ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଖାଉଟି ସୁରକ୍ଷା ଯୋଜନା
ସେଆର କରନ୍ତୁ

ଖାଉଟି ସୁରକ୍ଷା ଯୋଜନା

ଖାଉଟି ସୁରକ୍ଷା ଆଇନ ସମ୍ବନ୍ଧରେ ଏହି ପୋର୍ଟାଲ ରେ ତଥ୍ୟ ମିଳିବ ।

କୋପ୍ରାର ଉତ୍ପତ୍ତି

ଷାଠିଏ ଦଶକର ଆରମ୍ଭରେ ଖାଉଟି ମାନଙ୍କର ସୁରକ୍ଷା ପାଇଁ ସର୍ବ ପ୍ରଥମେ ଆମେରିକା ଓ ଲଣ୍ଡନରେ ଏକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହି ଦୁଇ ଦେଶରେ ବିଶେଷ କରି ସ୍ବେଛାସେବୀ ସଂସ୍ଥାମାନେ ଖାଉଟି ମାନଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଲେ । ଏହିସହିତ ସରକାରଙ୍କ ଉପରେ ଖାଉଟି ଓ ସ୍ଵେଚ୍ଚାସେବୀ ସଂସ୍ଥା ମାନଙ୍କର ଚାପ ଖାଉଟି ସୁରକ୍ଷା ଆଇନରେ ପରିଣତ କରିବାପାଇଁ ବାଧ୍ୟ କଲା।

ଏହି ଭଳି ଖାଉଟି ସୁରକ୍ଷାର ବିକାଶ ପୃଥିବୀରେ ଚାରିଆଡେ ବ୍ୟାପିବାରେ ଲାଗିଲା । ସନ ୧୯୮୬ ରେ ଭାରତରେ ଖାଉଟି ସୁରକ୍ଷା ଆଇନ ଲାଗୁହେଲା । ଭାରତରେ ସ୍ଵାଧୀନତା ପ୍ରାପ୍ତି ପରେ ଏହି ଖାଉଟି ସୁରକ୍ଷା ଆଇନର ସେଭଳି କିଛି ନିର୍ଦ୍ଧିଷ୍ଟ ନୀତିନିୟମ ନ ଥିଲା । ସ୍ଵାଧୀନତା ପରେ ଖାଉଟି ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା ଯଥା –

ଡ୍ରଗ ଓ ମେଜିକ ପ୍ରତିକାର ଆଇନ ୧୯୫୩ (ଆପତ୍ତିଜନକ ବିଜ୍ଞାପନ)
ଖାଦ୍ୟ ଅପମିଶ୍ରିତ ନିବାରଣ ଆଇନ ୧୯୫୪
ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ୧୯୫୩
ଓଜନ ଓ ମାପ
ଖାଉଟି ମାନଙ୍କ ମଧ୍ୟରେ ଏକଟା ନଥିଲା ଯାହା ସେମାନେ ବ୍ୟକ୍ତିଗତ ସ୍ତରର କରୁଥିଲେ ,  ସେତେଟା ଫଳପ୍ରଦ ହେଉନଥିଲା
ଆଭିଯୋଗ ବିଚାର ହୋଇନପାରେ ପଡି ରହୁଥିଲା
କେତେକ ସ୍ଵାର୍ଥ ଲୋଭୀ ଲୋକଙ୍କ ହସ୍ତକ୍ଷେପ ।

ବହୁତ କମ ସୁରକ୍ଷା ସଂସ୍ଥା ଥିଲେ ଯାହାଦ୍ଵାରା ଅସାଧୁ ବିକ୍ରେତା ବା ଲାଭଖୋର ବେପାରୀମାନଙ୍କ ବିରୁଦ୍ଦରେ କିଛି ପଦକ୍ଷେପ ନିଆଯାଇ ପାରୁନଥିଲା ।

ଖାଉଟି ମାନଙ୍କୁ ସହଜ ଓ ସୁବିଧାରେ ନ୍ୟାୟ ଯୋଗାଇଦେବା ପାଇଁ ୧୯୮୬ ଖାଉଟି ସୁରକ୍ଷା ଆଇନ କଡାକଡି ଭାବରେ ଲାଗୁହେଲା । ଫଳରେ ଦେଶର ପ୍ରାୟ ସବୁ ରାଜ୍ୟରେ ରାଜ୍ୟ କମିଶନ ଓ ଜିଲ୍ଲା ଫୋରମ ସ୍ଥାପନା ହେଲା ।

ବୃତ୍ତିଗତ ସେବା ସମ୍ପକୀୟ ଆଇନ

ସାଧାରଣ ଆଇନ ଅସୁସାରେ ଯେ କୌଣସି ବୃତ୍ତିଗତ ସେବାରେ ନିଯୋଜିତ ବ୍ୟକ୍ତି ସେହି ସେବାର ଅଧିକାରୀ ହେବାର ନିଦର୍ଶନ ପତ୍ର ଦେଖାଇବା ଦରକାର । ଏଥିସହିତ ଏହି ଆଇନ ଅଧିନରେ ଏପରି କେତେଗୁଡିଏ ନୀତି ନିର୍ଦ୍ଧାରଣ କରାଯାଇଛି, ଯାହା ରୋଗୀର ଅଧିକାରକୁ ଉତ୍ତମରୂପେ ଧ୍ୟାନ ଦେଇ ପାରୁଛି । ସବୁଠାରୁ ଗୁରୁତ୍ଵପୃଣ୍ଣ ଚିକିତ୍ସାର ପ୍ରତେକ ଦିନ ରୋଗୀ ଜାଣିବା ଆବଶ୍ୟକ । ଯାହା ଦ୍ଵାରା ସେ ଚିକିତ୍ସାର ସମ୍ବନ୍ଧୀୟ କି ପ୍ରକାର ପଦକ୍ଷେପ ନେବ ଜାଣିପାରିବ ଓ ନିଷ୍ପତି ନେଇ ପାରିବ ।

ଭାରତର ଖାଉଟି ଆଇନ

ସାଧାରଣ ଆଇନରେ ଜଣେ ମେଡ଼ିକାଲ ବ୍ୟକ୍ତିର ଉତ୍ତମରୂପେ ବର୍ଣ୍ଣନା କରାଯାଇଛି । ଏହା ଏପରି ଏକ ଆଇନ ଯାହା ବ୍ୟକ୍ତି ଏହି ବୃତ୍ତି ପ୍ରବେଶ କଲେ ସେ ରୋଗୀର କି ପ୍ରକାର ଯତ୍ନ ଓ ସେବା ନେବ ତାହା ତାହାର ମୌଳିକ କର୍ତ୍ତବ୍ୟ ହୋଇଅଛି । ଏପରିକି ରୋଗ ଭଲ ନ ହେବାର ଥିଲେ ମଧ୍ୟ ଚିକିତ୍ସାର ବନ୍ଧ କରାଯାଇ ପାରିବ ନାହିଁ ।

ମେଡ଼ିକାଲ ସେବାରେ ଅଧଃପତନ

ବଡ ବଡ ସହରରେ ଘରୋଇ ମେଡିକାଲ ଅଧିକ ସଂଖ୍ୟାରେ ସ୍ଥାପନ ହେବାରେ ଲାଗିଛି । ଏହି କ୍ଲିନିକ୍ ଦ୍ଵାରା ମଧ୍ୟ ଭଲ ଆୟ ହୋଇପାରୁଛି । ଏଥି ସହିତ ମେଡିକାଲ ସେବାର ଭାବମୂର୍ତ୍ତୀ ଯାବତୀୟ କୁକର୍ମ ପାଇଁ ନଷ୍ଟ ହେବାରେ ଲାଗିଛି ।  ଏଥିସହିତ ନାମ ଲେଖା ଆଳରେ ପ୍ରଚୁର ପରିମାଣର ଧନରାଶି ସଂଗ୍ରହ କରାଯାଉଛି ।

ଏଥିସହିତ ଘୋରୋଇ ଚିକିତ୍ସାଳୟ ରେ ଆଧୁନିକ ଯନ୍ତ୍ରପାତି ଲଗାଯାଇ , ରୋଗୀମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି । ସରକାରୀ ଡାକ୍ତରଖାନାରେ ରୋଗୀ ଭଲ ହେବାର ଆଶା ଟିକିଏ ବି ରହୁନାହିଁ । ଯଦି ଜଣେ ଭଲ ଦେବାକୁ ଇଛାପ୍ରକାଶ କରେ ତେବେ ତାକୁ ଘରୋଇ ଡାକ୍ତରଖାନା ରେ ଚିକିତ୍ସା ହେବାକୁ ପଡୁଛି । ମୋଟ ଉପରେ ଖାଉଟି ମାନଙ୍କୁ ସ୍ୱାସ୍ଥ୍ୟସେବା ଜନିତ ସୁବିଧା/ ସୁଯୋଗ ଉପଲ୍ଲବ୍ଧରେ ଘୋର ଅଭାବ ଦେଖାଦେଉଛି ।

ଖାଉଟିମାନଙ୍କ ବ୍ୟକ୍ତିଗତ ଉଦ୍ୟମ ବା ସମୂହ ଉଦ୍ୟମ ଏହିସବୁ ରୋକିବା ଦିଗରେ ସେତେଟା ଫଳପ୍ରଦ ହୋଇପାରୁନାହିଁ  । ଯଦିଓ କେତେକ ରାଜ୍ୟରେ ତ୍ରୁଟି ମେଡିକାଲ ସେବା ପାଇଁ କ୍ଷତିପୂରଣ ଆଦାୟ କାରଯାଇ ପାରୁଛି, ଏହା ସମଗ୍ର ଦେଶରେ ସେତେଟା ଫଳପ୍ରଦ ହୋଇପାରୁନାହିଁ । ଏଥିପାଇଁ କେବଳ ନିରବଛିନ୍ନ ଉଦ୍ୟମ ଆବଶ୍ୟକ, ଯାହା ଆମକୁ ଏକ ସୁସ୍ଥ ଜୀବନ ଯାପନ ରେ ସାହାଯ୍ୟ କରିପାରିବ ଓ ମେଡିକାଲ ସେବା ଜନିତ ତ୍ରୁଟିର ଉଚିତ ମୁକାବିଲା କରିପାରିବ ।

ଖାଉଟି ମାନଙ୍କ ପାଇଁ ଅଧିକ କ୍ଷମତା

ଖାଉଟି ମାନଙ୍କୁ ଅଧିକ କ୍ଷମତା ଦେବା ସକାଶେ ଖାଉଟି ସୁରକ୍ଷା ଆଇନ, ୧୯୮୬ ସଂଶୋଧନ କରାଯାଇଛି । ଖାଉଟି ଓ ସଂଗଠନ ଏଣିକି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବ ।

 

*        କାର୍ଯ୍ୟକାଳ ଶେଷହେବା ପରେ ବିକ୍ରି କରାଯାଉଥିବା ଔଷଧ କିମ୍ବା ଖାଦ୍ୟ ପଦାର୍ଥ ଭଳି ଜିନିଷ ଯାହାର ବ୍ୟବହାର ଜୀବନ ପ୍ରତି ନିରାପଦ ନ ଥିବ କିମ୍ବା ବିପଦଜନକ ହୋଇଥିବା ।

*        ରନ୍ଧନ ଗ୍ୟାସ ସଂଯୋଗ ଦେଉଥିବା ଗ୍ୟାସ ଡିଲର ଖାଉଟିମାନଙ୍କୁ ନିଜ ଦୋକାନରୁ ଗ୍ୟାସ ଚୁଲା ନେବାକୁ ବାଧ୍ୟ କରୁଥିବା ଭଳି ନିୟନ୍ତ୍ରଣମୂଳକ ବେପାର କରୁଥିବା ବ୍ୟବସାୟୀ ଙ୍କୁ ବିରୋଧ ଅଭିଯୋଗ  ।

*        ସାଧାରଣ ସ୍ଵାର୍ଥ ଜନିତ ଥିବା କେତେକ ଖାଉଟି ମାନଙ୍କ ପକ୍ଷରୁ ଅଭିଯୋଗ ଯଥା – ଯାନ ବାହାନ ରଖିବା ପାଇଁ ଉଦ୍ଦ୍ଥିଷ୍ଟ ଷ୍ଟାଣ୍ଡରେ ଗାଧି ରଖିବା ପାଇଁ ଅଧିକ ପଇସା ଦାବି କରିବା ଘଟଣା କିମ୍ବା କୌଣସି କମ୍ପାନୀ ଅଗ୍ରୀମ ହିସାବରେ ଲକ୍ଷ ଲକ୍ଷ ଜମାକାରୀଙ୍କର ବୁକିଙ୍ଗ ଅର୍ଡର ବାତିଲ କରିବା ସତ୍ତ୍ୱେ ସେମାନଙ୍କୁ ତାହା ଫେରସ୍ତ ନ ଦେବା ଘଟଣା ।

*        ଗୃହ ଯୋଗାଣ ବା ନିର୍ମାଣ ସମ୍ପୃକ୍ତ ସେବା ଏହି ଆଇନ ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ସ୍ପଷ୍ଟ କରିଦିଆଯାଇଛି । ଏହିସବୁ ସେବା ମଧ୍ୟରେ ଆବଣ୍ଟନ ଜନିତ ବିଷୟ , ନିର୍ମାଣ ଜନିତ ତ୍ରୁଟି , ଗୃହ ଦାଖଲ ସମ୍ବନ୍ଧୀୟ ସେବା ଓ ଗୃହର ରଖଣାବେକ୍ଷଣା ସମସ୍ୟା ରହିଛି ।

*        ପ୍ରତିକାର ପାଇଁ ଗଠିତ ଫୋରମ ଗୁଡିକ ପାଇଁ ଆର୍ଥିକ କ୍ଷେତ୍ରାଧିକାର ମଧ୍ୟ ବୁଦ୍ଧି କରାଯାଉଛି  । ଏହି ଅନୁସାରେ ଜିଲ୍ଲା ଫୋରମ ପାଇଁ ୫ ଲକ୍ଷ ଟଙ୍କା ଓ ରାଜ୍ୟ କମିଶନ ପାଇଁ ୨୦ ଲକ୍ଷ ଟଙ୍କା ସୀମା ରଖାଯାଇଛି । ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣ ସମ୍ପନ୍ଧୀୟ ଅଭିଯୋଗ ସବୁ ଜାତୀୟ କମିଶନ ଅନୁସନ୍ଧାନ କରିବେ ।

*        ପ୍ରତିକାର ପାଇଁ ଗଠିତ ଫୋରମ ଗୁଡିକ ମଧ୍ୟ ଅର୍ଡର ଦେବାକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି ।

*        ଯେଉଁ ସବୁ ପଦାର୍ଥ ଜୀବନ ପ୍ରତି ଆଞ୍ଚ ଆଣିବା କିମ୍ବା ନିରାପତ୍ତା ବିପଦସଙ୍କୁଳ କରିବାର ସମ୍ଭାବନା ଥିବା , ସେସବୁ ପଦାର୍ଥ କୁ ପ୍ରତ୍ୟାହାର କରିନେବା ପାଇଁ ଆଦେଶ ଜାରି କରିବା ।

-ଏକ  ଅସାଧୁ , ନିଯନ୍ତ୍ରତ ମୂଳକ ବେପାର ବନ୍ଦ କରିବା ପାଇଁ ଆଦେଶ ଦେବା ।

- ମୂଲ୍ୟ ଫେରସ୍ତ ଦେବା ପାଇଁ ଆଦେଶ ଜାରି କରିବା ଏବଂ

- ଗୁରୁତ୍ଵହୀନ ଅଭିଯୋଗ କ୍ଷେତ୍ରରେ ଦଣ୍ଡ ବିଧାନ କରିବା ।

ଏକ ବିଧବା ମହିଳା ଗ୍ରାହକମାନଙ୍କର ପୋଷାକ ସିଲାଇ କରିବା ପାଇଁ ଏକ ସିଲାଇ ମେସିନ କିଣିବା , ଏକ କାର ଡ୍ରାଇଭର କାର ଚଳାଇବା ପାଇଁ ଯାନ କିଣିବା ଘଟନା ଭଳି ଏହି ଆତ୍ମନିଯୁକ୍ତି ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଯଦି କୌଣସି ବସ୍ତୁ କିଣିଥାଆନ୍ତି , ତେବେ ସେ ସବୁ ବସ୍ତୁ କ୍ଷେତ୍ରରେ ସେ ଉପଯୁକ୍ତ ପ୍ରତିକାର ଲୋଡିପାରିବେ ।

ଡାକ୍ତରୀ ଅବହେଳା

ଡାକ୍ତର କାମ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ ।  କାରଣ ଜଣେ ରୋଗୀର ଜୀବନ ଓ ମରଣ ଡାକ୍ତରମାନଙ୍କ ଉପରେ ନିର୍ଭର କରେ । ତେଣୁ ସ୍ଵାସ୍ଥ୍ୟସେବା ପ୍ରଦାନ କରୁଥିବା ବ୍ୟକ୍ତି  ଅଧିକ ଯତ୍ନଶୀଳ ହେବା ଆବଶ୍ୟକ । ଯଦି ଜଣେ ଡାକ୍ତର ରୋଗୀର ଉଚିତ ଯତ୍ନ ନେବାରେ ଅବହେଳା କରନ୍ତି ତେବେ ରୋଗୀ ମରିଯିବାର ବହୁତ ସୁଯୋଗ ଥାଏ , ଯାହା ଡାକ୍ତରଙ୍କ ଅବହେଳାରୁ ହୋଇଥାଏ । ଏଥିସହିତ ଜଣେ ଡାକ୍ତର ଯଦି ସମୟାନୁସାରେ ରୋଗୀକୁ ସେବା ପ୍ରଦାନ ନ କରନ୍ତି ତେବେ ସେ ତାଙ୍କ କାମରେ ଅବହେଳା କରିଥାନ୍ତି ।

ଏ କ୍ଷେତ୍ରରେ ରୋଗୀ ଉପଯୁକ୍ତ କ୍ଷତିପୂରଣ ପାଇବା ଦରକାର । ଖାଉଟି ସୁରକ୍ଷା ଆଇନ ଏହି ସବୁ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ ।

ଆଜିକାଲି ଡାକ୍ତରମାନଙ୍କ ଅବହେଳା ଓ ଠକାମି ବହୁ ପରିମାଣରେ ଶୁଣିବାକୁ ମିଳୁଛି । ଏଠାରେ ସେହିପରି ଏକ ଉଦାହରଣ ଦିଆଗଲା –

ଜଣେ ଗରିବ ମହିଳା ପାକସ୍ଥଳୀରେ ଯନ୍ତ୍ରଣା ହେତୁ ଗୋଟିଏ ଘରୋଇ ଡାକ୍ତରଖାନାକୁ ଗଲେ । ଘରୋଇ ଡାକ୍ତରଖାନାରେ ଡାକ୍ତର ଗଲ ଷ୍ଟୋନ ବାହାର କରିବା ପାଇଁ ଅସ୍ତ୍ରୋପଚାର କଲେ ଓ ସେଥିପାଇଁ ୧୨.୦୦୦ଟଙ୍କା ପାରିଶ୍ରମିକ ନେଲେ । କିନ୍ତୁ ପାକସ୍ଥଳୀରେ ଯନ୍ତ୍ରଣା କମିଲା ନାହିଁ  ତାପରେ ସେହି ଡାକ୍ତର ଅନ୍ୟ କ୍ଲିନିକକୁ ଯାଇ ଯାଞ୍ଚ କରାଇବା ପାଇଁ ଉପଦେଶ ଦେଲେ । ଏପରିକି ଡାକ୍ତର ନେଇଥିବା ଟଙ୍କା ଫେରାଇ ଦେବା ପାଇଁ କହିଲେ । ସେହି ମହିଳା ଅନ୍ୟ ଏକ ଡାକ୍ତରଖାନାରେ ପୁଣିଥରେ ଅସ୍ତ୍ରୋପଚାର କଲେ ଏବଂ ୫.୦୦୦ ଟଙ୍କା ଦେଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ପୂର୍ବ ଡାକ୍ତର କହିବା ଅନୁଯାୟୀ ଉକ୍ତ ମହିଳାଙ୍କୁ  ଟଙ୍କା ଫେରାଇଲେ ନାହିଁ । ଏପରିକି ସେ ପାକସ୍ଥଳୀରୁ ପଥର ବାହାର କରିନଥିଲେ । ଏବେ ଆପଣ କୁହନ୍ତୁତ ଏପରି ଅବସ୍ଥାରେ ଆପଣ କଣ ନୀରବ ବସିପାରିବେ ? ଖାଉଟି ମାନଙ୍କର ଏଥିପ୍ରତି କଣ କୌଣସି କର୍ତ୍ତବ୍ୟ ନାହିଁ  ।

କେତେକ ଡାକ୍ତର ରୋଗୀ ମାନଙ୍କୁ ଖାଉଟି ଶ୍ରେଣୀଭୁକ୍ତ କରନ୍ତି ନାହିଁ । କିନ୍ତୁ ଜଣେ ବ୍ୟକ୍ତି ଯେତେବେଳେ କୌଣସି ସେବା ପାଇବା ପାଇଁ ମୂଲ୍ୟ ଦିଏ ସେ ନିଶ୍ଚିତ ଭାବରେ ଜଣେ ଖାଉଟି ।

ଖାଉଟି କଣ କରିପାରିବେ

  1. ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଶିକ୍ଷା ଓ ଆବଶ୍ୟକ ସମୟରେ ଉପଯୁକ୍ତ ପଦକ୍ଷେପ ।
  2. ସାଧାରଣ ବ୍ୟବହୃତ ଔଷଧ ବାବଦରେ ଜ୍ଞାନ ଆହରଣ, ଯଥା – ଔଷଧର ମୂଲ୍ୟ, ବ୍ୟବହାର ସମୟସୀମା , ପ୍ରତିକ୍ରିୟା ଓ ଆବଶ୍ୟକ ସମୟରେ ଏହାର ବ୍ୟବହାର ।
  3. ଡାକ୍ତରଙ୍କ ଠାରୁ ଔଷଧ ସେବନ ବାବଦରେ ବିସ୍ତୁତ ଜ୍ଞାନ ଆହରଣ ଓ ଏହାର ବ୍ୟବହାର ।
  4. ନିଷିଦ୍ଧ ହୋଇଥିବା ଡ୍ରଗ ବା ଔଷଧ ସେବନ ନ କରିବା ।
  5. ଔଷଧ ବ୍ୟବହାର ସମୟସୀମା ଅତିକ୍ରାନ୍ତ ହୋଇଯାଇ ଥିଲେ ଔଷଧ ବ୍ୟବହାର ନ କରିବା ।
  6. ଡ୍ରଗ ବ ସ୍ୱାସ୍ଥ୍ୟସେବା ଜନିତ ଅସୁବିଧା ସ୍ଥାନୀୟ ଖାଉଟି ସଂସ୍ଥା ମାନଙ୍କ ସହିତ ସମ୍ପର୍କ ସ୍ଥାପନ ।
  7. ଖାଉଟି ସଂସ୍ଥା ମାନଙ୍କୁ ସାହାଯ୍ୟ ଓ ସହଯୋଗ  ।
  8. ଭାରତରେ ଡ୍ରଗ ଅବସ୍ଥା ବାବଦରେ ଜାଣିବାକୁ ଚେଷ୍ଠା କରନ୍ତୁ , ଯଥା ଡ୍ରଗ ବ୍ୟବସ୍ଥାପନ , ଡ୍ରଗ ଉତ୍ପାଦନ  ଓ ସାମ୍ପ୍ରକିତ ରୋଗର ପାଦ୍ରୁଭାବ । ଏହା ଆପଣଙ୍କୁ ଏକ ନିରୋଗ ଜୀବନ ବିତାଇବାରେ ଯଥେଷ୍ଠ ସାହାଯ୍ୟ କରିବେ ।

ଜଣେ ରୋଗୀକୁ ଖାଉଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇପାରିବ କି ?

 

ଯେତେ ଅଭିଯୋଗ ଡାକ୍ତର ବା ଡାକ୍ତରଖାନ ବାବଦରେ ଦାଏର କାରାଯାଉଥିଲା , ତାହା କେବଳ ଲ.ଅଫ . ଟଟର୍ସ  ଅଧୀନରେ ବା ୩୦୪ଏ ,୩୩୬,୩୩୭ବା ୩୩୮ ଭାରତୀୟ ପିଙ୍ଗଳ କୋର୍ଟ ଅଧୀନରେ ହେଉଥିଲା , । କିନ୍ତୁ ୧୯୮୬ ଖାଉଟି ସୁରକ୍ଷା ଆଇନ ବଳରେ ଏହା ଏକ ନୂତନ ମୋଡ ନେଲା, ଯାହା କେନ୍ଦ୍ର ଠାରୁ ଜିଲ୍ଲା ସ୍ତରରେ ଖାଉଟି ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦିଗରେ ସଫଳ ହୋଇପାରିଲା । ଏହି ପରିବର୍ତ୍ତନ କେତେଗୁଡିଏ କାରଣ ଯୋଗୁ ସମ୍ଭବ ହୋଇପାରିଲା ।

ରୋଗୀ ଭାବରେ ଜଣଙ୍କର ଅଧିକାର

*        ଅଭିଯୋଗ ଦାଖଲ କରିବା ପାଇଁ କୌଣସି ଫି ଆଦାୟ ହେଳାନାହିଁ ।

*        କେସ ଗୁଡିକ ୩/୪ ମାସଭିତରେ ଫଇସଲା ହୋଇପାରିଲା ( ଯାହା ଆଗକୁ ଫଇସଲା ହେବାପାଇଁ ବର୍ଷ ବର୍ଷ ଲାଗୁଥିଲା )

ଖାଉଟି ମାନଙ୍କ ପାଇଁ ଉପକାର

ଏହି ଆଇନ ବଳରେ ମେଡିକାର ସେବାକୁ ଖାଉଟି ସୁରକ୍ଷାରେ ଅନ୍ତର୍ଭୂକ୍ତ କରାଗଲା ଏହାର କେତେଗୁଡିଏ କାରଣ ହେଳା ।

*        ଯେଉଁ ମେଡ଼ିକାଲ କର୍ମୀ ରୋଗୀ ମାନଙ୍କୁ ମନଇଛା ସେବା ପ୍ରଦାନ କରୁଥିଲେ ବା ସେବା ପ୍ରଦାନ କରିବାରେ ବିଫଳତା ପ୍ରଦର୍ଶନ କରୁଥିଲେ , ସେମାନଙ୍କୁ ଉଚିତ ଶିକ୍ଷା ଦିଆଯାଇପାରିବା ।

*        ରୋଗୀ ଡାକ୍ତର ମାନଙ୍କର ଅବହେଳା ଯୋଗୁ ସହୁଥିବା କ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇପାରିବ ।

ମେଡ଼ିକାଲ ବ୍ୟକ୍ତି ଓ ଖାଉଟି ମାନଙ୍କ ଉପରେ ଖାଉଟି ସୁରକ୍ଷା ମନ୍ଦ ପ୍ରଭାବ

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟସେବା କୁ ଖାଉଟି ସୁରକ୍ଷା ଅଧୀନରେ ନ ରଖିବା ର ମଧ୍ୟ ଆନେକ କାରଣ ଥିଲା ଯଥା

 

*        ଜଣେ ରୋଗୀ ଖାଉଟି କି ନାହିଁ  ଜାଣିବା କଷ୍ଟକର ଅଟେ କେବଳ ଆଇନକୁ ନ ଦେଖି , ଏହି ଆଇନ ପଛଲ୍ରେ ଥିବା ମହତ୍ଵକୁ ଦେଖିବାକୁ ପଡିବ , ନଚେତ ଏହି ଆଇନ ଅସଂଖ୍ୟ ସମସ୍ୟା ସ୍ତୁଷ୍ଟି କରିବ ।

*        ଆଇନ ଭୟରେ ଡାକ୍ତର ତାଙ୍କ କାମ ଠିକରୂପେ କରିପାରିବେ ନାହିଁ ।

*        କିଛି ନୂଆ କୌଶଳ ଅବଲମ୍ବନ କରିବା ପୂର୍ବରୁ ଡାକ୍ତରଙ୍କୁ ବହୁତ ଭାବିବାକୁ ପଡିବ ।

*        କେତେକ ବିପଦ ପୂର୍ଣ୍ଣ ବିଭାଗ ଯଥା ହୃଦରୋଗ ଚିକିତ୍ସାରେ ଡାକ୍ତର ମାନଙ୍କର ମନୋବଳ କମିଯିବ ।

*        ଖାଉଟି କମିଶନ ବିଚାରକ ନିଜର ମେଡ଼ିକାଲ ଜନିତ ସୀମିତ ଜ୍ଞାନ ପାଇଁ କେଉଟା ଠିକ କେଉଟା ଭୁଲ ଜାଣିପାରିବେ ନାହିଁ , ଫଳରେ ତାଙ୍କର ନିଷ୍ପତି ଲୋକାଦୃତ ହୋଇପାରିବ ନାହିଁ  ।

*        ରୋଗୀ ସାଧାରଣତଃ ଡାକ୍ତରଙ୍କ ପାଖକୁ ବିଶ୍ଵାସର ସହିତ ଯାଇଥାଏ । ଏବଂ ଡାକ୍ତର ଦାୟୀତ୍ଵ ସହକାରେ ନିଜର କାର୍ଯ୍ୟ ସଂପାଦନ କରିଥାନ୍ତି । କିନ୍ତୁ ଏହି ଖାଉଟି ସୁରକ୍ଷା ଆଇନ ଏହାକୁ ଏକ ବ୍ୟବସାୟିକ ପ୍ରକ୍ରିୟାରେ ପରିଣତ କରିଦେବ । ରୋଗୀ ଓ ଡାକ୍ତର ଙ୍କ ମଧ୍ୟରେ ସ୍ନେହ , ଶ୍ରଦ୍ଧା ଓ ସହାନୁଭୁତି ରହିବା ନାହିଁ  ।

*         ବୀମା କମ୍ପାନି ସେମାନଙ୍କର ବୀମା ରାଶି ବୃଦ୍ଧି କରିଦେବେ , ଯାହା ଡାକ୍ତରମାନଙ୍କୁ ସେମାନଙ୍କର ଫି ବଢାଇବାରେ ବାଧ୍ୟ କରିବା। ଖାଉଟି ସୁରକ୍ଷା ଆଇନ ଖ୍ୟାତ ଡାକ୍ତରମାନଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିପାରିବ ।

*        ଯେ କୌଣସି ରୋଗୀର ଚିକିତ୍ସାରେ ବିପଦ ନିଶ୍ଚିତ ଭାବରେ ରହିବ । ଏଣୁ ଯଦି କୌଣସି କାରଣବଶତଃ ରୋଗୀର କିଛି ହୋଇଯାଏ , ତେବେ ଡାକ୍ତରଙ୍କୁ ଦୋଷୀ ନେବା ଦରକାର ହେବନାହିଁ ।

ଏହି ଆଇନ ଫଳରେ ଡାକ୍ତରମାନେ କେବଳ ଏପରି ରୋଗୀର ଚିକିତ୍ସା କରିବେ , ଯେଉଁମାନେ ତାଙ୍କପାଇଁ ବିପଦ ପୂର୍ଣ୍ଣ ହେବେ ନାହିଁ  । ଫଳରେ ଅସଲ ରୋଗୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ।

କେତୋଟି ସୁପାରିସ

ଅତଏବ ଖାଉଟି ଓ ସେବାର ପୁନଃ ସଂଜ୍ଞା ନିରୂପଣ ନିହାତି ଆବଶ୍ୟକ

*        ଖାଉଟି ଦେୱାନୀ ବିଚାରାଳୟରେ ଅଭିଯୋଗ ଦାଏର ଦରକାର , ଯାହା ଦ୍ଵାରା ସେ ଅଭିଯୋଗ ବାବଦରେ ଭଲଭାବରେ ଚିନ୍ତା କରିପାରିବ । କାରଣ ଖାଉଟି ବିଚାରାଳୟରେ ଅଭିଯୋଗ ଦାଏର ପାଇଁ ଫି ଦେବାକୁ ପଡେ ନାହିଁ , କିନ୍ତୁ ଦେୱାନୀ ବିଚାରାଳୟରେ ଫି ଲାଗିଥାଏ ।

*        ମିଥ୍ୟା ଅଭିଯୋଗ ନ କରିବା ପାଇଁ ଖାଉଟି କୋର୍ଟରେ ଅଭିଯୋଗ ଦାଏର କରିବା ସମୟରେ ଅଭିଯୋଗ କାରୀ ଅଭିଯୋଗର ଦାବି କରୁଥିବା ମୂଲ୍ୟର ଶତକଡା ୧ ଭାଗ ସରକାରୀ ଟ୍ରେଜରୀରେ ରଖିବା ଆବଶ୍ୟକ । ଅଭିଯୋଗକାରୀ ଜିତିଳେ କ୍ଷତି ପୂରଣ  ସହିତ ଜମାରାଶି ଫେରସ୍ତ ପାଇବ । ନଚେତ ଏହା ବାଜ୍ୟାପ୍ତି ହୋଇଯିବ ।

*        ଖାଉଟି ବିଚାରକମାନଙ୍କ ମଧ୍ୟରେ ମେଡ଼ିକାଲ କର୍ମୀ ସଦସ୍ୟ ହେବା ଆବଶ୍ୟକ ଯାହାଦ୍ଵାରା ଉଚିତ ନ୍ୟାୟ ପ୍ରଦାନ କରାଯାଇ ପାରିବ ଇତ୍ୟାଦି ।

ଅତଏବ ଏହି ମେଡିକାଲ ସେବାକୁ ଖାଉଟି ସୁରକ୍ଷା ଅନ୍ତର୍ଭୁକ୍ତ କରିବା ଏବଂ ରୋଗୀକୁ ଖାଉଟି ଶ୍ରେଣୀଭୁକ୍ତ କରିବା ଏକ ବିରାଟ ସମସ୍ୟା ହୋଇ ଉଭା ହୋଇଛି । ଏହି ସମସ୍ୟା କେବଳ ସଂଜ୍ଞାରେ ଆବଦ୍ଧ ହୋଇ ରହିନାହିଁ । ମେଡ଼ିକାଲ ସେବା ଯାହା ସରକାରୀ ସ୍ତରରେ ବିନା ମୂଲ୍ୟରେ ଉପଲବ୍ଧ ତାହାକୁ ଏହି ଖାଉଟି ସୁରକ୍ଷା ସୀମିତ କରାଯାଇ ପାରିବନାହିଁ । କିନ୍ତୁ ଘରୋଇ ମେଡିକାଲ ସେବା ଏହି ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଏହା ଉପରେ ବିଭିନ୍ନ ଉଚ୍ଚ ଓ ମୁଖ୍ୟ ବିଚାରାଳୟରେ ବାଦାନୁବାଦ ଲାଗିରହିଛି । ୧୯୯୪ ସେପ୍ଟେମ୍ବର ସୁପ୍ରିମକୋର୍ଟ ଶୁଣାଣୀ ଅନୁସାରେ ରୋଗୀକୁ ଖାଉଟି ଶ୍ରେଣୀଭୁକ୍ତ କରାଯାଇପାରିବ । ଆତ୍ମ ଦୃଢତା ଅଧିକାର , ନିଜ ଶରୀର ବାବଦରେ ଗୋପନୀୟତା ଅଧିକାର , ବାଛ ବିଚାର ଅଧିକାର, ନିରାପତ୍ତା ଅଧିକାର ଶିଖା ଓ ସୂଚନା ଅଧିକାରକୁ କୌଣସି ଉପାଯରେ ସାମିଲ କାରାଯାଇ ପାରିବ ନାହିଁ । ଅପର ପକ୍ଷରେ ଏହିସବୁ ଅଧିକାରର ଉଚିତ ଓ ଉପଯୁକ୍ତ ବ୍ୟବହାର କରାଯିବା ଦରକାର । ଏହାକୁ ବିକୃତ ଭାବରେ କରଜ୍ୟରେ ଲଗାଯିବା ଉଚିତ ହେବନାହିଁ । ଯାହା ପରବର୍ତୀ କାଳରେ ଅଧିକାର ମୁଖ୍ୟ ଚିନ୍ତାଧାରାକୁ ନଷ୍ଟ କରିଦେବ ବା ଏହି ଅଧିକାର ପଛରେ ଥିବା ମହତ ଉଦ୍ଦେଶ୍ୟକୁ ନିଶ୍ଚିହ୍ନ କରିଦେବ ।

ଏଣୁ ରୋଗୀ ଓ ମେଡ଼ିକାଲ ସେବା ଉଭୟ ଦିଗକୁ ଉଚିତ ବିଚାର କରି ଆମକୁ ଏକ ନିର୍ଦ୍ଧିଷ୍ଟ ଆଇନ ଆପଣେଇ ନେବାକୁ ପଡିବ ,।

ଯେଉଁଥିରେ ରୋଗୀ ତାହାର କ୍ଷତି ବାବଦକୁ ଉଚିତ କ୍ଷତିପୂରଣ ପାଇ ପାରିବ ଓ ଡାକ୍ତର ବା ମେଡ଼ିକାଲ କର୍ମୀ ଅଯାଥାରେ ହଇରାଣ ହେବେ ନାହିଁ ବା ଦୋଷୀ ସାବ୍ୟସ୍ତ ହେବେ ନାହିଁ  .

ଗୁରୁତ୍ଵପୂର୍ଣ୍ଣ  ନିଷ୍ପତି

ଜାତୀୟ ଖାଉଟି ଦୁର୍ନୀତି ନିରାକରଣ କମିଶନ ଓ ରାଜ୍ୟ ଖାଉଟି ଦୁର୍ନୀତି ନିରାକରଣ କମିଶନଙ୍କର ଦ୍ଵାରା ନିଆଯାଇଥିବା କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ।

ସେବା …………

ଯଦି ବିନା ମୂଲ୍ୟରେ ସେବା ପ୍ରଦାନ କରାଯାଉଥାଏ , ତେବେ ଖାଉଟି ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହେବ ନାହିଁ । ଏହି ସେବା ପାଉଥିବା ବ୍ୟକ୍ତି  ଖାଉଟି ଶ୍ରେଣୀଭୁକ୍ତ ହୋଇପାରିବ ନାହିଁ ।

କର୍ଣାଟକ ରାଜ୍ୟ କମିସନ

ଖାଉଟି ...........................

ସରକାରୀ ଡାକ୍ତରଖାନରୁ ସେବା ପାଉଥିବା ବ୍ୟକ୍ତି ଖାଉଟି ନୁହନ୍ତି , ଏଣୁ ସେ ଖାଉଟି ଅଭିଯୋଗ କରିପାରିବେ ନାହିଁ  ।

ଜାତୀୟ କମିସନ

କ୍ଷତି ପୂରଣ .......................

ଜଣେ ଖାଉଟି କ୍ଷତି ବାବଦରେ ମୂଲ୍ୟ ନିର୍ଦ୍ଧାରଣ କରିପାରିବେ ନାହିଁ ।

ଗୁଜୁରାଟ ରାଜ୍ୟ କମିଶନ

କ୍ଷତି ପୂରଣ ମଞ୍ଜୁର ପାଇଁ ଅଭିଯୋଗକାରୀ କ୍ଷତିର ସଂପୂର୍ଣ୍ଣ ବିବରଣୀ ଦେବା ଆବଶ୍ୟକ

ମହାରାଷ୍ଟ୍ର ରାଜ୍ୟ କମିଶନ

ଅଭିଯୋଗ କରିବାର ବିଳମ୍ବ .........................

ନିର୍ଦ୍ଧାରିତ ସମୟ ଭିତରେ ଅଭିଯୋଗ ଦାଖଲ ଣ କରିଥିଲେ ଯଥେଷ୍ଟ କାରଣ ସହିତ ଅଭିଯୋଗ ଦାଖଲ କରିବାକୁ ପଡିବ

ପଞ୍ଜାବ ରାଜ୍ୟ ସରକାର

ଡାକ୍ତରମାନଙ୍କର ଜଣକୁ ମାରିଦେବାର ଅଧିକାର ଅଛି କି ?

  • କାଲିଫର୍ଣ୍ଣିଆର ଏକ ବିଚାରାଳୟର ନିର୍ଣ୍ଣାୟକ ମଣ୍ଡଳ ସଭ୍ୟମାନେ ଜଣେ ପ୍ରସୂତି ବିଶେଷଜ୍ଞ ଓ ଦୁଇଜଣ ଶିଶୁରୋଗ ବିଶେଷଜ୍ଞ 20 ମିଲିୟମ ଡଲାର କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଥିଲେ । ଯାହାର କାରଣ ଥିଲା ଫୋରସେପ ଦ୍ଵାରା ପ୍ରସବ କରାଯାଇ ଥିବା ଏକ ଝିଅର ମେରୁଦଣ୍ଡ ନଷ୍ଟ ହୋଇଯାଇଥିଲା , ଯାହାଦ୍ଵାରା ସେ ଝିଅ ଜନ୍ମରୁ ପକ୍ଷାଘାତ ରୋଗର ଶିକାର ହୋଇଥିଲା ।
  • ଆମେରିକାର ନିଉପୋର୍ଟ ନାଭାଲ ହସପିଟାଲକୁ ଏକ 12 ବର୍ଷ ବଯସର ବାଳକ ପାଇଁ 13 ମିଲିୟନ ଡଲାର ଦେବାକୁ ପଡିଥିଲା । କାରଣ ଟଂସିଲି ଅସ୍ତ୍ରୋପଚାର ସମୟରେ ସେ ଏଡସ୍ ରୋଗରେ ଶିକାର ହୋଇଥିଲା ।

ଏହି ସବୁ କେସ କ୍ଷତିପୂରଣ ପାଇବାର ଯୋଗ୍ୟ ଥିଲା ଜଣଙ୍କର ଆବହେଲା ପାଇଁ । ଏଥିସହିତ କ୍ଷତିପୂରଣ ପାଇଥବା ବ୍ୟକ୍ତି ବା ପିଲା ସେହି ସେବା ପାଇଁ ମୂଲ୍ୟ ପ୍ରଦାନ କରିଥିଲେ ।

ଇତି ମଧ୍ୟରେ ସରକାରୀ ସ୍ତରରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ଏହି ଆଇନ ଅନ୍ତର୍ଭୁକ୍ତ ହେବାପାଇଁ ବିଚାର ଆଲୋଚନା ଚାଲିଲା । କାରଣ ବିନାମୂଲ୍ୟ ସେବା ଏହି ଆଇନ ଅଧୀନରେ ନଥିଲା ଏବଂ ବହୁଲୋକ ସରକାରୀ ସ୍ୱାସ୍ଥ୍ୟ ସେବା ଆବହେଳା ସତ୍ତ୍ୱେ କ୍ଷତିପୂରଣ ପାଇପାରୁନଥିଲେ ।

ବର୍ତ୍ତମାନର ପରିସ୍ଥିତି ଅନୁସାରେ ଯଦି ଜଣେ ସେବା ପାଇବା ବଦଳରେ କିଛି ମୂଲ୍ୟ ଦେଇଥାଏ ତେବେ ସେ ଖାଉଟି ସୁରକ୍ଷା ଆଇନର ସାହାଯ୍ୟ ନେଇପାରିବା । ଏଥିସହିତ ବିନା ମୂଲ୍ୟର ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ଏହା ଏକ କାର୍ଯ୍ୟକାରୀ କରାଯାଇପାରିବ ।

ରୋଗୀର ଅଧିକାର

ଭାରତୀୟ ସମ୍ବିଧାନରେ ୨୧ଧାରା ଅନୁସାରେ ବ୍ୟକ୍ତିର ଜୀବନ ଓ ସ୍ଵାଧୀନତା ଏକ ମୌଳିକ ଅଧିକାର ଅଟେ । ସମ୍ବିଧାନରେ ଏହା ମଧ୍ୟ ଉଲ୍ଲେଖିତ ଯେ ଜନସାଧାରଣଙ୍କ ପୋଶନ ସ୍ତର ଏବଂ ଜୀବନ ଶୈଳୀ ଉନ୍ନତ କରିବା ରାଜ୍ୟ ସରକାରଙ୍କ କାମ । ସେହିପରି ରୋଗୀର ଅଧିକାର ମଧ୍ୟ ନିମ୍ନ ପ୍ରକାରାର ଯଥା –

  1. ସ୍ୱାସ୍ଥ୍ୟସେବା ଅଧିକାର ଏବଂ ସହାନୁଭୁତି ପୂର୍ଣ୍ଣ ଚିକିତ୍ସା ଅଧିକାର ।
  2. ମତାମତ ପ୍ରଦାନ କରିବା ଅଧିକାର ।
  3. ସୂଚନା ପ୍ରାପ୍ତି ଅଧିକାର ।
  4. ଉପଯୁକ୍ତ ଔଷଧ ବ୍ୟବହାର ସୂଚନା ଅଧିକାର ।
  5. ସ୍ୱାସ୍ଥ୍ୟ ଶିକ୍ଷା ଅଧିକାର ।

ଏହି ଅଧିକାର ରୋଗୀ ଉପରେ କେତେ ଗୁଡିଏ ଦାୟିତ୍ଵ ନ୍ୟସ୍ତ କରିଥାଏ । ସମସ୍ତ ରୋଗୀ ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଉଚିତ । ଯେତେବେଳେ ଜଣେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ କରୁଛନ୍ତି , ଡାକ୍ତରଙ୍କୁ ରୋଗ ବାବଦରେ ସଂପୂର୍ଣ୍ଣ ସୂଚନା ଦେବା ଆବଶ୍ୟକ ।

ଆପଣ ଭାବନ୍ତି କି ଏହି ସବୁ ଅଧିକାର କିଛି ଯଥାର୍ଥତା ଅଛି ? ଆପଣ କି ପ୍ରକାର ଚିକିତ୍ସା ପାଆନ୍ତି ?

ଖାଉଟି ଓ ଔଷଧ

ଆମେ ସର୍ବଦା ରୋଗ ଦୁଃଖର ସମ୍ମଖୀନ ହୋଇଥାଉ । ବେଳେବେଳେ ଏହା ସାମାନ୍ୟ ହୋଇଥାଏ ଯେଉଁଥିରେ ଔଷଧ ଦରକାର ହୋଇନଥାଏ । ବେଳେବେଳେ ଡାକ୍ତର ରୋଗ ଭଲ ହେବା ପାଇଁ ଔଷଧ ସେବନର ପରାମର୍ଶ ଦେଇଥାନ୍ତି , ଆମେ ଡାକ୍ତରଙ୍କୁ ବିଶ୍ଵାସ କରି ଔଷଧ ସେବନ କରିଥାଉ । ବେଳେବେଳେ ରୋଗ ଭଲ ହୋଇଯାଏ ବେଳେବେଳେ ହୁଏ ନାହିଁ । ଏହି ଔଷଧ ଖାଇବା ଦ୍ଵାରା ରୋଗ ଭଲ ହୋଇନଥାଏ , ତାହା ଠିକ ଔଷଧ ନ ହୋଇପାରେ ଯାହା ରୋଗୀକୁ ଖର୍ଚ୍ଚୀନ୍ତ କରିଥାଏ ଓ ଯନ୍ତ୍ରଣା ଉପସମରେ ବ୍ୟର୍ଥ ହୋଇଥାଏ । ଏଥିସହିତ ଖାଉଟି ମାନଙ୍କର ସ୍ୱଳ୍ପଜ୍ଞାନ ବା ସୀମିତ ଜ୍ଞାନ ଖାଉଟି ମାନଙ୍କୁ ଠକାମିରେ ପକାଇଥାଏ । କିନ୍ତୁ ଖାଉଟିମାନେ ମନେ ରଖିବା ଉଚିତ ଯେ ସେମାନେ ଫଳପ୍ରଦ , ନିରାପଦ ଶସ୍ତା ଏବଂ ସୁଲଭ ଔଷଧ ପାଇବାର ଅଧିକାର ଅଛି ।

ଟୀକା ଚିକିତ୍ସା

ଆଜିକାଲି ଆଧୁନିକ ଚିକିତ୍ସା ପ୍ରଣାଳୀରେ ଟୀକା ଏକ ସାଧାରଣ ଚିକିତ୍ସା ଅସ୍ତ୍ରରୂପେ ବ୍ୟବହାର କରାଯାଉଛି । ଏଥିରେ ମଧ୍ୟ ଚିକିତ୍ସକମାନଙ୍କ ଆବହେଳାରୁ ଦୋଷୀ ଭାବରେ ଦରାଯାଉହିଏ , ଯଥା ଜଣେ ଚିକିତ୍ସକ ଭୁଳବଶତଃ ଅନାବଶ୍ୟକ ଟୀକା ଦେଲେ ବ ସିକା ଶିରାରେ ନ ଦେଇ ଧନନୀରେ ଦେଲେ ବା ଟୀକା ଦେବା ସମୟରେ ଛୁଞ୍ଚି ଭାଙ୍ଗିଗଲେ । ଏହି ସବୁ ରୋଗୀ ପାଇଁ ବିପଦପୂର୍ଣ୍ଣ ଅଟେ । ଏ କ୍ଷେତ୍ରରେ ଚିକିତ୍ସକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରୁଛି

ରୋଗ ଚିକିତ୍ସା କରିବାରେ ବ୍ୟବହୃତ ଯନ୍ତ୍ରପାତି

ଅସ୍ତ୍ରୋପଚାର ସମୟରେ ଯଦି ଚିକିତ୍ସକ ଭୁଲପାଇଁ  ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ରୋଗୀର ଶରୀରରେ ରହିଗଲା ଓ ରୋଗୀ ବିପଦପୂର୍ଣ୍ଣ ହୋଇପଡିଲା , ତେବେ ଏ କ୍ଷେତ୍ରରେ ଚିକିତ୍ସକ ସଂପୂର୍ଣ୍ଣ ଦାୟୀ ଅଟନ୍ତି ।

ଅସାଧୁ ବ୍ୟବସାୟୀ

ଯେକୌଣସି ବ୍ୟବସାୟରୁ ଅଧିକ ଲାଭ ଉଠାଇବା ଅଭିପ୍ରାୟରେ ଅସାଧୁ ଉପାୟ ଅବଲମ୍ବନ କରିବା ବ୍ୟବସାୟୀ ଅଟେ । ଏହା ଦ୍ଵାରା କେବଳ ଯେ ବ୍ୟକ୍ତିର କ୍ଷତି ହୁଏ ତା ନୁଡେ ବରଂ ଏହା ପୂରା ସମାଜକୁ ଧ୍ଵଂସ ପଥକୁ ଟାଣି ନେଇଯାଏ । ଏହା ଦ୍ଵାରା ନିଜର ଜୀବନ ବିପର୍ଣ ହେବା ସହିତ ବ୍ୟକ୍ତି ବା ସମାଜ ପଙ୍ଗୁ ହୋଇଯାଏ । ଏହିପରି ଅସାଧୁ ବିକ୍ରେତା ମାନଙ୍କ କାର୍ଯ୍ୟ ଯଥା ଅପମିଶ୍ରଣ , ପଦାର୍ଥ ଚଢା ଦାମରେ ବିକ୍ରି ଇତ୍ୟାଦି ତୁରନ୍ତ ଅସସାନ ଘଟିବା ଦରକାର । ଏବଂ ଏହା କେବଳ ଏକ ସାମୁହିକ ଉଦ୍ୟମ ଦ୍ଵାରା ସମ୍ଭବ ହୋଇପାରିବ । ଲୋକମାନେ ଖାଉଟି ସୁରକ୍ଷା ବିଶେଷତ୍ଵ ବାବଦରେ ସଚେତନ କରାଇବାକୁ ପଡିବ । ଏହା ପରିବର୍ତ୍ତୀ ପର୍ଯ୍ୟାୟ ଖାଉଟି ସୁରକ୍ଷା ଲକ୍ଷ୍ୟ ଉଦ୍ୟମକୁ ସାକାର କରିପାରିବ ।

ଖାଉଟି ଏବଂ ଅପମିଶ୍ରିତ

ଏହା ଏପରି ଏକ ବିଷୟ, ଯାହା ବାବଦରେ ଖାଉଟି ମାନଙ୍କର ସଚେତନତା ବହୁତ କମ । ଆମେ ପ୍ରତିଦିନ ଖାଦ୍ୟ ସହିତ କେତେ ପରିମାଣର ବିଷ ଭକ୍ଷଣ କରୁଛୁ , ଆମେ ଜାଣିପାରୁନାହୁ । ବିଭିନ୍ନ ପ୍ରକାର ଖାଦ୍ୟ ଯାଥା ଫଳ, ପନିପରିବା , ମାଛ , ମାଂସ ରେ କେତେ ପରିମାଣରେ ରାସାଯନିକ ବିଷ ଅଛି ତାହା ମଧ୍ୟ ନ ଜାଣି , ଆମର ସ୍ୱାସ୍ଥ୍ୟ ଅଧିକ ଦୁର୍ବଳ କରୁ । ଏହି ଅପମିଶ୍ରିତ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ଜିନିଷରେ ବାଡେ ଜିନିଷ ମିଶାଇ ଲାଭଖୋର ବାପାରି ଏହାକୁ ବଜାରରେ ବିକ୍ରି କରିଥାନ୍ତି । ଯାହା ଫଳ ସ୍ୱରୂପ ଆମେ ବିଭିନ୍ନ ପ୍ରକାର ବ୍ୟାଧି ଯଥା – କର୍କଟରୋଗ , ମୂତ୍ରାଶୟ ନଷ୍ଟ , ପାକସ୍ଥଳୀ ଓ ହୃଦାରୋଗା ଇତ୍ୟାଦିରେ ଆକ୍ରାନ୍ତ ହୋଇଥାଉ ।

ଯେତେବେଳେ ଆପଣ ଏହି ଅପମିଶ୍ରିତ ବାବଦରେ ଖବର ପାଉଛନ୍ତି ବା ଜାଣୁଛନ୍ତି , ଖାଉଟି ଫୋରମରେ ତୁରନ୍ତ ଅଭିଯୋଗ କରନ୍ତୁ , କାରଣ ଏହା ଏକ ଦଣ୍ଡନିୟ ଅପରାଧ ଅଟେ । ତେଣୁ ଏହି ଅପମିଶ୍ରିତ ରୋକିବା ପାଇଁ ଖାଉଟିମାନ ଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଖାଉଟିମାନେ ଅପମିଶ୍ରିତ ବାବଦରେ ସଚେତନ ହେଲେ ଏହି ଅପମିଶ୍ରିତ କୁ ସହଜରେ ରୋକାଯାଇ ପାରିବ । ଖାଦ୍ୟ ପଦାର୍ଥ କିଣିଲା ସମୟରେ ଏହାର ଓଜନ , ମୂଲ୍ୟ ଭଲ ଭାବରେ ଯାଞ୍ଚ କରିବା ଆବଶ୍ୟକ । ଏପରି କେତେକ ଖାଉଟି ସଂସ୍ଥା ଯେଉଁମାନେ ଅପମିଶ୍ରିତ ବିରୁଦ୍ଧରେ କାର୍ଯ୍ୟ କରନ୍ତି ଏବଂ ଖାଦ୍ୟ ପଦାର୍ଥର ଗୁମାତ୍ମକ ମାନ ସମୟାନୁସାରେ ଯାଞ୍ଚ କରନ୍ତି । ଅପମିଶ୍ରିତ ରୋକିବା ପାଇଁ ସରଳ ଯାଞ୍ଚ କିଟ ବା ମାନୁଆଲ ପ୍ରକାଶନ କରନ୍ତି ।

ଏହି ସବୁ କହିବାର ଅର୍ଥ ଆମକୁ ଦେଶରେ ଏକ ଖାଉଟି ସୁରକ୍ଷା ଆଂଦୋଳନର ହାୱା ସୃଷ୍ଟି କରିବାର ଅଛି ଯାହା ଖାଉଟି ମାନଙ୍କ ସ୍ଵାର୍ଥରକ୍ଷା କାରିପାରିବ ।

ଖାଉଟିମାନେ ଖାଉଟି ଫୋରମକୁ ଯିବା ପୂର୍ବରୁ କେତେକ କଥା ଜାଣିବା ଦରକାର ଯଥା

  1. ଅଭିଯୋଗ ପରିଷ୍କାର ଭାବରେ ଲେଖା ହେବା ଦରକାର ।
  2. ଅଭିଯୋଗ ଦରଖାସ୍ତରେ ଅଭିଯୋଗକାରୀ ଏବଂ ତାଙ୍କର ପ୍ରତିନିଧି ବା ଓକିଲଙ୍କ ଦସ୍ତଖତ ରହିବା ଦରକାର ।
  3. ଅଭିଯୋଗ ଉଭୟ ଡାକ ଓ ବ୍ୟକ୍ତିଗତ ମାଧ୍ୟମରେ କରାଯାଇପାରିବ ।
  4. ଏଥିରେ କୋର୍ଟ ଫି ମାରିବାର ଆବଶ୍ୟକତା ନାହିଁ ।
  5. ୬ଟି ନକଲ ସହିତ ଖାଉଟି ଫୋରମ୍ ର ଅଧ୍ୟକ୍ଷଙ୍କ ପାଖକୁ ପଠାଯିବା ଦରାକାର ।
  6. କୋର୍ଟରେ ଶୁଣାଣି ଦିନ ଆପଣଙ୍କ ଉପସ୍ଥିତି ଏକାନ୍ତ ଆବଶ୍ୟକ ।
  7. ଉଭୟ ଆର୍ଥିକ ନିଷ୍ଟ ବା ମାନସିକ ଆସନ୍ତି ବାବଦରେ କ୍ଷତିପୂରଣ ଦାବି କରାଯାଇପାରିବ ।
  8. ନିକଟସ୍ଥ ଖାଉଟି ଫୋରମରେ ପରାମର୍ଶ କରିପାରିବେ ।
  9. ସାଧାରଣ ଖାଉଟି କୋର୍ଟ ତିନିମାସ ମଧ୍ୟରେ ତାହାର ରାୟ ପ୍ରକାଶ କରିଥାଏ । କିନ୍ତୁ ଗବେଷଣାରଗାର ଜନିତ ଅସୁବିଧା ପାଇଁ ଏହା ୩ମାସ ରୁ ୫ ମାସ ସମୟ ନେଇଥାଏ ।

୧୯୯୩ ଖାଉଟି ସୁରକ୍ଷା ଅଧ୍ୟାଦେଶ –

*        ଏହି ଅଧ୍ୟାଦେଶ ବଳରେ ସମସ୍ତ ଘରୋଇ ଡାକ୍ତର ଓ ଡାକ୍ତରଖାନା ସୁରକ୍ଷା ଆଇନ ପରିସରଭୁକ୍ତ । କିନ୍ତୁ ସରକାରୀ ଡାକ୍ତର ବା ଡାକ୍ତରଖାନା ଏହାର ପରିସରଭୁକ୍ତ ନୁହଁନ୍ତି । ଏହା ଉଲ୍ଲେଖିତ ଯେ ଯଦି ସ୍ୱାସ୍ଥ୍ୟସେବା ବିନା ମୂଲ୍ୟ ରେ ପ୍ରଦାନ କରାଯାଏ ତେବେ ଏହା ଏହି ଆଇନଭୁକ୍ତ ହେବ ନାହିଁ ।

*        ରୋଗୀ ଡାକ୍ତର ରୋଗ ଦେଖାଇବା ଦ୍ଵାରା ଡାକ୍ତରମାନେ ରୋଗ ଭଲ କରିବାର ସୁଯୋଗ ପାଉଛନ୍ତି ।

*        ରୋଗୀର ମୃତଦେହ ଡାକ୍ତର ପରୀକ୍ଷା କରି ବିଭିନ୍ନ ଲୁକ୍କାୟିତ ତଥ୍ୟ ପାଇପାରୁଛନ୍ତି ।

*        କିନ୍ତୁ ଡାକ୍ତରମାନେ ମନଇଚ୍ଛା ଫି ନେଇ ରୋଗୀମାନଙ୍କୁ ସର୍ବସାନ୍ତ କରି ଦେଉଛନ୍ତି ।

*        ଡାକ୍ତରମାନେ ନିଜ ଦେଶରେ ପାଠ ପଢି ଅନ୍ୟ ଦେଶରେ କାମ କରୁଛିନ୍ତି । ନିଜ ଦେଶ ତାଙ୍କ ପାଇଁ କଣ କରିଛି ସଂପୂର୍ଣ୍ଣ ଭୁଲି ଯାଉଛନ୍ତି ।

*        ସ୍ୱାସ୍ଥ୍ୟସେବାର ମହତଗୁଣ ଧିରେ ଧିରେ ନଷ୍ଟହେବାରେ ଲାଗିଛି ।

*        ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଯେଉଁ ସ୍ନେହ ଶ୍ରଦ୍ଧାର ସମ୍ପର୍କ ଥିଲା ଏବେ ତାହା ଟଙ୍କା ମଧ୍ୟରେ ସୀମିତ ହୋଇଯାଉଛି ।

ରୋଗର ଅଧିକାର

ରୋଗୀର ସଂପୂର୍ଣ୍ଣ ଅଧିକାର ଅଛି ତାହାର ରୋଗ ବାବଦରେ ଜାଣିବା ପାଇଁ ଏବଂ ଡାକ୍ତର ତାହାର ଦେହସହିତ କି ବ୍ୟବହାର କରୁଛିନ୍ତି ଜାଣିବା ପାଇଁ । ଡାକ୍ତର ମଧ୍ୟ ରୋଗୀକୁ ରୋଗ ବାବଦରେ ଜଣାଇବା ଦାୟିତ୍ଵ ବହନ କରନ୍ତି କାରଣ କି ବ୍ୟବହାର କରୁଛନ୍ତି ଜାଣିବା ପାଇଁ ।

*        ରୋଗୀ ପରାମର୍ଶ ପାଇଁ ଫି ଦେଉଛନ୍ତି ।

*        ରୋଗୀ ଔଷଧ କିଣୁଛନ୍ତି ।

*        ଯାହା କିଛି ହେଉଛି ରୋଗୀର ଦେହକୁ ନେଇ ।

ଯଥା - କେରଳ ରାଜ୍ୟ କମିଶନ ଏକ ଅଭିଯୋଗର ଶୁଣାଣି କରି ଏକ ଡାକ୍ତରଖାନାକୁ ଦୋଷୀ ସାବ୍ୟସ୍ତ କଲା । ସେହି ଡାକ୍ତର ଏହି ନିଷ୍ପତିକୁ ବିରୋଧ କରି ଜାତୀୟ କମିଶନର ଦ୍ଵାରସ୍ଥ ହେଲା । କିନ୍ତୁ ଜାତୀୟ କମିଶନ ରାଜ୍ୟ କମିଶନ ନେଇଥିବା ନିସ୍ପତିକୁ ବଳବତ୍ତଳ ରଖିଲା ଏବଂ ଏହା ପରିଷ୍କାର କରିଦେଲା ଯେ ମେଡିକାଲ ଅବହେଳା ଖାଉଟି ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ  ।


ଅପମିଶ୍ରିତ ଖାଦ୍ୟ ଓ ପ୍ରକାର

 

ଭେଜାଲ ପଦାର୍ଥ                                        ଖାଦ୍ୟ ପଦାର୍ଥ                                           ରୋଗ

ଅର୍ଗେନ ମଞ୍ଜି                                             ସୋରିଷ                                                  ମହାମାରୀ

ଅର୍ଗନ ତେଲ                                             ଖାଇବା ତେଲ                                            ଗ୍ଳୁକୋମା

ଖଣିଜ ତେଲ                                             ଖାଇବା ତେଲ                                            କର୍କଟ ରୋଗ

ଲିଡ                                                       ପାଣି                                                      ରକ୍ତହୀନତା, କୋଷ୍ଠକାଠିନ୍ୟ

ଟିଣ                                                       ଟିଣ ଡଭାରେ ଥିବା ଖାଦ୍ୟ                               ବାନ୍ତି, ତରଳଝାଡା ,

ଜିଙ୍କ                                                       ପାଣି                                                      ଘୁମ ,ବାନ୍ତି,

 

ଖାଉଟି ସୁରକ୍ଷା

ଖାଉଟି କିଏ ?

ଆମେ ଦୈନଦିନ ଜୀବନରେ ଏହି ଖାଉଟି ଶବ୍ଦ ପ୍ରାୟ ସର୍ବଦା ଶୁଣିଥାଉ । ଏହି ଖାଉଟି ଜଣେ ବ୍ୟକ୍ତି ଯିଏ ବିଭିନ୍ନ ଜିନିଷ ବା ପଦାର୍ଥ ବା ସେବା ବ୍ୟବହାର କରିଥାଏ । ଦୈନଦିନ ଜୀବନରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ବହୁତ ଜିନିଷ ବ୍ୟବହାର କରିଥାଉ । ଏଣୁ ଆମେ ଜନ୍ମରୁ ହିଁ ଏକ ଖାଉଟିରେ ଗଣା ହୋଇଥାଉ ।

ଜୀବନରେ ଆମେ ବହୁତ ଜିନିଷ ଦରକାର କରିଥାଉ । ପ୍ରକୃତିରୁ ମଧ୍ୟ ଆମେ ଅନେକ ପଦାର୍ଥ ପାଇଥାଉ , ଯାହା ଆମକୁ ବିନା ମୂଲ୍ଯରେ ମିଳିଥାଏ  । କିନ୍ତୁ ପ୍ରକୃତି ଛଡା ଆହୁରି ଆନେକ ଜିନିଷ ମଧ୍ୟ ଆମେ ଦରକାର କରୁ , ଯଥା ଖାଦ୍ୟ ବସ୍ତ୍ର, ବାସଗୃହ ଇତ୍ୟାଦି । ଏଥିସହିତ ସ୍ୱାସ୍ଥ୍ୟସେବା, ଯାତାୟତ ସେବା , ଓ ଗମନା ଗମନ ସେବା ଆବଶ୍ୟକ କରୁ । ଏଥିପାଇଁ ଆମକୁ କିଛି ମୂଲ୍ୟ ଦେବାକୁ ପଡିଥାଏ । ଯେତେବେଳେ ଆମେ କୌଣସି ବସ୍ତୁବା ପଦାର୍ଥ କ୍ରୟ କରୁ ବା ସେବା ପାଇବା ପାଇଁ କିଛି ମୂଲ୍ୟ ଦେଉ , ସେତେବେଳେ ଆମେ ଖାଉଟି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଉ ।

ଖାଉଟି ଜାଗରଣ

ପ୍ରତିଦିନ କିଛିନା କିଛି କିଣିବାରେ ବା ସେବା ପାଇବାରେ ଆମେ ସମୟ ଅତିବାହିତ କରିଥାଉ । ବେଳେବେଳେ ଏହି ସେବା ପାଇବାରେ ଆମେ ବିଫଳ ହୋଇଥାଉ । ସମୟ ସମୟରେ ଆମେ ଖାରାପ ଜିନିଷ ବା ନଷ୍ଟ ହୋଇଯାଇଥିବା ଜିନିଷକୁ ଉପଯୁକ୍ତ ସେବା ପାଇନଥାଉ । ବେଳେବେଳେ ଆମେ କ୍ରୋଧାନ୍ଵିତ ବା ବିମୁଖ ହୋଇଥାଉ । ଶେଷରେ ଏହି ଅନ୍ୟାୟକୁ ନୀରବରେ ସହିଜାଉ । କଣ ଆପଣ ଏହିଭଳି ସହିବେ ? ଯାହା ଆମକୁ ନ୍ୟାୟ ଦେବା ସଙ୍ଗେସଙ୍ଗେ ସମାଜରେ ପ୍ରଚଳିତ କୁ ପ୍ରଥା ବା କୁ ଅଭ୍ୟାସ କୁ ଅନ୍ତ କରିବାରେ ସାହାଯ୍ୟ କରିବ ।

ଯେତେବେଳେ ଆମେ କୌଣସି ପଦାର୍ଥ ବା ବସ୍ତୁ ମୁଦ୍ରା ବିନିମୟରେ ପାଉ , ଆମେ ସର୍ବଦା ପଦାର୍ଥ ବା ବସ୍ତୁକୁ ଦେଉଥିବା ମୂଲ୍ୟ ସହିତ ତୁଳନା କରିଥାଉ, ଯେତେବେଳେ ଆମେ ଆମର ମୂଲ୍ୟ ତୁଳନାରେ ଜିନିସ ବା ପଦାର୍ଥ ପାଇନ ଥାଉ ସେତେବେଳେ ଆମେ ଠକାମିରେ ପଡିଯିବାର ଅନୁଭବ କରୁ । ଜଣେ ଅନ୍ୟ ଜଣକୁ ଠକିବା ଘୋର ଅପରାଧ ଅଟେ । କିନ୍ତୁ ଆମସମାଜରେ ଏପରି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅସଦ ଉପାଯରେ ଅନ୍ୟମାନଙ୍କୁ ଠକି ଟଙ୍କା ରୋଜଗାର କରିଥାନ୍ତି । ଏଣୁ ସବୁଠାରୁ ଗୁରୁତ୍ଵପୂର୍ଣ ଆମକୁ ଏହି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଲେ , ପ୍ରଥମେ ଖାଉଟି ମାନଙ୍କୁ ସେମାନଙ୍କର ଅଧିକାର ବାବଦରେ ସଚେତନ କରାଇବା ଆବଶ୍ୟକ ।

ଖାଉଟି ଅଧିକାର

  • ନିରାପତ୍ତା ଅଧିକାର
  • ସୂଚନା ପାଇବା ଅଧିକାର
  • ଭଲ ବା ମନ୍ଦ ବାଛିବା ଅଧିକାର
  • ଆମ କଥା ଅନ୍ୟମାନେ ଶୁଣିବାର ଅଧିକାର
  • ଦୁର୍ନୀତି ନିରାକରଣ ଅଧିକାର
  • ଶିକ୍ଷା ଅଧିକାର

ସାଧାରଣତଃ ଯେତେବେଳେ ଖାଉଟିମାନେ ସେମାନଙ୍କର ଅଧିକାର ସାବ୍ୟସ୍ଥ କରିବା ଆରମ୍ଭ କରନ୍ତି , ସେତେବେଳେ ବ୍ୟବସାୟୀ ଓ ଉତ୍ପାଦନକାରୀ ଗୋଷ୍ଠୀ ସଜାଗ ହୋଇଯାଆନ୍ତି । ବିଜ୍ଞ ଖାଉଟି ଜିନିଷ ବା ପଦାର୍ଥ କିଣିବା ସମୟରେ ଅଧିକ ବାଛବିଚାର କରନ୍ତି । ଖାଉଟିମାନେ ଏକତ୍ର ହୋଇ ଶକ୍ତିଶାଳି ହେଲେ ଉତ୍ପାଦନକାରୀ ନିଶ୍ଚିତ ଭାବରେ ଜିନିଷ ବା ସେବାରେ ଗୁଣାତ୍ମକମାନେ ବଢାଇବାରେ ଲାଗି ପଡନ୍ତି ଏବଂ ଠକାମି, ଅପମିଶ୍ରଣ ବନ୍ଦ ହୋଇଥାଏ ।

ଖାଉଟି ସୁରକ୍ଷା ଅଧିକାର

ପଦାର୍ଥ ବା ବସ୍ତୁ ବା ସେବାର ଗୁଣାତ୍ମକ ନିୟନ୍ତ୍ରଣ ପାଇଁ ସରକାର ଖାଉଟି ସୁରକ୍ଷା ଆଇନ କୁ ବୈଧାନିକ ମାନ୍ୟତା ପ୍ରଦାନ କରିଛିନ୍ତି । ଭାରତରେ ସଂପ୍ରତି ୮୦୦ରୁ ଅଧିକ ଖାଉଟି ସଂସ୍ଥା , ଖାଉଟି ଆନ୍ଦୋଳନକୁ ଅଧିକ ସକ୍ରିୟ କରିବା ପାଇଁ କାର୍ଯ୍ୟ କୃଚିନ୍ତି ।  ଏହି ସଂସ୍ଥାମାନଙ୍କ ସାମୁହିକ ଉଦ୍ୟମ ଦ୍ଵାରା ଖାଉଟି ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇପାରିଛି । ଖାଉଟିମାନଙ୍କର ଆତ୍ମବିଶ୍ଵାସ ବଢିବାରେ ଲାଗିଛି । ତଥାପି ଖାଉଟିମାନଙ୍କ ଅଧିକାର ସାବ୍ୟସ୍ତ କରିବାରେ ଏବେ ବି ବହୁତ କିଛି କରିବାର ଅଛି ।

ଖାଉଟି ସୁରକ୍ଷା ଆଇନ ଅଧୀନରେ ମେଡ଼ିକାଲ , ବିଧି ପ୍ରଶାସନ ଏବଂ ପଦାର୍ଥ ବା ବସ୍ତୁ ଯଥା ବିଦ୍ୟୁତ, ପାଣି ଗ୍ୟାସ, ମୋଟର ଚଳିତଯାନ ନିୟନ୍ତ୍ରଣାଧୀନ । ଏହି ଆଇନ ଅବମାନବା ବା ନିୟମ ଭଙ୍ଗ ପାଇଁ ଉଚିତ ଦଣ୍ଡ ଓ କ୍ଷତିପୁରଣର ବ୍ୟବସ୍ଥା ମଧ୍ୟ ସୁଦୁଢ କରାଯାଇଛି । ସରକାରୀ ଖାଉଟିମାନେ ସ୍ଵାର୍ଥରକ୍ଷା ପାଇଁ ସମୟ ଅନୁସାରେ ବିଭିନ୍ନ ପ୍ରକାର ଆଇନ ପ୍ରଣଯନ କରୁଛିନ୍ତି ।

କୌଣସି ଦୋକାନ ବା ଉତ୍ପାଦନକାରୀ ଆପଣଙ୍କ ଅଞ୍ଚଳରେ ଲୋକଙ୍କୁ ଠକିଥିବାର ଜାଣନ୍ତି କି ? ଆପଣ ଠିକାମୀ ବାବଦରେ ଅନ୍ୟ ସହିତ ବିଚାର ଆଲୋଚନା କରିଛନ୍ତି କି  ? ଆପଣ ଏ ବାବଦରେ କୌଣସି ପଦକ୍ଷେପ ନେଇଛନ୍ତି କି ?

ଖାଉଟି ସୁରକ୍ଷା ଆଇନ ୧୯୮୬

୧୯୮୬ ଖାଉଟି ସୁରକ୍ଷା ଆଇନ ଅଧିନିୟମ ଦ୍ଵାରା ଖାଉଟି ମାନଙ୍କ ଅଭିଯୋଗ କାର୍ଯ୍ୟକ୍ରମ କରିବା ଅଧିକ ଫଳପ୍ରଦ ହୋଇ ପାରିଛି । ଜୁନ ୧୯୯୩ ଅଧ୍ୟଦେଶ ୧୯୮୬ ଆଇନ କୁ ଅଧିକ ମଜବୁତ କରିପାରିଛି । ଏହି ଦ୍ଵାରା ଲକ୍ଷ ଲକ୍ଷ ଖାଉଟି ଅଭିଯୋଗ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି ଓ ଖାଉଟିମାନେ ସେମାନଙ୍କର ନ୍ୟାଯ୍ୟ କ୍ଷତିପୂରଣ ପାଇପାରୁଛି  ।

ଜିଲ୍ଲା ଫୋରମ

ଜିଲ୍ଲା ଫୋରମରେ ୫ ଲକ୍ଷ ଟଙ୍କା ପରେ ଅଭିଯୋଗ ଗ୍ରହଣ କରାଯାଇଥାଏ (୧୯୯୩ ସଂଶୋଧନ )- ଜିଲ୍ଲା ଫୋରମ ତୁରନ୍ତ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ବିଚାର କରି ଦୋଷୀକୁ ଦଣ୍ଡ ବିଧାନ କରିଥାଏ । ଜିଲ୍ଲା ଫୋରମ ବିଚାରରେ ଯଦି ଜଣଙ୍କର ମନ ନମାନେ ବା ସେ ଆତ୍ମସନ୍ତୋଷ ଲାଭ କରେ ନାହିଁ ତେବେ ସେ ୩୦ ଦିନ ମଧ୍ୟରେ ରାଜ୍ୟ ଫୋରମ ଅଭିଯୋଗ ଦାଏର କରିପାରିବ ।

ରାଜ୍ୟ ଫୋରମ

ଅଭିଯୋଗର ପଦାର୍ଥ ବା ବସ୍ତୁ ବା ସେବାର ମୂଲ୍ୟ ୧ଲକ୍ଷରୁ ୨୦ଲକ୍ଷ ହୋଇଥାଏ। ଏହା ରାଜ୍ୟ ଫୋରମରେ ବିଚାର ହୋଇଥାଏ । ଜିଲ୍ଲା ଫୋରମ ଭଳି ରାଜ୍ୟ ଫୋରମରେ ସମାନ ନୀତି ଅବଲମ୍ବନ କରାଯାଇଥାଏ । ରାଜ୍ୟ ଫୋରମ ବିଚାରରେ ଅଭିଯୋଗ କାରୀଙ୍କୁ ସନ୍ତୋଷ ନ ମିଳିଲେ ସେ ୩୦ ଦିନ ଭିତରେ ଜାତୀୟ କମିଶନର ଦ୍ଵାରସ୍ଥ ହୋଇପାରିବେ ।

ଜାତୀୟ କମିଶନ

ଅଭିଗୋଗ ସେବା ବା ଜିନିଷ ୨୦ ଲକ୍ଷରୁ ଅଧିକ ହୋଇଥିଲେ ଏହା ଜାତୀୟ କମିଶନରେ ବିଚାର ହୋଇଥାଏ । ଅନ୍ୟ ତଳ ଫୋରମ ଭଳି ଏହାର ବିଚାର ଯଦି ଠିକ ନ ହୁଏ ତେବେ ଅଭିଯୋଗକାରୀ ୩୦ ଦିନ ଭିତରେ ସର୍ବୋଚ୍ଚ ନ୍ୟାୟାଲୟ ଅଭିଯୋଗ କରିପାରିବେ ।

ପରିଭାଷା

ଅଭିଯୋଗକାରୀ ଅର୍ଥ

ଜଣେ ଖାଉଟି ବା ୧୯୫୬ କମ୍ପାନୀ ଆକ୍ଟରେ ପଞ୍ଜୀକରଣ ହୋଇଥିବା ଯେ କୌଣସି ଖାଉଟି ସଂସ୍ଥା ବା କେନ୍ଦ୍ର ସରକାର ଓ ରାଜ୍ୟ ସରାକାର, ଯିଏ ଅଭୋଯୋଗ କରନ୍ତି ।

ଅଭିଯୋଗ

-ଅର୍ଥ ଯେ କୌଣସି ଲିଖିତ ଅସାଧୁ ବ୍ୟବସାୟୀ ବା ବିକ୍ରେତା ବିରୁଦ୍ଧରେ ।

- ପଦାର୍ଥ ବା ବସ୍ତୁରେ ଥିବା ଦୋଷ ତ୍ରୁଟି ବିରୁଦ୍ଧରେ ।

- ଉପଯୁକ୍ତ ସେବା ନ ପାଇବା ବିରୁଦ୍ଧରେ

- ଜିନିଷ ବା ପଦାର୍ଥ ଚଢା ଦାମରେ କିଣିବା ବିରୁଦ୍ଧରେ

ଖାଉଟି

ଯେ କୌଣସି ବ୍ୟକ୍ତି ଯିଏ ମୂଲ୍ୟ ବିନିମୟରେ କିଛି ସେବା ପାଇଥାନ୍ତି ।

ଖାଉଟି ବିବାଦ

ଅର୍ଥ ଯେଉଁ ବ୍ୟକ୍ତି ବିରୁଦ୍ଧରେ ଅଭିଯୋଗ ହୋଇଥାଏ ।

ଦୋଷ ବା ତ୍ରୁଟି

ଅର୍ଥ ଯେ କୋଣସି ବସ୍ତୁ ବା ପଦାର୍ଥରେ ଆବଶ୍ୟକୀୟ ଗୁଣ , ପରିମାଣ , ବିଶୁଦ୍ଧତା, ପ୍ରଭାବ ଇତ୍ୟାଦି ନ ରହିବା ।

ଉତ୍ପାଦକାରୀ ବା ନିର୍ମାତା

ବସ୍ତୁ ବା ପଦାର୍ଥ ଉତ୍ପାଦନକାରୀ ।

ବିଭିନ୍ନ ଯନ୍ତ୍ରପାତି ବା ବସ୍ତୁ ପଦାର୍ଥ ବ୍ୟବହାର କରି କିଛି ନିର୍ମାତା ବା ଉତ୍ପାଦନ କରିବା ।

ସେବା

ଏହା ବିଭିନ୍ନ ପ୍ରକାର ହୋଇପାରେ ଯଥା ବୀମା, ଯାତାୟତ, ରହିବା, ଖାଇବା , ଆମୋଦ ପ୍ରମୋଦ, ଓ ସ୍ୱାସ୍ଥ୍ୟ ଇତ୍ୟାଦି । କିନ୍ତୁ  ବିନା ମୂଲ୍ୟରେ ପାଉଥିବା ସେବା ଏଥିରେ ଅନ୍ତର୍ଭୁକ୍ତ ଅଟେ ।

ବିକ୍ରେତା

ଯେ କୌଣସି ବସ୍ତୁ ବା ପଦାର୍ଥ ବିକ୍ରି ବା ବଣ୍ଟନ କରୁଥିବା ବ୍ୟକ୍ତି ବା ବ୍ୟକ୍ତିବୃନ୍ଦ ।

ଆଧାର : ଓଡିଶା ଭଲ୍ୟୁଣ୍ଟାରି ହେଲଥ ଆସୋସିଏସନ ଭୁବନେଶ୍ଵର

2.93939393939
Sudipta Kumar Champti Feb 10, 2016 05:05 PM

ଖାଉଟିମାନେ ଏବେ ସମ୍ପୂର୍ଣ ସୂଚନା ଏହି ପୋର୍ଟାଲ ମାଧ୍ୟମରେ ପାଇପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top