অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବାଧିକାର ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

ମାନବାଧିକାର

ଦ୍ଵିତୀୟ ବିଶ୍ଵଯୁଦ୍ଧର ସମାପ୍ତି ପରେ ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତିଷ୍ଠା କରାଗଲା   । ଏହାର ଯେଉଁ “ ସନନ୍ଦ “ ତିଆରି ହେଲା ,  ସେଥିରେ ମାନବାଧିକାରକୁ ବିଶ୍ଵସ୍ତରରେ ମୌଳିକ ଅଧିକାର ରୂପେ ଗୁରୁତ୍ଵ ଆରୋପ କରିବାକୁ ଉଲ୍ଲେଖ କରାଗଲା   । ସର୍ବଜନୀନ ମାନବାଧିକାର ଘୋଷଣାନାମା କୁ ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ଅଧିବେଶନରେ ୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦିନ ଗ୍ରହଣ କରାଯାଇଥିଲା  । ବିଶ୍ଵରେ ମାନବାଧିକାରର ସୁରକ୍ଷା ଓ ଏହାର ବିକାଶ ଦିଗରେ ଏହି ଘୋଷଣାନାମା ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ  ।

ଏହି ଘୋଷଣାନାମା ହେତୁଜ୍ଜ ପ୍ରଥମଥର ପାଇଁ ବିଶ୍ଵର ପ୍ରତ୍ୟେକ ବ୍ୟକ୍ତିର କେତେକ ନିର୍ଦ୍ଧିଷ୍ଟ ମାନବାଧିକାର ସ୍ଵିକୃତି ପାଇପାରିଲା   । ବାକ ସ୍ଵାଧୀନତା , ମୁକ୍ତ ବିଶ୍ଵାସ, ଭୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ ମଣିଷ ହକଡାର , ପ୍ରଭୁତି କେତେକ ମୌଳିକ ମାନବାଧିକାର ଏଥିରେ ବର୍ଣ୍ଣିତ   ।

ଦୀର୍ଘ ୧୮ ବର୍ଷର ବ୍ୟବଧାନ ପରେ ୧୯୬୬ ମସିହାରେ ପୁନଶ୍ଚ ସଂଯୁକ୍ତ ରାଷ୍ଟ୍ରସଂଘର “ ସାଧାରଣ ସଭା “ ମାନବାଧିକାରକୁ ଆଇନଗତ ମର୍ଯ୍ୟାଦା ଦେଲା   । ମାନବାଧିକାରକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା   । ଗୋଟିକରେ ନାଗରିକ ଓ ରାଜନୈତିକ ଅଧିକାରଗୁଡିକ ରଖାଯାଇଥିବା ବେଳେ ଅନ୍ୟଟିର ଅର୍ଥନୈତିକ , ସାମାଜିକ ଓ ସାଂସ୍କୃତିକ ଅଧିକାରଗୁଡିକ ରଖାଯାଇ ଆଇନ ତିଆରି ହେଲା   । ଏହାର ଦଶବର୍ଷ ପରେ ଅର୍ଥାତ ୧୯୭୬ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡିକ ଅନୁମୋଦନ ପ୍ରଦାନ କରିସାରିବା ପରେ ଏହା କାର୍ଯ୍ୟକାରୀ ହେଲା   ।  ୧୯୯୩ ମସିହାରେ ଭିଏନା ଘୋଷଣାନାମା କାର୍ଯ୍ୟକାରୀ କରାଯିବାର ଯୋଜନା ଗ୍ରହଣ କରାଗଲା   । ଏହି ଭିଏନା ଘୋଷଣାନାମାରେ ଗଣତନ୍ତ୍ର , ଅର୍ଥନୈତିକ , ବିକାଶ ଓ ମାନବାଧିକାରର ପରସ୍ପରର ସହିତ ସଂଲଗ୍ନ ବୋଲି ଦର୍ଶାଗଲା   ।

ମାନବାଧିକାର ଐତିହାସିକ ଭିତ୍ତିଭୂମି

ମାନବାଧିକାର ସମ୍ପର୍କରେ ବହୁ ପୂର୍ବରୁ ମାଗ୍ନାକାର୍ଟା, ଆମେରିକାର ସ୍ଵାଧୀନତା ସଂଗ୍ରାମର ଶୋଷଣାନାମା ଓ ଫରାସୀ ବିପ୍ଲବର ଘୋଷଣାନାମାରେ କେତେକାଂଶରେ ସୂଚିତ କରାଯାଇଥିଲା    । ଏଗୁଡିକ ଥିଲା ମୁଖ୍ୟତଃ ନକାରତ୍ମକ ଅଧିକାର   । ଅର୍ଥାତ , କେତେଗୁଡିଏ ମୌଳିକ ମାନବାଧିକାର କ୍ଷେତ୍ରରେ ରାଷ୍ଟ୍ର ହସ୍ତକ୍ଷେପ କରିବା ନିଷିଦ୍ଧ  ଥିଲା   । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ମାନବାଧିକାରକୁ ଆନ୍ତର୍ଜାତିକ ସ୍ତରରେ ଲାଗୁକରିବାର ଆବଶ୍ୟକତା ସମସ୍ତ ଉପଲ୍ଲବ୍ଧ କଲେ   । ତତସହିତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରର ସୁରକ୍ଷାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ମଧ୍ୟ କେତେକ ପଦକ୍ଷେପ ଗ୍ରହଣ କରିବା ଠିକ ବୋଲି ଉପଲ୍ଲବ୍ଧ କରିଥିଲା   । ସର୍ବଜନିନ ମାନବାଧିକାର ଘୋଷଣାନାମା ମାଧ୍ୟମରେ ସର୍ବପ୍ରଥମେ ସଂଯୁକ୍ତ ରାଷ୍ଟ୍ରସଂଘଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲା   ।

ବିଗତ ଦଶନ୍ଧିଗୁଡିକରେ ମାନବାଧିକାରର ବିକାଶ ମୁଖ୍ୟତଃ ତିନୋଟି କ୍ଷେତ୍ରରେ ଘଟିଛି   । ପ୍ରଥମତଃ , ଏହାର କାର୍ଯ୍ୟ ପରିସର ବଢିଛି   । ଗଣହତ୍ୟା ନିଷେଧ ଠାରୁ ଆରମ୍ଭ କରି ମହିଳା, ଶିଶୁ ଓ ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବା ଆଦି ଏହାର ଅନ୍ତର୍ଭୁକ୍ତ   । ବର୍ତ୍ତମାନ ମାନବାଧିକାରର ପରିସର ଭିତରେ ଆସୁଛି ଖାଦ୍ୟ ସୁରକ୍ଷା ସୁସ୍ଥ ପରିବେଶ , ଗଣହତ୍ୟାରେ ନିୟୋଜିତ ଅସ୍ତ୍ରଶସ୍ତ୍ରର ହ୍ରାସ ଇତ୍ୟାଦି   । ଦ୍ଵିତୀୟତଃ, ମାନବାଧିକାରର ସୁରକ୍ଷା ଲାଗି ନୂଆ ନୂଆ ଆଇନ ଓ ଅନୁଷ୍ଠାନମାନଙ୍କର ସୃଷ୍ଟି ହୋଇଛି   । ତୃତୀୟତଃ ସ୍ଵଛେସେବୀ ଅନୁଷ୍ଠାନ ଏବଂ ଅନ୍ୟ ବେସରକାରୀ ସଂସ୍ଥାଗୁଡିକ ମାନବାଧିକାରର ସୁରକ୍ଷା ଦିଗରେ ଅଧିକ ସକ୍ରିୟ ହୋଇଅଛି   । ଏ କ୍ଷେତ୍ରରେ ଆମନେଷ୍ଟି ଇଣ୍ଟରନେସନାଲ , ହ୍ୟୁମାନ ରାଇଟିସ ୱାଚ ଆଦି ସଂସ୍ଥାଗୁଡିକର ଭୂମିକା ଗୁରୁତ୍ଵପୂର୍ଣ୍ଣ   ।

ମାନବାଧିକାର ପ୍ରକାର ଭେଦ

ମାନବାଧିକାର ମୁଖ୍ୟତଃ ତିନିଭାଗରେ ବିଭକ୍ତ

(କ) ପ୍ରଥମ ପିଢି ଅଧିକାର

ଆଦ୍ୟ ଭାଗରେ ବ୍ୟକ୍ତିକୁ ଯେପରି ଅଧିକ ସାମାଜିକ ଓ ରାଜନୈତିକ ଅଧିକାର ମିଳେ , ସେଥିପାଇଁ ମୁଖତଃ ଉଦ୍ୟମ କରାଯାଇଥିଲା ମଣିଷର ସ୍ଵତନ୍ତ୍ରତାରେ ସରକାର ଯେପରି ହସ୍ତକ୍ଷେପ ନକରେ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଥିଲା   ।

(ଖ) ଦ୍ଵିତୀୟ ପିଢି ଅଧିକାର

ପରବର୍ତ୍ତୀ ସମୟରେ ଜଣାପଡିଲା ଯେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ନମିଳିବା ପର୍ଯ୍ୟନ୍ତ, ସାମାଜିକ ଓ ରାଜନୈତିକ ସ୍ଵାଧୀନତା ମିଳିବା ଅର୍ଥହାନି   । ସେଥିଯୋଗୁଁ ଏହି ଅଧିକାରଗୁଡିକ ପ୍ରତି ସରକାର ଉପଲ୍ଲବ୍ଧି କଲେ   ।

(ଗ) ତୃତୀୟ ପିଢି ଅଧିକାର

ବିଂଶ ଶତାଦ୍ଦୀର ଶେଷଭାଗରେ ମାନବାଧିକାର କାର୍ଯ୍ୟ ପରିସର ଆହୁରି ବଢିଗଲା   । ନୂଆ ନୂଆ ଅଧିକାରମାନେ ଏଥିରେ ଅନ୍ତର୍ଭୁକ୍ତ ହେଲା   । ତନ୍ମଧ୍ୟମରେ ଆତ୍ମନିର୍ଣ୍ଣୟ ଅଧିକାର, ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ଵତନ୍ତ୍ର ସୁରକ୍ଷା ଅଧିକାର ଓ ଦେଶର ସମ୍ପଦ ଉପରେ ଲୋକମାନଙ୍କର ସାର୍ବଭୌମ ଅଧିକାର ଅନ୍ତର୍ଭୁକ୍ତ   ।

ମାନବାଧିକାରର ମୁଖ୍ୟ ଲକ୍ଷଣ

ମାନବାଧିକାର ତିନିଗୋଟି ମୁଖ୍ୟ ଲକ୍ଷଣ ଦେଖିବାକୁ ମିଳିଥାଏ   । ସେ ଗୁଡିକ  ହେଲା –

୧.ସାର୍ବଜନୀନ

ମାନବାଧିକାର ସବୁଠାରେ ଏକାଭଳି ଦେଶ , ସମାଜ , ସମ୍ପ୍ରଦାୟ ଓ ସଂସ୍କୃତି ନିର୍ବିଶେଷରେ ଏହା ସାର୍ବଜନୀନ   । ସବୁଠାରୁ ଏହି ଅଧିକାର ଗୁଡିକ ସମ ପରିମାଣରେ ମୂଲ୍ୟବାନ   ।

୨.କେନ୍ଦ୍ରବିନ୍ଦୁରେ ବ୍ୟକ୍ତି

ମାନବାଧିକାରର କେନ୍ଦ୍ରବିନ୍ଦୁ କହିଲେ , ଏହା ମଣିଷକୁ ବୁଝାଇଥାଏ   । ମଣିଷ ଯେଉଁ ରାଷ୍ଟ୍ର ବା ସମାଜରେ ହେଉ ଅଥବା ଯେଉଁ ଭାଷାଭାସି ଅଞ୍ଚଳର ହେଉନାକାହିଁକି , ଏହି ଅଧିକାର ସେ ଉପଭୋଗ କରିପାରିବ   ।

୩. ଗଣତନ୍ତ୍ର ଓ ବିକାଶ

ଗଣତନ୍ତ୍ର ବିନା ମାନବାଧିକାରର କଳ୍ପନା କରାଯାଇ ପାରିବ ନାହିଁ   । ଗଣତନ୍ତ୍ର ଓ ବିକାଶ ମଧ୍ୟ ପରସ୍ପର ପରିପୂରକ   ।

ଭାରତରେ ମାନବାଧିକାରର ସୁରକ୍ଷା

ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ପ୍ରଥମେ ୧୯୯୩ ମସିହାରେ ମାନବାଧିକାରର ସୁରକ୍ଷା ଆଇନ ପ୍ରଣୟନ କରାଗଲା   । ଏହାକୁ ଭାରତ ସମ୍ବିଧାନର ଧାରା ୫୧ ଓ ଭିଏନା ସମ୍ମିଳନୀରେ ସନନ୍ଦ ଅନୁଯାୟୀ ମାନବାଧିକାର ହେଉଛି ବ୍ୟକ୍ତି ବିଶେଷର ମୁକ୍ତି ,ସମାନତା ଓ ଆତ୍ମମର୍ଯ୍ୟାଦା ପରିବାର ଅଧିକାର , ଯାହା ଭାରତର ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର ର ଅନ୍ତର୍ଭୁକ୍ତ   ।

ପ୍ରଣିତ ଆଇନରେ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ମାନବାଧିକାରର ସୁରକ୍ଷା ପାଇଁ ଜାତୀୟ ମାନବାଧିକାର କମିଶନ , ରାଜ୍ୟ ମାନବାଧିକାର କମିଶନ ଏବଂ ମାନବାଧିକାର କୋର୍ଟ ଗଠନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଅଛି   ।  ଭାରତରେ ମାନବାଧିକାରର ସୁରକ୍ଷା ଲାଗି ଏହି ଅନୁଷ୍ଠାନଗୁଡିକ ସର୍ବଦା ସକ୍ରିୟ ରହିଛନ୍ତି   । ପୁନଶ୍ଚ ଅନ୍ୟ କେତେଗୁଡିଏ ମାନବାଧିକାର ସୁରକ୍ଷା ଅନୁଷ୍ଠାନ ଗଠିତ ହେବା ଫଳରେ ଶିଶୁ –ଶ୍ରମିକ , ଗୋତି –ଶ୍ରମିକ ,ଶିଶୁ ନିର୍ଯ୍ୟାତନା, ମହିଳା ନିର୍ଯ୍ୟାତନା , ହାଜତରେ ମୃତ୍ୟୁ , ଚୋରା କାରବାର , ଦୁର୍ନୀତି , ଯୌତୁକଜନିତ ହତ୍ୟା ଆଦି ଅନେକ ଅମାନବିୟ ଘଟଣାର ପର୍ଦ୍ଦାଫାସ ହୋଇ ପାରିଛି , ଯାହା ମୁଖ୍ୟତଃ ମାନବାଧିକାର ଉଲ୍ଲଂଘନ କରିଥାଏ   । ଏହି ଅନୁଷ୍ଠାନଗୁଡିକ ଭୋପାଳ ଗ୍ୟାସ ବିପର୍ଯ୍ୟୟ ଠାରୁ ଅଲଗା କରି ଭାଗଲପୁର ଦଙ୍ଗା ଓ ସର୍ଦ୍ଦାର ସରୋବର ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ ଦୁର୍ଦ୍ଦଶା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମାନବାଧିକାର ଉଲ୍ଲଘନ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି   ।

ଭାରତବର୍ଷରେ ମାନବାଧିକାର ଉଲ୍ଲଂଘନ ବିରୋଧରେ ଜନ ସଚେତନତା ବଢିଥିବାରୁ ଏହା ଏକ ରକ୍ଷା କବଚ ସାଜିପାରିଛି   । କ୍ରମବର୍ଦ୍ଧିଷ୍ଣୁ ଜନସଚେତନାତା ଏବେ ମାନବାଧିକାର ଉଲ୍ଲଙ୍ଗନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଶାସନକୁ ବାଧ୍ୟ କରିବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି   ।

୨୦୦୫ ମସିହାରେ ପ୍ରଣୀତ ସୂଚନା ଅଧିକାର ଆଇନ ରେ ସବୁ ସରକାରୀ ବିଭାଗ ଓ ଅନୁଷ୍ଠାନରେ ସ୍ଵଚ୍ଛତା ରକ୍ଷା କରିବା ପାଇଁ ଓ ସେମାନେ ଉତ୍ତରଦାୟୀ ହେବାପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିଛନ୍ତି  ।

ଭାରତର ନ୍ୟାୟିକ ବ୍ୟବସ୍ଥା ବେସ ଶକ୍ତିଶାଳି ଓ ଏହାର ସ୍ଵାଧୀନତା ରହିଛି   । ଏହା ସହିତ ନ୍ୟାୟାଳୟ ଗୁଡିକର ନ୍ୟାୟିକ ସମୀକ୍ଷା କ୍ଷମତା ଥିବା ଯୋଗୁଁ ବ୍ୟକ୍ତିର ମୌଳିକ ଅଧିକାର ସୁରକ୍ଷିତ ରହିଛି   । ସମ୍ବିଧାନରେ ପ୍ରଦତ୍ତ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶବଳୀ କୁ ସମୀକ୍ଷା କରି ଭାରତର ନ୍ୟାୟାଳୟଗୁଡିକ ମାନବାଧିକାରର ପରିସର ବୃଦ୍ଧି କରିପଡ଼ିଛନ୍ତି   । ଆମର ନ୍ୟାୟିକ ବ୍ୟବସ୍ଥା ସମ୍ବିଧାନର ଧାରା ୨୧ ର ପରିସରକୁ ଅଧିକ ବ୍ୟାପକ କରିବା ସହିତ ଏଥିରେ ଆଉ କେତେଗୁଡିଏ ଅଧିକାର ଯୋଗ କରିଛି   । ସେଗୁଡିକ ହେଲା – ବ୍ୟକ୍ତିର ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର , ସ୍ୱାସ୍ଥ୍ୟଗତ ଅଧିକାର , ପ୍ରଦୂଷଣ –ମୁକ୍ତ ବାୟୁ ସେବନ ଅଧିକାର ଇତ୍ୟାଦି   ।  ମାନବାଧିକାର ସୁରକ୍ଷା ପାଇଁ ଜନସ୍ଵାର୍ଥ ମାମଲା ଏକ ଢାଲ ରୂପେ କାମ କରୁଛି   । ଭାରତରେ ୧୯୭୯ ମସିହା ଏକ ଜନ ସ୍ଵାର୍ଥମାମଲା ଜେଲଗୁଡିକର ଦୂରବସ୍ଥା ଓ ବିଚାରଧିନ ବନ୍ଦୀମାନଙ୍କର ଦୟନୀୟ ଚଳଣି ଉପରେ ଦାୟର ହୋଇଥିଲା   । ହଜାର ହଜାର ବିଚାରଧିନ ବନ୍ଦୀ କିପରି ବିହାରର ଜେଲଗୁଡିକରେ ନିର୍ଯ୍ୟାତିତ ହେଉଥିଲେ  , ତାହା ସେଥିରେ ଦର୍ଶାଅଯାଇଥିଲା  । ମାମଲାର ରାୟ ପ୍ରକାଶ ପାଇବା ପରେ ବହୁତ ବନ୍ଦୀ ମୁକ୍ତ ହୋଇଥିଲେ   ।

ଜାତୀୟ ମାନବାଧିକାର କମିଶନ

ଭାରତରେ ୧୯୯୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖଦିନ ଜାତୀୟ ମାନବାଧିକାର କମିଶନ ଗଠିତ ହୋଇଛି   । ଆମ ଦେଶରେ ମାନବାଧିକାରକୁ ଅଧିକ ସୁରକ୍ଷା ହେବା ଏହାର ଲକ୍ଷ୍ୟ   ।

ଭାରତରେ  ଗଠିତ ଜାତୀୟ ମାନବାଧିକାର କମିଶନରେ ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ଆଉ ଚାରିଜଣ ସଦସ୍ୟର ରହି ଥାଆନ୍ତି  । ଉଚ୍ଚତମ ନ୍ୟାୟଳୟର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଏହି ଅଧ୍ୟକ୍ଷ ପଦ ତୁଲାନ୍ତି  । ଅନ୍ୟ ଚାରିଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ସଦସ୍ୟ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିବା ବା ସେହି କ୍ଷେତ୍ରରେ ବାସ୍ତବ ଅଭିଜ୍ଞତା ଥିବା ବ୍ୟକ୍ତି ହୋଇଥିବା ଆବଶ୍ୟକ   ।  ଏହାସହିତ ଜଣେ ସଦସ୍ୟ ଉଚ୍ଚତମ ନ୍ୟାୟାଳୟରେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ ବିଚାରପତି ଓ ଅନ୍ୟ ଜଣେ ସଦସ୍ୟ ଉଚ୍ଚ ନ୍ୟାୟାଳୟ ରେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି ହେବା ଜରୁରୀ   ।

ଜାତୀୟ ମାନବାଧିକାର ର କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଏକ ନିଯୁକ୍ତି କମିଟିର ପରାମର୍ଶ ଅନୁସାରେ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି   । ଉକ୍ତ କମିଟିର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ  ।  ସୁପ୍ରିମ କୋର୍ଟ ବା ହାଇକୋର୍ଟର ବିଚାରପତିଙ୍କୁ କମିଶନର ସଦସ୍ୟ ନିଯୁକ୍ତି କରାଯିବା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସହିତ ରାଷ୍ଟ୍ରପତି ପରାମର୍ଶ କରିଥାଆନ୍ତି ।

ଜାତୀୟ ମାନବାଧିକାର କମିଶନରେ ନିଯୁକ୍ତି ପାଉଥିବା ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ପାଞ୍ଚବର୍ଷ କିନ୍ତୁ ଯଦି ଏମାନଙ୍କ ମଧ୍ୟରୁ କେହି ପାଞ୍ଚ ବର୍ଷ କାର୍ଯ୍ୟ କରିବା ପୂର୍ବରୁ ୭୦ ବର୍ଷ ବୟସରେ ପଦାର୍ପଣ କରନ୍ତି  , ତାହେଲେ ସେ ତାଙ୍କ ପଦରୁ ଅବସର ନେବେ   ।

ଜାତୀୟ ମାନବାଧିକାର କମିଶନ ସମ୍ପାଦିତ କରୁଥିବା କାର୍ଯ୍ୟାବଳୀ

  • ମାନବାଧିକାରର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକୁ ପରୀକ୍ଷା କରିଆବା ଏବଂ ଅଧିକ ଉତ୍ତମ ପଦକ୍ଷେପ ନେବା ଲାଗି ସୁପାରିସ କରିବା   ।
  • ମାନବାଧିକାର ଉଲ୍ଲଘନ ସମ୍ପର୍କିତ ଅଭିଯୋଗଗୁଡିକର ତଦନ୍ତ କରିବା   ।
  • ମାନବାଧିକାର ଉଲ୍ଲଂଘନ ନିବାରଣ କରିବା ଦିଗରେ ସରକାରୀ କର୍ମଚାରୀମାନଙ୍କର ବିଫଳତା ସମ୍ପର୍କରେ ତଦନ୍ତ କରିବା   ।
  • ଯେ କୌଣସି ନ୍ୟାୟାଳୟରେ ମାନବାଧିକାର ଉଲ୍ଲଙ୍ଗନ ସମ୍ପର୍କରେ ବିଚାର ଚାଲିଥିବା ବେଳେ ପକ୍ଷଭୁକ୍ତ ହେବା   ।
  • ଜେଲରେ କଏଦୀମାନଙ୍କ ଅବସ୍ଥାରେ ସୁଧାର ଆଣିବା ଲାଗି ଜେଲ ପରିଦର୍ଶନ କରି ଆବଶ୍ୟକ ସୁପାରିସ ପ୍ରଦାନ କରିବା   ।
  • ସନ୍ତ୍ରାସବାଦିମାନଙ୍କ କାର୍ଯ୍ୟକଳାପ ଦ୍ଵାରା ମାନବାଧିକାର ବିପନ୍ନ ହେଉଥିଲେ , ସେଗୁଡିକର  ସମୀକ୍ଷା କରି ଉପଯୁକ୍ତି ପ୍ରସ୍ତାବ ଦେବା   ,
  • ମାନବଧୀକାର ସମ୍ପର୍କିତ ଗବେଷଣା ପ୍ରୋତ୍ସାହିତ କରିବା   ,
  • ସମାଜର ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ମାନବାଧିକାର ସମ୍ପର୍କରେ ଅଧିକ ସଚେତନ କରିବା ଏବଂ
  • ମାନବାଧିକାରର ସୁରକ୍ଷା ଲାଗି କାର୍ଯ୍ୟରତ ସ୍ଵେଚ୍ଛାସେବି ଅନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କାଇବା   ।

ଜାତୀୟ ମାନବାଧିକାରର କମିଶନକୁ ଏକ ଦେୱାନୀ ଅଦାଲତ ବା ସିଭିଲ କୋର୍ଟର ପଦମର୍ଯ୍ୟାଦା ଦିଆଯାଇଛି   । କୌଣସି ସରକାରୀ ସଂସ୍ଥା ବା କର୍ମଚାରୀ ମାନବାଧିକାର ଉଲ୍ଲଂଘନ କଲେ ତାଙ୍କୁ ଦଣ୍ଡ ଦେବା ସହିତ କ୍ଷତି ସହିଥିବା ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦେବା ବ୍ୟବସ୍ଥା କରିବା ଜାତୀୟ ମାନବାଧିକାର କମିଶନର ମୁଖ୍ୟ କାର୍ଯ୍ୟଅଟେ   ।

ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକ

ମାନବାଧିକାରର ସୁରକ୍ଷା ରେ ପ୍ରତିବନ୍ଧକଗୁଡିକ ହେଲା

(କ) ଦାରିଦ୍ର୍ୟ :କ୍ଷୁଧା ଓ ଦାରିଦ୍ର୍ୟ ଯୋଗୁଁ ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ହୋଇପାରେ ନାହିଁ  । ଫଳରେ ମାନବାଧିକାର କ୍ଷୁଣ୍ଣହୁଏ   ।

(ଖ) ସାମ୍ପ୍ରଦାୟିକତା : ଧର୍ମ ନିରପେକ୍ଷ ରାଷ୍ଟ୍ରରେ ସମ୍ପ୍ରଦାୟିକତାର ସ୍ଥାନ ନାହିଁ   । ବିଭିନ୍ନ ଧର୍ମାବଲମ୍ବୀ ଲୋକମାନେ ମିଳିମିଶି ନିଜର ଦାୟିତ୍ଵ ତୁଲାଇଲେ ଓ କର୍ତ୍ତବ୍ୟ ପାଳନକଲେ ମାନବାଧିକାର ସୁଦୃଢ ହୋଇଥାଏ   ।

(ଗ) ହିଂସାଭାବ :

ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହି ନିଜର ସ୍ଵାର୍ଥଜଡିତ ଲକ୍ଷ୍ୟ ସାଧନ କରିବାକୁ ଚେଷ୍ଟା କଲେ ଅନ୍ୟ ବ୍ୟକ୍ତିର ମାନବାଧିକାର କ୍ଷୁଣ୍ଣ ହୋଇଥାଏ   । ତେଣୁ ମାନବାଧିକାରର ସୁରକ୍ଷା ପାଇଁ ହିଂସାଭାବ ପରିତ୍ୟାଗ କରାଯିବା ବିଧେୟ   ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

Last Modified : 1/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate