অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵୟଂ ସହାୟକ ଗୋଷ୍ଠୀର ନୀତି / ନିୟମାବଳୀ

ସ୍ଵୟଂ ସହାୟକ ଗୋଷ୍ଠୀର ନୀତି / ନିୟମାବଳୀ

ସଦସ୍ୟତା

ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗୋଷ୍ଠୀର ସୁପରିଚାଳନା ନିମନ୍ତେ ନିମ୍ନମତେ ବିଭିନ୍ନ ନୀତି / ନିୟମାବଳୀ ସ୍ଥିର କରିବେ

  • ସ୍ଵୟଂ ସହାୟକ ଗୋଷ୍ଠୀରେ କେବଳ ମହିଳାମାନେ ସଦସ୍ୟା ହୋଇପାରିବେ  । ୧୦ ରୁ ୧୫ ଜଣ ମହିଳାଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇ ପାରିବ  ।
  • ୧୮ ବର୍ଷରୁ – ୬୫ ବର୍ଷ ବର୍ଗର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାହୋଇ ପାରିବେ ଏବଂ ସେ ଗୋଷ୍ଠୀର ଉଦ୍ଦେଶ୍ୟକୁ ଗ୍ରହଣ କରୁଥିବେ  ।
  • ପରିବାରର କେବଳ ଜଣେ ମହିଳା ନିର୍ଦ୍ଧିଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀରେ ସଦସ୍ୟାହୋଇପାରିବେ  । ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗୋଷ୍ଠୀ ଗଠନ ପୂର୍ବରୁ ପରସ୍ପରକୁ ଚିହ୍ନିଥିବା ଆବଶ୍ୟକ  । ଜଣେ ମହିଳା କେବଳ ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ହୋଇପାରିବେ  ।
  • ସଦସ୍ୟା ଉକ୍ତ ଗ୍ରାମର ବାସିନ୍ଦା ହୋଇଥିବେ  । ସଦସ୍ୟାମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି ସମାନ ହେବା ଆବଶ୍ୟକ  ।
  • ଭିନ୍ନକ୍ଷମ ମହିଳା ଏବଂ ଆର୍ଥିକ ଅନଗ୍ରସର / ଦୁର୍ବଳ ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ହୋଇପାରିବେ  ।
  • ଜନସଂଖ୍ୟା ଅନୁଯାୟୀ ଗ୍ରାମରେ ଏକରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇପାରିବ  ।
  • ସ୍ଵୟଂ ସହାୟକ ଗୋଷ୍ଠୀରେ ବିଶୃଙ୍ଖଳିତ ଆଚରଣ ଏବଂ ବିବାଦ ସୃଷ୍ଟିକାରୀଙ୍କୁ ପ୍ରଶୟ / ସ୍ଥାନ ଦିଆଯିବ ନାହିଁ  ।
  • ଗୋଷ୍ଠୀରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମତ ଅନୁଯାୟୀ ନୂତନ ସଦସ୍ୟାଙ୍କୁ ଗୋଷ୍ଠୀରେ ସାମିଲ୍ କରାଯାଇପାରିବ  । ସ୍ଵୟଂ ସହାୟକ ଗୋଷ୍ଠୀରେ ସଦସ୍ୟା ହେବା ନିମନ୍ତେ ସଦସ୍ୟା ଅନୁରୋଧ ଦରଖାସ୍ତ ସହିତ ସଦସ୍ୟତା ପାଉଣା ଦେବା ବାଧ୍ୟତା ମୂଳକ ଅଟେ  ।
  • ସ୍ଵୟଂ ସହାୟକ ଗୋଷ୍ଠୀରେ ସଦସ୍ୟା ଯଦି ଚାହିଁବେ ଯେ କୌଣସି ସମୟରେ ଗୋଷ୍ଠୀରୁ ବାହାରିପାରିବେ, ସେଥିପାଇନ୍ମାସେ ପୂର୍ବରୁ ସୂଚନା ଦେବା ଆବଶ୍ୟକ, ମାତ୍ର ସଦସ୍ୟା ତାଙ୍କର ସଞ୍ଚୟରାଶି ଏକ ବର୍ଷ ପୌରବ ହେଲେ ହିଁ ଫେରିପାଇବେ  ।
  • ସ୍ଵୟଂ ସହାୟକ ଗୋଷ୍ଠୀରେ ସଦସ୍ୟା ଯଦି ନିୟମିତ ତିନି ମାସ ବୈଠକରେ ଯୋଗଦେବେ ନାହିଁ, ତିନିମାସ ସଞ୍ଚୟ କରିବେ ନାହିଁ  ଏବଂ ଋଣ କିସ୍ତି ପରିଶୋଧ କରିବେ ନାହିଁ ତେବେ ଗୋଷ୍ଠୀରୁ ସଦସ୍ୟାଙ୍କ ନାମ ବାଦ ଦିଆଯିବ  ।
  • ଅଙ୍ଗନୱାଡି କର୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ହୋଇପାରିବେ ନାହିଁ  ।

ବୈଠକ

ସ୍ଵୟଂ ସହାୟକ ଗୋଷ୍ଠୀର ବୈଠକ ସଦସ୍ୟାମାନଙ୍କର ସୁବିଧା ଅନୁସାରେ ନିର୍ଦ୍ଧାରିତ ସମୟ, ସ୍ଥାନ ଓ ଦିବସରେ ଅନୁଷ୍ଠିତ ହେବ  । ସମସ୍ତ ସଦସ୍ୟା ନିର୍ଦ୍ଧାରିତ ସମୟ, ସ୍ଥାନ, ତାରିଖରେ ଉପସ୍ଥିତ ରହିବେ  । ନିୟମିତ ବୈଠକ ହେବ ଦ୍ଵାରା ସଦସ୍ୟାମାନେ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ  । ଏହି ବୈଠକରେ ସ୍ଵୟଂ ସହାୟକ ଗୋଷ୍ଠୀ ସଂକ୍ରାନ୍ତରେ ବିଭିନ୍ନ ନିଷ୍ପତ୍ତି ନିଆଯିବ  । ନିୟମିତ ବୈଠକ ଏକ ସଫଳ ସ୍ଵୟଂ ସହାୟକ ଗୋଷ୍ଠୀର ମାପକାଠି  । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ନିଷ୍ପତ୍ତିକ୍ରମେ ବୈଠକ ସାପ୍ତାହିକ / ୧୫ ଦିନରେ ଥରେ / ମାସିକ ଭାବରେ ହୋଇପାରିବ  । ବୈଠକ କେତେ ବ୍ୟବଧାନରେ ହେବ ଯେତେ ଗୁରୁତ୍ଵପୂର୍ଣ୍ଣ ନୁହେଁ, ବୈଠକ ନିୟମିତ ହେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ସେହିପରି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ନିୟମିତ ବୈଠକରେ ଯୋଗଦେବା ସହିତ ବିଭିନ୍ନ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବେ  । ଆଲୋଚନାରେ ସମସ୍ତ ସଦସ୍ୟା ସକ୍ରିୟ ଅଂଶଗ୍ରହଣ କରିବା, ନିୟମିତ ବୈଠକରେ ଯୋଗ ଦେବାଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ  । ଯେଉଁ ଗୋଷ୍ଠୀରେ ନିୟମିତ ବୈଠକ ହେଉନଥିବ ଏବଂ ସଦସ୍ୟାମାନେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରୁନଥିବେ ସେହି ଗୋଷ୍ଠୀକୁ ଦୁର୍ବଳ ଗୋଷ୍ଠୀ ଭାବରେ ବିବେଚନା କରାଯିବ  । ସାଧାରଣତଃ ସ୍ଵୟଂ ସହାୟକ ଗୋଷ୍ଠୀର ଆଲୋଚନା ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ହେବ  । ବୈଠକରେ ସଦସ୍ୟାମାନଙ୍କର ଉପସ୍ଥାନ ନେବାପରେ ପୂର୍ବ ବୈଠକର ବିବରଣୀ ପାଠ କରାଯିବ  । ଏହାପରେ ଉକ୍ତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଆଲୋଚନା କରାଯିବ  । ପୂର୍ବ ମାସର ଦେଣନେଣ ବିବରଣୀ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଅବଗତି ନିମନ୍ତେ ବୈଠକରେ ଉପସ୍ଥାପନ କରାଯିବ  । ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ଦେଣନେଣର ବିବରଣୀ ସମ୍ପୂର୍ଣ୍ଣ ଭାବରେ ବୈଠକରେ ଉପସ୍ଥାପନ କରାଯିବ ଯେପରି ସମସ୍ତ ସଦସ୍ୟା ସ୍ଵୟଂ ଗୋଷ୍ଠୀର ନିଜସ୍ଵ ପାଣ୍ଠି ସମ୍ବନ୍ଧରେ ଜାଣିପାରିବେ  ।

ଯଥା :

  • ସ୍ଵୟଂ ସହାୟକ ଗୋଷ୍ଠୀର ସମୁଦାୟ ଜମା ପାଣ୍ଠି
  • ହାତରେ ଥିବା ଅର୍ଥର ପରିମାଣ
  • ବ୍ୟାଙ୍କରେ ଥିବା ଅର୍ଥର ପରିମାଣ
  • ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରଦାନ କରାଯାଇଥିବା ଋଣର ପରିମାଣ
  • ସଦସ୍ୟାମାନଙ୍କ ଦ୍ଵାରା ପରିଶୋଧ କରାଯାଇଥିବା ଋଣ ଓ ସୁଧର ପରିମାଣ
  • ବାହାର ଅନୁଷ୍ଠାନ / ସଂସ୍ଥାରୁ ଅଣାଯାଇଥିବା ଅର୍ଥର ପରିମାଣ

ଗୋଷ୍ଠୀର ଆର୍ଥିକ ଦେଣନେଣ ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କ ନିକଟରେ ବୈଠକରେ ଉପସ୍ଥାପନ କରିବା ପରେ ସଦସ୍ୟାମାନଙ୍କଠାରୁ ମାସିକ ସଞ୍ଚୟ, ଋଣ ଓ ସୁଧ ଆଦାୟ କରାଯିବ  । ଯଦି ଗୋଷ୍ଠୀରେ ସଦସ୍ୟତା, ନିୟମିତ ମାସିକ ସଞ୍ଚୟ, ଋଣ ଫେରସ୍ତ, ସୁଧ ଆଦାୟ ଜନିତ କିଛି ସମସ୍ୟା ଥାଏ ତାହା ବୈଠକରେ ଆଲୋଚନା କରାଯାଇ ସମାଧାନ କରାଯିବ  । ଯଦି ନୂତନ ଋଣ ପାଇଁ ଆବେଦନକାରୀ ଥାଆନ୍ତି, ତେବେ ଆଲୋଚନା ପରେ କାହାକୁ ଋଣ ପ୍ରଦାନ କରାଯିବ ଏବଂ କେତେ  ପରିମାଣର ଋଣ ପ୍ରଦାନ କରାଯିବ ତାହା ନିଷ୍ପତ୍ତି ନିଆଯିବ  । ଏଥି ସହିତ ସ୍ଵୟଂ ସହାୟକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କି ପ୍ରକାର ତାଲିମ୍ / ପ୍ରଶିକ୍ଷଣ ଦରକାର ଏବଂ କିପରି ଭାବରେ ଆବଶ୍ୟକୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଠୀର ସଦସ୍ୟାଙ୍କ ନିମନ୍ତେ ଆୟୋଜନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ  । ସ୍ଵୟଂ ସହାୟକ ଗୋଷ୍ଠୀ କେବେ ବ୍ୟାଙ୍କ ସହିତ ସଂଯୋଗୀକରଣ ହୋଇପାରିବ / ଋଣ ପାଇପାରିବ ଏବଂ ବ୍ୟାଙ୍କ ଋଣ କିଭଳି ଭାବେ ନିୟମିତ ପରିଶୋଧ କରାଯିବ, କିଭଳି ଭାବରେ ମହାସଂଘର ସଦସ୍ୟତା ଫି ନିୟମିତ ପ୍ରଦାନ କରାଯିବ ଏ ସମ୍ପର୍କରେ ଆଲୋଚନା କରାଯିବ  । ଏହା ବ୍ୟତୀତ ଗ୍ରାମର ବିଭିନ୍ନ ସାମାଜିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ, ସେହି ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ  । ଗ୍ରାମରେ କିଭଳି ସୁସ୍ଥ ଏବଂ ସକ୍ଷମକାରୀ ପରିବେଶ ସୃଷ୍ଟି କରାଯାଇପାରିବେ, ଗ୍ରାମର ପରିମଳ ବ୍ୟବସ୍ଥା କିଭଳି ଭାବରେ ଉନ୍ନତ କରିହେବାଏବ୍ମ ଗ୍ରାମର ବିଭିନ୍ନ ସାମାଜିକ ସମସ୍ୟା ଯଥା – ଯୌତୁକ, ମହିଳାହିଂସା, ଶିଶୁ ଶ୍ରମିକ, ବାଲ୍ୟ ବିବାହ ଇତ୍ୟାଦି ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ  । ଏଥି ସହିତ ଉତ୍ତମ ପୁଷ୍ଟି, ସ୍ୱାସ୍ଥ୍ୟ ନିମନ୍ତେ ସରକାରଙ୍କର ଥିବା ବିଭିନ୍ନ ଯୋଜନା / କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବ

ଉତ୍ତମ ବୈଠକର ବିଭିନ୍ନ ଦିଗ

  • ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ନିୟମିତ ବୈଠକ (ସାପ୍ତାହିକ / ପାକ୍ଷିକ / ମାସିକ) ଅନୁଷ୍ଠିତ ହେବ  ।
  • ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହମତିରେ ବୈଠକ ସ୍ଥାନ / ସମୟ ସ୍ଥିର କରିବା (ସ୍କୁଲ୍ ଗୃହ, ଗୋଷ୍ଠୀ ଗୃହ, ସର୍ବସାଧାରଣ ସ୍ଥାନ)  ।
  • ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିୟମିତ ବୈଠକରେ ଉପସ୍ଥିତ ରହିବେ  ।
  • ଯଦି କୌଣସି ସଦସ୍ୟା ଜରୁରୀ ପରିସ୍ଥିତି ନଥାଇ ବିଳମ୍ବରେ ବୈଠକରେ ଯୋଗ ଦିଅନ୍ତି କିମ୍ବା ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ଯେପରି ଗୋଷ୍ଠୀ ଦ୍ଵାରା ସ୍ଥିରୀକୃତ ଜୋରିମାନା ଆଦାୟ କରିବା  । ପରବର୍ତ୍ତୀ ସମୟରେ ଏହାଦ୍ଵାରା ସେ ଅନୁଭବ କରିବେ ଯେ ପ୍ରତ୍ୟକ ସଭ୍ୟା ସ୍ଵୟଂ ସହାୟକ ଗୋଷ୍ଠୀର ଏକ ମୁଖ୍ୟ ସଦସ୍ୟା ଏବଂ ସମସ୍ତ ସଦସ୍ୟାଙ୍କର ବୈଠକରେ ଯୋଗଦେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  ।
  • ଜରୁରୀ ପରିସ୍ଥିତି ନଥାଇ ଯଦି କୌଣସି ସଦସ୍ୟା ତିନି ମାସରୁ ଅଧିକ ସମୟ ସ୍ଵୟଂ ସହାୟକ ଗୋଷ୍ଠୀ ବୈଠକରେ ଯୋଗ ନଦିଅନ୍ତି ତେବେ ତାଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀରୁ ବାଦ ଦିଆଯିବ  । ଯଦି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଚାହିଁବେ ତେବେ ସେହି ବ୍ୟକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ସଦସ୍ୟତା ଫି ଏବଂ ଫାଇନ୍ / ଜୋରିମାନା ଜମା କରି ପୁନର୍ବାର ଗୋଷ୍ଠୀରେ ଯୋଗଦାନ କରିପାରିବେ  ।

ସଞ୍ଚୟ

ସଞ୍ଚୟ ହେଉଛି ଏକ ଆର୍ଥିକ ସେବା / ଅଭ୍ୟାସ  । ସମସ୍ତେ ଚାହାନ୍ତି ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ  । ବିଭିନ୍ନ ଆବଶ୍ୟକତା ଓ ଉଦ୍ଦେଶ୍ୟ ଯଥା – ଆବଶ୍ୟକତା ସମୟରେ ସହାୟତା, ସ୍କୁଲ ଫିସ୍ / ଦେୟ ପ୍ରଦାନ କରିବା, ବ୍ୟବସାୟରେ ବିନିଯୋଗ କରିବା, ଘର ତିଆରି କରିବା ଇତ୍ୟାଦି ନିମନ୍ତେ ସଞ୍ଚୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ଆର୍ଥିକ ଅନଗ୍ରସର / ରୋଜଗାରରେ ଅନିୟମିତତା, ନିୟମିତ କାମ ନମିଳିବା ଇତ୍ୟାଦି କାରଣ ଲାଗି ବ୍ୟକ୍ତି କିଛି ସଞ୍ଚୟ କରିବା ନିହାତି ଆବଶ୍ୟକ  । ସାଧାରଣତଃ ମହିଳାମାନେ କିଛି ନା କିଛି ବିଭିନ୍ନ ମାଧ୍ୟମରେ ସଞ୍ଚୟ କରିଥାନ୍ତି ଯାହାକି, ସାଧାରଣତଃ ସଞ୍ଚୟରେ ପରିଗଣିତ ହୋଇନଥାଏ, ଭବିଷ୍ୟତରେ ଏହା ଅର୍ଥରେ ରୂପାନ୍ତରିତ ହୋଇଥାଏ ଯଥା – ସୁନା ଅଳଙ୍କାର, ଗୃହପାଳିତ ପଶୁ, ଘରୋଇ ଉପକରଣ ଇତ୍ୟାଦି  । ମାତ୍ର ଏଭଭଳି ଅଣଆନୁଷ୍ଠାନିକ ଭାବରେ ସଞ୍ଚୟ କରିବାରେ କେତେକ ଅସୁବିଧା ଥାଏ, ଯେପରି ଯଦି ମହିଳା ସେମାନଙ୍କର ସଞ୍ଚୟ ରାଶିକୁ ଘରର ସଦସ୍ୟଙ୍କୁ ଧାର ଆକାରରେ ପ୍ରଦାନ କରନ୍ତି ଅଥବା ନିଜର ସଞ୍ଚୟ ରାଶିକୁ ତକିଆ ତଳେ ରଖିଥାନ୍ତି, ତାହା ମହିଳାଙ୍କର ଆବଶ୍ୟକତା ସମୟରେ ତାଙ୍କୁ ମିଳିନପାରେ  । ତେଣୁ ମହିଳାମାନେ ସୁରକ୍ଷିତ ଏବଂ ଆବଶ୍ୟକ ସମୟରେ ମିଳିପାରୁଥିବା ଭଳି ସଞ୍ଚୟ କରିବାକୁ ଚାହାଁନ୍ତି  । ସଞ୍ଚୟରୁ କେତେ ମାତ୍ରାର ସୁଧ ମିଳିବ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ମହିଳାମାନଙ୍କର ଆବଶ୍ୟକତା ସମୟରେ ସହଜରେ ଅର୍ଥ ମିଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ସେମାନଙ୍କର ସଞ୍ଚୟ ରାଶିକୁ ବ୍ୟବସାୟରେ ବିନିଯୋଗ କରିବାକୁ ଯେତେ ଆଗ୍ରହୀ ନଥାନ୍ତି ଆବଶ୍ୟକତା ସମୟରେ ଅଥବା ଘରୋଇ ଉପକରଣ କ୍ରୟ କରିବା ନିମନ୍ତେ ଅଧିକ ଇଚ୍ଛୁକ ଥାନ୍ତି  । ତେଣୁ ମହିଳା ମାନଙ୍କର ଚାହିଦା ସମୟରେ ଅର୍ଥ ମିଳିବା ଏବଂ ସଞ୍ଚୟ ଧାରା ଚାଲୁ ରଖିବା ନିମନ୍ତେ ସଞ୍ଚୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ମହିଳାମାନେ କମ୍ ପାରିଶ୍ରମିକ ପାଇବା ସମସ୍ୟା ନୁହେଁ ନିୟମିତ କାମ ନପାଇବା ମଧ୍ୟ ମହିଳାମାନଙ୍କ ପାଇଁ ଏକ ବିରାଟ ସମସ୍ୟା  । ତେଣୁ ମହିଳା ମାନଙ୍କର ସଞ୍ଚୟ ଅଭ୍ୟାସ ବୃଦ୍ଧି କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ଏକ ପରିବର୍ତ୍ତନୀୟ / ସରଳୀକୃତ ସୁଯୋଗ ପ୍ରଦାନ କରିଥାଏ  । ଏହାଦ୍ଵାରା ସଦସ୍ୟା ନିଜର ସାମର୍ଥ୍ୟ ଅନୁଯାୟୀ ଅର୍ଥର ପରିମାଣ ଓ ସମୟ ଅବଧିରେ ସଞ୍ଚୟ କରିପାରିବେ  । ଏହିଭଳି ଭାବରେ ନିୟମିତ ଭାବରେ କିଛି ସଞ୍ଚୟ ହୋଇପାରିବ ଏବଂ ସଞ୍ଚୟ ରାଶି ମଧ୍ୟ ସୁରକ୍ଷିତ ସ୍ଥାନରେ ରହିପାରିବ  ।

ସ୍ଵୟଂ ସହାୟକ ଗୋଷ୍ଠୀରେ ସଞ୍ଚୟ କରିବାର ଆବଶ୍ୟକତା ଓ ଗୁରୁତ୍ଵ

  • ଗ୍ରାମରେ ଗୋଷ୍ଠୀ ମାଧ୍ୟମରେ ସହଜରେ ସଞ୍ଚୟ କରିପାରିବେ
  • ସଞ୍ଚୟ ରାଶି ଜରୁରୀ ଆବଶ୍ୟକତା ସମୟରେ ସହଜରେ ମିଳିପାରିବ
  • ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଋଣ ନେବା ସମୟରେ ସଦସ୍ୟାଙ୍କ ସଞ୍ଚୟ, ଅମାନତ ରୂପେ କାର୍ଯ୍ୟରେ ଆସିବ ଓ ସୁରକ୍ଷାକାରୀ ଭାବରେ କାର୍ଯ୍ୟ କରିବ  ।
  • ନିଜର ସଞ୍ଚୟକୁ ବିନିଯୋଗ କରିବାରେ ସୁଯୋଗ ପ୍ରଦାନ କରିବା  ।
  • ସ୍ଵୟଂ ସହାୟକ ଗୋଷ୍ଠୀର ପାଣ୍ଠି ବୃଦ୍ଧିରେ ସହାୟକ ହେବା
  • ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଏବଂ ଗୋଷ୍ଠୀ ମଧ୍ୟରେ ବିଶ୍ଵାସ ଏବଂ ଆତ୍ମ ବିଶ୍ଵାସ ବୃଦ୍ଧିରେ ସହାୟକ ହେବା
  • ସଦସ୍ୟାଙ୍କ ଋଣ ନେବାର ସକ୍ଷମତା ବୃଦ୍ଧି କରିବା
  • ସଦସ୍ୟାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା
  • ମହିଳା ମଧ୍ୟ ସଞ୍ଚୟ କରିପାରିବେ – ଏହା ପ୍ରମାଣ କରିବା

ସଞ୍ଚୟର ମହତ୍ଵ (ଝିଣ୍ଟିକା ଓ ପିମ୍ପୁଡି ଗଳ୍ପ)

ଗ୍ରୀଷ୍ମ ଦିନରେ ଏକ ଝିଣ୍ଟିକାଟିଏ ଆନନ୍ଦରେ ଗୀତା ଗାଇ ଗାଇ ବୁଲୁଥିଲା  । ସେତେବେଳେ ତା ପାଖରେ ପିମ୍ପୁଡିଟି କିଛି ଖାଦ୍ୟ ବୋହି ନେଇ ବସା ନିକଟକୁ ଯିବାର ସେ ଦେଖିଲା  । ଝିଣ୍ଟିକାଟି ପିମ୍ପୁଡିଟିକୁ କହିଲା ମୋ ସହିତ ନଗପି କଣ ପାଇଁ ଏତେ କଠିନ ଖଟଣି ଓ ପରିଶ୍ରମ କରୁଛ ? ପିମ୍ପୁଡିଟି କହିଲା ମୁଁ ଶୀତ ଋତୁ ପାଇଁ ଖାଦ୍ୟ ସଂଗ୍ରହ କରୁଛି ଏବଂ ଝିଣ୍ଟିକାକୁ କହିଲା ତୁମେ ମଧ୍ୟ ଖାଦ୍ୟ ସଞ୍ଚୟ କର  । ଝିଣ୍ଟିକା କହିଲା ଭାଇ ତୁମେ ଏବେଠାରୁ ଶୀତ ଋତୁ ପାଇଁ କଣ ପାଇଁ ବ୍ୟସ୍ତ  । ବର୍ତ୍ତମାନ ଆମ ପାଖରେ ପ୍ରଚୁର ପରିମାଣରେ ଖାଦ୍ୟ ଅଛି  । ଏହା ଶୁଣି ପିମ୍ପୁଡି ତା ବାଟରେ ଗଲା ଏବଂ ଭବିଷ୍ୟତ ପାଇଁ ଖାଦ୍ୟ ସଞ୍ଚୟ ଜାରି ରଖିଲା  । ଯେତେବେଳେ ଶୀତ ଋତୁ ଆସିଲା ଝିଣ୍ଟିକାଟି ଖାଇବା ପାଇଁ ଖାଦ୍ୟ ନପାଇ ଭୋକରେ ଆଉଟୁପାଉଟୁ ହେଲା, ସେତେବେଳେ ଦେଖିବାକୁ ମିଳିଲା ପିମ୍ପୁଡ଼ିଟି ପୂର୍ବରୁ ସଞ୍ଚୟ କରି ରଖିଥିବା ଖାଦ୍ୟକୁ ପ୍ରତିଦିନ ଖାଇ ଶାନ୍ତିରେ ଅଛି  । ଏହା ଲକ୍ଷ୍ୟ କରି ଝିଣ୍ଟିକାଟି ବୁଦ୍ଧି ଶିଖିଲା ଯେ ଭବିଷ୍ୟତର ଆବଶ୍ୟକତା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  ।

ଋଣ

ସାଧାରଣତଃ ମହିଳାମାନଙ୍କୁ ସବୁବେଳେ କମ୍ ପରିମାଣର ଓ ଓ ବାରମ୍ବାର ଜରୁରୀ ଋଣର ଆବଶ୍ୟକତା ରହିଥାଏ  । ନିଜର ଜରୁରୀ ଆବଶ୍ୟକତା ପୂରଣ ପାଇଁ ଋଣ ପାଇବା ସେମାନଙ୍କର ଅଗ୍ରାଧିକାର ଥାଏ, ସୁଧ ହାରକୁ ସେମାନେ ଗୁରୁତ୍ଵ ଦେଇନଥାନ୍ତି, ଫଳରେ ସେମାନେ ସହଜରେ ଗ୍ରାମର ସାହୁକାରଙ୍କ ଶିକାର ହୁଅନ୍ତି  । ତେଣୁ ସ୍ଵୟଂ ସହାୟକ ଗୋଷ୍ଠୀ ତାର ସଦସ୍ୟାମାନେ କିଭଳି ଆବଶ୍ୟକ ସମୟରେ ଓ ସହଜରେ ଋଣ ପାଇପାରିବେ ସେଥିପ୍ରତି ଗୁରୁତ୍ଵ ଦେଇଥାଏ  ।

ଋଣର ଆବଶ୍ୟକତା

ଜରୁରୀ ଆବଶ୍ୟକତା ପୂରଣ କରିବା ନିମନ୍ତେ ଯଥା – ସ୍ଵାସ୍ଥ୍ୟ ସମସ୍ୟା, ପର୍ବପର୍ବାଣୀ, ସାମାଜିକ ବିଧି ଇତ୍ୟାଦି  ।

  • ପରିବାରର ପ୍ରତିଦିନର / ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ
  • ବିହନ, ସାର ଏବଂ କୃଷିଯନ୍ତ୍ରପାତି କ୍ରୟ କରିବା
  • ପିଲାମାନଙ୍କର ପାଠପଢାଖର୍ଚ୍ଚ ବହନ କରିବା
  • ପୁଅ ଝିଅଙ୍କ ବିବାହ କାର୍ଯ୍ୟ ସଂପାଦନ କରିବା
  • ପୁରୁଣା ଘର ମରାମତି କିମ୍ବା ନୂତନ ଘର ନିର୍ମାଣ କରିବା
  • ପୁରୁଣା ଋଣ ପରିଶୋଧ କିମ୍ବା ବନ୍ଧକ ଫେରସ୍ତ କରିବା
  • ନୂତନ ବ୍ୟବସାୟ / ପୁରୁଣା ବ୍ୟବସାୟକୁ ବଢାଇବା
  • ଅନ୍ୟାନ୍ୟ ଆବଶ୍ୟକତା

ଅନ୍ତଃ ଋଣ (ଗୋଷ୍ଠୀ ଭିତରେ ଋଣ ଦେଣନେଣ)

ଉପରୋକ୍ତ ଆବଶ୍ୟକତା ପୂରଣ କରିବା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଋଣ ପ୍ରଦାନ କରିଥାନ୍ତି  । ନୂତନ ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା ପୂରଣ କରିବା ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଉପଲବ୍ଧ ନଥାଏ  । ସେଥିପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କଠାରୁ ଆଦାୟ କରାଯାଇଥିବା ସଞ୍ଚୟ ରାଶିରୁ ସଦସ୍ୟାଙ୍କ ଆବଶ୍ୟକତା ଅନୁସାରେ କମ୍ ପରିମାଣର ଋଣ ଯୋଗାଇ ଦେଇଥାନ୍ତି  । ସଞ୍ଚୟ ରାଶିରୁ ସ୍ଵୟଂ ସହାୟକ ଗୋଷ୍ଠୀରସଦସ୍ୟାଙ୍କୁ ପ୍ରଦାନ କରାଯାଉଥିବା ଋଣକୁ ଅନ୍ତଃ ଋଣ କୁହାଯାଏ  । ସ୍ଵୟଂ ସହାୟକ ଗୋଷ୍ଠୀରେ ସଦସ୍ୟାଙ୍କୁ ଋଣଦେବା ଫଳରେ ସ୍ଵୟଂ ସହାୟକ ଗୋଷ୍ଠୀର ଋଣ ପରିଶୋଧ କରିବାର ଅଭ୍ୟାସ ବୃଦ୍ଧି ପାଇଥାଏ  । ସ୍ଵୟଂ ସହାୟକ ଗୋଷ୍ଠୀରେ ନିୟମିତ ସଞ୍ଚୟ, ଋଣ ପରିମାଣ, ସୁଧ ହାର, ପରିଶୋଧ ନିମନ୍ତେ ନିର୍ଦ୍ଧିଷ୍ଟ ନୀତି / ନିୟମ ରହିବା ଆବଶ୍ୟକ  । ଅନ୍ତଃ ଋଣର ସଠିକ କାରବାର ଉତ୍ତମ ସ୍ଵୟଂ ସହାୟକ ଗୋଷ୍ଠୀର ଏକ ଗୁରୁତ୍ଵପୂର୍ଣ୍ଣ ମାପକାଠି / ମାପଦଣ୍ଡ  । ଅନ୍ତଃ ଋଣ ଦେଣନେଣ ଗୋଷ୍ଠୀ ଗଠନର ଛଅ ମାସ ପରେ କରାଯାଉଥିଲା ମାତ୍ର ବର୍ତ୍ତମାନ ଏହା ଗୋଷ୍ଠୀ ଗଠନର ଦିନଠାରୁ / ପ୍ରଥମ ଦିନରୁ କରାଯାଇପାରିବ  ।

ଅନ୍ତଃ ଋଣ ଆରବାର (ଗୋଷ୍ଠୀ ଭିତରେ ଋଣ ଦେଣନେଣ କରିବା) ଗୁରୁତ୍ଵ

  • ଅର୍ଥ ପରିଚାଳନା ଦକ୍ଷତା ବୃଦ୍ଧି
  • ଗୋଷ୍ଠୀର ପାଣ୍ଠି ବୃଦ୍ଧି
  • ସ୍ଵୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କରୁ ଆର୍ଥିକ ସହାୟତା ପାଇବା ପାଇଁ ସକ୍ଷମ ହେବେ
  • ବ୍ୟାଙ୍କ ଋଣ ସହିତ ଗୋଷ୍ଠୀର ସଦସ୍ୟାମାନେ ଅନ୍ୟାନ୍ୟ ଋଣ ପାଇପାରିବେ
  • ଋଣରୁ ମିଳୁଥିବା ସୁଧ ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀର ଆୟ ବଢିପାରିବ

ଋଣ ପ୍ରଦାନ ନିୟମ

  • ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଗୋଷ୍ଠୀରୁ ଋଣ ନେବା ନିମନ୍ତେ ଯୋଗ୍ୟ
  • ବାରମ୍ବାର କେବଳ କେତେଜଣ ସଦସ୍ୟାଙ୍କୁ ଋଣ ପ୍ରଦାନ ନକରି ସମସ୍ତ ସଦସ୍ୟାଙ୍କୁ ଋଣ ପ୍ରଦାନ କରିବା
  • ସଞ୍ଚୟ ପରିମାଣ ଏବଂ ଆବଶ୍ୟକତା ଅନୁଯାୟୀ ସଦସ୍ୟାଙ୍କୁ ଋଣ ପ୍ରଦାନ କରିବା
  • ସୁଧର ମାତ୍ରା / ହାର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ସ୍ଥିର କରିବା
  • ସ୍ଵୟଂ ସହାୟକ ଗୋଷ୍ଠୀର ନିଷ୍ପତ୍ତି ଅନୁଯାୟୀ ନିୟମିତ ଭାବରେ ମାସିକ ଋଣ କିସ୍ତି ପରିଶୋଧ କରିବା
  • ସୁଧ ପ୍ରତ୍ୟକ ମାସରେ ପରିଶୋଧ କରିବା
  • ଗୋଷ୍ଠୀର ସଦସ୍ୟାଙ୍କ ବ୍ୟତୀତ ବାହାର ବ୍ୟକ୍ତିଙ୍କୁ ଋଣ ପ୍ରଦାନ କରାଯିବ ନାହିଁ
  • ପ୍ରଥମ ଋଣ ସମ୍ପୂର୍ଣ୍ଣ ପରିଶୋଧ ପରେ ହିଁ ସଦସ୍ୟାଙ୍କୁ ଦ୍ଵିତୀୟ ଥର ଋଣ ପ୍ରଦାନ କରାଯିବ
  • ବିଳମ୍ବରେ ଋଣ ପରିଶୋଧ କଲେ ଗୋଷ୍ଠୀର ନିଷ୍ପତ୍ତି ଅନୁଯାୟୀ ଋଣ ନେଇଥିବା ସଦସ୍ୟା ଜୋରିମାନା ପ୍ରଦାନ କରିବେ
  • ଗୋଷ୍ଠୀରୁ ନେଇଥିବା ଋଣ ପରିଶୋଧ ନକରିବା ପର୍ଯ୍ୟନ୍ତ ସଦସ୍ୟା ଗୋଷ୍ଠୀରୁ ନିଜର ସଞ୍ଚୟ ରାଶି ଉଠେଇ ନେଇପାରିବେ ନାହିଁ
  • ଋଣ ଫେରସ୍ତ ସୁନିଶ୍ଚିତ କରିବା ନିମନ୍ତେ ଋଣ ପ୍ରଦାନ କରିବା ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ୟ ସଦସ୍ୟାଙ୍କୁ ଗ୍ୟାରେଣ୍ଟର ଭାବରେ ରଖାଯିବ

ସ୍ଵୟଂ ସହାୟକ ଗୋଷ୍ଠୀରୁ ଋଣ ପାଇବା ନିମନ୍ତେ ଯୋଗ୍ୟତା

  • ସ୍ଵୟଂ ସହାୟକ ଗୋଷ୍ଠୀର ନୀତି / ନିୟମ ଅନୁଯାୟୀ ଜଣେ ସଦସ୍ୟାଙ୍କୁ ଥରକେ ଗୋଟିଏ ଋଣ ପ୍ରଦାନ କରିବା
  • ଗୋଷ୍ଠୀ ବୈଠକରେ ୯୫% ଉପସ୍ଥାନ
  • ବୈଠକ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ
  • ୧୦୦ ପ୍ରତିଶତ ନିୟମିତ ସଞ୍ଚୟ
  • ଯଦି ପୂର୍ବରୁ ଋଣ ନେଇଥିବେ ତେବେ ତାହା ନିଶ୍ଚିତ ପରିଶୋଧ କରିଥିବେ
  • ଋଣ ପରିଶୋଧରେ ଉତ୍ତମ ବ୍ୟବହାର / ଅଭ୍ୟାସ
  • ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ନୀତି ଓ ନିୟମକୁ ସମ୍ମାନର ସହ ପାଳନ କରୁଥିବେ

ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉତ୍ପାଦନ, ଜରୁରୀ ଆବଶ୍ୟକତା ଏବଂ ଦୈନିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ଋଣ ପ୍ରଦାନ କରାଯାଇଥାଏ  । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନୂତନ ବ୍ୟବସାୟ ଆରମ୍ଭ ଅଥବା ପୁରୁଣା ବ୍ୟବସାୟକୁ ବଢାଇବା ଉଦ୍ଦେଶ୍ୟରେ ଉତ୍ପାଦନକାରୀ ଋଣ ପ୍ରଦାନ କରାଯାଇଥାଏ  ।

ପଞ୍ଚସୂତ୍ର

ପ୍ରଥମ ସୂତ୍ର

ନିୟମିତ ବୈଠକ

ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସୁବିଧା ଅନୁଯାୟୀ ବୈଠକ ନିୟମିତ ନିର୍ଦ୍ଧାରିତ ସମୟ, ସ୍ଥାନ ଏବଂ ଦିବସରେ ହେବା  । ସମସ୍ତ ସଦସ୍ୟା ନିର୍ଦ୍ଦାରିତ ସମୟ, ସ୍ଥାନ, ତାରିଖକୁ ମାନିବା ଆବଶ୍ୟକ  ।

ଦ୍ଵିତୀୟ ସୂତ୍ର

ନିୟମିତ ସଞ୍ଚୟ

ନିୟମିତ ସଞ୍ଚୟ କରିବା ଫଳରେ ସଦସ୍ୟାଙ୍କ ସଞ୍ଚୟ ଅଭ୍ୟାସ ବୃଦ୍ଧି ହେବ  । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ନିୟମିତ ସଞ୍ଚୟ କରିବା ଆବଶ୍ୟକ  । ଉକ୍ତ ସଞ୍ଚୟ ରାଶି ଭବିଷ୍ୟତର ଜରୁରୀ ଆବଶ୍ୟକତା ସମୟରେ ସେମାନଙ୍କର ସାହାଯ୍ୟରେ ଆସିବ  ।

ତୃତୀୟ ସୂତ୍ର

ନିୟମିତ ଋଣ ଦେଣନେଣ

ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ଜମା କରାଯାଇଥିବା ପାଣ୍ଠି ସଦସ୍ୟାଙ୍କୁ ଋଣ ଦେବାରେ ବ୍ୟବହାର କରାଯାଏ  । ବୈଠକରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ନିଷ୍ପତ୍ତି କ୍ରମେ ସଦସ୍ୟାଙ୍କ ଆବଶ୍ୟକତା ଅନୁଯାୟୀ କାହାକୁ ଏବଂ କେତେ ପରିମାଣର ଋଣ ପ୍ରଦାନ କରାଯିବ ତାହା ସ୍ଥିର କରାଯାଇଥାଏ  । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଘର ଖର୍ଚ୍ଚ ଏବଂ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରିବା ନିମନ୍ତେ ଏହି ଋଣ ପାଇବା ପାଇଁ ଯୋଗ୍ୟ  ।

ଚତୁର୍ଥ ସୂତ୍ର

ନିୟମିତ ଋଣ ପରିଶୋଧ

ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ନେଇଥିବା ଋଣ ସହିତ ସୁଧକୁ ନିୟମିତ ଭାବରେ ପରିଶୋଧ କରିବା ଆବଶ୍ୟକ  ।

ପଞ୍ଚମ ସୂତ୍ର

ନିୟମିତ ଖାତାପତ୍ର ଲେଖିବା

ସ୍ଵୟଂ ସହାୟକ ଗୋଷ୍ଠୀରେ ଆବଶ୍ୟକୀୟ ଖାତା ପତ୍ର ଯଥା ଦେଣନେଣ ନିୟମିତ ଭାବରେ ଲେଖାଯିବା ଆବଶ୍ୟକ  ।

ଆଧାର – ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate