অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚନ୍ଦନ ଗଛ

ଚନ୍ଦନ ଗଛ

ଚନ୍ଦନ ବୃକ୍ଷର ଗୁରୁତ୍ଵ

ସମଗ୍ର ମାନବ ଜାତିକୁ ଚନ୍ଦନ ବୃକ୍ଷ ପ୍ରକୃତିର ଅମୂଲ୍ୟତମ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ  । ଏହି ଦେବଯୋଗ୍ୟ ବୃକ୍ଷଟି ନିଜର ଅଦ୍ଵିତୀୟ ସୁଗନ୍ଧ ଓ ଆଧ୍ୟାତ୍ମିକ ମହତ୍ତ୍ଵ ଦୃଷ୍ଟିରୁ ଯେପରି ଭାରତୀୟ ଜନଜୀବନରେ ଯଥେଷ୍ଟ ଗୁରୁତ୍ଵ ଲାଭ କରିଛି  ।  ସେହିପରି ଔଷଧୀୟ ଉପଯୋଗିତା ଦୃଷ୍ଟିରୁ ଏହା ବେଶ ଗୁରୁତ୍ଵପୂର୍ଣ୍ଣ  ଅଟେ  ।

ଚନ୍ଦନ ବୃକ୍ଷ ଭାରତର ସର୍ବାଧିକ ୨୦ଟି ଗୁରୁତ୍ଵପୂର୍ଣ୍ଣ  ବ୍ୟବସାୟିକ ଔଷଧୀୟ ଗଛ ମଧ୍ୟରେ ସ୍ଥାନ ପାଇଛି  । ମୂଲ୍ୟ ଓ ଉପଯୋଗୀତା ଦୃଷ୍ଟିରୁ ଏହା ଅନ୍ୟାନ୍ୟ ଔଷଧୀୟ ଗଛ ତୁଳନାରେ ଯଥେଷ୍ଟ ଉଚ୍ଚରେ ରହିଆସିଛି  । ସୁତରାଂ ବ୍ୟବସାୟିକ ଭିତ୍ତିରେ ଏହାର କୃଷିକରଣ ଅତ୍ୟନ୍ତ ଲାଭଦାୟକ ଅଟେ  ।

ଚନ୍ଦନ ବୃକ୍ଷର ବିଭିନ୍ନ ନାମ : -

  • ବୈଜ୍ଞାନିକ ନାମ : ସାନ୍ତାଲମ ଆଲବମ
  • ବଂଶ : ସାନ୍ତାଲାସି

ଆଞ୍ଚଳିକ ଭାଷାଗତ ନାମ : -

  • ଓଡିଆ – ଚନ୍ଦନ
  • ସଂସ୍କୃତ – ଚନ୍ଦନ
  • ତେଲୁଗୁ-  ଚନ୍ଦନମ୍ ,  ଚକ୍କା, ଶ୍ରୀଗନ୍ଦାପୁମାନୁ
  • କନ୍ନଡ- ଗଣ୍ଡଡା , ଶ୍ରୀଗନ୍ଧା, ବଭନ୍ନା ,
  • ଇଂରାଜୀ-  sandal wood

ଚନ୍ଦନ ଗଛର ପରିଚୟ

ଏହା ଏକ ମଧ୍ୟମ ଧରଣର (୧୦ରୁ ୧୫ ମିଟର ଉଚ୍ଚତା ବିଶିଷ୍ଟ ) ବହୁ ବର୍ଷାୟୁ, ଚିରହରିତ ଓ ଅର୍ଦ୍ଧ ପରଜୀବୀ ବୃକ୍ଷ ଅଟେ । ଏହାର ଶାଖାଗୁଡିକ ନମନୀୟ ଓ ଦୋଳାୟମାନ ଅଟେ  । ଏହାର ବକ୍କଳ ଗାଢ ଧୂସର ରଙ୍ଗ ଓ ସାମାନ୍ୟ ଆବଡାଖାବଡା । ପତ୍ରଗୁଡିକ ସରଳ ପରସ୍ପର ବିପରୀତମୁଖୀ , ବୃତ୍ତାଭସ୍ତାକାର , ଅଗ୍ରଭାଗ ବର୍ଚ୍ଛାକାର , ଅଖଣ୍ଡ ଓ ମସୃଣ  । ଫଳ ଗୁଡିକ ଉଭୟ ଲିଙ୍ଗୀ, ବାଇଗଣୀ ବା ନାଲି ମିଶା ବାଇଗଣ ରଙ୍ଗଯୁକ୍ତ ଓ ଅଗ୍ରଜ ବା କକ୍ଷଜ ସସିମ ସ୍ତବକରେ ସଜ୍ଜିତ ହୋଇ ରହିଥାନ୍ତି । ଏହାର ଫଳ କ୍ଷୁଦ୍ର ଗୋଲାକୃତି , କଠିନ ଆବରଣଯୁକ୍ତ ଓ ବାଇଗଣୀ ରଙ୍ଗ ଅଟେ  । ଏହାର ମଞ୍ଜିଗୁଡିକ କଠିନ ଚିକ୍କଣ ଓ ଧଳା ରଙ୍ଗବିଶିଷ୍ଟ  । ଏହାର ମଞ୍ଜ କାଠ ଈଷତ ହଳଦୀ ରଙ୍ଗ ଓ ସୁଗନ୍ଧମୟ । ସାତବର୍ଷ ଆୟୁପରେ ଏଥିରେ ମଞ୍ଜି କାଠ (ଚନ୍ଦନର ସର୍ବାଧିକ ଉପଯୋଗୀ ଅଂଶ) ମିଳିଥାଏ ଏବଂ ୧୫ ବର୍ଷୀଆ ଗଛର ମଞ୍ଜ କାଠରୁ ତେଲ ନିଷ୍କାସନ କରାଯାଇଥାଏ । ଗଛର ଆୟୁ ବୃଦ୍ଧି ସହିତ ତେଲର ମାତ୍ରା ବଢିଥାଏ । ଚନ୍ଦନ ଗଛର ଚେରରୁ ଅଧିକ ମାତ୍ରାରେ ତେଲ ମିଳିଥାଏ  ।

ପରିବ୍ୟାପ୍ତ : ଏହା ଭାରତର ମୁଖ୍ୟତଃ କର୍ଣ୍ଣାଟକ , ତାମିଲନାଡୁ ଓ କେରଳ ରାଜ୍ୟରେ ସମୁଦ୍ରପତ୍ତନଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଦେଖିବାକୁ ମିଳେ  ।

ପ୍ରୟୋଗନୀୟ : କାଠ, ଚେରମୂଳ

ଚନ୍ଦନକାଠରୁ ମିଳୁଥିବା ଉପାଦେୟ

ଚନ୍ଦନକାଠରୁ ମିଳୁଥିବା ଉଦବାୟୀ ଚନ୍ଦନ ତେଲ ଅତ୍ୟଧିକ ଉପକାରୀ  । ଏହି ତେଲରେ ଦୁଇଟି ଆଲକୋହଲ (ଆଲଫା ସାଣ୍ଟାନଲ ଏବଂ ବଟା ସାଣ୍ଟାନଲ)  ଏହା ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣଯୁକ୍ତ ଅଟେ  ।

ଔଷଧୀୟ ଗୁଣ ଓ ପ୍ରୟୋଗ : ଏହାର କାଠ , ବକ୍କଳ ଓ ତେଲକୁ  ବ୍ୟବହାର କରାଯାଏ । ଏହାର କାଠ ତିକ୍ତ ଓ ସୁଗନ୍ଧଯୁକ୍ତ  ।  ଏହା ମୁତ୍ରବର୍ଦ୍ଧକ , ବିରେଚକ , ହୃଦରୋଗ ପାଇଁ ଲାଭଦାୟକ , ପୋଡାଜଳା ଆଦି ଅନୁଭବ , ମସ୍ତିସ୍କ ପ୍ରଦାହ, ଚର୍ମରୋଗ , କୁଷ୍ଠ  , ମାନସିକ ସମସ୍ୟା , ଜଣ୍ଡିସ , କଫ ଓ ଅନ୍ୟାନ୍ୟ ରୋଗ ପାଇଁ ବ୍ୟବହାର କରାଯାଏ  । ଏହାର ବକ୍କଳ ମ୍ୟାଲେରିଆ ପାଇଁ ଉପଯୋଗୀ  । ଏହାଛଡା ଅମ୍ଳଜନିତ ସମସ୍ୟା , ଚର୍ମରୋଗ,କାଛୁକୁଣ୍ଡିଆ ଇତ୍ୟାଦିରେ ଏହାର ବ୍ୟବହାର ଅତ୍ୟନ୍ତ ଉପଯୋଗୀ  । ଏହାର କାଠ ମଧ୍ୟ ଦେବ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ  ।

ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଏବଂ ମଞ୍ଜି

କୃଷିପୋଯୋଗୀ ଜଳବାୟୁ :

ଯେଉଁ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ ହାରାହାରି ୫୦୦ ମିଲିମିଟରରୁ ୨୦୦୦ ମିଲିମିଟର ଥାଏ ସେଠାରେ ଏହା ଭଲ ଭାବରେ ବଢିପାରେ  ।  ଏହି ବୃକ୍ଷ ବିଭିନ୍ନ କିସମର ମୃତ୍ତିକାରେ ଏପରିକି ପଥୁରିଆ ନିଗିଡା ଅଞ୍ଚଳରେ ମଧ୍ୟ ବଢିପାରେ । ଏହା ସମୁଦ୍ରପତ୍ତନଠାରୁ ୬୦୦ ରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଞ୍ଚିପାରେ  ।

ପ୍ରଜନନ (ମଞ୍ଜି) :

ମଞ୍ଜି ଗୁଡିକ ମୁଖ୍ୟତଃ ଏପ୍ରିଲ ଓ ମେ ବା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂଗୃହିତ ହୁଏ  । ଦୁଇ ପ୍ରକାର ପଟାଳି ଚନ୍ଦନ ମଞ୍ଜି ପାଇଁ ବ୍ୟବହୃତ ହୁଏ   । ଗୋଟିଏ ଖାଲୁଆ ଓ ଅନ୍ୟଟି ଉଚ୍ଚା  । ବିଭିନ୍ନ ପ୍ରକାର ଜଳବାୟୁରେ ଏହା ଭଲ ବଢିପାରେ । ମଞ୍ଜିରୁ ଚାରାଳ ଉତ୍ପନ୍ନ ହେଲାପରେ ଯେତେବେଳେ ଏହା ୪-୬ ପତ୍ର ଅବସ୍ଥାକୁ ଆସେ ସେତେବେଳେ ଏହାକୁ ପଲିଥିନ ବ୍ୟାଗରେ ପ୍ରତିରୋପିତ କରାଯାଏ ଓ ପୋଷାକ ହିସାବରେ କେତେକ ଡାଲି ଜାତୀୟ ମଞ୍ଜି ଯଥା- ହରଡ, ମୁଗ , ବିରି ଆଦି ଏହା ସହିତ ରୋପଣ କରାଯାଏ  । ଏହା ଚନ୍ଦନ ଚାରାର ବୃଦ୍ଧିକୁ ସହାୟତା କରେ । ଚେରଗୁଡିକ ଅକ୍ଷତ ରଖି ଗଜା ମଞ୍ଜିକୁ ପଟାଳିରୁ ବାହାର କରାଯାଏ  । ଚେରଗୁଡିକୁ ଶୁଖିବାକୁ ଦିଆଯାଏ ନାହିଁ  । ଅନ୍ତତଃ ଗୋଟିଏ ସପ୍ତାହ ପାଇଁ ଏହାକୁ ଛାଇରେ ରଖାଯାଏ । ୩୦ ସେମି ବିଶିଷ୍ଟ ରୋପଣଯୋଗ୍ୟ ଚାରା ପାଇବା ପାଇଁ ୬ ମାସରୁ ୮ ମାସ ସମୟ ଲାଗେ  । କେତେକ ନୂଆ ମଞ୍ଜି ସକ୍ରିୟ ହେବା ପାଇଁ ପ୍ରାୟ ଦୁଇମାସ ସମୟ ନେଇଥାନ୍ତି  । ମଞ୍ଜିଗୁଡିକର ଦୁଇ ବର୍ଷ ପର୍ଯ୍ୟନ୍ତ ଅଙ୍କୁରୋଦଗାମ କ୍ଷମତା ଥାଏ  । ୪୮ ଘଣ୍ଟା ପାଣି କିମ୍ବା ୦.୫ ଶତକଡା ଜରବଲକ ଅମ୍କରେ ରାତିସରା ରଖି ଏହାର ନିଷ୍କ୍ରିୟତାକୁ ସକ୍ରିୟ କରାଗଲେ ମଞ୍ଜି ଅଙ୍କୁରିତ ହୋଇଥାଏ  ।

ପ୍ରତିରୋପଣ ଓ ପରବର୍ତ୍ତୀ ଯତ୍ନ

ଏହାର ପୋଷାକ ନିୟମିତ ବ୍ୟବଧାନରେ ଡାଳଗୁଡିକ ଛେଦନ କରାଯାଏ । ୫୦ ଘନ ସେମି ଖାତରେ ଓ ୩ରୁ ୫ ମିଟର ବ୍ୟବଧାନରେ ଏହାକୁ ଲଗାଯାଏ  । ୩୯ ପ୍ରତିଶତ ପ୍ରତିରୋପଣ ସଫଳ ହେବାର ଜଣାଯାଇଛି । ପ୍ରତିରୋପିତ ଚାରାଗୁଡିକ ସୂର୍ଯ୍ୟକିରଣ , ନିଆଁ ଓ ଚାରୁଥିବା ପଶୁଠାରୁ ଦୂରରେ ରଖିବା ଦରକାର  ।

ଜମିପ୍ରସ୍ତୁତି ଓ ସାର ପ୍ରୟୋଗ

ଜମିପ୍ରସ୍ତୁତି :

ମୁଖ୍ୟ କ୍ଷେତରେ ଗ୍ରୀଷ୍ମ ଋତୁରେ ୪x ୪ ମିଟର ଦୂରତାରେ ୪୫x ୪୫x ୪୫ ସେମି ଆକାରର ଗାତ ଖୋଳି ପ୍ରତି ଗାତରେ ୨୦ କିଗ୍ରା ହିସାବରେ ଗୋବର ବା କମ୍ପୋଷ୍ଟ ଖତ ଦିଆଯାଏ  । ଉଈ ନିରାକରଣ ପାଇଁ ୨୦ ଗ୍ରାମ କରି ଥିମେଟ ପ୍ରୟୋଗ କରିବାକୁ ପଡିଥାଏ  । ଚାରା ଏକ ଫୁଟ ଉଚ୍ଚର ହେବାପରେ ବର୍ଷାଋତୁ ବେଳକୁ ଏହାକୁଳ ଗାତରେ ପୋତି ଦିଆଯାଏ  । ଏକ ଏକରରେ ୩୦୦ ଚାରା ରୋପଣ କରାଯାଇପାରିବ  ।

ଘାସ ବଛାବଛି ଓ ସାର ପ୍ରୟୋଗ :

ପ୍ରତି ୬ ମାସରେ ଥରେ ଗଛର ୧ ମିଟର ଆଖପାଖ ସ୍ଥାନକୁ ସଫା କରିବାକୁ ପଡିଥାଏ  । ଗଛର ବୃଦ୍ଧିରେ ବାଧା ନ ଆସିବା ପାଇଁ ସହାୟକ ଗଛସବୁ ମଝିରେ ମଝିରେ କଟାଛଟା କରିବାକୁ ପଡେ  ।

ଉତ୍ତମ ପ୍ରକାର ମଞ୍ଜକାଠ ପାଇବା ପାଇଁ ଏହାର ତଳ ଡାଳସବୁ କଟିକାବୁ ପଡିଥାଏ । ଏହା ସହିତ ପ୍ରତିବର୍ଷ ୧୦ କିଗ୍ରା ହିସାବରେ କମ୍ପୋଷ୍ଟ ଖତ ଦେବାକୁ ପଡିଥାଏ । ସଠିକ ଭାବରେ ଏହି ପ୍ରକ୍ରିୟା ଚାଲୁ ରହିଲେ ଗଛର ବ୍ୟାସ ବୃଦ୍ଧି ବର୍ଷକୁ ୫ ସେମି ହିସାବରେ ହୋଇପାରିବ  । ୪୦ ବର୍ଷ ଆୟୁବିଶିଷ୍ଟ ପ୍ରାୟ ୭୦-୮୦ କିଗ୍ରା ମଞ୍ଜକାଠ ମିଳିପଡ଼ିଥାଏ  ।

ଆର୍ଥିକ ଲାଭ

ରୋଗ ନିରାକରଣ ସହିତ ସୁଗନ୍ଧି ପ୍ରସାଧନ ପାଉଡର , ହସ୍ତଶିଳ୍ପ ଓ ଅନ୍ୟ କେତେକ ବ୍ୟବସାୟିକ କ୍ଷେତ୍ରରେ ଚନ୍ଦନ କାଠର ଚାହିଦା ଅନେକ  । ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ସହିତ ଏଥିରୁ ସୌଖୀନ ପଦାର୍ଥ ମଧ୍ୟ ନିର୍ମିତ ହୋଇଥାଏ  । ହିନ୍ଦୁ ଧର୍ମରେ ଏହାର ବ୍ୟବହାର ସୁଦୂରପ୍ରସାରୀ  । ଏହା ପୂର୍ଣ୍ଣ ବିକଶିତ ବୃକ୍ଷରୁ ହାରାହାରି ୨୫,୦୦୦/- ଟଙ୍କା ଆମଦାନୀ ହୋଇଥାଏ  । ଏହି ହିସାବରେ ଯଦି ଏକ ଏକର କ୍ଷେତରେ ୨୦୦ ଟି ଗଛ ସଠିକ ବିଏଚବିରେ ହୋଇପାରେ ତେବେ ୪୦ ବର୍ଷ ପରେ ପ୍ରାୟ ୫୦ ଲକ୍ଷ ଟଙ୍କା ଆମଦାନୀ  ହୋଇପାରିବ ।

ବ୍ୟବସାୟିକ ସୂଚନା

ଖଣ୍ଡ ଚନ୍ଦନ କାଠ କି.ଗ୍ରା ପ୍ରତି ୨୦୦ ଟଙ୍କା ଥିବା ସ୍ଥଳେ ଏହାର ଗୁଣ୍ଡ କି.ଗ୍ରା ପ୍ରତି ୫୦ ଟଙ୍କା ହିସାବରେ ଓଡିଶା ରାଜ୍ୟ ଜଙ୍ଗଲ ହେଉଛି ଚନ୍ଦନ କାଠର ମୁଖ୍ୟତଃ ବ୍ୟବସାୟ ସ୍ଥଳେ  ।

ତୈଳ ପ୍ରସ୍ତୁତି ପାଇଁ ଆୟବ୍ୟୟ -

ବ୍ୟୟ :

କଞ୍ଚାମାଲ ନିମନ୍ତେ (ହର୍ଟ ଭର୍ଡ ୧ ଟନ ମଞ୍ଜ କାଠ ପାଇଁ )

ମଞ୍ଜକାଠ (୧ ଟନ)

୫୦,୦୦୦

ଚେର ମୂଳ (୧ଟନ )

୨,୭୨,୦୦୦

କୋଇଲା/ ଇନ୍ଧନ ଖର୍ଚ୍ଚ

୫,୦୦୦

ଶ୍ରମିକ

୫,୦୦୦

ଅନ୍ୟାନ୍ୟ

୧୦,୦୦୦

ଆୟ : ତେଲ ବିକ୍ରି କରି ଆୟ (ଏକ ଟନ କାଠରୁ ୫୦ କିଗ୍ରା , ତୈଳ ମିଳେ । ପ୍ରତି କିଗ୍ରା ତୈଳ ଦାମ ୧୨,୦୦୦ ଟଙ୍କା ହେଲେ ) ମୋଟ ଲାଭ : ୬,୦୦,୦୦୦-୩,୪୨,୦୦୦=୨,୫୮,୦୦୦/-

ଆଧାର - ଡାକ୍ତର ଦୀନବନ୍ଧୁ ମହାରଣା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate