ଗୋଲାପଜାମୁ ଓ ଜାମୁରୋଳ ବିଶେଷକରି ପିଲାମାନଙ୍କର ଆଦରର ଫଳ । କେତେକ କିସମର ଲିଚୁକୁ ଛାଡିଦେଲେ ଗୋଲାପ ବାସ୍ନାଥିବା ଫଳ ବହୁତ କମ୍ । ଗୋଲାପଜାମୁ ଓ ଜାମୁରୋଳର ଗୋଲାପ ବାସ୍ନା ବହୁତ ଉଚ୍ଚ ଗୋଲାପଜାମୁ ଓ ଜାମୁରୋଳର ସ୍କ୍ୱାସ ଖୁବ ସ୍ଵାଦିଷ୍ଟ ।

ଉତ୍ପତ୍ତି

ଭାରତ ଓ ଇଣ୍ଡୋନେସିଆ ।

ଜଳବାୟୁ

ଗୋଲାପ ଜାମୁ ଓ ଜାମୁରୋଳ ଉଭୟେ ଗ୍ରୀଷ୍ମମଣ୍ଡଳୀୟ ଫଳ । ଭଲ ବର୍ଷା ହେଉଥିବା ଜାଗାରେ ଏହା ଭଲ ହୁଏ । ସମୁଦ୍ର ପତ୍ତନଠାରୁ ୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରିବ ।

ମୃତ୍ତିକା

ଅଧିକାଂଶ ମାଟିରେ ଗୋଲାପ ଜାମୁ ଓ ଜାମୁରୋଳ ଚାଷ ହୋଇ ପାରିବ ସନ୍ତସନ୍ତିଆ ମାଟିରେ ଏ ଗଛ ଉଧାଏ ନାହିଁ । ନିଗିଡା ଦୋରସା ମାଟିରେ ବିନା ଖତ ସାରରେ ମଧ୍ୟ ଭଲ ଅମଳ ଦିଏ ।

କିସମ

ସେପରି ଉନ୍ନତ କିସମ ନାହିଁ । ଭଲ ଫଳୁଥିବା ଗଛରୁ କଲମୀ କରି ଗଛ ଲଗାଇବା କଥା ।

ବଂଶ ବିସ୍ତାର

ମଞ୍ଜିରୁ ଓ ଗୁଟି କଲମୀ ଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ ।

ରୋପଣ

ଜୁନ-ଜୁଲାଇ ଓ ସେପ୍ଟେମ୍ବର ଅକ୍ଟୋବର ମାସରେ ଗଛ ଲଗାଯାଇ ପାରିବ । ଗୋଲାପ ଜାମୁ ୫/୬ ମିଟର ଦୂରତାରେ ଓ ଜାମୁରୋଳ ୭/୮ ମିଟର ଦୂରତାରେ ଲଗାଯାଏ । ଗଛ ଲଗାଇବା ପାଇଁ ୬୦ ସେମି ଗୋଲେଇ ଓ ୬୦ ସେମି ଗଭୀରରେ ଗାତ କରାଯାଏ । ଗଛ ଲଗାଇବା ପୂର୍ବରୁ ଗାତରେ ଏକ ଝୁଡି ଖତ ସହ ଏକ କେଜି ଜୈବିକସାର ଓ ୫୦ଗ୍ରାମ କ୍ଲୋରପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଯାଏ ।

ଖତ ଓ ସାର

ଗୋଲାପଜାମୁ ଓ ଜାମୁ ରୋଳ ଗଛରେ ସାଧାରଣତଃ କେହି ଖତ ସାର ଦିଅନ୍ତିନି । କିନ୍ତୁ ଗଛ ପିଛା ବର୍ଷକୁ ଝୁଡିଏ ଖତ ଓ ଏକ କେଜି ଜୈବିକସାର ଦେଲେ ଭଲ ଅମଳ ମିଳେ ।

କାଟଛାଣ୍ଟ

ଗୋଲାପଜାମୁ ଓ ଜାମୁରୋଳ ଗଛରେ ବିଶେଷ କାଟଛାଣ୍ଟ କରାଯାଏନି ।

ଜଳସେଚନ

ଗଛଲଗାଇବାରେ ପ୍ରଥମ ବର୍ଷ ଜଳସେଚନ ଦର୍କାର କରେ । ଗଛ ଥରେ ଭଲ ଭାବରେ ବଞ୍ଚିଗଲାପରେ , ବର୍ଷା ଜଳ ଉପରେ ନିର୍ଭର କରି ଭଲ ଫଳ ଦିଏ । ତେବେ ଯେଉଁ ବର୍ଷ ଭଲ ବର୍ଷା ନହୁଏ ଖରାଦିନେ ଜଳସେଚନ ଜଳସେଚନ ଦର୍କାର ହୁଏ ।

ରୋଗ ଓ ପୋକ

ଗୋଲାପ ଜାମୁ ଓ ଜାମୁରୋଳ ଗଛରେ ଗଲଫ୍ଲାଇ, କାତିପୋକ ଓ ପତ୍ରଖିଆ ଶଁବାଳୁଆ ଲାଗନ୍ତି । ମାଲାଥିଆନ ରୋଗର ଇତ୍ୟାଦି ପକାଇ ପୋକକୁ ଆୟତ କରାଯାଏ । କାଉ, ବାଦୁଡି, ଗୁଣ୍ଡିଚି ମୂଷା ଇତ୍ୟାଦି ଫଳକୁ ଖାଇ ନଷ୍ଟ କରିଦିଅନ୍ତି ।

ଅମଳ

ଗୋଲାପ ଜାମୁରେ ଫୁଲ ବସନ୍ତ ଋତୁରେ ଫୁଟେ ଓ ଗ୍ରୀଷ୍ମ ଋତୁରେ ଅମଳ ହୁଏ । ଫଳ ଦେଖିବାକୁ ଗଲଫବଲ ପରି ଏବଂ ଏହାର ରଙ୍ଗ ଈଷତ ସବୁଜ । ଫଳ ସ୍ପଞ୍ଜ ପରି ନରମ ଓ ବିଶେଷ ସୁଗନ୍ଧ ଯୁକ୍ତ । ଜାମୁରୋଳ ଫଳ ସାମାନ୍ୟ ପାଣିଚିଆ ଓ ଏହା ଗୋଲାପଜାମୁ ପରି ଏତେ ସ୍ଵାଦୁକର ଓ ସୁଗନ୍ଧଯୁକ୍ତ ନୁହଁ । ଗୋଲାପ ଜାମୁ ଗଛରୁ ବର୍ଷକୁ ପ୍ରାୟ ୧୫କେଜି ଫଳ ଓ ଜାମୁରୋଳ ଗଛରୁ ୩୦କେଜି ଫଳ ମିଳେ । ହାରାହାରି ଆୟ ହେକ୍ଟର ପିଛା ଟ ୧୫,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା