ଫସଲ ଯଥାର୍ଥ ଅଭିବୃଦ୍ଧି ପାଇଁ ମୃତ୍ତିକାରେ ଆବଶ୍ୟକ ଖାଦ୍ୟସାର ନ ଥିଲେ ଯେଉଁସବୁ ପଦାର୍ଥ ପ୍ରୟୋଗ କରି ଅଭାବ ପୂରଣ କରାଯାଏ ସେଗୁଡିକୁ ଖତ ଓ ସାର କହନ୍ତି ।
ଉପରୋକ୍ତ ଅର୍ଥରେ ଖତ ଓ ସାର ଉଭୟର ଭୂମିକା ପ୍ରାୟ ଏକାଭଳି ଏବଂ ଏ ଦୁଇଟି ସମ ଅର୍ଥ ଶବ୍ଦ ତଥାପି ଏ ଦୁଇଟି ମଧ୍ୟରେ କିଛି ପାର୍ଥକ୍ୟ ରହିଛି ।
ଖତ |
ସାର |
(୧) ଉଦ୍ଭିଦ ଓ ପ୍ରାଣୀମାନଙ୍କର ଦେହାବଶେଷ, ମଳ ଓ ମୂତ୍ର ଇତ୍ୟାଦି ପଦାର୍ଥକୁ ନେଇ ଖତ ପ୍ରସ୍ତୁତ କରାଯାଏ । ତେଣୁ ଏହାର ପ୍ରକୃତି ଜୈବ ଏବଂ ଏଗୁଡ଼ିକୁ ଜୈବିକ ଖତ କୁହାଯାଏ । |
(୧) ଏହା ଖଣିଜ ପଦାର୍ଥରୁ ବା ରାସାୟନିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଏ । ଏହାର ପ୍ରକୃତି ଅଜୈବ ଏବଂ ଏଗୁଡ଼ିକୁ ରାସାୟନିକ ସାର କୁହାଯାଏ ।
|
(୨) ଏଥିରେ ଥିବା ଉଦ୍ଭିଦ ଖାଦ୍ୟସାରର ମୁଖ୍ୟଭାଗ ଅଗ୍ରହଣୀୟ ଅବସ୍ଥାରେ ଥାଏ । ମୃତ୍ତିକାରେ ପ୍ରୟୋଗ ହେଲା ପରେ ଜୈବିକ ପଦାର୍ଥ ଅଣୁଜୀବମାନଙ୍କ ଦ୍ଵାରା ଅପଘଟିତ ହୋଇ ଖାଦ୍ୟସାର ଧୀରେ ଧୀରେ ଗ୍ରହଣୀୟ ଅବସ୍ଥାକୁ ଆସେ । |
(୨) ଏଥିରେ ଖାଦ୍ୟସାର ସରଳ ଯୌଗିକ ଅବସ୍ଥାରେ ଥାଏ । ତେଣୁ ପ୍ରୟୋଗ ହେବା ସଙ୍ଗେ ସଙ୍ଗେ ଖାଦ୍ୟସାର ମୃତ୍ତିକାରେ ଦ୍ରବଣୀୟ ହୋଇ ଉଦ୍ଭିଦକୁ ମିଳେ । |
(୩) ଖାଦ୍ୟସାର ଧୀରେ ଧୀରେ ଗ୍ରହଣୀୟ ହେଉଥିବାରୁ ଖତର ପ୍ରଭାବ ଦୀର୍ଘସ୍ଥାୟୀ । ଯେଉଁ ଫସଲରେ ପ୍ରୟୋଗ କରାଯାଏ ତା ପରବର୍ତ୍ତୀ ଫସଲଗୁଡିକୁ ମଧ୍ୟ ଖାଦ୍ୟସାର ମିଳିଥାଏ । ଖତର ପ୍ରଭାବ ବର୍ଷକ ପାଇଁ ଓ ପଙ୍କର ପ୍ରଭାବ ୧୨ ବର୍ଷ ପାଇଁ ରହେ ବୋଲି ପ୍ରବାଦ ରହିଛି । |
(୩) ଅଧିକାଂଶ ସାରରୁ ଖାଦ୍ୟସାର ଖୁବ୍ ଚଞ୍ଚଳ ଦ୍ରବଣୀୟ ହେଉଥିବାରୁ ଏହା ଚଞ୍ଚଳ ବ୍ୟବହୃତ ହୋଇ ଯାଉଥିବାରୁ ପରବର୍ତ୍ତୀ ଫସଲ ପାଇଁ ଖୁବ୍ ଅଳ୍ପ ଅବଶେଷ ରହିଥାଏ । ତେଣୁ ଏହାର ପ୍ରଭାବ ଦୀର୍ଘସ୍ଥାୟୀ ନୁହେଁ । |
(୪) ଏଥିରେ ଥିବା ଖାଦ୍ୟସାର ଧୀରେ ଗ୍ରହଣୀୟ ହେଉଥିବାରୁ ଫସଲ ଦ୍ଵାରା ଉତ୍ତମ ରୂପେ ବ୍ୟବହୃତ ହୁଏ ଓ ଖୁବ୍ କମ୍ ନଷ୍ଟ ହୁଏ । |
(୪) ପ୍ରୟୋଗ ସଙ୍ଗେ ସଙ୍ଗେ ଦ୍ରବଣୀୟ ହେଉଥିବାରୁ ସ୍ୱଳ୍ପ ସମୟ ଭିତରେ ଉଦ୍ଭିଦ ଦ୍ଵାରା ବ୍ୟବହୃତ ହୋଇ ନ ପାରିଲେ ମୃତ୍ତିକାକୁ ବହିଯାଇ ବା ଉଡିଯାଇ ନଷ୍ଟ ହୁଏ। |
(୫) ଜୈବିକ ଖତରେ ପ୍ରାୟ ସବୁ ପ୍ରକାର ଉଦ୍ଭିଦ ଖାଦ୍ୟ ଉପାଦାନ ରହିଥାଏ । |
(୫) ସାରରେ ଗୋଟିଏ ବ ଅଳ୍ପ କେତୋଟି ଉଦ୍ଭିଦ ଖାଦ୍ୟ ଉପାଦାନ ଥାଏ। |
(୬) ଖତରେ ଅଧିକ ଭାଗ ଜୈବ ପଦାର୍ଥ ଓ କମ୍ ମାତ୍ରାରେ ଉଦ୍ଭିଦ ଖାଦ୍ୟ ଉପାଦାନ ନଥାଏ। ଏହାର କୌଣସି ନିର୍ଦ୍ଧିଷ୍ଟ ମାନ ନଥାଏ । |
(୬) ସାରରେ ଉଦ୍ଭିଦ ଖାଦ୍ୟ ସାରର ମାତ୍ରା ଅପେକ୍ଷାକୃତ ଅଧିକ ଏବଂ ଏଗୁଡିକ ନିର୍ଦ୍ଧିଷ୍ଟ ପରିମାଣରେ ଥାଏ । |
(୭) ଖତ ପ୍ରୟୋଗ ଦ୍ଵାରା ମୃତ୍ତିକାର ଦୈହିକ ଗଠନର ଉନ୍ନତି ହୁଏ । |
(୭) ସାର ପ୍ରୟୋଗ ଦ୍ଵାରା ମୃତ୍ତିକାର ଭୌତିକ ଗୁଣରେ ଉନ୍ନତି ହୁଏ ନାହିଁ । |
(୮) ସାଧାରଣତଃ ଖତ ପ୍ରୟୋଗ ଦ୍ଵାରା ମୃତ୍ତିକା ପରିବେଶ ଉପରେ କିଛି ଖରାପ ପ୍ରଭାବ ପଡେ ନାହିଁ । |
(୮) ବାରମ୍ବାର ରାସାୟନିକ ସାର ପ୍ରୟୋଗ କରିବା ଦ୍ଵାରା ମୃତ୍ତିକାରେ ଅମ୍ଳୀୟ ଓ ଲୁଣି ଅଂଶ ବୃଦ୍ଧିପାଏ । ବିଷାକ୍ତ ଉପାଦାନର ମାତ୍ରା ମଧ୍ୟ ବୃଦ୍ଧିପାଏ । |
କୌଣସି ସାରରେ ଅତିକମ୍ ରେ ଯେତିକି ଶତାଂଶ ଯବକ୍ଷାରଜାନ, ଫସଫେଟ୍ ଏବଂ ପୋଟାସ୍ ଥାଏ, ତାହାକୁ ସେହି ସାରର ମାନ କୁହାଯାଏ । ସାରର ମାନ ସାର ବସ୍ତା ଉପରେ ଲେଖାଥାଏ । ଯଥା : Urea 46% N , Gromor 28.28, IFFCO 10 – 26 – 26 ଇତ୍ୟାଦି । ପ୍ରଥମ ସଂଖ୍ୟା %N ଦ୍ଵିତୀୟ ସଂଖ୍ୟା % ଏବଂ ତୃତୀୟ ସଂଖ୍ୟା % ସୂଚିତ କରେ ।
ଏଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଥାଏ । (୧) ସ୍ଥୂଳ ଜୈବିକ ଖତ (୨) ସବୁଜ ଖତ ଓ ଜୈବସାର (୩) ସାନ୍ଧ୍ରିତ ଜୈବିକ ଖତ ।
ଏଥି ମୁଖ୍ୟ ଖାଦ୍ୟସାରଗୁଡିକର ମାତ୍ରା ଖୁବ୍ କମ୍ ଥାଏ । ତେଣୁ ସ୍ଥୂଳ ପରିମାଣରେ ପ୍ରୟୋଗ କରିବା ଆବଶ୍ୟକ ହୁଏ । ଉଦାହରଣ – ଗୋବର ଖତ, କମ୍ପୋଷ୍ଟ ଖତ ଇତ୍ୟାଦି ।
ଗୃହପାଳିତ ପଶୁପକ୍ଷୀମାନଙ୍କର ମଳମୂତ୍ର , ଗୁହାଳରେ ରହିଯାଇଥିବା ଖାଦ୍ୟ ପଦାର୍ଥର ଅବଶୋଷ , ଘରର ଅଳିଆ ଓ ପାଉଁଶ ପ୍ରଭୃତି ପଦାର୍ଥକୁ ଏକତ୍ର ଗୋଟିଏ ଗାଡରେ ବା ଗଦାରେ ସଢାଇବା ଦ୍ଵାରା ପ୍ରସ୍ତୁତ ହେଉଥିବା ପଦାର୍ଥକୁ ଖତ କୁହାଯାଏ ।
ଆଧାର -ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 6/27/2020