অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

‘ଶ୍ରୀ’ ପଦ୍ଧତି ଚାଷ ଦେଇଛି ସଫଳତା

‘ଶ୍ରୀ’ ପଦ୍ଧତି ଚାଷ ଦେଇଛି ସଫଳତା

ଆଧୁନିକ ଚାଷ ପ୍ରଣାଳୀ

ବୈଜ୍ଞାନିକ ପଦ୍ଧତିରେ ଜୈବ ଚାଷ ପ୍ରତି ଚାଷୀ ଆଗ୍ରହ ଦେଖାଉ ନାହିଁ । ପୁରୁଣାକାଳିଆ ପଦ୍ଧତିକୁ ଆବୋରି ବସୁଛି । କୃଷିଜୀବୀଙ୍କୁ ସଚେତନ କରିବାକୁ ସରକାର ବହୁ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ କୌଣସି କାର୍ଯ୍ୟକ୍ରମର ପ୍ରଭାବ ବିଶେଷ ଭାବେ ପରିଲିତ ହେଉନାହିଁ । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଜଣେ ଚାଷୀ ଆଧୁନିକ ଚାଷ ପ୍ରଣାଳୀକୁ ଆପଣେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଥର ପୁରଷ୍କୃତ ହେବାର ନଜିର ରହିଛି ।

ସୁଧୀର ରାଉତ ସଫଳ ଚାଷୀ

କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଲିପଡା ପଞ୍ଚାୟତର ବାଇଗଣବାଡି ଗ୍ରାମର ଚାଷୀ ସୁଧୀର ରାଉତ । ବୟସ ୫୦ରୁ ବେଶୀ ।  ୨୦୦୬ରୁ ‘ଶ୍ରୀ’ ପଦ୍ଧତିରେ ଧାନ ଚାଷ  କରି କୃଷି କ୍ଷେତ୍ରରେ ଯୋଡ଼ିଛନ୍ତି ନୂଆ ଫର୍ଦ୍ଦ । ପ୍ରଥମ ଥର ପାଇଁ ସେ ୨୦୦୭ରେ  ନାୟକ ପୁରଷ୍କୃତ ହୋଇଥିଲେ ।  ଜିଲ୍ଲାରେ ହାରାହାରି ଅମଳ ଏକର ପ୍ରତି ୨୭ କ୍ଵିଣ୍ଟାଲ ଧାର୍ଯ୍ୟ ହୋଇଥିବା ବେଳେ ଶ୍ରୀ ପଦ୍ଧତିରେ ଚାଷ କରି ସେ ରେକର୍ଡ଼ ପରିମାଣ ୫୯.୬ କ୍ଵିଣ୍ଟାଲ୍ ଧାନ ଅମଳ କରିଥିଲେ । କୃଷି ତାଲିମ କେନ୍ଦ୍ର, ରଙ୍ଗେଇଲୁଣ୍ଡାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ଏହି ପୁରଷ୍କାର ତାଙ୍କୁ ଦେଇଥିବା ପ୍ରୋତ୍ସାହନ । ଏହାପରେ ସେ ପଛକୁ ଚାହିଁ ନଥିଲେ । ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ ଏକର ଧାନ ଚାଷ କରିବା ପରେ ଏବେ ସେ ୪ ଏକର ଜମିରେ ଧାନ ଚାଷ କରୁଛନ୍ତି । ଏନେଇ ସୁଧୀରଙ୍କୁ ପୁଣି ୨୦୧୫ରେ ଆଞ୍ଚଳିକ କୃଷି ମହୋତ୍ସବରେ ସମ୍ମାନୀତ ହୋଇଛନ୍ତି । ସେ କହିଛନ୍ତି ଯେ ତତ୍କାଳୀନ କୃଷି ଉପନିର୍ଦ୍ଦେଶକ ଦାମୋଦର ପଲେଇଙ୍କର ପରାମର୍ଶରେ ସଘନ ଧାନ ଚାଷ  ପଦ୍ଧତି ‘ଶ୍ରୀ’ ଆରମ୍ଭ କରିଥିଲେ । ଆଗ୍ରୋନୋମିଷ୍ଟ ଲକ୍ଷ୍ମଣ ପାଲଟାସିଂ ତାଙ୍କୁ ବୈଷୟିକ ପରାମର୍ଶ ଦେଇଥିଲେ । ପିଲାଟି ଦିନରୁ  ପାରମ୍ପରିକ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ସେ ଚିନ୍ତା କରିଥିଲେ । କିନ୍ତୁ ଉପାୟ ମିଳୁ ନଥିଲା । କୃଷି ବିଭାଗ ଆନୁକୂଲ୍ୟରେ ୨୦୦୬ରେ ଗଞ୍ଜାମ ଜିଲ୍ଲାର ୧୫ଜଣ ଚାଷୀଙ୍କ ସହ କର୍ଣ୍ଣାଟକ, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ଗସ୍ତ କରି ସେଠାରେ ଚାଷ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ସେଠାରୁ ସେ ଅନୁପ୍ରାଣିତ ହୋଇ ତାଙ୍କ ଜିଲ୍ଲାରେ ମଧ୍ୟ ଉନ୍ନତମାନର କୃଷି ପ୍ରଣାଳୀ ଅବଲମ୍ବନ କରିବାକୁ ଉଦ୍ୟମ କରିଥିଲେ । ତାଙ୍କଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ପରାମର୍ଶ ନେଇଥିବା କହିଛନ୍ତି । ଅପରପକ୍ଷେ ୧୯୮୮ରେ  ଖଲିକୋଟ କଲେଜରୁ ହାସଲ କରିଛନ୍ତି ସେ ସ୍ନାତକ ଡିଗ୍ରୀ । ରାଜନୀତିରେ ରହିଛି ରୁଚି । କେବଳ ଚାଷ କାର୍ଯ୍ୟ ନୁହେଁ, ଜଣେ ସଫଳ ସମବାୟବିତ୍ ଭାବେ ସେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ଡାର ସଭାପତି ଭାବେ ୧୯୯୪ରୁ ଏୟାବତ୍ ଲଗାତର ଗତ ଦୁଇ ଦଶନ୍ଧି ଧରି କାର୍ଯ୍ୟଭାର ସମ୍ଭାଳିଛନ୍ତି । ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଅଗ୍ରଗତି କରାଇବାରେ ନେତୃତ୍ଵକାରୀ ଭୂମିକା ନେଇଥିବାରୁ ୧୯୯୯ରେ ରାଜ୍ୟ  ସମବାୟରେ ସମ୍ମାନିତ ହୋଇଥିଲେ । ‘ଶ୍ରୀ’ ପ୍ରଣାଳୀ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ  କରି ସୁଧୀର ରାଉତ କହିଛନ୍ତି ଯେ ପ୍ରଥମେ ଏହି ପଦ୍ଧତିରେ ଚାଷ ପ୍ରଣାଳୀ ମାଡାଗାସ୍କରେ  ୧୯୮୦ରେ ହେନରୀ ଡି ଲାଉଲାନୀ ଆରମ୍ଭ କରିଥିଲେ । ସାଧାରଣ ଚାଷ ପ୍ରଣାଳୀ ଠାରୁ ଏଥିରେ ଉତ୍ପାଦନ ଅଧିକ । କମ୍ ଶ୍ରମଶକ୍ତି ବିନିଯୋଗ, କମ୍ ଜଳ ଓ ଶୀଘ୍ର ଅମଳକ୍ଷମ ମଧ୍ୟ ହୁଏ । ପାରମ୍ପରିକ ପ୍ରଣାଳୀରେ ୨୫ କିଗ୍ରା ବିହନ ଆବଶ୍ୟକ ହେଉଥିବା ବେଳେ ଏହି ପଦ୍ଧତିରେ ୨କିଗ୍ରା ବିହନ ଲୋଡ଼ା ହୁଏ । ସାଧାରଣ ଚାଷରେ ୨୫ ରୁ ୩୦ ଦିନରେ ତଳି ରୁଆଯାଏ ।  କିନ୍ତୁ ଶ୍ରୀ ପଦ୍ଧତିରେ ୮ରୁ ୧୨ ଦିନରେ ତଳି ରୁଆ ହୁଏ । ବର୍ଗ ମିଟର ପ୍ରତି ୩୩ରୁ ୫୦ ଗଛ ରୁଆ ଯାଉଥିବା ବେଳେ ଶ୍ରୀ ପଦ୍ଧତିରେ ୧୬ଟି ଗଛ ପୂର୍ବରୁ ପଶ୍ଚିମ ଦିଗରେ ଧାଡ଼ିରେ ରୁଆଯାଏ । ଆମ ରାଜ୍ୟରେ ୨୦୦୦ ମସିହାରୁ ଏହି ପଦ୍ଧତି ପ୍ରଚଳନ ହୋଇଛି ।

ଆଧାର – ଦୈନିକ ପ୍ରମେୟ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate