ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / କାମିନୀଙ୍କ ସଫଳତା
ସେଆର କରନ୍ତୁ

କାମିନୀଙ୍କ ସଫଳତା

ପିଲାଦିନେ ପାନଦୋକାନୀ, ଏବେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ।

ଉପକ୍ରମ

ଯିଏ କଠିନ ପରିଶ୍ରମ କରେ ଓ ନିଜ ଲକ୍ଷ୍ୟ ଦିଗରେ ପଂହଚିବାକୁ ନିରନ୍ତର ପ୍ରଚେଷ୍ଟା କରେ, ସେ ଜୀବନରେ ନିଶ୍ଚିତ ସଫଳ ହୁଏ । ଅନେକ ବାଧାବିଘ୍ନ ମଧ୍ୟ ସଫଳତାକୁ ରୋକିପାରେ ନାହିଁ । ଏମିତି ଜଣେ ସଂଘର୍ଷ କରି ସମାଜରେ ଛିଡା ହୋଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ସୁଶ୍ରୀକାମିନୀ ନାୟକ। ପିଲାବେଳେ ସେ ଯେଉଁ ପ୍ରକାରର ପରିସ୍ଥିତି ଦେଇ ସାମ୍ନା କରିଥିଲେ, କେହି ଭାବିନଥିଲେ ଯେ ସେ ଆଜିର ସମାଜର ଜଣେ ସମ୍ମାନନୀୟ ନାରୀ ହୋଇ ଉଭାହେବେ । ତଥାପି ସେ କରି ଦେଖାଇଛନ୍ତି । ଆଉ ଆଜି ଗୋଟିଏ ସ୍ମୁଲର ଅଧ୍ୟକ୍ଷା ହୋଇ ପିଲାମାନଙ୍କୁ ଶିକ୍ଷିତ କରାଇବାର ବ୍ରତ ନେଇ ଆଗେଇ ଚାଲିଛନ୍ତି ।

 

କାମିନୀଙ୍କ ଯାତ୍ରା

କାମିନୀଙ୍କ ଘର ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗାଁରେ । ପିଲାଦିନ କଟିଛି ଅତ୍ୟନ୍ତ ଦୁଖ ଦୁର୍ଦ୍ଦଶା ଭିତରେ । ବାପା ସ୍ୱର୍ଗତ ବଟକୃଷ୍ଣ ନାୟକ ଥିଲେ ଅତ୍ୟନ୍ତ ଗରିବ । ଘରେ ଥିଲେ ପାଂଚ ଭଉଣୀ, ଜଣେ ଭାଇ, ବାପା ଓ ମା । ବାପା ସ୍ଥାନୀୟ ତହସିଲ୍ ଅଫିସ୍ ନିକଟରେ ଗୋଟିଏ ପାନ ଦୋକାନ କରିଥିଲେ । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳାଇବା ଥିଲା ଅତ୍ୟନ୍ତ କଷ୍ଟକର । ବଡ ଝିଅ ଭାବେ କାମିନୀଙ୍କ ଉପରେ ଥିଲା ଅନେକ ଚାପ । ବାପାଙ୍କ ଦେହ ଖରାପ ସମୟରେ ସ୍କୁଲରୁ ଫେରି ପାନ ଦୋକାନରେ ବସୁଥିଲେ ସେ । କାରଣ ପାନ ଦୋକାନ ବନ୍ଦ ହୋଇଗଲେ, ପରିବାରର ରୋଜଗାର ବନ୍ଦ ହୋଇଯିବ । ବାପା ଥିବା ସମୟରେ ମଧ୍ୟ ସେ ପ୍ରତିଦିନ ଦୁଇ ତିନି ଘଂଟା ସମୟ ପାନ ଦୋକାନରେ ଦେଉଥିଲେ ।

ସେ ଦିନର କଥାକୁ ମନେ ପକାଇ ସେ କହନ୍ତି,ଅତ୍ୟନ୍ତ କଠିନ ଦିନଥିଲା ସେଗୁଡିକ । ପଂଚମ ଶ୍ରେଣୀରେ ପଢିବା ଠାରୁ ମୁଁ ବାପାଙ୍କୁ କାମରେ ସାହାଯ୍ୟ କରିବା ଆରମ୍ଭ କରିଥିଲି । ପରିବାରର ପରିସ୍ଥିତି ହିଁ ସେମିତି ଥିଲା । ମୋତେ ସେ ପାନ ଦୋକାନକୁ ଯିବା ଲାଗି ଗୋଟିଏ ନାଳ ପାର ହେବାକୁ ପଡୁଥିଲା । ପୁଣି ଦୁଇ କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିଲା । କିନ୍ତୁ ପାଠ ପଢାରେ ମୁଁ ହେଳା କରୁନଥିଲି ।

ସ୍କୁଲ ପରେ ସେ କଲେଜରେ ପଢିଲେ । ସେତେବେଳକୁ ସେ ପିଲାଙ୍କୁ ଟିଉସନ୍ କରି କିଛି ରୋଜଗାର କରିବା ଆରମ୍ଭ କରିଦେଇଥିଲେ । ଶିକ୍ଷା ପ୍ରତି ଆଗ୍ରହ ଥିବାରୁ ସେ ବି.ଏ.ରେ ଶିକ୍ଷା ସମ୍ମାନ ରଖି ସଫଳତାର ସହ ପାସ୍ କରିଥିଲେ । 1994ରେ ଧାନମଣ୍ଡଳରେ ଖୋଲିଥିବା କନଭେଣ୍ଟ ବିଦ୍ୟଳୟର ଦାୟିତ୍ୱ ନେଲେ। ସେତେବେଳେ ମାତ୍ର ଦଶ ଜଣ ନର୍ସରୀ ପିଲା ସେଠାରେ ପଢୁଥିଲେ । ଗୋଟିଏ ଚାଳ ଘରେ 300 ଟଙ୍କା ଭଡାରେ ଏହା ଚାଲୁଥିଲା । କାମିନୀ ସେହିଠାରେ ହିଁ ନିଜର ସମସ୍ତ ସମୟ ଓ ଶକ୍ତି ଲଗାଇଥିଲେ । ଏହି ଶିକ୍ଷାର ମନ୍ଦିରକୁ ନିଖୁଣ ଭାବେ ଗଢି ତୋଳିବାରେ ସେ ନିଜର ସବୁ ସମୟ ଦେଇଛନ୍ତି । ଏବେ ପରିସ୍ଥିତି ବଦଳି ଯାଇଛି । ସେ ଶିକ୍ଷାରେ ତାଲିମ ଡିଗ୍ରୀ(ବିଏଡ୍) ହାସଲ କରିଛନ୍ତି । ନିଜେ ଅଧ୍ୟକ୍ଷା ଭାବେ କାମ କରୁଥିବା ଏହି ସ୍କୁଲରେ ଏବେ ନର୍ସରୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସେଠାରେ 500ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅଢେଇ ଏକର ବିଶିଷ୍ଟ ଏକ ଯାଗାରେ ସ୍କୁଲ ପାଇଁ ଘର ତିଆରି ହୋଇଛି ।

କାମିନୀଙ୍କ ବାର୍ତ୍ତା

ଏ ସମ୍ପର୍କରେ ସେ କୁହନ୍ତି, ବହୁତ ବାଧା ବିଘ୍ନ ଆସିଛି । ସେ ସବୁକୁ ମୁଁ ଓ ମୋର ଶୁଭେଚ୍ଛୁ ଓ ସହଯୋଗୀମାନେ ସାହସର ସହ ସାମ୍ନା କରିଛୁ । ଆମର ଏହି ଛୋଟିଆ ପ୍ରୟାସ ଆଗକୁ ଆହୁରି ଅନେକ ପିଲାଙ୍କୁ ଶିକ୍ଷିତ କରାଇବ । ସାରା ଜୀବନ ପିଲାମାନଙ୍କ ଶିକ୍ଷା ଓ ସମାଜ ସେବାରେ କଟାଇବାର ଲକ୍ଷ୍ୟ ରଖିଛି।ଶିକ୍ଷା ସହିତ ସମାଜ ସେବାରେ ସେ ସବୁବେଳେ ସମୟ ଦେଇ ଆସୁଛନ୍ତି । ନିଶା ନିବାରଣ, ସଡକ ସୁରକ୍ଷା ସଚେତନତା, ପରିବେଶ ସୁରକ୍ଷା ଅଭିଯାନରେ ସେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ବିଭିନ୍ନ ସାହିତ୍ୟ ସଂଗଠନ ମଧ୍ୟ ସେ ଜଡିତ । ଏସବୁ କାମ ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା ମିଳିଛି । ପ୍ରକୃତରେ କାମିନୀଙ୍କ ପରି ମହିଳାମାନେ ଆଜି ଆଉ ଘର କୋଣରେ ବସି ଭାଗ୍ୟକୁ ଭରସା କରି ରହୁନାହାନ୍ତି । ସେମାନେ ବି କିଛି କରିଦେଖାଇବାର ସଂକଳ୍ପ ନେଇ ସେଥିରେ ସଫଳ ହେଉଛନ୍ତି । କାମିନୀ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ।

ଆଧାର - Akhand

indiamediacentre@gmail.com

3.17857142857
କାଦମ୍ବିନୀ ସାମଲ Feb 19, 2019 04:43 PM

କାମିନୀଙ୍କ ସଫଳତା ବିଷୟରେ ଜାଣି ଖୁବ ଖୁସି ଲାଗିଲା

ସ୍ଵାତି ପଟ୍ଟନାୟକ Dec 24, 2018 11:00 AM

ଯିଏ କଠିନ ପରିଶ୍ରମ କରେ ଓ ନିଜ ଲକ୍ଷ୍ୟ ଦିଗରେ ପଂହଚିବାକୁ ନିରନ୍ତର ପ୍ରଚେଷ୍ଟା କରେ, ସେ ଜୀବନରେ ନିଶ୍ଚିତ ସଫଳ ହୁଏ । କାମିନୀ ଙ୍କ ସଫଳତା ବିଷୟରେ ଯାନୀ ଖୁବ ଖୁସି ଲାଗିଲା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top