନ୍ୟାନ୍ୟ ପୀଠଭଳି ପ୍ରତ୍ୟହ ଚଣ୍ଡିପୁରାଣ ବର୍ଣ୍ଣିତ ଦଶମହାବିଦ୍ୟାର ବିଭିନ୍ନରୂପରେ ମା'ଙ୍କୁ ଏଠି ଯଦିଓ ବନ୍ଦାପନା କରାଯାଏ କିନ୍ତୁ ବେଶ କରାଯାଏନାହିଁ । ପରମ୍ପରାନୁଯାୟୀ ଏହିସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ, କୁମାରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ପାର୍ବଣ ପୂଜା ସମୟରେ ପ୍ରତ୍ୟହ ସଂକୀର୍ତ୍ତନ, ପାଲା, ଚଣ୍ଡିପାଠ ସହିତ ମା'ଙ୍କର ବିଶେଷ ସନ୍ଧିପୂଜା କରାଯାଏ । ମହାଷ୍ଟମୀ ଯାତ୍ରାର ମଧ୍ୟରାତ୍ରରେ କାଳେସି ଉଭାଯାତ୍ରା ଦେଖିବାକୁ ଲୋକମାନଙ୍କ ପ୍ରବଳ ଭିଡ଼ ହୁଏ ।

ଆଧାର -

"www.orissatourism.org"

2.96153846154
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top