অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତର ଏକ ନମ୍ବର ଟେନିସ୍ ତାରକା ଜଣେ ଓଡ଼ିଆ

ଦିଲୀପ ମହାନ୍ତି

ଟେନିସ୍ କଥା ପଡ଼ିଲେ ହଠାତ ସାମନାକୁ ଚାଲିଆସେ ସାନିଆ ମିର୍ଜାଙ୍କ ଛବି । ସେ ଆଇଟିଏଫ୍ (International Tennis Federation) ପ୍ରୋ ସର୍କିଟ୍ ଡବଲ୍ସରେ ଏବେ ବିଶ୍ୱର ଏକ ନମ୍ବର ସ୍ଥାନରେ ଅଛନ୍ତି । ପୁରୁଷ ବିଭାଗରେ ପ୍ରୋ ସର୍କିଟ୍ ରେ ଭାରତର ଲିଆଣ୍ଡର ପେସ୍ ଡବଲ୍ସରେ ୫୭ ତମ ସ୍ଥାନରେ ଥିବା ବେଳେ ମହେଶ ଭୂପତି ୨୧୭ ତମ ରାଙ୍କ୍ ପାଇଛନ୍ତି । ଏମାନେ ଖୁବ୍ କମ ବୟସରୁ ପ୍ରୋ ସର୍କିଟ୍ ରେ ସ୍ଥାନ ପାଇ ସାରିଛନ୍ତି ।

ତେବେ ନିଜସ୍ୱ ପ୍ରଚେଷ୍ଟାରେ ଦେଶର ଶହଶହ ଖେଳାଳି ଆଇଟିଇଏଫ୍ ର ଉଭୟ କନିଷ୍ଠ ଓ ବରିଷ୍ଠ ତାଲିକାରେ ନିଜର ସ୍ଥାନ ପାଇଁ ସଂଗ୍ରାମ କରି ଚାଲିଛନ୍ତି । ସେମିତି ଜଣେ ଖେଳାଳି ହେଲେ ଓଡ଼ିଶାର ଦିଲୀପ ମହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ୩୮ ବର୍ଷିୟ ଦିଲୀପ ବର୍ତ୍ତମାନ ବରିଷ୍ଠ ପର୍ଯ୍ୟାୟରେ ଉଭୟ ଏକକ(Singles) ଓ ଯୋଡ଼ି (Doubles) ବିଭାଗରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅନେକ ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣାମେଣ୍ଟରେ ଭାରତ ପାଇଁ ଗୌରବ ଆଣିଥିବା ଏହି ଓଡ଼ିଆ ଖେଳାଳି ଜଣକ କିନ୍ତୁ ଓଡ଼ିଶା ବାସୀଙ୍କ ପାଇଁ ପ୍ରାୟ ଅଜଣା ହୋଇ ରହି ଯାଇଛନ୍ତି ।

ଦିଲ୍ଲୀରେ ରହୁଥିବା ଦିଲୀପ ସିଙ୍ଗଲ୍ସରେ ୧୨୦ ପଏଣ୍ଟ ପାଇ ବର୍ତ୍ତମାନ ଆଇଟିଏଫ୍ ରାଙ୍କିଂରେ ବିଶ୍ୱର ୧୯୬ ତମ ସ୍ଥାନରେ ଥିବା ବେଳେ ଡବଲ୍ସରେ ୧୬୦ ପଏଣ୍ଟ ହାସଲ କରି ୫୭ ତମ ସ୍ଥାନରେ ଅଛନ୍ତି । ସିଙ୍ଗଲ୍ସରେ ତାଙ୍କ ତଳକୁ ୬୦ ପଏଣ୍ଟ ରଖି ବିନୋଦ ଶ୍ରୀଧର ଭାରତର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଶ୍ୱରେ ୩୩୭ ତମ ସ୍ଥାନରେ ଅଛନ୍ତି । ଅନୁରୂପ ଭାବେ ଡବଲ୍ସରେ ୬୦ ପଏଣ୍ଟ ପାଇ ଆନନ୍ଦ କୁମାର ଗଣେଶନ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଶ୍ୱ ରାଙ୍କିଂରେ ୧୫୮ ତମ ସ୍ଥାନରେ ଅଛନ୍ତି ।

ପିଚ୍ କ୍ୟୁରେଟରଙ୍କ ପୁଅ ଟେନିସ୍ ମାଷ୍ଟର

ଦିଲୀପଙ୍କ ବାପା ପ୍ରତାପ ମହାନ୍ତି ସପରିବାର ଗୌହାଟୀରେ ରହୁଥିଲେ । ସେ କ୍ରିକେଟ୍ ପିଚ୍ କ୍ୟୁରେଟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । ଗୌହାଟୀରେ ସେମାନେ ରହୁଥିବା ସ୍ଥାନରେ ଏକ ଟେନିସ୍ କୋର୍ଟ ଥିଲା । କମଳଜିତ ସିଂ ସେଠାରେ କୋଚିଂ ଦେଉଥିଲେ । ସ୍କୁଲରୁ ଫେରି ସେଠାରେ ଟେନିସ୍ ଦେଖୁଥିଲେ ଦିଲୀପ । ସେଇଠୁ ତାଙ୍କର ଏ କ୍ରୀଡ଼ା ପ୍ରତି ଆଗ୍ରହ ଜନ୍ମିଲା ।

ଆସାମରେ ୧୨ ବର୍ଷରୁ କମ୍ ବୟସ ଟେନିସ୍ ଟୁର୍ଣାମେଣ୍ଟରେ ଚାମ୍ପିଅନ୍ ହେଲେ ଦିଲୀପ । ସେବେଠୁ ଆଉ ପଛକୁ ଫେରିନାହାନ୍ତି ସେ । ଟେନିସ୍ ଏକ ବ୍ୟୟବହୁଳ କ୍ରୀଡ଼ା ହୋଇଥିବାରୁ ବାପା ତାଙ୍କ ଲାଗି ଖର୍ଚ୍ଚ କରିବାକୁ ଅସମର୍ଥ ଥିଲେ । ତଥାପି ସେ କେବେ ନିରୁତ୍ସାହିତ କରିନଥିଲେ । ବିଶ୍ୱଜିତ ବୋରା ନାମକ ଜଣେ ଶିକ୍ଷକ ସେତେବେଳେ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ଓ ମାସକୁ ୧୦୦୦ ଟଙ୍କା ଦେଲେ । ପରେ ସେ ଅନେକ ସଫଳତା ପାଇଲେ, ଜୁନିଅର ଜାତୀୟ ଚାମ୍ପିଅନ୍ ହେଲେ । ୧୮ ବର୍ଷରୁ କମ ପର୍ଯ୍ୟାୟରେ ୧୯୯୧ରୁ ୧୯୯୫ ଯାଏଁ ସେ ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନରେ ଥିଲେ । ଆଉ ଏବେ ଆଇଟିଏଫ୍ ରାଙ୍କିଂରେ ବି ସେ ଏକ ନମ୍ବର ।

ଖେଳାଳିରୁ କୋଚ୍

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଦିଲୀପ ଜଣେ କୋଚ୍ ଭାବେ ମଧ୍ୟ ଅନୁରୂପ ପରିଚିତ । ମାଲେସିଆ ଆଇଟିଏଫ୍ ସିନିଅର ପୁରୁଷ ଡବଲ ଚାମ୍ପିଅନ୍ସିପ(୨୦୧୫)ରେ ଚାମ୍ପିଅନ୍ ହୋଇଥିଲେ ଦିଲୀପ । ଆଇଟିଏଫ୍ ସିନିଅର ଇଟାଲିଆ କପ୍(ଆମେରିକା, ୨୦୧୪)ରେ ସେ ଭାରତୀୟ ଦଳର ଅଧିନାୟକ ଥିଲେ । ଜଣେ କୋଚ୍ ଭାବେ ପ୍ରଫେସନାଲ ଟେନିସ ରେଜିଷ୍ଟ୍ରି(ପିଟିଆର୍, ୟୁଏସଏ)ର ଟେଷ୍ଟର ଭାବେ ମନୋନୀତ ହୋଇଛନ୍ତି ଦିଲୀପ । ବିଶ୍ୱସ୍ତରରେ କୋଚମାନଙ୍କୁ ମାନ୍ୟତା ଦେବାରେ ତାଙ୍କର ଭୂମିକା ରହିଛି । ୨୦୧୨ରେ ଏହି ଅନୁଷ୍ଠାନରୁ ସେ ପିଟିଆର ଇଣ୍ଡିଆ କୋଚ୍ ଅଫ୍ ଦ ଇୟର ସମ୍ମାନ ପାଇଥିଲେ । ନିଜର ଅଭିଜ୍ଞତା ଓ ସଫଳତାକୁ ପୁଞ୍ଜି କରି ସେ ଦିଲ୍ଲୀରେ ପ୍ରତିଷ୍ଠା କରିଛନ୍ତି ‘ନୀଳାଚଳ ଟେନିସ୍ ଏକାଡେମି’ । ଦିଲ୍ଲୀରେ ଏହାର ଦୁଇଟି ଶାଖା ରହିଥିବା ବେଳେ ମିରଟରେ ଗୋଟିଏ ଶାଖା କାର୍ଯ୍ୟ କରୁଛି । ଦୀର୍ଘ ୧୮ ବର୍ଷ ଧରି ଜଣେ କୋଚ୍ ଭାବେ ଏହି ଅନୁଷ୍ଠାନରୁ ସହସ୍ରାଧିକ ସଫଳ ଟେନିସ ଖେଳାଳି ତିଆରି କରିଛନ୍ତି ଦିଲୀପ । ଆଗକୁ ସେ ଭୁବନେଶ୍ୱରରେ ଏହାର ଶାଖା ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ।

ଓଡବ୍ଲୁବି-ନୀଳାଚଳ ଆଇଟିଏଫ୍ ସିନିଅର ଟେନିସ୍ ଚାମ୍ପିଅନସିପ୍

ଚଳିତ ବର୍ଷ ଠାରୁ ଦିଲୀପ ନିଜ ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରୁଛନ୍ତି ଏକ ଅନ୍ତର୍ଜାତୀୟ ଟେନିସ ଟୁର୍ଣାମେଣ୍ଟ୍ । ଆଇଟିଏଫ୍ ମାନ୍ୟତା ପ୍ରାପ୍ତ ଏହି ଟୁର୍ଣାମେଣ୍ଟର ନାମ ରହିଛି ‘ । ଆସନ୍ତା ମେ ମାସ ୧୬ ତାରିଖରୁ ୨୧ ତାରିଖ ଯାଏଁ ଦିଲ୍ଲୀ ନିକଟସ୍ଥ ରୋହତକର ରାଜୀବ ଗାନ୍ଧୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ବିଶ୍ୱର ଟପ୍ ରାଙ୍କରେ ଥିବା ଅନ୍ୟୁନ ୧୦୦ ଟେନିସ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ ବୋଲି ଦିଲୀପ ସୂଚନା ଦେଇଛନ୍ତି । ଏପ୍ରିଲ ୧୬ ତାରିଖରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚନ କରିଥିବା ବେଳେ ଗତକାଲି (୨୦ ଏପ୍ରିଲ ୨୦୧୬) ଭୁବନେଶ୍ୱରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ଟୁର୍ଣ୍ଣାମେଣ୍ଟର ପୋଷ୍ଟର ଉନ୍ମୋଚନ କରିଛନ୍ତି। (ଉନ୍ମୋଚନ ଅବସରରେ ମନ୍ତ୍ରୀ ଓ ଦିଲୀପଙ୍କ ସହ ଏ ଲେଖକ ମଧ୍ୟ ଉପସ୍ଥିତ ଥିଲେ ।)

ଆଧାର: ଓଡିଶା ରିପୋଟର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate