অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲାଭଜନକ ତରଭୁଜ ଚାଷ

ତରଭୁଜ ଚାହିଦା

ଉଦୁଉଦିଆ ଖରାର ପ୍ରଚଣ୍ଡ ରୌଦ୍ରତାପ ତଥା ଟାଣ ଖରାରେ ତରଭୁଜ ଖାଇବାକୁ କାହାକୁ ଅବା ଭଲ ନ ଲାଗେ ! ଅର୍ଥାତ୍ ଉଭୟ କ୍ଷୁଧା ଓ ତୃଷା ମେଣ୍ଟାଇବା  ସହିତ ଏହାର ସୁମିଷ୍ଟ ଖାଦ୍ୟ, ପାନୀୟ ତଥା ଉପଯୋଗୀ ପୋଷକତତ୍ତ୍ଵ ଯୋଗୁ ଧନୀଠାରୁ ଗରିବ ଓ ପିଲାଠାରୁ ବୁଢା ସମସ୍ତଙ୍କଠାରେ ଅତ୍ୟନ୍ତ ପ୍ରିୟ ହୋଇପାରିଛି । ଏଥିଯାଇଁ ସମଗ୍ର ଓଡ଼ିଶାରେ ବିଶେଷକରି ବୌଦ୍ଧ, ନବରଙ୍ଗପୁର, ଦେବଗଡ଼, ମାଲକାନଗିରି, ଫୁଲବାଣୀ, କୋରାପୁଟ ଆଦି ଆଭ୍ୟନ୍ତରୀଣ ଜିଲା ଏବଂ କଟକ, ଜଗତସିଂହପୁର, ପୁରୀ, ଯାଜପୁର ଆଦି ଉପକୂଳବର୍ତ୍ତୀ ଜିଲାରେ ବହୁଳ ଭାବେ ଚାଷ କରାଯାଇଥାଏ । କିନ୍ତୁ ବୌଦ୍ଧ ଜିଲାରେ ତରଭୁଜ ଚାଷ ଉଭୟ ଆୟତନ ଓ ଉତ୍ପାଦନ ଦୃଷ୍ଟିରୁ କୌଣସି ଗୁଣରେ କମ୍ ନୁହେଁ । ନଦୀ ଅବବାହିକାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପଯୋଗ କରି ଖରିଫ ଧାନ ପରେ କୃଷକ ପରିବାରର ସମସ୍ତ ସଦସ୍ୟ ଲାଗିପଡନ୍ତି ଏହି ଚାଷରେ । ସତେଯେପରି ଧାନ ପରେ ପରେ ଏହା ସେମାନଙ୍କର ମୁଖ୍ୟ ଫସଲ । କିନ୍ତୁ ତରଭୁଜ ଚାଷରେ ଅନେକ ସାଧାରଣ ସମସ୍ୟା ଦେଖାଯାଇଥାଏ, ଯାହାକି ଚାଷୀ ଭାଇମାନେ ଏଗୁଡିକୁ ଠିକ ସମୟରେ ଅବଗତ ହୋଇପାରିଲେ ନିଶ୍ଚିତ ରୂପେ ତରଭୁଜ ଫସଲରୁ ବେଶ୍ ଦୁଇ ପଇସା ଲାଭ ମିଳିପାରିବ ।

ଚାଷ ପ୍ରଣାଳୀ

ସାଧାରଣତଃ ତରଭୁଜ ଫସଲରେ ଜଳବାୟୁ, ମୃତ୍ତିକା , ବିହନ, ବିହନ ବିଶୋଧନ, ଖାଦ୍ୟସାର ପରିଚାଳନା, ତୃଣକ ଦମନ, ଗଛ ପତଳା କରିବା ଆବଶ୍ୟକ । ଆବଶ୍ୟକ ସ୍ଥଳେ ହର୍ମୋନ ପ୍ରୟୋଗ ପରାଗ ସଂଗମ, ଅମଳ ଓ ଅମଳ ପରବର୍ତ୍ତୀ ଯତ୍ନ ଆଦି କେତେକ ଦିଗ ଉପରେ ସବିଶେଷ ଧାନ ଦିଆଯାଉଥିଲେ ମଧ୍ୟ କିସମ ଚୟନ, ଜଳବାୟୁ, ଖାଦ୍ୟସାର ପରିଚାଳନା ତଥା ଘାସ  ନିୟନ୍ତ୍ରଣ ଓ ଗଛ ପତଳା କରିବା ହେତୁ ଏହି ଫସଲର ଅମଳ ଓ ମାନ ନିର୍ବାରଣ ହୋଇଥାଏ । ତରଭୁଜ, ଉଷ୍ଣ ଜଳବାୟୁରେ ଭଲ ଭାବେ ହୋଇପାରୁଥିବାରୁ ଫ୍ରେବୃୟାରୀ ମାସ ଏହି ଚାଷ ପାଇଁ ଉପଯୋଗୀ । କାରଣ ତାପମାତ୍ରା ୧୮-୨୧ ସେଲସିୟସରୁ କମ୍ ହେଲେ ଗଜା ହୁଏ ନାହିଁ । ଏଣୁ ୨୫-୩୦ ସେଲସିୟସ ତାପମାତ୍ରାରେ ଫସଲର ଅଙ୍କୁରଣ କ୍ଷମତା ଅଧିକଥିବାରୁ ଏହି ମାସ ଶେଷ ସୁଦ୍ଧା ଶେଷଥର ପାଇଁ ହଳ କରି ମାଟିକୁ ସମତୁଲ କରି ମନ୍ଦାରେ ଲଗାଇବା ଆବଶ୍ୟକ । ପ୍ରାୟତଃ ସମସ୍ତ ପ୍ରକାର ମାଟିରେ ତରଭୁଜ ଚାଷ ହେଉଥିଲେମଧ୍ୟ ବାଲିଆ, ଦୋରସା, ମଟାଳ ମାଟିରେ ଏହି ଚାଷ ଭଲ ଭାବେ ହୋଇଥାଏ ।

ତରଭୁତ ଫସଲରେ ଅନେକ ଗୁଣାତ୍ମକ  କିସମ ରହିଛି । ଯେପରିକି ଧନୁଷ ବ୍ଲକ୍ ଥଣ୍ଡର, ଛାକଲ୍ ମ୍ୟାଜିକ, ରିୟା, ମଧୁ, ମିଲନ, ସୁଗାର ବେବି, ସୁଗାର ବୟ, ମୋହିନୀ, ସୁରୁଚି, ସପନ୍ତ, କ୍ୟାଣ୍ଡି, ଅଗଷ୍ଟ, ଖୁସ୍ବୁ, ମଧୁବାଳା ଇତ୍ୟାଦି ସଙ୍କର କିସମ ହେକ୍ଟର ପ୍ରତି ୫୦୦ ଗ୍ରାମ ଓ ସାଧାରଣ କିସମ ହେକ୍ଟର ୮୦୦ ଗ୍ରାମ ଆବଶ୍ୟକ ହୋଇଥାଏ । କିସମଗୁଡିକ ମଧ୍ୟରୁ ବ୍ଲକ୍ ସିକନ୍ଦର, ଅଗଷ୍ଟା, ଧନୁଷ, ରିୟା, ସୁଗାର ବେବି କିସମଗୁଡିକ ଆଜିକାଲି ବହୁଳ ଭାବେ ପ୍ରଚଳିତ । ଅତଏବ ବିହନ ଗୁଡିକୁ କାର୍ବୋଣ୍ଡାଜିମ୍ କିମ୍ବା କାର୍ବୋକ୍ସିନ (ଭିଟାଭାକୁ ପାୱାର)ରେ ବିଶୋଧନ କରି ପୂର୍ବ ପ୍ରସ୍ତୁତ ମନ୍ଦାରେ ଗୋବର ଖତ ୫ କି. ଗ୍ରା. ହିସାବରେ ଲଗାଇବାକୁ ପଡ଼ିଥାଏ । ଏପରିକି ପଲିଥିନ୍ ମୁଣାରେ ମଞ୍ଜି ପକାଇ ୧୫ ଦିନର ଚାରାକୁ ଲଗାଯାଇପାରିବ । ଏହାଦ୍ଵାରା ଅଧିକ ହୃଷ୍ଟପୁଷ୍ଟ ଗଛ ବାହାରିଥାଏ ଓ ଖୁବଶୀଘ୍ର ଗଛଗୁଡିକ ବଢିଥାନ୍ତି । ସାଧାରଣତଃ ହେକ୍ଟର ପ୍ରତି ୧୦୦ କି.ଗ୍ରା. ଯବକ୍ଷାରଜାନ, ୬୦ କି.ଗ୍ରା, ଫସଫରସ ଓ ୬୦ କି.ଗ୍ରା, ପଟାସ ସାର ଆବଶ୍ୟକ ହୋଇଥାଏ । ଜମି ପ୍ରସ୍ତତି ସମୟରେ ସମସ୍ତେ ଫସଫରସ୍ ଓ ଅଧା ଯବକ୍ଷାରଜାନ ସାର ଏବଂ ଅବଶିଷ୍ଟ ଅଧା ଯବକ୍ଷାରଜାନ ସାର ସହିତ ସମସ୍ତ ପଟାସ ଗଛ ଲଗାଇବାର ୩ ସପ୍ତାହ ପରେ କୋଡାଖୁସା କରି ଘାସ ବାଛି ପ୍ରୟୋଗ କରିବାକୁ ପଡିଥାଏ । ଏପରିକି ଫସଲର ଗୁଣାତ୍ମକ ଉତ୍ପାଦକତା ବୃଦ୍ଧି ପାଇଁ ହେକ୍ଟର ପ୍ରତି ୧୦ କିଗ୍ରା ଅଣୁସାର ଓ ୪ କି. ଗ୍ରା. ବୋରନ୍ ପ୍ରୟୋଗ କରାଯାଇଥାଏ । ନଚେତ୍ ଫୁଲ ଆସିବା ସମୟରେ ଏହି ଅଣୁସାର ଲିଟର ପ୍ରତି ୨ ଗ୍ରାମ୍ ପ୍ରତି ୧୦ ଦିନ ଅନ୍ତରରେ ଦୁଇଥର ପ୍ରୟୋଗ କଲେ ସୁଫଳ ମିଳିଥାଏ ।

ଅନୁରୂପ ଭାବେ ଜଳସେଚନ ଓ ଜଳ ପରିଚାଳନା

ତରଭୁଜ ଫସଲରେ ଅନୁରୂପ ଭାବେ ଜଳସେଚନ ଓ ଜଳ ପରିଚାଳନା ଜରୁରୀ । ମାଟିର ଉପଯୁକ୍ତ ଆର୍ଦ୍ରତା ସହିତ ମାଟି ଯେପରି ଶୁଖି ଫାଟି ନ ଯାଏ, ସେଥିପ୍ରତି ବିଶେଷ ଧାନ ଦେବାକୁ ପଡିଥାଏ । ଏଣୁ ଫୁଲ କଷି ଆସିବା ଓ ଫଳ ବଢିବା ସମୟରେ ତଥା ପରିପକ୍ଵ (ଅମଳ) ପର୍ଯ୍ୟନ୍ତ ନିୟମିତ ପ୍ରତି ସପ୍ତାହରେ ଅନ୍ତତଃ ଥରେ ଜଳସେଚନ ଜରୁରୀ । ତରଭୁଜ ଫସଲରେ ଫଳମାଛି ଓ କାଣ୍ଡବିନ୍ଧା, ଫଳବିନ୍ଧା ପୋକର ସଫଳ ଦମନ ପାଇଁ ଡାଇମେଥୋଏଟ୍ ଓ ସାଇଗ୍ରମେଥିନ୍ ଲିଟର ପ୍ରତି ୨ ମିଲି ହିସାବରେ ପ୍ରୟୋଗ କରିବା ଉଚିତ । ସେହିପରି ପାଉଁଶିଆ ରୋଗ ପାଇଁ ଦ୍ରବୀଭୂତ ସଲଫର ଲିଟର ପ୍ରତି ୫ ଗ୍ରାମ ଓ କଳିକା ଭୂତାଣୁ ଏବଂ ଝାଉଁଳା ରୋଗ ଦମନ ପାଇଁ ଥାୟୋମେଥାସ୍କୋଜାମ୍, ୪ ଲିଟର ପାଣିରେ ୧ ଗ୍ରାମ ପ୍ରୟୋଗ ଜରୁରୀ ।

ଚାଷରୁ ଲାଭ

କିସମ ଅନୁସାରେ ପ୍ରାୟତଃ ୯୦-୧୧୦ ଦିନ ମଧ୍ୟରେ ତରଭୁଜ ଫସଲ ପରିପକ୍ଵ ଅବସ୍ଥାକୁ ଆସିଥାଏ । ଗଛଗୁଡ଼ିକ ସ୍ଵାଭାବିକ ଶୁଖିଗଲେ ଅମଳ ଓ ବର୍ଗୀକରଣ କରି ବିକ୍ରୟ କରାଯାଏ । ୧ ହେକ୍ଟର ଜମିରେ ପ୍ରାୟ ୪୦-୪୫ ହଜାର ଖର୍ଚ୍ଚ ହେଉଥିବା ବେଳେ ଅମଳ ବାବଦକୁ ୧ ଲକ୍ଷ ୪୦ ହଜାର ପର୍ଯ୍ୟନ୍ତ ଅର୍ଥାତ୍ ଲାଭ ୧ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଏଣୁ ଧାନ ପରେ ଜମି ଖାଲି ପଡୁଥିବାରୁ ଏହି ଚାଷ ପ୍ରତି ଗୁରୁତ୍ଵ ଦେଲେ ଚାଷରୁ ବେଶ୍ ଦୁଇ ପଇସା ଲାଭ ମିଳିବା ସହିତ ଏହି ଚାଷକୁ ବ୍ୟବସାୟିକ ରୂପ ଦେଇ ଆତ୍ମନିର୍ଭରଶୀଳତା ଆଣିହେବ ଏଥିରେ, ଦ୍ଵିମତ ନାହିଁ ।

ଆଧାର - ଅଶୋକ ବରଣ ଦାସ, ମୋ – ୭୨୦୫୬୦୯୧୯୫, କୃଷି ସମ୍ପ୍ରସାରଣ ବୈଜ୍ଞାନିକ ତଥା ସ୍ଵୀକୃତିପ୍ରାପ୍ତ ବିଶେଷଜ୍ଞ, କୃଷି ବିଜ୍ଞାନ କେନ୍ଦ୍ର, ପଲଝର, ବୌଦ୍ଧ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate