অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟାବସାୟିକ ପାତାଳ ଗରୁଡ଼ ଚାଷ

ପାତାଳ  ଗରୁଡ଼କୁ ଇଂଲିଶରେ ସର୍ପେଣ୍ଟିନା ରୁଟ୍ ବା ରାଉଲଫଆ ରୁଟ୍ କହନ୍ତି । ଏହାର ବୈଜ୍ଞାନିକ ନାମ ରାଉଣ୍ଡେଭାଲଫିଆ ସର୍ପେଣ୍ଟିନା । ଏହା ଅପୋସିନାସି ବଂଶ ଅନ୍ତର୍ଗତ। ଏହାକୁ ଓଡ଼ିଆରେ ସର୍ପଗନ୍ଧା ମଧ୍ୟ କୁହାଯାଏ ।

ପାତାଳ ଗରୁଡ଼ ଗଛର ଚେର ଔଷଧ ରୂପେ ବ୍ୟବହାର କରାଯାଏ।ବିଭିନ୍ନ ପ୍ରକାର ମାଟି ଯଥା- ବାଲିଆ ପଟୁ ଦୋରସା ମାଟିଠାରୁ ଲାଲ କଙ୍କଡ଼ ଯୁକ୍ତ ଦୋରସା ମାଟି କିମ୍ବା କୃଷ୍ଣ କାର୍ପାସ ମାଟିରେ ଏହି ଚାଷ କରାଯାଇପାରେ।

ପ୍ରାକୃତିକ ପରିବେଶରେ ଏହା ଅଧିକ ଜୈବ ସାରଯୁକ୍ତ କାଦୁଆ ଦୋରସା ମାଟିରେ ବଢିଥାଏ । ମାଟିର ଅମ୍ଳତା ୪.୬ ରୁ ୬.୨ ମଧ୍ୟରେ ରହିବା ଆବଶ୍ୟକ।

କିସମ ଓ ପ୍ରଜାତି

ନିର୍ବାଚନ ପ୍ରକ୍ରିୟାରେ ଆର୍.ଏସ୍. -୧ କିସମ ପାତାଳ ଗରୁଡ ବାହାର କରାଯାଇଛି, ଯାହାକି ହେକ୍ଟର ପ୍ରତି ୨୫ କୁଇଣ୍ଟାଲ ଶୁଖିଲା ଚେର ଅମଳ ଦେଇଥାଏ । ଏହାର ମଞ୍ଜିର ୫୦ – ୬୦% ଗଜା ହେବା ଶକ୍ତି ୭ମାସ ପର୍ଯ୍ୟନ୍ତ ରହିଥାଏ ଏବଂ ଯଦି ଦେଢ ବର୍ଷ ପରେ ଖୋଳାଯାଏ ଏହାର ଚେରରେ ଅଧିକ ପରିମାଣରେ କ୍ଷାରଦ (୧.୬୪ରୁ ୨.୯୪%) ଥାଏ ।  ପାତାଳ ଗରୁଡ଼ର ଅନ୍ୟ ଏକ ପ୍ରଜାତି ଅଛି, ଯାହାକୁ ଗାଇଆ ପାତାଳ ଗରୁଡ଼ା କହନ୍ତି ।

ବିହନ

ମଞ୍ଜି, ଗଣ୍ଠିଯୁକ୍ତ ଚେର କିମ୍ବା ଡାଳକଲମୀ ଦ୍ଵାରା ପାତାଳ ଗରୁଡ଼ର ବଂଶ ବିସ୍ତାର କରାଯାଇଥାଏ । ତେବେ କଲମୀ ଅପେକ୍ଷା ଗଣ୍ଠିଯୁକ୍ତ ଚେର ଅଧିକ ଏବଂ ସର୍ବୋପରି ମଞ୍ଜି ଦ୍ଵାରା ବଂଶ ବିସ୍ତାର କରି ଚାଷ କଲେ ସର୍ବାଧିକ ଅମଳ ମିଳିଥାଏ । ତେଣୁ ବ୍ୟବସାୟିକ ଚାଷରେ ମଞ୍ଜି ବ୍ୟବହାର କରାଯାଏ । ହେକ୍ଟର ପ୍ରତି ୬ କିଲୋଗ୍ରାମ୍ ମଞ୍ଜି କିମ୍ବା ୧ କୁଇଣ୍ଟାଲ ଚେର କିମ୍ବା ୩୪.୧୦୦ ଖଣ୍ଟ କଟା ତାଳ କଲମୀ ଆବଶ୍ୟକ ହୋଇଥାଏ I

ଚାରା ପ୍ରସ୍ତୁତି

ପ୍ରଥମେ ମଞ୍ଚିଗୁଡ଼ିକୁ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ସଂଗ୍ରହ କରି ଉପଯୁକ୍ତ ପଦ୍ଧତିରେ ସାଇତି ରଖନ୍ତୁ। ଏହାକୁ ମେ' ମାସ ଆରମ୍ଭରେ ପ୍ରାୟ ୨୪ ଘଣ୍ଟା ପାଣିରେ ଭିଜାଇବା ପରେ ପୁଣି ଲୁଣପାଣିରେ ପ୍ରାୟ ୩୦ ମିନିଟ୍ ବୁଡ଼ାଇ ରଖନ୍ତୁ। ଏହା ପରେ କାର୍ବେଣ୍ଡାଜିମ୍ ଦ୍ଵାରା ବିଶୋଧନ କରି (୧ କିଲୋଗ୍ରାମ ବିହନ ପ୍ରତି ୨ ଗ୍ରାମ) ତଳି ପଟିରେ ବୁଣନ୍ତୁ । ପାଣିରେ ଭିଜାଇବା ପୂର୍ବରୁ ପାଣି ବ୍ୟବହାର କରି ଭାସମାନ ପଦ୍ଧତିରେ ଓଜନିଆ ମଞ୍ଜି ବିହନ ପାଇଁ ନିର୍ବାଚନ କରାଯାଏ । ତଳି ପଟାଳିଗୁଡ଼ିକ ଆଶିକ ଛାଇ ଥିବା ସ୍ଥାନରେ କରନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ମାଟିରେ ବର୍ଗମିଟର ପ୍ରତି ୧ କିଲୋଗ୍ରାମ ହିସାବରେ ଖତ ପ୍ରୟୋଗ କରି ୩୦ ସେମି ଉଚ୍ଚତା ବିଶିଷ୍ଟ ପଟାଳି ତିଆରି କରାଯାଏ । ବିଶୋଧିତ ମଞ୍ଜିଗୁଡ଼ିକୁ ୫୦୦ ବର୍ଗମିଟର ସ୍ଥାନରେ ତଳି ପକାଇବା ଦରକାର ହୋଇଥାଏ । ମଞ୍ଜିଗୁଡ଼ିକୁ ୬ ସେମି ବ୍ୟବଧାନରେ ଓ ୧ ମିମି ଗଭୀରରେ ବୁଣି ଜଳସେଚନ କଲେ। ବୁଣିବାର ୧୫ ଦିନ ପରେ ମଞ୍ଜିରୁ ଗଜା ବାହାରିବା ଆରମ୍ଭ ହୋଇ ୪୫ ଦିନ ପର୍ଯ୍ୟନ୍ତ ଗଜା ବାହାରିଥାଏ । ଚାରାଗୁଡ଼ିକ ୪ରୁ ୬ ପତ୍ର ବିଶିଷ୍ଟ କିମ୍ବା ୪୦ରୁ ୪୫ ଦିନର ହେଲେ ରୋପଣ ଉପଯୋଗୀ ହୁଏ ।

ଚେର କଟିଂ ଦ୍ଵାରା ଚାରା ପ୍ରସ୍ତୁତ କରବାକୁ ହେଲେ ୨ ରୁ ୫ ସେମ ଲମ୍ବ ଓ ୦.୨୫ ସେମି ମୋଟର କଟା ଚେରକୁ ଖତ, ବାଲି ଓ ମାଟିମିଶା ପଲିଥିନ୍ ରେ କିମ୍ବା ତଳି ପଟାଳିରେ ଲଗାଇ ଦିଆଯାଏ, ଯେପରିକି ମାଟି ଉପରକୁ ଏହା ୧ ସେମି ଦେଖାଦେବ । ମାର୍ଚ୍ଚରୁ ଏପ୍ରିଲ ମାସରେ ପୋତି ଜଳସେଚନ କଲେ ମୋ' ମାସ ବେଳକୁ ୫୦ ଭାଗ କଟି ଅଙ୍କୁରିତ ହୋଇଥାଏ । ଏଗୁଡ଼ିକୁ ପଲିଥିନ୍ ରେ ରଖି ରୋପଣ କରାଯାଏ ।

କାଣ୍ଡ, କଲମୀ ପ୍ରଣାଳୀରେ ୧୫ରୁ ୨୦ ସେମି ଲମ୍ବ ବିଶିଷ୍ଟ ୩ ଆଖୁ ବିଶିଷ୍ଟ ଟାଣ ଡାଳକୁ ୩୦ ପିପିଏମ୍ ଇଣ୍ଡଲ ଏସିଟିକ୍ ଅମ୍ଳରେ ୧୨ ଘଣ୍ଟା ବୁଡ଼ାଇବା ପରେ ଏପ୍ରିଲ ମାସରେ ପଟାଳିରେ ଲଗାଇଲେ ୩ରୁ ୪ ଦିନ ଭିତରେ କୁଆଁ ବାହାରେ । ଏଗୁଡ଼ିକୁ ପଲିଥିନ ମୁଣାରେ ପୋତି ୭୫ ଦିନ ପରେ ରୋପଣ କରାଯାଏ ।

ଖତ, ସାର

ହେକ୍ଟର ପ୍ରତି ୧୦ ଟନ୍ ଖତ ଏବଂ ୧୦୦:୪୫:୪୫ କିଲୋଗ୍ରାମ ଅନୁପାତରେ ଯବକ୍ଷାରଜାନ,ଫସଫରସ ଓ ପଟାସ ସାର ଆବଶ୍ୟକ ହୋଇଥାଏ ।  ଏହା ବ୍ୟତୀତ ୨୫୦ କିଲୋଗ୍ରାମ୍ ନିମ୍ବ ପିଡ଼ିଆ ମଧ୍ୟ  ଆବଶ୍ୟକI

ଜମି ପ୍ରସ୍ତୁତି ଓ ରୋପଣ

ମୌସୁମୀ ବର୍ଷାର ସୁଯୋଗ ନେଇ ମାଟିକୁ ଗଭୀର ଚାଷ କରି ଖତ ମିଶାଇ ଦିଅନ୍ତୁ। ଜୁଲାଇ ମାସରେ ୪୫ ସେମି ବ୍ୟବଧାନରେ ସିଆର କାଟି ସେଥିରେ ହେକ୍ଟର ପ୍ରତି ୨୫୦ କିଲୋଗ୍ରାମ ନିମ୍ବ ପିଡ଼ିଆ, ୨୦ କିଲୋଗ୍ରାମ ଯବକ୍ଷାରଜାନ, ୪୫ କିଲୋଗ୍ରାମ ପଟାସ ଓ ୪୫ କିଲୋଗ୍ରାମ, ଫସଫରସ ମିଶାନ୍ତୁ । ଅପରାହ୍ମରେ ତଳି ପଟାଳିରୁ ଯତ୍ନର ସହ ଚାରା ଉପାଡ଼ି (ଯେପରି ଚେର ଛିଣ୍ଡି ନ ଯାଏ) ସିଧା ଭାବରେ ୩୦ ସେମି ବ୍ୟବଧାନରେ ଲଗାନ୍ତୁ । ଚେର ଯେପରି ବାଙ୍କି ନ ଯାଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହାପରେ ଜଳସେଚନ କରନ୍ତୁ ।

ଜଳ ପରିଚାଳନା

ଚାଷ ଜମିରେ ଚାରା ଲଗାଇବା ପରେ ଜଳସେଚନ କରନ୍ତୁ । ଶୀତଦିନରେ ୨୦ ଦିନ ବ୍ୟବଧାନରେ ଏବଂ ଖରାଦିନେ ୧୦ ଦିନ ଅନ୍ତରରେ ଜଳସେଚନ କରନ୍ତୁ। ଜଳସେଚନ ବେଳେ ଯେପରି ଜଳ ଅଧିକ ସମୟ ଜମି ନ ରହେ ଏବଂ ବର୍ଷାଦିନେ ଉତ୍ତମ ଭାବରେ ଜମିରୁ ଜଳ ନିଷ୍କାସିତ ହେବା ଉପରେ ଦୃଷ୍ଟି ଦିଅନ୍ତୁ । ନୋହିଲେ ଚେର ଅମଳ କମିଯିବ । ନିପାଣିଆ ଚାଷରେ ଅମଳ କମ୍ ହୁଏ ।

ଅନ୍ତଃ ଚାଷ

ପ୍ରଥମ ବର୍ଷ ଲଗାଇବା ପରେ ଅନ୍ତତଃ ୨ ଥର ବର୍ଷା ଦିନରେ ଘାସ ବାଛି କୋଡ଼ାଖୁସା କରି ପ୍ରତିଥରରେ ହେକ୍ଟର ପ୍ରତି । ୨୦ କିଲୋଗ୍ରାମ ହିସାବରେ ଯବକ୍ଷାରଜାନ ସାର ଡିସେମ୍ବର ସୁଦ୍ଧା ପ୍ରୟୋଗ କରାଯାଏ । ଦ୍ଵିତୀୟ ବର୍ଷ ମଧ୍ୟ ଥରେ ବା ଦୁଇଥର ଘାସ ବାଛି, ହେକ୍ଟର ପ୍ରତି ୪୦ କିଲୋଗ୍ରାମ ଯବକ୍ଷାରଜାନ ପ୍ରୟୋଗ କରି କୋଡ଼ା ଖୁସା କରାଯାଏ । ସାର ପ୍ରୟୋଗ ପରେ ଜଳସେଚନ ଆବଶ୍ୟକ । ପାତାଳ ଗରୁଡ଼କୁ ଅନ୍ତଃ ଫସଲ ଭାବରେ ଆମ୍ବ, ପଣସ, ଅଁଳା ଇତ୍ୟାଦି ଫଳ ବଗିଚାରେ ଚାଷ କରାଯାଇପାରେ।

ରୋଗ ଓ ପୋକ ପରିଚାଳନା

ଚେର ଗଣ୍ଠି ସୂତ୍ରଜୀବ, ପତ୍ରମୋଡ଼ା ପୋକ, ପତ୍ର ଖୁଆ ଶୂଳ ଏବଂ ଧବଳଭୃଙ୍ଗ ଚାରା ଗୁଡ଼ିକୁ କାଟି ପକାଇବା ଦ୍ଵାରା ଫସଲର ବିଶେଷ କ୍ଷତି ହୋଇଥାଏ । ସେହିଭଳି ପତ୍ରଦାଗ ରୋଗ ଏବଂ ସାହେବୀ ରୋଗ ଫସଲର କ୍ଷତି କରନ୍ତି । ବିହନ ବିଶୋଧନ ଓ ମାଟିରେ ନିମ୍ବ ପିଡ଼ିଆ ପ୍ରୟୋଗ ହୋଇଥିଲେ ପୋକ ରୋଗ କମ୍ ହୋଇଥାଏ । ପରବର୍ତ୍ତୀ ଅବସ୍ଥାରେ ଫସଲ ଉପରେ ଶତକଡ଼ା ୦.୫ ଭାଗ ନିମ୍ବ ତେଲ ଏବଂ ବୋର୍ଡୋ ଦ୍ରବଣ । ୧% ସିଞ୍ଚନ କରି ଯଥାକ୍ରମେ ପୋକ ଓ ରୋଗ ନିୟନ୍ତ୍ରଣ କରାଯାଇପାରିବ ।

ସଂଗୃହିତ - ଡା. ସୁବାଷ ଚନ୍ଦ୍ର ସ୍ଵାଇଁ ଆସୋସିଏଟ୍ ପ୍ରଫେସର ହର୍ଟିକଲଚର, ଓୟୁଏଟି, ଭୁବନେଶ୍ଵର,



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate