ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ହୁଇଲଚେୟାରରେ ବସିଥିବା ଏଇ ଲୋକଟି ଦେଶର ସମସ୍ତ ରାଜପଥରେ ଥିବା ମଦଦୋକାନକୁ କଲା ବନ୍ଦ
ସେଆର କରନ୍ତୁ

ହୁଇଲଚେୟାରରେ ବସିଥିବା ଏଇ ଲୋକଟି ଦେଶର ସମସ୍ତ ରାଜପଥରେ ଥିବା ମଦଦୋକାନକୁ କଲା ବନ୍ଦ

ହରମାନ ସିଂହ କଲେ ଦେଶର ସମସ୍ତ ରାଜପଥରେ ଥିବା ମଦଦୋକାନ ବନ୍ଦ

ହରମାନ ସିଂହ କଲେ ଦେଶର ସମସ୍ତ ରାଜପଥରେ ଥିବା ମଦଦୋକାନ ବନ୍ଦ

୧୯୯୬ର ଅକ୍ଟୋବର ମାସର କଥା। ୨୬ ବର୍ଷୀୟ ହରମାନ ସିଂହ ସିଧୁ ଓ ତାଙ୍କର ତିନି ବନ୍ଧୁ ହିମାଚଳ ପ୍ରଦେଶର ଏକ ହ୍ରଦ ବୁଲିସାରୀ ନିଜ ଘର ଚଣ୍ଡୀଗଡ଼ କୁ ଫେରୁଥାଆନ୍ତି। ବାଟରେ ଗୋଟିଏ ଚିତାବାଘ ଛୁଆ ଦେଖିବାରୁ ସେମାନେ ଆହୁରି ଏମିତି ବନ୍ୟଜନ୍ତୁ ଦେଖିବାର ଆଶାରେ ଜାତୀୟ ରାଜପଥ ଛାଡ଼ି କଚା ରାସ୍ତା ଦେଇ ଯିବାର ନିଷ୍ପତ୍ତି ନେଲେ। ତାଙ୍କ ଗାଡ଼ି କିଛି ସମୟ ପରେ ମାଟି ରାସ୍ତାରେ ନିୟନ୍ତ୍ରଣ ରଖି ନପାରି ତଳକୁ ଖସିଗଲା ଓ ପାହାଡ଼ ତଳକୁ ପଡିଲା। ହରମାନଙ୍କର ବନ୍ଧୁ ମାନେ ବିଶେଷ କୌଣସି କଷ୍ଟ ବିନା ଗାଡ଼ିରୁ ବାହାରିଗଲେ କିନ୍ତୁ ହରମାନ ନିଜ ଶରୀରକୁ ଇଞ୍ଚେ ମାତ୍ର ଘୁଞ୍ଚାଇ ପାରିଲେ ନାହିଁ। ତାଙ୍କର ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇ ତାଙ୍କୁ ନିଶ୍ଚଳ କରିଦେଇଥିଲା।

ହରମାନ ସିଂହଙ୍କ ଯାତ୍ରା

ହରମାନ ମୃତ୍ୟୁ ମୁଖରୁ ଫେରିଆସିଥିଲେ। କିନ୍ତୁ ଗୋଡ଼ ଦୁଇଟି ତାଙ୍କର ଅଚଳ ହେଇଯାଇଥିଲା। ସେବେଠାରୁ ସେ ହୁଇଲଚେୟାରରେ। ଚଣ୍ଡୀଗଡ଼ର ଏକ ହସପିଟାଲରେ ଦୁଇ ବର୍ଷ କଟାଇବା ମଧ୍ୟରେ ସେ ଅନେକ ଦସ୍ତାବିଜ ପଢିଲେ ଓ ଜାଣିଲେ ଯେ ମେରୁଦଣ୍ଡରେ ଏପ୍ରକାରର ଆଘାତ ପ୍ରାୟତଃ ରାସ୍ତା ଦୁର୍ଘଟଣା ଯୋଗୁଁ ହୋଇଥାଏ। ସଡ଼କ ସୁରକ୍ଷା ଦିଗରେ କାମ କରିବାର ନିଷ୍ପତ୍ତି ନେଇ ହରମାନ ସ୍ଥାନୀୟ ଅଞ୍ଚଳରେ ଏ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଆରମ୍ଭ କଲେ। ନିଜେ ପ୍ଲାକାର୍ଡ ଧରିବା ଠାରୁ ଆରମ୍ଭ କରି ବିଭିନ୍ନ ଅଭିଯାନ ଆୟୋଜନ କରିବା ପର୍ଯ୍ୟନ୍ତ, ହରମାନ ନିଜ କ୍ଷମତା ମଧ୍ୟରେ ଯାହା କରିପାରିବେ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସବୁକିଛି କଲେ। ସେଠାକାର ଟ୍ରାଫିକ ପୁଲିସ ଅଧିକ୍ଷକ, ଅମିତାଭ ସିଂ ଧିଲନଙ୍କ ସହ ଦେଖା ହେବା ପରେ ସେ ନିଜର ଦୃଷ୍ଟିକୋଣ ବଦଳାଇଲେ।

କିଛି ମାସ ମଧ୍ୟରେ ହରମାନ ନିଜର ଏନଜିଓ ArriveSAFE ଆରମ୍ଭ କଲେ। ସଡ଼କ ସୁରକ୍ଷା ଦିଗରେ ସର୍ବାଧିକ ସଚେତନତା ଆଣିବା ଥିଲା ଏହାର ଆଭିମୁଖ୍ୟ। ଏତିକି ଦିନର ଅଭିଜ୍ଞତା ସହ ସେ WHO ଏବଂ UN ସହ ଏହି ବିଷୟରେ ବିଭିନ୍ନ ପାଠ୍ୟକ୍ରମ ପ୍ରସ୍ତୁତ କରିବାର କାମ ମଧ୍ୟ କଲେ। ଏହି ଅବଧି ମଧ୍ୟରେ ସେ ଟ୍ରାଫିକ ପୁଲିସର ସହାୟତା କରିବା ପାଇଁ ଅନେକ କାମ କଲେ। ଏସବୁ ପରେ ସେ ବୁଝିପାରିଲେ ଯେ ଅଧିକାଂଶ ସଡ଼କ ଦୁର୍ଘଟଣାର କାରଣ ହେଉଛି ମଦ୍ୟପାନ କରି ଗାଡ଼ି ଚଳାଇବା।

ସେ କୁହନ୍ତି, “ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବାର ସଂଖ୍ୟା ସେତେବେଳେ ଓ ଏବେ ମଧ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି। ଭାରତରେ ପ୍ରତି ଚାରି ମିନିଟରେ ଜଣେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥାଏ। ବିଶ୍ଵ ପରିସଂଖ୍ୟାନରେ ଏହା ସବୁଠାରୁ ଅଧିକ। ଗତ ବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁର ସଂଖ୍ୟା ଥିଲା ୧,୪୬,୧୩୩। ଏଥିରେ ମଦ୍ୟପାନ ଏକ ବଡ଼ କାରଣ ଥିଲା। ଜାତୀୟ ରାଜପଥରେ ଥିବା ମଦଦୋକାନ ଉପରେ ମୁଁ ଏକ ସର୍ବେକ୍ଷଣ କଲି। ଏହା ଛଡ଼ା ଅବକାରୀ ବିଭାଗ ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ରେ ଏ ସମ୍ପର୍କରେ ଅନେକ ଆରଟିଆଇ ଦାଖଲ କଲି। ଆରଟିଆଇର ଫଳ ଦେଖି ଆଶ୍ଚର୍ଯ୍ୟ ହେଲି। ପାନିପତ ଠାରୁ ଜଲନ୍ଧରର ଦୂରତା ୨୯୧ କିଲୋମିଟର ଏବଂ ଏହି ରାସ୍ତାରେ ରହିଛି ୧୮୫ଟି ମଦ ଦୋକାନ। ଅର୍ଥାତ ପ୍ରତି ୧.୫ କିଲୋମିଟରରେ ଗୋଟିଏ ମଦ ଦୋକାନ !

ହରମାନ ଏହାପରେ ପଞ୍ଜାବ ଓ ହରିଆଣା ଉଚ୍ଚ ନ୍ୟାୟାଳୟରେ ଏକ ପିଆଇଏଲ ଫାଇଲ କଲେ ଓ ସମସ୍ତ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଉପରେ ଥିବା ମଦ ଦୋକାନକୁ ବନ୍ଦ କରିବାର ଆଦେଶ ଦିଆଯାଉ ବୋଲି ଆବେଦନ କଲେ। ମାର୍ଚ୍ଚ ୨୦୧୪ରେ ଏକ ଶୁଣାଣି ପରେ ପଞ୍ଜାବ ଓ ହରିଆଣାରେ ୧୦୦୦ରୁ ଊର୍ଦ୍ଧ୍ଵ ମଦ ଦୋକାନରେ ତାଲା ପଡିଲା। ହରମାନ କିନ୍ତୁ ମାତ୍ର ସେତିକିରେ ଖୁସି ନଥିଲେ। ସେ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଖଲ କଲେ। ମଦ ଦୋକାନରୁ ଆସୁଥିବା ପ୍ରଚୁର ରାଜସ୍ୱ ଅର୍ଥର ପରିମାଣକୁ ନେଇ ପୂର୍ବ ଦୁଇଟି ରାଜ୍ୟ ମଧ୍ୟ ଏହି ଶୁଣାଣିକୁ ମୁଲତବୀ ରଖିବା ପାଇଁ ସୁପ୍ରିମ କୋର୍ଟର ଦ୍ଵାରସ୍ଥ ହେଲେ।

ଅନେକ ପରିସଂଖ୍ୟାନ ଏବଂ ଦସ୍ତାବିଜର ତନଖି କରିବା ପରେ ସୁପ୍ରିମ କୋର୍ଟ କହିଲେ, ମାନବ ଜୀବନ ଅତ୍ତି ମୂଲ୍ୟବାନ। ଦେଶର ସଡ଼କ ଯୋଗାଯୋଗ ବଢିବା ସହ ଏହା ଦେଶର ଅର୍ଥନୀତିର ଏକ ଅବିଚ୍ଛିନ୍ନ ଅଙ୍ଗ ହେଇଯାଇଛି। ସଡ଼କ ଦୁର୍ଘଟଣା ସାଧାରଣ ନାଗରିକଙ୍କ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ। ଏକ ବିକାଶଶୀଳ ଦେଶ ଭାବରେ ଭାରତକୁ ଦୁର୍ଘଟଣାର ଦେଶ ଭାବରେ ନିଜର ଭାବମୂର୍ତ୍ତି ଆଦୌ ଗଢିବା ଉଚିତ ନୁହେଁ। ଖୁବ ସହଜରେ ମଦ ଦୋକାନ ପାଇଯିବା ଯୋଗୁଁ ଡ୍ରାଇଭର ମାନେ ମଦ ପିଇ ଗାଡ଼ି ଚଲାଉଛନ୍ତି ଏବଂ ନିଜ ସହ ଅନେକ ଯାତ୍ରୀଙ୍କର ଜୀବନ ସୁରକ୍ଷାକୁ ମହତ୍ଵ ଦେଉନାହାନ୍ତି।

ଅନେକ ଅପେକ୍ଷା ପରେ ଡିସେମ୍ବର ୨୦୧୬ରେ ସୁପ୍ରିମ କୋର୍ଟ ଦେଶବ୍ୟାପୀ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମାନଙ୍କରେ ଥିବା ସମସ୍ତ ମଦ ଦୋକାନକୁ ବ୍ୟାନ କରିବାର ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ଥିବା ମଦ ଦୋକାନ ଗୁଡ଼ିକର ଲାଇସେନ୍ସ ୩୧ ମାର୍ଚ୍ଚ ୨୦୧୭ ପରେ ଆଉ ନବୀକରଣ କରାଯିବ ନାହିଁ ବୋଲି ନିର୍ଦେଶ ରହିଛି।

ଏହି ନିର୍ଣ୍ଣୟରେ ହରମାନ ଖୁବ ଖୁସି। ଏହି ବ୍ୟାନ ପରେ ଅନେକ ଜୀବନ ବଞ୍ଚିବ ବୋଲି ସେ ଆଶା କରୁଛନ୍ତି। ଚାରିବର୍ଷ ଧରି ସେ ଏଥିପାଇଁ ଲଢୁଥିଲେ। ହୁଇଲଚେୟାରରେ ବସିଥିବା ଏଇ ମଣିଷଟି ଆଗକୁ ମାଡ଼ିଚାଲିଲା ଓ ଆଜି ମାନବ ଜୀବନର ସୁରକ୍ଷା ପାଇଁ ଏମିତି କିଛି କରି ଦେଖାଇଲା ଯାହା ଶକ୍ତ ଗୋଡ଼ରେ ଠିଆ ହେଇଥିବା ଲୋକେ ମଧ୍ୟ କରିପାରିନଥିଲେ।

ଆଧାର, ୟୌର ଷ୍ଟୋରୀ

3.05555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top