অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ସାଲାଦ ଜାତୀୟ ପରିବା)

ସାଲଦାର ଜାତୀୟ ପରିବା

ଆଧୁନିକ ଦୈନଦିନ ଖାଦ୍ୟ ସାମଗ୍ରୀ ଭିତରେ ସାଲଦାର ସ୍ଥାନ ଅନ୍ୟତମ । ସାଲାଦ ଦୁଇ ପ୍ରକାରର ହୋଇଥାଏ (୧) ଫଳ ସାଲାଦ ଓ (୨) ପରିବା ସାଲାଦ । ପରିବା ସାଲାଦ ବିଷୟରେ ଏଠି କେବଳ ଦିଆଯାଇଛି । କଞ୍ଚା ପରିବା ଖାଇବା ପ୍ରଥା କେବଳ ସହର ନୁହେଁ ଗାଁ ଗହଳିରେ ମଧ୍ୟ ଦେଖାଯାଏ । ଭାତ ସାଙ୍ଗକୁ ଡାଲି, ତରକାରୀ ଓ କଞ୍ଚା ପରିବା - କାକୁଡି, ପିଆଜ, ମୂଳା, କଞ୍ଚାଲଙ୍କା, ଟୋମାଟୋ, ଲେମ୍ବୁ ଆଦି ପରିବା ଗୁଡିକୁ କାଟି ଲୁଣ ଗୋଳାଇ ଖିଆଯାଏ। ଆଜିକାଲି ଆଧୁନିକ ଖାଦ୍ୟ ସାମଗ୍ରୀରେ ନାନା ପ୍ରକାରର ପରିବାକୁ ମିଶାଇ ସାଲାଦ ତିଆରି ହୋଇଥାଏ । ସେଥି ଭିତରୁ ଲେଟ୍ୟୁସ,ଏନଡାଇଉ, ଚିକୋରି, ପାରସଡି, ଚାଇଭ, କ୍ରେସ, ୱାଟର କ୍ରେସ ସହ କାକୁଡି, ପିଆଜ, କଞ୍ଚାଲଙ୍କା, ମୂଳା, ଗାଜର, ବିଟ ଆଦି ପରିବା ଗୁଡିକୁ ଲୁଣ ଲେମ୍ବୁରସ ବା ସିରକାରେ ଗୋଳି ବ୍ୟବହାର କରାଯାଇଥାଏ । କଞ୍ଚା ପରିବା ସ୍ଵାସ୍ଥ ପକ୍ଷରେ ହିତକର ଓ ରୁଚି କାରକ ମଧ୍ୟ । କେବଳ ଲେଟ୍ୟୁସ ଫସଲ ବିଷୟଟି ଏଠାରେ ଦିଆଗଲା ।

ଲେଟ୍ୟୁସ ଫସଲ

ଲେଟ୍ୟୁସ

ଲେଟ୍ୟୁସ ତଟକା ଧଳା ମାଂସଳ ପତ୍ରଗୁଡ଼ିକୁ ବ୍ୟବହାର କରାଯାଏ । ଏହା ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଆଦି ଦେଶ ବହୁ ପରିମାଣରେ ବ୍ୟବହୃତ ହୋଇଥାଏ କିନ୍ତୁ ଆମ ଦେଶରେ କମ ଲୋକ ଏହାକୁ ସାଲାଦ ରୂପେ ବ୍ୟବହାର କରିଥାନ୍ତି । ଏହା ଶାଗ ପରି ସିଝାଇ ଖାଇବାର ଦେଖାଯାଏ । ଲେଟ୍ୟୁସରେ ଲୌହ ପଦାର୍ଥ ଭରପୁର ଥାଏ ।

  1. ବଂଶବୃଦ୍ଧି - ଲେଟସ ବୀଜ ଦ୍ଵାରା ବଂଶ ବିସ୍ତାର କରିଥାଏ । ଏକ ହେକ୍ଟର ଜମିରେ ଚାରା ରୋପଣ କରିବା ଲାଗି 3 ରୁ 4 କେ. ଜି ମଞ୍ଜି ଦରକାର ହୋଇଥାଏ ।
  2. ପ୍ରକାର - ଲେଟ୍ୟୁସ ଗୁଡିକର ବୟନ ବା ଗଠନ, ଆକାର ଓ ରଙ୍ଗକୁ ଧରି ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

କସ ଲେଟ୍ୟୁସ

ଏହା ସିଧାହୋଇ ବଢି ଲାମ୍ବା ପତ୍ର ମୁଣ୍ଡ ବାନ୍ଧନ୍ତି । ଏହାର ଚାମୁଚାକାର ପତ୍ର ଗୁଡିକ ସହଜ ଭଙ୍ଗୁର ଓ ଖସମସିଆ ହୋଇଥିବା ହେତୁ ଏହାର ଆଦର ବେଶୀ ।

ଉଦାହରଣ – ମେକିଙ୍ଗ ପେରିସ ହ୍ଵାଇଟି, ପେରିସ କସ ଆଦି ବିଭିନ୍ନ ପ୍ରକାରର ଚାଷ କରାଯାଏ ।

କ୍ରିସ୍ପ ହେଡ

ଏହାର ପତ୍ର ମୁଣ୍ଡ ଗୁଡିକ ବନ୍ଧା କୋବି ପରି ପତ୍ର ଗୁଡିକ ଗୋଟିକ ପରେ ଗୋଟିଏ ଆବୋରି ହୋଇ ବାନ୍ଧି ହୋଇଥାଏ । ପତ୍ରଗୁଡ଼ିକ ଖସମସିଆ ହୋଇଥାଏ ।

ଉଦାହରଣ - ଇମ୍ପରିଏଲ ୮୪୭ ଆଦି ବିଭିନ୍ନ କିସମର ଚାଷ କରାଯାଏ ।

ଫତୁରି ବା ଖୋଲା ପତ୍ରଯୁକ୍ତ ଲେଟୁସ

ଏହାର ପତ୍ରଗୁଡ଼ିକ ଗୋଟି ଗୋଟି ହୋଇ ଗୋଟିଏ ଜାଗାରୁ ଗୁଚ୍ଛପରି ହୋଇ ବଢିଥାଏ । ପତ୍ରଗୁଡ଼ିକ ଗୋଟିକ ପରେ ଗୋଟିଏ ହୋଇ ବଢିନଥାନ୍ତି । ଏହି ପ୍ରକାରର ଲେଟ୍ୟୁସ ଗୁଡିକ ଶୀଘ୍ର ବଢିଥାନ୍ତି ।

ଉଦାହରଣ – ଚେଇନିଜ ଏଲୋ, ସ୍ଲୋବୋଲଟ ଇତ୍ୟାଦି ।

ଏହା ଛଡା ବଟର ହେଡ ପ୍ରକାରର ଲେଟ୍ୟୁସ ଗୁଡିକ କ୍ରିସ୍ପ ଲେଟ୍ୟୁସ ପରି । ଏହାର ପତ୍ରଗୁଡିକ ଚିକଣ, ସୂକ୍ଷ୍ମ ଶିରାଯୁକ୍ତ, ପତ୍ରଗୁଡ଼ିକ କୋମଳ ଓ ଲହୁଣି ପରି ମହକ ଥାଏ ।

ପୂର୍ବୋକ୍ତ ପ୍ରକାର ଛଡା ନାନା ପ୍ରକାର ଲେଟ୍ୟୁସ ମଞ୍ଜି ବିକ୍ରି ହୋଇଥାଏ । ଯେପରି ବିରାବୋଷ୍ଟନ, ବରପିଏନ, ଗ୍ରେଟଲେକ, ୱେ ହେଡ, ନ୍ୟୁୟାର୍କ ବା ୱାଣ୍ଡରଫୁଲ, ବ୍ଲକସିଡେଡ ସିମସନ, ଗୋଲଡନ ବାଲ, ଏ.ଆଇ.ୟୁନିଭର୍ସଲ, ଲିଟିଲ ଜେମ, ଆଇସ ବେର୍ଗ, ଇମ୍ପାରିଏଲ, ପେରିସକସ ଇତ୍ୟାଦି ।

ଚାଷ ପ୍ରଣାଳୀ – ଲେଟ୍ୟୁସ ହେଉଛି ଶୀତ ଦିନିଆ ଫସଲ । ମଞ୍ଜି ଗୁଡିକ ଅଙ୍ଗୁରଣ ହେବା ଲାଗି ୮୦ ଫ.ହି . ରୁ ଅଧିକ ଉତ୍ତାପ ଦରକାର କରେ ନାହିଂ ଗରମ ଓ ଶୁଷ୍କ ଜଳବାୟୁରେ ଶାଗୁଆ ରଙ୍ଗପରି ପତ୍ରଗୁଡ଼ିକ ପିତାଲାଗେ ଓ ଟାଣ ହୋଇଥାଏ । ବନ୍ଧାକୋବି ସଦୃଶ୍ୟ ଲେଟ୍ୟୁସ ଗୁଡିକ ଅଧିକ ଥଣ୍ଡା ଦରକାର କରିଥାଏ । ଦୋରସା ଓ ବହୁପରିମାଣରେ ଜୈବିକ ପାଦାର୍ଥ ଥିବା ମୃତ୍ତିକା ଏହି ଫସଲ ଲାଗି ଉତ୍ତମ । ମୃତ୍ତିକା ଜଳୀୟ ଅଂଶ ଉଦ୍ଭିଦ ଖାଦ୍ୟ ଥିବା ଆବଶ୍ୟକ । ଅକ୍ଟୋବର ମାସରେ ଲେଟ୍ୟୁସ ଚାରା ରୋପଣ କରିବା ଭଲ ।

ଏହା ୪ ରୁ ୬ ସପ୍ତାହ ପୂର୍ବରୁ ପଟାଳିରେ ଚାରା ଉତ୍ତାରିବା ଲାଗି ମଞ୍ଜି ବୁଣାଯାଏ । କ୍ଷେତକୁ ଭଲ ଭାବେ ଚାଷ କରି ସମତଳ କରାଯାଏ । ବନ୍ଧାକୋବି, ଫୁଲକୋବି ଲାଗି କ୍ଷେତ ପ୍ରସ୍ତୁତି କଲାପରେ ବନ୍ଧା ବା ଫୁଲକୋବି ଧାଡି ଭିତରେ ଲେଟ୍ୟୁସ ଲଗାଯାଇଥାଏ । ପୁରା ଫସଲ ଲଗାଗଲେ ଧାଡି ମଧ୍ୟରେ ୧୮° ଓ ଗଛ ମଧ୍ୟରେ ୧୨° ବ୍ୟବଧାନ ରାଖୀ ଚାରା ରୋପଣ କରାଯାଏ । ଏହି ଫସଲ ହେକ୍ଟର ପ୍ରତି ୭୫ କେ.ଜି. ପଟାସ ଦରକାର କରେ । ୨୫ ରୁ ୩୭.୫ ଗାଡି ଗୋବରଖତ ପ୍ରୟୋଗ କରି ଚାରା ରୋପଣ କରାଯାଇପାରେ । ଦରକାର ମୁତାବକ ଜଳ ସେଚନ କରାଯାଏ । କେହି କେହି ଜଳ ସେଚନ କରିବା ପୂର୍ବକୁ ଗଛ ପ୍ରତି ୧୦ ଗ୍ରାମ ଏମୋନିଏମ ସଲଫେଟ ପ୍ରୟୋଗ କରିଥାନ୍ତି । ହେକ୍ଟର ପ୍ରତି ୯୦ କ୍ଵିଣ୍ଟାଲ ଲେଟ୍ୟୁସ ଅମଳ ହୋଇଥାଏ ।

ଆଧାର – ଡ଼ଃ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ, କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 7/23/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate