ଜଗନ୍ନାଥ ଦାସ ଚାଷୀଙ୍କ ପରିଚୟ ଗାଁ ସ୍କୁଲରେ ପଢୁଥିବାବେଳେ ତାଙ୍କ ପାଠରେ ଡେରି ବନ୍ଧା ହୋଇଗଲା । କିନ୍ତୁ ଅଯଥାଟାରେ ସମୟ ବିତାଇବା ତାଙ୍କର ପସନ୍ଦ ନ ଥଲା । ତେଣୁ ଚାଷକୁ ସ୍ଵରୋଜଗାର କ୍ଷମ ହେବାର ମାର୍ଗ ଭାବରେ ଗ୍ରହଣ କରିବାକୁ ସେ ମନସ୍ଥ କଲେ । ତା’ପରେ ଏଥିଲାଗି ଆରମ୍ଭ ହେଲା ଉଦ୍ୟମ । ପନିପରିବା ସହ ମକା ଚାଷରେ ମନ ଲଗାଇଦେଲେ । ଆଉ ବର୍ଷ କେଇଟାରେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇପାରିଲେ । ସେ ହେଲେ ଜଗନ୍ନାଥ ଦାସ (ମୋl:୭୦୭୭୩୯୬୪୪୬) । ନୟାଗଡ, ଜିଲ୍ଲା କଣ୍ଟିଲୋ ବଡବାଣପୁର ଗ୍ରାମ ରାମଚଣ୍ଡିସାହିରେ ତାଙ୍କର ଘର । ପିତା ଶତ୍ରୁଘନ ଦାସ ଓ ମା'ଙ୍କ ନାମ ଗଣ୍ଡେଇ ଦେଈ । ମକାଚାଷ ପାଇଁ ମନବୃତ୍ତି ସ୍ଵାବଲମ୍ବୀ ହେବା ଲକ୍ଷ୍ୟରେ ଚାଷକୁ ଆଦରି ନେଲେ ଜଗନ୍ନାଥ । ଏ ସମ୍ପର୍କରେ ସେ କୁହନ୍ତି, ‘ପାଠ ତ ଅଳ୍ପ ପଢିଲି । କିନ୍ତୁ ସମୟ ନଷ୍ଟ ନ କରି ରୋଜଗାର କଥା ଚିନ୍ତା କଲି । ପ୍ରଥମେ ପନିପରିବା ଚାଷ କଲି । କିନ୍ତୁ ମକା ଚାଷ ଆଡ଼କୁ ମନ ବଳିଲା । ତେବେ ଏହି ଚାଷକୁ କିପରି ଲାଭଜନକ କରାଯାଇପାରିବ ସେଥିରେ ସମ୍ପୂର୍ଣ୍ଣ ମନୋନିବେଶ କଲି । ଅବଶ୍ୟ ଏହି ଚାଷ ପାଇଁ ପଟୁମିଶା ଦୋରସା ମାଟି ଆବଶ୍ୟକ ହୋଇଥାଏ । ବିଶେଷକରି ନଦୀ ବଢି ସମୟରେ ନଦୀତଟବର୍ତ୍ତୀ ପଠାଗୁଡିକ ବନ୍ୟାଜଳରେ ବୁଡି ରହିଥାଏ । ବନ୍ୟା ଛାଡିବା ପରେ ଉକ୍ତ ପଠା ଜମିରେ ପଟୁମାଟି ବସିଯାଇଥାଏ । ଯାହାକି ଏହି ଚାଷ ଲାଗି ଉପଯୁକ୍ତ ହୋଇଥାଏ । ଏଠାକାର କମେଇ ନଦୀ ପଠା ଅଞ୍ଚଳରେ ରହିଥିବା ପ୍ରାୟ ଏକର ଜମିରେ ପ୍ରଥମେ ମକାଚାଷ ଆରମ୍ଭ କରିଥଲି । ସୂଚନାଯୋଗ୍ୟ ମକାଚାଷ କରିବାକୁ ହେଲେ ପ୍ରଥମେ ଜମିକୁ ୪/୫ ଓଡ ଚାଷ କରାଯିବ । ସେହି ଜମିରେ ଖତ ସହିତ ସୁପର ପଟାସ ସାର ଓ ଦାନାଦାର ପକାଯିବା ପରେ ମନ୍ଦା ଖୋଳାଯାଇ ମକା, ବିହନ ପକାଯାଇଥାଏ । ମକାବିହନ ପଡିବାର କିଛି ଦିନ ଭିତରେ ଗଜା ଉଠିଥାଏ । ଏହି ସମୟରେ ଗଛରେ ପୋକ ନ ହେବା ଲାଗି କୀଟ ନାଶକ ଔଷଧ ସିଞ୍ଚନ କରାଯାଇଥାଏ । ଗଛ ହେବାର ୧୦/୧୫ ଦିନ ପରେ ବିଲରେ ୟୁରିଆ ସାର ଏକରେ ଜମିରେ ପ୍ରାୟ ୫୦ କିଲୋ ପକାଯାଇ ପାଣି ମଡ଼ାଯିବ । ଜମି ପାଗକୁ ଦେଖି ୧୦/୧୨ ଦିନ ପରେ ପୁନର୍ବାର ପାଣି ମଡ଼ାଯିବ । ଏହି ସମୟରେ ମଧ୍ୟ ପଟାସ, ସୁପର ଓ ପିଡିଆ ପକାଯାଇଥାଏ । ୧୫ ଦିନ ପରେ ବିଲକୁ କୋଡା ଖୁସା କରି ରାଜା କିମ୍ବା ସଲଫର କିମ୍ବା ଗ୍ରେନେମାର ପିଡିଆ ଦିଆଯାଇ ୩ୟ ପର୍ଯ୍ୟାୟ ପାଣି ମଡା ଯାଇଥାଏ । ୨ରୁ ଅଜେଇ ମାସ ମଧ୍ୟରେ ଗଛରେ ମକା, ଫଳିବା ଆରମ୍ଭ ହୋଇଥାଏ । ତେବେ ଏକ ଏକର ଜମିରେ ୮ କିଲୋ ମକା, ବିହନ ଆବଶ୍ୟକ ହୋଇଥାଏ । ମକାଚାଷ ଦ୍ଵାରା ଲାଭ ନିଜର ପରିଶ୍ରମକୁ ବାଦ ଦେଇ ଗୋଟିଏ ଏକର ଜମିରେ ମକା ଚାଷ ଲାଗି ପ୍ରାୟ ୩୦ରୁ ୩୨ ହଜାର ଟଙ୍କା ଖର୍ଚ୍ଚ କରି ୨ରୁ ଅଢ଼େଇ ମାସ ମଧ୍ୟରେ ସେହି ଜମିରୁ ପ୍ରାୟ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କାର ମକା ଅମଳ ମିଳିଥାଏ । ବେପାରୀମାନଙ୍କୁ ଗୋଟିଏ ମକା ପ୍ରତି ୪ ରୁ ୫ଟଙ୍କା ଦରରେ ବିକ୍ରି କରାଯାଇଥାଏ । ଏହି ଚାଷରୁ ବର୍ଷକୁ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ ମିଳିଥାଏ ବୋଲି ସେ କୁହନ୍ତି । ବିଶେଷକରି ପୁରୀ, ଭୁବନେଶ୍ଵର ଓ ଖୋର୍ଦ୍ଧାରୁ ବେପାରୀମାନେ ଏଠାକୁ ଆସି ମକା କିଣି ନେଇଥାନ୍ତି । ଜଗନ୍ନାଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ କେତେଜଣ ପନିପରିବା ଓ ମକା ଚାଷକରି ସ୍ଵରୋଜଗାରକ୍ଷମ ହେବାକୁ ବି ସକ୍ଷମ ହେଲେଣି । ମୁଁ ଚାକିରି କରିଥଲେ କେତେ ବା ରୋଜଗାର କରିଥାନ୍ତି ? କିନ୍ତୁ ଚାଷ କାମ କରି ଆଜି ଯେଉଁଭଳି ଚଳୁଛି ତା' ବୋଧେ ହୋଇ ନ ଥାନ୍ତା । ଲେଖା ଏବଂ ପ୍ରାପ୍ତ - ଅଜୟ କୁମାର ମହାରଣା