୭୨ ବର୍ଷୀୟା ଶାନ୍ତି ମଣ୍ଡଳ । ପାରାଦୀପ ପୌରାଞ୍ଚଳର ସବୁଠାରୁ ବଡବସ୍ତି ଷଣ୍ଢିକୁଦରେ ସବୁବେଳେ ତାଙ୍କୁ ଦେଖିବାକୁ ମିଳିଥାଏ। ମାତ୍ର ୩ ଫୁଟ୍ ଉଚ୍ଚତା ଥିବା ଏହି ମହିଳାଙ୍କୁ ସମସ୍ତେ ‘ଗେଡି ନାନୀ’ ବୋଲି ଡାକିଥାନ୍ତି ।ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟ ଆଖିରେ ଝାପ୍ସା ଦେଖିପାରନ୍ତି।
ସେ ଷଣ୍ଢକୁଦର ମୂଳବାସିନ୍ଦା ସେ ମଧ୍ୟରୁ ଅନ୍ୟତମ । ସମୟଚକ୍ରରେ ଏବେ ସମ୍ପୂର୍ଣ୍ଣ ନିଃଶ୍ଵ । ସ୍ଵାମୀ, ପୁତ୍ର, କନ୍ୟା ଥିଲେ । ୧୯୯୯ ମହାବାତ୍ୟା ବେଳେ ଝିଅ ନିଖୋଜ ହୋଇଯାଇଥିଲେ । ମାତ୍ର ସେ ଜୀବିତ ଥିବା ଏବଂ ଅନ୍ୟ କେଉଁଆଡ଼େ ବିବାହ କରିଥିବା ମା’ ଶାନ୍ତି ଶୁଣିଛନ୍ତି, କିନ୍ତୁ ଦେଖିନାହାନ୍ତି । ୩ ବର୍ଷ ପୂର୍ବରୁ ସ୍ଵାମୀଙ୍କ ପରଲୋକ ହୋଇଯାଇଛି । ଏକମାତ୍ର ପୁଅ ବିବାହ ପରେ ପତ୍ନୀ ସହ ଅଲଗା ରହୁଛନ୍ତି, ଯେଉଁ ଘର କରିଥିଲେ ତାହା ଏବେ ନାହିଁ । ଏବେ ବଞ୍ଚିବାର ମାଧ୍ୟମ ହେଉଛି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ, ଯାହାକୁ ସେ ମାଗିକି ଖାଇଥାଆନ୍ତି । ଅନ୍ୟ ସମୟରେ ଯିଏ ଯାହା ଦେଲେ ସେଥିରେ ପେଟ ଚାଖଣ୍ଡକ ଚଳିଯାଏ । ରାତି କଟେ ଯେକୌଣସି ଲୋକଙ୍କ ପିଣ୍ଡାରେ । ବସରେ ଏପାଖରୁ ସେପାଖ ଯାତାୟାତରେ ଦିନ କଟେ । ହାତରେ ଏକ ବାଡି ଓ ଝାଡୁ । ବାଡି ଆଶ୍ରା ଦେବା ସହ ବୁଲା ଗାଈ କୁକୁରଠାରୁ ସୁରକ୍ଷା ଦେଉଛି । ଝାଡୁ ଏଥିପାଇଁ ଯେ, ଯେଉଁଠି ଆବର୍ଜନା ଦେଖିଲେ ସଫା କରିଦିଅନ୍ତି ।
ବୃଦ୍ଧା ଅବସ୍ଥାରେ ପହଞ୍ଚିଥିଲେ ହେଁ ତାଙ୍କୁ କେବେ କୌଣସି ରୋଗ ହୋଇନାହିଁ କି ସେ ମେଡିକାଲ ଯାଇ ନ ଥିବା କୁହନ୍ତି । ଶାନ୍ତିଙ୍କ ମୂଳଘର କଟକ ଜିଲା ଓଲାଣ୍ଡୋ ମାଣିତିରୀ ଗ୍ରାମରେ । ପିତା ସ୍ଵର୍ଗତ ମୁରଲୀ ଜେନା । ପିଲାଦିନେ ଛାତ କାମ ପାଇଁ ପାରାଦୀପ ଆସି ପରେ ଉଚ୍ଛବ ମଣ୍ଡଳଙ୍କୁ ବିବାହ କରିଥିଲେ । ସମୟ ଥିଲା ସେ ଷଣ୍ଢକୁଦରେ ମହାଜନୀ କରୁଥିଲେ । ସମୟ ବଦଳିବା ସହ ଜୀବନରେ ସବୁ ଆଜି ଚାଲିଯାଇଛି ।
ଆଧାର – ଦୈନିକ ଧରିତ୍ରୀ
Last Modified : 12/7/2019