ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାଳୟ
ସେଆର କରନ୍ତୁ

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାଳୟ

ଭାରତର ସମ୍ବିଧାନର ପ୍ରଣେତାମାନେ ଉପଲ୍ଲବ୍ଧି କରିଥିଲେ ଯେ , ନାଗରିକମାନଙ୍କ ପାଇଁ ରାଜନୈତିକ ସ୍ଵାଧୀନତା ଯେତିକି ଆବଶ୍ୟକ , ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା ମଧ୍ୟ ସେହି ପରିମାଣର ଦରକାର ।

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

ଭାରତର ସମ୍ବିଧାନର ପ୍ରଣେତାମାନେ ଉପଲ୍ଲବ୍ଧି କରିଥିଲେ ଯେ , ନାଗରିକମାନଙ୍କ ପାଇଁ ରାଜନୈତିକ ସ୍ଵାଧୀନତା ଯେତିକି ଆବଶ୍ୟକ  , ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା ମଧ୍ୟ ସେହି ପରିମାଣର ଦରକାର  । ଦେଶର ଗରିବ , ପଛୁଆ ବର୍ଗ , ଶିଶୁ ଓ ମହିଳା ଏବଂ ଅନ୍ୟାନ୍ୟ ଆବହେଳିତ ଲୋକମାନଙ୍କର ବିକାଶ ପାଇଁ ପ୍ରଚେଷ୍ଟା ହେବା ନିତାନ୍ତ ଜରୁରୀ   , ତାହା ହୋଇ ପାରିଲେ ଦେଶର ପ୍ରଗତି ଘଟିବ   ।  ସେଥିପାଇଁ ଭାରତର ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ ରୁ ଧାରା ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବିଷୟରେ ଉଲ୍ଲେଖ କରାଯାଇଛି   । କେନ୍ଦ୍ର ଓ ରାଜ୍ୟଗୁଡିକରେ ଥିବା ସରକାରଙ୍କ ପାଇଁ ଏଥିରେ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀ ଦିଆଯାଇଛି   । ଏଗୁଡିକ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମୌଳିକ କର୍ତ୍ତବ୍ୟ   ।

ମୁଖ୍ୟ ବୈଶିଷ୍ଟ୍ୟ

(କ) ଉଭୟ ରାଷ୍ଟ୍ରୀୟ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅଧିକାର ହେଉଛି  ସମ୍ବିଧାନର " ମୁଖବନ୍ଧ ବା ପ୍ରସ୍ତାବନା ବା ପ୍ରାକକଥନ ରେ ରହିଥିବା ଲକ୍ଷ୍ୟ ପୂରଣର ଏକ ଉତ୍ତମ ମାଧ୍ୟମ   । ମୌଳିକ ଅଧିକାର ମୁଖ୍ୟତଃ ରାଜନୈତିକ ଗଣତନ୍ତ୍ର ପାଇଁ ମୂଳଦୁଆ ତିଆରି କରିଥିବା ବେଳେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସାମାଜିକ ଓ ଅର୍ଥନୈତିକ ଗଣତାନ୍ତ୍ରିକ ମୂଳଦୁଆ ପକାଇଥାଏ   ।

(ଖ) ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରକ ରାଷ୍ଟ୍ର ରୂପେ ଗଠନ କରିବାର ଲକ୍ଷ୍ୟ ରଖି ଏହି ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି   ।

(ଗ) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ  । ଏଗୁଡିକ ପାଳନପାଇଁ ନ୍ୟାୟାଳୟର ସାହାଯ୍ୟ ନିଆଯାଇପରେ ନାହିଁ   । କିନ୍ତୁ ଜନମତକୁ ସମ୍ମାନ ପ୍ରଦର୍ଶନ କରି ପ୍ରତ୍ୟେକ ସରକାର ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉଦ୍ୟମ କରିଥାଆନ୍ତି   ।

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅଧିକାର ମଧ୍ୟରେ ପାର୍ଥକ୍ୟ

  • ମୌଳିକ ଅଧିକାରଗୁଡିକ ନାସ୍ତିବାଚକ  । କିନ୍ତୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଅସ୍ତିବାଚକ  । ଅର୍ଥାତ ନାଗରିକର ମୌଳିକ ଅଧିକାରଗୁଡିକ କ୍ଷେତ୍ରରେ କୌଣସି ପ୍ରକାର ହସ୍ତକ୍ଷେପ କରିବା ପାଇଁ ସରକାରଙ୍କୁ ସମ୍ବିଧାନ ବାରଣ କରିଛି  । ମାତ୍ର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ମାଧ୍ୟମରେ ସମାଜର କଲ୍ୟାଣ ଲାଗି କେତେକ କାର୍ଯ୍ୟ କରିବାକୁ ରାଷ୍ଟ୍ର ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ରହିଛି   ।
  • ମୌଳିକ ଅଧିକାର ଯୋଗୁଁ ନାଗରିକମାନଙ୍କର ରାଜନୈତିକ ଭିତ୍ତିଭୂମି ସୁଦୃଢ ହୋଇଥାଏ   । କିନ୍ତୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଦ୍ଵାରା ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ମୂଳଦୁଆ ମଜଭୁତ ହୁଏ   ।
  • ମୌଳିକ ଅଧିକାରଗୁଡିକୁ ସମ୍ମାନ ପ୍ରଦର୍ଶନ କରିବାକୁ ସରକାର ବାଧ୍ୟ , ନଚେତ ନାଗରିକମାନେ ଏହାର ସୁରକ୍ଷା ପାଇଁ ଆଇନ ଅଦାଲତର ଆଶ୍ରୟ ନେଇପାରିବେ   । କିନ୍ତୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସରକାର ପାଳନ କରିବାକୁ ଆଇନତଃ ବାଧ୍ୟ ନୁହନ୍ତି  । ଏହାର ପାଳନ ପାଇଁ ନାଗରିକ ଆଇନ ଅଦାଲତର ଆଶ୍ରୟ ନେଇ ପାରିବେ ନାହିଁ  । ଅବଶ୍ୟ ଏହି ନିର୍ଦ୍ଦେଶାବଳୀ ପଛରେ ଜନମତର ସମର୍ଥନ ରହିଥାଏ  । ତେଣୁ ସରକାର ଏହାକୁ ଗୁରୁତ୍ଵ ଦିଅନ୍ତି ଓ କାର୍ଯ୍ୟକାରୀ କରାନ୍ତି   ।
  • ଦେଶ ଯେପରି " ପୋଲିସ ରାଷ୍ଟ୍ର " ରେ ପରିଗଣିତ ନ ହେବ ସେଥିଲାଗି ମୌଳିକ ଅଧିକାର ବ୍ୟକ୍ତିର ସୁରକ୍ଷାର ଏକ ପ୍ରାଚୀର ତୁଲ୍ୟ କାର୍ଯ୍ୟକରେ  । ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଭାରତରେ " ଜନମଙ୍ଗଳ ରାଷ୍ଟ୍ର " ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ   ।
  • ମୌଳିକ ଅଧିକାରଗୁଡିକ କେବଳ ବ୍ୟକ୍ତିର ଅଧିକାର ମଧ୍ୟରେ ସୀମିତ   । ମାତ୍ର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସୀମା ବ୍ୟାପାର   । ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ପ୍ରଚଳିତ ନିର୍ଦ୍ଦେଶାବଳୀ ରାଷ୍ଟ୍ର କାର୍ଯ୍ୟକାରୀ କରିଥାଏ   ।

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀ ବିଭାଗ

ଏହି ନିର୍ଦ୍ଦେଶାବଳୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ, ଯଥା :- (କ) ସମାଜବାଦୀ  (ଖ) ଗାନ୍ଧୀବାଦୀ  (ଗ) ଉଦାରବାଦୀ   ।

(କ) ସମାଜବାଦୀ ନିର୍ଦ୍ଦେଶାବଳୀ

ଭାରତର ସମ୍ବିଧାନ ପ୍ରଣୀତ ହେଉଥିବାବେଳେ ଅନେକ ତତକାଳୀନ ଜନନେତା ସମାଜବାଦରେ ବିଶ୍ଵାସ କରୁଥିଲେ   । ତେଣୁ ଆମ ସମ୍ବିଧାନ ସମାଜବାଦୀ ଚିନ୍ତାଧାରା ଦ୍ଵାରା  ପ୍ରଭାବିତ ହୋଇଛି   । କେତେକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀରେ ଏହି ଚିନ୍ତାଧାରା ପ୍ରତିଫଳିତ ହୋଇଅଛି ନିମ୍ନରେ ତାହାର କିଛି ଉଦାହରଣ ଦିଆଗଲା   ।

ସମ୍ବିଧାନର  ଧାରା ୩୮ ରେ କୁହାଯାଇଛି ଯେ , ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏପରି ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବ  ,ଯେଉଁଠି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରର ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଫଳିତ ହେବ   । ଏହି ମହତ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସମ୍ବିଧାନର ଧାରା ୩୯ ରେ କୁହାଯାଇଛି  ।

  • ସମସ୍ତ ନାରୀ ଓ ପୁରୁଷ ନାଗରିକମାନଙ୍କୁ ସମାନଭାବରେ ଜୀବିକା ଅର୍ଜନ ପାଇଁ ଉପଯୁକ୍ତ ପନ୍ଥା ଯୋଗାଇ ଦିଆଯିବ  ।
  • ଜାତୀୟ ସମ୍ପତ୍ତିକୁ ନ୍ୟାୟୋଚିତ ଭାବେ ବଣ୍ଟନ କରାଯିବ   ।
  • ଦେଶର ସମ୍ପଦ ଯେପରି ଅଳ୍ପ କେତେକ ବ୍ୟକ୍ତିଙ୍କ ହାତରେ କେନ୍ଦ୍ରୀଭୁତ ହୋଇନ ରହେ , ସେଥିପାଇଁ ବ୍ୟବସ୍ଥା କରାଯିବ   ।
  • ନାରୀ ଓ ପୁରୁଷ ସମାନ ପ୍ରକାରର କାର୍ଯ୍ୟ କରିବା ପାଇଁ ସମାନ ପରିଶ୍ରମିକ ବା ମଜୁରି ପାଇବେ   ।
  • ଶ୍ରମିକ ଶ୍ରେଣୀର ସ୍ଵାର୍ଥରକ୍ଷା କରାଯିବ   ।
  • ଶିଶୁଓ ଯୁବକ ଏବଂ ଯୁବତୀମାନଙ୍କୁ ଶୋଷଣମୁକ୍ତ କରାଯିବ   ।
  • ସମସ୍ତଙ୍କୁ ତୁରନ୍ତ ତଥା ସମାନ ନ୍ୟାୟ ପ୍ରଦାନ କରାଯିବା ସହିତ ଦରିଦ୍ର ଶ୍ରେଣୀର ବ୍ୟକ୍ତିଙ୍କୁ   “ମାଗଣା ଆଇନ ସହାୟତା “  ଯୋଗାଇ ଦିଆଯିବ   ।

ସମ୍ବିଧାନ ଧାରା ୪୧ ରୁ ୪୩ ମଧ୍ୟରେ ନାଗରିକମାନଙ୍କୁ ନିମ୍ନଲିଖିତ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ଯଥା :

  • ବେକାର, ବୁଦ୍ଧି , ଆକର୍ମଣ୍ୟ ଓ ରୁଗଣ ଲୋକମାନଙ୍କ ପାଇଁ ରାଷ୍ଟ୍ର ସମସ୍ତ ସହାୟତା ଓ ସାହାଯ୍ୟ ପ୍ରଦାନ  କରିବ   ।
  • କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ଅବସର ବିନୋଦନ ପାଇଁ ସମସ୍ତ ଅନୁକୂଳ ବ୍ୟବସ୍ଥା ରାଷ୍ଟ୍ର ପ୍ରଦାନ କରିବ   ।
  • ଶିଳ୍ପାନୁଷ୍ଠାନ ପରିଚାଳନାରେ ଶ୍ରମିକମାନଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ   ।

 

(ଖ) ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ

ଗାନ୍ଧୀଜୀଙ୍କ ଆଦର୍ଶ ଗୁଡିକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳିର ପ୍ରତିଫଳିତ ହୋଇଛି   । ସମ୍ବିଧାନର ଧାରା ୪୨, ୪୬, ୪୭, ଓ ୪୮ ରେ ନିମ୍ନୋକ୍ତ ପ୍ରକାରେ ଏହା କୁହାଯାଇଛି ଯଥା :-

  • ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ପାଇଁ ଦେଶର ପ୍ରତ୍ୟେକ ଅଞ୍ଚଳରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା କରାଯିବ   ।
  • କୁଟୀରଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରାଯିବ   ।
  • ଅନୁନ୍ନତ ବର୍ଗର ଲୋକମାନଙ୍କର ଶିକ୍ଷା ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଅଣାଯିବ   ।
  • ଔଷଧ ବ୍ୟତୀତ ଅନ୍ୟକ୍ଷେତ୍ରରେ ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ନିଷିଦ୍ଧ କରାଯିବ   ।
  • ରାଷ୍ଟ୍ର ଗୋହତ୍ୟା ନିବାରଣ କରିବ   ।
  • ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥିବା ପ୍ରତ୍ୟେକ ବାଳକ ଓ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବ   ।

(ଗ) ଉଦାରବାଦି ନିର୍ଦ୍ଦେଶାବଳୀ

ସମ୍ବିଧାନର ଧାରା ୪୪,୪୯,୫୦, ୫୧ ରେ ପ୍ରଦତ୍ତ କେତୋଟି ଉଦାରବାଦୀ ନିର୍ଦ୍ଦେଶାବଳୀର ଉଦାହରଣ ନିମ୍ନରେ ଦିଆଗଲା   ।

  • ରାଷ୍ଟ୍ର ନ୍ୟାୟପାଳିକା ବିଭାଗକୁ କାର୍ଯ୍ୟପାଳିକା ବିଭାଗ ଠାରୁ ପୃଥକ ରହିବ   ।
  • ଭାରତରେ ସର୍ବତ ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳିତ ହେବ   ।
  • ଦେଶର କଳା, ସ୍ଥାପତ୍ୟ ଓ ଐତିହାସିକ ଗୁରୁତ୍ଵ ଥିବା ସ୍ଥାନଗୁଡିକ ସଂରକ୍ଷଣ ବ୍ୟବସ୍ଥା କରାଯିବ   ।
  • ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କ୍ଷେତ୍ରରେ ଉନ୍ନତି କରାଯିବ   ।
  • ଜଙ୍ଗଲ , ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ ଉପଯୁକ୍ତ ବ୍ୟବସ୍ଥା କରାଯିବ   ।
  • ଦେଶ ଦେଶ ମଧ୍ୟରେ ନ୍ୟାୟୋଚିତ ଓ ସମ୍ମାନଜନକ ସମ୍ପର୍କ ସ୍ଥାପନ କରାଯିବ   ।
  • ଆନ୍ତର୍ଜାତିକ ଆଇନ, ସମ୍ପାଦିତ ଚୁକ୍ତି ଓ ସନ୍ଧି ପତ୍ରକୁ ରାଷ୍ଟ୍ର ସମ୍ମାନ ପ୍ରଦର୍ଶନ କରିବ   ।
  • ରାଷ୍ଟ୍ର ମଧ୍ୟସ୍ଥତା ମାଧ୍ୟମରେ ଆନ୍ତର୍ଜାତିକ ବିବାଦଗୁଡିକର ସମାଧାନ କରିବ   ।
  • ଆନ୍ତର୍ଜାତିକ କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ନିମନ୍ତେ ରାଷ୍ଟ୍ର ଉଚିତ ପଦକ୍ଷେପ ଗ୍ରହଣ କରିବ   ।

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ :

କେତେକ ସମାଲୋଚକ ମତରେ ଅଧିକାଂଶ ନିର୍ଦ୍ଦେଶାବଳୀ ଅବାସ୍ତବ ହେଲେ ମଧ୍ୟ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଯେଉଁ ବିଶେଷ ଗୁରୁତ୍ଵ ରହିଛି ତାହା ନିମ୍ନରେ ଆଲୋଚିତ ହୋଇଅଛି   ।

  • ଡାକ୍ତର ଆମ୍ବେଦକରଙ୍କ ମତରେ ଏହି ନିର୍ଦ୍ଦେଶାବଳୀର ମୂଲ୍ୟବୋଧ ଅଧିକ   ।  ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠାରେ ଏହା ସହାୟକ ହୋଇଥାଏ   ।
  • ଗଣତାନ୍ତ୍ରିକ ସମାଜବାଦ ମାଧ୍ୟମରେ ଏକ ସୁଦୃଢ ସମାଜ ଗଠନ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ସହାୟକ ହୋଇଥାଏ  ।
  • ରାଷ୍ଟ୍ରରେ ସୁଶାସନ ପ୍ରତିଷ୍ଠା ଲାଗି ଏହି ନିର୍ଦ୍ଦେଶାବଳୀର ବିଶେଷ ମହତ୍ଵ ଓ ଗୁରୁତ୍ଵ ରହିଛି   । ଏହି ନିର୍ଦ୍ଦେଶାବଳୀ ସୁଶାସନର ସାମର୍ଥ୍ୟ ମାପିବା ପାଇଁ ଏକ ନିର୍ଭରଯୋଗ୍ୟଜ ମାପକାଠି  । ଯେଉଁ ସରକାର ଏହି ନିର୍ଦ୍ଦେଶାବଳୀ ପଳାନ୍ନ କରିବାରେ ଆନ୍ତରରିକତା ଦେଖାନ୍ତି ନାହିଁ , ସେମାନେ ଲୋକପ୍ରିୟତା ହରାଇ ବସନ୍ତି   ।
  • ବିଭିନ୍ନ ସମୟରେ ଉଲ୍ଲିଖିତ ନିର୍ଦ୍ଦେଶାବଳୀ ମଧ୍ୟରୁ ଅଧିକାଂଶ ଆମ ଦେଶରେ କାର୍ଯ୍ୟକାରୀ କରାଯାଇଛି   । ଉଦାହରଣ ସ୍ୱରୂପ , ଜମିଦାରି ବ୍ୟବସ୍ଥା ଉଚ୍ଛେଦ କରାଯିବା ସହିତ ଭୂ-ସଂସ୍କାର ମାଧ୍ୟମରେ ଲୋକମାନଙ୍କର ମଙ୍ଗଳପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି   । ସେହିପରି ଦେଶରେ ପଞ୍ଚାୟତରାଜ ବ୍ୟବସ୍ଥା ପ୍ରଚଳନ ହେବା ସହିତ ଏହାର ଦୃଢୀକାରଣ କରାଯାଇଛି   ।  ୭୩ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡିକ ଅଧିକ କ୍ଷମତା ପ୍ରଦାନ କରାଯାଇଛି  ଓ ସେଗୁଡିକ ଲୋକାଭିମୁଖୀ କରାଯାଇଛି   । ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପୌରପାଳିକାଗୁଡିକୁ ମଧ୍ୟ ଅଧିକ କ୍ଷମତା ଦିଆଯାଇଛି   । ସମାଜର ଦୁର୍ବଳଶ୍ରେଣୀଗୁଡିକ ସ୍ଵତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି   । ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ଅନୁସୂଚିତ ଜାତି,  ଜନଜାତି , ପଛୁଆବର୍ଗଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି   । ବ୍ୟାଙ୍କ ଜାତୀୟକରଣ ମାଧ୍ୟମରେ ଗରିବ ଶ୍ରେଣୀର ଲୋକମାନଙ୍କ ଅର୍ଥନୈତିକ ବିକାଶ ପ୍ରତି ଦୃଷ୍ଟି ଦିଆଯାଇଛି   । ପାଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସରକାର କାର୍ଯ୍ୟକାରୀ କରୁଛନ୍ତି   ।

କ୍ରମେ କ୍ରମେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ ବୃଦ୍ଧି ପାଉଛି   । ସରକାର ସମ୍ବିଧାନରେ ୨୫ ତମ  ସଂଶୋଧନ ଆଣି ନିର୍ଦ୍ଦେଶାବଳୀର ଆବଶ୍ୟକତା ଦେଶ ଗଠନ କ୍ଷେତ୍ରରେ ଅଧିକ ଥିବା ଦର୍ଶାଇଛନ୍ତି   । ଏପରିକି କେଶବାନନ୍ଦ ଭାରତୀ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଛନ୍ତି ଯେ ଶାସନ କ୍ଷେତ୍ରରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

2.76666666667
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top