ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା
ସେଆର କରନ୍ତୁ

ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା

ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା, ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଛାତ୍ରଛାତ୍ରୀ ।

ଉପକ୍ରମ

ଆଧୁନିକ ଛାତ୍ରଛାତ୍ରୀମାନେ ମେଟ୍ରୋ ସଂସ୍କୃତିରେ ଗାଁ କଥା ଭୁଲି ଯାଇଥାନ୍ତି । ଗାଁକୁ ଯାଇ ସେଠାକାର ଲୋକଙ୍କ ସମସ୍ୟା କଥା ବୁଝିବା ପ୍ରସଙ୍ଗ ଉଠିଲେ ସେମାନେ ପଛଘୁଂଚା ଦିଅନ୍ତି । କିନ୍ତୁ ଏବେ ସେହି ଧାରାରେ କିଛିଟା ପରିବର୍ତ୍ତନ ହୋଇଛି । ସାମାଜିକ ବିଜ୍ଞାନ, ସମାଜ ସେବା ଓ ସାମ୍ବାଦିକତା ଆଦି ପାଠ ପଢୁଥିବା ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପଢା ସମୟରେ ଗାଁକୁ ଯାଇ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି । ହୁଏତ ଭବିଷ୍ୟତରେ ସେମାନେ ମୋଟ୍ରୋ ସହରରେ ଚାକିରି କରିପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଗାଁ ଗହଳିର ବିଭିନ୍ନ ସମସ୍ୟା ନେଇ କାମ କରୁଥିବାର ମଧ୍ୟ ଦେଖାଯାଉଛି ।

ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା

ଓଡିଶାର କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟ ନିକଟରେ ଥିବା କିଛି ଗାଁକୁ ଯାଇ ସଚେତନତା କାର୍ଯ୍ୟକ୍ରମ କରନ୍ତି । ସେମାନେ ସେଠାରେ ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ସହ ଭାବ ଆଦାନ ପ୍ରଦାନ କରନ୍ତି । ଲୋକଙ୍କ ଚାଲିଚଳଣି ବୁଝିବାକୁ ଚେଷ୍ଟା କରୁଛନ୍ତି ।

ଏହି ଗାଁ ଗୁଡିକୁ ବିଶ୍ୱବିଦ୍ୟାଳୟ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛି । ସୁନାବେଡା ନିକଟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ରେ ନିକଟରେ ଥିବା ପାଂଚଟି ଗାଁକୁ ପୋଷ୍ୟ ଗ୍ରାମ ଭାବେ ନିଆଯାଇଛି । ଗତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଉନ୍ନତ ଭାରତ ଅଭିଯାନ ଅନ୍ତର୍ଗତ ଚିକାପାର, ଚକରଲିପୁଟ, ରାଜପଲମା, ବଲଦା, ନୂଆଗୁଡା ଗାଁକୁ ବିଶ୍ୱବିଦ୍ୟାଳୟ ପୋଷ୍ୟ ଭାବେ ନେଇଥିଲା |ବିଶ୍ୱବିଦ୍ୟାଳୟର କୂଳପତି କହନ୍ତି, ବିଶ୍ୱବିଦ୍ୟାଳୟର ଉନ୍ନତି ଆଖପାଖ ଗାଁରୁ ଆରମ୍ଭ ହେବା ଦରକାର । ଏହି ଭାବନାରୁ ହିଁ ପାଂଚଟି ଗାଁକୁ ପୋଷ୍ୟ ଭାବେ ନିଆଯାଇଛି। ସେଠାରେ ବିଭିନ୍ନ ପ୍ରକାର ବିକାଶ ମୂଳକ କାମ କରାଯାଉଛି । ମଝିରେ ମଝିରେ ପିଲାମାନେ ଯାଇ ଗାଁ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସଚେତନ କରାଉଛନ୍ତି ।ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗର ଛାତ୍ରଛାତ୍ରୀମାନେ ଏହି ନିକଟରେ ଯାଇଥିଲେ ଅନ୍ୟତମ ପୋଷ୍ୟ ଗ୍ରାମ ଚକରଲିପୁଟ ଓ ଚିକାପାର । ଚକରଲିପୁଟରେ ସେମାନେ ପ୍ରଥମେ ଲୋକଗୀତ ଗାଇ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଗାଁ ଲୋକଙ୍କ ସମସ୍ୟା କଥା ପଚାରି ବୁଝିଥିଲେ । ସୁରକ୍ଷିତ ପାଇଖାନା, ଅନାଥ ପିଲାଙ୍କ ଥଇଥାନ ଓ ବାସଗୃହ ନିର୍ମାଣ ଆଦି ପ୍ରସଙ୍ଗରେ ସେଠାକାର ମହିଳାମାନେ ଗୁରୁତ୍ୱ ଦେଇଥିଲେ ।ଚିକାପାର ଗାଁରେ ଛାତ୍ରଛାତ୍ରୀମାନେ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ‘ଚାଲ ଡାକ୍ତରଖାନା ଯିବା’ ଶୀର୍ଷକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ । ଏଥିରେ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଥିଲା ଏହି ନାଟକ ପ୍ରଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ । ସରକାରୀ ହସ୍ପିଟାଲ ଗୁଡିକରେ ମିଳୁଥିବା ସ୍ୱାସ୍ଥ୍ୟସେବା, ମାଗଣା ‌ଔଷଧ, ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ଏଥିରେ କୁହାଯାଇଥିଲା । ସେହିପରି କ୍ୱାକ୍ କିମ୍ବା ଝଡାଫୁଙ୍କାରେ ବିଶ୍ୱାସ ନକରିବାକୁ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା।

ଗାଁର ଜଣେ ପ୍ରମୁଖ ବ୍ୟକ୍ତି ରବି ପାମିଆ ଛାତ୍ରଛାତ୍ରୀଙ୍କ ଏହି କାମକୁ ପ୍ରଶଂସା କରିବା ସହିତ କହନ୍ତି,ପିଲାମାନଙ୍କର କଥା ଗାଁ ଲୋକମାନଙ୍କୁ ଭଲ ଲାଗୁଛି । ଆମକୁ ଭଲ କଥା ଶିଖାଉଛନ୍ତି ସେମାନେ । କେମିତି ଭଲ ପରିବେଶରେ ରହିବାକୁ ପଡିବ, କେମିତି ସଫା ସୁତୁରାରେ ରହିବ, ସେ କଥା ମଧ୍ୟ ଶିଖାଉଛନ୍ତି ସେମାନେ ।ପୋଷ୍ୟ ଗ୍ରାମ ଭାବେ ପାଂଚଟି ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଦକ୍ଷତା ବିକାଶ, ପୌଢ ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ସର୍ଭେ ପରେ ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଗାଁର ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ କୋଚିଂ, ଇଂରାଜୀ ଓ ଗଣିତରେ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଚାଲିଛି ।

ଏହିପରି ଦେଶର ଅନ୍ୟ ସବୁ ବିଶ୍ୱବିଦ୍ୟାଳୟ ପାଂଚ ପାଂଚଟି ଗ୍ରାମକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ, ଅନେକ ଗାଁର ଚିତ୍ର ବଦଳି ଯାଇପାରନ୍ତା ।

ଆଧାର - Akhand freelance journalist and writer

3.11538461538
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top