অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାତାଳ ଗରୁଡ

ବୈଜ୍ଞାନିକ ନାମ

ରାଓଲିଫିଆ ସର୍ପେନଟିନା

 

ବଂଶ ଆପୋସାଇନେସୀ

ଭାଷା ଭେଦରେ ନାମ

ଓଡିଆ –ପାତାଳ ଗରୁଡ

ହିନ୍ଦୀ – ଛୋଟା ଚାନ୍ଦ

ସଂସ୍କୃତ –ସର୍ପଗନ୍ଧା

ବଙ୍ଗଳା – ଚାନ୍ଦର

ତେଲୁଗୁ – ପାତାଳ ଅଗନ୍ଧି

ତାମିଲ – ଆମେଲ ପୋଦି

କିନ୍ନଡ଼ – ସୂତ୍ରନାଭି

ମରାଠୀ – ଅଡକଇ

ଉପକ୍ରମ

ପ୍ରାଚୀନ କାଳରୁ ଭାରତବର୍ଷ ପାତାଳ ଗରୁଡର ବ୍ୟବସାୟିକ ଔଷଧୀୟ ବ୍ୟବହାର ପରମ୍ପରା ରହିଆସିଛି । ଭାବପ୍ରକାଶ ନିଘଣ୍ଟୁ , ରାଜନିଘଣ୍ଟୁ ଓ ସୁଶ୍ରୁତ ସଂହିତା ପ୍ରଭୁତି ଆୟୁର୍ବେଦର ପ୍ରସିଦ୍ଧ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ସର୍ପଗନ୍ଧା (ପାତାଳ ଗରୁଡ ) ର ଔଷଧୀୟ ଗୁଣ- କର୍ମ- ପ୍ରୟୋଗ- ସମ୍ବନ୍ଧରେ ସବିଶେଷ ବିବରଣୀ ଦେଖିବାକୁ ମିଳେ । ବିଶେଷତଃ ଉଚ୍ଚ ରକ୍ତଚାପ , ଅନିଦ୍ରା ରୋଗ ଓ ମାନସିକରୋଗ ପ୍ରଭୁତି ଜଟିଳ ରୋଗଗୁଡିକର ଉପଶମ ପାଇଁ ଏହାକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ପ୍ରାକୃତିକ ରୂପେ ବଣଜଙ୍ଗଲରୁ ମିଳୁଥିବା ପାତଳଗରୁଡ, ବଜାରର ଔଷଧୀୟ ଚାହିଦା ପୂରଣ ପାଇଁ ଯଥେଷ୍ଟ ନଥିବାରୁ ଏହାର କୃଷିକାରଣ ପାଇଁ ସମ୍ପ୍ରତି ବିଶେଷଧ୍ୟାନ ଦିଆଯାଉଛି । ବର୍ତ୍ତମାନ ଏହା ଭାରତ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସୂଚୀ ଅନୁଯାୟୀ ବିରଳ ତଥା ପ୍ରତିବନ୍ଧକ ଉଦ୍ଭିଦ ଶ୍ରେଣୀଭୁକ୍ତ ଅଟେ  ।

ଉଦ୍ଭିଦ ପରିଚୟ

ପାତାଳ ଗରୁଡ ଏକ ଚିରହରିତ, ସୁଦୃଶ୍ୟ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ୨ରୁ ୩ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ । ପତ୍ର- ସବୁଜ, ଚିକ୍କଣ, ୩-୭ ଇଞ୍ଚ ଲମ୍ବ, ଭାଲାକାର ଓ ତୀକ୍ଷଣାଗ୍ର ବିଶିଷ୍ଟ  ।  ପୁଷ୍ପ-ଶ୍ଵେତ କିମ୍ବା ସାଧାରଣ ଗୋଲାପି ବର୍ଣ୍ଣଯୁକ୍ତ ଏବଂ ୨-୪ ଇଞ୍ଚ ଲମ୍ବ ପୁଷ୍ପଦଣ୍ଡରେ ଥାଏ । ଫଳ- ମାଂସାଳ, କ୍ଷୁଦ୍ର, ଗୋଲାକାର, କଞ୍ଚା ଅବସ୍ଥାରେ ସବୁଜ ଏବଂ ପକ୍ଵ ଅବସ୍ଥାରେ ବାଇଗଣି ମିଶା କଳାରଙ୍ଗର ହୋଇଥାଏ ।  ମୂଳ- ସର୍ପ ସଦୃଶ ବକ୍ର, ଶାଖାଯୁକ୍ତ, ହାରାହାରି ୧୬ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା, ଖଦଡିଆ, ଧୂସର ପୀତ, ବର୍ଣ୍ଣଯୁକ୍ତ, ଗନ୍ଧହୀନ ଏବଂ ତିକ୍ତ ସ୍ଵାଦବିଶିଷ୍ଟ । ୩-୪ ବର୍ଷର ପୁରୁଣା ଗଛର ମୂଳର ଶରତ କାଳରେ ସଂଗ୍ରହ କରାଯାଇ ଶୁଖାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ବିକ୍ରି କରାଯାଏ । ଏହା ଅନ୍ୟ ଗୋଟିଏ ପ୍ରଜାତି ରାଓଲଫିଆଟେଟ୍ରାଫିଲା ମଧ୍ୟ ଓଡିଶାରେ ଦେଖାଯାଏ । ତାକୁ ‘ମଇଁଷିଆ ପାତାଳ ଗରୁଡ ‘ କୁହନ୍ତି  ।

ସର୍ପାନ ଗନ୍ଧୟତି ଇତି (ସର୍ପଗନ୍ଧା)

ଅର୍ଥାତ ଏହି ଗଛ ଗନ୍ଧରେ ସର୍ପମାନେ ମଧ୍ୟ ଦୂରକୁ ଚାଲିଯାଉଥିବାରୁ ସଂସ୍କୃତରେ ଏହାକୁ ସର୍ପଗନ୍ଧା ଓ ନାକୁଳୀ ପ୍ରଭୁତି ନାମରେ ପରିଚିତ କରାଯାଇଛି । ଏହାର ଚେର ସର୍ପାଘାତଜନିତ ବିଷ ବିଷ, ଦଂଶନ , ମୁଷିକ ଦଂଶନ ପ୍ରଭୁତି ବିଷ ପ୍ରକ୍ରିୟାର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ । ପୁନଶ୍ଚ, ଜର୍ମାନୀର ଡାକ୍ତର ରାଓଲଫଙ୍କ ନାମ ଅନୁଯାୟୀ ଏହା ରାଓଲଫିଆ ତଥା ଲମ୍ବା ସର୍ପାକୃତ ଚେର ପାଇଁ ଏହାକୁ ସର୍ପେନଟିନା ନାମରେ ନାମିତ କରାଯାଇଛି  ।

ପରିବ୍ୟାପ୍ତି

ଏହା ଏକ ବହୁଦେଶୀୟ ଗୁଳ୍ମ । ଏହା ଏସିଆ, ଆମେରିକା,ଓ ଆଫ୍ରିକାର କ୍ରାନ୍ତୀୟ ଜଳବାୟୁରେ ଦେଖାଯାଏ । ଭାରତବର୍ଷରେ ମୁଖ୍ୟତଃ ହିମାଳୟ ପାର୍ବତ୍ୟାଞ୍ଚଳ, ଆସାମ, ବିହାର, ପଶ୍ଚିମବଙ୍ଗ , ଦକ୍ଷିଣ-ପୂର୍ବ ରାଜ୍ୟସମୂହ ଯଥା- ଓଡିଶା, ଆନ୍ଦ୍ରପ୍ରଦେଶ, କର୍ଣ୍ଣାଟକ ଏବଂ କେରଳର ପାର୍ବତ୍ୟାଞ୍ଚଳମାନଙ୍କରେ ପ୍ରାକୃତିକ ଭାବରେ ଦେଖାଯାଏ ଓ ଏହାର ଚାଷ ମଧ୍ୟ କରାଯାଏ ।

ପ୍ରୟୋଗନିୟ ଅଂଶ : ଚେର

ରାସାୟନିକ ସଂଗଠିତ

ଏହି ବୃକ୍ଷର ଚେରରୁ ହାରାହାରି ୩୦ ପ୍ରକାରର ଆଲକାଲଏଡ ମିଳିଥାଏ । ଏହା ମୁଖ୍ୟତଃ ଚେର ଛାଲିରେ ଥାଏ । ଏହାର ପ୍ରମୁଖ ଆଲକାଲଏଡ ହେଉଛି ରିସରପିନ  ।  ଏହା ବ୍ୟତୀତ, ଏଥିରେ ଆଜମାଲାଇନ , ଆଜମାଲାସିନ, ସର୍ପେଣ୍ଟାଇନ , ସର୍ପେଣ୍ଟିନାଇନ , ସର୍ପୋଷ୍ଟେରଲ ପ୍ରଭୁତି କ୍ଷାରା ଉପାଦାନ ମିଳିଥାଏ । ମୋଟାମୋଟି ୦.୩%ରୁ ୩%ପରିମାଣ ଆଲକାଲଏଡ ବ୍ୟତୀତ ଚେରରୁ ଷ୍ଟାର୍ଚ୍ଚ, ରେଜିନ , ଅଲକୋହଲ ଫାଇଟୋଷ୍ଟେରଲ ଓ ଶର୍କରା ଆଦି ମିଳିଥାଏ  ।

ଔଷଧୀୟ ପ୍ରୟୋଗ

ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ସର୍ପଗନ୍ଧା (ପାତାଳଗରୁଡ) ଏହାର ବହୁମୂଖୀ ପ୍ରଭାବଶାଳୀ ଔଷଧୀୟ ବିଶେଷତ୍ଵ ଯୋଗୁଁ କେତେକ ଅତି ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି  । ମୁଖ୍ୟତଃ ଉଚ୍ଚ ରକ୍ତଚାପ, ଅନିଦ୍ରା ରୋଗ ଏବଂ ତୀବ୍ର ଉନ୍ମାଦ ଭଳି ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳି ପ୍ରମାଣିତ ହୋଇଛି  । ଏହାର ମୁଖ୍ୟ ପ୍ରଭାବ ମସ୍ତିଷ୍କସ୍ଥିତ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନ ଉପରେ ପଡିଥିଲା  । ଔଷଧୀୟ ଗୁଣ- କର୍ମ ଦୃଷ୍ଟିରୁ ଏହା ଏକ ଉତ୍ତମ ପ୍ରସାମକ ଏବଂ ନିଦ୍ରାକର ବନୌଷଧି  । ଏହି ପ୍ରଶାମକ ଗୁଣ ହେତୁ ଏହା ସ୍ନାୟୁସମୂହର ଉତ୍ତେଜନାକୁ ଶାନ୍ତ କରି ବାତିକ ଉନ୍ମାଦ, ଅନିଦ୍ରା ଓ ଅନ୍ୟାନ୍ୟ ମାନସିକ ବିକାଶ ଦୂର କରିବା ବିଷହର , ଜ୍ଵରହର ଏବଂ ଗର୍ଭାଶୟ ଉତ୍ତେଜକ ଗୁଣ ମଧ୍ୟ ଧାରଣ କରିଥାଏ । ବିହାର ଓ ଓଡିଶାରେ ଗ୍ରାମାଞ୍ଚଳର ଲୋକେ ଏହାକୁ ପାଗଳାମି ରୋଗର ଚିକିତ୍ସାରେ ବହୁଳ ଉପଯୋଗ କରନ୍ତି  । ଏହାଛଡା ସର୍ପାଘାତଜନିତ ବିଷ ଓ ଅନ୍ୟାନ୍ୟ ଜାନ୍ତବ ବିଷଜନିତ ପାଇଁ ଏହାର ୪ ଗ୍ରାମ ମୂଳ ସହିତ ୨୧ଟି ଗୋଲମରୀଚ ମିଶାଇ ପାଣିରେ ବାଟି ସର୍ପ ଦୃଷ୍ଟବ୍ୟକ୍ତିଙ୍କୁ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ପିଆଇଲେ ସର୍ପ ବିଷ ନଷ୍ଟ ହୁଏ । ଏହି ଚିକିତ୍ସା ମଧ୍ୟ ଉଚ୍ଚରକ୍ତଚାପ ପ୍ରଶମିତ କରିଥାଏ । ଏହାକୁ ଉପଯୋଗ କରିବା ଦ୍ଵାରା ଶିରଃଶୂଳ , ଭ୍ରମ ଓ ଜ୍ଵର ମଧ୍ୟ ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ  ।

ସୁଇଜରଲ୍ୟାଣ୍ଡ ସିଲର ଓ ମୂଳର ନାମକ ବୈଜ୍ଞାନିକଦ୍ୱୟ ୧୯୫୨ ମସିହାରେ ସର୍ପଗନ୍ଧା (ପାତାଳ ଗରୁଡ) ଚେରରେ ଥିବା ପ୍ରମୁଖ ଆଲକାଲଏଡ ରିସରପାଇନ ଆବିଷ୍କାର କରିଥିଲେ । ସମ୍ପ୍ରତି ଏହି ବନୌଷଧିର କ୍ରମବର୍ଦ୍ଧଷ୍ଣୁ ଚାହିଦାକୁ ବିଚାରକୁ ନେଲେ ଏହି ଔଷଧୀୟ ଗୁଳ୍ମର କୃଷିକରଣର ସମୀଚୀନତା ଉପଲ୍ଲବ୍ଧି କରିହୁଏ  ।

ପାତାଳ ଗରୁଡ ଚାଷ

ପାତାଳ ଗରୁଡ ଚାଷ ପ୍ରଣାଳୀ

ଆମ ଦେଶର ଜଳବାୟୁ ପାତାଳ ଗରୁଡ ଚାଷ ପାଇଁ ଉପଯୁକ୍ତ ପ୍ରମାଣିତ ହୋଇଛି  । ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ପାତାଳ ଗରୁଡ ର ଔଷଧୀୟ ଚାହିଦାକୁ ବିଚାରକୁ ନେଲେ ଏହା ଏକ ଉଚ୍ଚ ଆୟ ପଦ ବନୌଷଧି ଭାବରେ ଜଣାଶୁଣା  । ତେଣୁ ଏହି ବନୌଷଧିର କୃଷିକରଣ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ମହତ୍ଵପୂର୍ଣ୍ଣ  ।

ପାତାଳଗରୁଡ ଏକ ବହୁବର୍ଷୀୟ ଗୁଳ୍ମ । ଏହାର ଚେର, ମୁଖ୍ୟ ପ୍ରୟୋଜନୀୟ ଅଂଶ ହୋଇଥିବାରୁ ସାଧାରଣତଃ ଚେର ପାଇବା ପାଇଁ ଏହାକୁ ଚାଷ କରାଯାଏ  । ଚାରାରୋପଣରୁ ସାଧାରଣତଃ ଚେର ପାଇବା ପାଇଁ ଏହାକୁ ଚାଷ କରାଯାଏ ।  ଚାରା ରୋପଣର ଦେଢବର୍ଷ ପରେ ଏହି ଗଛର ଚେରରେ ଏହାର ମୁଖ୍ୟ ଔଷଧୀୟ ଉପାଦାନ ‘ଆଲକାଲଏଡ ‘ ସଂପୂର୍ଣ୍ଣ ଭାବରେ ବିକାଶ ଲାଭ କରିଥାଏ ଏବଂ ଦୁଇବର୍ଷ ବେଳକୁ ଗଛର ଚେର ଔଷଧୀୟ ବ୍ୟବହାର ପାଇଁ ଯୋଗ୍ୟ ବିବେଚିତ ହୁଏ । ତେବେ ପ୍ରାୟ ୩ରୁ ୪ ବର୍ଷର ପୁରୁଣା ଗଛରୁ ଚେର ଓ ବକଳ ଶରତ ଋତୁର ସଂଗ୍ରହ କରାଯାଏ । ଏହି ସମୟ ମଧ୍ୟରେ ଏହି ଗଛର ଚେର ଅଧିକ ବିସ୍ତାର ଲାଭ କରିଥାଏ ଓ ଅଧିକ ଆମଦାନୀ କରିହୁଏ । ଏହାଛଡା, ଏହି ପରିପକ୍ଵ ଅବସ୍ଥାରେ ଚେରରେ ଔଷଧୀୟ ତତ୍ତ୍ଵ ମଧ୍ୟ ସର୍ବୋଚ୍ଚ ମାତ୍ରାରେ ଥାଏ  । ଏଥିରେ ପ୍ରାୟ ୦.୧୪ ପ୍ରତିଶତ ଆଲାକାଲଏଡ 'ରିସରପାଇନ ' ଥାଏ ।

ଜଳବାୟୁ ଓ ମୃତ୍ତିକା

ସାଧାରଣତଃ ୧୦0 ରୁ ୪୫0 ମଧ୍ୟରେ ତାପମାତ୍ରା ରହୁଥିବା ସ୍ଥାନ ତଥା ୨୫୦ରୁ ୫୦୦ ସେମି ବର୍ଷା ହେଉଥିବା ଜଳବାୟୁ ସର୍ପଗନ୍ଧା (ପାତାଳଗରୁଡ) ଚାଷ ପାଇଁ ଉପଯୁକ୍ତ ହୋଇଥାଏ । କୁଷ୍ଣ କାର୍ପାସ ମୃତ୍ତିକା, ହାଲୁକା, ବାଲିଆ ଦୋରସା ନିଗିଡା ମାଟିରେ ଏହାର ଚେର ଭଲ ବୃଦ୍ଧି ପାଇଥାଏ । ଏହାର ଚେର ୫୦ ସେମି ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିବାରୁ ଉପଯୁକ୍ତ ଗଭୀରତା ବିଶିଷ୍ଟ ମୃତ୍ତିକା ଆବଶ୍ୟକ । ଅମ୍ଳଯୁକ୍ତ ମାଟି ( ୬.୫ ପି. ଏଚରୁ କମ ) ଜମିରେ ଏହାର ଚାଷ ଭଲ ହୁଏ  ।

ଉନ୍ନତ କିସମ

ରାଓଲଫିଆ  ସର୍ପେଣ୍ଟିନା- ୧(R.S.-1 )  କିସମର ଚାଷରୁ ଭଲ ଅମଳ କରିହୁଏ । ଏହାର ଚେରରୁ ୧.୬୪ ରୁ ୨.୯୪ ପ୍ରତିଶତ ଆଲକାଲ ଏଡ ମିଳିଥାଏ ।

ଚାରା ଉତ୍ପାଦନ

ଚାଷ କରିବା ପାଇଁ ନିମ୍ନ ପ୍ରକାରର ଚାରା ଉତ୍ପାଦନ କରାଯାଇପାରିବ  ।

  1. ଗଛର ଡାଳରୁ କଲମୀ କରାଯାଏ ।
  2. ଗଣ୍ଠିଥିବା ଚେରକୁ କାଟି ଲଗାଯାଏ ।
  3. ମଞ୍ଜିରୁ ଚାରା କରାଯାଏ ।
  4. କଲମୀ

    ପାତାଳ ଗରୁଡ ଗଛର ୧୫ ସେମିରୁ ୨୧ସେମି ଲମ୍ବାର ଅତିକମରେ ୩ ଗୋଟି ଆଖିଥିବା ଶକ୍ତ ଡାକକୁ ୩୦ ପିପି ଏମ ଇନଡୋଲ ଏସିଟିକ ଏସିଡରେ ୧୨ ଘଣ୍ଟା ବୁଡାଇ ରଖିଲେ ଭଲ କଲମୀ ଚାରା ମିଳିଥାଏ । ଏହାକୁ ଏପ୍ରିଲ ମାସରେ ନିର୍ସରୀରେ ଲଗାଯାଏ  । ସେଥିରୁ ୩-୪ ଦିନ ମଧ୍ୟରେ କୁଆଁ ବାହାରିଯାଏ । ଏହାକୁ ପଲଥିନରେ ପୋତି ୭୦-୭୫ ଦିନ ପର୍ଯ୍ୟନ୍ତ ରଖାଯାଇ ରୋପଣଯୋଗ୍ୟ ଚାରା କରାଯାଏ ।

    ଚେର କଟିଙ୍ଗସ୍

    ୨ ରୁ ୫ ସେମି ଲମ୍ବ ତଥା ୦.୨୫ ସେମି ମୋଟର କଟା ଯାଇପାରୁଥିବା ଚେରକୁ , ଖତ ବାଲି ଓ ମାଟି ଦ୍ଵାରା ଆଗରୁ ପ୍ରସ୍ତୁତ ହୋଇଥିବା ପଲିଥିନରେ ପୋତିଦିଆଯାଏ , ଯେପରି ମାଟି ଉପରେ ମାତ୍ର ୧ ସେମି ବାହାରକୁ ଦେଖାଯାଏ । ମାର୍ଚ୍ଚ, ଏପ୍ରିଲ ମାସରେ ଏହା କରାଯାଏ । ୧ ମାସ ମଧ୍ୟରେ ୫୦ ପ୍ରତିଶତ କଟିଙ୍ଗସ୍ ଆଙ୍କୁରିତ ହୋଇଥାଏ । ଏକ ଏକର ଚାଷ କରିବା ପାଇଁ ୪୦ କିଗ୍ରା ଚେର କଟିଙ୍ଗସ୍ ଦରକାର ହୁଏ । ଏହି ପ୍ରଣାଳୀରେ ହୋଇଥିବା ଗଛ ଅଧିକ ଅମଳ ପ୍ରଦାନ କରିଥାଏ  ।

    ମଞ୍ଜି

    ମଞ୍ଜିଦ୍ଵାରା ନର୍ସରୀରେ ଚାରା ପ୍ରସ୍ତୁତ କରି ଲଗାଇବା ସହଜ ତଥା ସର୍ବାଧିକ ଉତ୍ପାଦନକ୍ଷମ ହୋଇଥାଏ । ମଞ୍ଜି ସଂଗ୍ରହର ୬ ମାସ ମଧ୍ୟରେ ଚାରା ଉତ୍ପାଦନ କରାଯାଏ । ପାତାଳ ଗରୁଡ ମଞ୍ଜିର ଅଙ୍କୁରଣ କ୍ଷମତା ୧୦ରୁ ୬୦ ପ୍ରତିଶତ । ମଞ୍ଜିର ଉପରେ ଚୋପାକୁ ଛଡାଇ ୧୨ ଘଣ୍ଟା ପାଣିରେ ଭିଜାଇ ଖତ ମିଶା ମାଟିରେ ପ୍ରସ୍ତୁତି ହୋଇଥିବା ପ୍ରାୟ ୧ଫୁଟ ଉଚ୍ଚ ଚାରା ପଟାଳିରେ ବୁଣାଯାଇ ପଲିଥିନରେ ମଧ୍ୟ ସିଧା ମଞ୍ଜି ପକାଇ ଚାରା ଉତ୍ପନ୍ନ କରିହେବ । ଏକର ପ୍ରତି ୨ରୁ ୩ କିଗ୍ରା ମଞ୍ଜି ଦରକାର ହୁଏ । ଏହା ୨୦ରୁ ୫୦ ଦିନ ମଧ୍ୟରେ ଅଙ୍କୁରିତ ହୋଇଥାଏ । ଚାରାଗୁଡିକ ୪ରୁ ୬ ପତ୍ର ବିଶିଷ୍ଟ ହେଲେ ଏହା ରୋପଣ ଉପଯୋଗୀ ହୋଇଥାଏ  ।

    ଜମିପ୍ରସ୍ତୁତି

    ପାତାଳ ଗରୁଡ ଚାଷ ପାଇଁ ଜମିକୁ ଦୁଇଥର ଗଭୀର ଚାଷ କରାଯାଇ ସେଥିରୁ ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମିଶାଇ ପ୍ରସ୍ତୁତି କରାଯାଏ । ଧାଡି ଧାଡି ମଧ୍ୟରେ ୪୫ ସେମି ବ୍ୟବଧାନ ରଖାଯାଏ । ପ୍ରତ୍ୟେକ ଧାଡିରେ ୩୦ ସେମି ବ୍ୟବଧାନ ରେ ଖୋଲାଯାଇ ଗଛ ରୋପଣ କରାଯାଏ । ୧ ଏକର ପରିମିତ ଜମିରେ ୧୦ ହଜାରରୁ ୧୨ ହଜାର ଚାରା ରୋପଣ କରାଯାଇପାରିବ  ।

    ଜଳସେଚନ ବ୍ୟବସ୍ଥା

    ପାତାଳ ଗରୁଡ ଗଛର ଚେର ପ୍ରଧାନତଃ ଔଷଧୀୟ ଅଂଶ ହୋଇଥିବାରୁ ଓ ଏହା ଜମିରେ ୨ବର୍ଷରୁ ଅଧିକ ସମୟ ରହୁଥିବାରୁ ଏଥିରେ ପାଣି ଦେବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । କେବଳ ଗଛର ଅବଶ୍ୟକତା ଅନୁସାରେ ପାଣିଦେବା ଉଚିତ । ଅତ୍ୟାଧିକ ଜଳସେଚନ କରାଗଲେ ଚେରଗୁଡିକ ଭଲ ବଢିପାରେ ନାହିଁ ଓ ପଚିଯିବାର ସମ୍ଭାବନା ରହିଛି  ।

    ଅନ୍ତଃଫସଲ

    ଏହା ସହିତ ସୋୟାବିନ ଚାଷ କରାଯାଇପାରିବ । ଉନ୍ନତ କିସମର ଅଁଳା ଚାଷ ମଝିରେ ମଧ୍ୟ ଏହା କରାଯାଇପାରିବ  ।

    ଫସଲ ରୋଗ

    ନିମାଟୋଡସ ଚେର ଉପରେ ଛାଲପରି ଲାଗିଯାଆନ୍ତି  । ଏଥିରୁ ରକ୍ଷା ପାଇବା ପାଇଁ ଏକର ପ୍ରତି ୧୦ କିଗ୍ରା, କାର୍ବୋଫ୍ୟୁରାନ ୩ ଜି କିମ୍ବା ୮ କିଗ୍ରା ଫୋରେଟ ୧୦- ଜି ଗ୍ରେନୁଲସ ଜମିରେ ପ୍ରୟୋଗ କରାଯାଇପାରିବ ।

    ଅମଳ

    ଗଛ ଲଗାଇବା ୬ ମାସ ପରେ ଗଛରେ ଫୁଲ ଓ ଫଳ ହୁଏ । ପ୍ରଥମ ଫସଲର ଫୁଲଗୁଡିକ ହାତରେ ଭାଙ୍ଗିଦେଲେ ଏହା ଚେର ବୃଦ୍ଧିରେ ସହାୟକ ହୋଇଥାଏ । ଏହାପରେ ଫୁଲ, ଫଳକୁ ବଢିବାକୁ ଦିଆଯାଏ ଓ ଏଥିରୁ ପାକଲ ଫଳ ସପ୍ତାହରେ ୨ ଥର ସଂଗ୍ରହ କରାଯାଏ । ଗଛ ୨ ବର୍ଷରୁ ୨.୫ ବର୍ଷ କରାଯାଏ । କାରଣ ଚେରଗୁଡିକ ଖୁବ ସାବଧାନରେ ସଫା କରିବା ଉଚିତ ଯେପରି ଛାଲରେ କୌଣସି ଆଘାତ ଲାଗିବ ନାହିଁ  । ତାପରେ ଚେରଗୁଡିକ ଭଲଭାବରେ ଶୁଖାଇ ଟାଣ କରାଯାଏ  ।

    ଆର୍ଥିକ ଲାଭ

    ଡାଳ କଲମୀ, ଚେର କଟିଙ୍ଗସ୍ ଓ ମଞ୍ଜିରୁ ଲଗାଯାଇଥିବା ଫସଲର ଅମଳରେ ଭିନ୍ନତା ଦେଖାଯାଏ । ମଞ୍ଜିରୁ ପ୍ରସ୍ତୁତ ଚାରାରେ ଅଧିକ ପରିମାଣର ଚେର ଉତ୍ପନ୍ନ ହୁଏ  । ଏକର ପ୍ରତି ୮୮୦ କିଗ୍ରା ଚେର ଓ ୩ ବର୍ଷରେ ଫସଲରୁ ଏକର ପ୍ରତି ୧୩୨୦ କିଗ୍ରା ଶୁଖିଲା ଚେର ଅମଳ ହୋଇପାରିବ । ଯଦି ଏକର ପ୍ରତି ହାରାହାରି ଅତିକମରେ ୮୦୦ କିଗ୍ରା ୮ କ୍ଵିଣ୍ଟାଲ ଶୁଖିଲା ଚେର ଅମଳ ହୁଏ ଏବଂ କିଗ୍ରା ପ୍ରତି ୮୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଏ ତେବେ ୬୪,୦୦୦ ଟଙ୍କା ମିଳିବ । ଏହା ସହିତ ୨୫ କିଗ୍ରା ମଞ୍ଜି ମଧ୍ୟ ମିଳିପାରିବ ଯାହାର ମୂଲ୍ୟ କିଗ୍ରା ପ୍ରତି ୧୫୦୦ ଟଙ୍କା ହେଲେ ଏକ ଏକରକୁ ୩୭,୫୦୦ ଟଙ୍କା ମିଳିବ  । ଫସଲାର ଖର୍ଚ୍ଚ ଯଦି ୨୪,୦୦୦ ହୁଏ ତେବେ କୃଷକକୁ ୭୭,୫୦୦ ଟଙ୍କା ଆର୍ଥିକ ଲାଭ ମିଳିପାରିବ  ।

    ପାତାଳ ଗରୁଡ ଚାଷପାଇଁ ଏକର ପ୍ରତି ଆୟ ବ୍ୟୟ ବିବରଣୀ (୨.୫ ବର୍ଷର ଫସଲ )

    ବ୍ୟୟ

  5. ଶୁଖିଲା ଚେର ୮ କ୍ଵିଣ୍ଟାଲ
  6. ଜମି ପ୍ରସ୍ତୁତ - ୨୫୦୦/-
  7. ୮୦ ଟଙ୍କା ଦରରେ = ୬୪୦୦୦ଟଙ୍କା
  8. ଖତ, ସାର, ଔଷଧ- ୪୦୦୦/-
  9. ୨୫ କିଗ୍ରା ମଞ୍ଜି ୧୫୦ଟଙ୍କା
  10. ମଞ୍ଜି       - ୭୫୦୦/

     

  11. କୋଡା ଖୁସା - ୨୦୦୦/-
  12. ମଞ୍ଜି ସଂଗ୍ରହ - ୧୦୦୦/-
  13. ମୋଟଲାଭ୭୭.୫୦୦
  14. ପାଣିଦେବା - ୧୦୦୦/-
  15. ୨.୫ ବର୍ଷର

    1. ଜଗାରଖା -  ୧୫୦୦/-
    2. ପରିବହନ ଖର୍ଚ୍ଚ -  ୧୦୦୦/-
    3. ଅମଳ ଖର୍ଚ୍ଚ -୨୦୦୦/-
    4. ମୋଟ ଖର୍ଚ୍ଚ - ୨୪୦୦୦/-

    ଆଧାର: ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate