অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲ ପାଇଁ ଯୋଜନା

ଖରିଫ ଫସଲ ଯୋଜନା

କୃଷି କ୍ଷେତ୍ରରୁ ଅଧିକ ଆୟ ପାଇବା ନିମନ୍ତେ ଉପଯୁକ୍ତ ଯୋଜନା ଆବଶ୍ୟକତା ରହିଛି ।

ନିକଟରେ ରହିଥିବା ସମ୍ବଳ, ବଜାର ସୁବିଧା, ଜଳବାୟୁ, ଜମିର ପ୍ରକାର ଏବଂ ନିଜ ସାମର୍ଥକୁ ଦୃଷ୍ଟିରେ ରଖି ଯୋଜନା କଲେ ଚାଷୀ ଅଧିନ ଲାଭ ପାଇପାରିବ ।

ବର୍ତ୍ତମାନ ଖରିଫ ଚାଷ ପାଇଁ ଚାଷୀମାନେ କ'ଣ ଫସଲ ଯୋଜନା କରିବେ ସେ ବିଷୟରେ ଆସନ୍ତୁ ଜାଣିବା ।

ପାଣିପାଗ ବିଭାଗର ଖବରରୁ ପ୍ରକାଶ ଯେ, ଚଳିତବର୍ଷର ମୌସୁମୀ ପ୍ରଦାନ ଖରିଫ ଫସଲ ପାଇଁ ଅନୁକୂଳ ରହିବ । ତେଣୁ ଚାଷୀମାନେ ଆଗାମୀ ଖରିଫ ଋତୁର ଚାଷବାସ ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ ।

ଫସଲ ଖସଡା ପ୍ରସ୍ତୁତି

ଜମିର କିସମ, ଜଳସେଚନ ସୁବିଧା ଆର୍ଥିକ ସମ୍ବଳ ତଥା ବିକ୍ରିବଟାର ସୁବିଧାକୁ ଦୃଷ୍ଟିରେ ରଖି କେଉଁ ଫସଲ କଲେ ଲାଭବାନ୍ ହୋଇପାରିବେ ସେଥିପାଇଁ ଏକ  ଫସଲ ଖସଡା ପ୍ରସ୍ତୁତ କରନ୍ତୁ । ବିଶେଷ କରି ଢିପ ଜମିରେ ଅଣଧାନ ଫସଲ ଯଥା : ମୁଗ, ବିରି, ହରଡ, ମକା, ମାଣ୍ଡିଆ, ଚିନାବାଦାମ, ପନିପରିବା ଜାତୀୟ ଫସଲ କଲେ ଧାନ ଅପେକ୍ଷା ଅଧିକା ଲାଭ ମିଳିଥାଏ ।  ଏହାବ୍ୟତୀତ ହରଡ + ମାଣ୍ଡିଆ, ହରଡ + ଧାନ, ମକା + ଚିନାବାଦାମ ଆଦି ଫସଲର ମିଶ୍ରିତ ଚାଷ କଲେ ଗୋଟିକିଆ ଫସଲ ଅପେକ୍ଷା ଅଧିକ ଲାଭ ମିଳିପାରିବ । ମଝିଆଳି ଜମିରେ ୧୨୦ – ୧୩୦ ଅମଳ ହେଉଥିବା ଧାନ ଫସଲ କଲେ ରବିଋତୁରେ ସୋରିଷ, ଚିନାବାଦାମ, ମୁଗ, ବିରି, ଆଳୁ ଓ ପନିପରିବା ଜାତୀୟ ଫସଲ କରିବା ପାଇଁ ସୁବିଧାଜନକ ହୋଇପାରିବ ।

ନମୁନା ମାଟି ସଂଗ୍ରହ ଓ ମାଟି ପରୀକ୍ଷା

ଅଧିକ ଅମଳ ପାଇବାକୁ ହେଲେ ଫସଲରେ ଉପଯୁକ୍ତ ପରିମାଣ ଖତ ଓ ସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରି ଜମିରେ କେତେ ପରିମାଣର ଯବକ୍ଷାରଜାନ, ପଟାସ ଓ ଫସଫରସ୍ ରହିଛି ସେ କଥା ଜାଣିଲେ ଅନୁମୋଦିତ ପରିମାଣର ସାର ପ୍ରୟୋଗ କରିବାରେ ସୁବିଧାଜନକ ହୋଇପାରିବ । ତେଣୁ ନମୁନା ମାଟି ସଂଗ୍ରହ କରି ମୃତ୍ତିକା ପରୀକ୍ଷାଗାରକୁ ପଠାନ୍ତୁ । କୃଷି ବିଦ୍ୟାଳୟର ଆଞ୍ଚଳିକ ଗବେଷଣା କେନ୍ଦ୍ର, ଗ୍ରାମ୍ୟ କୃଷି କର୍ମୀ କିମ୍ବା କୃଷି ଅଧିକାରୀଙ୍କ ସହ ପରାମର୍ଶ କଲେ ନମୁନା ମାଟି ସହଜରେ ସଂଗ୍ରହ କରିପାରିବେ ।

କୃଷି ଉପକରଣ ସଂଗ୍ରହ

ଲାଭ ପାଇବାକୁ ହେଲେ ଅଧିକ ଅମଳକ୍ଷମ ବିହନ, ଖତସାର, ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ପାଇଁ କୀଟନାଶକ, କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି । ବିଶେଷକରି ରୋପପୋକ ନିରୋଧକାରୀ ଅଧିକ ଅମଳକ୍ଷମ ବିହନ  ବ୍ୟବହାର କରିବା ଦ୍ଵାରା ଅଧିକ ଅମଳ ମିଳିଥାଏ ।  ଚାଷୀମାନେ ଜମିର କିସମ, ଜଳସେଚନର  ସୁବିଧା, ଆଞ୍ଚଳିକ ରୋପ ପୋକ ସମସ୍ୟା ଆଦିକୁ ଦୃଷ୍ଟିରେ ରଖି ନିଜ ଜମି ପାଇଁ ବିହନ କିସମ ନିର୍ଣ୍ଣୟ କରିବା  ଦରକାର । ସାର ସଂଗ୍ରହ କରିବା କ୍ଷେତ୍ରରେ ଚାଷୀମାନେ ଅବହେଳା  କରି ଦରକାର ବେଳେ ଅସୁବିଧାରେ ପଡନ୍ତି । ବଜାରରେ ଯେତିକି ସାର ଉପଲବ୍ଧ ହେଉଛି ବେଳେ ବେଳେ ତା’ଠାରୁ ଅଧିକ ସାର ଚାଷୀମାନେ ଆବଶ୍ୟକ କରୁଛନ୍ତି । ତେଣୁ  ବେଳେବେଳେ ସାର କଳାବଜାର ହେବାର ଖବର ପ୍ରକାଶ ପାଉଛି । ତେଣୁ ସାର ସଂଗ୍ରହ କରି ରଖନ୍ତୁ । ଆଜିକାଲି ମଞ୍ଜି ବୁଣିବା, ଘାସ ବାଛିବା, ଧାନ ରୋଇବା, ଧାନ କାଟିବା, ଅମଳ କରିବା, କୀଟନାଶକ ସ୍ପ୍ରେ କରିବା ପାଇଁ ଯନ୍ତ୍ରପାତି ଉଦ୍ଭାବିତ ହେଲାଣି । ଏଗୁଡିକ ବ୍ୟବହାର କଲେ ସହଜରେ ଓ କମ୍ ସମୟରେ କମ୍ ଖର୍ଚ୍ଚ ଚାଷକାମ ହୋଇପାରିବ ।

ଫଳଗଛ ଲଗାଇବା ପାଇଁ ବ୍ୟବସ୍ଥା

ଫଳ ଚାଷରୁ ଅଧିକ ଲାଭ ମିଳିପାରିବ । ଫଳଗଛ ଲଗାଇବାକୁ ଇଚ୍ଛୁକ ଚାଷୀମାନେ ଗାତଖୋଳା କାମ ଆରମ୍ଭ କରିବା ଦରକାର । ନଡିଆ, ଆମ୍ବ, ଲେମ୍ବୁ, କଦଳୀ, ସେପେଟା, ପିଜୁଳି, ସପୁରୀ, ଅମୃତଭଣ୍ଡା, ଆଦି ଫଳ ଲଗାଇବା ପାଇଁ ଚାରା ସଂଗ୍ରହ କରନ୍ତୁ ।  ଉଦ୍ୟାନ ବିଭାଗ ସହ ସମ୍ପର୍କ  କରି ଅଧିକ ଅମଳକ୍ଷମ ଚାରାଗଛ ସଂଗ୍ରହ କରନ୍ତୁ । ପନିପରିବା ଚାଷ ପାଇଁ ମଧ୍ୟ ପ୍ରସ୍ତୁତ ହେବା ଆବଶ୍ୟକ । ଧାନ ଫସଲର ଅଭାବି ବିକ୍ରି ଯୋଗୁଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ତେଣୁ ବିକଳ୍ପ ଫସଲ ଭାବରେ ପନିପରିବା ଚାଷ କଲେ ଅଧିକ ଲାଭ ପାଇପାରିବେ ।

ସମ୍ବଳ ସଂଗ୍ରହ

ଓଡିଶାର ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ନୁହନ୍ତି । ତେଣୁ ସମବାୟ ବ୍ୟାଙ୍କ ଓ ଜାତୀୟକରଣ ବ୍ୟାଙ୍କଗୁଡିକରୁ ଆବଶ୍ୟକ ଋଣ ପାଇଁ ଆବେଦନ କରନ୍ତୁ । ପୁରୁଣା ଋଣ ସୁଝି ଦେଲେ ନୂଆ ଋଣ ସହଜରେ ପାଇବା ସୁଝିବା ସହଜସାଧ୍ୟ ହୋଇପାରିବ ।  ବାରମ୍ବାର ଋଣ ମଞ୍ଜୁର ପାଇଁ ବ୍ୟାଙ୍କରୁ ଦୌଡିବା ଆବଶ୍ୟକ ପଡିବ ନାହିଁ । ତେଣୁ ଚାଷ ପାଇଁ ସମ୍ବଳ ସକାଶେ ସମବାୟ ବ୍ୟାଙ୍କରୁ ବିଷାନ କ୍ରେଡ଼ିଟ କାର୍ଡ଼ ସଂଗ୍ରହ କରନ୍ତୁ ।

ଆଧାର – ଦୈନିକ ପ୍ରମେୟ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate