অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାମୁକୋଳି ଚାଷ

ଜାମୁକୋଳି ଗଛ ସହର ବଜାର ଗାଁ ଗଣ୍ଡା ସବୁଠି ଦେଖିବାକୁ ମିଳେ । ବର୍ଷାଦିନେ ଗଛରେ କୋଳି ଭର୍ତ୍ତି ହୋଇଯାଏ । ଫଳଗୁଡିକ ଖଟା ମିଠା ହୋଇଥିବାରୁ ପାଟିକୁ ସୁସ୍ଵାଦୁ ଲାଗେ । ପିଲାମାନଙ୍କର ଏହା ଅତି ପ୍ରିୟ । ବହୁମୂତ୍ର ରୋଗ ପାଇଁ ଜାମୁକୋଳି ଔଷଧରୂପେ ବ୍ୟବହାର କରାଯାଏ । ଜାମୁକୋଳିରେ ପୃଷ୍ଟିସାର, ଚର୍ବି, ତନ୍ତୁ, ଶ୍ଵେତସାର, କାଲସିୟମ, ଫସଫରସ, ଲୌହ, ଭିଟାମିନ ବି ଓ ସି ଥାଏ । ଜାମୁକୋଳିରେ ଭଲ ସ୍କ୍ୱାସ ହୁଏ । ଜାମୁକୋଳି ଗଛର କାଠରେ ଭଲ ଆସବାସ ତିଆରି ହୁଏ ।

ଉତ୍ପତ୍ତି

ଭାରତ ଓ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ।

ଜଳବାୟୁ

ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢେ । ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରିବ । ସାଧାରଣତଃ ଭାରତରେ ପଥପାର୍ଶ୍ଵ ରୂପେ ଓ ବଗିଚାର ପରିସୀମାରେ ବାତ୍ୟା ନିରୋଧକ ବୃକ୍ଷ ରୂପେ ଲଗାଯାଏ ।

ମୃତ୍ତିକା

ସବୁପ୍ରକାର ମାଟିରେ ଏ ଗଛ ହୁଏ । କିନ୍ତୁ ଗଭୀର ଦୋରସା ନିଗିଡା ମାଟିରେ ଖୁବ୍ ଭଲ ହୁଏ ।

କିସମ

ସେପରି ବିଶେଷ କିଛି କିସମ ନାହିଁ । ତେବେ ରାମ ଜାମନ ଓ ଜାଭାରୁ ଆସୁଥିବା ଜାମୁକୋଳି ଖୁବ ବଡ ଓ ରସୁଆଳ ।

ବଂଶବିସ୍ତାର

ମଞ୍ଜିରୁ ଓ ଯୋଡକଲମି ଦ୍ଵାରା ବଂଶ ବିସ୍ତାର କରାଯାଏ । ମଞ୍ଜି ପକାଇବାର ୨/୩ ସପ୍ତାହ ପରେ ଗଛ ଉଠେ । ପଲିଥିନ ବ୍ୟାଗରେ ଚାରା ଉଠାଇ ୨/୩ ମାସ ପରେ ଗଛ ଲଗାଯାଏ ।

ରୋପଣ

ବର୍ଷା ଋତୁରେ ସାଧାରଣତଃ ଗଛ ଲଗାଯାଏ । ରାସ୍ତାକଡରେ ଗଛକୁ ଗଛ ୧୦ ରୁ ୧୨ ମିଟର ଦୂରତାରେ ଓ ବାତ୍ୟା ନିରୋଧକ ବୃକ୍ଷ ପାଇଁ ୧୫ ରୁ ୧୭ ମିଟର ଦୂରତାରେ ଲଗାଯାଏ । ୫୦x୫୦x୫୦ ସେମିର ଗାତ କରାଯାଇ ଗଛ ଲଗାଯାଏ ।

ଖତ ଓ ସାର

ଗଛ ଲଗାଇବା ବେଳେ ଦୁଇ ଟୋକେଇ ଖତ ସହ ୫୦୦ଗ୍ରାମ ଜୈବିକସାର ଦେଇ ଲଗାଯାଏ । ସାଧାରଣତଃ ଜାମୁକୋଳି ଗଛରେ କେହି ଖତ ସାର ଦିଅନ୍ତିନି । ତେବେ ଗଛ ପ୍ରତି ୨ କେଜି ଜୈବିକସାର ଦେଲେ ଅଧିକ ଫଳେ ।

ଜଳସେଚନ

ଗଛଲଗାଇବାରେ ପ୍ରଥମ ଅବସ୍ଥାରେ ଗଛ ବଞ୍ଚିବା ପାଇଁ ଜଳସେଚନ କରାଯାଏ । ଗାଁ ଗହଳରେ ସାଧାରଣତଃ ପୋଖରୀ ହୁଡାରେ ଯେଉଁ ଜାମୁକୋଳି ଗଛ ଥାଏ ସେଥିରେ ଭଲ ଫଳ ଆସେ । ପାଣି ସୁବିଧା ଥିଲେ ଫଳ ଥିବା ସମୟରେ ଖରାଦିନେ ଥରେ ଦିଥର ପାଣି ଦେଲେ ଫଳ ବଡ ବଡ ହୁଏ ।

କାଟଛାଣ୍ଟ

ଜାମୁକୋଳି କାଟଛାଣ୍ଟ ଦରକାର କରେନି । ପ୍ରଥମ ଅବସ୍ଥାରେ ଅଦରକାରୀ ଡାଳ ଗୁଡିକ କାଟି ଦେଇ ଗଛକୁ ତାଲିମ କଲେ ଭଲ ଗଣ୍ଡି ହୁଏ ।

ରୋଗ,ପୋକ ଓ ତାର ପ୍ରତିକାର

ପତ୍ରଖିଆ ଶଁବାଳୁଆ

ସ୍ପର୍ଶଯୁକ୍ତ କୀଟ ନାଶକ ଔଷଧ ବ୍ୟବହାର କରାଯାଇପାରେ ।

ଧଳାମାଛି

ସେତେ ପରିମାଣରେ ମାରାତ୍ମକ ନୁହନ୍ତି । ଗଛ ମୂଳରେ ପଡିଥିବା ଫଳକୁ ଉଠାଇ ବଗିଚା ସଫା ରଖିଲେ ଏ ମାଛି ହୁଅନ୍ତିନି ।

ଅମଳ

ଜୁନ ରୁ ଜୁଲାଇ ମାସ ମଧ୍ୟରେ ଫଳ ଅମଳ ହୁଏ । ହାତ ଦ୍ଵାରା ଫଳ ତୋଳା ଯାଏ । ଫଳ ଗୁଡିକ ଖୁବ ଶିଘ୍ର ନଷ୍ଟ ହୋଇଯାଏ । ତେଣୁ ପ୍ରତିଦିନ ଫଳ ତୋଳାଜାଇ ବ୍ୟବହାର କରାଯାଏ । ଅତିବେଶିରେ ୨/୩ ଦିନ ପର୍ଯ୍ୟନ୍ତ ଏହା ତୋଳାଯାଇ ରଖାଯାଏ । ଫଳର କଷା ଭାଗ କଟିବା ପାଇଁ ଲୁଣ ପାଣିରେ ବୁଡାଇଲେ କଷା ଅଂଶ କଟିଯାଏ । ହେକ୍ଟର ପ୍ରତି ଆୟ ଟ୧୦,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate