ବୃକ୍ଷଲତାଗୁଡିକ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ଇଶ୍ଵରଙ୍କ ପ୍ରଦତ୍ତ ଅମୂଲ୍ୟ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ଏପରି ଅନେକ ବୃକ୍ଷଲତା ରହିଛି ଯାହା ନିଜସ୍ୱ ଔଷଧୀୟ ଗୁଣବତ୍ତାରେ ପରିପୂର୍ଣ୍ଣ ହେଲେ ମଧ୍ୟ ଅନେକଙ୍କ ପାଇଁ ଅଜଣା ହୋଇରହିଯାଇଥାଏ । ଏହିପରି ଏକ ବିରଳ ବନୌଷଧି ହେଉଛି ନିଧି ।
କେରଳ କୃଷି ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ବିଶେଷଜ୍ଞମାନେ ‘ ନିଧି ‘ ର ବ୍ୟବସାୟିକ ଚାଷ ଉପରେଗୁରୁତ୍ଵ ଆରୋପ କରିଛନ୍ତି । ନିଧି ହେଉଛି ମତିଆଳୁ ବା ଓଲୁଅ ଜାତୀୟ ଏକ ଔଷଧୀୟ ବୃକ୍ଷ । ଏହି ବୃକ୍ଷ କେରଳ ଓ ତାମିଲନାଡୁର ମାଟିରେ ଭଲ ବଢିବ ବୋଲି ଉପରୋକ୍ତ ଗବେଷଣା କେନ୍ଦ୍ରର ସହଯୋଗ ନିର୍ଦ୍ଦେଶକ ଡକ୍ଟର ପିଭି ବାଲଚନ୍ଦ୍ରନଙ୍କ ସୂତ୍ରରୁ ପ୍ରକାଶ ।
ଏହିଭଳି ଓଲୁଅର ଅନ୍ୟାନ୍ୟ କିସମଠାରୁ ନିଧିର ଅମଳ ପାଇଁ ୧୩୫ ଦିନ ଅର୍ଥାତ ୧୫ ଦିନ କମ ସମୟ ଦରକାର ହେବ । ହେକ୍ଟର ପିଛା ଅମଳ ୨୭ ତାଙ୍କ ହୋଇପାରିବ ବୋଲି ପରୀକ୍ଷା କରାଯାଇଛି । ଏହି ଔଷଧୀୟ ବୃକ୍ଷ ଚାଷକରି କୃଷକମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ବୈଜ୍ଞାନିକମାନେ ମତଦେଇଛନ୍ତି ।
ଦେଶୀ ଆଳୁ ପରି ଏଗୁଡିକ ମଧ୍ୟ ମଞ୍ଜି କଟାଯାଇ ଚାରା ପ୍ରସ୍ତୁତି କରାଯାଏ । ୫୦୦ ବର୍ଗଫୁଟ ଏକ ବେଡରେ ଚାରା ପ୍ରସ୍ତୁତି ପାଇଁ ୧୫୦-୧୭୦ କିଲୋଗ୍ରାମ ମଞ୍ଜି ଦରକାର ପଡିଥାଏ ଏବଂ ଏହା ଏକ ହେକ୍ଟର ଜମିରେ ଲଗାଇବା ପାଇଁ ଯଥେଷ୍ଟ ହୋଇପରେ । ପୂର୍ବ ବର୍ଷର ଅମଳରୁ ମଞ୍ଜି କାଟି ଲଗାଯାଏ । ଏପ୍ରିଲ- ମେ ମାସରେ ଚାରା ପାଇଁ ମଞ୍ଜି ଲଗାଯାଏ ଏବଂ କାଟି ଲଗାଯାଏ ଏବଂ ମାସକ ପରେ ଚାରାକୁ ମୁଖ୍ୟ କ୍ଷେତରେ ପୋତାଯାଏ ।
ମୁଖ୍ୟ କ୍ଷେତରେ ଚାରା ଲଗାଇବା ପାଇଁ ଉପଯୁକ୍ତ ସମୟ ହେଲା ଜୁଲାଇ-ଅଗଷ୍ଟ ଏବଂ ନଭେମ୍ବର- ଡିସେମ୍ବର ।
ଖତସାର : ଜମିରେ ଚାରା ପୋତିବା ପୂର୍ବରୁ ଶଯ୍ୟା ପ୍ରସ୍ତୁତିବେଳେ ଗୋବର ଖତ ବା କୁକୁଡା ମଳ ଅଥବା କମ୍ପୋଷ୍ଟକୁ ହେକ୍ଟର ପିଛା ୧୦ ଟନ ହିସାବରେ ପ୍ରୟୋଗ କରିବାକୁ ହେବ । ତେବେ କମ୍ପୋଷ୍ଟ , ଧାନଜମିର ପରିତ୍ୟକ୍ତ ନଡାକୁଟା ତଥା କୁଣ୍ଡା ହେକ୍ଟର ପିଛା ୧୦ ଟନ ହିସାବରେ ଜମିରେ ଦେଇ ଶଯ୍ୟା ପ୍ରସ୍ତୁତ କଲେ ଭଲ ଅମଳ ମିଳିଥାଏ । ୪୦ ରୁ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ନାଇଟ୍ରୋଜେନ ସାରା ଥରେ ବା ଦୁଇଥର ଏବଂ ୭୦ କିଲୋଗ୍ରାମ ଫସଫରସ,୧୦୦ କିଲୋଗ୍ରାମ ପୋଟାସିୟମ ସାର ପ୍ରୟୋଗ କରିବା ଦରକାର । ଫସଲ ବଦଳ ଏବଂ କୁଣ୍ଡା ପରି ମୃତ୍ତିକା କଣ୍ଡିସନର ପ୍ରୟୋଗ କଲେ ରୋଗ ପୋକ ଦାଉରୁ ରକ୍ଷା ମିଳିବ ।
ବର୍ଷା କମିଗଲେ ଜଳସେଚନ ଦରକାର । କିନ୍ତୁ ଦେଖିବାକୁ ହେବ ଯେପରି ମଝିରେ ତିଆରି ହୋଇଥିବା ନାଳୀରେ ପାଣି ବୋହିଯାଏ ।
୧୨୦ରୁ ୧୫୦ ଦିନ ଭିତରେ ଫସଲ ଅମଳ କରିବାକୁ ହେବ । ଏହି ଚାଷ କରିବାକୁ ଆଗ୍ରହୀ କୃଷକମାନେ ଡିସେମ୍ବର ସୁଦ୍ଧା ପୁରୁଣା ଚାଷୀଙ୍କ ଠାରୁ ଉପରୋକ୍ତ ଗବେଷଣା କେନ୍ଦ୍ରରୁ ମଞ୍ଜି ସଂଗ୍ରହ କରିପାରିବେ ।
ଏହି ଚାଷ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଥିଲେ ସହଯୋଗୀ ନିର୍ଦ୍ଦେଶକ (ଗବେଷଣା) ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କେରଳ କୃଷି ବିଶ୍ଵବିଦ୍ୟାଳୟ , ଙ୍କ ସହ ଯୋଗାଯୋଗ କରିପାରିବେ ।
ଆଧାର :ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କେରଳ କୃଷି ବିଶ୍ଵବିଦ୍ୟାଳୟ
Last Modified : 1/16/2020