ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ହାରିବାର ନାହିଁ
ସେଆର କରନ୍ତୁ

ହାରିବାର ନାହିଁ

ପୁରୁଷ ପ୍ରଧାନ ସମାଜରେ ଜଣେ ମହିଳା ପରିବାରର ଭାର ନିଜ ମୁଣ୍ଡକୁ ନେଇ ଏକାକୀ ମୁଣ୍ଡାଇଛନ୍ତି ପରିବାରର ବୋଝ ଆଉ ପ୍ରମାଣ କରି ଦେଖାଇଛନ୍ତି ନାରୀ ଦୁର୍ବଳା ନୁହେଁ ।

ଉପକ୍ରମ

ଆଜିର ଏହି ପୁରୁଷ ପ୍ରଧାନ ସମାଜରେ ଜଣେ ମହିଳା ପରିବାରର ଭାର ନିଜ ମୁଣ୍ଡକୁ ନେଇ ଏକାକୀ ରହିବା ଯେ କେତେ କଷ୍ଟ ତାହା କହିବା ବାହୁଲ୍ୟ ମାତ୍ର । ତଥାପି ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ସ୍ଵାମୀଙ୍କ ମୃତ୍ୟୁପରେ ହେଉ ଅବା କୌଣସି କାରଣବଶତଃ ସ୍ଵାମୀଙ୍କଠାରୁ ଅଲଗା ରହି ଏକାକୀ ମୁଣ୍ଡାଇଛନ୍ତି ପରିବାରର ବୋଝ ଆଉ ପ୍ରମାଣ କରି  ଦେଖାଇଛନ୍ତି ନାରୀ ଦୁର୍ବଳା ନୁହେଁ, ସେ ବି ହାରିବା ଶିଖୁନି ।

ଏକାକୀ ଜୀବନ ସଙ୍ଘର୍ଷମୟ

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ଗ୍ରାମର ଲାବଣ୍ୟ ପରିଡା। ଅନ୍ୟ ଝିଅଙ୍କ ଭଳି ସେ ବି ଏକ ସୁନ୍ଦର ଭବିଷ୍ୟତର ସ୍ଵପ୍ନ ନେଇ ବିବାହ କରନ୍ତି ଲୋକନାଥ ପରିଡାଙ୍କୁ । ବେଶ୍ ହସ ଖୁସିରେ ଚାଲେ ତାଙ୍କର ବୈବାହିକ ଜୀବନ ଆଉ ଜନ୍ମହୁଏ ଏକ ଶିଶୁ କନ୍ୟା । ହେଲେ ଶିଶୁଟି ଭିନ୍ନକ୍ଷମ ହୋଇଥିବାରୁ ମାତାପିତାଙ୍କ ମନରେ ଖେଳିଯାଏ ଦୁଃଖର ଲହରି । ତଥାପି ସେମାନେ ନିଜ ଦୁଃଖ କଷ୍ଟକୁ ମନରେ ଚାପି ଜୀବନପଥରେ ଆଗେଇ ଚାଲନ୍ତି । ହେଲେ ଝିଅ ଜନ୍ମର ମାତ୍ର ଦୁଇ ବର୍ଷ ପରେ ସ୍ଵାମୀଙ୍କ ଅକସ୍ମାତ ମୃତ୍ୟୁ ଉଜାଡିଦିଏ ଲାବଣ୍ୟଙ୍କ ସୁଖର ଦୁନିଆ, ଆଉ ସେ ହୋଇଯାନ୍ତି ଏକାକୀ । ସ୍ଵାମୀ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ଲାବଣ୍ୟଙ୍କ ମୁଣ୍ଡ ଉପରକୁ ପରିବାରର ସମସ୍ତ ଦାୟିତ୍ଵ ଆସିଯାଏ । ନିଜ ସହିତ ଭିନ୍ନକ୍ଷମ ଝିଅ ସୁଲୋଚନାକୁ ଦୁଇଓଳା ଦୁଇମୁଠା ଦାନା ଯୋଗାଇ ଦେବା ଲାଗି ସେ ସ୍ଥାନୀୟ  ଅଞ୍ଚଳରେ ମୂଲ ଲାଗିବା ଆରମ୍ଭ କରିଦିଅନ୍ତି । ହେଲେ ଆଜିର ଏହି ମହଙ୍ଗା ଯୁଗରେ ବଞ୍ଚି ରହିବା ଲାଗି ସେହି ସ୍ୱଳ୍ପ ଅର୍ଥ ନିଅଣ୍ଟ ପଡେ ତାଙ୍କୁ । ତେଣୁ ସେ ଜଙ୍ଗଲରୁ କାଠ ସଂଗ୍ରହ କରି ବିକିଥାନ୍ତି । ସେ କୁହନ୍ତି, ଆଜିର ଦୁନିଆରେ  ଜଣେ ସ୍ଵାମୀହରା ମହିଳା ୨୦ ବର୍ଷର ଝିଅକୁ ନେଇ ଚଳିବା ଯେ, କେତେ କଷ୍ଟ ତାହା ଭାଷାରେ ପ୍ରକାଶ କରିହେବ ନାହିଁ । ତା’ ସାଙ୍ଗକୁ ଅର୍ଥ ଅଭାବର ବୋଝ ମାନସିକ ସ୍ତରରେ ଆହୁରି ଯନ୍ତ୍ରଣା ଦେଉଛି । ଯଦିଓ ଗାଁ ଲୋକଙ୍କଠାରୁ ଶୁଣିବା ପରେ ବହୁବାର ବ୍ଲକ କାର୍ଯ୍ୟାଳୟ ଧାଇଁ ଧାଇଁ ବର୍ତ୍ତମାନ ବିଧବା ଭତ୍ତା ପାଉଛି, ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଭଙ୍ଗା ଝାଟିମାଟି ଘରେ ଜୀବନ ବିତୁଥିଲେ ସୁଦ୍ଧା କୋଠାଘର ଟିଏ କରିବା ଲାଗି ଆମଭଳି ଗରିବ, ନିରାଶ୍ରୟଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ । ଇତି ମଧ୍ୟରେ ସ୍ଵାମୀଙ୍କ  ମୃତ୍ୟୁକୁ ୧୮ବର୍ଷ ପୂରିଗଲାଣି, ହେଲେ ଯେତେ ଦୁଃଖ କଷ୍ଟ ଆସିଲେ ସୁଦ୍ଧା ଏକାକୀ ଝିଅ ପ୍ରତି ସମସ୍ତ କର୍ତ୍ତବ୍ୟ କରି ଆସିଛି ଆଉ ବଞ୍ଚିଥିବା ପର୍ଯ୍ୟନ୍ତ କେବେ ହାର ମାନିବି ନାହିଁ ।

ଦୁର୍ବଳା ନୁହେଁ

ବିବାହ ପରେ ପ୍ରତ୍ୟେକ ଝିଅ ଜୀବନରେ ବଦଳିଥାଏ ଅନେକ କିଛି । ପୂର୍ବରୁ ନିଜ ସ୍ଵାମୀଙ୍କୁ ନେଇ ସେ ଯାହା ଭାବିଥାଏ ଅବା ଯେଉଁସବୁ ସ୍ଵପ୍ନ ଦେଖିଥାଏ ତାହା କେବେ କେବେ ହୋଇଯାଏ ବିପରୀତ । ବୈବାହିକ ଜୀବନ ତାଙ୍କ ଲାଗି ପାଲଟିଯାଏ ଅଭିଶାପ, ଆଉ ସେ ଚାହାନ୍ତି ଏଥିରୁ ମୁକ୍ତି । ଯାହାକି ଘଟିଥିଲା ତାପସୀ ଜେନାଙ୍କ ଜୀବନରେ । ସେ ଓଡିଶା ପରିବାରର ଝିଅ, ହେଲେ ପରିବାର ସହିତ ରହୁଥିଲେ ପଶ୍ଚିମବଙ୍ଗ ଦେଉଳିଆ ହାଟ ଅଞ୍ଚଳରେ । ସେଠାରେ ତାଙ୍କର ବିବାହ ହୋଇଥିଲା ପଶ୍ଚିମବଙ୍ଗ ଦୀଘା ଅଞ୍ଚଳର ଜଣେ ସରକାରୀ କର୍ମଚାରୀଙ୍କ ସହିତ । ପ୍ରଥମେ ପ୍ରଥମେ ଉଭୟଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲୁଥିବା । ଏହା ଭିତରେ ସେମାଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ । ହେଲେ ଏହି ଖୁସି ଅଧିକ ଦିନ ରହିଲା ନାହିଁ । କାରଣ ଧୀରେ ଧୀରେ  ବଦଳିବାକୁ ଲାଗିଲା ସ୍ଵାମୀଙ୍କ ବ୍ୟବହାର । କଥା କଥାକେ ବିନା କାରଣରେ ସେ ଆରମ୍ଭ କରିଦେଲେ ତାଙ୍କ ଉପରେ ଶାରୀରିକ ଓ ମାନସିକ ଅତ୍ୟାଚାର । ସବୁଦିନ ଏଭଳି ଘଟଣାକୁ ସହି ନ ପାରି ତାପସୀ ଦୁଇପୁଅଙ୍କୁ  ନେଇ ବାପଘରକୁ ଚାଲି ଆସିଲେ । ହେଲେ ସେଠାରେ ମଧ୍ୟ ତାଙ୍କୁ ସେ ଶାନ୍ତିରେ ରହିବାକୁ ଦେଇ ନ ଥିଲେ ବରଂ ଅନେକ ସମୟରେ ଆସି ନିର୍ଯାତନା ଦେଉଥିଲେ । ବାରମ୍ବାର ଏପରି ହେବାରୁ ସେ ଅତିଷ୍ଠ ହୋଇପଡିଲେ, ଆଉ ସ୍ଵାମୀଙ୍କ ସହ ସବୁ ସମ୍ପର୍କ ତୁଟାଇ ଶେଷରେ ନିଜ ଦୁଇ ପୁଅଙ୍କୁ ସାଙ୍ଗରେ ନେଇ ବାରିପଦାର ତୁଳସୀଚଉରାକୁ ଚାଷୀ ଆସିଲେ । ସେଠାରେ ଏକ ଏକ ଭଡାଘର ନେଇ ରହିଲେ । ତା’ପରେ ଆରମ୍ଭ ହେଲା ତାଙ୍କର ସଂଘର୍ଷମୟ ଜୀବନ । ପରିବାର ପ୍ରତିପୋଷଣ ଲାଗି ସେ ପରଘରେ ରୋଷେଇ କରିବା, ବାସନ ମାଜିବା ଆଦି କାର୍ଯ୍ୟ କଲେ । ଧୀରେ ଧୀରେ ପିଲାମାନେ ବଡ ହେବାରୁ ସେମାନଙ୍କ ପାଠ ପଢାଇବା ଲାଗି ଅଧିକ ଅର୍ଥ ଆବଶ୍ୟକ ପଡିଲା । ତେଣୁ ସେ ବିଭିନ୍ନ ଶାଢି ଦୋକାନରୁ ଶାଢି ନେଇ ଘର ଘର ବୁଲି ବିକ୍ରି କଲେ । ପରେ ସିଲେଇ କାର୍ଯ୍ୟ ଶିଖି ନିଜେ ସିଲେଇ କଲେ । ତାପସୀ କୁହନ୍ତି, ନାରୀ ଯେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଉପରେ ନିର୍ଭରଶୀଳ ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ । କାରଣ ନାରୀ କୌଣସି କ୍ଷେତ୍ରରେ ଦୁର୍ବଳା ନୁହେଁ । ସେ ଚାହିଁଲେ ଏକାକୀ ସଂଘର୍ଷ କରି ଆଗକୁ ବଢିପାରିବ । ହେଲେ ଏଥିପାଇଁ ଆତ୍ମବିଶ୍ଵାସ ଦରକାର । ମୁଁ ମଧ୍ୟ ପ୍ରଥମେ ପ୍ରଥମେ ଖୁବ୍ ଦୁଃଖ କରୁଥିଲି, ହେଲେ ନିଜର ଆତ୍ମବିଶ୍ଵାସକୁ କେବେ ଦୁର୍ବଳ ହେବାକୁଦେଇ ନ ଥିଲି । ଯେତେ ଦୁଃଖ କଷ୍ଟ ହେଉ ପଛେ ପିଲାଙ୍କୁ ମଣିଷ କରିବାର ସ୍ଵପ୍ନ ଦେଖି ଅନ୍ୟ ସବୁସମ୍ପର୍କକୁ ଜଳାଞ୍ଜଳି ଦେଇ କର୍ତ୍ତବ୍ୟ ପଥରେ ଆଗେଇ ଛାଲିଲି । ବର୍ତ୍ତମାନ ମୋର ଦୁଇ ପୁଅ ରୋଜଗାରକ୍ଷମ ।

ବାଧକ ସାଜିନି ଦୁଃଖ

ଅସମୟରେ ଆରପାରିକୁ ଚାଲିଗଲେ ସ୍ଵାମୀ । ତାଙ୍କ ଜୀବନରେ ଛାଇଗଲା ଦୁଃଖର କଳାବାଦଲ । ସେ ହୋଇଗଲେ ଏକା । ତାଙ୍କ  ମୁଣ୍ଡ ଉପରକୁ ଆସିଗଲା ଗୋଟିଏ ଝିଅ ଆଉ ୩ ପୁଅଙ୍କ ସମସ୍ତ ଦାୟିତ୍ଵ । ହେଲେ ଯେତେ ଦୁଃଖ କଷ୍ଟ ହେଉପଛେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ନ ଦେଇ ସେ ଜୀବନର ଚଲାପଥରେ ଆଗେଇ ଆସିଲେ । ଆଉ ସ୍ଵାମୀଙ୍କ ପରେ ପରିବାରର ଏକାକୀ ରୋଜଗାରକ୍ଷମ ସଦସ୍ୟ ହିସାବରେ ପରିବାର ପ୍ରତି ଥିବା ସମସ୍ତ କର୍ତ୍ତବ୍ୟ କରିଚାଲିଲେ । ସେ ହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରହୁଥିବା ବିଦୁଲତା ସାହୁ । ସ୍ଵାମୀଙ୍କ ଦେହାନ୍ତ ପରେ ଏକାମାତ୍ର ରୋଜଗାର ପନ୍ଥା ବନ୍ଦ ହୋଇଯିବାରୁ ପରିବାର ଭରଣପୋଷଣରେ ବାଧା ଉପୁଜିଲା । ପିଲାଙ୍କ ଲାଗି ଖାଦ୍ୟ, ପୋଷାକପତ୍ର ସହ ପାଠପଢା ପାଇଁ ଆବଶ୍ୟକ ଅର୍ଥ ଅଭାବ ପଡିଲା, ଯାହାକି ଗଭୀର ପ୍ରଭାବ ପକାଇଥିଲା ମା’ ବିଦୁଲତାଙ୍କ ମନରେ । ସେ ସମସ୍ତ ଦୁଃଖ ଯନ୍ତ୍ରଣାକୁ ମନରେ ଚାପିରଖି ଏକାକୀ ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ଅଣ୍ଟା ଭିଡ଼ିଲେ । ଆଉ ଗାଁ ମୁଣ୍ଡରେ ବନ୍ଦ ହୋଇ ପଡି ରହିଥିବା ସ୍ଵାମୀଙ୍କ ଜଳଖିଆ ଦୋକାନକୁ ପୁନର୍ବାର ଆରମ୍ଭ କରିଥିଲେ । ବିଦୁଲତା କୁହନ୍ତି, ସ୍ଵାମୀ ଚାଲିଯିବା ପରେ ଯଦିଓ ମୁଁ ଭାଙ୍ଗି ପଡିଥିଲି, ହେଲେ ପରିବାର ସ୍ଥିତି ଓ ପିଲାମାନଙ୍କ ବିକଳ ମୁଁହ ଦେଖି ସେମାନଙ୍କ ଭରଣପୋଷଣରେ ଯେପରି ଅବହେଳା କରି ନ ବସେ ସେଥିଲାଗି ନିଜ ମନକୁ ଦୃଢ କରିଥିଲି । ଜଣେ ମହିଳା ହିସାବରେ ଏକାକୀ ଦୋକାନ ଚଳାଇବାରେ ପ୍ରଥମେ ପ୍ରଥମେ ଅନେକ ବାଧା ଉପୁଜିଥିଲେ ହେଁ କେବେ ହାର ମାନି ନ ଥିଲି । ଭଗବାନଙ୍କ ଦୟାରୁ ସେହି ସ୍ୱଳ୍ପ ଅର୍ଥରେ ପିଲାମାନଙ୍କ ଆବଶ୍ୟକତା ମେଣ୍ଟାଇବା ସହିତ ଝିଅର ବିବାହ ମଧ୍ୟ କଲି । ବର୍ତ୍ତମାନ ପରିଣତ ବୟସରେ ପହଞ୍ଚିସାରିଥିବାରୁ ପିଲାମାନଙ୍କ ଜୀବନରେ ଏଭଳି ଦୁଃଖ କଷ୍ଟ କେବେ ନ ଆସୁ ବୋଲି କାମନା କରୁଛି ।

ହାରିବା ଶିଖିନି

ସମ୍ବଲପୁର ଜିଲା ନାକଟୀଦେଉଳ ବ୍ଲକ ଅନ୍ତର୍ଗତ ହିନ୍ତାରାଇ ଗାଁରେ ରୁହନ୍ତି ୫୫ବର୍ଷ ବୟସ୍କା ମାଗେ ଖାଡିଆ । ପରିବାର କହିଲେ ୩ ଜଣ-ସେ ଆଉ ତାଙ୍କର ଦୁଇ ଭିନ୍ନକ୍ଷମ ପୁଅ । ଜୀବନ କାହାଣୀ ତାଙ୍କର ଯେତିକି ଦୁଃଖଭରା ସେତିକି ସଂଘର୍ଷମୟ । ଦୁଇ ପୁଅଙ୍କ ଜନ୍ମପରେ ସ୍ଵାମୀଙ୍କ ସହ ଏକ ଖୁସିପୂର୍ଣ୍ଣ ଜୀବନ ବିତାଉଥିଲେ ସେ । ପିଲାମାନଙ୍କ ଦରୁଟିଆ କଥା ଆଉ ଖଳକୁଦରେ ପୁରି ଉଠୁଥିଲା ଘର । ହେଲେ ହଠାତ୍ ତାଙ୍କ ଜୀବନରେ ଆସିଲା ଝଡ । ମାତ୍ର ୩ବର୍ଷ ବୟସର ବଡପୁଅର ହାତଗୋଡ ବଙ୍କା ହୋଇଗଲା । ଠିକ୍ ସେହିପରି ୪ ବର୍ଷ ବୟସରେ ସାନପୁଅର ଅବସ୍ଥା ମଧ୍ୟ ସେହିପରି ହେଲା । ଦୁଇପୁଅଙ୍କୁ ଏଭଳି ଭିନ୍ନକ୍ଷମ ଅବସ୍ଥାରେ ଦେଖି ମାତାପିତା ଭାଙ୍ଗିପଡିଲେ । ଆଖପାଖ  ଅଞ୍ଚଳର ସମସ୍ତ ଡାକ୍ତରଖାନାକୁ ଧାଇଁ ଧାଇଁ କୌଣସି ସଫଳ ନ ମିଳିବାରୁ ଶେଷରେ ନିରାଶ ହୋଇପଡିଲେ । ହେଲେ ଏତିକିରେ ସରି ନ ଥିଲା ମାଗେଙ୍କ ଦୁଃଖ କାହାଣୀ । କିଛି ବର୍ଷ ପରେ ସ୍ଵାମୀ ପାରାଲିସିସ୍ ରୋଗରେ ମୃତ୍ୟୁବରଣ କଲେ । ବୋଝ ଉପରେ ନଳିତା ବିଡା ସଦୃଶ ତାଙ୍କ ଜୀବନ ଯନ୍ତ୍ରଣାର ବୋଝ ଆହୁରି ବଢିଗଲା । ହେଲେ ଦାରିଦ୍ର୍ୟତାର ଦୁଃଖ କଷ୍ଟ ସତ୍ତ୍ୱେ ଭିନ୍ନକ୍ଷମ  ପୁଅଦୁହିଁଙ୍କୁ ବଞ୍ଚାଇ ରଖିବା ଲାଗି ସେ ଚଳାଇଲେ ଉଦ୍ୟମ । ପ୍ରତିଦିନ ସେମାନଙ୍କ ଗାଧୁଆ ପାଧୁଆ, ଡ୍ରେସ୍ ପିନ୍ଧାଇବା, ଖୁଆଇବା ଇତ୍ୟାଦି କାମ ସାରି ସେ ଚାଲିଯାଆନ୍ତି ଜଙ୍ଗଲକୁ । ସେଠାରୁ ବିଭିନ୍ନ ଜଙ୍ଗଲଜାତ  ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ବଜାରରେ ବିକ୍ରୟ କରି ଯେତିକି ରୋଜଗାର କରନ୍ତି ସେତିକିରେ ହିଁ ମେଣ୍ଟାନ୍ତି ତାଙ୍କର ଗୁଜୁରାଣ । ତେବେ ପୁଅଦୁଇଟି ନିଜ କାମ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିବାରୁ ଯେପରିକି  ବନ୍ୟପ୍ରାଣୀ ସେମାନଙ୍କୁ କୌଣସି କ୍ଷତି ନ ପହଞ୍ଚାନ୍ତି ସେଥିଲାଗି ଜଙ୍ଗଲକୁ ଯିବାପୂର୍ବରୁ ସେ ନିଜ ପୋଷା କୁକୁରକୁ ଜଗାଇଦେଇ ଯାଆନ୍ତି । ହେଲେ ଏହିଭଳି ଭାବେ କିଛିବର୍ଷ କାଟିବା ପରେ ହଠାତ୍ ଠାରେ ବଣୁଆହାତୀ ତାଙ୍କ ଘର ଭାଙ୍ଗିଦେଲା । ସେବେଠାରୁ ଭୟରେ ସେ ପିଲାମାନଙ୍କୁ ନେଇ ସେଠାରୁ କିଛିଦୂରକୁ ଚାଲିଗଲେ । ବାରମ୍ବାର ସରକାରୀ କାର୍ଯ୍ୟାଳୟ ଧାଇଁ ଧାଇଁ ଶେଷରେ ଇନ୍ଦିରାଆବାସ ଗୃହ ସହିତ ପିଲାଙ୍କ ଲାଗି ଭିନ୍ନକ୍ଷମ ଭତ୍ତା କରାଇବାରେ ସକ୍ଷମ ହେଲେ ଆଉ ପ୍ରମାଣ କରିଦେଖାଇଲେ ଯେ, ନାରୀ ହାରିବା ଶିଖିନି । ଯେତେ ଦୁଃଖ କଷ୍ଟ ହେଉନା କାହିଁକି ନିଜ ଉଦ୍ୟମରେ ସବୁକୁ ପଛରେ ପକାଇ ଆଗକୁ ବଢିଛି । ମାଗେ କୁହନ୍ତି, ଜୀବନରେ ଅନେକ ଦୁଃଖ ସହିଛି । ଆଉ ସେ ସବୁକୁ ଖାତିର ନ କରି ପିଲାମାନଙ୍କ ମୁହଁକୁ ଚାହିଁ ବଞ୍ଚିଛି । ପାରୁ ପର୍ଯ୍ୟନ୍ତ ସେମାନଙ୍କ ସେବା କରିବି ଏବଂ ଢାଲ ହୋଇ ରହିବି । ତେବେ ମୋ ମୃତ୍ୟୁ ପରେ ସେମାନେ କେମିତି ରହିବେ, ସେହି ଗୋଟିଏ ଚିନ୍ତା ମୋତେ ମାନସିକ ସ୍ତରରେ ଦୁର୍ବଳ କରିଦେଉଛି ।

ଆଧାର – ଦୈନିକ ଧରିତ୍ରୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top