ରମେଶ ଦଳେଇ ଜଣେ ଚାଷୀ । ମା' କାଞ୍ଚନ ଦେଈ ଓ ପିତାଙ୍କ ନାମ ମହରଗ ଦଳେଇ । ଘର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଖରିଡ଼ା ଗ୍ରାମପଞ୍ଚାୟତର ଗିରିଆ ଗ୍ରାମରେ ।
ନିଜ ସଂଘର୍ଷର ଯାତ୍ରା ସମ୍ପର୍କରେ ରମେଶ କୁହନ୍ତି- 'ପରିବାରର ଆର୍ଥିକ ଅବସ୍ଥା ଯୋଗୁ ହିଁ ମୋର ୪ର୍ଥଶ୍ରେଣୀରୁ ସ୍କୁଲ ଯିବାକୁ ବନ୍ଦ ହୋଇଗଲା । ଏହାପରେ ବାପାଙ୍କ ସାଥିରେ ବିଲକୁ ଯାଉଥିଲି ଚାଷ କାମରେ ସହଯୋଗ କରିବା ଲାଗି । ତେବେ ବୟସ ବଢିବା ସହିତ ରୋଜଗାର ସକାଶେ ଚିନ୍ତା ବଢିଲା । କିନ୍ତୁ ଚାଷକାମ କରି ରୋଜଗାର କ୍ଷମ ହେବା ଲାଗି ନିଷ୍ପତ୍ତି ନେଇ ନିଜ ପୈତୃକ ୨ ଏକର ଜମିରେ ଆରମ୍ଭ କଲି ଧାନଚାଷ । ପୁଣି ସେଥିରେ ଚତୁ ଅନୁସାରେ ବିରି, ମୁଗ, ସୂର୍ଯ୍ୟମୁଖୀ ଆଦି ଚାଷ କଲି । ପ୍ରାରମ୍ଭିକ ସଫଳତା ମୋ ଉତ୍ସାହକୁ ବଢାଇଦେଲା । ଏଥିସହିତ ଆଉ ୪ ଏକର ଜମି ଭାଗ ଚାଷରେ ଆଣି ଆଖୁଚାଷ କଲି । ଡିସେମ୍ବରରେ ଆଖୁ ଲଗାଇବା ଲାଗି ପୂର୍ବରୁ ଜମିକୁ ଗଭୀର କରି ଚାଷଜମିରେ ହଳ କରିବାକୁ ପଡ଼ିଥାଏ । ଏହାପରେ ଆଖୁର ବିଭିନ୍ନ ଯନ୍ତ୍ର ନେବାକୁ ହୁଏ । ତେବେ ଆଖୁ, ଅମଳ ପରେ ଏହାକୁ ଆସିକା ଚିନି କାରଖାନାକୁ ପଠାଇଥାଉ । ସେହିପରି ଏ ଠାରୁ ଉତ୍ପାଦିତ ବିଭିନ୍ନ ପନିପରିବାକୁ ସ୍ଥାନୀୟ ବଜାରରେ ବିକ୍ରି କରିଥାଏ । ଅବଶ୍ୟ ଏଥିପାଇଁ ସମସ୍ତ ଖର୍ଚ୍ଚ ଯାଇ ବାର୍ଷିକ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ ମିଳେ’ ବୋଲି କୁହନ୍ତି । ରମେଶ କୃଷି ସମ୍ପର୍କରେ ସେ କେତେକ ଚାଷୀଙ୍କୁ ପରାମର୍ଶ ମଧ୍ୟ ଦେଇଥାନ୍ତି । । କୃଷିକ୍ଷେତ୍ରରେ ନିଜର ଏତାଦୃଶ ଅଭିଯାନ ଲାଗି ୨୦୧୬-୧୭ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ସେ ସଫଳ ଚାଷୀ ଭାବେ ମଧ୍ୟ ହୋଇଛନ୍ତି ପୁରସ୍କୃତ । ଚାଷରୁ ହିଁ ନିଜ ପରିବାର ଚଳେଇବା ସହିତ ଅନ୍ୟମାନଙ୍କୁ ଚାଷ କାର୍ଯ୍ୟରେ ପରାମର୍ଶ ଦେଇପାରୁଥିବାରୁ ଏହା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି କୁହନ୍ତି। ଏହି ସଫଳ କୃଷିଜୀବୀ।
ରାସାୟନିକ ସାରର ବହୁଳ ବ୍ୟବହାର ଜମି ପାଇଁ କ୍ଷତିକାରକ । ଠିକ୍ ପରିମାଣରେ ସାର ପ୍ରୟୋଗ କରି ନ ପାରିଲେ ଫସଲ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଜମିରେ ସାର ପ୍ରୟୋଗ ପୂର୍ବରୁ ବିଶେଷଜ୍ଞ ଏବଂ ବୈଜ୍ଞାନିକଙ୍କଠାରୁ ପରାମର୍ଶ ନେଇ ବ୍ୟବହାର କରିବା ଜରୁରି ବୋଲି ବଲାଙ୍ଗିର ଜିଲ୍ଲା, ଲୋଇସିଂହା ବ୍ଳକ୍ ବାନିପାଲି ପଞ୍ଚାୟତ ଅଧୀନସ୍ଥ ବିଅଁରପାଲି ଗ୍ରାମର ଅଲେଖ ନାଏକ କହିଛନ୍ତି । ଅତୀତରେ ପୋଟଳ ଫସଲରେ ଉପଯୁକ୍ତ ପରିମାଣର ସାର ପ୍ରୟୋଗ କରି ନପାରି କ୍ଷତି ସହିଥିଲେ ଅଲେଖ । ସେଥିପାଇଁ ଫସଲରେ ସାର ପ୍ରୟୋଗ ପୂର୍ବରୁ ଏ ସମ୍ପର୍କରେ ସମସ୍ତ ଚାଷୀ ସମ୍ପୁର୍ଣ୍ଣ ରୂପେ ବୁଝି ସାର ବ୍ୟବହାର କରିବା ଜରୁରି । ଯଦିଓ ସେ ଏତେ, ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତା’ପରେ ବି ଚାଷକୁ ନେଇ ସେ ମନ ଦୁଃଖ କରିନଥିଲେ । ଏବେ ଧାନ ଝିଣ୍ଟ୍ ପରେ ଅର୍ଥକାରୀ ଫସଲ ଭାବେ ପୋଟଳ ଓ କଦଳୀ ଚାଷ କରି ବାର୍ଷିକ । ସେ ହାରାହାରି ୨ଲକ୍ଷ ଟଙ୍କା ଲାଭ କରୁଛନ୍ତି।
ନିଜର ପୈତୃକ ୪ ଏକର ' ଜମିରୁ ୨ ଏକରରେ ଧାନ ଏବଂ ବାକି ୨ ଏକର ରେ ପୋଟଳ ଓ କଦଳୀ ଚାଷ କରୁଛନ୍ତି । ୩ ବର୍ଷ ଧରି ପୋଟଳ ଚାଷ ପାଇଁ ପ୍ରାୟ ୩ ହଜାର ମନ୍ଦା ଲଗାଇ ପରିବାର ସହିତ କିଛି ଲୋକଙ୍କୁ ଦୈନନ୍ଦିନ ମଜୁରୀ ସହ ସ୍ଵାବଲମ୍ବୀ କରିପାରିଛନ୍ତି ଅଲେଖ । ୨୩୦୦ କଦଳୀ ମନ୍ଦା ମଧ୍ୟ ଲଗାଇଛନ୍ତି । ପୋଟଳରେ ଆବଶ୍ୟକ ରାସାୟନିକ ସାରର ପ୍ରୟୋଗ ଠିକ୍ ଭାବରେ ନ କରିବା ଏବଂ ଅଭାବି ବିକ୍ରି ଲାଗି ପ୍ରତିବର୍ଷ ସେ କ୍ଷତି ସାହୁଛନ୍ତି । ସେହିପରି କଦଳୀ ଚାଷ ପାଇଁ ସବସିଡିରେ ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଚାରା ମିଳୁଛି । ମାତ୍ର ବେପାର ଲାଗି ସ୍ଥାନୀୟ ବଜାର ଛଡ଼ା ପାଖରେ ଆଉ କିଛି ସୁବିଧା ନାହିଁ । ସେଥିପାଇଁ ଜଣେ ଚାଷୀ ସରକାରୀ ସୁବିଧା ସୁଯୋଗ ପାଇଲେ ଅଧିକ ଅମଳ ସାଙ୍ଗକୁ ଅର୍ଥ ରୋଜଗାର କରି ଲାଭବାନ ହୋଇପାରିବ ବୋଲି ଅଲେଖ କୁହନ୍ତି ।
ପୋଟଳ ଏକ ଲଟା ଜାତୀୟ ପରିବା ତେଣୁ ଏଥିଲାଗି ସରକାରୀ ସୂତ୍ରରୁ ଲୁହା ତାର ବ୍ୟବସ୍ଥା କିମ୍ବା କିଛି ଖର୍ଚ୍ଚ ମିଳିଲେ ଭଲ ହୁଅନ୍ତା । ଏହା ବ୍ୟତୀତ ଚାଷୀଙ୍କ ଲାଗି ବ୍ଳକ୍ କିମ୍ବା ଜିଲ୍ଲାସ୍ତରରେ ରାସାୟନିକ ସାରର ପ୍ରୟୋଗ କର୍ମଶାଳା, ଚାରା ଯୋଗାଇବା ଓ ବିକ୍ରି ସମସ୍ୟାର ସମାଧାନ ସମ୍ପର୍କରେ ବୈଠକ ହେବା ଜରୁରି । ଅନ୍ତତଃ ପକ୍ଷେ ପ୍ରତିମାସରେ ଗୋଟିଏ ଥର ନଚେତ୍ ୧୫ଦିନରେ ଥରେ ଏଭଳି କାର୍ଯ୍ୟକ୍ରମ କରାଗଲେ ବହୁ ଲାଭ ମିଳିବ ।
ସଂଗୃହିତ -
Last Modified : 1/26/2020