ପିଲାଟି ବେଳେ ତାଙ୍କ ପିତାଙ୍କର ବିୟୋଗ ଘଟିଲା । ଏହାପରେ ପରିବାରର ଆର୍ଥିକ ଅବସ୍ଥା ଦୋହଲି ଗଲା । ବଡ଼ କଷ୍ଟରେ ସେ ମାଟ୍ରିକ ପଢା ଶେଷ କଲେ ।
ଆଉ ଅଧିକ ପଢିବା ଲାଗି ଅର୍ଥ ହିଁ ବାଧକ ସାଜିଲା । ତେଣୁ ସ୍ୱରୋଜଗାରର ମାଧ୍ୟମ ଭାବେ କୃଷିକୁ ଆପଣେଇବା ଲାଗି ନିଷ୍ପଭି ନେଲେ । ଆରମ୍ଭ ହେଲା ଉଦ୍ୟମ । ନିଜକୁ ସେଥିରେ ସମର୍ପିଦେଲେ ସେ । ତେବେ ବର୍ଷ କେଇଟା ମଧ୍ୟରେ ସ୍ଵାବଲମ୍ବୀ ହେବା ସହ ଆଉ କେତୋଟି ପରିବାର ପାଇଁ ରୋଜଗାରର ବାଟ ଦେଖାଇ ପାରିଛନ୍ତି ।
ଆଉ ନିଜକୁ ଜଣେ ସଫଳ ଚାଷୀ ଭାବେ ପରିଚିତ କରାଇବାରେ ସେ ହୋଇଛନ୍ତି ସକ୍ଷମ । ସେ ହେଲେ କୈଳାସ ଚନ୍ଦ୍ର ସିଂହ । କଟକ ଜିଲା ସାଲେପୁର ବ୍ଳକ୍ ଅନ୍ତର୍ଗତ ପିକୋଳ ପଞ୍ଚାୟତ ସାଇଗୋଡ଼ା ଗ୍ରାମରେ ତାଙ୍କର ଘର । ମା' ରେଷଲତା ଓ ପିତାଙ୍କ ନାମ ବଟକୃଷ୍ଣ ସିଂହ ।
ଦୁଃଖ କଷ୍ଟକୁ ମର୍ମେ ମର୍ମେ ଅନୁଭବ କରିଥିବା କୈଳାସ ଏକାଦଶ ଶ୍ରେଣୀ ପାସ୍ କରିବା ପରେ ଆଉ କିଛି ଚିନ୍ତା ନ କରି ଚାଷକୁ ଆପଣେଇବା ଲାଗି ସ୍ଥିର କଲେ । ଏଥିଲାଗି ନିଜର କିଛି ଜମି ଏବଂ ଭାଗ ହିସାବରେ କିଛି ଜମିରେ ଆରମ୍ଭ କଲେ ଚାଷ । ଧାନ ସମେତ ପନିପରିବା ଚାଷରେ ମନ ଲଗାଇଲେ । ପ୍ରାରମ୍ଭିକ ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା । ତା'ପରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଚାଷରୁ କିପରି ଅଧିକ ଅମଳ ମିଳିବ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଲେ । ଧାନ, ମୁଗ, ବିଭିନ୍ନ ପନିପରିବା, ନଡ଼ିଆ, କଦଳୀ, ଆମ୍ବ, ପଣସ ସହ ବାଡ଼ିରେ ରତ୍ମକାଳୀନ ଫୁଲ ଚାଷ ବି କଲେ । ଏହାସହିତ ଆରମ୍ଭ କଲେ ଗୋପାଳନ । ଏବେ ତାଙ୍କ ଫାର୍ମରେ ୪ଟି ଜସି ଗାଈ ଅଛନ୍ତି । ପୁଣି ତାଙ୍କ ଜମିରେ ଦୁଇଟି ପୋଖରୀ ଖୋଳାଇ ମାଛ ଚାଷ କରୁଛନ୍ତି ସେ । ଏ ସମ୍ପର୍କରେ କୈଳାସ କହନ୍ତି' ଗତବର୍ଷ ୮ ଏକର ଜମିରେ ଧାନଚାଷ କରିଥିଲି । ସମସ୍ତ ଖର୍ଚ୍ଚ ଯାଇ ୨ଲକ୍ଷ ଟଙ୍କା ଲାଭ ମିଳିଥିଲା । ସେହିପରି ମୁଗ, ନଡ଼ିଆ, ପନିପରିବା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା ଲାଭ ପାଇଛି । ମାଛ ଚାଷ ଓ ଗୋପାଳନ ମଧ୍ୟ ଲାଭଜନକ ହୋଇଛି ।'
କୃଷି ମାଧ୍ୟମରେ ସ୍ଵାବଲମ୍ବୀ ହେବା ସହ ଏ ଦିଗରେ ଏକ ଉଦାହରଣ ସାଜିଥିବା କୈଳାସଙ୍କୁ ବ୍ଲକ୍'ରୁ ଆରମ୍ଭ କରି ରାଜ୍ୟସ୍ତରରେ ମିଳିଛି ଢେର ପ୍ରଶଂସା ଓ ପୁରସ୍କାର କୈଳାସ କୁହନ୍ତି । ମୁଁ କାହା ଉପରେ ନିର୍ଭର ନ କରି ମୋ ଚାଷ କାର୍ଯ୍ୟରେ ପ୍ରତିଦିନ ନିୟୋଜିତ ଥାଏ । ଏଥିରୁ ମୁଁ ସ୍ଵାବଲମ୍ବୀ ହେବା ସହ ମୋ ପିଲାମାନଙ୍କୁ ପାଠ ପଢାଇବାକୁ ସକ୍ଷମ ହୋଇଛି । ଏଥିସହିତ ଆଉ ୫ ପରିବାର ଲାଗି ରୋଜଗାରର ବାଟ ଦେଖାଇପାରିଛି । ଯେଉଁ ଚାଷୀ ଭାଇମାନେ ଚାଷ ସଂପର୍କରେ ମୋ ଠାରୁ ଜାଣିବାକୁ ଚାହିଁବେ ସେମାନଙ୍କୁ ସହଯୋଗ ଲାଗି ମୁଁ ସବୁବେଳେ ତୟାର । ଆଜିକାଲି ଚାକିରିମୁହାଁ ଯୁବକମାନେ ଚାହିଁଲେ ଚାଷ ମାଧ୍ୟମରେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କ ପାଇଁ ବି ରୋଜଗାରର ବ୍ୟବସ୍ଥା କରାଇପାରିବେ । ଅବଶ୍ୟ ଏଥିପାଇଁ ପରିଶ୍ରମ ଆଉ ନିଷ୍ଠାକୁ ଆପଣେଇବାକୁପଡିବ ବୋଲି କୁହନ୍ତି ଏହି ରାଜ୍ୟସ୍ତରୀୟ ସଫଳ କୃଷକ।
ସଂଗୃହିତ - ଅରବିନ୍ଦ ଭୂୟାଁ
Last Modified : 12/31/2019