ସାର ମିଶାଇବା ପ୍ରଣାଳୀ ଉପାଦାନ ପରିମାଣ ହିସାବ କରିବା ପରେ ସେଗୁଡିକୁ ଆବଶ୍ୟକ ଅନୁପାତରେ ନେଇ ଭଲ ଭାବରେ ଫେଣ୍ଟି ଦିଆଯାଏ । ବହୁତ ପରିମାଣ ମିଶ୍ରଣ ତିଆରି କରିବା ପାଇଁ ଯନ୍ତ୍ରଚାଳିତ ଡ୍ରମ୍ ମିକ୍ ସର ବା ପେଡଲ ମିକ୍ ସର ବ୍ୟବହାର କରାଯାଏ । ମିଶ୍ରଣ ତିଆରି ହେବା ପରେ ଏହାକୁ 50 କି.ଗ୍ରା. ଅଖାରେ ଭର୍ତ୍ତି କରି ବସ୍ତା ମୁହଁ ସିଲେଇ କରାଯାଏ । ବସ୍ତା ଉପରେ ସାର ମିଶ୍ରଣର ନାମ, ଗ୍ରେଡ୍ ଓ ପ୍ରସ୍ତୁତ ତାରିଖ ତଥା ପ୍ରସ୍ତୁତକାରୀ ସଂସ୍ଥାର ନାମଥିବା ଲେବୁଲ ଲଗାଯାଏ ବା ଆଗରୁ ବସ୍ତା ଉପରେ ଛପାଯାଇଥାଏ । ଜୈବିକ ମିଶ୍ରିତ ସାର ସାନ୍ଧ୍ରିତ ଜୈବିକ ଖତ ଯଥା - ରକ୍ତଗୁଣ୍ଡ , ହାଡଗୁଣ୍ଡ, ପିଡିଆ, ମାଛ ଶୁଖୁଆ ଗୁଣ୍ଡ, କଂସେଇଖାନା ଆବର୍ଜନା ଗୁଣ୍ଡ, ପକ୍ଷୀମଳ ଇତ୍ୟାଦି ପଦାର୍ଥକୁ ମିଶାଇ ଜୈବିକ ମିଶ୍ରିତ ପଦାର୍ଥର ରାସାୟନିକ ବିଶ୍ଳେଷଣ କରି ତାର ମାତ୍ରା ନିରୂପଣ କରାଯାଏ । ଗ୍ରେଡ୍ କୁ ସମତୁଲ ଓ ପୁରାନମ୍ବର ଭିତ୍ତିକ କରିବା ପାଇଁ ସେଥିରେ ହିସାବ ମୁତାବକ କିଛି ରାସାୟନିକ ସାର ମିଶିଯାଏ ।ବର୍ତ୍ତମାନ ବଜାରରେ ମିଳୁଥିବା କେତୋଟି ଜୈବିକ ମିଶ୍ରିତ ସାର - ରାଲିମିଲ୍ = 7 – 10 - 5 ଓ 7 – 10 - 0 ଷ୍ଟେରାମିଲ୍ = 7 – 10 – 10 ଓ 7 – 10 – 5 ଏହି ପ୍ରକାର ମିଶ୍ରିତ ସାରଗୁଡିକ ଫଳଗଛ, ଫୁଲଗଛ, କୁଣ୍ଡରେ ଲଗାଯାଉଥିବା ଗଛରେ ପ୍ରୟୋଗ ପାଇଁ ବିଶେଷ ଉପଯୁକ୍ତ । ଏହା ଠାରେ ପ୍ରୟୋଗ କଲେ ବହୁଦିନ ପର୍ଯ୍ୟନ୍ତ କାର୍ଯ୍ୟ କରେ ଏବଂ ଗଛ ବେଶୀ ସତେଜ ଓ ନିରୋଗ ରହେ । ଫଳ ଫୁଲର ଆକାର, ରଙ୍ଗ, ସ୍ଵାଦ ଉତ୍କୃଷ୍ଟ ଧରଣର ହୁଏ । ଗୌଣ ଉପାଦାନ ସାର ଆବଶ୍ୟକତା ଅମ୍ଳୀୟ ବାଲିଆ ମାଟିରେ କ୍ୟାଲେସିଅମ୍ ଓ ମାଗ୍ନେସିୟମ ଯଥେଷ୍ଟ ନ ଥାଏ । ଜୈବିକ ପଦାର୍ଥ କମ୍ ଥିବା ମୃତ୍ତିକାରେ ଗନ୍ଧକ ଅଭାବ ଥାଏ । ଜଳସେଚିତ ଜମିରେ ପ୍ରତିବର୍ଷ 2ଟି ବା 3ଟା ଫସଲ ଚାଷ କରାଯାଏ ଏବଂ ତହିଁରେ ଅଧିକ ରାସାୟନିକ ସାର ପ୍ରୟୋଗ କରାଯାଇ ଅଧିକ ଫସଲ ଅମଳ କରାଯାଏ । ଆଜିକାଲି ଉଚ୍ଚମାନଯୁକ୍ତ ମିଶ୍ରିତ ସାର ଏବଂ ୟୁରିଆ ସାର ବହୁଳ ଭାବେ ବ୍ୟବହୃତ ହେଉଛି । ଏହି ସାର ଗୁଡିକରେ ଗୌଣ ଖାଦ୍ୟସାର ପ୍ରାୟ ନଥାଏ । ତେଣୁ ଏକାଦିକ୍ରମେ ଏହିଭଳି ସଘନ ଚାଷ ଅବଲମ୍ବନ କରାଯାଉଥିବା ଫଳରେ ମୃତ୍ତିକାରୁ ଗଚ୍ଛିତ ଗୌଣ ସାର ନିଷେଧ ହୋଇଯାଏ ଏବଂ ଫସଲରେ ସେଗୁଡିକର ଅଭାବ ଦେଖାଦିଏ । କେତେକ ଫସଲର ଗୌଣ ଖାଦ୍ୟ ଉପାଦାନ ଚାହିଦା ଅପେକ୍ଷାକୃତ ଅଧିକ । ଉଦାହରଣ ସ୍ୱରୂପ – ଚିନାବାଦାମ ଫସଲର କ୍ୟାଲେସିୟମ ଓ ଗନ୍ଧକ ଚାହିଦା ଅଧିକ । ସେହିପରି କପା, ଭେଣ୍ଡି, ମେସ୍ତା, ବିଲାତି ବାଇଗଣ, କୋବି ଓ ଧୂଆଁପତ୍ର ପ୍ରଭୃତି ଫସଲର କ୍ୟାଲେସିୟମ ଓ ମ୍ୟାଗ୍ନେସିୟମ ଚାହିଦା ଅଧିକ । ମୂଳା, ପିଆଜ, ରସୁଣ, ସୋରିଷ ଓ କୋବି ପ୍ରଭୃତି ଫସଲର ଗନ୍ଧକ ଚାହିଦା ଅଧିକ । ଉପରୋକ୍ତ ଫସଲଗୁଡିକର ଆବଶ୍ୟକତାକୁ ଚାହିଁ ଗୌଣ ଉପାଦାନ ବହନକାରୀ ସାର ପ୍ରୟୋଗ କରିବା ଆବଶ୍ୟକ ହୁଏ । କେତେକ ସରଳ ସାର ଯଥା - ଆମୋନିଅମ୍ ସଲଫେଟ୍ , ସିଙ୍ଗଲ ସୁପର ଫସଫେଟ୍ , କା: ଆ: ନା: ଓ ପୋଟାସିୟମ ସଲଫେଟ୍ ପ୍ରଭୃତିରେ ଯବକ୍ଷାରଜାନ, ଫସଫେଟ୍ ଓ ପୋଟାସ୍ ବ୍ୟତୀତ କ୍ୟାଲେସିୟମ ଓ ଗନ୍ଧକ ରହିଛି । ସେହିସବୁ ସାର ବ୍ୟବହାର କଲେ ପରୋକ୍ଷରେ ଗୌଣସାର ମଧ୍ୟ ଫସଲକୁ ମିଳେ ନିର୍ଦ୍ଧିଷ୍ଟ ଭାବରେ ଗୌଣ ଉପାଦାନ ବହନକାରୀ ପଦାର୍ଥ ମଧ୍ୟ ସାର ଭାବେ ବ୍ୟବହାର କରାଯାଇପାରେ । କେଉଁ ପଦାର୍ଥରେ ଗୌଣ ଉପାଦାନ କେତେ ଭାଗ ଅଛି ତାହାର ଏକ ତାଲିକା ତଳେ ଦିଆଗଲା । ସାରର ନାମ ଗୌଣ ଉପାଦାନର ଶତକଡା ଭାଗ (%) କ୍ୟାଲେସିୟମ ମାଗ୍ନେସିୟମ ଗନ୍ଧକ ଆମୋନିଅମ୍ ସଲଫେଟ୍ _ _ 23.7 କା: ଆ: ନା: 5.8 0.3-3.0 _ ସିଙ୍ଗଲ ସୁପର ଫସଫେଟ୍ 18 0.3 12.4 ପୋଟାସିୟମ ସଲଫେଟ୍ _ _ 18.0 ପୋଟାସିୟମ ସୋଏନାଇଟ୍ _ 5.4 20.4 ଆମୋଫସ୍ _ _ 12-15 ଆମୋନିଅମ୍ ସଲଫେଟ୍ ନାଇଟ୍ରେଟ୍ _ _ 12-15 ଜିପସମ୍ 22 _ 18.27 ମାଗ୍ନେସିୟମ ସଲଫେଟ୍ _ 18-20 24-25 କାଠ ପାଉଁଶ 14-21 2-3 _ ଦସ୍ତା ସଲଫେଟ୍ _ _ 17-8 ବେସିକ୍ ସ୍ଲାଗ୍ _ _ 3-4 ବି.ଦ୍ର. – ମୃତ୍ତିକା ଶୋଧକ ପ୍ରୟୋଗ ବିଷୟ ପରବର୍ତ୍ତୀ ଅଧ୍ୟାୟରେ ଲେଖାଯାଇଛି । ଅମ୍ଳୀ ମୃତ୍ତିକାରେ ଚୂନଜାତୀୟ ପଦାର୍ଥ ଏବଂ କ୍ଷାରୀ ମାଟିରେ ଜିପସମ୍ ପ୍ରୟୋଗ କରାଯାଇ ଶୋଧନ କରାଯାଏ । ଏହା ଫଳରେ ଅମ୍ଳମାଟିରେ କ୍ୟାଲେସିୟମ ଓ କ୍ଷାରୀ ମାଟିରେ କ୍ୟାଲେସିୟମ ଓ ଗନ୍ଧକର ଅଭାବ ଦୂର ହୁଏ । ସୂକ୍ଷ୍ମ ଖାଦ୍ୟ ଉପାଦାନ ସାର ଆବଶ୍ୟକତା ଯଥେଷ୍ଟ ଜୈବିକ ଖତ ପ୍ରୟୋଗ ନ କରି କେବଳ ରାସାୟନିକ ସାର ଦେଇ ସଘନ ଚାଷ ଫଳରେ ମୃତ୍ତିକାରୁ ସୂକ୍ଷ୍ମ ଖାଦ୍ୟ ଉପାଦାନଗୁଡିକ ନିଶେଷ ହୋଇଯାଏ । ମୃତ୍ତିକାର ରାସାୟନିକ ଗୁଣ ଅସ୍ଵାଭାବିକ ଥିଲେ ସୂକ୍ଷ୍ମ ଉପାଦାନ ଗୁଡିକର ଗ୍ରହଣୀୟତାରେ ବ୍ୟତିକ୍ରମ ଦେଖାଯାଏ । ଉପରୋକ୍ତ କାରଣଗୁଡିକ ଯୋଗୁଁ ଫସଲରେ ସୂକ୍ଷ୍ମ ଖାଦ୍ୟ ଉପାଦାନଗୁଡିକର ଅଭାବ ପରିଲକ୍ଷିତ ହୁଏ । ବିଶେଷତଃ ଫଳଗଛ, ପନିପରିବା ଫସଲ ଓ ଅଧିକ ଅମଳମ ଫସଲରେ ଏହି ପ୍ରକାର ଅଭାବ ବେଶୀ ଦେଖାଯାଏ । ତେଣୁ ଫସଲର ଚାହିଦା ପୂରଣ ପାଇଁ ଅଣୁସାର ପ୍ରୟୋଗ କରିବା ଆବଶ୍ୟକ ପଡେ । ବିଭିନ୍ନ ସୂକ୍ଷ୍ମ ଉପାଦାନ ବାହୀ ଅଣୁସାର ତାଲିକା ତଳେ ଦିଆଗଲା । ଅଣୁସାର ତାଲିକା ସୂକ୍ଷ୍ମ ଉପାଦାନର ନାମ ଅଣୁସାରର ନାମ ସୂକ୍ଷ୍ମ ଉପାଦାନର ଶତକଡା ଭାଗ (%) ଦସ୍ତା ବା ଜିଙ୍କ୍ ଜିଙ୍କ୍ ସଲଫେଟ୍ 36% Zn ମାଙ୍ଗାନିଜ ମାଙ୍ଗାନିଜ ସଲଫେଟ୍ 25% Mn ଲୌହ ଫେରସ୍ ସଲଫେଟ୍ 19.5% Fe ତମ୍ବା କପର ସଲଫେଟ୍ 24% Cu ବୋରନ୍ ବୋରାକସ୍ ବା ଟାଙ୍ଗଣା ବୋରିକ୍ ଏସିଡ୍ 11.3% B ମଲିବଡେନମ୍ ଆମୋନିଅମ୍ ମଲିବଡେଟ୍ ସୋଡିଅମ୍ ମଲିଡେଟ୍ 54% Mo ସୋଡିଅମ୍ ମଲିଡେଟ୍ 38.5% Mo ଉପରୋକ୍ତ ଲଘୁ ଉପାଦାନ ବହନକାରୀ ଲବଣଗୁଡିକ ବ୍ୟତୀତ କେତେକ ମିଶ୍ରିତ ଅଣୁସାର ଯଥା – ମଲ୍ ଟି ପ୍ଲେକ୍ସ , ଟ୍ରାସେଲ୍ , ଆଗ୍ରୋମିନ୍ ଇତ୍ୟାଦି ବିଭିନ୍ନ କୃଷି ରସାୟନ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ଦ୍ଵାରା ବଜାରରେ ବିକ୍ରି କରାଯାଉଛି । ଏସବୁ ମିଶ୍ରିତ ଅଣୁସାରରେ ଯେଉଁ ଯେଉଁ ଲଘୁ ଉପାଦାନ ମିଶ୍ରଣ କରାଯାଇଛି ତାହା ପ୍ୟାକେଟ୍ ବା ଡବା ଉପର ଲେବଲରେ ଉଲ୍ଲେଖ କରାଯାଇଛି । ଚେଲାମିନ୍ , ଜିନେକ୍ ସ ପ୍ରଭୃତି ଚିଲେଟ୍ ଯୁକ୍ତ ଜିଙ୍କ୍ ଅଣୁସାର ମଧ୍ୟ ଆଜିକାଲି ବଜାରକୁ ଆସିଲାଣି । ଚିଲେଟ୍ ଯୁକ୍ତ ଅଣୁସାରଗୁଡିକର ଫସଲ ଗ୍ରହଣୀୟଟା ଅପେକ୍ଷାକୃତ ଅଧିକ । ତେଣୁ କମ୍ ପରିମାଣରେ ପ୍ରୟୋଗ କଲେ ମଧ୍ୟ ଅଧିକ ସୁଫଳ ମିଳେ । ସାର ପ୍ରୟୋଗର ମୂଳତତ୍ତ୍ଵ ମୃତ୍ତିକା ଉର୍ବରତା ସୁରକ୍ଷା ଓ ଉତ୍ପାଦିକତା ବୃଦ୍ଧି, ଖତ ଓ ସାର ପ୍ରୟୋଗର ମୂଳ ଉଦ୍ଦେଶ୍ୟ । ମୃତ୍ତିକା ଉର୍ବରତା ସୁରକ୍ଷା ପ୍ରତି ବର୍ଷ ଫସଲ ଚାଷ ଯୋଗୁଁ ମୃତ୍ତିକାରୁ ଯେଉଁ ଖାଦ୍ୟ ଫସଲ ଶୋଷି ନିଏ ତାହା ଭରଣା କରାଯିବା ଆବଶ୍ୟକ । ତା’ ନହେଲେ କାଳକ୍ରମେ ମୃତ୍ତିକାର ଉର୍ବରତା କ୍ଷୟ ହୋଇ ତାହା ଚାଷ ଅନୁପଯୋଗୀ ହୋଇଯିବ । ତେଣୁ ଖତ ଓ ସାର ପ୍ରୟୋଗ ଏକାନ୍ତ ଆବଶ୍ୟକ । ଏକ କ୍ଵିଣ୍ଟାଲ ଧାନ ଅମଳ ପାଇଁ ହାରାହାରି ହେକ୍ଟର ପିଚ୍ଛା ୧.୫ କି.ଗ୍ରା. ଯବକ୍ଷାରଜାନ , ୦.୭ କି.ଗ୍ରା. ଫସଫେଟ୍ ଓ ୨.୩ କି.ଗ୍ରା. ପୋଟାସ୍ ଖାଦ୍ୟସାର ଫସଲ ମୃତ୍ତିକାର ଗ୍ରହଣ କରିଥାଏ । ସେହିପରି ବିଭିନ୍ନ ଫସଲ ବିଭିନ୍ନ ପରିମାଣର ଖାଦ୍ୟସାର ଗ୍ରହଣ କରିଥାନ୍ତି । ଫସଲ ଉତ୍ପାଦନ ବୃଦ୍ଧି ଓ ଅଧିକ ଲାଭ ମୃତ୍ତିକାରେ ବିଭିନ୍ନ ଖାଦ୍ୟସାର ଯଥେଷ୍ଟ ନ ଥିଲେ ଫସଲ ଭଲ ବଢେ ନାହିଁ ଓ ଅମଳ କମିଯାଏ । ଏହା ଫଳରେ ଚାଷ ଲାଭଜନକ ହୁଏ ନାହିଁ । ତେଣୁ ମୃତ୍ତିକାରେ ଅଭାବ ଥିବା ଖାଦ୍ୟସାର ସାର ଆକାରରେ ପ୍ରୟୋଗ କରି ହେକ୍ଟର ପିଚ୍ଛା ଅମଳ ଓ ଲାଭ ବୃଦ୍ଧି କରାଯିବା ସାର ପ୍ରୟୋଗର ପ୍ରଧାନ ଲକ୍ଷ୍ୟ । ସାର ପ୍ରଯୋଗଜନିତ ଅମଳ ବୃଦ୍ଧିର ପରିମାଣ ସାରର କାର୍ଯ୍ୟକାରିତା ଉପରେ ନିର୍ଭର କରେ । କୌଣସି ସାର ପ୍ରୟୋଗ ହେତୁ , ଖାଦ୍ୟସାର କି.ଗ୍ରା. ପିଚ୍ଛା ଯେତିକି ବର୍ଦ୍ଧିତ ଅମଳ ମିଳେ ତାହାକୁ ସାରର କ୍ଷେତ୍ରୀୟ ଦକ୍ଷତା କୁହାଯାଏ । ଉଦାହରଣ ସ୍ୱରୂପ , ଯଦି ହେକ୍ଟର ପିଚ୍ଛା ୬୦ କି.ଗ୍ରା. ଯବକ୍ଷାର ୟୁରିଆ ସାରଭାବରେ ପ୍ରୟୋଗ କରିବା ଦ୍ଵାରା 300 କି.ଗ୍ରା. ଅଧିକ ଧାନ ଅମଳ ହେଲା ତେବେ ୟୁରିଆ ସାରର କ୍ଷେତ୍ରୀୟ ଦକ୍ଷତା = ୧ କି.ଗ୍ରା. ଯବକ୍ଷାର ପିଚ୍ଛା ୫କି.ଗ୍ରା. ଧାନ ବୋଲି ହିସାବକୁ ନିଆଯାଏ । ଦକ୍ଷତା ବୃଦ୍ଧିପାଇଁ ଠିକ୍ ସାର ଓ ଠିକ୍ ସମୟରେ ଠିକ୍ ମାତ୍ରାରେ ଓ ଠିକ୍ ଜାଗାରେ ପ୍ରୟୋଗ କରାଯିବା ଉଚିତ୍ । ସାରର ସଠିକ୍ ପରିମାଣ ଫସଲର ଆବଶ୍ୟକତା ଅନୁସାରେ ଅଭାବଥିବା ଖାଦ୍ୟସାରକୁ ସାର ମାଧ୍ୟମରେ ଯୋଗାଇ ଦିଆଯିବା ଆବଶ୍ୟକ । ସେହି ସାରଗୁଡିକ କେତେ ପରିମାଣରେ ପ୍ରୟୋଗ କରାଯିବ ତାହା ଅମଳ ବୃଦ୍ଧିର ସମ୍ଭାବନାକୁ ବିଚାରକୁ ନେଇ ସ୍ଥିର କରାଯାଏ । ଏଥିପାଇଁ ୨ଟି ପ୍ରକାର ଅନୁମୋଦନ ବ୍ୟବସ୍ଥା ରହିଛି । ମୃତ୍ତିକା ପରୀକ୍ଷାଭିତ୍ତିକ ଅନୁମୋଦନ ଜମିରୁ ନମୁନା ମାଟି ସଂଗ୍ରହ କରି ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରାଇଲେ ବିଭିନ୍ନ ଖାଦ୍ୟସାରର ସୁଲଭତା ସ୍ଥିତି ଜଣାଯାଏ । ଫସଲର ଆବଶ୍ୟକତା ତୁଳନାରେ କେଉଁ ଖାଦ୍ୟସାର କେତେ ନିଅଣ୍ଟ ଅଛି , ତାହା ଖାଦ୍ୟସାରର ସୁଲଭତା ସ୍ତର ସ୍ୱଳ୍ପ ଥାଏ ତାହାହେଲେ ନିଅଣ୍ଟ ସ୍ତର ଅଧିକ ଓ ଅମଳ ବୃଦ୍ଧିର ସମ୍ଭାବନା ଅଧିକ ବୋଲି ସୂଚିତ ହୁଏ । ତେଣୁ ଅଧିକା ସାର ଆବଶ୍ୟକ । ଯଦି ସୁଲଭତା ସ୍ତର ବେଶୀ ଥାଏ ତେବେ ନିଅଣ୍ଟ ପରିମାଣ କମ୍ ଏବଂ ଅମଳ ବୃଦ୍ଧିର ସମ୍ଭାବନା କମ୍ । ତେଣୁ ଅଳ୍ପ ପରିମାଣର ସାର ପ୍ରୟୋଗ କରିବା ଲାଭଜନକ । ଅଧିକା ସାର ପ୍ରୟୋଗ କଲେ ଖର୍ଚ୍ଚ ଅଧିକ ହୁଏ କିନ୍ତୁ ଆଶାଜନକ ଲାଭ ମିଳେନାହିଁ । ସାଧାରଣ ଅନୁମୋଦନ ବିଭିନ୍ନ ଫସଲରେ ସାର ପ୍ରୟୋଗ କରାଯାଇ ଅନେକଗୁଡିଏ କ୍ଷେତ୍ର ପରୀକ୍ଷା କରାଯିବା ପରେ ହାରାହାରି ଅମଳ ବୃଦ୍ଧି ପାଇଁ ବିଭିନ୍ନ ସାରର ଲାଭଜନକ ସାର ମାତ୍ରା ନିର୍ଦ୍ଧାରଣ କରାଯାଏ । କୃଷି ଗବେଷଣା ସଂସ୍ଥାମାନଙ୍କ ଦ୍ଵାରା ଏହିପରି କ୍ଷେତ୍ର ପରୀକ୍ଷା କରାଯାଇ ବିଭିନ୍ନ ଫସଲ ପାଇଁ ଯେଉଁ ସାଧାରଣ ଅନୁମୋଦନ ଦିଆଯାଇଛି ତାହା ଫସଲ ଚାଷ ସମ୍ବନ୍ଧୀୟ ପୁସ୍ତିକା , ଗାଇଡ ବହି ବା ଟ୍ରେନିଂ ପୁସ୍ତିକା ପ୍ରଭୃତିରେ ଉଲ୍ଲେଖ ଥାଏ । ଉଦାହରଣ ସ୍ୱରୂପ ଅଧିକ ଅମଳ ଧାନ ପାଇଁ ଖରିଫ ଋତୁରେ 60 – 30 – 30 ଓ ରବି ଋତୁରେ 80 – 40-40 ଯବକ୍ଷାରଜାନ : ଫସଫେଟ୍ : ପୋଟାସ୍ ଅନୁମୋଦନ କରାଯାଇଛି । ଏହାର ଅର୍ଥ ଖରିଫ ଧାନରେ ହେକ୍ଟର ପିଛା ସର୍ବମୋଟ 60 କି.ଗ୍ରା. ଯବକ୍ଷାର (N), 30 କି.ଗ୍ରା. ଫସଫେଟ୍ ଏବଂ 30 କି.ଗ୍ରା. ପଟାସ୍ ପ୍ରୟୋଗ କରିବା ପାଇଁ ଅନୁମୋଦନ କରାଯାଇଛି । ଉପରୋକ୍ତ ୨ ପ୍ରକାର ସାର ଅନୁମୋଦନ ମଧ୍ୟରୁ ମୃତ୍ତିକା ପରୀକ୍ଷା ଭିତ୍ତିକ ସାର ଅନୁମୋଦନ ଉତ୍କୃଷ୍ଟ । କାରଣ ଏହା ନିର୍ଦ୍ଧିଷ୍ଟ ଜମିର ମୃତ୍ତିକାର ଉର୍ବରତା ଭିତ୍ତିରେ ସ୍ଥିର ହୁଏ । ସାଧାରଣ ଅନୁମୋଦନ ଗୋଟିଏ ବିସ୍ତୃତ ଅଞ୍ଚଳରେ ହାରାହାରି ଅମଳ ବୃଦ୍ଧି ଭିତରେ ସ୍ଥିର କରାଯାଉଛି । ନିର୍ଦ୍ଧିଷ୍ଟ ଜମିର ଉର୍ବରତା କମ୍ ବା ବେଶୀ ଥିଲେ ସାରର କାର୍ଯ୍ୟକାରିତା ଓ ଅମଳ ବୃଦ୍ଧିରେ ତାରତମ୍ୟ ହୁଏ କାରଣ ଯେଉଁ ସାର ଯେତିକି ପ୍ରୟୋଗ କରାଯିବା କଥା ତାଠାରୁ କମ୍ ପ୍ରୟୋଗ କଲେ ହେକ୍ଟର ପିଚ୍ଛା ଅମଳ କମିଯାଏ ଏବଂ ମୃତ୍ତିକାର ଉର୍ବରତା କ୍ଷୟ ହୁଏ । ଆବଶ୍ୟକ ପରିମାଣରୁ ଅଧିକ ହୁଏ କିନ୍ତୁ ସେହି ଅନୁପାତରେ ଅମଳ ବୃଦ୍ଧି ନ ହେବାରୁ ଲାଭ କମିଯାଏ । ସ୍ଥଳ ବିଶେଷରେ ଅଧିକ ସାର ପ୍ରୟୋଗ କଲେ ଫସଲର ଅମଳ ବଢିବା ପରିବର୍ତ୍ତେ କମିଯାଏ ଏବଂ ମୃତ୍ତିକାର ପରିବେଶ ଖରାପ ହୁଏ । ହେକ୍ଟର ପିଚ୍ଛା ବିଭିନ୍ନ ଖାଦ୍ୟସାରର ଅନୁମୋଦନ ପରିମାଣ ଜଣାଗଲା ପରେ ଉପଯୁକ୍ତ ସାର ବାଛିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯବକ୍ଷାର, ଫସଫରସ୍, ପଟାସ୍ ଏକତ୍ର ପ୍ରୟୋଗ ପାଇଁ ବିଭିନ୍ନ ମିଶ୍ରିତ ସାର ମଧ୍ୟରୁ ଗୋଟିକୁ ବାଛିବା ଆବଶ୍ୟକ । ସାର ବାଛିବା ବେଳେ (୧) ସାରର ତୁଳନାତ୍ମକ ମୂଲ୍ୟ (୨) ମୃତ୍ତିକା ଓ ଫସଲ ପାଇଁ ସାରର ଉପଯୁକ୍ତତା (୩) ଗୌଣ ଓ ସାମାନ୍ୟ ଉପାଦାନର ଆବଶ୍ୟକତା (୪) ସାରର ଭୌତିକ ଗୁଣ (୫) ସାରର ସୁଲଭତା ବିଚାର ଯୋଗ୍ୟ । ବିଭିନ୍ନ ଖାଦ୍ୟସାର ସଠିକ୍ ପରିମାଣରେ ଓ ଉପଯୁକ୍ତ ସାର ଆକାରରେ ପ୍ରୟୋଗ କରିବା ବ୍ୟବସ୍ଥାକୁ ସୁଷମ ସାର ପ୍ରୟୋଗ କୁହାଯାଏ । ସାର ପ୍ରୟୋଗର ଉପଯୁକ୍ତ ସମୟ ନିର୍ଦ୍ଧିଷ୍ଟ ଖାଦ୍ୟସାରର ପ୍ରୟୋଗ ସମୟ ନିର୍ଦ୍ଧାରଣ ପାଇଁ ୨ଟି ବିଷୟ ବିଚାରକୁ ନିଆଯାଏ । ବିଭିନ୍ନ ଅବସ୍ଥାରେ ଫସଲର ଖାଦ୍ୟସାର ଆବଶ୍ୟକତା ଉଦାହରଣସ୍ୱରୂପ ଯବକ୍ଷାର ଖାଦ୍ୟସାର ଫସଲର ପ୍ରଥମାବସ୍ଥାରୁ ପାଚିବା ଅବସ୍ଥା ପର୍ଯ୍ୟନ୍ତ ଆବଶ୍ୟକ ପଡେ । କିନ୍ତୁ ମୋଟ ଆବଶ୍ୟକତାର ଅଧିକ ଭାଗ ଗଛର ବର୍ଦ୍ଧନଶୀଳ ଅବସ୍ଥାରେ ବ୍ୟବହୃତ ହୁଏ । ଫସଫରସ୍ ଖାଦ୍ୟସାର ପ୍ରଥମାବସ୍ଥାରେ ଚେର ବୃଦ୍ଧିପାଇଁ ଆବଶ୍ୟକ ଏବଂ ପ୍ରଥମାବସ୍ଥାରେ ଗୃହିତ ଫସଫେଟ୍ ଫୁଲ ଓ ଫଳ ଧାରଣ ପାଇଁ ପୁନଃ ବିନିଯୋଗ ହୋଇପାରେ । ପଟାସ୍ ର ଆବଶ୍ୟକତା ବର୍ଦ୍ଧନଶୀଳ ଅବସ୍ଥାରେ ଓ ଫଳ ପାକଳ ହେବା ଅବସ୍ଥାରେ ଅଧିକ । ସାର ବ୍ୟବହୃତ ହେବା ଆଗରୁ ନଷ୍ଟ ହେବାର ସମ୍ଭାବନା ଯବକ୍ଷାର ସାର ଶୀଘ୍ର ଫସଲ ଦ୍ଵାରା ବ୍ୟବହୃତ ନ ହେଲେ ମୃତ୍ତିକାକୁ ନିକ୍ଷାଳନ ବା ଉଦ୍ ବାୟୀକରଣ ପ୍ରକ୍ରିୟାରେ ନଷ୍ଟ ହୁଏ । ଫସଫରସ୍ ସାର ସହଜେ ମୃତ୍ତିକାରୁ ନଷ୍ଟ ହୁଏ ନାହିଁ । ମଟାଳ ମାଟି ପଟାସିୟମ ଉପାଦାନକୁ ବିନିମୟଶୀଳ ଅବସ୍ଥାରେ ଧରି ରଖେ ଓ ଫସଲର ଚାହିଦାନୁସାରେ ଯୋଗାଇପାରେ । କିନ୍ତୁ ବାଲିଆ ମାଟିରୁ ଏହା ସହଜେ ନିକ୍ଷାଳିତ ହୋଇ ନଷ୍ଟ ହୁଏ । ଫସଲର ନିର୍ଦ୍ଧିଷ୍ଟ ଅବସ୍ଥାର ଚାହିଦା ମେଣ୍ଟାଇବା ପାଇଁ ଏବଂ ବ୍ୟବହୃତ ହେବା ପୂର୍ବରୁ ନଷ୍ଟ ନ ହେବା ପାଇଁ ସାରକୁ ଉପଯୁକ୍ତ ସମୟରେ ପ୍ରୟୋଗ କରାଯିବା ଦରକାର । ଫସଲ ବୁଣିବା ବେଳେ / ଲଗାଇବା ବେଳେ ସାଧାରଣତଃ ଯବକ୍ଷାର ଖାଦ୍ୟସାର କିଛି ଅଧିକ ଭାଗ ବର୍ଦ୍ଧନ ଶୀଳ ଅବସ୍ଥାରେ ଏବଂ କିଛି ଭାଗ ଫୁଲ ଫଳ ଧାରଣ କରିବା ଅବସ୍ଥାରେ ଏହିପରି ୨ ବା ୩ ଥରରେ ପ୍ରୟୋଗ କରାଯାଏ । ଫସଫରସ୍ ଖାଦ୍ୟସାର ମୂଳସାର ଭାବରେ ଫସଲ ଲଗାଇବା / ବୁଣିବା ସମୟରେ ବା ତା ପୂର୍ବରୁ ପ୍ରୟୋଗ କରାଯାଏ । ପଟାସ୍ ସାରକୁ ମଟାଳିଆ ମାଟିରେ ମୂଳସାର ଭାବରେ ଏକାଥରକେ ପ୍ରୟୋଗ କରାଯାଏ । କିନ୍ତୁ ବାଲିଆ ମାଟିରେ ୨ ବା ୩ ଥରରେ ବାଣ୍ଟି ପ୍ରୟୋଗ କରିବା ଅଧିକ ଫଳପ୍ରଦ । ସାର ପ୍ରୟୋଗର ଉପଯୁକ୍ତ ପ୍ରଣାଳୀ ସାରର କାର୍ଯ୍ୟକାରିତା ବୃଦ୍ଧି କରିବା ପାଇଁ ଏହାକୁ ଠିକ୍ ପ୍ରଣାଳୀରେ ପ୍ରୟୋଗ କରାଯିବା ଆବଶ୍ୟକ । ସାର ପ୍ରୟୋଗ ବେଳେ ନିମ୍ନଲିଖିତ ବିଷୟଗୁଡିକୁ ବିଚାରକୁ ନେବା ଉଚିତ୍ । ସାର ଯଥାସମ୍ଭବ ଚେରର ପାଖାପାଖି ମାଟିରେ ପ୍ରୟୋଗ କରାଯିବା ଦରକାର ଏହାଦ୍ଵାରା ଚେର ସହଜରେ ଏହାକୁ ଗ୍ରହଣ କରିପାରିବ । ସାର ଚେର ବା ମଞ୍ଜିର ସଂସ୍ପର୍ଶରେ ଆସିବା ଉଚିତ୍ ନୁହେଁ । ସାର ଫସଲ କିଆରିରେ ସବୁଆଡେ ସମାନ ଭାବରେ ପ୍ରୟୋଗ ହେବା ଆବଶ୍ୟକ । ସାର ମୃତ୍ତିକାରୁ ନଷ୍ଟ ନ ହୋଇ ଅଧିକ ମାତ୍ରାରେ ଫସଲ ଦ୍ଵାରା ବ୍ୟବହୃତ ହୋଇପାରିବା ଆବଶ୍ୟକ । ସାର ପ୍ରୟୋଗ ବାବଦ ଖର୍ଚ୍ଚ ଯଥାସମ୍ଭବ କମ୍ ହେବ । ଫସଲ ଲଗାଇବା ପ୍ରଣାଳୀ , ଧାଡି ଓ ଗଛ ମଧ୍ୟରେ ଦୂରତା, ଫସଲର ନିର୍ଦ୍ଧିଷ୍ଟ ଅବସ୍ଥା, ମାଟି ଓ ସାରର ରାସାୟନିକ ଗୁଣ ଏବଂ ପ୍ରୟୋଗ ପାଇଁ କୃଷି ଯନ୍ତ୍ରପାତିର ସୁଲଭତା ପ୍ରଭୃତି ବିଷୟ ବିଚାର କରି ସାର ପ୍ରୟୋଗ ପ୍ରଣାଳୀ ସ୍ଥିର କରାଯାଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ