অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଧବ ମନ୍ଦିର

ଓଡ଼ିଶାର ପୁରାଣ ବର୍ଣ୍ଣିତ ପ୍ରମୁଖ ସ୍ଥାନ ଓ ମନ୍ଦିର ମଧ୍ୟରେ ନିଆଳି ବ୍ଳକର ମାଧବାନନ୍ଦଜିଉଙ୍କ ମନ୍ଦିର ଅନ୍ୟତମ । ୧୯୬୨ ଖ୍ରୀଷ୍ଟାବ୍ଦରେ ଏହିମନ୍ଦିର ନିର୍ମାଣ ହୋଇଥିବାର ସୂଚନା ମିଳେ । ମାଧବାନନ୍ଦଜିଉଙ୍କ ନାମାନୁସାରେ ଏହି ସ୍ଥାନର ନାମ ମାଧବ ରଖାଯାଇଛି । ଏହିମନ୍ଦିରର ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଦୁର୍ଗା ଓ ମାଧବ ଏଠାରେ ଯୁଗଳ ଅଙ୍ଗରେ ବିରାଜମାନ । ଏହାକୁ ମଧ୍ୟ ବିଶ୍ୱପ୍ରସିଦ୍ଧ ଜଗତର ନାଥଜଗନ୍ନାଥଙ୍କ ମାମୁଁଘର ବୋଲି କୁହାଯାଏ ।

ପୌରାଣିକ

ପୁରାଣ ବର୍ଣ୍ଣନା ଅନୁସାରେ ଏରଣ୍ଡକ ଦୈତ୍ୟ ବିଷ୍ଣୁ ଭକ୍ତ ଥିବାରୁ ଦୈନିକ ବିଷ୍ଣୁଙ୍କୁ ଦର୍ଶନ କରିବା ନିମନ୍ତେ ସ୍ୱର୍ଗରେ ପହଞ୍ଚି ଯୁଦ୍ଧକରି ଇନ୍ଦ୍ରଙ୍କୁ ପରାସ୍ତକରି ବିଷ୍ଣୁଙ୍କୁ ମର୍ତ୍ତ୍ୟଲୋକକୁ ଆଣିଥିଲେ । ଏରଣ୍ଡକ ଦୈତ୍ୟ ପ୍ରତ୍ୟେକଦିନ ବିଷ୍ଣୁଙ୍କୁ ଦର୍ଶନ କରିସାରିବା ପରେ ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଥିବା ଏକ ଆମ୍ରବୃକ୍ଷ ମୂଳରେ ପୋତି ଲୁଚାଇ ରଖୁଥାଏ । ପାଣ୍ଡବମାନଙ୍କର ଅଜ୍ଞାତବାସ ସମୟରେ ଯୁଧିଷ୍ଠିର ପ୍ରତ୍ୟେକଦିନ ବିଷ୍ଣୁଙ୍କୁ ଦର୍ଶନ ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରୁନଥିଲେ । ଏହି ସମୟରେ କିପରି ବିଷ୍ଣୁଙ୍କୁ ଦର୍ଶନ କରିବେ ଚିନ୍ତାରେ ଥାଇ କନିଷ୍ଠପଣ୍ଡୁଙ୍କୁ ସହାୟତା ମାଗିବାରେ ପ୍ରାଚୀ ନଦୀକୂଳରେ ଦୈତ୍ୟ ବିଷ୍ଣୁଙ୍କୁ ଲୁଚାଇ ରଖିଥିବା କଥା ଜାଣି ପ୍ରବଳ ପ୍ରତାପୀ ଭୀମ ନିଜର ଗଦାମାରି ଉକ୍ତ ସ୍ଥାନରୁ ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ । ସେହିଦିନଠାରୁ ସେ ସ୍ଥାନରୁ ଆଜିବି କୁଳୁକୁଳୁ ହୋଇ ଝରଣାଭଳି ପାଣି ବୋହିଯାଉଛି । ପରବର୍ତ୍ତୀ ସମୟରେ ବିଷ୍ଣୁଙ୍କୁ ମାଧବ ନାମରେ ଏହି ମନ୍ଦିରରେ ସ୍ଥାପନ କରାଯାଇଛି । ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରାଚୀମାହାତ୍ମ୍ୟ ଓ ମହାଭାରତରେ ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ ପର୍ବରେ ମନ୍ଦିର ବିଷୟରେ ବିସ୍ତୃତ ବିବରଣୀ ଉଲ୍ଲେଖ ଅଛି ।

ପର୍ବ ପର୍ବାଣି ଓ ଭୋଗ

ଏହି ମନ୍ଦିରରେ ଜଗନ୍ନାଥ ମନ୍ଦିର ଭଳି ବାରମାସରେ ତେରପର୍ବ ପାଳନ କରାଯାଏ । ରଥଯାତ୍ରା ବ୍ୟତୀତ ମନ୍ଦିରରେ ଅନ୍ୟ ସମସ୍ତ ପର୍ବ ଯଥାରୀତିରେ ପାଳନ ହୋଇଥାଏ । ଠାକୁରଙ୍କ ସେବାପୂଜାରେ ଛତିଶାନିଯୋଗ ରହିଥିବାବେଳେ ଜଣେ ପୂଜକ ଷୋଡଶ ଉପଚାରରେ ଠାକୁରଙ୍କୁ ପୂଜାଅର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜଗନ୍ନାଥଙ୍କୁ ଏଠାରେ ପଢ଼ୁଆଁ କରାଯାଇଥାଏ । ସକାଳେ ବଲ୍ଲଭ ଧୂପରେ ଖଇ ଓ ଦହି, ସକାଳଧୂପରେ ଖେଚଡି, ଡାଲମା, ଏକାନ୍ତି (ଏକ ପ୍ରକାର ବିରିପିଠା ) ମଧ୍ୟାହ୍ନଧୂପରେ ଅନ୍ନ, ଡାଲି, ତରକାରୀ, ଖିରୀ, ଦହିପଖାଳ, ମାଥପୁଳି, ଅନ୍ନ ଓ ଡାଲମା ଏବଂ ବଡସିଂହାର ଧୂପରେ ମାଥପୁଳି ଭୋଗ ଲଗାଯାଏ । ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଭୀମ ଏରଣ୍ଡକ ଦୈତ୍ୟକୁ ଯୁଦ୍ଧରେ ନିହତ କରିଥିବାରୁ ମାଧବାନନ୍ଦଜିଉ ସେହିଦିନ ପ୍ରାଚୀ ନଦୀ କୂଳରେ ଯାଇ ସ୍ନାନକରି ଏରଣ୍ଡକଦୈତ୍ୟକୁ ପିଣ୍ଡଦାନ କରିଥାନ୍ତି । ସେଠାରେ ଏହିଦୃଶ୍ୟ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ସେହିଦିନ ପୁଣ୍ୟତୋୟା ପ୍ରାଚୀନଦୀରେ ସ୍ନାନକଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ପ୍ରବାଦ ଅଛି । ମାଧବାନନ୍ଦଜିଉ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମନ୍ଦିରକୁ ଫେରିଥାଆନ୍ତି । ଏହା ଏକ ବଡ ପର୍ବ ହୋଇଥାଏ । ମନ୍ଦିରରେ ଶରତରାସ ପାଳନ କରାଯିବା ସହ ପ୍ରତ୍ୟେହ ଗୀତଗୋବିନ୍ଦ ଓ ଭାଗବତ ପାଠ କରାଯାଇଥାଏ । ଜଗନ୍ନାଥ ମନ୍ଦିରଭଳି ଏଠାରେ ଅବଢା ପ୍ରସ୍ତୁତ ହୋଇ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ । ମନ୍ଦିର ସୁପରିଚାଳନା ପାଇଁ ୧୯୬୧ ମସିହାରେ ଦେବୋତ୍ତର ବିଭାଗ ଏହାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ୧୯୭୪ ମସିହାରେ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତ୍ତତ୍ୱ ବିଭାଗ ଗ୍ରହଣ କରିଛି । ଦେବୋତ୍ତର ବିଭାଗ ପକ୍ଷରୁ ୫ଜଣ ସଭ୍ୟଙ୍କୁ ନେଇ ଦୁଇବର୍ଷିଆ ଟ୍ରଷ୍ଟ ଗଠନ କରାଯାଇଛି । ।

କିମ୍ବଦନ୍ତୀ

ପ୍ରାଚୀ ନଦୀକୂଳରେ ଥିବା ଚର୍ଚ୍ଚିତ ଠାକୁର ହେଲେ ନିଆଳି ମାଧବ । ମାଧବ ଗ୍ରାମଠାରୁ ମାତ୍ର ୫କି:ମି: ଦୂରରେ ଅବସ୍ଥିତ । କିମ୍ବଦନ୍ତୀରୁ ଜଣାଯାଏ ଯେ ପୁରୀ ଜଗନ୍ନାଥଙ୍କ ସହ ଏହି ନିଆଳି ମାଧବଙ୍କର ମାମୁଁ-ଭଣଜାର ସମ୍ପର୍କ । ରଥଯାତ୍ରା ସମୟରେ ପ୍ରଥମ ନିମନ୍ତ୍ରଣ ଯାଏ ନିଆଳି ମାଧବଙ୍କ ପାଖକୁ । ନିମନ୍ତ୍ରଣ ରକ୍ଷା କରି ମାଧବ ପ୍ରତିମା ପୁରୀକୁ ବିଜେ କରନ୍ତି । ଶ୍ରୀମନ୍ଦିର ବେଢାରେ ମାଧବ ନାମରେ ପୂଜା ପାଆନ୍ତି । ମାଧବ ଗ୍ରାମର ମାଧବ ମନ୍ଦିରଟିକୁ ଗଙ୍ଗବଂଶର ରାଜା ନରସିଂହ ଦେବ ୧୩ଶ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ । ମନ୍ଦିର ମଧ୍ୟରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥିବା ଏକ ପିତ୍ତଳ ନିର୍ମିତ ମହିଷାମର୍ଦ୍ଧିନୀ ଦୁର୍ଗା ମୂର୍ତ୍ତି ପୂଜା ପାଉଛନ୍ତି । ଏହାକୁ ଦୁର୍ଗା ମାଧବ ନାମରେ ସମସ୍ତେ ଜାଣନ୍ତି । ମନ୍ଦିରର ଗର୍ଭଗୃହ ଠାରୁ ବାହ୍ୟ ଅଂଶ ଖୁବ୍ ଚିତ୍ତାକର୍ଷକ । ମାଧବ ଗ୍ରାମର ଏହି ଠାକୁରଙ୍କୁ ନେଇ ମହାଭାରତ ସମୟର କଥାଟିଏ ଶୁଣିବାକୁ ମିଳେ । ଯୁଧିଷ୍ଠିର ବହୁସ୍ଥାନ ଭ୍ରମଣ କରି ପ୍ରାଚୀ ନଦୀତଟରେ ଲୋମଶ ମୁନିଙ୍କ ପାଖରେ ପହଞ୍ଚି ପଚାରିଲେ- ‘ ଏ ଜଙ୍ଗଲରେ ତ ବିଷ୍ଣୁଙ୍କର ପ୍ରତିମା ନାହିଁ ? ଏକଥା ଶୁଣି ମୁନୀ ଗୁପ୍ତରେ ଥିବା ମାଧବଙ୍କ କଥା କହିଲେ । ଇନ୍ଦ୍ର ପୂଜୁଥିବା ମାଧବମୂର୍ତ୍ତିକୁ ଲଙ୍କାକୁ ନେଇ ପୂଜା କରୁଥିଲା । ବିଭୀଷଣର ମିତ୍ର ଅରୁ ରାକ୍ଷସ ସେଇ ପ୍ରତିମାକୁ ଚୋରେଇ ନେଇ ପ୍ରାଚୀନଦୀ କୂଳ ଅରଣ୍ୟରେ ରଖିଲା । ପରେ ସେଠାରେ ପୁଷ୍କରିଣୀ ଖୋଳି ତହିଁରେ ମାଧବଙ୍କୁ ଗୁପ୍ତରେ ରଖି ପୂଜା କରୁଥିଲେ । ଏକଥା ଯୁଧିଷ୍ଠିର ଭୀମକୁ କହିଲେ । ଭୀମ ସେହି ପୁଷ୍କରଣୀରୁ ମାଧବମୂର୍ତ୍ତିକୁ ବାହାର କଲାପରେ ଅରୁ ରାକ୍ଷସ ରାଗରେ ଭୀମଙ୍କ ସହ ଯୁଦ୍ଧ କଲା ଓ ଭୀମଙ୍କ ହାତରେ ମୃତ୍ୟୁବରଣ କଲା । ସେହି ମାଧବଙ୍କ ନାମାନୁସାରେ ଆଜି ବି ସେହିସ୍ଥାନର ନାମ ମାଧବ ରଖାଯାଇଛି । ଏହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ମାଧବଙ୍କ ମୂର୍ତ୍ତି ଉଦ୍ଧାର କରାଯାଉଥିବାର ଅନୁମାନ କରାଯାଏ ଓ ଜଗନ୍ନାଥ ସଂସ୍କୃତିର ଅୟମାରମ୍ଭ ପୂର୍ବରୁ ଏହି ଅଞ୍ଚଳରେ ମାଧବ ପୂଜା ଜାରି ରହିଥିବାର ଜଣାଯାଏ ।

ଆଧାର - ପ୍ରମେୟ

Last Modified : 6/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate