କାକୁଡିକୁ ସାଧାରଣତଃ ଖରାଦିନିଆ ଫସଲ ରୂପେ ଆଖ୍ୟା ଦିଆଯାଇଥାଏ । କାରଣ ଅନ୍ୟାନ୍ୟ ଋତୁରେ ଏହାକୁ ଚାଷ କରାଯାଉଥଲେ ସୁଦ୍ଧା ଗ୍ରୀଷ୍ମ ଋତୁରେ ଏହାର ଉପାଦେୟତା ଅଧିକ ପରିଲକ୍ଷିତ ହୋଇଥାଏ । ଯେହେତୁ ଏଥରେ ଜଳୀୟ ଅଂଶ ବହୁ ପରିମାଣରେ ଥାଏ ଏବଂ ଏହା କୋଷ୍ଠ କାଠିନ୍ୟ ଓ ଡାଇବେଟିସ ରୋଗୀଙ୍କ ପାଇଁ ହିତକାରୀ । ତେଣୁ ଖରାଦିନରେ ଏହାର ଉପାଦେୟତା ଅଧିକ । କାକୁଡି ସାଧାରଣତଃ ଉତ୍ତମ ସୂର୍ଯ୍ୟାଲୋକ ଓ କମ୍ ଆର୍ଦ୍ରତାଯୁକ୍ତ ଜଳବାୟୁ ଦରକାର କରିଥାଏ । ୧୮-୩୦ ଡିଗ୍ରୀ ସେଲସିୟସ ଉତ୍ତାପରେ ମଞ୍ଜି ଅଙ୍କୁରୋଦଗମ ହୋଇଥାଏ । ୧୧ ଡିଗ୍ରୀ ସେଲସିୟସରୁ କମ୍ ଉତ୍ତାପରେ ମଞ୍ଜି ଗଜା ହୁଏ ନାହିଁ । ସାଧାରଣତଃ ଉର୍ବର, ନିଗିଡା, ଦୋରସାରୁ ବାଲିଆ ଦୋରସା ମାଟି, ଯେଉଁଥରେ ଅମ୍ଳତା ୫.୫ ରୁ ୬.୮ ଥାଏ । ସେଥିରେ ଏହି ଚାଷ ହୋଇଥାଏ । ନଦୀ ପଠା ଓ ଶଯ୍ୟରେ ମଧ୍ୟ ଏହି ଚାଷ କରାଯାଇପାରିବ । ସବୁବେଳେ ଚାଷା ଭାଇମାନେ ଧାନରେ ରଖିବା ଉଚିତ ଯେ, କୌଣସି ପନିପରିବା ଚାଷ କରିବା ପୂର୍ବରୁ ତା’ର କିସମ ଉପରେ ବିଶେଷ ଭାବରେ ଧାନ ଦେବାକୁ ପଡିଥାଏ । ଗୋଟେ ଭଲ କିସମରୁ ହିଁ ଭଲ ଅମଳ ମିଳିଥାଏ । ତେଣୁ କାକୁତି ଚାଷରେ ମଧ୍ୟ କିସମ ପ୍ରତି ଧାନ ଦେବା ନିହାତି ଦରକାର । କିସମ ଖରାଦିନରେ ଚାଷ କରିବା ପାଇଁ କେତୋଟି ଭଲ କାକୁଡ଼ି କିସମଗୁଡିକ ହେଲା: ଜାପାନିଜ ଲଙ୍ଗ୍ ଗ୍ରୀନ, ଷ୍ଟେଟ୍ ଏଇଟ, ଜେମିନି, ଚାଇନା ଲଙ୍ଗ, ହିମାଙ୍ଗି, ଫୁଲେ ଶୁଭ୍ରାଙ୍ଗୀ, ପୁଷା ସମନ୍ୱୟୋଗ, ପୋଏନ୍ସେଟ୍ ଇତ୍ୟାଦି (ପୋଏନ୍ସେଟ୍ କିସମଟି ପାଉଁଶିଆ, ଡାଉନି ମିଲଡିଉ, ଆନ୍ଥାକ୍ନୋଜ ଏବଂ ପତ୍ରଦାଗ ଇତ୍ୟାଦି ରୋଗକୁ ସହ୍ୟ କରିପାରେ) । ସାଧାରଣତଃ ମଞ୍ଜି ଦ୍ଵାରା ଏହାର ବଂଶବିସ୍ତାର ହୋଇଥାଏ । ହେକ୍ଟର ପିଛା ୩-୪ କେ.ଜି. ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜି ଲଗାଇବା ପୂର୍ବରୁ ୧ କେ.ଜି. ମଞ୍ଜି ପିଛା ୨ ଗ୍ରାମ କାପଟାନ କିମ୍ବା ଥରାମ ଗୁଣ୍ଡକୁ ମଞ୍ଜି ସହ ମିଶାଇ ବିଶୋଧନ କରନ୍ତୁ । ତା' ପରେ ବିଶୋଧିତ ମଞ୍ଜିକୁ ମୁଖ୍ୟ କିଆରିରେ ମନ୍ଦାକରି ଲଗାନ୍ତୁ । ପ୍ରଥମେ ଜମିକୁ ୩-୪ ଓଡ଼ ଚାଷ କରନ୍ତୁ । ଶେଷ ଓଡ଼ଚାଷ ସମୟରେ ୨୫-୩୦ ଟନ ଶତ୍ମା ଗୋବରଖତ ସହିତ ୨୫ କେ.ଜି. କ୍ଲୋରୋପାଇରିଫସ ଗୁଣ୍ଡ ମାଟିରେ ଭଲ ଭାବରେ ମିଶାଇ ମାଟିକୁ ଉପର ତଳ କରି ସମତଳ କରିଦିଅନ୍ତୁ । ରଞ୍ଜା ଦ୍ଵାରା ଚାଷ କରୁଥଲେ ଧାଡିକୁ ଧାଡି ୧.୫ରୁ ୨ ମି. ଦୂରତା ଏବଂ ମନ୍ଦାକୁ ମନ୍ଦା ୬୦-୯୦ ସେ.ମି. ଦୂରତା ରଖୁବା ଆବଶ୍ୟକ । ତା' ପରେ ମନ୍ଦା ପିଛା ୩-୪ ଗୋଟି ମଞ୍ଜି ପୋତି ଦିଅନ୍ତୁ । ସାଧାରଣତଃ ହେକ୍ଟର ପିଛା ୧୦୦ କେ.ଜି. ଯବକ୍ଷାରଜାନ, ୫୦ କେ.ଜି. ଫସଫରସ ଏବଂ ୫୦ କେ.ଜି. ପଟାସ ଦରକାର ହୋଇଥାଏ । ମଞ୍ଜି ଲଗାଇବା ସମୟରେ ୫୦ କେ.ଜି. ଅଧା ଯବକ୍ଷାରଜାନ, ପୁରା ଫସଫରସ ଏବଂ ପୁରା ପଟାସ ପ୍ରୟୋଗ କରନ୍ତୁ। ଗଛ ୩୦ ଦିନର ହୋଇଗଲେ ପ୍ରଥମ କୋଡା ଖୋସା କରି ଅନାବନା ଘାସମାନ ବାଛି ଦିଅନ୍ତୁ ଏବଂ ଅବଶିଷ୍ଟାଶ ୫୦ କେ.ଜି. ଯବକ୍ଷାରଜାନ ପ୍ରୟୋଗ କରିଦିଅନ୍ତୁ । ମଞ୍ଜି ଲଗାଇବାର ୩୦-୩୫ ଦିନ ଏବଂ ୪୫-୫୦ ଦିନରେ ଦୁଇଥର ମିଶ୍ରିତ ଅଶୁସାର ହିସାବରେ ବୋରନକୁ ୩ ଗ୍ରାମାଲି ପାଣିରେ ମିଶାଇ ସିଞ୍ଚନ କଲେ। ଫଳକଷି ଝଡେନାହିଁ ଏବଂ ଅମଳ ମଧ୍ୟ ଭଲ ମିଳିଥାଏ । ମନ୍ଦା ପିଛା ୨-୩ଟି ଗଛ ରଖୁ ବାକି ଗଛକୁ ଉପାଡି ଦିଆଯାଏ । ଗଛ ୨-୩ ପତ୍ରର ହୋଇଗଲେ ଇଥେଫନ (୦.୧ ଗ୍ରାମ/ଲି ପାଣିରେ) ମିଶାଇ ସିଞ୍ଚନ କଲେ ମାଈ ଫୁଲର ପରିମାଣ ବଢିଥାଏ । କାକୁଡି ଗଛ ସାଧାରଣତଃ ଅତ୍ୟଧିକ ପାଣି ଜମିବାକୁ ସହ୍ୟ କରିପାରେ ନାହିଁ । ସେଥିଯାଇଁ ପାଣିର ବତର ଦେଖି ୫-୬ ଦିନ ଅନ୍ତରରେ ଜଳସେଚନ କରନ୍ତୁ । କାଟଛାଣ୍ଟ ରଞ୍ଜା ପଦ୍ଧତିରେ ଚାଷ କଲେ। ଫଳର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଭଲ ଅମଳ ମଧ ମିଳିଥାଏ । ରଞ୍ଜା ପଦ୍ଧତିରେ ସାଧାରଣତଃ ‘ଜାପାନିଜ ଲଙ୍ଗ୍ ଗ୍ରୀନ ଏବଂ ପୁଷା ସଞ୍ଜୋଗ’ । ଏହି ଦୁଇଟି କିସମକୁ ଆମେ ଚାଷ କରିପାରିବା । ଗଛର ସାଧାରଣତଃ ୧୦ ଗଣ୍ଠି ପର୍ଯ୍ୟନ୍ତ ଛାଡି ତା' ପରେ ଗଛର ଅଗ୍ରଭାଗକୁ ଛିଣ୍ଡାଇ ଦିଆଯାଏ । ଏହାଦ୍ଵାରା ଗଛ ଶାଖା ପ୍ରଶାଖା ମେଲାଇ ଝଙ୍କାଳିଆ ହେବା ସହ ଫୁଲ ଓ ଫଳ ଅଧିକ ପରିମାଣରେ ଧାରଣ କରିଥାଏ । କାକୁଡି, ଫଳକୁ ଫଳମାଛି ନାମକ ଏକ ପୋକ ଆକ୍ରମଣ କରିଥାଏ । ସେଥିପାଇଁ ସାଇପରମେଥ୍ରିନ୍ (୨ ମି.ଲି.) + ୧୦ ଗ୍ରାମ ଗୁଡ ୧ ଲି ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ପାଉଁଶିଆ ରୋଗ ଲାଗି ୨ ଗ୍ରାମ ସଲଫେକୁ ଗୁଣ୍ଡକୁ ୧ ଲି ପାଣିରେ ମିଶାଇ ସିଞ୍ଚନ କରନ୍ତୁ । କାଙ୍କେଡିଆ ପୋକ ପାଇଁ ଟ୍ରାଇଥାଜୋଫସ (୧ମି.ଲି.) + ନିମ୍ବତେଲ (୫.ମି.ଲି.) ୧ଲି ପାଣିରେ ମିଶାଇ ସିଞ୍ଚନ କଲେ କାଷ୍ଟ୍ରୋଙ୍କଡିଆ ପୋକର ପ୍ରାଦୁର୍ଭବରୁ କାକୁଡିକୁ ରକ୍ଷା କରିହେବ । ଗଛ ଲଗାଇବାର ୬୦-୭୦ ଦିନ ପରେ ଏହା ଅମଳ ଉପଯୋଗୀ ହୋଇଥାଏ । ଫଳ କଞ୍ଚା ଓ ସବୁଜ ଥିବା ଅବସ୍ଥାରେ ଏବଂ ଫଳକୁ ୭-୧୦ ସେ.ମି. ଲମ୍ବା ହୋଇଥିଲା ବେଳେ ଅମଳ କରନ୍ତୁ । ଫଳକୁ ୫-୬ ଦିନ ବ୍ୟବଧାନରେ ତୋଳନ୍ତୁ । ହେକ୍ଟର ପିଛା ୮୦ - ୧୨୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଜୈବସାର ପରିଚାଳନା ବର୍ତ୍ତମାନ ସମୟ କାକୁଡ଼ି ଚାଷ ପାଇଁ ଉପଯୁକ୍ତ ଅଟେ । କାକୁଡ଼ି ପାଇଁ ନିଗିଡ଼ା ତଥା ଦୋରସା ମାଟି ବେଶ୍ ଉପଯୋଗୀ । ଏହାର ଉନ୍ନତ କିସମ ମଧ୍ୟରେ ପୋଏନ୍ ସେଟ୍ ସୁପ୍ରିୟା ପୂଷା ସଂଯୋଗ, ହିମାଙ୍ଗୀ ଆଦି କିସମ ଅନ୍ୟତମ । ମାତ୍ର ଦେଶୀ କିସମ ଅଧିକ ସ୍ଵାଦଯୁକ୍ତ ତଥା ରୋଗପୋକ ସହଣୀୟ କ୍ଷମତା ଅଧିକ ରଖିଥିବାରୁ ତା’ର ଚାହିଦା ସବୁବେଳେ ରହିଥାଏ । ଏକ ଏକର ପାଇଁ ପ୍ରାୟ ୧ କେଜି ବିହନ ଆବଶ୍ୟକ । ମଞ୍ଜିକୁ ୬ ରୁ ୧୨ ଘଣ୍ଟା ବଡୁରାଇ ୨ଗ୍ରାମ୍ ଟ୍ରାଇକୋଡ଼ର୍ମା ଭିରିଡ଼େ ଦ୍ଵାରା ଉପଚାର କରିବା ପରେ ଗାତ ପ୍ରତି ୪-୫ଟି ମଞ୍ଜି ବତର ଥିବା ମାଟିରେ ଲଗାଯାଏ । ଗୋଟିଏ ଏକର ଜମିରେ ପ୍ରାୟ ୨୫୦୦ ରୁ ୪୦୦୦ଟି ମନ୍ଦା ରହିଥାଏ । ଲଗାଇବା ସମୟରେ ୧-୧.୫ ମିଟର ଦୂରତା ରକ୍ଷା କରାଯାଇଥାଏ । କାକୁଡ଼ି ଫସଲ ଅଧିକ ଉର୍ବର ବତର ତଥା ହ୍ୟୁମସ୍ ଯୁକ୍ତ ମୃତ୍ତିକା ଆବଶ୍ୟକ କରୁଥିବାରୁ ସଢ଼ା ଗୋବର ଖତ, କୋମ୍ପାଷ୍ଟ (ସୋରିଷ ପିଡିଆ) ତଥା ଘନ ଜୈବିକ ଖତ, ରକ୍ତ ଗୁଣ୍ଡ ଇତ୍ୟାଦି ଖତସାର ବ୍ୟବହାର କରନ୍ତୁ । ଚାରା ବଡ଼ ହେବା ପରେ ରଞ୍ଜା ଆବଶ୍ୟକ କରିଥାଏ । ମାଟିର ଆର୍ଦ୍ଧତା ବଜାୟ ରଖୁବା ପାଇଁ ୨ ଇଞ୍ଚ ବହଳର ନଡ଼ା ବା ଅନ୍ୟ କୌଣସି କୈବ ଆଚ୍ଛାଦନୀ ବ୍ୟବହାର କରନ୍ତୁ । ଅନ୍ତଃ ଫସଲ ହିସାବରେ ମକା ଏବଂ ସୂର୍ଯ୍ୟମୁଖୀ ଚାଷ କରିବା ଲାଭଦାୟକ କାରଣ ଏମାନେ କାକୁଡ଼ି ପାଇଁ ରଞ୍ଜାର କାର୍ଯ୍ୟ କରିଥାନ୍ତି । କୀଟ ନିୟନ୍ତ୍ରଣ ପାଇଁ ନିମ୍ବ ତଥା ନିର୍ଗୁଣ୍ଡ ଜାତ ତରଳ କୀଟନାଶକ ପ୍ରତି ଦୁଇ ସପ୍ତାହରେ ପ୍ରୟୋଗ କରନ୍ତୁ । କ୍ଷେତକୁ ସକାଳ ବେଳା ଜଳସେଚନ କରନ୍ତୁ । ଗେଣ୍ଡୁକୁ ବାଡ଼ ଫସଲ ହିସାବରେ ବ୍ୟବହାର କରାଗଲେ ଏହା ଅନେକ ପୋକଙ୍କୁ ଆକର୍ଷିତ କରି ଫସଲକୁ ସୁରକ୍ଷା ଦେଇଥାଏ । ମାତ୍ର କୌଣସି ସୁଗନ୍ଧଯୁକ୍ତ ଔଷଧ ଗଛ, ଆଳୁ, କଖାରୁ ତରଭୁଜ ଆଦି ଫସଲ ପାଖରେ କାକୁଡ଼ି ଚାଷ କରିବା ଉଚିତ ନୁହେଁ । ଏମାନଙ୍କ ପାଖରେ କାକୁଡ଼ି ଭଲ ବଢ଼ିପାରେ ନାହିଁ । ସଂଗୃହିତ – ପ୍ରାର୍ଥନା ମହାନ୍ତି କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା କିଶୋର ଚନ୍ଦ୍ର ପଣ୍ଡା, ଜୈବିକ କୃଷି ବିଶେଷଜ୍ଞ,