ବୈଜ୍ଞାନିକ ନାମ ସୋଲାନମ ନାଇଗ୍ରମ ବଂଶ ସୋଲାନାସୀ ଆଞ୍ଚଳିକ ଭାଷାଗତ ନାମ : ଓଡିଆ କାକମାଚୀ ସଂସ୍କୃତ କାକମାଚୀ ଇଂରାଜୀ Garden Nightshade ହିନ୍ଦୀ ମକୋୟ ବଙ୍ଗଳା ଗୁଡୁକାମାଇ ଉପକ୍ରମ କାକମାଚୀ ଭାରତର ସମସ୍ତ ପ୍ରାନ୍ତରେ ଉତ୍ପନ୍ନ ହେଉଥିବା ଏକ ଔଷଧୀୟ ଗୁଳ୍ମ । ଏହାର ବିବିଧ ଔଷଧୀୟ ଗୁଣ ହେତୁ ଆମ ଦେଶର ପାରମ୍ପରିକ ଆୟୁର୍ବେଦୀୟ ଚିକିତ୍ସାରେ ଜ୍ଵର , ହୃଦରୋଗ, ପ୍ରମୋଦ, ଶୋଥ, କୁଷ୍ଠ ଓ ଅର୍ଶବିକାର ପ୍ରଭୁତି ରୋଗର ଉପଚାର ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ । ପ୍ରାକୃତିକ ଭାବରେ ଏହା ବହୁଳ ଭାବରେ ମିଳିପାରୁଥିବାର ଏହାର କୃଷିକରଣ ହୋଇନାହିଁ । କିନ୍ତୁ ଏହାର ଔଷଧୀୟ ଉପଯୋଗିତା ଏବଂ ଭବିଷ୍ୟତରେ ଏହାର ଆବଶ୍ୟକତା ଦ୍ରୁଷ୍ଟିରୁ ଏହାର କୃଷିକରଣ କରାଯିବାର ଅବଶ୍ୟକତା ରହିଛି । ଉଦ୍ଭିଦ ପରିଚୟ କାକମାଚୀ ୧ରୁ ୧୨ ହାତ ଉଚ୍ଚତା ବିଶିଷ୍ଟ ଏକ ଶାଖାବହୁଳ ଗୁଳ୍ମ । ଏହି ଗୁଳ୍ମ ଗ୍ରୀଷ୍ମଋତୁରେ ନଷ୍ଟ ହୋଇଯାଏ ଏବଂ ବର୍ଷାଋତୁର ଶେଷବେଳକୁ ଉତ୍ପନ୍ନ ହୋଇ ଶୀତଋତୁରେ ସବୁଜିମାରେ ଭରିଯାଏ । ଏହାର ପତ୍ର ଅଖଣ୍ଡିତ ବା ସାମାନ୍ୟ ଦନ୍ତୁରିତ , ମସୃଣ ତଥା ୨ରୁ ୩ ଇଞ୍ଚ ଲମ୍ବା ଓ ୧.୫ ଇଞ୍ଚ ପର୍ଯ୍ୟନ୍ତ ଓସାର ହୋଇଥାଏ । ଅଗଷ୍ଟ- ସେପ୍ଟେମ୍ବର ମାସରେ ଫୁଲ ଫୁଟିଥାଏ । ପୁଷ୍ପ ଧବଳ ଓ କ୍ଷୁଦ୍ର । ଫଳ ଛୋଟ ଛୋଟ ଗୋଲାକାର ଓ ସବୁଜ ରଙ୍ଗର ଓ ପେନ୍ଥାରେ ଫଳିଥାଏ । ଏହା ପାଚିଗଲେ ଜାମୁକୋଳି, କଳା ହଳଦିଆ ଅଥବା ଈଷତ ଲାଲ ରଙ୍ଗର ଦେଖାଯାଏ । ଏହା ଛୋଟ ଛୋଟ ବିଲାତି ବାଇଗଣ ଫଳ ଭଳି ଦେଖାଯାଏ । ପ୍ରୟୋଗନୀୟ ଅଂଶ : ଏହାର ଫଳ ଓ ପଞ୍ଚାଙ୍ଗ ଚିକିତ୍ସାରେ ବ୍ୟବହାର କରାଯାଏ । ରାସାୟନିକ ସଂଗଠନ : ଏଥିରୁ ସୋଲେନିନ ନାମକ ଏକ କ୍ଷାରାଭ ମିଳିଥାଏ । ଏହା ବ୍ୟତୀତ , ଏଥିରେ ସେପୋନିନ ମଧ୍ୟ ରହିଥାଏ । ଏଥିରେ ବହୁତ ସ୍ୱଳ୍ପ ମାତ୍ରାରେ ହାନିକାରକ ତତ୍ତ୍ଵ ରହିଥାଏ । ଔଷଧୀୟ ଗୁଣ ଓ ପ୍ରୟୋଗ କାକମାଚୀ ତିକ୍ତ ତଥା କଟୁରସଯୁକ୍ତ , ତ୍ରିଦୋଷନାଶକ , ସ୍ନିଧ , ଉଷ୍ଣ, ଶୁକ୍ରଜନନ, ଏବଂ ନେତ୍ରହିତକର । ଏହାର ଫଳକୁ ଶୋଥ, କୃଷ୍ଠ, ଅର୍ଶ, ଜ୍ଵର, ପ୍ରମେହ , ହିକ୍କା, ହୃଦରୋଗର ଚିକିତ୍ସାରେ ପ୍ରୟୋଗ କରାଯାଏ । ଏହାର ସଦ୍ୟ ପତ୍ରର ସ୍ଵରସକୁ ଗରମ କରି ଦିଆଯାଏ । ତେବେ ଏହାର ମୁଖ୍ୟ ପ୍ରଭାବ ଯକୃତ ଉପରେ ପଡିଥାଏ । ଜୀର୍ଣ୍ଣ ଯକୃତ ବୃଦ୍ଧି, ଅର୍ଶ, ଉଦର, ଚର୍ମରୋଗ, କାମଳରୋଗ, ସଂକ୍ରାମକ କାମଳ ରୋଗ , ଯକୃତ ପଦାହ ବାଲିଭର ସିରୋସିସ ପ୍ରଭୁତି ଯକୃତ ବିକାର କାରଣରୁ ଉତ୍ପନ୍ନ ରୋଗଗୁଡିକର ଉପଚାର ପାଇଁ ଉଦ୍ଧିଷ୍ଟ ଆୟୁର୍ବେଦୀୟ ଔଷଧଗୁଡିକରେ ମୁଖ୍ୟତଃ ଏହାକୁ ବ୍ୟବହାର କରାଯାଉଛି । ଏହା ମଧ୍ୟ ମଳବର୍ଦ୍ଧତା ଦୂର କରିବାରେ ସହାୟକ ହୋଇଥାଏ । ପୁରୁଣା ଚର୍ମରୋଗ ବିଶେଷକରି କୁଣ୍ଡିଆ, ଏବଂ ଯାଦୁରେ ଏହାର ପତ୍ରର ଶାଗ ସେବନ କରନ୍ତି ତଥା ପତ୍ରଲେପ କରନ୍ତି । ଏହିସବୁ ବହୁମୁଖୀ ଔଷଧୀୟ ଉପଯୋଗୀତା ଦୃଷ୍ଟିରୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀକ ବଜାରରେ ଏହାର ଚାହିଦା ବେଶୀ । ଚାଷ ପ୍ରଣାଳୀ ଜଳବାୟୁ ଓ ମୃତ୍ତିକା : ଏହା ଭାରତର ଥଣ୍ଡା ପ୍ରଦେଶକୁ ଛାଡି ଅନ୍ୟାନ୍ୟ ସବୁ ପ୍ରଦେଶରେ ଚାଷ କରାଯାଇପାରିବ । ବାଲିଆ, ଦୋରସା ମାଟି ତଥା କୃଷ୍ଣକର୍ପାସ ମାଟି ଏହାର କୃଷିକରଣ ପାଇଁ ଉପଯୁକ୍ତ ଅଟେ । ଏହାର ଚାଷ ପାଇଁ ୬.୫ ରୁ ୪.୮ P.H ଥିବା ମାଟି ଭଲ ଅଟେ । ଉନ୍ନତ କିସମ : କାକମାଚୀ ମୁଖ୍ୟତଃ ଦୁଇଟି ପ୍ରଜାତିର ଦେଖାଯାଏ । ଗୋଟିଏ କିସମର ଫଳ ବାଇଗଣୀ ଓ ଅନ୍ୟତୀ କଳାରଙ୍ଗର । ଔଷଧୀୟ ଗୁଣ ଦୃଷ୍ଟିରୁ କଳା ଫଳଗୁଡିକ ଅଧିକ ଉପଯୋଗୀ । ଚାରା ଉତ୍ପାଦନ : ଏକ ଏକର ଚାଷ ପାଇଁ ୭ମିଟର ଆକାରର ପଟାଳି ତିଆରି କରାଯାଏ । ଏକର ପ୍ରତି ୪୦୦ ରୁ ୫୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ଏହି ପଟାଳିରେ ଶୁଖିଲା ଗୋବର ଖତ ମିଶାଇ ମେ” ମାସରେ ପ୍ରସ୍ତୁତ କରାଯାଏ । ୧ କିଗ୍ରା ମଞ୍ଜି ପ୍ରତି ୩ ଗ୍ରାମ ଥିରମ ପ୍ରୟୋଗ କରିବା ପରେ, ସେଗୁଡିକକୁ ୫ ଗୁଣା ବାଲି ମିଶାଇ ପଟାଳିରେ ବୁଣି ଦିଆଯାଏ ଏବଂ ଏହାକୁ ନିମପିଡିଆ ଖତ ଓ ମାଟିର ମିଶ୍ରଣରେ ଘୋଡାଇ ଦିଆଯାଏ ଯେପରି ମଞ୍ଜି ମାଟି ଉପରକୁ ଦେଖାଯାଏ ନାହିଁ ଏବଂ, ୧.୫ ସେମି ମାଟି ଗଭୀରକୁ ମଧ୍ୟ ଯିବନାହିଁ । ପଟାଳି ୩-୪ ଦିନ ବ୍ୟବଧାନରେ ପାଣି ସିଞ୍ଚନ କରାଯିବା ଉଚିତ । ମଞ୍ଜି ବୁଣିବାର ୭-୮ ଦିନ ମଧ୍ୟରେ ଅଙ୍କୁରଣ ଆରମ୍ଭ ହୋଇଥାଏ । ଏହି ସମୟରେ ଏହାର ଘାସ ବଛାବଛି କରିବା ଉଚିତ । ଚାରାଗୁଡିକୁ ରୋଗ ଆକ୍ରମଣ କରିଥାଏ । ଏଥିପାଇଁ ଡାୟଥେମ ୩-୪୫ ଗ୍ରାମ ୧ ଲିଟର ପଣିରେ ମିଶାଇ ସିଞ୍ଚନ କଲେ ଲାଭପ୍ରଦ ହୋଇଥାଏ । ରୋଗର ନିରାକରଣ ପାଇଁ ଗୋମୁତ୍ର ମଧ୍ୟ ପ୍ରୟୋଗ କରାଯାଇପାରିବ । ୪୦-୪୫ ଦିନ ପର୍ଯ୍ୟନ୍ତ ଚାରାଗୁଡିକ ପଟାଳିରେ ରହିବା ପରେ ୧୦ରୁ ୧୫ ସେମି ଉଚ୍ଚ ହୋଇଯାଏ ଓ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ । ଜମି ପ୍ରସ୍ତୃତି : ଜମିକୁ ଭଲ ଭାବରେ ହଳକରି ପଟାଳିରେ ସମତଳ କରାଯାଏ । ଏକର ପ୍ରତି ୨ରୁ ୨.୫ ଟନ ଶୁଖିଲା ଗୋବର ଖତ ମିଶାଯାଇଥାଏ ଓ ପୁଣି ଠାରେ ହଳକରି ସମତଳ କରାଯାଏ । ରୋପଣ ପ୍ରଣାଳୀ : ଚାରା ରୋପଣ ପୂର୍ବରୁ ଜମିରେ ପାଣି ସିଞ୍ଚନ କରିବା ଆବଶ୍ୟକ । ଚାରାଗୁଡିକ ୪୫x ୪୫x ୪୫ ସେମି ଦୂରରେ ଲଗାଯାଇଥାଏ । ସାଧାରତଃ ଉପରଓଳି ସମୟରେ ଗଛ ଲଗାଇବା ଉଚିତ । ଲଙ୍କାମରୀଚ ତାଳି କିଆରିରେ ପୋତିଲା ଭଳିଳ ଏହି ଚାରାକୁ ଜମିରେ ଲଗାଯାଇଥାଏ । ଗଛ ଲଗାଇବାର ୪୫ରୁ ୫୦ ଦିନ ମଧ୍ୟରେ ଗଛରେ ଫୁଲ ଧରିଥାଏ । ତାପରେ ଫୁଲରୁ ଫଳ ହୋଇଥାଏ । ଫଳଗୁଡିକ ପ୍ରଥମେ ସବୁଜ ରଙ୍ଗର ହୋଇଥାଏ ଓ ପାକଳ ହେବାପରେ ହଳଦିଆ ରଙ୍ଗର ହୋଇଥାଏ । ଏକ ଏକରରେ ୧୧୦୦୦ ଚାରା ଲଗାଯାଇପାରିବ । ଫସଲର ଯତ୍ନ ଓ ଜଳସେଚନ ବ୍ୟବସ୍ଥା : ଏହି ଗଛ ଗୋଟିଏ ଅନାବନା ଗଛ ଭାବରେ ପ୍ରାକୃତିକ ଭାବରେ ବଢିପାରୁଥିବାରୁ ଏହାର ଆଖପାଖରୁ ଅନ୍ୟାନ୍ୟ ଘାସ ଆଦି ଗଛକୁ ସଫା କରିଦେବା ଉଚିତ । ଏହାର ଚାଷ ପାଇଁ ଜଳସେଚନର ବ୍ୟବସ୍ଥା ଅବଶ୍ୟକ ପଡେନାହିଁ । ଅମଳ : ଏହାର ଫଳ ଓ ପଞ୍ଚାଙ୍ଗ ଔଷଧୀୟ ଉପଯୋଗୀ ହୋଇଥିବାରୁ ଏହାର ପାକଳ ଫଳଗୁଡିକ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସ ମଧ୍ୟରେ ବଛାବଛି ଓ ସଂଗ୍ରହକରି ଭାଲୋ ଭାବରେ ଶୁଖାଇଦିଆଯାଏ । ନଭେମ୍ବର – ଡିସେମ୍ବର ମାସରେ ଫଳ ସଂଗ୍ରହ କରିସାରିବା ପରେ ଏହାରେ ପଞ୍ଚାଙ୍ଗକୁ ଉପାଡି ଖରାରେ ଶୁଖାଯାଇଥାଏ । କାକମୋଚୀ ଫସଲର ଏକର ପ୍ରତି ଆୟ ବ୍ୟୟ (ଏକ ଏକର ଜମିରେ ବର୍ଷକୁ ୨୦,୦୦୦ ଟଙ୍କା ମିଳିପାରିବ ) ଆୟ : ୧. ଚାରା ରୋପଣ – ୨,୦୦୦ (ଆବଶ୍ୟକ ଅନୁଯାୟୀ ବଢିପାରେ ବା କମିପାରେ ) ୨. ଜମି ପ୍ରସ୍ତୁତି – ୪୦୦.୦୦ ୩. ସାର ପ୍ରୟୋଗ – ୩୦୦୦.୦୦ ୪. ରୋପଣ ପ୍ରଣାଳୀ – ୨୦୦.୦୦ ୫.ଘାସ ବଛାବଛି- ୫୦୦.୦୦ ୬. ଫଳ ଅମଳ- ୧୦୦୦.୦୦ ୭. ଫସଲ ଉପାଡିବା- ୩୦୦.୦୦ ୮. ଫସଲ ବିକ୍ରି ବ୍ୟବସ୍ଥା – ୫୫୦.୦୦ ବ୍ୟୟ : ୧. ଶୁଖିଲା ଫଳ ବିକ୍ରିକରି ଆୟ (୧୦୦ କିଗ୍ରା ୪୦ ଟଙ୍କା ଦରରେ ) ୨. ପଞ୍ଚାଙ୍ଗ ବିକ୍ରିକରି ଆୟ – ୧୫,୦୦୦ ଟଙ୍କା ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା