অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ୍ବ ଚାଷ

ଆମ୍ବ ଫଳଙ୍କ ଭିତରେ ରାଜା

ଆମ୍ବ ଫଳଙ୍କ ଭିତରେ ରାଜା । ରାଜ୍ୟରେ ଫଳଚାଷ ହେଉଥିବା ସମୁଦାୟ ଅଞ୍ଚଳର ଅର୍ଦ୍ଧେକ ହେଉଛି ଆମ୍ବଚାଷ ପରିବୃତ ଅଞ୍ଚଳ । ବହୁ ପୁରାତନ ସମୟରୁ ଆମ୍ବର ଗୁରୁତ୍ଵ ରହିଆସିଛି । ପୂଜା ପର୍ବରେ ଆମ୍ବଡାଳ ଓ ଫଳର ଆବଶ୍ୟକତା ସମସ୍ତେ ଜାଣନ୍ତି । ଏହା ଅତି ସୁସ୍ଵାଦୁ ଫଳ ଓ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଥିରେ ପ୍ରାୟ ସମସ୍ତ ପ୍ରକାରର ଖାଦ୍ୟସାର ରହିଛି । ବିଶେଷ କରି ଏଥିରେ ଯିବନିକା ଏ ଓ ଇ ର ପରିମାଣ ଅନ୍ୟ ଫଳ ତୁଳନାରେ ଅଧିକ ଥାଏ । କଞ୍ଚା ଆମ୍ବରୁ ଆଚାର, ଚଟଣି,ଆମଚୁର , ସ୍କ୍ୱାସ, ଏବଂ ପାଚିଲା ଆମ୍ବରୁ ଆମ୍ବାସଢା, ଜାମ, ମୃଦୁ ପାନୀୟ ଇତ୍ୟାଦି ପ୍ରସ୍ତୁତ ହୋଇଥାଏ । ଆମ୍ବ କୋଇଲିରୁ ସାବୁନ ପ୍ରସ୍ତୁତ କରାଯାଇଥାଏ । ଫଳରେ ଭୂମିହିନ ମାନଙ୍କୁ ଭଲ ନିଯୁକ୍ତି ମିଳିଥାଏ ।

ଆମ୍ବ କିପରି ରୋଜଗାର ସୃଷ୍ଟି କରିବାରେ ସହାୟକ ହୋଇଥାଏ

ଆମ୍ବ ଏପରି ଏକ ଫସଲ , ଯାହାକି କେବଳ ରୋଜଗାର ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତାହା ନୁହେଁ ବରଂ ଏହାକୁ ଆଧାର କରି ଖାଦ୍ୟଶିଳ୍ପ, ପ୍ରକ୍ରିୟା କରଣ ଶିଳ୍ପ, ରପ୍ତାନି ସୁଯୋଗ ସହ ବୈଦେଶିକ ମୁଦ୍ରା ଅର୍ଜନ କରାଯାଏ । ଏହି ଚାଷ ଦ୍ଵାରା ଜମିର ଉର୍ବରତ୍ତା ବଢିବା ସହ ଏହାର ପତ୍ରରୁ ପରିପୂର୍ଣ୍ଣ ପାଚକ ଖତ ମିଳିଥାଏ । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଫୁଲବାଣୀ, ଢେଙ୍କାନାଳ ଆଦି ଜିଲ୍ଲାରେ ଭଲ ଆମ୍ବ ଚାଷ ହୋଇଥାଏ । ଦେଶରେ ପ୍ରାୟ ୫୫୦କିସମର ଆମ୍ବଚାଷ କରାଯାଏ ଏବଂ ହେକ୍ଟର ପ୍ରତି ୩୯ଟନ ଉତ୍ପାଦନ ହୋଇଥାଏ । ସେ ତୁଳନାରେ କଦଳୀ ହେକ୍ଟର ପ୍ରତି ୩୩ଟନ ଓ ଅମୃତଭଣ୍ଡା ୩୨ଟନ ଉତ୍ପାଦନ ହୋଇଥାଏ । ଏହି ଚାଷର ଚାହିଦା ସଦା ସର୍ବଦା ରହିଥିବାରୁ ଏହାର ରପ୍ତାନି ପରିମାଣ ସର୍ବଦା ଆଗରେ ।

କିସମ ଜଳବାୟୁ ଓ ମୃତ୍ତିକା

ଆମ୍ବ ଗଛରେ ବଉଳ ହେବା ବେଳେ ବର୍ଷା ହେଲେ ଏହା ନଷ୍ଟ ହୋଇଯାଇଥାଏ । ତେଣୁ ଯେଉଁ ଅଞ୍ଚଳରେ ସିତଦିନେ ବର୍ଷା କମ ହୁଏ ସେଠାରେ ଆମ୍ବ ଫସଲ ଭଲ ହୋଇଥାଏ । ନଦୀ କୂଳିଆ ଅଞ୍ଚଳରେ ଆମ୍ବ ଗଛ ଭଲବଢେ ଓ ଫସଲ ଭଲ ହୁଏ । ରାଜ୍ୟର ଜଳବାୟୁ ଏହାର ଚାଷ ପାଇଁ ଅନୁକୂଳ ଥିବାରୁ ସବୁବେଳେ ଆମ୍ବଚାଷ ହୋଇପାରିବ । ଆମ ଦେଶରେ ଏତେକିସମର ଆମ୍ବ ଅଛି ଯେ, ଚାଷୀ ଅନେକ ସମୟରେ ଦ୍ଵନ୍ଦରେ ପଡିଯାନ୍ତି । ମାତ୍ର ସଅଳ, ମଝିଆଳି ଓ ଡେରିରେ ପାଚୁଥିବା ମଧ୍ୟରୁ ସୁସ୍ଵାଦୁ, ଭଲ ଫଳ ଓ ବଜାରରେ ଚାହିଦା ଅନୁଯାୟୀ ଆମ୍ବ କିସମକୁ ଚାଷ କରିବା ଉଚିତ । ସଅଳ କିସମ ହେଲା –ଆଲ୍ଫାନସୋ, ବମ୍ବାଇ, ବମ୍ବେ ଏଲୋ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ଗୋଲାପଖାସ, ନିଲଫାନସୋ, ନିଲେସାନ ଓ ଆର୍କା ଅରୁଣ ଇତ୍ୟାଦି । ମଝିଆଳି କିସମ ହେଲା –ଦସେରି, ବାଗନପଲ୍ଲୀ, ହିମସାଗର, ଲାଙ୍ଗଡା, କିଶାନ ଭୋଗ, କେଶର, ଲଖନୌ,ସଫେଦ, ଇମାମ, ପସନ୍ଦ, ନିଲେଶ୍ଵରୀ, ସିନ୍ଧୁ, ଆର୍କା, ପୁନୀତ, ଆର୍କା, ଅନମୋଲ, ସୁନ୍ଦର, ଲାଙ୍ଗ୍ରା, ଓ ହିମାଂଶୁ ଇତ୍ୟାଦି । ସେହିପରି ବିଳମ୍ବ କିସମ ଆମ୍ବ ହେଲା- ନୀଲମ, ଫଜିଲ, ଚୌଷା, ଲାଟ, ସୁନ୍ଦରୀ, ତୋତାପୁରୀ, ଚେରୁକ, ରସମ, ଯାହାଙ୍ଗିର, ପାଇରି, ଆମ୍ରପଲ୍ଲୀ ଓ ମଲ୍ଲିକା ଇତ୍ୟାଦି । ସିନ୍ଧୁ କିସମ ଆମ୍ବରେ ଟାକୁଆ ଖୁବ ଛୋଟ । ରାଜ୍ୟରେ ଚାଷ କରାଯାଉଥିବା ବିଭିନ୍ନ ଲୋକପ୍ରିୟ ବ୍ୟବସାୟୀକ ଆମ୍ବ କିସମ ଗୁଡିକ ହେଲା-ବାଗନପଲ୍ଲି, ଆମ୍ରପଲ୍ଲୀ, ମଲ୍ଲିକା, ଦସେରି, ରତ୍ନା, ସିନ୍ଧୁ, ତୋତାପୁରୀ, ସୁବର୍ଣ୍ଣରେଖା, ଲାଙ୍ଗ୍ରା, ଚଉସା, ଗୋଲାପ, ଖାସ, ବମ୍ବେ, ଗ୍ରୀନ, ହିମସାଗର, ନୀଲମ, ରୁଚି, ନିଲେସାନ, ନିଲଫାନସୋ, ନିଲେଶ୍ଵରୀ, ନିରଞ୍ଜନ, ସାଇ ସୁଗନ୍ଧ , ପୁଷ୍ପା ପ୍ରତିଭା, ପୁଷ୍ପା ଅରୁଣିମା, ପୁଷ୍ପା ସୂର୍ଯ୍ୟ ଓ ସଫାରି ଇତ୍ୟାଦି । ୧୦ ବର୍ଷିୟା ଗଛ ପ୍ରତି ୧୨-୨୦ କିଗ୍ରା ଫଳ ବର୍ଷ ପ୍ରତି ମିଳିଥାଏ । କେତେକ ଉନ୍ନତ କିସମର ସଂକ୍ଷିପ୍ତ ବିବରଣୀ ନିମ୍ନରେ ଦିଆଗଲା ।

ଅତି ସହଳ କିସମ

ଆର୍କା କେଶରୀ

ସାଧାରଣତଃ ଏହି କିସମଟି ମାର୍ଚ୍ଚ ମଧ୍ୟ ଭାଗରେ ଫଳ ଆସୁଥିବାରୁ ଏହା ଅତି ସହଳ କିସମ ରୂପେ ପରିଚିତ । ଫଳର ରଙ୍ଗ ହଳଦିଆ । ଡେମ୍ଫ ଆଡକୁ ନାଲି ରଙ୍ଗ ହୋଇଥାଏ । ଫଳ ମାଂସାଳ ଓ ତନ୍ତୁଯୁକ୍ତ । ଏହାର ସାଇତା ଗୁଣ ଅଧିକ ଥିବାରୁ ବଜାରରେ ବିକ୍ରି କରିବାରେ କୌଣସି ଅସୁବିଧା ହୁଏ ନାହିଁ ।

ସହଳ କିସମ

ଗୋଲାପ ଖାସ

ଏହି ଫଳଗୁଡିକ ସାମାନ୍ୟ ଛୋଟ ଓ ଡେମ୍ଫ ନିକଟରେ ସିନ୍ଦୁରଗୁଣ୍ଡ ବିକ୍ଷିପ୍ତ ହୋଇଥିବାର ଦେଖାଯାଏ । ତେଣୁ ଏଗୁଡିକ ଦେଖିବାକୁ ସିନ୍ଦୁରୀ ଆମ୍ବ ପରି । ଫଳଗୁଡିକ ମାଂସାଳ ଓ ତନ୍ତୁଯୁକ୍ତ । ଅଧିକ ଫଳ ଧାରଣ କରିବା ସହିତ ଫଳ ସମସ୍ଯା ନଥାଏ । ପ୍ରତିବର୍ଷ ଚାଷୀଭାଇ ମାନେ ଏଥିରୁ ଭଲ ଲାଭବାନ ହେବାପାଇଁ ବିଶେଷ ଆସାବାଦୀ ଥାନ୍ତି ।

ବମ୍ବେ ଗ୍ରୀନ

ଏହି ଫଳଟି ଅଣ୍ଡାକୃତି ସହିତ ସାମାନ୍ୟ ଲମ୍ବାଳିଆ । ଫଳର ଆକାର ମଧ୍ୟମ ଧରଣର ଓ ପ୍ରତ୍ୟେକ ଆମ୍ବର ଓଜନ ହାରାହାରି ୨୫୦-୩୫୦ ଗ୍ରାମ । ଆମ୍ବଗୁଡିକ ଟାଣ ଓ ସୁଗନ୍ଧ ଯୁକ୍ତ । ବିଳମ୍ବରେ ପାଚୁଥିବାରୁ ଦୂର ବଜାର ପାଇଁ ବିଶେଷ ଉପଯୋଗୀ ।

ମଧ୍ୟମ କିସମ

ଚୌଷା

ଏହି କିସମର ଫଳ ଗୁଡିକ ଖୁବ ମିଠା ଓ ଆକାରରେ ବଡ । ବର୍ଣ୍ଣ ଈଷତ ହଳଦିଆ । କିସମଟି ଡେରିରେ ଅମଳ ହୁଏ । ଏବଂ ନିୟମିତ ଫଳ ହେଉନଥିଲେ ମଧ୍ୟ ପ୍ରତି ଦୁଇ ବର୍ଷରେ ସ୍ୱଳ୍ପ ପରିମାଣରେ ଫଳ ଆସିଥାଏ । ଏହାର ଫଳ ଗୁଡିକ ୩୦୦-୩୫୦ଗ୍ରାମ ଓଜନର ସ୍ଵାଦିଷ୍ଟ ହୋଇଥାଏ ।

ଦଶେରୀ

ଏହି କିସମର ଆମ୍ବ ଗୁଡିକ ହଳଦୀଆ । ଏଗୁଡିକ ମଧ୍ୟମ ଧରଣର ଫଳ । ଏହି କିସମରେ ଅନିୟମିତ ଫଳନ ଦେଖାଯାଏ । ଟାକୁଆ ପତଳା, ରସଯୁକ୍ତ ଓ ଆମ୍ବ ପାଚିଲା ପରେ ଅଧିକ ଦିନ ସାଇତି ରଖାଯାଇ ପାରୁଥିବାରୁ ଆମ୍ବର ଚାହିଦା ଅଧିକ ।

ଲାଙ୍ଗରା

ଏହି କିସମର ଫଳ ଗୁଡିକ ମଧ୍ୟମ ଧରଣର । ଅଣ୍ଡାକୃତି ଗୋଲ । ଫଳଗୁଡିକ ସୁସ୍ଵାଦୁ । ପତଳା ଚୋପା । ଅଧିକ ସମୟ ସାଇତି ରଖିବା ସମ୍ଭବପର ହେଉନଥିବାରୁ ଖାଦ୍ୟ ଓ ପ୍ରକ୍ରିୟା କରଣ ଶିଳ୍ପରେ ଏହାର ଚାହିଦା ରହିଛି ।

ବାଗନପଲ୍ଲି

ଏହି କିସମଟି ଅତ୍ୟନ୍ତ ଲୋକପ୍ରିୟ, ଫଳ ଗୁଡିକ ବଡ, ଅଣ୍ଡାକୃତି , ହଳଦୀଆ ରଙ୍ଗ, ମାଂସାଳ ଶସ , ସ୍ଵାଦଯୁକ୍ତ ଟାକୁଆ ପତଳା ଥିବା ସ୍ଥଳେ ଚୋପା ଗୁଡିକ ମୋଟା । ଫଳ କିଛିଦିନ ପର୍ଯ୍ୟନ୍ତ ସାଇତି ରଖାଯାଇ ପାରେ । ଏଗୁଡିକ ନିୟମିତ ଫଳଧାରଣ ହୋଇଥିବାରୁ ଚାଷୀଭାଇ ମାନେ ଏହାକୁ ବହୁଳ ଚାଷ କରିଥାନ୍ତି ।

ବିଳମ୍ବ କିସମ

ନୀଲମ

ଏହି କିସମ ଫଳଗୁଡିକ ମଧ୍ୟମ ଧରଣର । ସୁମିଷ୍ଟ , ସ୍ଵାଦଯୁକ୍ତ, ଅନେକ ଦିନ ପର୍ଯ୍ୟନ୍ତ ସାଇତା ଯାଇପାରେ । ଏଗୁଡ଼ିକର କୌଣସି ଫଳନ ସମସ୍ୟା ନାହିଁ ଓ ପ୍ରଚୁର ଫଳିଥାଏ । ଏଗୁଡିକ ସାଧାରଣତଃ ବିଳମ୍ବରେ ବଜାରକୁ ଆସିଥାଏ ।

ତୋତାପୁରୀ

ଏହି କିସମର ଫଳଗୁଡିକ ଲମ୍ବାଳିଆ,ଅଗ୍ରଭାଗ ଗୋଲିଆ, ହଳଦିଆ ଓ ତନ୍ତୁମଧ୍ୟରୁ କମ, ସୁମିଷ୍ଟ, ସ୍ଵାଦଯୁକ୍ତ, ଅନେକ ଦିନ ପର୍ଯ୍ୟନ୍ତ ସାଇତା ଯାଇପାରେ । ଏଗୁଡ଼ିକର କୌଣସି ଫଳନ ସମସ୍ୟା ନାହିଁ ଓ ପ୍ରଚୁର ଫଳିଥାଏ । ଏହି କିସମଟିକୁ ଅଧିକ ଦିନ ସାଇତି ରଖାଯାଇପାରେ । ଆଚାର ପ୍ରସ୍ତୁତିରେ ଏହି କିସମର ବହୁତ ଚାହିଦା ରହିଛି ।

ଫଜିଲ

ଏହି କିସମର ଫଳଗୁଡିକ ବଡ । ଗାଡ ସବୁଜ ବର୍ଣ୍ଣର , କୌଣସି ଫଳନ ସମସ୍ୟା ନାହିଁ , ଶସ ଗୁଡିକ ମାଂସାଳ, ତନ୍ତୁ ବିହୀନ କିନ୍ତୁ ସ୍ଵାଦ ସାମାନ୍ୟ ପାଣିଚିଆ । ଏଗୁଡ଼ିକର ସାଇତିରଖିବା ଗୁଣ ଭଲ ।

ଶଙ୍କର ଆମ୍ବ

ରତ୍ନା

ଏହି କିସମଟି ଆଲଫାନସୋ ଓ ନୀଲମରୁ ଉଦୃତ ସହଳ କିସମ । ଏହାର କୌଣସି ଫଳନ ସମସ୍ୟା ନାହିଁ । ଫଳଗୁଡିକ ତନ୍ତୁବିହୀନ । ମଧ୍ୟମ ଧରଣର, ଉନ୍ନତ ମାନର । ଏଗୁଡିକ ଶୀଘ୍ର ପାଚିଜାଏ ଓ ଅଧିକଦିନ ସାଇତା ରଖାଯାଇପାରେ ।

ଆଧାର – ସହକାରୀ ବିହନ ପ୍ରମାଣନ ଅଧିକାରୀ, ଭୁବନେଶ୍ଵର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate