ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ନେଟ୍ ବା ଜାତୀୟ ଶିକ୍ଷା ମେଧାବୃତ୍ତି ପାଇବାରେ ସଫଳ ହେଉଛନ୍ତି । ଗତ ବର୍ଷ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ଜଣ ନେଟ୍ ପାଇବା ଏବଂ ଏମାନଙ୍କ ମଧ୍ୟରୁ ଗବେଷଣା କରିବା ପାଇଁ ୭ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବା ସବୁଠାରୁ ବଡ ପ୍ରମାଣ ।
କ୍ୟାରିଅରେ ସଫଳ ହେବାକୁ ହେଲେ ଛାତ୍ରଙ୍କ ପାଠପଢାରେ ରୁଚି, ଅଧ୍ୟାପକଙ୍କ ଅଧ୍ୟାପନାରେ ଆଗ୍ରହ ନିହାତି ଜରୁରୀ । ଏ ଦୁଇଟି ମିଶିଲେ ପିଲା ପାଠପଢାରେ ସଫଳ ହେବା ସହ ଭଲ କ୍ୟାରିଅର୍ ଗଢିପାରିଥାନ୍ତି । ବିଭିନ୍ନ କଷ୍ଟକର ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ପିଲାଙ୍କୁ ପ୍ରେରିତ କରିବାରେ ଶିକ୍ଷକଙ୍କ ଭୂମିକା ବହୁତ ବେଶିଥାଏ । ଆଉ ଏହାର ପ୍ରମାଣ ଦେଇଛି ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର ଓଡ଼ିଆ ବିଭାଗ ।
ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ସନ୍ତୋଷ ତ୍ରିପାଠୀ କହନ୍ତି, ‘ଏବେ ନୁହେଁ ବହୁ ଆଗରୁ ଆମ ବିଭାଗ ଏହି ଧାରା ବଜାୟ ରଖିଛି । ଗତ ୨୦୦୩ ରୁ ୨୦୧୦ ମସିହା ମଧ୍ୟରେ ପ୍ରାୟ ୧୩୫ଜଣ ଛାତ୍ରଛାତ୍ରୀ ନେଟ୍ ପାଇଥିବାବେଳେ ଏମାନଙ୍କ ମଧ୍ୟରୁ ୧୬ ଜଣ ଗବେଷଣା ପାଇଁ ବୃତ୍ତି ପାଇଛନ୍ତି । ଏବେ ୨୦୧୪ରୁ ଏହି ସଫଳତାର ଧାରା ବଳବତ୍ତର ରହିଛି । ୩୨ ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇ ଗବେଷଣା କରୁଛନ୍ତି ।‘
ଓଡ଼ିଆ ବିଭାଗ ଛାତ୍ରଛାତ୍ରୀ ଜାତୀୟ ମେଧାବୃତ୍ତିରେ ସଫଳ ହେବାରେ ଅଧ୍ୟାପକ ସନ୍ତୋଷ ତ୍ରିପାଠୀଙ୍କ ଭୂମିକା ବହୁତ ବେଶି । ସେ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେବା ସହ ପ୍ରତି ସପ୍ତାହରେ ନେଟ୍ ପରୀକ୍ଷା ପଦ୍ଧତି ଅନୁଯାୟୀ ସେମାନଙ୍କୁ ପରୀକ୍ଷା କରାଇଥାନ୍ତି । କେଉଁ ବହି ପଢିଲେ ଛାତ୍ରଛାତ୍ରୀ ଅଧିକ ସଫଳ ହେବେ ପରାମର୍ଶ ଦେଇଥାନ୍ତି । ନେଟ୍ ପାଇଁ ସାପ୍ତାହିକ ପରୀକ୍ଷାରେ ଖାତା ଦେଖି ଭୁଲ କରୁଥିବା ପିଲାଙ୍କ ସହ ଆଲୋଚନା କରିବା, ପରୀକ୍ଷାରେ ଖୁବ୍ କମ୍ ସମୟ ମଧ୍ୟରେ ସଠିକ୍ ଉତ୍ତର କେମିତି ଦେଇପାରିବ ଏନେଇ ଉଚିତ୍ ପରାମର୍ଶ ଦେଇଥାନ୍ତି ଅଧ୍ୟାପକ ସନ୍ତୋଷ । ସେ କହନ୍ତି, “ସାହିତ୍ୟର ସମସ୍ତ ବିଷୟକୁ ଭାଗ ଭାଗ କରି କ୍ଷୁଦ୍ରରୁ କ୍ଷୁଦ୍ରତମ ପ୍ରଶ୍ନ ପିଲାଙ୍କୁ କହେ । ଆଉ ତା’ର ଉତ୍ତର ମୁଁ ନିଜେ ନଦେଇ ସେମାନେ କେମିତି ଦେଇପାରିବେ ସେଇ ପ୍ରୟାସ କରିଥାଏ । ପିଲାଏ ମୋ କଥା ମାନି, ପରାମର୍ଶ ଗ୍ରହଣ କରି ପଢନ୍ତି । ସେଥିପାଇଁ ସଫଳ ହୁଅନ୍ତି । ଶିକ୍ଷକ ଯେତେ କହିଲେ, ବିଝେଇଲେ ଆଦି ପିଲାଏ ପାଠ ନପଢିବେ ତେବେ କେବେ ବି ଏମିତି ସଫଳତା ପାଇପାରିବେ ନାହିଁ ।
ନେଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସହଜ ନୁହେଁ । ଏଥିପାଇଁ ଉପଯୁକ୍ତ ଭାବେ ଅଧ୍ୟାପକଙ୍କ ପରାମର୍ଶ ନେଇ ପଢାପଢି କରିବା ଆବଶ୍ୟକ । ଅଧ୍ୟାପକ ସନ୍ତୋଷ କହନ୍ତି, ‘ ନେଟ୍ ପରୀକ୍ଷା ଦେବା ପାଇଁ ଯେଉଁ ପିଲାମାନେ ଆଗ୍ରହ ପ୍ରକାଶ କରନ୍ତି ସେମାନଙ୍କ ପାଇଁ ସନ୍ତୋଷ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟ ପରେ ମୋର ବଳକା ସମୟ ଦେଇଥାଏ । ନେଟ୍ ପାଇଁ କୋଚିଂ ଦେବାକୁ ମୋତେ ବହୁତ ଭଲ ଲାଗେ । ବିଗତ ବର୍ଷଗୁଡ଼ିକରେ ସନ୍ତୋଷ ପିଲାଙ୍କୁ କେବଳ ପାଠ ବୁଝାଇ ଦେଉଥିଲି । ସେମାନେ ନିଜେ ନେଟ୍ ପରୀକ୍ଷାରେ ପଡ଼ିବା ଭଳି ପ୍ରଶ୍ନ ତିଆରି କରି ଆଣନ୍ତି । ଆଉ ସନ୍ତୋଷଙ୍କ ଆଗରେ ସେସବୁର ଉତ୍ତର ଲେଖନ୍ତି । ବୁଝିବା କଷ୍ଟ ହେଲେ ସନ୍ତୋଷ ବୁଝାଇ ଦିଅନ୍ତି । ପିଲାଙ୍କୁ ପ୍ରଶ୍ନର ଠିକ୍ ଉତ୍ତର କହିଦେଲେ ହେବ ନାହିଁ । କାହିଁକି ସେଇ ଉତ୍ତରଟି ଠିକ୍ ତାହା ବୁଝାଇବାକୁ ପଡିବ, ତେବେ ଯାଇ ସେଇ ପ୍ରଶ୍ନଟିର ଉତ୍ତର ପିଲାର ମନେରହିବ । ‘
ଆଧାର – ଦୈନିକ ପ୍ରମେୟ
Last Modified : 1/16/2020