অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଞ୍ଜିବୁଣା ଯନ୍ତ୍ର

ଉପକ୍ରମ

ବିଭିନ୍ନ  ପ୍ରକାର  ମଞ୍ଜି   ଯନ୍ତ୍ର  ସାହାଯ୍ୟରେ   ମଧ୍ୟ  ବୁଣାଯାଇପାରେ   । ଧାନ, ଗହମ,  ମୁଗ, ନଳିତା , ଚିନାବାଦାମ  ଇତ୍ୟାଦି  ଫସଲ  ମଞ୍ଜି   ଯନ୍ତ୍ର   ସାହାଯ୍ୟରେ   ଧାଡି ଧାଡି   କରି  ବୁଣାଯାଇପାରେ   । ଯନ୍ତ୍ର  ଓସାର  ଅନୁସାରେ   ଏକକାଳୀନ  ୩-୪ ଧାଡି   ବୁଣା  ମଧ୍ୟ   ହୋଇପାରେ   । ମଞ୍ଜି  ପରିମାଣ   ମଞ୍ଜି   ବୁଣିବା   ଗଭୀରତା   ମଧ୍ୟ  ଏ  ଯନ୍ତ୍ର  ସାହାଯ୍ୟରେ  ସ୍ଥିର  କରାଯାଇପାରେ   । ଏହି  ବୁଣାଯନ୍ତ୍ର  କାଠ, ପ୍ଲାଷ୍ଟିକ  ପାଇପ୍  ଓ  ଲୁହାରେ   ତିଆରି   । ଏହା   ଗୋଟିଏ   ମଞ୍ଜି  ବୁଣା  ଲଙ୍ଗଳ,  ଏଥିରେ   ଏକାବେଳକେ  ୩ ଧାଡି   ବୁଣାଯାଇପାରିବ   । ଲଙ୍ଗଳ   ଭଳି   କଣ୍ଟି ଓ ଈଷ  ଅଛି   ।  କଣ୍ଟି   ମଝି   ଭାଗରେ  ଗୋଟିଏ   ଅଖ  ଆଡୁଆ   ଯୋଡା   ହୋଇଛି   ।  ଏହି  ଅଖରୁ ୩ଟି   ଲୁହା   ମୁନ   ବାହାରିଛି   । ଲୁହା  ପଛକୁ  ୩ଟି   ପ୍ଲାଷ୍ଟିକ  ପାଇପ୍  ଲାଗିଛି   । ଏ  ପ୍ଲାଷ୍ଟିକ   ପାଇପ୍  ୩ଟିର   ମୂଳ  ଘୋଡା   ହୋଇଛି   । ଗୋଟିଏ   ମଞ୍ଜି  ବାୟୁ  ସହିତ  ମଞ୍ଜି  ବାୟୁରେ  ଭର୍ତ୍ତି   କରାଯାଏ   । ମଞ୍ଜିଗୁଡିକ   ଗୋଟିକ  ପରେ  ଗୋଟିଏ   ପ୍ଲାଷ୍ଟିକ   ପାଇପ   ଭିତର   ଦେଇ   ଲୁହାମୁନ   ପଛ   ପଟରେ  ପଡେ   । ଲଙ୍ଗଳ   ଚାଲିଲେ  ଦୁଇପଟରୁ   ଖୋଳି   ହୋଇ  ଯାଉଥିବା   ମାଟି   ପୁଣି   ବେରହା   ଉପରେ   ପଡେ   ଏବଂ  ମଞ୍ଜି   ମାଟିରେ   ଘୋଡେଇ   ହୋଇଯାଏ   । ଏହି  ଯନ୍ତ୍ରଟିକୁ   ହଳେ  ବଳଦ  ସହଜରେ  ଟାଣିପାରିବେ   । ଯନ୍ତ୍ରଦ୍ଵାରା   ବୁଣିଲେ   ମଞ୍ଜି   ସମାନ   ଭାବରେ   ପଡେ   ।  କିଆରୀରେ   ଯନ୍ତ୍ର  ସାହାଯ୍ୟରେ  ବୁଣିବା   ପାଇଁ  ମାଟି  ଭଲଭାବରେ   ଗୁଣ୍ଡ  ଓ  କିଆରୀ  ଖୁବ୍  ସମାନ  ହେବା   ଆବଶ୍ୟକ   ।  ଖାଲ   ଢିପ   ରହିଲେ   ଯନ୍ତ୍ର   ଚାଲିବାରେ   ଅସୁବିଧା  ହୁଏ   । ମଞ୍ଜି   ଠିକ୍ ଭାବରେ   ପଡେ   ନାହିଁ   । କିଆରୀରେ  ଡେଣୁଆ  ଥିଲେ  ଲୁହା   ପଛପଟ   ପ୍ଲାଷ୍ଟିକ   ପାଇପ୍  ମୁହଁରେ   ଡେଣୁଆ   ଲାଗି   ଯାଇ  ମୁହଁ   ବନ୍ଦ  ହୋଇଯାଏ  ଏବଂ  ମଞ୍ଜି   ତଳକୁ   ଖସେ  ନାହିଁ   । ଯନ୍ତ୍ରର   ଓଜନ   ବେଶୀ   ହେଲେ   ବଳଦ  ଟାଣି   ପାରନ୍ତି   ନାହିଁ   ।  କିଆରୀ   ବେଶି   ବତର  ଥିଲେ  ମଧ୍ୟ  ଏ  ଯନ୍ତ୍ର   କାମ  କରେ  ନାହିଁ   ।  ଏହିସବୁ   କାରଣରୁ   ଆମ  ରାଜ୍ୟରେ  ବୁଣା  ଯନ୍ତ୍ର   ବେଶି   ଆଦୃତ   ହୋଇପାରୁନାହିଁ   ।

ଚିତ୍ର ୨.୪ ରେ  ଦେଖାଯାଉଥିବା   ଯନ୍ତ୍ରଟିର   ଗୋଟିଏ  ୩ ଧାଡିଆ   ମଞ୍ଜି  ବୁଣା   ଯନ୍ତା   ଏହାକୁ   ହାତରେ   ଟାଣି   ମଞ୍ଜି  ବୁଣାଯାଇପାରେ   । ଏହା  ସାହାଯ୍ୟରେ  ଗହମ  ଧାନ  ବୁଣାଯାଇପାରିବ   । ବାକ୍ସରେ   ମଞ୍ଜି  ଭର୍ତ୍ତି  କରାଯାଏ   । ବାକ୍ସରେ  କଣା  ୩ଟା   । ପ୍ରତି   କଣାକୁ   ଗୋଟାଏ  ଲେଖାଏ  ପ୍ଲାଷ୍ଟିକ  ନଳୀ   ଖଞ୍ଜା  ହୋଇଥାଏ   । ପ୍ଲାଷ୍ଟିକ   ନଳୀର   ମୁହଁ   ଲୁହା  ପଛକୁ   ଲାଗିଥାଏ   । ମଝିରେ   ଗୋଟିଏ  ଈଷ  । ଈଷ  ଅଗକୁ   ଧରି  ଟାଣିବା  ପାଇଁ   ଗୋଟିଏ  ବେଣ୍ଟ    । ଯନ୍ତ୍ରଟି  ବିଲରେ   ଗଡିବା ପାଇଁ  ଅଖ   ଲାଗିଛି  ଓ  ଅଖର  ଦୁଇପଟେ  ୨ଟି  ଚକ   । ଏ  ଯନ୍ତ୍ରଟିରେ  କାମ  କରିବା   ସହଜ   । ମାଟି  ଭଲ  ଭାବରେ  ଗୁଣ୍ଡ   ହୋଇଥିଲେ  ଓ  ବିଲ  ସମତଳ  ଥିଲେ  ଏ  ମଧ୍ୟ  ଭଲ   କାମକରେ   ।

ମଞ୍ଜି  ଓ ସାରବୁଣା   ଯନ୍ତ୍ର

ଏ  ଯନ୍ତ୍ର  ସାହାଯ୍ୟରେ  ମଞ୍ଜି  ଓ  ସାର  ଏକାବେଳକେ  ବୁଣାଯାଇପାରିବ   । ଏହି  ଯନ୍ତ୍ରକୁ  ହାତରେ   ଟାଣି  ବା  ବଳଦ  ଦ୍ଵାରା  ଟାଣି  ମଞ୍ଜି  ଓ  ସାର  ବୁଣାଯାଇ   ପାରିବ   । ସାର  ଆଗ  ପଡିବ   । ତା’ପରେ   ମଞ୍ଜି   ଗୋଟି  ଗୋଟି   ହୋଇପଡିବ   । ଦୁଇପଟୁ  ପଡୁଥିବା  ଗୁଣ୍ଡ   ମାଟି  ଦ୍ଵାରା  ସାର  ଓ  ମଞ୍ଜି  ଘୋଡେଇ   ହୋଇଯିବ   । ଧାଡିକୁ   ଧାଡି  ୧୫ ସେ.ମି.  ବ୍ୟବଧାନରେ  ସାର ଓ  ମଞ୍ଜି  ବୁଣାଯାଇପାରିବ   । ହାତ  ଟଣା  ଯନ୍ତ୍ରର  ଓଜନ   ପ୍ରାୟ  ୧୫ କି.ଗ୍ରା.  ସହଜରେ  ଗୋଟିଏ   କିଆରୀରୁ   ଆଉ   ଗୋଟିଏ   କିଆରୀକୁ   ନେଇହେବ   । ଦିନକୁ  ୭୫ ଡେସିମିଲ   ଜମି   ବୁଣି  ହେବ   ।

ଚିନାବାଦାନ  ଚୋପାଛଡା  ଯନ୍ତ୍ର

ଚିନାବାଦାମ  ମଞ୍ଜି  ଛଡାଇବା  ପାଇଁ  ବହୁତ  ସମୟ  ଲାଗେ   । କିନ୍ତୁ  ଯନ୍ତ୍ର  ସାହାଯ୍ୟରେ  ଏହି  କାମ  ଶୀଘ୍ର   ହୋଇଯାଏ  । ଚିନାବାଦାମ  ଛୁଇଁ   ପୂରାଇବା   ପାଇଁ   ଗୋଟିଏ   ବାକ୍ସ   ଯନ୍ତ୍ରର   ଉପରିଭାଗରେ   ଖଞ୍ଜା  ଯାଇଥାଏ   । ଏହା  ତଳକୁ   ଗୋଟିଏ   ରୋଲର  ଥାଏ   । ରୋଲର  ତଳକୁ   ଗୋଟିଏ   ଆବୁଆବୁଆ   ତାର  ଜାଲି, ରୋଲର  ଓ  ତାରଜାଲି  ମଧ୍ୟରେ   ଥିବା  ଫାଙ୍କ  ଜାଗାରେ   ଚିନାବାଦାମ  ରାହିଜାଏ   । ରୋଲର  ବୁଲିଲେ   ଏହାର  ଛୋଟ  ଦାନ୍ତ  ଚିନାବାଦାମ   ଛୁଇଁକୁ   ଜାଲି   ଉପରେ   ଗଡେଇ   ଘୋଷାରି   ନିଏ   ଏହାଦ୍ଵାରା   ଚିନାବାଦାମ   ଛୁଇଁରୁ   ଚୋପା  ଛାଡିଯାଏ   ।ମଞ୍ଜିଗୁଡିକ  ତଳକୁ   ଗଳିଯାଏ   । ତଳେ  ଚିନାବାଦାମ   ମଞ୍ଜିଗୁଡିକୁ  ଗୋଟିଏ   ଛୋଟ   ଘର  ଭଳିଆ  ଜାଗାରେ   ପଡିଥାଏ   । ଏଥିରେ   ଘଣ୍ଟାକୁ   ୧୫ କି.ଗ୍ରା.  ଚିନାବାଦାମରୁ   ମଞ୍ଜି   ଛଡା  ଯାଇପାରେ   । ଏ  ଦୃଷ୍ଟିରୁ   ଏହା   ଅତ୍ୟନ୍ତ   ଦରକାରୀ   ଯନ୍ତ୍ର  । ହାତରେ  ଛଡାଇବା   ପାଇଁ  ଆବଶ୍ୟକ   ମୂଲ  ତୁଳନାରେ   ଏହି  ଯନ୍ତ୍ର   ସାହାଯ୍ୟରେ  ୯୦% ମୂଳ  କମିଯିବ   । ଶତକଡା  ୧ ଭାଗରୁ  କମ୍  ଚିନାବାଦାମ   ମଞ୍ଜି  ଏଥିରେ  ଗୁଣ୍ଡ   ହୋଇଯାଇଥାଏ   । ଏହି  ଯନ୍ତ୍ରର   ଓଜନ  ପ୍ରାୟ  ୧୪ କି.ଗ୍ରା  ଏହି   ଯନ୍ତ୍ରକୁ   ସହଜରେ   ଗୋଟିଏ   ସ୍ଥାନରୁ   ଆଉ  ଗୋଟିଏ   ସ୍ଥାନକୁ   ନେଇ   ବ୍ୟବହାର   କରାଯାଇପାରେ   । ଏହି  ଯନ୍ତ୍ରଟି   ଚିନାବାଦାମ  ଚାଷୀଙ୍କ   ପାଖରେ  ଅତ୍ୟନ୍ତ   ଆଦୃତ   ହେଲାଣି   ।

ଚିନାବାଦାମ  ଖୋଳା  ଓ  ତୋଳା   ଯନ୍ତ୍ର

ଚିନାବାଦାମ  ଖୋଳିବା  ଓ  ନାଡିରୁ   ଚିନାବାଦାମ   ତୋଳିବା   ପାଇଁ  ଯନ୍ତ୍ର   ଏବେ   ଉଦ୍ଭାବିତ   ହେଲାଣି   । ଯନ୍ତ୍ରଟି  ଖୋଲିବା  ସାଥି  ସାଥି   ଆଙ୍ଗୁଠିରେ   ନାଡିରୁ   ଚିନାବାଦାମ  ଛୁଇଁ   ଟାଣି   ଛିଣ୍ଡାଇଲା   ଭଳି  କାମ   କରିପାରୁଛି   । ଏହା  କାଠ   ଓ  ଲୁହାପାତ  ଏବଂ  ଜାଲିରେ   ତିଆରି   । କେତେକ  କ୍ଷେତ୍ରରେ   ଚିନାବାଦାମ   ଖୋଳିବା  ପାଇଁ  ଗୋଟିଏ   ଯନ୍ତ୍ର  ଓ  ଚିନାବାଦାମ   ତୋଳିବା   ପାଇଁ   ଆଉ  ଏକ  ଯନ୍ତ୍ର   ବ୍ୟବହାର   କରାଯାଏ   ।

ମକାଛଡା  ଯନ୍ତ୍ର

ଏହି  ଯନ୍ତ୍ରଟି  ଶାଳ   କାଠରେ   ତିଆରି, ମକାର   ଆକାର   ଅନୁସାରେ   ଏହି  ଯନ୍ତ୍ର   ମଧ୍ୟ  ସାନ  ଓ  ବଡ   ହୋଇଥାଏ   । ଏହି  ଯନ୍ତ୍ର   ସାହାଯ୍ୟରେ   ଗୋଟିଏ   ବଡ  ମକାରୁ   ମଞ୍ଜି   ଗୁଡିକୁ   ଛଡାଇବା  ପାଇଁ   ମାତ୍ର   ୨ ମିନିଟ୍ ଲାଗିଥାଏ   । ଏହି ଯନ୍ତ୍ରଟିର  ଓଜନ  ୨୫୦  ଗ୍ରାମ   ମାତ୍ର   ।

ଏହି  ପ୍ରକାର  ଯନ୍ତ୍ରଟି  ଟିଣ   ପତ୍ରରେ   ତିଆରି   । ଏଥିରେ   ଘଣ୍ଟାକୁ  ୧୫ – ୨୦ କି.ଗ୍ରା.  ମଞ୍ଜି   ଛଡା   ଯାଇପାରେ   । ଯନ୍ତ୍ରଟିର   ଓଜନ  ମାତ୍ର  ୩୫୦ ଗ୍ରାମ  ।ଏହାକୁ  ସହଜରେ   ବିଭିନ୍ନ   ଜାଗାକୁ  ନିଆଯାଇପାରେ   ।

ଏକ   ଧାଡିଆ  ମଞ୍ଜି   ବୁଣା  ଯନ୍ତ୍ର

ଏହି  ଯନ୍ତ୍ର  ସାହାଯ୍ୟରେ   ମାଣ୍ଡିଆ , ନଳିତା ଓ  ସୋରିଷ   ଭଳି   ଛୋଟ  ବିହନ  ସହଜରେ   ବୁଣା  ଯାଇପାରେ   ବିହନକୁ   ଧାଡିରେ  ଠିକ୍  ବ୍ୟବଧାନରେ   ଓ  ଗଭୀରତାରେ   ପକାଯାଇପାରେ   । ଏହି   ଯନ୍ତ୍ରରେ  ବିହନ   ରଖିବା  ପାଇଁ  ଖୋପଥାଏ   । ଆଗରେ   ଗୋଟିଏ   ଦୁଇ  ହାତରେ  ଧରି   ଚଳାଇବା  ପାଇଁ   ବେଣ୍ଟ  ମୁଠା   ଥାଏ   । ଖୋପରୁ   ମଞ୍ଜି  ପ୍ଲାଷ୍ଟିକ  ବା  ଟିଣ  ନଳୀ  ଭିତର  ଦେଇ   ଲୁହା   ମୁହଁ  ପଛରେ   ପଡେ   । ଲୁହା   ମୁନରେ   ଖୋଳି ହୋଇଯାଉଥିବା   ମାଟିରେ  ପଡୁଥିବା   ମଞ୍ଜି   ଘୋଡାଇ  ହୋଇଯାଏ   । ଯନ୍ତ୍ର  ସାହାଯ୍ୟରେ  ବୁଣିଲେ   ଅଳ୍ପ  ମଞ୍ଜି  ଖର୍ଚ୍ଚ   ହୁଏ  ଏବଂ  ବିଲରେ   ବିହନ   ସମାନ   ଭାବରେ   ପଡେ   ।

ଧାନ   ଅମଳ  ଯନ୍ତ୍ର

ଆମ  ରାଜ୍ୟରେ  ସାଧାରଣତଃ  ଧାନ  ହଳାକୁ  ବାଡେଇ, ବଳଦ   ଦ୍ଵାରା   ବେଙ୍ଗଳା   ପକେଇ   କିମ୍ବା   ଟ୍ରାକ୍ଟର   ଦ୍ଵାରା  ବେଙ୍ଗଳା   ପକେଇ   ଅମଳ  କରାଯାଇଥାଏ   । ବଳଦ  ବେଙ୍ଗଳାରେ   ବେଶି  ସମୟ  ନଷ୍ଟ  ହୁଏ   । ଟ୍ରାକ୍ଟର   ବେଙ୍ଗଳା   ପାଇଁ  ବେଶି  ହଲା   ଦରକାର   । ଖଳା  ମଧ୍ୟ  ଭଲ  ହେବା   ଦରକାର   ।

କିନ୍ତୁ   ଏହି  ଧାନ   ଅମଳ  ଯନ୍ତ୍ର  ଛୋଟ   । ଯେ  କୌଣସି   ଛୋଟ  ବଡ  ଚାଷୀ  ଏହାକୁ  ବ୍ୟବହାର   କରିପାରିବେ   । ଏହି ଯନ୍ତ୍ରଟି   ସାଇକେଲରେ  ବସି  ପେଡାଲ   ମାରିଲା  ଭଳି  ପେଡାଲ   ମାରି  ଚଳାଯାଇପାରେ   । କିମ୍ବା   ବିଜୁଳି   ଶକ୍ତି  ସାହାଯ୍ୟରେ  ଚଳାଯାଇ  ପାରେ   । ବିଦ୍ୟୁତ   ଚାଳିତ   ଯନ୍ତ୍ରଟି   ଏକ  ଅଶ୍ଵଶକ୍ତି  ବିଶିଷ୍ଟ   ବିଜୁଳି   ମୋଟର  ସାହାଯ୍ୟରେ   ଚାଳିତ  ହୁଏ  । ଜାପାନୀ  ଧାନ  ଅମଳ  ଯନ୍ତ୍ର  ଭଳି  ଏହି  ଯନ୍ତ୍ର  କାମ  କରେ   ।  ହଳାକୁ  ଅଳ୍ପ  ଅଳ୍ପ ଧାନ  ଗଛର  ଆଗ  ଏହି  ଯନ୍ତ୍ରର  ଦାନ୍ତି   ଉପରେ  ଦେଖାଇଲେ   କେଣ୍ଡାରୁ   ଧାନଗୁଡିକ  ଝଡିଯାଏ   । ବଡ  ବଡ  ଧାନ  ଅମଳ  ଯନ୍ତ୍ରରେ  ହଳାକୁ   ଗୋଟା   ଗୋଟା  କରି   ଭର୍ତ୍ତି   କରିଦିଆଯାଏ   । ଧାନ  ଗୋଟିଏ   ମୁହଁରେ , ପାଳ  ଅନ୍ୟାନ୍ୟ   ଗୁଣ୍ଡକୁଟା   ଆଉ  ଗୋଟିଏ   ମୁହଁରେ  ବାହାରେ   । ଯେଉଁଥିରେ   ପଙ୍ଖା  ଖଞ୍ଜା  ହୋଇଥାଏ, ସେ  ଯନ୍ତ୍ରରେ   ଧାନ  ଉଡା ହୋଇ  ସଫା  ଧାନ  ଆଉ   ଗୋଟାଏ  ମୁହଁରେ   ବାହାରେ  । ଏଇ  ମୁହଁରେ  ବସ୍ତା  ବାନ୍ଧି   ଦେଲେ  ସଫା  ଧାନ  ବସ୍ତାରେ  ପଶେ   । ବସ୍ତା  ପୁରିଗଲେ ,  ଖାଲି   ବସ୍ତା  ପୁଣି   ସେ  ମୁହଁରେ  ବାନ୍ଧି   ଦିଆଯାଏ   ।

ଛୋଟ  ମଧ୍ୟମ   ଧରଣର   ଶକ୍ତି   ଚାଳିତ  ଧାନ  ଅମଳ  ଯନ୍ତ୍ରର  ଓଜନ   ପ୍ରାୟ  ୯୦  କିଲୋଗ୍ରାମ   । ଏହାଦ୍ଵାରା  ଘଣ୍ଟାକୁ  ୨୪୦  କି.ଗ୍ରା.  ଧାନ  ଅମଳ  ହୋଇପାରେ   ।

ମାଟିର   କଠିନତା  ଭଙ୍ଗା  ଯନ୍ତ୍ର

ନାଲି  ରୁଗୁଡିଆ  ମାଟି   ଯେତେ   ଚାଷ   ହୋଇଥିଲେ   ସୁଦ୍ଧା   ଛେଚା  ବର୍ଷା  ପରେ   ଉପର  ଭିଦେଇ  ଯାଏ   । କାଦୁଅ  ଜମିରେ  ମଧ୍ୟ   ଏପରି   ଗୋଟିଏ  ସର   ଉପରେ  ପଡିଯାଏ  । ମାଟି  ଉପରେ   ବାନ୍ଧି   ହୋଇଯାଏ   । ଗଜା  ଶୀଘ୍ର  ବାହାରେ   ନାହିଁ   । ବଙ୍କେଇ   ହୋଇ  ତଳେ  ରହିଯାଏ   । କ୍ରମେ  ଶୁଖିଯାଇ  ମରିଯାଏ  ଅଥବା   ଗଜା   ବହୁ   କଷ୍ଟରେ  ବାହାରି   ହଳଦିଆ  ପଡି  ଶୁଖିଯାଇ   ମରିଯାଏ   । ଏପରି  ଜମିରେ  ବର୍ଷା  ପରେ  ବତର   ଥିବା   ଅବସ୍ଥାରେ   ଏହି   ଯନ୍ତ୍ରକୁ  ଚଳାଇଲେ   ଉପର  ମାଟିରେ  କଠିନତା   ଭାଙ୍ଗିଯାଏ   । ମାଟି  ନରମ  ହୋଇଯାଏ   । ଗଜା  ଶୀଘ୍ର  ବାହାରି  ଆସେ   । ଏହି   ଯନ୍ତ୍ରକୁ   ଜଣେ   ଲୋକ  ସହଜରେ  ଟାଣି  ପାରେ  । ଏହାର ଓଜନ  ପ୍ରାୟ  ୧୧ କିଲୋଗ୍ରାମ   । ଏହି ଯନ୍ତ୍ର  ଦ୍ଵାରା  ଘଣ୍ଟାକୁ   ୨୦  ଡିସିମିଲ  ଜମିରେ   କଠିନତା  ଭଙ୍ଗା  ଯାଇପାରିବ   ।

ଧାନ   ବିଲରେ   ଇଉରିଆ  ସାର   ପ୍ରୟୋଗ  ଯନ୍ତ୍ର

ଧାନ  ବିଲରେ   ଇଉରିଆ  ଜାତୀୟ  ସାର   ସହଜରେ   ମିଳେଇଯାଏ   ଏବଂ  ପାଣିରେ   ଧୋଇ  ହୋଇଯାଏ  । ୧୦୦ କି.ଗ୍ରା.  ଇଉରିଆରୁ  ପ୍ରାୟ   ୩୦ – ୩୫ କି.ଗ୍ରା.  ଇଉରିଆ  ସାରର  ଫଳ  ମିଳିଥାଏ   । ଏହି  ସାରକୁ  ନ ବିଞ୍ଚି  ଧାନ  ବୁଦା   ମଝିରେ  ୫-୧୦ ସେ.ମି. ତଳେ  ରଖିଦେଲେ   ଏ  ସାରର  ଉପଯୋଗୀତା  ବୃଦ୍ଧିପାଏ   । ଧାନ  ଚେର  ଏ  ସାର  ସହଜରେ  ଗ୍ରହଣ  କରିଥାଏ   ।

ଏହି  କାମଟି  ଯନ୍ତ୍ର  ସାହାଯ୍ୟରେ   କରାଯାଇପାରେ , ଏହାଦ୍ଵାରା   ଇଉରିଆ  ସାରର  ଦାନା  ଠିକ୍  ଜାଗାରେ   ରଖାଯାଇପାରେ    । ଏହି  ଯନ୍ତ୍ରର   ଓଜନ  ପ୍ରାୟ  ୪ କି.ଗ୍ରା.   । ଜଣେ   ଲୋକ   ଟାଣି   ଧାଡିରେ  ଥାଇ  ଠିକ୍  ମୁତାବକ   ପକାଇପାରିବା   । ଏହା  ଦ୍ଵାରା  ବଡ   ଦାନା  ଇଉରିଆ  ସାର  ମଧ୍ୟ  ପକାଯାଇ   ପାରିବ   ।

ଅନ୍ତଃ  ଚାଷଲାଗି   ଯନ୍ତ୍ରପାତି

ଫସଲ  ବୁଣିବା  ବା  ଲଗାଇବାଠାରୁ  ଅମଳ  କରିବା  ସମୟ  ଭିତରେ  କିଆରୀରେ  ଫସଲ  ଚାହିଦା  ଅନୁସାରେ  ଖୁସାଇବା,  କୋଡିବା , ହୁଡାଦେବା   ଇତ୍ୟାଦି   କାମ  ଆବଶ୍ୟକ   ହୋଇଥାଏ   । ଏହା  କେବଳ   ଛୋଟ  କୋଦାଳ,  କୋଡି  ଦ୍ଵାରା   ସମ୍ଭବ   ନୁହେଁ   । ଏହି   କାମକୁ  ସହଜରେ , ଅଳ୍ପ  ପରିଶ୍ରମରେ  ଓ  ଅଧିକ  ଫଳପ୍ରଦ   ଭାବେ  କରିବା   ପାଇଁ   ବିଭିନ୍ନ   ଛୋଟ   ଯନ୍ତ୍ରପାତି   ବାହାର  କରାଯାଇଛି   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate