ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ମାଳଭୂମିରେ ସୁନା ଫଳାଇଲେ ମହିଳା ଚାଷୀ
ସେଆର କରନ୍ତୁ

ମାଳଭୂମିରେ ସୁନା ଫଳାଇଲେ ମହିଳା ଚାଷୀ

ମହିଳାଙ୍କ ସମ୍ମିଳିତ ଉଦ୍ୟମରେ ମାଳଭୂମିରେ ସୁନା ଫଳାଇଲେ ମହିଳା ଚାଷୀ ।

ମହିଳାଙ୍କ ସମ୍ମିଳିତ ଉଦ୍ୟମ

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକ୍ ବେଗୁନିଆ ପଞ୍ଚାୟତର ବଡ଼ବିଲ ରେଙ୍ଗାଳସାହି । ଜିଲ୍ଲାର ବିସ୍ତୀର୍ଣ୍ଣ ମାଳଭୂମି ଅଞ୍ଚଳରେ ଅବସ୍ଥିତ ଏହି ଗ୍ରାମର ପ୍ରାୟ ୭୦ ଏକର ଢିପ ଜମିରେ ଏବେ ହସୁଛି ସୁନାର ଫସଲ । ଏହା କୌଣସି କୁଶଳୀ ବୈଷୟିକ ଜ୍ଞାନପ୍ରାପ୍ତ ପୁରୁଷ ଚାଷୀଙ୍କ କାର୍ଯ୍ୟ ନୁହେଁ; ଦିନେ ପାହାଡ଼ ମୁଣ୍ଡିଆରେ ଗୋରୁ, ଛେଳି ଚରାଇ, ଛୋଟ ମୋଟ କାମ କରି ପାଉଥିବା ଅଳ୍ପ କିଛି ମଜୁରି ଅର୍ଥରେ ପେଟପୋଷୁଥିବା ଗାଁର କିଛି ଅପାଠୁଆ ଆଉ ଅଧାପାଠୁଆ ମହିଳାଙ୍କ ସମ୍ମିଳିତ ଉଦ୍ୟମର କରିସ୍ମା ।  କେବେ ଏହି ପାହାଡ଼ିଆ ଅଞ୍ଚଳରୁ ବହୁ କଷ୍ଟରେ ହେକ୍ଟର ପିଛା ୧.୫ରୁ ୨ ଟନ୍ ଶସ୍ୟ ଉତ୍ପାଦନ ହେଉଥିବା ବେଳେ  ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ଅନ୍ତର୍ଜାତୀୟ ଶସ୍ୟ ଗବେଷଣା ସଂସ୍ଥାର ସହଯୋଗରେ ମହିଳାମାନେ ଏହି ଜମିରୁ ଆଶାନୁରୂପକ  ମକା ଫସଲ ଅମଳ କରିବାର ଆଶା ବାନ୍ଧିଛନ୍ତି ।

ପରିସଂଖ୍ୟାନ କହେ, ମୟୂରଭଞ୍ଜ ଜିଲ୍ଲାର ଚାଷଯୋଗ୍ୟ ୪୩୭,୦୦୦ହେକ୍ଟର ଜମି ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପାହାଡ଼ିଆ ଢିପ ଜମି । ଜିଲ୍ଲାର ମାଳଭୂମି ଭାବେ ପରିଚିତ ଏହି ଜମିଗୁଡ଼ିକ ପ୍ରାୟତଃ ବର୍ଷ ସାରା ପଡ଼ିଆ ପଡ଼ିଥାଏ । ବହୁ କଷ୍ଟରେ ହଳଲଙ୍ଗଳରେ ପଥୁରିଆ ମାଟି ତାଡି ଖରାବର୍ଷାରେ ଝାଳ ନିଗାଡ଼ି ଏଠିକାର ଚାଷୀ ନାମକୁମାତ୍ର ଫସଲ ଫଳାଇବାରେ ସକ୍ଷମ ହୋଇଥାଏ ।  ସାଧାରଣତଃ ଏହି ପାହାଡିଆ ଜମିରେ ଧାନ, ବାଜରା, ମାଣ୍ଡିଆ ଭଳି ଶସ୍ୟ ଚାଷକରାଯାଇଥାଏ । ଯାହାବି ଚାଷ  ହୁଏ, ସେଥିରେ ବର୍ଷକ ପାଇଁ ପରିବାର ଚଳାଇବା କାଠିକପାଠ । ବିଶେଷକରି ନିଜ ଗାଁକୁ ଭଲ ପାଇ ଚାଷ ଓ ବାସ ଛାଡ଼ି ପାରୁ ନଥିବା ଏହି ଅଧାପାଠୁଆ ଚାଷୀ ପରିବାରଙ୍କ ପାଇଁ ଏବେ ନୂଆ ଆଶାର କିରଣ ଦେଖାଦେଇଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଗାଁରେ ଗଠନ ହୋଇଛି ଏକାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) । ପ୍ରଥମେ  ଏହି ଏସ୍ଏଚ୍ଜି ଗୁଡିକ ପୃଥକ୍ ଭାବେ ବିଭିନ୍ନ  ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ଆଣି ଛୋଟମୋଟର ବ୍ୟବସାୟ କରୁଥିଲେ ।

ତାଲିମ ସଂସ୍ଥା

ଏତିକିବେଳେ ସେମାନଙ୍କୁ ଏକାଠି ହୋଇ ବାଟ ଚାଲିବାର ରାହା ଦେଖାଇଛନ୍ତି କେତେକ ଦେଶୀୟ ତଥା ଅନ୍ତର୍ଦେଶୀୟ ଶସ୍ୟ ଗବେଷଣା ସଂସ୍ଥା ।  ଓଡ଼ିଶା ସରକାରଙ୍କ ସହଯୋଗରେ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍, ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, ଦକ୍ଷିଣ ଏସୀୟ ଖାଦ୍ୟଶସ୍ୟ ବ୍ୟବସ୍ଥା ପ୍ରୟାସ ସଂସ୍ଥା ଭଳି ଅନୁଷ୍ଠାନଗୁଡ଼ିକର ଆର୍ଥିକ ପ୍ରୋତ୍ସାହନ ଓ ଦିଗ୍ ଦର୍ଶନରେ ଗ୍ରାମର ୧୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏକାଠି ହୋଇ ପ୍ରାୟ ୭୦ ଏକର ଢିପ ଜମିରେ ଚଳିତବର୍ଷ ଅଧିକ ଅମଳକ୍ଷମ ମକା ଚାଷ କରିଛନ୍ତି ।  ଏହି ପଥୁରିଆ ଜମିରେ ଧାନ, ବାଜରା, ଗହମ, ମାଣ୍ଡିଆ ଠାରୁ ମକା ଅଧିକ ଅମଳ ହେଉଥିବା ସ୍ଥାନୀୟ ଚାଷୀଙ୍କ ଠାରୁ ଜଣାପଡ଼ିବା ପରେ ଏହି ସଂସ୍ଥାଗୁଡିକ ଢିପ ଜମିରେ ଅଧିକ ଅମଳକ୍ଷମ ସଙ୍କର କିସମ ମକା ଚାଷ କରିବାକୁ ଚାଷୀମାନଙ୍କୁ ପ୍ରବର୍ତ୍ତାଇଲେ । ଏମାନଙ୍କ ମଧ୍ୟରୁ ‘ଦ ସେରିଆଲ ସିଷ୍ଟମ୍ସ ଇନିସିଏଟିଭ୍ ଫର୍ ସାଉଥ୍ ଏସିଆ( ସିଏସ୍ଆଇଏସ୍ଏ ବା ‘ସିସା’ )ର ଉଦ୍ୟମ ଅଗ୍ରଣୀ ରହିଛି । ‘ସିସା’ ମୁଖ୍ୟତଃ ଆଦିମ ଜନଜାତି ଶ୍ରେଣୀର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଅଳ୍ପ ଖର୍ଚ୍ଚରେ ଅଧିକ ଦେଶୀୟ ଫସଲ ଫଳାଇବାରେ ଚାଷୀଙ୍କୁ ଆଧୁନିକ କୃଷି ପ୍ରଣାଳୀ ସଂପର୍କରେ ସଚେତନ କରାଉଛି । କେବଳ ସେତିକି ନୁହେଁ; ସେମାନଙ୍କ ଦ୍ଵାରା  ଉତ୍ପାଦିତ ଫସଲ କିପରି ସ୍ଥାନୀୟ ବଜାରରେ ଅଧିକ ଦରରେ ବିକ୍ରି ହୋଇ ଚାଷୀଙ୍କୁ ଅଧିକ ଲାଭ ଦେଇପାରିବ ତା’ର ବ୍ୟବସ୍ଥା ମଧ୍ୟ ରହିଛି । ଗାଁର ଜୋହର ଜାହେର ଆୟୋ ନାମକ ସ୍ଵୟଂ ସହାୟକ ଗୋଷ୍ଠୀର ୧୧ଜଣ ମହିଳାଙ୍କୁ ତାଲିମ ଦେଇଥିଲା ସିସା । ପାରମ୍ପରିକ କୃଷି ପ୍ରଣାଳୀ ଛାଡିବାକୁ କୁହାଯିବା ବେଳେ ସେମାନେ ପ୍ରଥମେ ଅମଙ୍ଗ ଥିଲେ । କୃଷି ସଚେତନତା ପରେ ସେମାନେ ଉନ୍ନତ ଓ ଆଧୁନିକ ପ୍ରଣାଳୀ ଆପଣେଇ ହଳଲଙ୍ଗଳ ଛାଡି କଳଲଙ୍ଗଳ ଧରିଲେ । ସିଡ୍ ଡ୍ରିଲ୍ ନାମକ କୃଷିଯନ୍ତ୍ରରେ ସେମାନେ ମାଟି ଶିଆରିବା ସହ ଧାଡି ପ୍ରଣାଳୀରେ ମଞ୍ଜି ବୁଣିବା ଏବଂ ଗଛମୂଳରେ ସାର ଓ କୀଟନାଶକ ଦେବାର ଉପାୟ ଶିଖିଲେ । ଏହାଦ୍ୱାରା ସେମାନଙ୍କର ଶ୍ରମ  ଲାଘବ ହେବା ସହ ଫସଲ ଅମଳରେ ସେମାନଙ୍କୁ ଅଭୂତପୂର୍ବ ସଫଳତା   ଆଣିଦେଲା ବୋଲି କହନ୍ତି ଜୋହର ଜାହେର ଆୟୋ ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି କୁନି ମୁର୍ମୁ ।

ମକା ଫସଲ

ଗୋଷ୍ଠୀର କର୍ପସ ପାଣ୍ଠିରୁ ସ୍ଥାନୀୟ ‘ଲ୍ୟାମ୍ପ୍ସ’ରୁ ଉନ୍ନତ କିସମର ମକା ବିହନ ଓ ସାର କିଣିବା ସହିତ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ସେମାନେ ଶସ୍ୟ ଉତ୍ପାଦନ ଜେର୍ ଗୁଣା ବଢାଇପାରିଛନ୍ତି । ଯେଉଁ ଜମିରେ ଫଳୁଥିବା ମକା ଦିନେ ପିଲାଙ୍କ ସକାଳ ଜଳଖିଆ ପାଇଁ ନିଅଣ୍ଟ ହେଉଥିଲା, ଏବେ ସେଥିରୁ ବର୍ଷକ ପରିବାର ଚଳିବା ସହ ହେକ୍ଟର ପିଛା ପ୍ରାୟ ୨୭ହଜାର ଟଙ୍କା ରୋଜଗାର ହୋଇପାରୁଛି ବୋଲି କହନ୍ତି ‘ସିସା’ର  କୃଷି ବିଶେଷଜ୍ଞ ନବକିଶୋର ପରିଡ଼ା । ବଡ଼ବିଲ ରେଙ୍ଗାଳସାହି ଭଳି ମାଟିଆଗଡର ସ୍ଵର୍ଣ୍ଣଲକ୍ଷ୍ମୀ, ଧବଳେଶ୍ଵରୀ, ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ଗତ କିଛି ବର୍ଷ ହେଲା ନିଜ ଅଞ୍ଚଳର ପାହାଡ଼ିଆ ଜମିରେ ମକା ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ।  ଏହି ବିସ୍ତାର୍ଣ୍ଣ ମାଳଜମିରେ ଏବେ ହସୁଛି ସୁନାର ଫସଲ । ମକା ଗଛରେ ଗଣ୍ଠିକି ଗଣ୍ଠି ଫୁଲ ଆସିଗଲାଣି, ଫଳ ଧରିବାକୁ ଅଳ୍ପ ଦିନ ବାକି । ମକାଫସଲର ବାସନାର ବଣୁଆ ଟିଆ(ମିଟୁ)ମାନଙ୍କୁ ଆକୃଷ୍ଟ କଲାଣି । ଫଳ ଧରିବା କ୍ଷଣି ଆଖପାଖର ବଣପାହାଡରେ ବସାବାନ୍ଧିଥିବା ହଜାର ହଜାର ସଂଖ୍ୟାର ଟିଆ ଉଡିଆସି ଫସଲ ଖାଇଯିବେ । ଜଙ୍ଗଲିଆ ଜମିରେ ହାତୀମାନଙ୍କ ଭୟ ମଧ୍ୟ ରହିଛି । ତେଣୁ ସେମାନଙ୍କ ଦାଉରୁ ମକା ଫସଲକୁ ରକ୍ଷା କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂପୂର୍ଣ୍ଣ ଦେଶୀୟ ପଦ୍ଧତିରେ ଫସଲ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ।

ଆଧାର – ଦୈନିକ ସମାଜ

3.09375
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top