ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ସଂଧ୍ୟାରାଣୀଙ୍କ ସଂଘର୍ଷର କାହାଣୀ
ସେଆର କରନ୍ତୁ

ସଂଧ୍ୟାରାଣୀଙ୍କ ସଂଘର୍ଷର କାହାଣୀ

ମୁଠି ଚାଉଳ ସଂଚୟରୁ ମହିଳା ଉଦ୍ୟୋଗୀ : ସଂଧ୍ୟାରାଣୀଙ୍କ ସଂଘର୍ଷର କାହାଣୀ

ଉପକ୍ରମ

ଇଛା ଥିଲେ ଉପାୟ ବଳେ ବଳେ ଆସେ । ଦୃଢ ଇଛା ଶକ୍ତି ବଳରେ ନିଜର ପରିସ୍ଥିତିକୁ ପରିବର୍ତ୍ତନ କରିହୁଏ । ସବୁ ବାଧା ବିଘ୍ନକୁ ଏଡାଇ ଯାଇ ନିଜ ଲକ୍ଷ୍ୟ ସ୍ଥଳରେ ପଂହଚି ହୁଏ । ଗାଁର ମହିଳାମାନେ ଯେ କେବଳ ସ୍ୱାମୀଙ୍କ ଉପରେ ନର୍ଭର କରିବେ, ସେମାନେ ନିଜେ ରୋଜଗାର କରିବା କଷ୍ଟକର, ଏକଥାକୁ ବି ଭୁଲ ପ୍ରମାଣିତ କରିଛନ୍ତି ସେ । ଏମିତି ଜଣେ ମହିଳାଙ୍କ ସଂଘର୍ଷର କାହାଣୀ, ସେ ନିଜ ଚେଷ୍ଟା ବଳରେ ଆତ୍ମନିର୍ଭର ହୋଇନାହାନ୍ତି, ଅନ୍ୟ କିଛି ମହିଳାଙ୍କୁ ବି ରୋଜଗାରର ରାହା ଦେଖାଇଛନ୍ତି । ଆଖପାଖର ଗାଁ ମହିଳାଙ୍କ ପାଇଁ ସେ ଉହାହରଣ ପାଲଟି ଯାଇଛନ୍ତି । ସେ ହେଉଛନ୍ତି ସଂଧ୍ୟାରାଣୀ । ସେ ଜୀବନ ସଂଘର୍ଷରେ ହାରି ନଯାଇ ନିଜକୁ ଛିଡା କରାଇଛନ୍ତି ଏକ ସମ୍ମାନସ୍ପଦ ସ୍ଥାନରେ।

 

ସଂଧ୍ୟାରାଣୀ ଯାତ୍ରା

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଭୁଷୁଣ୍ଡପୁର ଗାଁର ବୋହୂ ସନ୍ଧ୍ୟାରାଣୀ ମାହାଲା । ପାରିବାରିକ ସ୍ଥିତି ଅତ୍ୟନ୍ତ ଖରାପ ଥିଲା ତାଙ୍କର । ସ୍ୱାମୀ କିରଣ ମାହାଲାଙ୍କୁ ସବୁବେଳେ କାମ ମିଳୁନଥିଲା । ସଂଧ୍ୟାରାଣୀ ସବୁବେଳେ ଚିନ୍ତା କରୁଥିଲେ ସେ ବି ରୋଜଗାର କରିବେ ଓ ପରିବାରକୁ ଆର୍ଥିକ ସହଯୋଗ ମିଳିପାରିବ । ତେବେ ଗାଁରେ ପରମ୍ପରା ଓ ଅନ୍ୟାନ୍ୟ କଟକଣାକୁ ଦୃଷ୍ଟିରେ ରଖି ପରିବାର ଲୋକେ ରାଜି ହେଉନଥିଲେ । ଜଣେ ମହିଳା ରୋଜଗାର କରି ପରିବାର ଚଳାଇବା କଥାକୁ ସମାଜ ସହଜରେ ହଜମ କରିପାରେ ନାହିଁ । ସଂଧ୍ୟାରାଣୀଙ୍କ କ୍ଷେତ୍ରରେ ମଧ୍ୟ ସେୟା ହେଲା । ତେବେ ସେ ନିରାଶ ହୋଇନଥାନ୍ତି । ଗାଁରେ ଥିବା ଏକ ସ୍ୱଂୟ ସହାୟକ ଗୋଷ୍ଠୀରେ ସେ ନିଜକୁ ସାମିଲ କରାଇଥିଲେ । ସେଠାରେ ପ୍ରତିଦିନ ମୁଠି ଚାଉଳ ସଂଗ୍ରହ କରାଯାଇ ସଂଚୟ କରାଯାଇଥାଏ । ସେହିଠାରୁ ସେ କିଛି କରିବା ଲାଗି ଆହୁରି ସାହସ ପାଇଥିଲେ । ଘରେ ରୋଷଇ ହେବାକୁ ଥିବା ଚାଉଳ ମୁଠିଏ ସଂଚୟ କରି ରଖୁଥିଲେ ସଂଧ୍ୟାରାଣୀ । ତାହାକୁ ସ୍ୱଂୟ ସହାୟକ ଗୋଷ୍ଠୀରେ ଜମା କରୁଥିଲେ । ଘରେ ଜମି ବାଡି ବେଶୀ ନାହିଁ । ଆଠଗୁଣ୍ଠ ପାହାଡିଆ ଜମିରୁ ବହୁତ କମ୍ ଧାନ ମିଳେ । ସେଥିରୁ ବର୍ଷେ ଯାକ ଚଳିବା ଭାରି କଷ୍ଟକର ଥିଲା । ଘରେ ସ୍ୱାମୀ ଓ ତିନି ପୁଅ । ପୁଅମାନଙ୍କୁ ପାଠ ପଢାଇ ଭଲ ମଣିଷ କରିବା ଲକ୍ଷ୍ୟ ଥିଲା ସଂଧ୍ୟାରାଣୀଙ୍କର । ଏକ ସ୍ୱଂୟ ସହାୟକ ଗୋଷ୍ଠୀକୁ ଆସୁଥିବା ସ୍ୱେଚ୍ଛାସେବୀ ସଂଗଠନଙ୍କ କର୍ମକର୍ତ୍ତାଙ୍କ ଜରିଆରେ ସେ ସେ ଛତୁଚାଷରେ ତାଲିମ ନେବାକୁ ଇଛାପ୍ରକାଶ କଲେ । ଏହାକୁ ଘର ଲୋକେ ଖୁବ୍ ବିରୋଧ କରିଥିଲେ । ଏହା ୧୯୯୯ ମସିହାର କଥା ଥିଲା।

ସଂଧ୍ୟାରାଣୀଙ୍କ ସ୍ୱାମୀଙ୍କ ମତ

ଏ ସମ୍ପର୍କରେ ସଂଧ୍ୟାରାଣୀଙ୍କ ସ୍ୱାମୀ କିରଣ ମାହାଲା କୁହନ୍ତି,ଆମେ ସେତେବେଳେ ତାକୁ ବିରୋଧ କରିଥିଲୁ । ମହିଳାମାନେ ଘରୁ ବାହାରି କାମ କରିବେ, ଏକଥା ଆମକୁ ଭଲ ଲାଗୁନଥିଲା । କିନ୍ତୁ ମନୋମାଳିନ୍ୟ ସତ୍ତ୍ୱେ ସେ ଛତୁ ଚାଷ ତାଲିମ ପାଇଁ ଭୁବନେଶ୍ୱର ଯାଇଥିଲା । ଏବେ ତାର ସଫଳତା ଦେଖି ବେଶ୍ ଖୁସୀ ଲାଗୁଛି । ମୁଁ ବି ତା ସହ ସାମିଲ ହୋଇଛି । ଭୁବନେଶ୍ୱରରେ ଓୟୁଏଟିରୁ ଛତୁଚାଷ ବିଷୟରେ ସେ ତାଲିମ ନେଲେ । ସେହି ଦିନ ଠାରୁ ପଛକୁ ଫେରି ଚାହିଁ ନାହାନ୍ତି । ୨୦୦୦ ମସିହାରେ ସଂଧ୍ୟାରାଣୀ ଗୋଟିଏ ପାଳଛତୁ ବେଡ୍ ପକାଇଥିଲେ । ସେଥିରୁ ୧ କେଜି ଛତୁ ପାଇବା ପରେ ତାଙ୍କର ଆତ୍ମବିଶ୍ୱାସ ବଢିଥିଲା । ଧୀରେ ଧୀରେ ସେ ବେଡ୍ ସଂଖ୍ୟା ବଢାଇବାକୁ ଲାଗିଲେ । ଏହା ଏକ ଉଦ୍ୟୋଗରେ ପରିଣତ ହୋଇ ଯାଇଥିଲା । ସେ ଏକୁଟିଆ ଏହାକୁ କରିପାରିଲେ ନାହିଁ । ପ୍ରଥମେ ଦୁଇ ଜଣ ମହିଳାଙ୍କୁ ନିଯୁକ୍ତି ଦେଲେ । ଏବେ ଛତୁ ବେଡ୍ ସଂଖ୍ୟା ବହୁତ ବଢିଯାଇଛି । ସେଗୁଡିକୁ ଦେଖାରେଖା ଓ ଅଧିକ ଉତ୍ପାଦନ ପାଇଁ ସେ ଏବେ ୧୨ ଜଣ ମହିଳାଙ୍କୁ କାମ ଦେଇଛନ୍ତି । ସେମାନଙ୍କୁ ମାସିକ ୨ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ଦେଉଛନ୍ତି ।

ସଂଧ୍ୟାରାଣୀ ସଫଳତା

ଏହି ସଫଳତା ସମ୍ପର୍କରେ ସଂଧ୍ୟାରାଣୀ କହନ୍ତି,ଏବେ ମୁଁ ପୂର୍ବ ଭଳି ଛତୁ ଚାଷୀଟିଏ ଭଳି କାମ କରୁଛି । ଏହାର ମୁଁ ମାଲିକ ଓ ମୋ ପାଖରେ ଏତେ ଲୋକ କାମ କରୁଛନ୍ତି ବୋଲି ଭାବିନାହିଁ । ଗାଁର ମହିଳାଙ୍କ ସଙ୍ଗେ ମିଶି ଅଧିକ ଛତୁ ଉତ୍ପାଦନ ପାଇଁ ଚେଷ୍ଟା କରୁଛୁ। ସରକାରୀ ମିଳିଲେ ଛତୁ ବଡି, ଛତୁ ଆଚାର, ଛତୁ ଗୁଣ୍ଡ ଆଦି ବିକ୍ରି କରି ପାରିବା ସହ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇପାରିବ ।

ଛତୁଚାଷ ପାଇଁ ସଂଧ୍ୟାରାଣୀଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନ ଓ ସ୍ୱିକୃତୀ ମିଳିଛି । ପ୍ରଥମେ ୨୦୧୩ରେ ବଡଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଫଳ ଚତୁଚାଷୀ ଭାବେ ସମ୍ମାନିତ କରାଯାଇଥିଲା । ସେହିବର୍ଷ ବଡଚଣା ଆତ୍ମା ପକ୍ଷରୁ କୃଷି ଓ କୃଷକ ସମ୍ମାନ ମଧ୍ୟ ମିଳିଥିଲା । ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘ ପକ୍ଷରୁ ସେହି ବର୍ଷ ସଫଳ ଚାଷୀ ସମ୍ମାନ ମିଳିଥିଲା । ଗତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସରେ ତାଙ୍କୁ ମିଳିଥିଲା ସଫଳ ମହିଳା ଚାଷୀ ସମ୍ମାନ । ଏହି ବର୍ଷ ତାଙ୍କୁ ଯାଜପୁରରେ ଯଯାତି ସମ୍ମାନ ମଧ୍ୟ ମିଳିଛି । ଏସବୁ ସମ୍ମାନ ପାଇବା ପରେ ତାଙ୍କୁ ଏହି ଛତୁ ଚାଷ ଉଦ୍ୟୋଗକୁ ଆହୁରି ବଢାଇବା ପାଇଁ ପ୍ରେରଣା ମିଳୁଛି ବୋଲି କହନ୍ତି ସଂଧ୍ୟାରାଣୀ । ସଂଧ୍ୟାରାଣୀ ତାଙ୍କ ଲକ୍ଷ୍ୟରେ ସଫଳ ହୁଅନ୍ତୁ, ଏହା ହିଁ ୟୋର ଷ୍ଟୋରୀ ତରଫରୁ କାମନା ।

ଆଧାର – Akhand

3.25
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top