অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚାଷ ଯନ୍ତ୍ରପାତି

ଲଙ୍ଗଳ

ଏହା ସର୍ବପ୍ରଥମ ଓ ସର୍ବପ୍ରଧାନ ଚାଷ ଉପକରଣ । ଏହା ଚାଷଲାଗି ଅପରିହାର୍ଯ୍ୟ । ପୃଥିବୀର ବିଭିନ୍ନ ଦେଶରେ ଏହି  ଲଙ୍ଗଳର ଆକାର ଓ ପ୍ରକାର ଭିନ୍ନ ହେଲେହେଁ  ସର୍ବତ୍ର  ଏହାର ସ୍ଥାନ ପ୍ରଥମ  ଓ ଉଦ୍ଦେଶ୍ୟ ସମାନ । କାଳକ୍ରମେ ଏହାର ପ୍ରକାର ଓ କାର୍ଯ୍ୟକାରୀତା ଶକ୍ତିର  ପରିବର୍ତ୍ତନ ଅଣାଯାଇଛି । ପ୍ରାଥମିକ ବିଦାରଣ ପାଇଁ ଲଙ୍ଗଳ ଏକମାତ୍ର ଯନ୍ତ୍ର । ଲଙ୍ଗଳ ଦୁଇ ପ୍ରକାର  - କାଠ ଲଙ୍ଗଳ ଓ ଲୁହା ଲଙ୍ଗଳ । ଭାରତ ତଥା ପୂର୍ବ ଏସୀୟ ଦେଶ ମାନଙ୍କରେ କାଠ ଲଙ୍ଗଳ ବହୁ ପୁରାକାଳରୁ କୃଷିଲାଗି   ଅପରିହାର୍ଯ୍ୟ ସର୍ବପ୍ରଧାନ ଓ ପ୍ରଥମ ଯନ୍ତ୍ର ରୂପେ ବ୍ୟବହୃତ ହୋଇଆସୁଛି ।

ଲଙ୍ଗଳ ପଡିଆ ଜମି ଚିରିବା, ମାଟି  ଗୁଣ୍ଡ  କରିବା, ମାଟିରେ ଖତ ଓ  ସାର ମିଶାଇବା, ବିହନ ବୁଣିବା ପରେ ମାଟି   ଘୋଡାଇବା, ଅନାବନା ଘାସ  ମାରିବା  ଇତ୍ୟାଦି   ବିଭିନ୍ନ  କାମ  ପାଇଁ  ବ୍ୟବହୃତ  ହୋଇଥାଏ । ଏହା ଏକ ନାନାବିଧି କର୍ମ  ସମ୍ପାଦନକାରୀ ବହୁମୂଖୀ କୃଷି ଯନ୍ତ୍ର ବିଭିନ୍ନ  କାମ  ପାଇଁ  ଏହାର  ଆକାର  ପ୍ରକାର  ଭିନ୍ନ  ହୋଇଥାଏ ।

କାଠ ଲଙ୍ଗଳର ବିଭିନ୍ନ ଅଙ୍ଗ

(୧) ମୁଣ୍ଡା ବା  ଗଣ୍ଡି, (୨) କଣ୍ଟି, (୩) ଈଷ, (୪) ଫାଳ, (୫) ଲଙ୍ଗଳ  ଲୁହା । ଲଙ୍ଗଳ  ସଜପାଇଁ  ଆବଶ୍ୟକ  ଜୁଆଳି ଓ  ଦଉଡି । ଜୁଆଳି ମଧ୍ୟ କାଠରେ ତିଆରି । ଓଡିଶାରେ ମଧ୍ୟ ଲଙ୍ଗଳର ଆକାର ବିଭିନ୍ନ  ଜାଗାରେ ଭିନ୍ନ ଭିନ୍ନ ହୋଇଥାଏ । ପାହାଡିଆ ଅଞ୍ଚଳରେ ଏହା ଗୋଜିଆ ଓ ସରୁ  ଏବଂ ଖଣ୍ଡିଏ  କାଠରେ ତିଆରି । ଉପକୂଳ ଜିଲ୍ଲାରେ ଏହା  ଦୁଇଜଣ  କାଠରେ ତିଆରି । ଅପେକ୍ଷାକୃତ ବଡ ଓ  ଓଜନିଆ । ବ୍ୟବହାର ଦୃଷ୍ଟିରୁ ଏହାକୁ ଗୋଡିଙ୍ଗା, ଅଧାପରି ଓ  ବଡ ଲଙ୍ଗଳ କୁହାଯାଏ ।

  1. ଲୁହା ଲଙ୍ଗଳ
  2. ଏହା ମୁଣ୍ଡା ଲୁହାରେ ତିଆରି । ମୁଣ୍ଡା ଡାହାଣ ପାଖକୁ ବକ୍ର । ଏହି ମୁଣ୍ଡାରେ କାଠର କଣ୍ଟି ଓ ଈଷ ଲାଗିଥାଏ । ଏହି ଲଙ୍ଗଳକୁ ଇଂରାଜୀରେ ମୋଲଡ ବୋର୍ଡ ଲଙ୍ଗଳ କୁହାଯାଏ । ମୁଣ୍ଡାଟି ଟାଣ ଅଳ୍ପ ପାଣିଦିଆ ଲୁହାରେ ତିଆରି । ଏହାର  ଆଗରେ  ଗୋଟିଏ ଗୋଜିଆ ତିନିକଣିଆ ଲୁହା ଯୋଡା ହୋଇଥାଏ । କେତେକ ଲଙ୍ଗଳରେ ଲୁହା  ଓ  ମୁଣ୍ଡା ଖଣ୍ଡିଏ  ଲୁହାରେ  ଗଢା । ଏପରି  ଲଙ୍ଗଳ ଭାଙ୍ଗିଗଲେ ମୁଣ୍ଡାଟିକୁ   ସଂପୂର୍ଣ୍ଣ  ବଦଳେଇବାକୁ  ପଡେ ।  ଏଥିରେ  ଆଉ  ଲୁହାଫାଳ   ଯୋଡି  କାମ କରି ହୁଏ ନାହିଁ ।

    ଲୁହା ଲଙ୍ଗଳରେ  ଦେଶୀ ଲଙ୍ଗଳ ଅପେକ୍ଷା ବେଶି ଚାଷ କରିହୁଏ । ମାଟି  ସମ୍ପୂର୍ଣ୍ଣ ଭାବେ କାଟି ହୋଇଯାଏ । କାଟି   ହୋଇଯାଉଥିବା ମାଟି ଅଚାରେ ଡାହାଣ ପଟକୁ ପଡେ । ଗୋଟିଏ ଲୁହା ଲଙ୍ଗଳର ଓଜନ ପ୍ରାୟ ୬.୫  କିଗ୍ରା । ମଧ୍ୟମ ପ୍ରକାର  ବଳଦ ହଳେ ଏହାକୁ  ସହଜରେ ଟାଣି ପାରିବେ । ଦିନକୁ  ୮ ଘଣ୍ଟା   ହଳକରେ  ପ୍ରାୟ  ୫୦ – ୭୫ ଡେସିମିଲ  ଜମି  ଚାଷ   କରିହେବ । କୁହା  ଲଙ୍ଗଳରେ ଗୋଟିଏ  ଓଡ  ଚାଷ ଦେଶୀ  ଲଙ୍ଗଳରେ  ପ୍ରାୟ  ୩ ଓଡ  ଚାଷ  ସହିତ  ସମାନ ।

    ବୋଷ  ଲଙ୍ଗଳ, ସାମସ  ଲଙ୍ଗଳ, ୱାହାୱାହା ଲଙ୍ଗଳ ବିଭିନ୍ନ କିସମର ଲୁହାଲଙ୍ଗଳ । ଏହି  ଲଙ୍ଗଳର  ଡାହାଣ  ପଟକୁ  ପତ୍ରିଥାଏ  । କିନ୍ତୁ  ଦ୍ଵିପତ୍ରିଆ  ଲଙ୍ଗଳର  ଦୁଇପଟକୁ  ପଟିଥାଏ । ଏହା  ମାଟି   ଦୁଇପଟକୁ  କାଟେ । ମଝିରେ   ପହଣି   ହୋଇଯାଏ ।

  3. ଭୀମ ଲଙ୍ଗଳ :
  4. ଏହି  ଲଙ୍ଗଳ ମଧ୍ୟ ଗୋଟିଏ   ଲୁହା  ଲଙ୍ଗଳ । ଏହା  କିନ୍ତୁ  ବୋଷା / ଲଙ୍ଗଳ   ଠାରୁ   ଓଜନିଆ   । ଏହାର ମୋଡ   ପତ୍ର   ଦୁଇପଟକୁ   ହୋଇଥିବାରୁ   ଦେଶୀ   ଲଙ୍ଗଳ   ଭଳି  କାମ   ଦିଏ   । ଏଥିରେ   ଗଭୀର  ଚାଷ  ହୋଇପାରିବ   । ଛୋଟ  ଛୋଟ  ହୁଡା  ଓ  ନାଳି  ମଧ୍ୟ  ହୋଇପାରିବ  । ସାଧାରଣ   ବଳଦ   ଟାଣି   ପାରିବେ   ।

  5. ବିଦା :
  6. ଏହା  କାଠରେ   ତିଆରି   । ଏହାର   ମୁଖ୍ୟ  ଅଂଶକୁ  ଗଣ୍ଡି   କୁହନ୍ତି   । ଏହାର   ଲମ୍ବ ୧ ରୁ  ୨ ମିଟର  । ଏହା  ଦେହରେ   କଣା   କରି  ଲୁହାରେ   ତିଆରି   ଗୋଜା  ଓ  ବଙ୍କା  କାଠି  ୩’’  ଦୂରତାରେ   ଖଞ୍ଜା   ହୋଇଥାଏ   । ଏହି  କାଠିକୁ   ବିଦାକାଠି   କୁହନ୍ତି , ବିଦା  ଗଣ୍ଡି  ମଝିରେ   ଗୋଟିଏ   କାଠ  ବା  ବାଉଁଶର   ଈଷ  ମଞ୍ଜି   ହୋଇଥାଏ   । ଈଷ   ଆଗରେ   ଜୁଆଳି  ଲଗାଇ   ଏଥିରେ   ବଳଦ  ଯୋଚି   ବିଦା  ଟାଣି   ଦିଆଯାଏ   । ବିଦା  ଚାଲିଲେ   ବଙ୍କା  ବିଦାକାଠି   ଆଗରେ   ମାଟି  ଖୋଳି   ହୋଇଥାଏ   । ଉପର   ମାଟି   ଖୋଳପା   ଛାଡିଯାଏ  ଏବଂ   ମାଟି  ନରମ   ହୋଇଯାଏ   । ଛୋଟ  ଛୋଟ  ଅନାବନା   ଘାସ  ମଧ୍ୟ   ଉପୁଡିଯାଏ   । ବର୍ଷା  ହେଲେ   ବର୍ଷାପାଣି   ସହଜରେ   ମାଟି   ଭିତରକୁ   ଭେଦିପାରେ   । ଉପକୂଳ  ଜିଲ୍ଲାମାନଙ୍କରେ   ବିଆଳି   ବିଲରେ   ବିଦା  ଦେବା   ପୁରାତନ   ଅନ୍ତଃକମଣ   ପଦ୍ଧତି   ହିସାବରେ   ଚଳିଆସୁଛି   ।

  7. ଡିସ୍କ  ବିଦା  :
  8. ଏହା  ମଧ୍ୟ  ଏକ  ପ୍ରକାର  ବିଦା   । ଏହା  ମାଟି  ଗୁଣ୍ଡ  କରିବା   ପାଇଁ  ବ୍ୟବହୃତ  ହୁଏ   । ଗୋଟିଏ  ଲୁହା   ଅଖରେ  ୪ଟି ଥାଳିଆ   ଭଳି  ଲୁହାପଟି  ଯୋଡା   ହୋଇଥାଏ   । ଅଖଟିରେ  ଈଷ  ଲାଗିଥାଏ   । ବଳଦ  ଦ୍ଵାରା   ଏ  ବିଦା   ଟଣାଯାଇ   ମାଟି   ହଲ  ବା  ଯୋତ  କରାଯାଇପାରେ  ମାଟି   ବତର  ଥିଲେ  ଏଥିରେ  କାମ   କଲେ  ଜମି   ଭଲ  କମଣ   ହୋଇଥାଏ   । ପ୍ରତ୍ୟକ  ଥାଳିଆର  ବ୍ୟାସ  ୩୫ ସେ.ମି.  । ଗୋଟିଏ  ଥାଳିଆ  ବିଦାର   ଓଜନ  ପ୍ରାୟ  ୩୫ କି.ଗ୍ରା.  । ଏହା  ମଧ୍ୟ   ଟ୍ରାକ୍ଟର   ଦ୍ଵାରା   ଟଣାଯାଇପାରେ   । ଏହାଦ୍ଵାରା   ଦିନକୁ  ୮ ଘଣ୍ଟା  କାମ   କରି  ପ୍ରାୟ  ୨ ଏକର  ବତର  ଜମି  ବୁଣିବା  ପାଇଁ   ହଲ   କରାଯାଇପାରେ   । ଏହାଦ୍ଵାରା  ମଧ୍ୟ  କାଦୁଅ   କରାଯାଇପାରେ   । ଦିନକୁ  ୧ ଏକର   ଜମି   କାଦୁଅ  କରାଯାଇପାରେ    ।

  9. ଜମି  କାଦୁଅ  କରିବା  ଯନ୍ତ୍ର
  10. ଧାନ  ରୋଇବା   ପାଇଁ   ଜମି   କାଦୁଅ  କରିବା  ଆବଶ୍ୟକ   । ଏହା  ଯନ୍ତ୍ର  ସାହାଯ୍ୟରେ   କରାଯାଇପାରେ   । ଏହି   କାଦୁଅକରା   ଯନ୍ତ୍ର  ଲଘୁ  ଇସ୍ପାତରେ   ତିଆରି   । ଏହା  ହଳେ   ବଳଦ   ଯୋଚି   କାମ  କରାଯାଇପାରେ   । ଏହାର  ଓଜନ   ପ୍ରାୟ  ୩୦ କି.ଗ୍ରା.  ଏବଂ   ସଜରେ  ଗୋଟିଏ  କିଆରୀରୁ  ଆଉ   ଗୋଟିଏ   କିଆରୀକୁ   ଦିଆଯାଇପାରେ   । ଏହି  ଯନ୍ତ୍ର   ସାହାଯ୍ୟରେ   ଦିନକୁ   ୨ ଏକର  ଜମି  କାଦୁଅ  କରାଯାଇପାରେ   । ଏହାକୁ   ମଧ୍ୟ  ଧାନ  ଅମଳ   ପାଇଁ  ବ୍ୟବହାର   କରାଯାଇପାରେ   । ଦିନକୁ  ଏଥିରେ  ୬ – ୭ କ୍ଵିଣ୍ଟାଲ   ଧାନ  ଅମଳ   କରାଯାଇପାରିବ   ।

ଧାନରୁଆ ଯନ୍ତ୍ର

ଧାନରୁଆ  ସାଧାରଣତଃ  ହାତରେ   କରାଯାଇଥାଏ   । ଏହା  ଏକ  କଠିନ  କାମ  । ନଇଁପଡି  ବାଁ  ହାତରେ   ତଳିଧରି   ଡାହାଣ  ହାତରେ  ପୋତି   ପୋତି  ପଛକୁ  ପଛ   ଯିବାକୁ   ପଡେ   । ଏଥିରେ  ଅଣ୍ଟା  ପିଠି  ଲାଗିଯାଏ   । କିନ୍ତୁ  ଏ  କାମ ମଧ୍ୟ  ଯନ୍ତ୍ର  ସାହାଯ୍ୟରେ  କରାଯାଇପାରେ   । ତଳି   ଉପାଡି   ଭଲ  ଭାବରେ   ଧୋଇ   ସଜାଡି   ଏ  ଯନ୍ତ୍ରରେ  ରଖାଯାଏ   । ଯନ୍ତ୍ରରେ   ଲାଗିଥିବା  ହାତ  ଓ  ଆଙ୍ଗୁଠି  ସାହାଯ୍ୟରେ   ଥରକୁ  ୨-୩ଟି   ତଳି   ବାହାରକୁ   ବାହାରିଯାଏ  ଏବଂ   ଆଉ  ଗୋଟିଏ   ପୋତାଳି  କଣ୍ଟା  ସାହାଯ୍ୟରେ   ପୋତି   ହୋଇଥାଏ   । ଏହି  ଯନ୍ତ୍ରକୁ   ଆଗରୁ   ପଛକୁ   ଟାଣି  ଟାଣି  ନେବାକୁ   ପଡେ   ।  ଏହାଦ୍ଵାରା  ଦିନକୁ  ୧ ଏକର  ଜମି   ରୁଆଯାଇପାରେ   । ଏହି  ଯନ୍ତ୍ର   ଭଲ  ଭାବରେ  କାମ  କରିବା  ପାଇଁ   ଜମି  ଭଲ  ଭାବରେ  କାଦୁଅ   ହେବା  ଓ  ସମାନ  ହେବା   ଆବଶ୍ୟକ   । ଏହି  ଯନ୍ତ୍ରରେ  ଥିବା   ସାମାନ୍ୟ  ଅସୁବିଧା   ଦୂର   ହୋଇଗଲେ   ଏହାଦ୍ଵାରା   ଆମ୍ଭମାନଙ୍କର   ଅନେକ  ଉପକାର  ସାଧିତ   ହେବ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate