অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଞ୍ଜିବନୀ

ସଞ୍ଜିବନୀ

ସଞ୍ଜିବନୀର ସନ୍ଧାନେ

ଏବେ ପୁରାଣପ୍ରସିଦ୍ଧ ସଞ୍ଜିବନୀ ବନସ୍ପତିର ସନ୍ଧାନ ନେବାକୁ କେତେକ ଗବେଷକ ତଥା ସରକାର ନିଷ୍ପତ୍ତି ନେଇଛନ୍ତି । ଉଦ୍ଦେଶ୍ୟ ଜଡିବୁଟି ଆମ ଭୂଖଣ୍ଡରେ ଅଛି ନା ନାହିଁ ? ସଞ୍ଜିବନୀ ଅର୍ଥ ଯାହା ଜୀବନ ଦିଏ । ଏହି ଉଦ୍ଭିଦ ନିଜକୁ/ମଣିଷକୁ ପୁନରୁଥାନ କରିଥାଏ କିମ୍ବା ପୁନର୍ଜୀବନ ଦେଇଥାଏ । ଏହା ଗୋଟିଏ ଉଦ୍ଭିଦ ହୋଇପାରେ ଅଥବା କେତେଗୁଡିଏ ଉଦ୍ଭିଦ ହୋଇପାରେ, ଯେମିତିକି ତ୍ରିଫଳ କହିଲେ ହରିଡା, ବାହାଡା ଏବଂ ଅଁଳାକୁ ବୁଝାଏ । ପଞ୍ଚବ୍ରାହ୍ମୀ କହିଲେ ବ୍ରାହ୍ମୀ, ଥାଲକୁଡି, ହିଡିମିଚା, ମଣ୍ଡୁକପର୍ଣ୍ଣୀ ଏବଂ ଗୋଖରାକୁ ବୁଝାଇଥାଏ । ଆଜି ସୁଦ୍ଧା ପ୍ରତିଶବ୍ଦ,ପ୍ରତିନାମ ବହନ କରୁଥିବା ୧୭ଗୋଟି ଉଦ୍ଭିଦକୁ ସଞ୍ଜିବନୀ/ଜୀବନ୍ତୀ/ଜୀବନିକା ଇତ୍ୟାଦି ନାମରେ ଚିହ୍ନଟ କରାଯାଇଅଛି । ଏକ ସଞ୍ଜୀବନୀର ଉପଚାର ଦ୍ଵାରା ଅତିବେଶିରେ ପୁନର୍ଜୀବନ ମିଳୁଥିବା ବେଳେ ଅନ୍ୟର ଉପଚାର ଦ୍ଵାରା ଅତିକମରେ ଅଙ୍ଗ କ୍ଷତର ଉପଶମ ହୋଇଥାଏ । ସେହି ଉଦ୍ଭିଦଗୁଡିକ ହେଲେ ସେଲାଜିନେଲା, ଡ଼େସମୋଟରିଚମ, କ୍ରେସା, ମାଲାକସିସ ଆକୁମିନାଟା, ମାଲାକସିସ ୱାଲିଚି, ମାଇକ୍ରୋଷ୍ଟାଇଲିସ, ଟ୍ରାଇକୋପସ, ସିମୀଫ୍ୟୁଜା, ହୋଲୋଷ୍ଟେମା, ଡ୍ରଜିଆ, ହରିଡା ଖରକସ, ମେଡୀ, ଗୁଳୁଚୀ, ମଲାଙ୍ଗ, ପୁତ୍ରାଞ୍ଜୀବ ଓ ମେଧ । ସଦ୍ୟ କଟିଯାଇଥିବା ଅଙ୍ଗରେ ମେଧ ବକ୍କଳ/ପତ୍ରର ଲସା ଲଗାଇଲେ କ୍ଷତ ଭରଣା ହୋଇଥାଏ ।

ଏହାର ଉପଯୋଗ

ରାମାୟଣ ଅନୁସାରେ ଲକ୍ଷ୍ମଣଙ୍କର ଶକ୍ତିଭେଦ ପରେ ହନୁମାନଙ୍କୁ ଲଙ୍କାରୁ ଉତ୍ତରରେ ଥିବା ଭୂଖଣ୍ଡକୁ ପଠାଯାଇଥିଲା । ସଞ୍ଜିବନୀ ଆଣିବାକୁ ସେ ସଞ୍ଜିବନୀ ପର୍ବତକୁ ଯାଇଥିଲେ । ଏଣୁ ଆମେ ଏଥିରୁ ଉପନୀତ ହେବା ଯେ ସଞ୍ଜିବନୀ ଉଦ୍ଭିଦ କେବଳ ପାର୍ବତୀୟ ଅଞ୍ଚଳରେ ଦେଖାଯାଏ । ଅତଏବ ଉପରୋକ୍ତ ୧୭ଗୋଟି ଉଦ୍ଭିଦ ମଧ୍ୟରୁ ସେଲାଜିନେଲା ବ୍ରାୟୋଟେରିସ ଏବଂ ଡ଼େସମୋଟ୍ରିଚମ୍ ଫିମ୍ପ୍ରିୟାଟୁମ ନାମକ ଦୁଇଗୋଟି ଉଦ୍ଭିଦକୁ ସଞ୍ଜିବନୀ ବୋଲି ବିଚାରକୁ ନିଆଯାଇପାରେ । ସେଲାଜିନେଲା କ୍ରାନ୍ତୀୟ ଅରଣ୍ୟର ପାର୍ବତୀୟ ଭୂମିରେ ଦେଖାଯାଏ । କ୍ରାନ୍ତୀୟ ଆଦ୍ର ପର୍ଣ୍ଣମୋଚି ଅରଣ୍ୟର ସନ୍ତସନ୍ତିଆ ସ୍ଥାନରେ ବିରଳ ଅଟେ । ଅଧୁନା ଏହା ଆରାବଳୀ ପର୍ବତ ପୁଞ୍ଜ, ହୋସଙ୍ଗାବାଦ, ବସ୍ତର ଓ ବିଳାସପୁର ରେ ଦେଖାଯାଏ । ଏହା ଅଂଶୁଘାତ, ପରିସ୍ରା ପୋଡାଜଳା, ଅନିୟମିତ ଋତୁସ୍ରାବ, ସହଜ ପ୍ରସବ ଏବଂ କାମଳ ରୋଗ ପାଇଁ ବ୍ୟବହୃତ କରାଯାଏ । ସେହିପରି ଡ଼େସମୋଟ୍ରିଚମ ଏକ ଜୀବନ୍ତ ଯାହା ପଶ୍ଚିମଘାଟ ଏବଂ ଉତ୍ତରପୂର୍ବ ରାଜ୍ୟର ପାର୍ବତୀୟ ଅଞ୍ଚଳରେ ଦେଖାଯାଏ । ଏହା ବଳବର୍ଦ୍ଧକ ଓ ଉଦ୍ଦୀପକ ହେବା ସାଙ୍ଗକୁ କାଶ, କଫ, ପିତ୍ତ, ଶ୍ଵାସ, ଜ୍ଵର, କୋଷ୍ଠବଦ୍ଧ, ଜାଳାପୋଡା ଓ ରକ୍ତରୋଗ ପାଇଁ ବ୍ୟବହାର କରାଯାଏ ।

ସଞ୍ଜିବନୀ ପାଇଁ କେତେଗୁଡିଏ ତର୍କ

ସଞ୍ଜିବନୀ ପାଇଁ ଆମେ କେତେଗୁଡିଏ ତର୍କର ସାହାଯ୍ୟ ନେବା । ଯେତେବେଳେ ଲକ୍ଷ୍ମଣଙ୍କର ଶକ୍ତିଭେଦ ହେଲା, ସେତେବେଳେ ସେ ମୂର୍ଚ୍ଛା/ଅଚେତ ଅବସ୍ଥାକୁ ଗଲେ । ଆଧୁନିକ ଚିକିତ୍ସାବିଜ୍ଞାନରେ ଏହାକୁ କୋମା ଅବସ୍ଥା କୁହାଯାଏ, ଯେଉଁ ଅବସ୍ଥାରେ ଶରୀରରେ ଜୀବନ ଥାଏ ମାତ୍ର ସ୍ନାୟୁଗୁଡିକ ନିଷ୍କ୍ରିୟ ହୋଇଯାଆନ୍ତି । ଶରୀର ନିସ୍ତେଜ ହୋଇପଡିରହେ । ବିଗତ ବର୍ଷରେ ପୃଥିବୀରେ ଦେଖାଯାଇଛି ଯେ ଅନେକ ଦୁର୍ଘଟଣାରେ କୋମା ଅବସ୍ଥାରେ ମନୁଷ୍ୟ ଅଳ୍ପ କେତେ ସେକେଣ୍ଡରୁ ଅନେକ ବର୍ଷ ପର୍ଯ୍ୟନ୍ତ ରହିଛି । ଏହି ଅବସ୍ଥାରୁ ପୁନଶ୍ଚ ଚଳନଶୀଳ ହୋଇଛି ଅଥବା ମୃତ୍ୟୁ ଲଭିଛି । କୋମା ଅବସ୍ଥାରୁ ମଣିଷ ଆପେ ଆପେ ଅଥବା ଔଷଧ ଦ୍ଵାରା ଚଳନଶୀଳ ହୋଇଥାଏ । ଇନ୍ଦ୍ରଜିତର ନିକ୍ଷେପ ଶର/ଅସ୍ତ୍ରରେ ଥିବା କୌଣସି ବିଷମ ଦ୍ରବ୍ୟ କିମ୍ବା ଶକ୍ତି ଦ୍ଵାରା ଲକ୍ଷ୍ମଣଙ୍କର କୋମା ଅବସ୍ଥା ଆସିଥିଲା । ଯେହେତୁ କୋମା ଏବଂ ମୃତ୍ୟୁ ଅବସ୍ଥାର ଲକ୍ଷଣ ଏକାପରି ଏବଂ ଏକ ବନସ୍ପତ୍ତିର ଉପଚାରରେ ଲକ୍ଷ୍ମଣଙ୍କର ଜୀବନ ଆସିଥିଲା, ତେଣୁ ସେହି ବନଷ୍ପତ୍ତିକୁ ସେତେବେଳର ବର୍ଣ୍ଣନାକାରୀମାନେ ସଞ୍ଜିବନୀ ରୂପେ ଦର୍ଶାଇଥିଲେ । ବର୍ତ୍ତମାନ ପଥର ଉପରେ ବଢୁଥିବା କେତେଗୁଡିଏ ସବୁଜ ରଙ୍ଗର ତୃଣ ଯାହାକି ଶୀତ ଏବଂ ଖରାଦିନରେ ଶୁଷ୍କହୋଇ ମୃତବତ ହୋଇଥାଏ, ମଳିନ ସ୍ଵର୍ଣ୍ଣ/ଗାଢ ବାଦାମୀ ରଙ୍ଗ ଧାରଣ କରିଥାଏ । ପର୍ବତର ପଥର ଉପରେ ବଢୁଥିବା ସେଲାଜିନେଲା ଏହିପରି ଏକ ସଞ୍ଜିବନୀ ଅଟେ । ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଏକ ନୀତି ଅଛି, ସଦୃଶ ଦ୍ଵାରା ସଦୃଶର ଉପଚାର/ସଦୃଶ ଯୁଗର ବୈଦ୍ୟମାନେ ମୃତବତ ଅବସ୍ଥାରୁ ଜୀବନ୍ତ ଅବସ୍ଥାକୁ ଫେରିବାର ଗୁଣଥିବା ସଞ୍ଜିବନୀ ନାମ ପାଇଁ ସେଲାଜିନେଲା ତୃଣ, ଡ଼େସମୋଟ୍ରିଚମ ଅର୍କିଦଠାରୁ ବହୁତ ଯୋଗ୍ୟ ଅଟେ । ନଡୁବା ସଞ୍ଜିବନୀ ନାମଧାରୀ କୌଣସି ଏକ ତୃତୀୟ ଉଦ୍ଭିଦ ଏହି ଧାରାପୃଷ୍ଠରେ ଥାଇପାରେ, ଯାହାକି ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ , ଅଥବା ବିବର୍ତ୍ତନଧାରାରେ ଏହା ପୃଥିବୀପୃଷ୍ଠରୁ ଲୋପ ପାଇଯାଇଅଛି ।

ଆଧାର: ବୈଜ୍ଞାନିକ(ବନଜାତ ଦ୍ରବ୍ୟ), କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate