অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ଶାଗ ଜାତୀୟ ପନିପରିବା)

ଶାଗ ଜାତୀୟ ପରିବାର ଉପାଦେୟ

ପନିପରିବା ମଧ୍ୟରେ ଶାଗ ଜାତୀୟ ପାରିବା ବହୁ ପ୍ରାଧାନ୍ୟ ଲାଭ କରିଛି । ମଣିଷ ପ୍ରାଚୀନ କାଳରୁ ବଣ ଜଙ୍ଗଲରୁ ନାନା ପ୍ରକାରର ପତ୍ର ସଂଗ୍ରହ କରି ଉଦର ଭକ୍ଷଣ କରିବା ଶିଖିଥିଲା । ସହରବାସୀଙ୍କ ତୁଳନାରେ ପଲ୍ଲୀବାସୀ ଶାଗ ବହୁ ପରିମାଣରେ ବ୍ୟବହାର କରିଥାନ୍ତି । ନାନା ପ୍ରକାର ଶାଗ ଫସଲ କରି ବ୍ୟବହାର କରିବା ଅଦ୍ୟାବିଧି ଦେଖାଯାଏ । ପତ୍ର ଉଦ୍ଭିଦ ଭିତରେ ବନ୍ଧାକୋବି ଲେଟ୍ୟୁସ, ଫୁଲକୋବିର କୋମଳ ପତ୍ର, ଗାଜର, ମୂଳା, ଶାଗ ଜାତୀୟ ପନିପରିବା ଗୁଡିକରୁ ଆମେ ନିମ୍ନଲିଖିତ ଖାଦ୍ୟ ପାଇଥାଉ ।

  • ଆମ ସ୍ୱାସ୍ଥ୍ୟ ଲାଗି ଦରକାର ହେଉଥିବା ନାନା ପ୍ରକାରର ଖାଦ୍ୟସାର ପତ୍ରଗୁଡ଼ିକରେ ଜମି ରହିଥାଏ । ପ୍ରୋଟିନ, ଶର୍କରା, ଚର୍ବି, ଲବଣ ଓ ଖାଦ୍ୟପ୍ରାଣ ଗୁଡିକ ପତ୍ର ଭିତରେ ରହିଥାଏ ।
  • ପତ୍ରଗୁଡିକରେ ଥିବା କୋଷ ଗୁଡିକରେ ଚୂର୍ଣ୍ଣ, ଲୌହ, ଫସଫରକ ଓ ପଟାସ ଭରପୁର ହୋଇଥାଏ । ଶାଗ ଜାତୀୟ କେତୋଟି ଫସଲର ଖାଦ୍ୟ ମୂଲ୍ୟର ତାଲିକା (୩୬) ରେ ଦିଆଯାଇଛି ।
  • ଶାଗରେ ସେଲିଲୋକ ଯେପରି ତନ୍ତୁଯୁକ୍ତ ପଦାର୍ଥ ଓ ଜାତୀୟ ଅଂଶ ଯୋଗାଇବା ଫଳରେ ଖାଦ୍ୟରେ ତନ୍ତୁ ବଢେ ଓ ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ ।

ସବୁଜ ଶାଗ ବା ପାକ ଜାତୀୟ ପରିବା ଭକ୍ଷଣ କରିବା ପରେ ସେଥିରେ ଥିବା ଗର୍ଜରେଣ୍ୟ ଆମ ଦେହରେ ଭିଟାମିନ (ଏ) ରେ ପରିଣତ ହୋଇଥାଏ ଓ ଯକୃତ ରେ ଏହା ସଗୃହିତ ହୋଇ ରହେ । ସ୍ଵାସ୍ଥ୍ୟର ଦରକାର ମୁତାବକ ଏହାର ବ୍ୟବହାର ହୋଇଥାଏ । ଶାଗର ପ୍ରକାର ଭେଦରେ ଓ ଚାଷ ହେଉଥିବା ଋତୁ ଅନୁଯାୟୀ ସେଗୁଡିକରେ ଏହି ଭିଟାମିନ (ଏ) ଆମେ ପାଇଥାଉ, ଯାହାକି ପ୍ରତି ମଣିଷ ଲାଗି ଦିନକୁ ଏହା ଯଥେଷ୍ଟ ହୋଇଥାଏ । ଏହାଛଡା ଶାଗରେ ଭିଟାମିନ (ସି, ବି-୨ ଓ କେ) ଇତ୍ୟାଦି ବହୁ ପରିମାଣରେ ଥାଏ ।

ଶାଗ ଜାତୀୟ ପରିବା ଗୁଡିକର ଚାଷ ପ୍ରଣାଳୀ ସହଜ ଓ କମ ସମୟରେ ଅମଳ ହୋଇଥାଏ । ଏହା ଯେପରି ପୃଷ୍ଟିକାରକ ସେହିପରି ଏଗୁଡିକ ଶୀଘ୍ର ରନ୍ଧନ କରି ବ୍ୟବହାର କରିବା ସୁବିଧାଜନକ ହୋଇଥାଏ । ଶାଗହାରୀ ଓ ମାଂସାହାରୀ ମାନଙ୍କ ପକ୍ଷରେ ଶାଗ ଜାତୀୟ ପରିବା ଉପାଦେୟ ।

ଶାଗଜାତୀୟ ପରିବାର ଶ୍ରେଣୀକରଣ

ଶାଗଜାତୀୟ ଫସଲ ଗୁଡିକୁ ବିଭିନ୍ନ ଭାବେ ଶ୍ରେଣୀକରଣ କରାଯାଇପାରେ : -

ଉଦ୍ଭିଦ ବିଜ୍ଞାନ ପ୍ରଣାଳୀ

  • ଏମରନଥସେ ପରିବାର - କୋଶଳା, ଖଡା, ଲେଉଟିଆ, ମଦରଙ୍ଗା ଇତ୍ୟାଦି ।
  • ଚିନ ପୋଡେସିଏ ପରିବାର - ମିଠା ପାଳଙ୍ଗ, ବଥୁଆ, ପୋଇ, ବିଟ ଇତ୍ୟାଦି ।
  • କୃଷିଫେରେ ପରିବାର - ସୋରିଷ, ମୂଳା, ବନ୍ଧାକୋବି, ସାଲଗମ ଇତ୍ୟାଦି ।
  • କୁକରବିଟେସିଏ ପରିବାର - କଖାରୁ ପତ୍ର, ଲାଉ ପତ୍ର, କଲରା ପତ୍ର ।
  • ଟିଲେସିଏଓ ମଲେଭେସିଏ ପରିବାର - ନଳିତାଆରେସିଏ ପରିବାର- ସାରୁ ପତ୍ର ।
  • କନଭୁଲଭିଲେସିଏ ପରିବାର - କଳମ, କନ୍ଦମୂଳ ।
  • ପୋଲିଗନସିଏ ପରିବାର - ମୁଠିଶାଗ, ଖଟାପାଳଙ୍ଗ ଇତ୍ୟାଦି ।
  • କମ୍ପୋଜିଟେ ପରିବାର - କଶନି କୁସୁମ ଏହିପରି ଅନ୍ୟାନ୍ୟ ଶାଗ ଓ ସବୁଜପତ୍ର ପରିବାକୁ ନାନା ପ୍ରକାରର ଶ୍ରେଣୀଭୂକ୍ତ କରାଯାଇପାରେ ।

ଚାଷ ସମାୟାନୁସାରେ ଶ୍ରେଣୀକରଣ

ଚାଷ ସମୟକୁ ଧରି ଓ ଅମଳହେବା ସମୟକୁ ଧରି ଶାଗ ଜାତୀୟ ଫସଲଗୁଡିକୁ ଶ୍ରେଣୀକରଣ କରାଯାଏ ।

  • ଖରାଟିଆ - ଖଡା, ଲେଉଟିଆ, ପୋଇ, କଳମ, ଶୁନୁଶୁନିଆ, କୁଳଫା, ଝୁମ୍ପୁରି, ସାରୁ ପତ୍ର, ଲାଉ ପତ୍ର, କଖାରୁ ପତ୍ର, ସିଂହଳ ପାଳଙ୍ଗ, କଲରା ପତ୍ର ।
  • ବର୍ଷାଦିନିଆ - ଖଡା, କଖାରୁ, କାନଶିରୀ, ନଳିତା, ପୋଇ, ବଥୁଆ, ମୂଳା, ମେଥି, ସୋରିଷ, ବୁଟ, କସ୍ତୁରୀ ମେଥି, ବିଲାତି, ପାଳଙ୍ଗ, ସାଲଗମ ପତ୍ର, ନ୍ୟୁଜିଲେଣ୍ଡ ପାଳଙ୍ଗ, କୁସୁମ, ପିଆଜ ଶଣ୍ଢା ।

ବୃକ୍ଷ,ଗୁଳ୍ମ, ଲତା ଇତ୍ୟାଦିରୁ ବ୍ୟବହୃତ ହେଉଥିବା ପତ୍ର

ସଜନା ଶାଗ, ନିମ୍ବ ଶାଗ, ଅଗସ୍ତି ଶାଗ, ତେନ୍ତୁଳି ଶାଗ, ବରଡା ଶାଗ, ପସାରୁଣୀ, ବ୍ରାହ୍ମୀ ଶାଗ, ହିଡିମିଚି ଶାଗ, ପୁରୁଣୀ ଝୁମ୍ପୁରି, ଗନ୍ଧଣା, କାନଶିରୀ, ବରିପୋଲୁଅ ଇତ୍ୟାଦି ।

ଖଡାଜାତୀୟ ପରିବା

ଶାଗ ଜାତୀୟ ପନିପରିବା ମଧ୍ୟରେ ଖଡା ଜାତୀୟ ଅନେକ ପ୍ରକାରରଖଡା ଶାଗ ବ୍ୟବହାର କରାଯାଇଥାଏ । ଏଥିରେ ସାଗୁଆ ଓ ଇଶତ ନାଲି ଜାତୀୟ ଲେଉଟିଆ ଓ ନାଲିଆ ଓ ସାଗୁଆ ଜାତୀୟ କୋଶଳା ଆଦି ନାନା ପ୍ରକାରର ଖଡା ଜାତୀୟ ଶାଗ ରୂପେ ବ୍ୟବହାର ହୋଇଥାଏ । ନିମ୍ନଲିଖିତ କେତୋଟି ଖଡା ଜାତୀୟ ପରିବା ବିଶେଷ ଭାବେ ବ୍ୟବହୃତ ହୋଇଥାଏ ।

ଏହା ସାଧାରଣତଃ ଗରିବ ଲୋକଙ୍କର ପ୍ରଧାନ ପରିବା ପତ୍ର ଓ ଗଣ୍ଡି ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ଖଡା ସାଧାରଣତଃ ବଢିବା ଲାଗି ଲମ୍ବାଦିନ ଓ ଅଧିକ ଉତ୍ତାପ ଦରକାର କରିଥାଏ ଓ ମଞ୍ଜି ଧରିବା ଲାଗି ଛୋଟଦିନ ଓ କମ ଉତ୍ତାପ ଚାହେଁ । ତେଣୁ ଧଳା ବା ସାଗୁଆ ଜାତୀୟ ଖଡା ଖରା ବା ଗ୍ରୀଷ୍ମ ଋତୁରେ ଓ ଖରିଫ ବା ବର୍ଷା ଋତୁରେ ଚାଷ କରାଯାଇଥାଏ କିନ୍ତୁ ଲାଲ ଖଡା ଜାତୀୟ ଫସଲରେ ଆନ୍ଥୋ ସାୟାନିନ ପଦାର୍ଥ କମୁଥିବା ହେତୁ ରବି ବା ଶୀତଋତୁରେ ଚାଷ କରାଯାଏ । ଖଡା ରକ୍ତ ପରିଷ୍କାରକ । ଏଥିରେ ବହୁ ପରିମାଣରେ ଲୌହ ପଦାର୍ଥ ଆମେ ପାଇଥାଉ । ଭିଟାମିନ ଏ,ବି,ସି, ବହୁ ପରିମାଣରେ ମଧ୍ୟ ଏହା ସ୍ୱାସ୍ଥ୍ୟକୁ ଯୋଗାଇଥାଏ । ଗଛ ଗୁଡିକ ସାଧାରଣତଃ ଲମ୍ବାହୋଇ ବଢି ଗଣ୍ଡି ଓ ଚେର ମୋଟା ଓ ରସାଳ ହୋଇଥାଏ । ପତ୍ର ଗୁଡିକ କୋମଳ ଅବସ୍ଥାରେ ଶାଗ ରୂପେ ବ୍ୟବହାର କରାଯାଇଥାଏ ।

ପ୍ରକାର - ଖଡା ଗଛଗୁଡିକ ଉଚ୍ଚହୋଇ ବଢିବା, ଆକାର, କାଣ୍ଡ ମେଲିବା ପ୍ରଣାଳୀ, ପତ୍ର ରଙ୍ଗ ଓ ଶାଗକାଟିବା ଆଦି କେତୋଟି ଗୁଣକୁ ଧରି ବିଭିନ୍ନ ପ୍ରକାରର ହୋଇଥାଏ । ଅମରେନ୍ଥସ ଟ୍ରାଇକଲର, ଅମରେନ୍ଥସ ଡୁବିଏସ, ଅମରେନ୍ଥସ ଗେଙ୍ଗେଟିକସ ଆଦି କେତୋଟି ଜାତିବର୍ଗ ସାଧାରଣ ଅଧିକ ମାତ୍ରାରେ ଚାଷ କରାଯାଉଛି । ଓଡିଶାରେ ଖଡାଗୁଡିକୁ ପତ୍ରର ରଙ୍ଗ ଅନୁଯାୟୀ ଧଳା ବା ସାଗୁଆ ଓ ନାଲି ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି । ଧଳା ଜାତୀୟ ଖଡାରେ ପର୍ବତିଆ, ଗୋବରିଆ ଓ ଝୁମ୍ପୁରୀ ବିଭିନ୍ନ ପ୍ରକାରର ଖଡା ଚାଷ କରାଯାଏ । ଭଞ୍ଜନଗର ଅଞ୍ଚଳରେ ଡୁବୁଡୁବା ଖଡା ନାମରେ ସାଗୁଆ ଶ୍ରେଣୀର ଖଡା ଚାଷ କରାଯାଇଥାଏ । ଖଡା ଗଛଗୁଡିକରେ ମିଠା ଅଂଶ ବେଶୀ ଯମୁଥିବା ହେତୁ ଏହା ଖାଇବାକୁ ଭଲଲାଗେ । ଗଛଗୁଡିକ ତିନି ଫୁଟଯାଏ ଝଙ୍କାଳିଆ ହୋଇ ବଢେ । ପର୍ବତିଆ ଖଡାଗୁଡିକ ଚାରିଫୁଟ ବା ଅଧିକ ବଢେ ଓ ସେଥିରେ ଶାଖା ପ୍ରଶାଖା ମେଲି ଝଙ୍କାଳିଆ ଦେଖାଯାଏ, କିନ୍ତୁ ଗୋବରିଆ ଖଡା ଅଧିକ ଶାଗୁଆ ଦେଖାଯାଏ । ଏହା ଟିକିଏ ଖାରିଆ ଲାଗେ କାରଣ ଏଥିରେ ମିଠା ଅଂଶ କମଜମେ । ଝୁମ୍ପୁରୀ ପ୍ରକାର ଖଡା ଦୁଇ ଫୁଟଯାଏ ଝଙ୍କାଳିଆ ହୋଇ ବଢେ । ବଉଳା ଶ୍ରେଣୀୟ ଖଡାଗଛ ଓ ପତ୍ରଗୁଡ଼ିକ ଲାଲହୋଇଥାଏ କିନ୍ତୁ ଚିତାକୁଟେଇ ଗଛ ହୋଇଥିଲେ ମଧ୍ୟ ପତ୍ର ଗୁଡିକ ଶାଗୁଆ ଓ ଲାଲମିଶା ହୋଇଥାଏ ।

କୋଶଳା ଶାଗ

ଏହା ରବିଋତୁରେ ଅମଳ କରାଯାଏ । ଉବ୍ଦ୍ଦିଦଗୁଡିକ କୋମଳ ଓ ସତେଜ ଥିବା ଅବସ୍ଥାରେ ଉପାଡି ପାରିବା ରୂପେ ବ୍ୟବହାର କରାଯାଏ । ଏହା ଶୀତ ଆରମ୍ଭରୁ ଗ୍ରୀଷ୍ମ ଆରମ୍ଭ ଯାଏ ବୁଣା ଯାଇପାରେ । କାର୍ତ୍ତିକ ମାସରେ ବୁଣା ଆରମ୍ଭ କରି ଚୈତ୍ର ମାସ ଯାଏ ବୁଣା ଶେଷ କରି ଅନେକ ଫସଲ ଉଠାଯାଇପାରେ ।

  • ପ୍ରକାର – ଏଥିରେ ମଧ୍ୟ ଧଳା ଓ ନାଲି ଶ୍ରେଣୀର କୋଶଳା ଚାଷ କରାଯାଏ ।
  • ଡେଙ୍ଗା କୋଶଳା ଗୁଡିକ ଉପାଡି ବ୍ୟବହାର କରାଯାଏ କିନ୍ତୁ ଭଙ୍ଗା ଶ୍ରେଣୀର କୋଶଳା ୨ରୁ ୩ ଥର କଟାଯାଇ ପାରେ ମଞ୍ଜି ଧରିବା ଲାଗି ଛାଡି ଦିଆଯାଏ । ମଞ୍ଜି ବୁଣିବା ୨୦ ଦିନ ପରେ ପ୍ରଥମ କାଟିବା ଲାଗି ଠିକ ହୋଇଥାଏ।
  • ଚାଷ ପ୍ରଣାଳୀ - ଖଡା ପରି କୋଶଳା ମଞ୍ଜି ପଟାଳୀରେ ବୁଣି ଓ ତତ୍ଵ ନେଇ ଫସଲ ଅମଳ କରାଯାଏ । ହେକ୍ଟର ପ୍ରତି ୧୨୫ ରୁ ୨୦୦ ମହଣ ବା ୫୦ ରୁ ୭୫ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ଲେଉଟିଆ ଶାଗ

ଲେଉଟିଆ ସାଧାରଣତଃ ଖରାଦିନିଆ ଫସଲ । ଶୀତଋତୁ ଶେଷରେ ଏହା ପଟାଳିରେ ବୁଣା ଯାଏ ଓ ଥରକୁ ଥର କାଟି ବ୍ୟବହାର କରାଯାଏ । ଫ୍ରେବୃୟାରୀ ଓ ମାର୍ଚ୍ଚ ମାସରେ ମଞ୍ଜି ବୁଣା ଯାଏ ।

  • ପ୍ରକାର – ଶାଗୁଆ ଲେଉଟିଆ ବା ଚମ୍ପା ଲେଉଟିଆ ଚାଷ କରାଯାଏ । ଚମ୍ପା ଲେଉଟିଆ ଟିକିଏ ଲାଲ ଦେଖାଯାଏ । ଏହା ଛଡା କଣ୍ଟା ଲେଉଟିଆ ଓ କାଣୀ ଲେଉଟିଆ ମଧ୍ୟ ଶାଗ ରୂପେ ବ୍ୟବହାର କରାଯାଏ ।
  • ଚାଷ ପ୍ରଣାଳୀ - ଏହାର ଚାଷ ପ୍ରଣାଳୀ ଖଡା ଓ କୋଶଳା ପରି ହୋଇଥାଏ । ମଞ୍ଜି ପତଳା କରି ପ୍ରସ୍ତୁତ ହୋଇଥିବା ପାଟାଳି ଗୁଡିକରେ ବୁଣାଯାଏ । ହେକ୍ଟର ପ୍ରତି ୧୫ରୁ୨.୪ କେଜି ମଞ୍ଜି ବ୍ୟବହାର କରାଯାଏ । ମଞ୍ଜି ବୁଣା ଯିବା ପରେ ଘାସ ବଛା, ପାଣି ମଡା ଇତ୍ୟାଦିର ତତ୍ଵ ନିଆଯାଏ । ମାସକ ପରେ ପଟାଳି ଗୁଡିକରେ ପ୍ରଥମ କଟା ଆରମ୍ଭ ହୁଏ ଓ ପ୍ରତି ୧୫ ଦିନରେ ଠାରେ ଶାଗ କାଟି ବ୍ୟବହାର କରାଯାଏ । ଏହିପରି ପ୍ରତି ପଟାଳିରେ ୫ରୁ ୬ ଥର ଯାଏ ଶାଗ କାଟି ଶାଗ ଅମଳ କରାଯାଏ ।

ଖଡା, କୋଶଳା ଓ ଲେଉଟିଆ କ୍ଷେତରେ ହେକ୍ଟର ପ୍ରତି ୨୦ ଗାଡି ଗୋବର ଖାତ ମିଶାଇ ଜମି ପ୍ରସ୍ତୁତ କରି ଫସଲ ବୁଣା ଯିବା ପରେ ହେକ୍ଟର ପ୍ରତି ୨୫ କେ.ଜି ଯବକ୍ଷାର,୨୫ କେ.ଜି ପ୍ରସ୍ଫୁରକ ଓ ୫୦କେ.ଜି ପଟାସ ସାର ମଧ୍ୟ କେହି କେହି ବ୍ୟବହାର କରିଥାନ୍ତି । ଅଧିକ ଶାଗ ଅମଳ କରିବାରେ ଏହା ସହାୟକ ହୋଇଥାଏ; କିନ୍ତୁ ରାସାୟନିକ ସାର ପ୍ରୟୋଗ କରିବା ଦ୍ଵାରା ଶାଗ ଗୁଡିକରେ ରୁଚିରେ ଫରକ ପଡିବା ସ୍ଵାଭାବିକ ।

କୁଲଫା ଶାଗ

କୁଲଫା ସାଧାରଣତଃ ଗ୍ରୀଷ୍ମ ଋତୁରେ ଚାଷ କରାଯାଏ । ଗଛ ଗୁଡିକ ଲାମ୍ବା ଓ ଶାଖା ମେଳି ବଢେ । ପ୍ରତି ୧୫ ଦିନରେ ଥରେ କାଟି ବ୍ୟବହାର କରାଯାଏ । ଲଗାଯିବା ପରେ ତିନିଥର ଯାଏଁ ଶାଗ କାଟି ବ୍ୟବହାର କରାଯାଇଥାଏ । ଡାଳ ଗୁଡିକ ମୂଳରୁ ୧୫ ସେଣ୍ଟିମିଟର ଯାଏ ବଢିବା ପରେ ପ୍ରତିଥର ମୂଳରୁ କାଟି ନିଆଯାଏ ।

  • ଚାଷ ପ୍ରଣାଳୀ - ହେକ୍ଟର ପ୍ରତି ୧.୦ ରୁ ୧.୫ କେଜି ମଞ୍ଜି ଜାନୁଆରୀ ମାସରେ ବୁଣାଯାଇ ପାରେ । ଏହା ମାର୍ଚ୍ଚ ମାସ ଯାଏଁ ମଧ୍ୟ ବୁଣି ଫସଲ ଅମଳ କରାଯାଇପାରେ । କ୍ଷେତରେ ୨ରୁ ୩ଟି ହଳ ଓ ମଇ ଦେଇ ମାଟିକୁ ହାଲୁକା ଓ ଗୁଣ୍ଡକରି ମଞ୍ଜି ବୁଣା ଯାଏ । ଏହା ମଧ୍ୟ ଧାଡି ଧାଡି କରି କ୍ଷେତରେ ପଟାଳି ତିଆରି କରି ବୁଣା ଯାଏ । ଧାଡି ମଧ୍ୟରେ ୧୫ ରୁ ୨୦ ସେଣ୍ଟିମିଟର ବ୍ୟବଧାନ ରଖାଯାଇପାରେ । କ୍ଷେତ ପ୍ରସ୍ତୁତ କଳାବେଳେ ଖତ ପ୍ରୟୋଗ କରିବା ଉଚିତ । ପ୍ରତିଥର ଶାଗକାଟି ନେବାପରେ ଜଳସେଚନ ଦରକାର ହୋଇଥାଏ । ମୋଟ ୩ରୁ୪ଟି ଜଳ ସେଚନ ଏହି ଫସଲ ଦରକାର କରେ । ମଞ୍ଜି ବୁଣିବା ମାସକ ପରେ ପ୍ରଥମେ ଶାଗ କିଆରୀରୁ କଟାଯାଏ । ଏହି ସମୟରେ ଗଛ ଗୁଡିକ ୧୨-୧୫ସେଣ୍ଟିମିଟର ଲାମ୍ବା ହୋଇଥାଏ । ହେକ୍ଟର ପ୍ରତି ୧୪୦ କ୍ଵିଣ୍ଟାଲ ଅମଳ ହାଇଥାଏ ।

ପୋଈ

ଏହା ଏକ ଶାଗ ଜାତୀୟ ପରିବା ମାନଙ୍କ ମଧ୍ୟରେ ଅନ୍ୟତମ । ଏହା ଏକ ବହୁ ବର୍ଷିଆ ମାଂସାଳ ଲଟା । ଏହା ଶାଖା ପ୍ରଶାଖା ମେଳି ଲଟାଉଥାଏ । ପତ୍ର ଓ ନାଡଗୁଡିକ ମୋଟା ହୋଇ ବଢି ସେଥିରେ ନାଳୁଆ ପଦାର୍ଥ ଭରି ରହିଥାଏ । ପତ୍ରଗୁଡିକ ଅଣ୍ଡାକୃତି, ଧଳା ଶାଗୁଆ ବା ନାଲିଆ ରଙ୍ଗର, ମାଂସାଳ ଓ ବଡ ଆକାରର ହୋଇଥାଏ । ଏହା ଜୁନ – ଜୁଲାଇ, ଅକ୍ଟୋବର ନଭେମ୍ବର ବା ଫ୍ରେବୃୟାରି - ମାର୍ଚ୍ଚରେ ।

ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate